Unknown

 

 

 

 

 

 

 

 

 

 

 

କେହି ଶୁଣି ନାହାନ୍ତି

ଅନୁବାଦ

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଭୋପାଳ ଘଟଣା ପରେ

୨.

ପଛେ ପଛେ ପୋଲିସ୍

୩.

ରହିବାଟା ରାସ୍ତା ଉପରେ

୪.

ନାରାୟଣାମ୍ମା ହାଡ଼ିଆଣୀ

୫.

ଭାଗଲପୁରକୁ ଭୁଲି ନଯିବା ପାଇଁ ସଂଗ୍ରାମ

୬.

ନିଜେ ରୋଗୀ ଆରୋଗ୍ୟକାରୀ : HIV ସହିତ କଟାଇଥିବା ଜୀବନ

୭.

ଜଗତୁ ଗଣ୍ଡର କମି

୮.

ଯତୀନ୍‌ର ଗୁପ୍ତ କ୍ଷତମାନ

୯.

ଏରସମା ମହାବାତ୍ୟାରେ ପ୍ରଶାନ୍ତ

୧୦.

କଳର ଗର୍ଭରେ ଘର

୧୧.

ଦ୍ୱିତୀୟ ବଳାତ୍କାର

୧୨.

ବେଡ଼ୀରୁ ମୁକ୍ତି ନାହିଁ

୧୩.

ସରପଞ୍ଚଙ୍କର ମୋହର

୧୪.

ଏକ ଅଳ୍ପ କାଳସ୍ଥାୟୀ ବିଦ୍ରୋହ

୧୫.

୧୯୮୪ : ନ୍ୟାୟ ପାଇବାକୁ ତଥାପି ଅପେକ୍ଷା

୧୬.

ଚାହାର ପଇସା ନିଶ୍ଚୟ ଦେବ

୧୭.

ଠାକୁରଙ୍କର ଅର୍ଚ୍ଚନା

୧୮.

ଚକଚକ ନମ୍ବରକାଗଜ

୧୯.

ଏକ ଜାତିରୂପେ ଐକ୍ୟବଦ୍ଧ

୨୦.

ବିପନ୍ନ ବସତି

୨୧.

କେତୋଟି ଟିପ୍ପଣୀ

☆☆☆

 

କୃତଜ୍ଞତା-ସ୍ୱୀକାର

 

ଏହି ପୁସ୍ତକଟିର କାହାଣୀଗୁଡ଼ିକ ପାଇଁ ତଥ୍ୟସଂଗ୍ରହ କରୁଥିବା ବେଳେ ଓ ସେଗୁଡ଼ିକୁ ଲେଖୁଥିବା ସମୟରେ ବହୁସଂଖ୍ୟକ ବ୍ୟକ୍ତି ସେମାନଙ୍କର ମୂଲ୍ୟବାନ୍ ଅବଦାନଗୁଡ଼ିକୁ ଦେଇ ମୋତେ ସାହାଯ୍ୟ କରିଛନ୍ତି । ବହିଟି ଶେଷରେ ଥିବା ଟିପ୍ପଣୀରେ ମୁଁ ସେମାନଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କାହାଣୀଗୁଡ଼ିକ ନିମନ୍ତେ ମୋତେ ସାହାଯ୍ୟ କରିଥିବା କେତେକଙ୍କ ପାଖରେ ଅବଶ୍ୟ କୃତଜ୍ଞତା ଜ୍ଞାପନ କରିଛି ସତ, ମାତ୍ର ତଥାପି ଆହୁରି କେତେକଙ୍କର ନାମୋଲ୍ଲେଖ କରିବା ସମ୍ଭବ ହୋଇ ପାରିନାହିଁ ।

 

ଯେଉଁମାନେ ରାଜି ହୋଇ ମୋତେ ନିଜନିଜର କାହାଣୀଗୁଡ଼ିକୁ ଆସି ଶୁଣାଇଲେ,–ସେଗୁଡ଼ିକୁ ସ୍ମରଣ କରି ସେମାନେ ପ୍ରକୃତରେ କେତେ ଦୁଃଖିତ ହୋଇ ପଡ଼ିନଥିବେ,–ମୁଁ ସେହିମାନଙ୍କ ନିକଟରେ ହିଁ ସବୁଠାରୁ ଅଧିକ ପରିମାଣରେ ଋଣୀ ହୋଇ ରହିବି । ସେହିମାନଙ୍କୁ ଭରସା କରି ହିଁ ଏହି ପୁସ୍ତକଟି ଲେଖାଯାଇ ପାରିଲା । ଏହି କାର୍ଯ୍ୟଟି କରି ମୁଁ ଯଦି ସେମାନଙ୍କର ଏତେଟିକିଏ ମଧ୍ୟ ହିତସାଧନ କରି ପାରିଥିବି, ତେବେ ମୋ’ର ଏହି ଉଦ୍ୟମଟି ସେମାନଙ୍କ ଦୃଷ୍ଟିରୁ ଅନ୍ତତଃ କିଛି କାର୍ଯ୍ୟରେ ଲାଗିଛି ବୋଲି ଆଶା କରି ପାରିବି ।

 

ମୋ’ର ଯେଉଁ ବହୁସଂଖ୍ୟକ ଶିକ୍ଷକ, ବନ୍ଧୁ ଏବଂ ମନ୍ତବ୍ୟକାର ମୋତେ ଏହି କାହାଣୀଗୁଡ଼ିକୁ ଲେଖିବା ନିମନ୍ତେ ଉତ୍ସାହିତ କରିଛନ୍ତି ତଥା ମୂଲ୍ୟବାନ୍ ପ୍ରସ୍ତାବଗୁଡ଼ିକୁ ଦେଇଛନ୍ତି, ମୁଁ ସେମାନଙ୍କୁ ବିଶେଷ କୃତଜ୍ଞତା ଜଣାଉଛି । ସେମାନେ ହେଉଛନ୍ତି ବାବା ଆମତେ, S.R. ଶଙ୍କରନ୍‍, ଶେଖର ସିଂହ, ଅରୁଣା ରାୟ, ନିଖିଳ ଦେ, ଶଙ୍କର, N.C.ସାକ୍ସେନା, Jean Dreze, Pamela Shurmer Smith, ଘନଶ୍ୟାମ ଶାହ, R. ଶ୍ରୀନିବାସ ମୂର୍ତ୍ତି, ରବର୍ଟ୍ ଚ୍ୟା୍ମ୍ବର୍ସ୍, ଉଷା ରାମନାଥନ୍, ଅନନ୍ତକୃଷ୍ଣ, ରଜନୀ ବକ୍‍ସି, G. ନରେନ୍ଦ୍ରନାଥ୍‍, ଉମା ଶଙ୍କରୀ, ମହିର୍ ଶାହ୍‍, ପ୍ରଦୀପ ପ୍ରଭୁ, ସିରାଜ ବାଲ୍‍ସରା, ଶଶୀ ଥାରୁର୍‍, ଝରଣା କାଭେରୀ, ଅନୁରାଗ ସିଂହ, ବିଜୟ ପ୍ରତାପ, ବିଦ୍ୟା ରାଓ, ସଇଦ୍ ମିର୍ଜା, ଶ୍ୟାମ୍ ବେନେଗଲ୍, MJ. ଆକ୍‍ବର୍‍, ଉଷା ରାୟ, B.S. ବସ୍ୱାନ୍, ଏବଂ ଆହୁରି ଅନେକ ।

 

ସଂଗ୍ରହଟିର କେତେକ କାହାଣୀ Asian Ageରେ ପ୍ରକାଶିତ ହୋଇଥିଲା ଏବଂ ମୁଁ ଅତ୍ୟନ୍ତ କୃତଜ୍ଞ ଯେ ସେଗୁଡ଼ିକରେ ଏକ ମୂଲ୍ୟ ଅବଶ୍ୟ ରହିଛି ବୋଲି ସମ୍ବାଦପତ୍ରଟି ହୃଦୟଙ୍ଗମ କରି ପାରିଥିଲା । କାହାଣୀଗୁଡ଼ିକ ଖୁବ୍ ଦୀର୍ଘ ହୋଇ ଯାଇଥିଲା ଏବଂ ପାରମ୍ପରିକ ଭାବରେ ସମସ୍ତେ ଭାବନ୍ତି ଯେ ସମ୍ବାଦପତ୍ରର ପାଠକମାନଙ୍କ ପାଖରେ ଦାରିଦ୍ର୍ୟ ଭିତରେ ବାସ କରୁଥିବା ଲୋକଙ୍କର ଜୀବନ ସମ୍ବନ୍ଧରେ ଲିଖିତ ବିଷୟଗୁଡ଼ିକ ନିମନ୍ତେ ସାଧାରଣତଃ ସେତେ ବେଶୀ ସମୟ ନଥାଏ । Indian Express ଓ Hindustan Times ମଧ୍ୟ କେତୋଟି କାହାଣୀକୁ ପ୍ରକାଶ କରିଥିଲେ ।

 

ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର–ନିର୍ମାତା ଶ୍ୟାମ୍ ବେନେଗଲ୍ ଏହି ସଂଗ୍ରହରେ ପ୍ରକାଶିତ ଦୁଇଟି କାହାଣୀକୁ ଆଧାର କରି ଦଳିତମାନଙ୍କର ଜୀବନ ସମ୍ପର୍କରେ ‘ସମର’ ନାମକ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଗୋଟିଏ କାହାଣୀ ଯେଉଁଠାରେ ପ୍ରକୃତରେ ଘଟିଥିଲା, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଅବସ୍ଥିତ ସେହି ଗ୍ରାମରେ ହିଁ ଚଳଚ୍ଚିତ୍ରଟିର ଛବିମାନ ନିଆ ଯାଇଥିଲା । ସେହି ଚଳଚ୍ଚିତ୍ର ୧୯୯୮ ମସିହାର ଶ୍ରେଷ୍ଠ ଚିତ୍ରରୂପେ ଜାତୀୟ ପୁରସ୍କାର ଲାଭ କରିଥିଲା ।

 

ବହୁସଂଖ୍ୟକ କାହାଣୀରେ ବାହ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେକ ସମାଜକଲ୍ୟାଣ ଅନୁଷ୍ଠାନ ଅଥବା ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷ ସେମାନଙ୍କର ପ୍ରତିକୂଳ ସ୍ଥିତିଗୁଡ଼ିକୁ ପାର ହୋଇ ଯିବାରେ ସଂପୃକ୍ତ ଲୋକମାନଙ୍କୁ ମହତ୍ତ୍ୱପୂର୍ଣ୍ଣ ଭୂମିକାମାନ ଗ୍ରହଣ କରି ସାହାଯ୍ୟ କରିଥିଲେ । କାହାଣୀର ଦୃଷ୍ଟିରୁ ଯେତିକି ଆବଶ୍ୟକ ହୋଇଛି, ମୁଁ ସାବଧାନତା ସହକାରେ ଲେଖା ଗୁଡ଼ିକରେ କେବଳ ସେତିକି ପରିମାଣରେ ସେମାନଙ୍କୁ ଅବତୀର୍ଣ୍ଣ କରାଇଛି । ଏପରି କରିଥିବାର କାରଣ ହେଉଛି ଯେ, ସରକାରୀ କିମ୍ବା ବେସରକାରୀ ଏହିସବୁ ସଂସ୍ଥା ଯୋଗାଇ ଦେଇଥିବା ସାହାଯ୍ୟ ଓ ସମର୍ଥନକୁ ବିର୍ଣ୍ଣନା କରିବା ନିମନ୍ତେ ମୂଳତଃ ଏହି କାହାଣୀଗୁଡ଼ିକ ଲିଖିତ ହୋଇନାହାନ୍ତି । ଏଗୁଡ଼ିକ ତ ସେହି ମନୁଷ୍ୟମାନଙ୍କ ବିଷୟରେ ହିଁ ଲେଖାଯାଇଛି, ଯେଉଁମାନଙ୍କୁ କି କେହି କ୍ୱଚିତ୍‍ ଆଦୌ କୌଣସି ସ୍ୱୀକୃତି ଦିଅନ୍ତି ଅଥବା ଅତ୍ୟନ୍ତ କ୍ୱଚିତ୍ ପ୍ରକୃତରେ କାହାର ଆଖିରେ ପଡ଼ନ୍ତି । ଏବଂ, ସେମାନେ ଚରମ ଅନ୍ୟାୟ ଓ ଦୈନ୍ୟମାନ ସହ୍ୟ କରୁଥିଲେ ମଧ୍ୟ କେବଳ ଯେ ସେହି ପ୍ରତିକୂଳ ଅବସ୍ଥା ଭିତରେ ତଥାପି କେବଳ ଆପଣାକୁ ଚଳାଇ ନିଅନ୍ତି ତା’ ନୁହେଁ, ଅସାଧାରଣ ସମ୍ମାନବୋଧ ଏବଂ ଆତ୍ମବିଶ୍ୱାସ ସହିତ ନିଜର ଜୀବନଗୁଡ଼ିକର ନିର୍ମାଣ ମଧ୍ୟ କରିପାରନ୍ତି ।

 

ଜଣେ I.A.S. ଅଫିସର୍ ହିସାବରେ ମୁଁ ସ୍ୱୟଂ ବି କେତେକ କାହାଣୀରେ ରହିଥିବା ଘଟଣା ଗୁଡ଼ିକ ସହିତ ସଂପୃକ୍ତ ରହିଥିଲି,–ମଧ୍ୟପ୍ରଦେଶର ଘନ ଜଙ୍ଗଲାଞ୍ଚଳରେ ମୁଁ କର୍ମରତ ଥିଲି । ତେଣୁ, ସଂପୃକ୍ତ ସେହି କେତୋଟି କାହାଣୀ ଗୋଟିଏ ଅର୍ଥରେ ଆତ୍ମଜୀବନୀମୂଳକ ହୋଇ ଯାଇଥିଲେ ମଧ୍ୟ, ସେଗୁଡ଼ିକ ଆଦୌ ମୋ’ କାହାଣୀ ହେବା ସକାଶେ ଅଭିପ୍ରେତ ନୁହନ୍ତି ଏବଂ, ମୁଁ ଆଶା କରୁଛି ଯେ, କାହାଣୀମାନଙ୍କର ପ୍ରକୃତ ଚରିତ୍ରଗୁଡ଼ିକୁ ଘୋଡ଼ାଇ ପକାଇଲା ଭଳି ମୋତେ ନିଜକୁ ପ୍ରାଧାନ୍ୟ ନଦେବାରେ ମୁଁ ସଫଳ ହୋଇ ପାରିଛି । ଆପଣାକୁ ତେଣୁ ମୁଁ କେବଳ ତୃତୀତ ପୁରୁଷରେ ହିଁ ବର୍ଣ୍ଣନା କରିଛି, କେବେହେଲେ ନାଆଁ ଦେଇନାହିଁ । କେବଳ ଅଫିସରଙ୍କର ପଦଦ୍ୱାରା ସୂଚିତ କରିଦେଇଛି ଏବଂ, ଏକାନ୍ତ ଅପରିହାର୍ଯ୍ୟ ହୋଇ ଯାଇଥିବା ସ୍ଥାନଗୁଡ଼ିକୁ ଛାଡ଼ିଦେଲେ ମୁଁ ନିଜର ବ୍ୟକ୍ତିଗତ ଭୂମିକାଟି ବିଷୟରେ ଖୁବ୍ କମ୍ ଆଲୋଚନା କରିଛି ।

 

ମସୋରିରେ ଥିବା ଲାଇବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶିକ୍ଷଣ ଏକାଡ଼େମୀରେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଶିକ୍ଷାଦାନ ସମୟରେ କେତୋଟି ଦୃଷ୍ଟାନ୍ତମୂଳକ ଅଧ୍ୟୟନ ପ୍ରସ୍ତୁତ କରିବାର ପ୍ରୟାସରେ ଏଥିରେ ଥିବା କେତୋଟି କାହାଣୀ ମୂଳତଃ ଲେଖା ଯାଇଥିଲା । ମୁଁ ସେଠାରେ ତିନିବର୍ଷ (୧୯୯୩-୯୬) କାର୍ଯ୍ୟରତ ଥିଲି । ସେହି ସମୟର ମୋ’ର ବହୁ ଛାତ୍ରଙ୍କ ପାଖରେ ମୁଁ ସେଥିପାଇଁ ଋଣୀ, କାରଣ ଆପଣାର ଅଙ୍ଗୀକାରବଦ୍ଧତା ତଥା ସଂବେଦନା ଦ୍ୱାରା ହିଁ ସେମାନେ କାହାଣୀଗୁଡ଼ିକ ପ୍ରତି ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ।

 

ଆକ୍‍ସନ୍ ଏଡ୍‌ ନାମକ ଗୋଟିଏ ବିକାଶ ସହାୟକ ସଂସ୍ଥାର ସର୍ବୋଚ୍ଚ ପରିଚାଳକ ହୋଇ ରହିବାର ମୋ’ର କାର୍ଯ୍ୟକାଳ ସମୟରେ ଏଥିରୁ ଅନେକ କାହାଣୀ ଲେଖା ହୋଇଛି । ସେତେବେଳେ ମୁଁ ସରକାରରୁ ଭାରପ୍ରାପ୍ତ ହୋଇ ସେଠାକୁ ଆସିଥିଲି । ସଂଗଠନଟିର ବହୁ ବଦାନ୍ୟହୃଦୟ ଓ ଅଙ୍ଗୀକାରବଦ୍ଧ ସହକର୍ମୀମାନେ ଏହି କାହାଣୀଗୁଡ଼ିକର ତଥ୍ୟସଂଗ୍ରହରେ ମୋତେ ସାହାଯ୍ୟ କରିଛନ୍ତି । ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ଆମେ ସମ୍ମୁଖୀନ ହୋଇଥିବା ଅନ୍ୟାୟଗୁଡ଼ିକର ପ୍ରତିକାର ନିମନ୍ତେ ନାନା କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରିବାରେ ସାହାଯ୍ୟ କରିଛନ୍ତି । ସଂଗଠନଟିରେ ମୋ’ର କାର୍ଯ୍ୟକାଳ ଭିତରେ ଏହି କାର୍ଯ୍ୟଟି ସକାଶେ ମୁଁ ବିଜୟ ନଉଗାଇନ୍, ବିରାକ ପଟ୍ଟନାୟକ ଓ କବିତା କାରୁଗନ୍ତି ଆଦି ସହକର୍ମୀଙ୍କ ଠାରୁ ବିଶେଷ ମିତ୍ରତା ତଥା ସମର୍ଥନ ଲାଭ କରି ପାରିଛି ।

 

ମୋ’ର ଏକ ସୌଭାଗ୍ୟ ଯେ, ପେଙ୍ଗୁଇନ୍ ବୁକ୍‌ସ୍‍, ଇଣ୍ଡିଆର ରାଜ କାମିନୀ ମହାଦେବ ଓ ପଲ୍ ବିନୟ କୁମାର ଏହି ପୁସ୍ତକଟିରେ ଉପସ୍ଥାପିତ କରା ଯାଇଥିବା ଆବେଦନଟି ଉପରେ ଏଡ଼େ ଗଭୀର ବିଶ୍ୱାସ ସ୍ଥାପନ କରି ପାରିଲେ । ସର୍ବଶେଷ ପାଣ୍ଡୁଲିପିଟିରେ ଆବଶ୍ୟକ ସମ୍ମାର୍ଜନ ପ୍ରଦାନ କରିବାରେ କାମିନୀ ବହୁତ ଉଦ୍ୟମ ଖଟାଇଛନ୍ତି ।

 

ନିଜ ପରିବାରଠାରୁ ପାଇଥିବା ସମର୍ଥନ ପାଇଁ ଏହି ଅବସରରେ କୃତଜ୍ଞତା ପ୍ରକାଶ କରିବାର ଏକ ପ୍ରଚଳନ ରହିଥାଏ । ଠିକ୍ ସେହି କାରଣରୁ ହିଁ ସେହି କାର୍ଯ୍ୟଟିକୁ ମୁଁ କୁଣ୍ଠାର ସହିତ କରୁଛି, ମାତ୍ର ତାହାର ଉଲ୍ଲେଖ ନକଲେ ଏହି ପୃଷ୍ଠାଟି ବସ୍ତୁତଃ ଅସମ୍ପୂର୍ଣ୍ଣ ହିଁ ରହିଯିବ । ମୁଁ କେବଳ ଏତିକି କହିବି ଯେ, ନିଜ ଜୀବନରେ ମୁଁ ଯେଉଁ ମୂଲ୍ୟଗୁଡ଼ିକୁ ଉଚ୍ଚ ବୋଲି ମାନି ଆସିଛି ଏବଂ ଯେଉଁ କାର୍ଯ୍ୟଗୁଡ଼ିକୁ ନିଜର କାର୍ଯ୍ୟ ବୋଲି କରିଛି ମୋ’ର ଭଗିନୀ ପ୍ରୀତ୍‍ଙ୍କ ଠାରୁ ଲାଭ କରିଥିବା ଶିକ୍ଷାରୁ ହିଁ ସେଗୁଡ଼ିକ ପାଇଁ ସର୍ବଦା ପ୍ରେରଣା ପାଇ ଆସିଛି । ସିଏ ତ ଅତି ଅଳ୍ପକାଳ ସକାଶେ ଏହି ସଂସାରକୁ ଆସିଥିଲେ । ଏହି ପୁସ୍ତକଟିକୁ ମୁଁ ତାଙ୍କରି ସ୍ତୁତିରେ ଉତ୍ସର୍ଗ କରୁଛି । ମୋ’ ପିତାମାତାଙ୍କର ଗଭୀର ସ୍ନେହଦ୍ୱାରା ମୁଁ ପ୍ରତିପାଳିତ ହୋଇ ଆସିଛି, ବଳି ପାଇଛି । ମୋ’ର ପତ୍ନୀ ଡିମ୍ପଲ୍ ଦୁଃଖ ଓ ସୁଖ ଉଭୟ ସମୟରେ ମୋ’ର ସାଥୀ ହୋଇ ରହିଛନ୍ତି । ମୋ’ ଭାଇ ରାକ୍ ମଧ୍ୟ ରହିଛନ୍ତି; ଏବଂ, ମୋ’ର କନ୍ୟା ସୁରୁର୍, ଯିଏକି ମୋ’ ହୃଦୟର ଶୂନ୍ୟସ୍ଥାନ ଗୁଡ଼ିକୁ ପୂର୍ଣ୍ଣ କରି ରଖିଛି-

☆☆☆

 

ଭୋପାଳ-ଘଟଣା ପରେ

 

ଏଡ଼େ ବଡ଼ ପରିବାରଟା ଯାକର ସମସ୍ତେ ଶେଯମାନଙ୍କ ତଳେ ଜାକି ଜୁକି ହୋଇ ଶୋଇ ରହିଥିବା ସମୟରେ, ପ୍ରାୟ ଅଧରାତି ବେଳକୁ, ସମସ୍ତେ ହଠାତ୍ ଏକାବେଳେକେ ଉଠି ବସିଲେ । ନିଃଶ୍ୱାସ ବନ୍ଦ ହୋଇ ଯାଉଥାଏ । ବାହାରୁ କବାଟ ଉପରେ ପଡ଼ୋଶୀମାନଙ୍କର ଧଡପଡ଼ ଶବ୍ଦ ଶୁଣାଗଲା ! ଉଠ, ଉଠ, କାରଖାନାରୁ ବିଷାକ୍ତ ବାଷ୍ପ ବାହାରି ଚାରିଆଡ଼େ ବ୍ୟାପିଯାଉଛି । ଉଠ, ଶୀଘ୍ର ଆଉ କୁଆଡ଼େ ପଳାଇଯାଅ !

 

୧୯୮୪ ମସିହା ଡିସେମ୍ବର ୨ ତାରିଖ ରାତିର କଥା ।

 

ସେଦିନ ରାତିରେ ସୁନୀଲର ମୋଟେ ଶୋଇବାପାଇଁ ଯିବାକୁ ମନ ହେଉ ନଥିଲା । ସକାଳେ ଇସ୍କୁଲ ଯିବ ବୋଲି ତା’ ବହିବ୍ୟାଗ୍ ଓ ପୋଷାକ ସଜଡ଼ା ହୋଇ ରହିଥାଏ । ରବିବାର ଥିଲା ନା,–ତେଣୁ ସିଏ ଦିନଟାଯାକ ନିଜର ସାତଜଣ ଭାଇ ଓ ଭଉଣୀଙ୍କ ସହିତ ଖେଳି ଖେଳି ବିତାଇ ଦେଇଥିଲା । ସବା ବଡ଼ ଭଉଣୀ ପୃଷ୍ଠା,–ଏବେ ବାହାଘର ହୋଇଥିଲା, ଦିୱ୍ୱାଲୀ ପର୍ବ ପାଇଁ ସେ ମାତ୍ର କେତେ ସପ୍ତାହ ହେଲା ବାପଘରକୁ ଆସିଥିଲା । ଭଉଣୀ ସହିତ ଆଉକିଛି ସମୟ କଟାଇବାକୁ ସୁନୀଲର ଖୁବ୍ ଇଚ୍ଛା ହେଉଥାଏ । ସେମାନଙ୍କର ବାପା ବଡ଼େଇକାମ କରନ୍ତି,–ଭଲ ଆସବାବପତ୍ର ତିଆରି କରନ୍ତି ବୋଲି ତାଙ୍କୁ ସମସ୍ତେ ଖୁବ୍ ଖାତିର କରୁଥିଲେ । ଦିନକୁ ସେ ଶହେ ଟଙ୍କାରୁ ଉର୍ଦ୍ଧ୍ୱ କମାଇ ପାରୁଥିଲେ । କୁଟୁମ୍ବଟି ବଡ଼ ହୋଇଥିଲେ ମଧ୍ୟ ରାତିରେ ନଖାଇ କେବେ ଶୋଇବାକୁ ଯାଇଥିବାର କଥା ସୁନୀଲର ଆଦୌ ମନେ ହୁଏନାହିଁ । ସେମାନେ ସାନ କଜା ଘରଟିରେ ସମସ୍ତେ ରହୁଥିଲେ । ଘରେ କାଠର କବାଟ ଲାଗିଥାଏ । ତାଙ୍କ ସେହି ସହରତଳି ଅଞ୍ଚଳଟିର ନାମ କେ.ପି. ନଗର । ସେଠାରେ ସରକାରଙ୍କ ତରଫରୁ ବସ୍ତିବାଲାମାନଙ୍କୁ ନିଜର ଡିହ ଖଣ୍ଡ ଖଣ୍ଡ ମିଳିଥିଲା ଏବଂ ମାତ୍ର ଏବେ ସେମାନେ ତାହାରି ଉପରେ ଘର ଖଣ୍ଡ ଖଣ୍ଡ ତିଆରି କରି ବାସ କରୁଥାନ୍ତି ।

 

ବାହାରେ କଳା କିଟିକିଟି ଅନ୍ଧାର; ଏପରିକି ବିଜୁଳିଖମ୍ବର ଆଲୁଅଗୁଡ଼ିକ ମଧ୍ୟ ବିଷାକ୍ତ ବାଷ୍ପର ବହଳ ଆସ୍ତରଣ ଭିତରେ ରହି ପୂରା ଦେଖା ଯାଉଥାନ୍ତି । ସେହି ମାରାତ୍ମକ ବାଷ୍ପ ପୂରା ବସ୍ତିଟା ଉପରେ ବ୍ୟାପ୍ତ ହୋଇ ରହିଥାଏ । କେ.ପି. ନଗର ବସ୍ତିର ଘରଗୁଡ଼ାକ ବଡ଼ ଅବ୍ୟବସ୍ଥିତ ଭାବରେ ତିଆରି ହୋଇଥାନ୍ତି–ଭୋପାଳରେ ଥିବା କୀଟନାଶକ ଔଷଧ ପ୍ରସ୍ତୁତକାରୀ ଇଉନିଅନ୍ କାର୍‍ବାଇଡ୍ କାରଖାନା କଡ଼କୁ ହିଁ ବସ୍ତିଟି ଗଢ଼ି ଉଠିଥାଏ । ସେଦିନ ରାତିରେ କ’ଣ ସବୁ ଘଟିଲା, ବସ୍ତିର ବାସିନ୍ଦାମାନଙ୍କୁ ସେସବୁ ମୋଟେ କିଛି ହେଲେ ଅବଗତ ନଥାଏ; ରକ୍ଷଣାବେକ୍ଷଣର କାର୍ଯ୍ୟକ୍ରମରେ ସବୁଦିନ ପରି ସେଦିନ ମଧ୍ୟ ସବୁ ଠିକ୍ କରା ଯାଉଥିବା ସମୟରେ କାରଖାନାର ଏକ ଭଣ୍ଡାରରେ ଏକାବେଳେକେ ବହୁତ ପାଣି ଆସି ପଶି ଯାଇଥିଲା;–ପାଇପ୍ ଓ ଅନ୍ୟାନ୍ୟ ସାଧନମାନଙ୍କ ଭିତରେ କଣାସବୁ ରହିଥିବାରୁ ଏଭଳି ଘଟିଥିଲା । ସେହି ଭଣ୍ଡାରରେ ଷାଠିଏ ଟନ୍ ମେଥି ଆଇସୋସିଆନେଟ୍ (MIC) ଆଗରୁ ହିଁ ଭର୍ତ୍ତି ହୋଇ ରହିଥିଲା ଏବଂ ପାଣି ପଶିବା ଫଳରେ ଏକାଧିକ ବିଷାକ୍ତ ରସାୟନଦ୍ରବ୍ୟର ଚାଳିଶି ଟନ୍ ପର୍ଯ୍ୟନ୍ତ ତରଳ ମିଶ୍ର ଦ୍ରବ୍ୟ ସହର ମଧ୍ୟକୁ ପ୍ରବାହିତ ହେବାକୁ ଲାଗିଲା । ସହରର ସେହି ନିଦ୍ରାମଗ୍ନ ଦଶଲକ୍ଷ ଅଧିବାସୀ ଏବିଷୟରେ କିପରି ବା କ’ଣ ପୂର୍ବ ଇଙ୍ଗିତ ମଧ୍ୟ ପାଇ ପାରିଥାନ୍ତେ !

 

ସର୍ବପ୍ରଥମେ ବାଷ୍ପର ସ୍ରୋତଟା ଏହି ଜେ.ପି. ନଗର ମଧ୍ୟରେ ଆସି ପ୍ରବେଶ କରିଥିଲା-। ସେହି ଅଞ୍ଚଳରେ ଗୋଟିଏ ସ୍ଥାନରେ ସୁନୀଲ ଓ ତା’ ପରିବାରର ଘର । ସେମାନେ ସେଠି ନିଜଘରେ ଶୋଇଥିଲେ । ବର୍ତ୍ତମାନ ନିଦରୁ ଉଠି ସତେଅବା ନିଶ୍ୱାସ ବନ୍ଦ ହୋଇ ଯାଉଛି ବୋଲି ଅନୁଭବ କରିବାକୁ ଲାଗିଲେ । ଆଖିଗୁଡ଼ାକ ତୀବ୍ର ଭାବରେ ଜଳୁଥିବା ପରି ମନେ ହେଉଥିଲେ,–ସତେ ଯେପରି ସେଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଭାରି କାଶ ଉଠୁଥାଏ; ସେମାନେ ବିକଳରେ ଚିତ୍କାର କରି ଘରଭିତରୁ ବାହାରକୁ ଦଉଡ଼ି ବାହାରି ଆସିଲେ । ଦେଖିଲେ, ତାଙ୍କରି ପରି କେତେ କେତେ ଲୋକ ସତେଅବା ଏକ ବୃହତ ଜନସ୍ରୋତର ଆକାର ଧାରଣ କରି କୌଣସି ନିରାପଦ ଜାଗାରେ ଯାଇ ପହଞ୍ଚିବାର ଅଭିପ୍ରାୟରେ ଧାଇଁବାରେ ଲାଗିଛନ୍ତି !

 

ସେତେବେଳେ ସୁନୀଲକୁ ଏଗାର ବର୍ଷ ବୟସ; ସିଏ ନିଜ ସାନଭଉଣୀ ମମତାର ହାତଟାକୁ ଯାବୁଡ଼ି କରି ଧରିଥାଏ ଓ ବିକଳ ହୋଇ ଧାଇଁଥାଏ । କାରଖାନାରୁ ନିର୍ଗତ ବାଷ୍ପ ସେତେବେଳକୁ ଖଣ୍ଡ ଖଣ୍ଡ ଗାଢ଼ ମେଘ ପରି ଜମାଟ ବାନ୍ଧିବାକୁ ଆରମ୍ଭ କଲାଣି; ତାହାରି ଭିତରେ ପଶି ସିଏ ପରିବାରର ଅନ୍ୟମାନଙ୍କଠାରୁ ହୁଏତ କେତେବେଳୁ ହିଁ ଅଲଗା ହୋଇ ଯାଇଥାଏ । ଏତିକିବେଳେ ତାକୁ ଜୋର୍ ପରିସ୍ରା ମାଡ଼ିଲା । ପରିସ୍ରା କରିବା ସକାଶେ ସେ ଠାଏ ମାତ୍ର ମୁହୂର୍ତ୍ତକ ନିମନ୍ତେ ଅଟକି ଠିଆ ହୋଇଛି କି ନାହିଁ, ତେଣେ ମମତାର ହାତରୁ ମଧ୍ୟ ହାତ ଛାଡ଼ି ହୋଇଗଲା । ଚାରିଆଡ଼ୁ ଲୋକମାନେ ଚିତ୍କାର କରି ମାଡ଼ି ଆସୁଥିଲେ; କେତେ ତଳେ ପଡ଼ି ଯାଉଥାନ୍ତି ତ ଆଉ କେତେ ଦଳି ହୋଇ ଯାଉଥାଆନ୍ତି । ପିନ୍ଧା ଲୁଗାପଟାମାନ ଚିରି, ଛିଣ୍ଡି ଟିକିଟିକି ହୋଇଗଲାଣି ଓ ଆଉକେତେ ବାନ୍ତି ବି କରି ପକାଉଛନ୍ତି । ମୂତ ଓ ମଳର ଗନ୍ଧରେ ଚାରିଆଡ଼ ଭକ ଭକ କରୁଥାଏ । କିଏ ଆଉ ପାଦେ ଆଗକୁ ଯାଇ ନପାରି ଗୋଟାସୁଦ୍ଧା ତଳେ ପଡ଼ି ଯାଉଥାଏ, କେତେ ଅଚେତା ହୋଇ ଯାଉଥାଆନ୍ତି, କେତେକଙ୍କର ବି ପ୍ରାଣବାୟୁ ଉଡ଼ି ଯାଉଥାଏ ।

 

ସୁନୀଲ ସେହି ଦଉଡ଼ିବାର ଅବସ୍ଥାରେ ଗୋଟାଏ ଶ୍ମଶାନକୁ ପାର ହୋଇଗଲା: ନିଃଶ୍ୱାସ ନେଇ ନପାରିବାରୁ ସତେ ଅବା ପ୍ରାଣ ଚାଲିଯିବା ପରି ଲାଗୁଥାଏ,–ଆଖିମାନେ ଜଳିବାରେ ଲାଗିଥାନ୍ତି; ସିଏ ଆଖର ଗୋଟିଏ କରତକଳ ପାଖରେ ଆସି ପହଞ୍ଚିଲା, ଯେଉଁଠାରେ କି ଗୋଟାଏ ମାଟାଡ଼ୋର୍‍ ଗାଡ଼ି ଦେଖିବାକୁ ପାଇଲା । ଗାଡ଼ିଟା ଗୋଟାଏ ଭୂତ ପରି ପୂରା କାଲୁଆ ହୋଇ ଦେଖା ଯାଉଥାଏ । ଗାଡ଼ିର ଡ୍ରାଇଭର ତା’ ନିଜ ପରିବାରର ଲୋକଙ୍କୁ ଯେକୌଣସି ପ୍ରକାରେ ଗାଡ଼ି ଭିତରେ ଆଣି ଭରି ଦେବାପାଇଁ ଚେଷ୍ଟା କରୁଥାଏ । ସୁନୀଲ ମଧ୍ୟ ଠେଲିପେଲି ହୋଇ ତାହାରି ଭିତରେ ପଶିଗଲା । ବିକଳ ହୋଇ ଧାଉଁଥିବା ସେହି ମହାଭିଡ଼ଟି ମଧ୍ୟରେ ଡ୍ରାଇଭର୍ ଯେ ଗାଡ଼ିଟିକୁ ଚଳାଇ କିପରି ଆଗେଇନେଲା, ସୁନୀଲ ସେହି ବିଷୟରେ ଆଦୌ କିଛି ହେଲେ ମନେ ରଖି ପାରିନାହିଁ । ଡ୍ରାଇଭର ଏମିତି ଏମିତି ଏହି ଗାଡ଼ିଟିକୁ ସହରର ବାହାରକୁ ନେଇଯାଇ ପାରିଲା ଓ ତା’ପରେ ବାଟରେ ଗୋଟେ କେଉଁଠାରେ ହେଲେ ନ ରୁକି ଏକାବେଳକେ ବୁଧ୍‍ନି ଗାଆଁରେ ଯାଇ ପହଞ୍ଚିଗଲା । ବାଷ୍ପ କ୍ରମେ ସେହି ଗାଆଁରେ ଆସି ପହଞ୍ଚିଯିବ ବୋଲି ସେଠାରେ ପୂରା ଏକ ଆତଙ୍କ ଖେଳି ଯାଇଥାଏ । ଡ୍ରାଇଭର୍ ଆହୁରି ଆଗକୁ ଯାଇ ହୋଶଙ୍ଗାବାଦ ସହରଯାଏ ପହଞ୍ଚିଗଲା । ଡାଇଭର ସେଇଠାରେ ସୁନୀଲକୁ ରାସ୍ତା । ପାର୍ଶ୍ୱର ଏକ ଚାହାଦୋକାନରେ ଓହ୍ଲାଇ ଦେଇଥିଲେ । ଭାରି ହାଲିଆ ହୋଇ ଯାଇଥିବାରୁ ସୁନୀଲ ବେଶ୍ କେତେ ଘଣ୍ଟା କାଳ ସେହି ରାସ୍ତା ଉପରେ ହିଁ ପଡ଼ି ରହିଥିଲା । ନିଜ ଆଖିରେ ମୋଟେ କିଛି ହେଲେ ଦେଖି ପାରୁନଥାଏ ଓ ଘୋର ଯନ୍ତ୍ରଣା ଅନୁଭବ କରୁଥାଏ । ସ୍ଥାନୀୟ ଲୋକ ଓ ପୋଲିସ୍‍ବାଲା ଆସି ତାକୁ ସେଠାରୁ ଉଠାଇନେଇ ଯାଇଥିଲେ । ସେମାନେ ତାକୁ ନେଇ ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇ ଦେଇଥିଲେ ।

 

ପରବର୍ତ୍ତୀ ଚାରି ପାଞ୍ଚ ଦିନ ସୁନୀଲ ସେହି ହସ୍‍ପିଟାଲରେ ହିଁ ରହିଲା । ଡାକ୍ତରଖାନାର କର୍ମୀମାନେ ତା’ର ଚିକିତ୍ସା କରିବା ଫଳରେ ତା’ର ସେହି ଅସହ୍ୟ କଷ୍ଟ ମଧ୍ୟ କ୍ରମଶଃ ଉଣା ହୋଇ ଆସିଥିଲା । ମାତ୍ର, ତା’ ପରିବାରର ଅନ୍ୟମାନଙ୍କର କ’ଣ ହେଲା ଓ ସେମାନେ ସବୁ କୁଆଡ଼େ ରହିଲେ, ସେ ସବୁବେଳେ ସେହି କଥାଗୁଡ଼ିକୁ ଭାବିବାରେ ଲାଗିଥାଏ । ସ୍ଥାନୀୟ ପ୍ରଶାସନ ଆକାଶବାଣୀରେ ତା’ ବିଷୟରେ ଟିକିନିଖି ସକଳ ସମ୍ବାଦକୁ ଘୋଷଣା କରି ଦେଇଥିଲେ । ହଁ, ତା’ ଘରର ବନ୍ଧୁ ଲାଗୁଥିବା କେତେକ ବ୍ୟକ୍ତି ବାଷ୍ପ–ବିପର୍ଯ୍ୟୟର ସଂବାଦମାନ ଶୁଣି ଲକ୍ଷ୍ନୌରୁ ଆସି ଇତ୍ୟବସରରେ ଭୋପାଳରେ ପହଞ୍ଚିଗଲେ ଓ ଖୋଜିବା ଆରମ୍ଭ କରି ଦେଇଥିଲେ । ରେଡ଼ିଓରେ ସୁନୀଲ ବିଷୟରେ କରା ଯାଇଥିବା ଘୋଷଣାଟିକୁ ଶୁଣି ସେମାନେ ହୋଶଙ୍ଗାବାଦରେ ଥିବା ଏହି ଜିଲ୍ଲା ହସପିଟାଲରେ ଆସି ପହଞ୍ଚି ଯାଇଥିଲେ ।

 

ଏହି ଆତ୍ମୀୟସ୍ୱଜନଙ୍କୁ ଦେଖି ସୁନୀଲ ଆଶ୍ୱସ୍ତ ହେଲା, ଆତଙ୍କିତ ବି ହୋଇ ଯାଇଥିଲା । ସିଏ ନିଜ ମାମୁଁଙ୍କୁ ଦେଖି ପାରିଲା, ଏବଂ ବଡ଼ ଭଉଣୀ ପୁଷ୍ପାର ସ୍ୱାମୀଙ୍କୁ ବି । ଘରର ଆଉ ସମସ୍ତେ କିପରି କେଉଁଠି ଅଛନ୍ତି ବୋଲି ସେମାନଙ୍କୁ ପଚାରିଥିଲା । ମାତ୍ର, ବଡ଼ମାନେ ଭୟଙ୍କର ଅସଲ ସତକଥାଟିକୁ ତା’ଠାରୁ ଲୁଚାଇ ହିଁ ରଖିଥିଲେ । ହସ୍‍ପିଟାଲ୍‌ରୁ ଖଲାସ ହେବାପରେ ତା’ର ଆତ୍ମୀୟମାନେ ତାକୁ ଜେ.ପି.ନଗରରେ ଥିବା ତା’ ଘରକୁ ନେଇ ଯାଇଥିଲେ । ସତେ ଯେମିତି ସୁନୀଲ ଗୋଟାଏ ମଶାଣିକୁ ଫେରି ଆସିଥିଲା । ଚାରିଆଡ଼େ ବିକଳ କ୍ରନ୍ଦନରେ ପୃଥିବୀ ଥରି ଉଠୁଥାଏ । ତ୍ରାଣକାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ କ୍ଷୀର ଏବଂ ଖାଦ୍ୟ ବାଣ୍ଟିବା ଆରମ୍ଭ କରି ଦେଇଥାନ୍ତି । ଏବଂ, ଶେଷକୁ ତା’ ଆତ୍ମୀୟମାନେ ମଧ୍ୟ ସୁନୀଲ ଆଗରେ ତା’ ଘରର ଅନ୍ୟମାନଙ୍କ ବିଷୟରେ ସେହି ଅତି ଦାରୁଣ ଦୁଃସମ୍ବାଦଟିକୁ ଆଣି ଦେଇଥିଲେ । ତା’ ମାଆଙ୍କର ପରଲୋକ ହୋଇ ଯାଇଥିଲା । ସେତେବେଳେ ସିଏ ତାଙ୍କ ଆଠମାସର ଶିଶୁପୁଅ ସଂଜୟକୁ ନିଜ ହାତରେ ଧରିଥିଲେ; ଏବଂ, ଦଇବର ବରାଦକୁ ଦେଖ, ଶିଶୁଟି ତଥାପି ମରି ନଥାଏ । ଆତ୍ମୀୟସ୍ୱଜନମାନେ ଥାନାକୁ ଯାଇ ତାଙ୍କର ଶବକୁ ଚିହ୍ନଟ କରିଥିଲେ ଏବଂ ଶିଶୁଟିକୁ ବି ଉଦ୍ଧାର କଲେ । ପଡ଼ିଶା ଲୋକେ କହିଲେ ଯେ ସେମାନଙ୍କର ବାପା ମଧ୍ୟ ତହିଁ ଆରଦିନ ସକାଳେ ନିଜ ଘରକୁ ଫେରି ଆସିଥିଲେ । ବାଷ୍ପ ନିର୍ଗତ ହୋଇଥିବା ରାତିରେ ସମସ୍ତେ ଘର ଛାଡ଼ିବା ସମୟରେ ସିଏ ଘରେ ତାଲା ପକାଇ ଦେଇଥିଲେ । ଆରଦିନ ସକାଳେ ପୁଣି ଲେଉଟି ଆସି ଘରକୁ ଖୋଲି ଦେଖିଲେ ଯେ, ଘର ଭିତରେ ତାଙ୍କର ଜଣେ ପୁଅ ସନ୍ତୋଷ ତା’ ଭିତରେ ମରି ପଡ଼ିଥିଲା । ସମସ୍ତେ ବିକଳିଆ ହୋଇ ଦଉଡ଼ି ପଳାଇଥିବା ସମୟରେ ସନ୍ତୋଷ ଯେ କିଭଳି ରହିଗଲା, କେହି ସେକଥା ଜାଣି ପାରିଲେ ନାହିଁ । ହଁ, ଘରକୁ ଖୋଲିବାର କିଛି ସମୟପରେ ବାପାଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ି ଯାଇଥିଲା । ସମ୍ଭବତଃ ବାଷ୍ପ ପାଇଁ ଶ୍ୱାସ ବନ୍ଦ ହୋଇଗଲା, ଅଥବା ଭଗ୍ନହୃଦୟ ନେଇ ବଞ୍ଚି ରହିବା ତାଙ୍କପାଇଁ ସମ୍ଭବ ହେଲାନାହିଁ ଓ ସାହୀର ଲୋକେ ତାଙ୍କର ଦାହକ୍ରିୟା ସମ୍ପନ୍ନ କରିଥିଲେ ।

 

ସୁନୀଲର ସାତଜଣ ଭାଇଭଉଣୀଙ୍କ ମଧ୍ୟରୁ ଶିଶୁ ସଂଜୟ ଓ ଭଉଣୀ ମମତାର ପ୍ରାଣ ରହି ଯାଇଥିଲା । ହଁ, ସେହି ଭିଡ଼ ଭିତରେ ମମତାର ହାତ ହିଁ ତା’ ହାତରୁ ସେଦିନ ଛାଡ଼ି ହୋଇ ଯାଇଥିଲା । ଥାନାମାନଙ୍କରେ ପ୍ରଦର୍ଶିତ ମୃତମାନଙ୍କର ଫଟୋଚିତ୍ରରୁ ପରିବାରର ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ପାରିଲା । ଶବମାନଙ୍କୁ ଏକତ୍ର ଦାହ କରିବା ଅଥବା କବର ଦେବା ପୂର୍ବରୁ ସେମାନଙ୍କର ଫଟୋଚିତ୍ରମାନ ନିଆ ଯାଇଥିଲା ।

 

ହଠାତ ସୁନୀଲ ଅନୁଭବ କଲା, ପୃଥିବୀରେ ଆଉ ତା’ ନିଜର ବୋଲି ପ୍ରକୃତରେ କେହି ରହିଲେ ନାହିଁ । ବୟସ ତ ମୋଟେ ଏଗାର ବର୍ଷ ଏବଂ, ନିଜ ଆଠମାସର ସାନ ଭାଇଟିର ଦାୟିତ୍ୱ ନେବା ମଧ୍ୟ ବର୍ତ୍ତମାନ ତାହାରି ଉପରେ । ତା’ ସହିତ ତା’ଠାରୁ ତିନିବର୍ଷ ସାନ ଭଉଣୀଟିର ମଧ୍ୟ । ପୁନଶ୍ଚ, ସମସ୍ତଙ୍କୁ ଆହୁରି ପ୍ରସ୍ତରବତ୍ କରିଦେଇ ସେହି ନାରଖାର ହୋଇ ପଡ଼ିଥିବା ସହରଟିରେ ଜନରବ ବି ହେଉଥାଏ ଯେ, କାରଖାନାରୁ ବାଷ୍ପକୁ ସଫା କରି ବାହାର କରିବା ସମୟରେ ପୁଣି ବାଷ୍ପ ନିର୍ଗତ ହେବାର ମଧ୍ୟ ପୂର୍ଣ୍ଣ ଆଶଙ୍କା ସବୁବେଳେ ରହିଥିଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ଜନରବ ଆଦୌ ଠିକ୍ ନୁହେଁ ବୋଲି ଲୋକମାନଙ୍କ ମନରେ ଦମ୍ଭ ଆଣି ଦେବାଲାଗି ଅବଶ୍ୟ ଏକ ପ୍ରତିଅଭିଯାନ ଆରମ୍ଭ କରାଇ ଦେଇଥିଲେ । ସେହି ଅଭିଯାନର ଅଂଶସ୍ୱରୂପ କାରଖାନାର ଚାରିପାଖରେ ବଡ଼ ବଡ଼ ପର୍ଦ୍ଦାମାନ ଟାଙ୍ଗି ଦିଆଗଲା ଏବଂ ହେଲିକପ୍‍ଟର୍ ମାନଙ୍କ ଦ୍ୱାରା କାରଖାନାକୁ ସଫା କରାଗଲା । ଟି.ଭି. କ୍ୟାମେରା ଦ୍ୱାରା ତାହାର ଫଟୋଚିତ୍ରମାନ ବି ଉତ୍ତୋଳିତ ହେଲା । ମାତ୍ର, ତଥାପି ଯେଉଁମାନଙ୍କର ପ୍ରାଣ ରହି ଯାଇଥିଲା, ସେମାନଙ୍କର ତେବେସୁଦ୍ଧା ସନ୍ଦେହମୋଚନ ହେଉ ନଥିଲା ଏବଂ, ସେହି ମାସରେ ହିଁ ଆହୁରି ମୁଥେ ଲୋକ ସହର ଛାଡ଼ି ଅନ୍ୟତ୍ର ପଳାଇବାକୁ ଆରମ୍ଭ କରିଦେଲେ । ଲୋକେ ଆପଣାର ଆସବାବପତ୍ର ବିକିଦେଲେ,–ଏପରିକି ଘରଡ଼ିହମାନଙ୍କୁ ମଧ୍ୟ ବିକ୍ରୀ କରିଦେଲେ,–ଅତି ସାମାନ୍ୟ ମୂଲ୍ୟରେ ହିଁ ବିକି ଦେଉଥିଲେ ଏବଂ ଅପେକ୍ଷାକୃତ ଅଧିକ ନିରାପଦ ଥାନମାନଙ୍କୁ ପଳାଇ ଯାଉଥିଲେ ।

 

ଭଉଣୀ ଓ ଛୁଆ ଭାଇଟିକୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଲକ୍ଷ୍ନୌ ଚାଲି ଯିବାଲାଗି ଆତ୍ମୀୟମାନେ ସୁନୀଲକୁ ପ୍ରବର୍ତ୍ତାଇ ଥାଆନ୍ତି । ଶେଷରେ ସେହିକଥା ହିଁ ହେଲା; ସେମାନେ ପରିବାରର ସବୁଯାକ ଦ୍ରବ୍ୟ ସେହି ଭୋପାଳରେ ବିକ୍ରୀ କରିଦେଲେ ଓ ଜେ.ପି. ନଗର ଛାଡ଼ିଲେ ।

 

କିନ୍ତୁ, ମୋଟେ ଛଅମାସ ଯାଇଛି କି ନାହିଁ, ସୁନୀଲ ପୁନର୍ବାର ଭୋପାଳକୁ ଫେରି ଆସିଥିଲା । ସେଠାରେ ଭାଗ୍ୟକୁ ସେମାନଙ୍କର ଘର ଓ ଘରଡ଼ିହ ରହିଥିଲା, ବିକ୍ରୀ ହୋଇନଥିଲା । ତା’ର ଆତ୍ମୀୟମାନେ ଭଉଣୀ ମମତାକୁ ଘରର ଏ କାମଟା ଅଥବା ସେ କାମଟା କରିଦେବାର ପାଇଟିରେ ଲଗାଇ ଦେଇଥିଲେ । କିନ୍ତୁ, ସେହି ଆତ୍ମୀୟମାନଙ୍କର କୌଣସି ସାହାଯ୍ୟ ନନେଇ ନିଜର ସାନଭଉଣୀ ଓ ଛୁଆ’ ଭାଇଟିର ଲାଳନ ପାଳନର ଦାୟିତ୍ୱ ନିଜେ ବହନ କରିବ ବୋଲି ସୁନୀଲ ମନସ୍ଥ କରି ନେଇଥିଲା ।

 

ସାହାଯ୍ୟ ଅବଶ୍ୟ ଆସିଥିଲା; ପ୍ରଧାନତଃ ଜେ.ପି.ନଗରରେ ଥିବା ପଡ଼ିଶାମାନେ ବହୁତ ପ୍ରକାରେ ସହାୟତା କରିଥିଲେ । ଏମାନେ ପିଲାଦୁହିଁଙ୍କୁ ଖୁଆଇ ଦେଉଥିଲେ ଏବଂ ପାଳି କରି ଛୁଆଟିର ତତ୍ତ୍ୱ ନେଉଥିଲେ । ମାତ୍ର, ପୃଥିବୀଟା ପ୍ରକୃତରେ ଅତ୍ୟନ୍ତ ନୈରାଶ୍ୟଜନକ ହୋଇ ଯାଇଥିଲା । ତାଙ୍କର ସେହି ଗୋଟିଏ ଗଳିରେ ହିଁ ପଚିଶିଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଦିନରାତି ବେଳ ଓ ଅବେଳରେ ସେଠାରେ କେତେ କେତେ ଘରୁ କ୍ରନ୍ଦନର ରୋଳ ଉତ୍ତୋଳିତ ହୋଇ ଉଠୁଥିଲା । ସତେ ଯେପରି ଏକ ଗଭୀର ଦୁଃଖ ଏବଂ ନିରାଶାର ଭାବ ସେଠାରେ ସ୍ଥାୟୀ ଭାବରେ ଘର କରି ରହିବାକୁ ହିଁ ଆରମ୍ଭ କରି ଦେଇଥିଲା । ସେହି ବସ୍ତି ଅଞ୍ଚଳରେ ଜୀବନଟାକୁ ରଖିପାରିବା ହିଁ କେତେବେଳେ ହେଲେ ସୁନିଶ୍ଚିତ ଲାଗୁନଥିଲା; କାରଣ, ଯେଉଁମାନେ ସେହି ବିଷାକ୍ତ ବାଷ୍ପକୁ ନିଃଶ୍ୱାସରେ ଗ୍ରହଣ କରିଥିଲେ, ସେମାନେ ଆପଣାର ଜୀବିକା ନିର୍ବାହ ନିମନ୍ତେ ଆଉ ତଦନୁରୂପ ଶାରୀରିକ ଶ୍ରମ କରିପାରୁ ନଥିଲେ । ଆଗରୁ ଖୁବ୍ କରି ପାରୁଥିଲେ, ମାତ୍ର ଏବେ ଆଦୌ ସମ୍ଭବ ହେଲାନାହିଁ ।

 

ପ୍ରଥମ କେତେବର୍ଷ ଅବଶ୍ୟ ରିଲିଫ୍ ବି ମିଳିଲା । ବଞ୍ଚି ଯାଇଥିବା ଲୋକେ ସେହି ରିଲିଫ୍‍କୁ ନେଇ ଚଳୁଥିଲେ । ସେମାନଙ୍କ ସକାଶେ ପୁଣି କୌଣସି ସ୍ଥାୟୀ ଜୀବନସଂସ୍ଥାନ ନିର୍ମାଣ କରିଦେବା ପାଇଁ ସରକାର କେତେ ଚେଷ୍ଟା କଲେ, ମାତ୍ର ଗୁଡ଼ାଏ ପଇସା ସିନା ଖର୍ଚ୍ଚ ହେଲା, କିନ୍ତୁ ଦୁର୍ଭାଗ୍ୟତଃ କୌଣସିଟି ସଫଳ ହୋଇ ପାରିନଥିଲା । ଜୀବନ ସଂସ୍ଥାନର ପୁନଃନିର୍ମାଣ ଲାଗି ମଧ୍ୟପ୍ରଦେଶ ସରକାର ପନ୍ଦର ବର୍ଷ ମଧ୍ୟରେ ସତୁରି କୋଟି ଟଙ୍କା ଖର୍ଚ୍ଚ କଲେ–୧୫୨ଟି କର୍ମକେନ୍ଦ୍ର ବସାଇଲେ, ପ୍ରାୟ୬୫୦୦ ଲୋକଙ୍କୁ ତାଲୀମ ଦେଲେ,–ତଥାପି, ମାତ୍ର ଅଶୀରୁ କିଛି ଅଧିକ ମହିଳାଙ୍କ ନିମନ୍ତେ ଯାହା ଏକ କୌଣସି ପ୍ରକାରର ଚଳିବା ଭଳି କେତୋଟି ସଂସ୍ଥାନ ସମ୍ଭବ କରି ପାରିଥିଲେ ।

 

ସୁନୀଲ ନିଷ୍ପତ୍ତ କଲା ଯେ ସିଏ ଆଉ ସ୍କୁଲକୁ ଯିବନାହିଁ, ସିଏ ନିଜର ସବୁ ସମୟ ନିଜ ଭାଇ ଓ ଭଉଣୀ ପାଇଁ ଦେବ । ଭାରି କୃତଜ୍ଞ ହୋଇ ସିଏ ଜେ.ପି. ବସ୍ତିରେ ବାସ କରୁଥିବା ମହମ୍ମଦ ଅଲିଙ୍କୁ ସ୍ମରଣ କରିଥାଏ, ଯିଏକି ତା’ର ହେପାଜତ କରିଥିଲେ ଏବଂ, ସିଏ ଯେପରି ନିଶ୍ଚିତ ଭାବରେ ତା’ର କ୍ଷତିପୂରଣ ପ୍ରାପ୍ୟ ପାଇପାରିବ, ସେଥିପାଇଁ ତାକୁ ସାଙ୍ଗରେ ନେଇ କେତେକେତେ ସରକାରୀ ଅଫିସ୍‌କୁ ମଧ୍ୟ ଯାଇଥିଲେ । ପ୍ରଥମ ପର୍ଯ୍ୟାୟରେ, ମୃତ ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ତାଙ୍କର ନିକଟତମ ଜ୍ଞାତିକୁ ଦଶହଜାର ଟଙ୍କା ମିଳିଥିଲା । ସୁନୀଲ ଘରେ ସାତଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ତେଣୁ ମହମ୍ମଦ ଅଲ୍ଲୀଙ୍କର ଚେଷ୍ଟା ଫଳରେ ସିଏ ମୋଟ ସତୁରି ହଜାର ଟଙ୍କା ପାଇ ପାରିଲା । ଏଥିରୁ ଲକ୍ଷ୍ନୌରେ ଥିବା ତା’ର ଭିଣୋଇଙ୍କୁ ଦଶ ହଜାର ମିଳିଥିଲା । ଏବଂ, ବାକି ଅର୍ଥ ଏକ ଦୀର୍ଘମିଆଦୀ ଜମା ହିସାବରେ ବ୍ୟାଙ୍କରେ ରହିଲା । ସୁନୀଲକୁ ମାସିକ ସୁଧ ହିସାବରେ ତହିଁରୁ ୫୦୦ ଟଙ୍କା ମିଳିଲା ଏବଂ ସେଇଥିରୁ ହିଁ ସେମାନେ ତିନିଜଣଯାକ ଚଳିଲେ ।

 

ଏହିପରି ଭାବରେ ଦୁଇଟା ବର୍ଷ ଅତିବାହିତ ହୋଇ ଯାଇଥିଲା ଏବଂ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର କଣେ କନିଷ୍ଠ-ସ୍ତରୀୟ କର୍ମଚାରୀ ଥରେ ସୁନୀଲ ପାଖରେ ତା’ ଘରେ ଆସି ପହଞ୍ଚିଲେ ଏବଂ ଇନ୍ଦୋର ସହରରେ ଥିବା ଗୋଟିଏ ଛାତ୍ରାବାସରେ ସିଏ ନିଜ ଭାଇଭଉଣୀ ଦୁହିଁଙ୍କୁ ନେଇ ଭର୍ତ୍ତି କରିଦେଉ ବୋଲି ତାକୁ ପ୍ରବର୍ତ୍ତାଇ ଥିଲେ । ନିଜେ ଗୋଟିଏ ଛୋଟ ପିଲା ହୋଇଥିଲେ ମଧ୍ୟ ନିଜର ଦୁଇଦୁଇଟା ସାନ ଭାଇଭଉଣୀଙ୍କର ପାଳନପୋଷଣ କରିବା ତା’ପାଇଁ ଅବଶ୍ୟ ଏକ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇ ରହିଥିଲା ଏବଂ ତେଣୁ ସୁନୀଲ ରାଜି ହୋଇଗଲା । ଏକ ସରକାରୀ ଜିପରେ ସେ ଭାଇଭଉଣୀଙ୍କୁ ଧରି ଇନ୍ଦୋର ଯାଇଥିଲା ଏବଂ ସେଠାରେ ଥିବା ଛାତ୍ରାବାସରେ ରଖିଦେଇ ଆସିଲା । ମାତ୍ର, ସେଠାରୁ ଫେରି ଆସି ନିଜର ଘରଟା ମଧ୍ୟ ତାକୁ ଭାରି ଶୂନଶାନ୍ ମନେ ହୋଇଥିଲା ।

 

ଇତ୍ୟବସରେ, ସୁନୀଲ ତଥା କେ.ପି. ନଗରରେ ଅନ୍ୟ ଅଧିବାସୀମାନେ ନିଜ ନିଜ ନିମନ୍ତେ ଜୀବିକା ଭଳି ଜୀବିକାଟିଏ ସମ୍ଭବ କରିପାରିବା ଓ ଅସୁସ୍ଥତା ଗୁଡ଼ିକୁ ଦୂର କରିବାର ନାନା ମିହନ୍ତରେ ଲାଗି ରହିଥିବା ବେଳେ, ସେମାନଙ୍କର ସଂପୂର୍ଣ୍ଣ ଅକାଣତରେ ତେଣେ ଭାରତବର୍ଷ ଓ ଆମେରିକାର ନ୍ୟାୟାଳୟରେ ସେମାନଙ୍କ ତରଫରୁ ଏକ ମୋକଦ୍ଦମା ଲଢ଼ା ଯାଉଥିଲା । ପୂର୍ବରୁ ରହିଥିବା ଗୋଟିଏ ଆଇନର ଆଶ୍ରୟ ନେଇ ଭାରତ ସରକାର ଇଉନିଅନ୍ କାରବାଇଡ୍‍ କୋମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କର ପକ୍ଷରୁ ମୋକଦ୍ଦମା କରିଥିଲେ ଏବଂ, ପୀଡ଼ିତ ଲୋକମାନଙ୍କୁ ତିନିଶହ କୋଟି ଡଲାରରୁ ଅଧିକ କ୍ଷତିପୂରଣ ଅବଶ୍ୟ ମିଳିବା ଉଚିତ ବୋଲି ଆମେରିକାର ନ୍ୟାୟାଳୟଠାରେ ଦାବି କରିଥିଲେ ।

 

ସେଠି ନିଉୟର୍କର ନ୍ୟାୟାଳୟ ମାନଙ୍କରେ ଜଣେ ପ୍ରତ୍ୟକ୍ଷ ସାକ୍ଷୀର ଅନ୍ୱେଷଣ କରିବାକୁ ଯାଇ ସରକାରୀ କର୍ତ୍ତାମାନେ ଏହି ସୁନୀଲକୁ ହିଁ ବାଛିଥିଲେ । ସୁନୀଲ ଏପରି ଏକ ଦୃଷ୍ଟାନ୍ତ ଥିଲା, ଯିଏକି ସାନ ପିଲାଟିଏ ହୋଇଥିଲେ ମଧ୍ୟ ବାଷ୍ପ–ଦୁର୍ଘଟଣାରେ ନିଜର ପିତାମାତାଙ୍କୁ ହରାଇଥିଲା ଏବଂ ନିଜର ପାଞ୍ଚ ପାଞ୍ଚ ଜଣ ଭାଇଭଉଣୀ ମଧ୍ୟ ତାହାରି ଫଳରେ ମୃତ୍ୟୁମୁଖରେ ପଡ଼ିଥିଲେ । ଜିଲ୍ଲା ପ୍ରଶାସନର ଜଣେ ଉଚ୍ଚପାହ୍ୟା କର୍ତ୍ତାଙ୍କ ସମେତ ସରକାରୀ ଲୋକେ ଆସି ସୁନୀଲ ପାଖରେ ତା’ ଘରେ ଆସି ପହଞ୍ଚିଲେ ଏବଂ ଆମେରିକା ଯାଉଥିବା ଗୋଟିଏ ସରକାରୀ ଦଳରେ ସାମିଲ ହେବାପାଇଁ ତାକୁ ପ୍ରବର୍ତ୍ତାଇଲେ । ସେମାନେ ଉଡ଼ାଜାହଜରେ ନିଉୟର୍କ ଯିବେ ଏବଂ ସାକ୍ଷୀ ଦେବେ । ନିଉୟର୍କ ଯିବା ବିଷୟରେ ତା’ ପଡ଼ିଶାମାନେ ତାକୁ ଖୁବ୍ ମନା କରିଥିଲେ । କହିଥିଲେ, ବାବୁରେ, ତୁ ଥରେ ଉଡ଼ାଜାହଜ ଭିତରକୁ ଯାଇ ସେଥିରେ ବସିଯିବୁ ନା, ତା’ପରେ ପ୍ରକୃତରେ ପୁଣି ଘରକୁ ଫେରିଆସିବୁ କି ନାହିଁ, ସେକଥା କିଏ ଜାଣିଛି ?

 

ସୁନୀଲକୁ ମଧ୍ୟ ଖୁବ୍ ଡର ମାଡ଼ୁଥିଲା,–କିନ୍ତୁ ଏପରିକି ଯାତ୍ରା ତା’ ଭାଗ୍ୟରେ କୁଟିବ ବୋଲି ଭାବି ସିଏ ମନେ ମନେ ଖୁସୀ ବି ହୋଇ ଯାଉଥିଲା ଏବଂ, ଭାରତୀୟ ଦଳ ସହିତ ଉଡ଼ାଜାହଜରେ ବସି ଆମେରିକା ଯିବା ବିଷୟରେ ସେ ରାଜି ବି ହୋଇଗଲା । ତଥାପି, ପଡ଼ିଶା ଲୋକମାନେ ଦେଖାଇଥିବା ଭୟଗୁଡ଼ିକ କାଳେ ସତକୁ ସତ ଘଟିବ, ସେଥିପାଇଁ ସିଏ କିଛି ଭୟ ବି ଅନୁଭବ କରୁଥିଲା ।

 

ନିଉୟର୍କ ବିମାନଘାଟୀରେ ଭାରତର ରାଷ୍ଟ୍ରଦୂତ ଏମାନଙ୍କୁ ପାଛୋଟି ନେବାପାଇଁ ଆସିଥିଲେ । ଭାରି ଥଣ୍ଡା ପଡ଼ିଥାଏ । ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ କେହିଜଣେ ସୁନୀଲକୁ ଖଣ୍ଡ କୋଟ୍ ଦେଇଥିଲେ । ସେମାନେ ସମସ୍ତେ ଯାଇ ଗୋଟିଏ ଦାମୀ ହୋଟେଲ୍‌ରେ ରହିଲେ ଏବଂ, ଏତେ ବାଟ ବ୍ୟୋମଯାନରେ ଆସି ବିଶେଷ କ୍ଳାନ୍ତ ହୋଇ ପଡ଼ିଥିବାରୁ ଦିନବେଳେ ସୁନୀଲର ଅଧିକାଂଶ ସମୟ ଶୋଇବାରେ ହିଁ କଟି ଯାଇଥିଲା । ତେଣୁ, ଆଉ ରାତିରେ ନିଦ ନହେବାରୁ ସିଏ କେବଳ ଏଠାରେ ସେଠାରେ ଟହଲିବାରେ ଲାଗିଥାଏ । ଖୁବ୍ ଡର ବି ମାଡ଼ୁଥିଲା । ଦିନେ ରାତିରେ ଦୂତ ମହାଶୟ ସେମାନଙ୍କୁ ନିଜ ଘରକୁ ଡାକି ଭୋଜୀଟାଏ ବି ଦେଇଥିଲେ । ଆଗ ପାନୀୟର ପରିବେଷଣ ହେଲା ଏବଂ ତା’ପରେ କେତେ କ’ଣ ପରଷା ହୋଇଥିବା ଏକ ଭୋଜନ ।

 

ନ୍ୟାୟାଳୟରେ ସୁନୀଲ ଅତ୍ୟନ୍ତ ସ୍ପଷ୍ଟ ଭାବରେ ନିଜର କଥା ଗୁଡ଼ିକୁ କହିଥିଲା । ସିଏ ହିନ୍ଦୀ ଭାଷାରେ ହିଁ କହିଥିଲା । ଏବଂ, ବିଚାରପତିଙ୍କ ପାଇଁ ତା’ ସାକ୍ଷ୍ୟଟିକୁ ଅନୁବାଦ କରିଦିଆ ଯାଇଥିଲା । ସୁନୀଲ ପରେ ଜାଣିବାକୁ ପାଇଥିଲା ଯେ, କ’ଣ ତ୍ରୁଟି ଥିବାର ଦର୍ଶାଇ ଦେଇ ଆମେରିକାର ନ୍ୟାୟାଳୟ ମୋକଦ୍ଦମାଟିକୁ ଭାରତର ଇଜଲାଶ୍‍କୁ ଫେରସ୍ତ ପଠାଇ ଦେଇଥିଲେ । ନିର୍ଦ୍ଦେଶ ଥିଲା ଯେ ଭାରତର ନ୍ୟାୟାଳୟରେ ତାହାର ବିଚାର ହେବ ଏବଂ ଇଉନିଅନ୍ କାରବାଇଡ୍‍ ସେହି ବିଚାରକୁ ମାନ୍ୟତା ଦେବ । ଭୋପାଳରେ ଥିବା ଜିଲ୍ଲା କଚେରୀରେ ଏକ ମଧ୍ୟବର୍ତ୍ତୀ ତ୍ରାଣସାହାଯ୍ୟ ରୂପେ କୋମ୍ପାନୀ ୩୫୦ କୋଟି ଟଙ୍କା ପ୍ରଦାନ କରିବ ଏବଂ ସେପରି ହେଲେ ମୋକଦ୍ଦମା ବିଚାରରେ ବିଳମ୍ବ ହୋଇଗଲେ ମଧ୍ୟ ଦୁର୍ବିପାକଗ୍ରସ୍ତ ଲୋକମାନଙ୍କୁ କୌଣସି ତଜ୍ଜନିତ କ୍ଷତି ସହିବାକୁ ପଡ଼ିବ ନାହିଁ ।

 

କିନ୍ତୁ, ଏହି ମଧ୍ୟବର୍ତ୍ତୀ ଅର୍ଥ ପରିମାଣ ଦେବା ବିଷୟରେ ଇଉନିଅନ୍ କାର୍‌ବାଇଡ୍ ରାଜି ହେଲାନାହିଁ ଏବଂ, ତା’ ତରଫରୁ ଭାରତୀୟ ସୁପ୍ରିମ୍‌କୋର୍ଟରେ ରାୟ ବିରୁଦ୍ଧରେ ଏକ ଆପିଲ୍ ଦାଏର୍ କରାଯାଇଥିଲା । ୧୯୮୯ ମସିହା ଫେବୃଆରୀ ୧୪ ତାରିଖରେ, ମଧ୍ୟବର୍ତ୍ତୀ ତ୍ରାଣସହାୟତାର କଥାଟିରୁ ହଠାତ୍ ବାହାରିଯାଇ ସୁପ୍ରିମ୍‍କୋର୍ଟ ଏପରି ଏକ ଆଦେଶ ଦେଲା, ଯାହାକି ଭାରତ ସରକାର ଓ କୋମ୍ପାନୀ ମଧ୍ୟରେ ହୋଇଥିବା ଏକ ଆପୋଷ ମୀମାଂସାକୁ ସ୍ୱୀକାର କରି ନେଇଥିଲା । ଭୋପାଳର କ୍ଷତିଗ୍ରସ୍ତମାନେ ସେହି ବିଷୟରେ ଆଦୌ କିଛି ଜାଣି ନଥିଲେ । ସେହି ମୀମାଂସା ଅନୁସାରେ କମ୍ପାନୀ ୪୭ କୋଟି ଆମେରିକୀୟ ଡଲାର୍ ଦେବ ଏବଂ ତା’ ବଦଳରେ ତା’ର ଏହି ବାବଦ ଦେୟର ସଂପୂର୍ଣ୍ଣ ଭରଣା ହୋଇଯିବ, କୋମ୍ପାନୀ ବିରୁଦ୍ଧରେ ରହିଥିବା ଫୌଜଦାରୀ ସକଳ ମୋକଦ୍ଦମାକୁ ଉଠାଇ ନିଆଯିବ, ଏବଂ ଆଗକୁ ଯଦି ଏହି ସଂକ୍ରାନ୍ତୀୟ ପୁଣି କୌଣସି ମୋକଦ୍ଦମା ହୁଏ, ତେବେ ଭାରତ ସରକାର ଏହି କମ୍ପାନୀର ପକ୍ଷକୁ ହିଁ ସମର୍ଥନ କରିବେ,–ଏହିଭଳି ଚୁକ୍ତିମାନ ହୋଇଥିଲା । ଏହି ଅର୍ଥ ପରିମାଣ ହେଉଛି ଭାରତ ସରକାର ପ୍ରଥମେ କରିଥିବା କ୍ଷତିପୂରଣ-ଦାବିର ମାତ୍ର ସାତଭାଗରୁ ଏକ ଭାଗ । ଆନ୍ତର୍ଜାତିକ ଚଳଣିର ହିସାବରେ ମଧ୍ୟ ତାହା ବହୁତ କମ୍ । ଏପରିକି, ଦୁର୍ଘଟଣାମାନ ଘଟିଲେ ଭାରତୀୟ ରେଲବାଇ ତରଫରୁ ମିଳୁଥିବା କ୍ଷତିପୂରଣ ମଧ୍ୟ ଏହାଠାରୁ ଅଧିକ । ସରକାରଙ୍କର ଏହି ବିଶ୍ୱାସଘାତକତା ବିରୁଦ୍ଧରେ ଭୋପାଳର ପ୍ରପୀଡ଼ିତମାନଙ୍କ ପକ୍ଷରୁ ଏହାର ଚାରିଆଡ଼ୁ ଘୋର ପ୍ରତିବାଦ ହେଲା । ବହୁସଂଖ୍ୟକ ସଂଗଠନ ତଥା କେତେଜଣ ପ୍ରମୁଖ ସାଂସଦଙ୍କ ସମେତ ବହୁସଂଖ୍ୟକ ବ୍ୟକ୍ତି ସେହି ଅନ୍ୟାୟପୂର୍ଣ୍ଣ ଚୁକ୍ତିଟିର ବିରୋଧରେ କରାଯାଉଥିବା ପ୍ରତିବାଦ ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ । ଏହି ଚୁକ୍ତିର ଏକ ପୁନର୍ବିଚାର କରାଯାଉ ବୋଲି ବହୁସଂଖ୍ୟକ ଦରଖାସ୍ତ କରାଯାଇଥିଲା ଏବଂ ତାହା ଫଳରେ ସୁପ୍ରିମକୋର୍ଟ ମଧ୍ୟ ୧୯୯୧ ମସିହା ଅକ୍ଟୋବର ୩ ତାରିଖ ଦିନ ନିଜର ଏକ ସଂଶୋଧିତ ରାୟ ପ୍ରଦାନ କରିଥିଲେ । ଚୁକ୍ତି ଅନୁସାରେ ଇଉନିଅନ୍ କାର୍‌ବାଇଡ୍ ଭରଣା କରିଥିବା ଅର୍ଥ ପରିମାଣକୁ ଅବଶ୍ୟ ବାହେଲ୍ ରଖାଯାଇଥିଲା ମାତ୍ର, କ୍ଷତିପୂରଣର ବଣ୍ଟନ ସମୟରେ ଆଦୌ କୌଣସି ଅଭାବ ଘଟିଲେ ଭାରତ ସରକାର ତାହାକୁ ପୂରଣ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କୋମ୍ପାନୀ ତଥା ତା’ର କର୍ମଚାରୀଙ୍କ ନାମରେ ରହିଥିବା ପୌଜଦାରୀ ମୋକଦ୍ଦମାଗୁଡ଼ିକୁ ଶେଷ ରାୟଟିରେ ବାହେଲ ବି ରଖାଗଲା । ଇଉନିଅନ୍ କାରବାଇଡ୍‍ ପ୍ରପୀଡ଼ିତ ମାନଙ୍କର ଚିକିତ୍ସା ନିମନ୍ତେ ୫୦୦ ଶଯ୍ୟାବିଶିଷ୍ଟ ଗୋଟିଏ ଚିକିତ୍ସାଳୟ ଚାଲିବାର ଖର୍ଚ୍ଚ ବହନ କରିବ ବୋଲି ମଧ୍ୟ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

 

ନ୍ୟାୟାଳୟର ମୋକଦ୍ଦମା ଚାଲିଥିବା ସମୟରେ ଭାରତ ସରକାରଙ୍କର ଏତେ ଅଧିକ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ଦେଶକୁ ଫେରିଆସିବା ପରେ ସୁନୀଲ ଭାବିଲା, ସତେ ଯେପରି ତାକୁ ସମସ୍ତେ ସଂପୂର୍ଣ୍ଣ ଭାବରେ ପାସୋରି ହିଁ ଦେଇଥିଲେ । SOS Villages of India ନାମକ ଗୋଟିଏ ଅନୁଷ୍ଠାନ ଭୋପାଳଠାରେ ଗୋଟିଏ ବସତିର ସ୍ଥାପନା କରିଥିଲେ । ସୁନୀଲର ଭାଇଭଉଣୀଙ୍କୁ ସ୍ଥାନାନ୍ତରିତ କରାଇ ସେହି ବସତିରେ ନେଇ ରଖା ଯାଇଥିଲା । ସୁନୀଲ ମାସରେ ଥରେ ଯାଇ ସେମାନଙ୍କୁ ଦେଖି ପାରୁଥିଲା । ଏହି ତାରିଖଟି କେବେ ଆସି ପହଞ୍ଚିବ ବୋଲି ସିଏ ପ୍ରକୃତରେ ଚାତକ ପରି ଚାହିଁ ରହୁଥିଲା । ତା’ର ଏକାକୀ ଜୀବନଟି ସେତେବେଳେ କେତେ ମୁହୂର୍ତ୍ତି ନିମନ୍ତେ ସତେଅବା ଆଲୋକିତ ହୋଇ ଉଠୁଥିଲା ।

 

ପୁଣି ସେହି ପୁରୁଣା ବନ୍ଧୁ ମହମ୍ମଦ ଅଲ୍ଲିଙ୍କର ସାହାଯ୍ୟରେ ଭୋପାଳରେ ଥିବା ସେହି ସମ୍ପର୍କୀୟ କଚେରୀମାନଙ୍କରୁ ସୁନୀଲକୁ ତା’ର ପୂର୍ଣ୍ଣ ପ୍ରାପ୍ୟ ପ୍ରକୃତରେ ମିଳି ପାରିଥିଲା । ମହମ୍ମଦ ଅଲ୍ଲି ଗୋଟିଏ ସାନ କପଡ଼ା କାରଖାନାରେ କାର୍ଯ୍ୟ କରୁଥିଲେ; ତଥାପି ତାହାରି ଭିତରୁ ସମୟ ବାହାର କରି ସିଏ ସୁନୀଲ ସହିତ ନିର୍ଦ୍ଦିଷ୍ଟ ତାରିଖରେ କୋର୍ଟଗୁଡ଼ିକୁ ଯାଉଥିଲେ ଓ କରଣୀୟଗୁଡ଼ିକୁ କରି ଦେଉଥିଲେ ।

 

ମାତ୍ର, ଆପଣାର ସେହି ଶୂନ୍ୟ ଘରଟା ଭିତରକୁ ଫେରି ଆସିବା କ୍ରମେ ସୁନୀଲ ପାଇଁ ଅଧିକରୁ ଅଧିକ କଷ୍ଟକର ହୋଇ ଉଠୁଥିଲା । ସେଠାରେ ଆସି ପହଞ୍ଚିବା ମାତ୍ରକେ ତା’ର ସବୁଯାକ କଥା ମନେ ପଡ଼ି ଯାଉଥିଲା । ଭାଇଭଉଣୀ ଦୁହେଁ ତ ସେହି ବସତିଟାରେ ଯାଇ ରହିଥିଲେ । ବାଷ୍ପପୀଡ଼ିତ ମାନଙ୍କ ଭିତରେ ତ୍ରାଣକାର୍ଯ୍ୟ କରୁଥିବା କର୍ମୀମାନେ ‘କାରବାଇଡ୍‍ ବିରୁଦ୍ଧରେ ପିଲାମାନେ’ ବୋଲି ଗୋଷ୍ଠୀଟିଏ ତିଆରି କରି ଦେଇଥିଲେ । ସେମାନଙ୍କ ସହିତ କାମ କରିଥିବାର ବେଳଗୁଡ଼ିକ ମଧ୍ୟ ସୁନୀଲର ମନେ ପଡ଼ି ଯାଉଥିଲା । ଖୁବ୍ ଉତ୍ସାହରେ ସେ ପ୍ରତିବାଦ ପ୍ରଦର୍ଶନ କରିବାର ଆୟୋଜନଗୁଡ଼ିକୁ ସଂଗଠିତ କରି ଆଣି ପାରୁଥିଲା; ଏବଂ ଦ୍ୱିତୀୟତଃ, ସେତେବେଳେ ତାକୁ କେତେ ସାଥି ମଧ୍ୟ ମିଳି ଯାଉଥିଲେ । ୧୯୯୧ ମସିହାରେ ସେ ଏକଦା କଣେ ମୁଖ୍ୟ କର୍ମୀ ସାଥ୍ୟୁ ସହିତ ଏକାଠି ଯାଇ ରହିଲା । ପୁନର୍ବାର, ଆଉ ବର୍ଷେ ପରେ ସରକାର ଗୋଟିଏ ‘ବିଧବା–ବସତି’ ଯେତେବେଳେ ତିଆରି କରିଦେଲେ, ସେତେବେଳେ ଲଟେରି ଅନୁସାରେ ବିଧବାମାନଙ୍କୁ ଘରମାନ ପ୍ରଦାନ କରା ଯାଇଥିଲା । –ପ୍ରାଣ ରହି ଯାଇଥିବା ଅନାଥମାନେ ମଧ୍ୟ ସେଇଥିରେ ଘର ପାଇଥିଲେ, ଏହିପରି ଭାବରେ ସୁନୀଲକୁ ମଧ୍ୟ ଘରଟିଏ ମିଳିଗଲା । ସିଏ ଏହି ନୂଆ ଘରକୁ ଚାଲି ଆସିଥିଲା; ଏବେ ମଧ୍ୟ ସିଏ ସେହିଠାରେ ହିଁ ରହେ ।

 

ସବାଶେଷକୁ କ୍ଷତିପୂରଣ ରୂପେ ସୁନୀଲକୁ ସାତ ଲକ୍ଷ ଟଙ୍କା ମିଳିଥିଲା । ଏକ ଲକ୍ଷ ଟଙ୍କାରେ ସିଏ ଗୋଟିଏ ମିନିବସ୍ କିଣିଲା ଓ ଅବଶିଷ୍ଟ ଅର୍ଥକୁ ନିଜ ଭାଇଭଉଣୀଙ୍କର ଜୀବନଲାଗି ଏକ ନିଶ୍ଚିତ ମୂଳଦୁଆ ଯୋଗାଇ ଦେଇପାରିବ ବୋଲି ବ୍ୟାଙ୍କରେ ନେଇ ଜମା କରି ଦେଇଥିଲା । ଛଅମାସ ଯାଏ ମିନିବସ୍‌ ତାକୁ ମାସିକ ଚାରି/ ପାଞ୍ଚହଜାର ଟଙ୍କା ମିଳି ପାରିଥିଲା । ତା’ପରେ, ଦିନେ ତା’ର ଡ୍ରାଇଭର୍ ଓ କଣ୍ଡକ୍ଟର୍ ବସରେ ଚୋରା ଅଫିମ ନେଉଥିବା ସମୟରେ ଧରା ପଡ଼ିଲେ ଏବଂ ପୋଲିସ୍ ଗାଡ଼ିଟିକୁ ଜବତ କରି ନେଇଥିଲା ।

 

ବର୍ତ୍ତମାନ ତ ସୁନୀଲ ଯୱାନ୍ ପୁରୁଷଟିଏ ହୋଇଗଲାଣି । ତା’ ସହିତ ସାଙ୍ଗ ହେବା ସକାଶେ ବହୁତ ମନୁଷ୍ୟ ଇଚ୍ଛା କରିଥିଲେ; କାରଣ କ୍ଷତିପୂରଣ ଅର୍ଥ ପାଇବା ପରେ ସୁନୀଲ ପ୍ରକୃତରେ ଜଣେ ଖୁବ୍ ଧନୀ ବ୍ୟକ୍ତିର ମାନ୍ୟତା ଲାଭ କରି ପାରିଥିଲା । ପିଇବା ବି ଆରମ୍ଭ ହେଲା ଏବଂ କ୍ରମେ ଅଧିକରୁ ଅଧିକ ପରିମାଣରେ ମଧ୍ୟ ସେଇ ଜାଲରେ ଯାଇ ପଡ଼ିଗଲା । ତା’ ଭିତରେ ହୁଏତ ଏକ ଶୂନ୍ୟସ୍ଥାନ ରହିଥିଲା ଓ ସେ ଏହିପରି ପିଇବାଦ୍ୱାରା ସେଇଟିକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥିଲା ।

 

ଦିନେ କେତେଜଣ ବନ୍ଧୁ ତାକୁ ଭୋପାଳରେ ଥିବା ଏକ ହିନ୍ଦୁ ସାଂପ୍ରଦାୟିକ ସଂଗଠନରେ ଯୋଗ ଦେବା ନିମନ୍ତେ ଖୁବ୍ ପ୍ରବର୍ତ୍ତାଇଲେ । ସେମାନେ କହିଲେ, ତୋ ପାଖରେ ଏପରି ବଳିଷ୍ଠ ଶରୀରଟିଏ ରହିଛି । ତେବେ, ନିଜର ସମୁଦାୟ ନିମନ୍ତେ ତୁ କାହିଁକି କିଛି ନକରିବୁ ? ସୁନୀଲ ବର୍ଷେ ପର୍ଯ୍ୟନ୍ତ ଉକ୍ତ ସଂଗଠନ ସହିତ ରହିଥିଲା ଏବଂ ସେଠାରେ ବହୁତ ଯୁବକଙ୍କ ସହିତ ତାକୁ ମିଶିବାର ସୁଯୋଗ ମଧ୍ୟ ପ୍ରାପ୍ତ ହୋଇ ପାରିଲା । ମାତ୍ର ଏବେ ସୁନୀଲ ମନେ ପକାଇ କହେ ଯେ, ସେଥିରେ ମୁସଲମାନ ସଂପ୍ରଦାୟ ବିରୁଦ୍ଧରେ ବହୁତ ଘୃଣାଭାବ ରହିଥିଲା, ନାନା ଅସତ୍ୟର ମଧ୍ୟ ପ୍ରଚାର ହେଉଥିଲା । ତେଣୁ, ସିଏ ଶେଷରେ ସଂଗଠନ ଭିତରୁ ବାହାରି ଚାଲି ଆସିବାକୁ ହିଁ ଉଚିତ ମନେ କଲା ।

 

୧୯୯୪ ମସିହାରେ ତା’ର ଭଉଣୀକୁ ଅଠର ବର୍ଷ ବୟସ ହେଲା,–ତା’ପରେ ସିଏ ଆଉ ସେହି SOS ସଂସ୍ଥାରେ ରହିବା ସମ୍ଭବ ହୋଇ ନଥାନ୍ତା । ସୁନୀଲ ଭାଇ ଓ ଭଉଣୀ ଦୁହିଁଙ୍କୁ ସେହି ଅନୁଷ୍ଠାନରୁ ନେଇ ଆସିବାକୁ ସ୍ଥିର କଲା ଏବଂ ତାପରେ ସେମାନେ ‘ବିଧବା–ବସତି’ରେ ଥିବା ଘରଟିରେ ଆସି ଏକାଠି ରହିଥିଲେ ।

 

ବିଗତ ବର୍ଷଗୁଡ଼ିକରେ ଏପରି ଏକାକୀ ହୋଇଯିବାର ଯେଉଁ ଭାବନାଟି ସୁନୀଲର ଆତ୍ମାକୁ ସର୍ବଦା ଉତ୍ପୀଡ଼ିତ କରି ରଖିଥିଲା, ତିନିହେଁ ଏକାଠି ରହିବା ହେତୁ ତାହା ଅବଶ୍ୟ କିଛି ପରିମାଣରେ ଉଶ୍ୱାସ ହୋଇ ଯାଇଥିଲା । ମାତ୍ର ସମ୍ଭବତଃ ସେମାନେ ଗୁଡ଼ାଏ ଡେରି କରି ପକାଇଥିଲେ । ସିଏ ଏକଦା ଯୋଗ ଦେଇଥିବା ହିନ୍ଦୁ ସାଂପ୍ରଦାୟିକ ସଂସ୍ଥାର ସଦସ୍ୟମାନେ ସୁନୀଲ ପାଖକୁ ଆସୁଥିଲେ । ସେମାନେ ତାକୁ ପିଇବାପାଇଁ ଉତ୍ସାହ ଦେଉଥିଲେ ଓ ତା’ ନାଆଁରେ ବ୍ୟାଙ୍କରେ ଜମା ଥିବା କ୍ଷତିପୂରଣ ଟଙ୍କାକୁ ଆହୁରି ଅଧିକ ଅଧିକ ପରିମାଣରେ ଖରଚ କରିବା ନିମନ୍ତେ ତା’ ଉପରେ ଚାପ ପକାଉଥିଲେ । ମାତ୍ର, ସୁନୀଲ ରାଜି ହେଉନଥାଏ ଓ ଖୁବ୍ ଦୃଢ଼ ହୋଇ ରହିଥାଏ । ସେହି ଟଙ୍କା ତ ତା’ ଭାଇ ଭଉଣୀଙ୍କର ଭବିଷ୍ୟ ନିର୍ମାଣରେ କାର୍ଯ୍ୟରେ ଲାଗିବ ବୋଲି ରହିଛି, ତେଣୁ ସେ ବିଷୟରେ ସେ ଆଦୌ ଅନ୍ୟମତି ହେବନାହିଁ । ଫଳରେ ସେହି ସଂଗଠନର ସଦସ୍ୟଙ୍କ ସହିତ ତା’ର ସଂପର୍କଟି ବିଗିଡ଼ି ଯାଇଥିଲା ଏବଂ ସେମାନେ ତା’ ଚରିତ୍ର ବିଷୟରେ ନାନା କୁତ୍ସିତ ଏବଂ ଇଚ୍ଛାଜନକ ଜନରବ ରଟାଇବାକୁ ଆରମ୍ଭ କରି ଦେଇଥିଲେ ।

 

ଏହିଭଳି ସମୟଟି କଟି ଯାଉଥିବା ସଙ୍ଗେ ସଙ୍ଗେ ସୁନୀଲ ମଧ୍ୟ ସତେ ଅବା ନିଜ ଭିତରକୁ ପ୍ରତ୍ୟାହୃତ ହୋଇଯିବାରେ ଲାଗିଥାଏ ଓ ତା’ ଭିତରର କଥାଗୁଡ଼ିକୁ ଜାଣିବା ମଧ୍ୟ ଅଧିକ କଷ୍ଟକର ହେଉଥାଏ । ସିଏ ଅନୁଭବ କରୁଥାଏ, ଯେପରି ତା’ ଭିତରେ କ’ଣ ଗୋଟାଏ ଧୀରେ ଧୀରେ ଭାଙ୍ଗିଯିବାରେ ହିଁ ଲାଗିଛି । ଉପରକୁ ପ୍ରାୟ କିଛି ଜଣା ପଡ଼ୁନାହିଁ, କିନ୍ତୁ ଭିତରେ ଭାଙ୍ଗି ଭାଙ୍ଗି ଯାଉଛି । ଅଧିକାଂଶ ସମୟରେ ଭାରି ବିରସ ଓ ବିଷର୍ଣ୍ଣ ଲାଗୁଥିଲା,ଏଥର ଆତ୍ମହତ୍ୟା କରିବା ହିଁ ଉଚିତ ବୋଲି ଏକ ଭାବନା ବାରମ୍ବାର ଆସିବାରେ ଲାଗିଥିଲା । ସତେଅବା କୋଉମାନେ ଅନ୍ତରାଳରେ ଥାଇ ତାକୁ ଡାକିବାରେ ଲାଗି ଥାଆନ୍ତି ! ନିଜ ଘରୁ ବାହାରି ଆଦୌ କୁଆଡ଼େ ଯିବାପାଇଁ ଆଗ୍ରହ ହେଉନଥାଏ,–ପ୍ରତ୍ୟହ ଗାଧୋଇବାକୁ ମଧ୍ୟ ମନେ ପଡ଼ୁନଥାଏ, କାହାସହିତ କଥା ହେବାକୁ ବି ଆଗ୍ରହ ନଥାଏ । ପଡ଼ିଶାର ଲୋକମାନେ ତା’ ଭଉଣୀ ଓ ଭାଇଟି କଥା ସବୁବେଳେ ବୁଝୁଥାଆନ୍ତି,–ସୁନୀଲର ଖାଇବା ବିଷୟରେ ମଧ୍ୟ ବୁଝୁଥାନ୍ତି । ତା’ ଅବସ୍ଥା ଅଧିକ ଖରାପ ହେବାରୁ ସେମାନେ ସୁନୀଲର ପୁରୁଣା ସାଙ୍ଗ ସେହି ସାଥ୍ୟୁ ପାଖରେ ଯାଇ ବି ପହଞ୍ଚିଲେ । ସାଥ୍ୟୁ ଆସି ସୁନୀଲକୁ ନିଜ ଘରକୁ ନେଇଗଲା ଏବଂ ସବୁମନ୍ତେ ତା’ର ଶୁଶ୍ରୂଷା ମଧ୍ୟ କଲା । ସେଠାରେ ମଧ୍ୟ ସୁନୀଲ ବେଳେବେଳେ ଦେହରୁ ଲୁଗାପଟା କାଢ଼ିଦେଇ ବାହାରକୁ ଚାଲି ଯାଉଥିଲା, ରାତିଦିନ ରାସ୍ତାମାନଙ୍କରେ ଯାଇ ଅତ୍ୟନ୍ତ ଉତ୍ତେଜିତ ଭାବରେ ବୁଲୁଥିଲା । ରେଳଧାରଣା ଉପରେ ମାଇଲ୍ ମାଇଲ୍ ଦଉଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଉଥିଲା ।

 

ଏହି ଲେଖାଟିକୁ ପ୍ରସ୍ତୁତ କରିବାର ପୂର୍ବ ଚାରିବର୍ଷର କଥା କହିବାକୁ ଗଲେ, ବର୍ତ୍ତମାନ କିଛି ମାନସିକ ବେରାମ ସକାଶେ ସୁନୀଲର ଚିକିତ୍ସା କରାଯାଉଛି । ସିଏ ଭାଇଭଉଣୀଙ୍କୁ ନେଇ ‘ବିଧବା ବସତି’ରେ ଥିବା ତା’ର ନିଜ ଘରଟିକୁ ଫେରି ଆସିଛି । ବ୍ୟାଙ୍କରେ ଜମା ଥିବା କ୍ଷତିପୂରଣ ଟଙ୍କାର ଯେଉଁ ସୁଧ ମିଳୁଛି, ସିଏ ସେଇଥିରୁ ହିଁ ନିଜ ପରିବାରଟିକୁ ଚଳାଉଛି । ମୂଳ ଟଙ୍କାରୁ କିଛି ଉଠାଇବା ନିମନ୍ତେ ଏବେ ମଧ୍ୟ ରାଜି ହେଉନାହିଁ । ତା’ ଭାଇ ଭଉଣୀ ବଡ଼ ହୋଇଗଲେ ତାହା ଯେ ସେମାନଙ୍କର କାମରେ ଲାଗିବ, ସେହି କଥାଟି ବିଷୟରେ ସିଏ ଅଟଳ ରହିଛି । ହଁ, ନିଜେ ବିବାହ କରିବା ବିଷୟରେ କୌଣସି କଥା ସେ କେତେବେଳେ ତୁଣ୍ଡରେ ବି ଧରୁନାହିଁ । ପନ୍ଦରବର୍ଷ ପୂର୍ବେ ସେ ଯେଉଁମାନଙ୍କର ଦାୟିତ୍ୱ ନିଜ ଉପରକୁ ନେଇଛି, ଆଗ ସେମାନଙ୍କ ନିମନ୍ତେ ଏକ ଉତ୍ତମ ଭବିଷ୍ୟତ ସୁନିଶ୍ଚିତ ହୋଇସାରିଲେ ଯାଇ ଆଉ ଯୋଉ କଥା ବୋଲି ଜିଦ୍ କରି ବସିଛି ।

 

ଦୁଇବର୍ଷ ତଳେ ତା’ ଭଉଣୀ ମମତାର ବିଭାଘର ହୋଇଗଲା । ଲକ୍ଷ୍ନୌରେ ବାସ କରୁଥିବା ଆତ୍ମୀୟମାନେ ଝିଅଟି ପାଇଁ ସେଠି ଉପଯୁକ୍ତ ପାତ୍ରଟିଏ ସ୍ଥିର କରିଦେଲେ, ପିଲାଟି ଇଲେକ୍ଟ୍ରି ମିସ୍ତ୍ରୀ ହିସାବରେ କାମ କରୁଥିଲା । ସୁନୀଲର ଭାଇ ଗୋଟିଏ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଛି । ଭଲ ନମ୍ବର ବି ରଖୁଛି । ଏଥିରେ ସୁନୀଲର ପ୍ରକୃତରେ ଖୁବ ଗର୍ବ । ପିଲାଟା ମଧ୍ୟ ମୁହଁ ରଙ୍ଗ କରି କହୁଛି ଯେ ସିଏ ଜଣେ ଇଞ୍ଜିନିଅର୍ ହେବାକୁ ଇଚ୍ଛା କରୁଛି । ସେମାନଙ୍କର ସମସ୍ତଙ୍କର ଭାଗ୍ୟକୁ ଚିରଦିନ ସକାଶେ ଓଲଟପାଲଟ କରି ଦେଇଥିବା ୧୯୮୪ ମସିହାର ଶୀତଋତୁର ସେହି ରାତିରେ ସିଏ ବକଟେନାକୁ ପିଲା ହୋଇ ମାଆକୋଳରେ ହିଁ ରହିଥିଲା । ସେଠାରୁ ଏଯାଏ ଏକ ଦୀର୍ଘ ପଥ ଅତିକ୍ରମ କରି ସାରିଲାଣି ।

 

ସୁନୀଲର ଆଖିଦୁଇଟା ସତେ ଯେପରି କାଚ ପରି ଦେଖାଯାଏ,–କୌଣସି ପ୍ରକାର ଭାବର ପ୍ରକାଶ କରେନାହିଁ, ସେଥିରେ କୌଣସି ଭାବାବେଗ ନଥାଏ, ଉଷ୍ମତା ମଧ୍ୟ ନଥାଏ । କଥା କହିବାବେଳେ ସେ ଥଙ୍ଗେଇ ଥଙ୍ଗେଇ ହିଁ ଯାହାକିଛି କହେ । କିନ୍ତୁ, ଥରେ ସାକ୍ଷାତକାର ସମୟରେ ସେଗୁଡ଼ିକ ହଠାତ୍ ଉଜ୍ଜ୍ୱଳ ହୋଇ ଉଠିଥିଲେ । ସୁନୀଲର ମୁହଁ ଉପରେ ରେଖାଏ ହସ ଉକୁଟି ଉଠିଥିଲା । ଗତ ସନ ଦୋଳ ବେଳକୁ ସିଏ ଭଉଣୀ ମମତାର ଶାଶୁଘରକୁ ଯାଇଥିଲା । ମମତାର କୋଳରେ ସେ କୁନି ପୁଅଟିଏ ଦେଖି ଆସିଲା । ବାବୁ ପିଲାଟା ଗୁର୍ଦୁ ସୁନ୍ଦର ହୋଇଛି–ସୁନୀଲ ମୋତେ କହୁଥାଏ । ପୂରା ଗୋରା, ଏବଂ ଆଖି ଦୁଇଟି ଠିକ୍ ଦୁଇଟି କଉଡ଼ି ଆକାରର ! କହିଲା ବେଳକୁ ସୁନୀଲ କେଡ଼େ, ଗୌରବାନ୍ୱିତ ଅନୁଭବ କରୁଥାଏ,–ତା’ ଭିତରଟା କେଡ଼େ, ନରମ ହୋଇ ଆସୁଥାଏ !

 

ଏବଂ, ଠିକ୍ ଏହିପରି ଭାବରେ ହିଁ ଜୀବନ ଚାଲିଥାଏ–, ମୋଟେ ଅଟକି ଯାଏନାହିଁ ।

☆☆☆

 

ପଛେ ପଛେ ପୋଲିସ୍

 

ହାଇଦରାବାଦ ସହରରେ ମେହବୁବ୍‍-କୀ-ମାହେନ୍ଦୀ ଅଞ୍ଚଳଟିକୁ ହିଁ ଦେହଜୀବୀ ମାନଙ୍କର ଏକମାତ୍ର ସଂଗଠିତ ଅଞ୍ଚଳ ବୋଲି କୁହାଯାଇ ପାରୁଥିଲା । ଏହି ଅଞ୍ଚଳଟି ଇତିହାସ ପ୍ରସିଦ୍ଧ ଚାର୍‍ମିନାର୍ ଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ । ପୁରୁଣା ସହର ଭିତରେ ଏଇଟି ହେଉଛି ଗୋଟିଏ ଅତ୍ୟନ୍ତ ଜନଗହଳି ଅଞ୍ଚଳ । ସେଠାରେ ମଝିରେ ମଝିରେ ପରିବାରମାନେ ଘର କରି ରହିଛନ୍ତି ଏବଂ କେତୋଟି ଦୋକାନ ମଧ୍ୟ ପ୍ରତିଷ୍ଠିତ ହୋଇଛି ସତ, ମାତ୍ର ଭଡ଼ାରେ ଆଣିଥିବା କେତୋଟି ଘରେ ପ୍ରାୟ ଶହେଜଣ ଦେହଜୀବୀ ନିଜର ବିପଣିଗୁଡ଼ିକୁ ଖୋଲି ବାସ କରୁଛନ୍ତି । ଦିନର ଯେକୌଣସି ସମୟରେ ସେଗୁଡ଼ିକ ଚାଲୁ ରହିଥାଏ ଏବଂ ସେଗୁଡ଼ିକର ମାଲିକାଣୀ ଶେଠାଣିମାନେ ମଧ୍ୟ ତଦାରଖ ପାଇଁ ନିୟମିତ ଆସିବାରେ ଲାଗିଥାଆନ୍ତି । ହଁ, ଏଗୁଡ଼ିକରେ କେତେଜଣ ପଇସାବାଲା ପଇସା ଲଗାଇ ଥାଆନ୍ତି,–ସେଠାରେ ଦଲାଲ ଓ ପୋଲିସବାଲା ମଧ୍ୟ ସବୁବେଳେ ହାଉଜାଉ ହେଉଥାନ୍ତି ।

 

ନିର୍ମଳା ନାମକ ଝିଅଟିଏ ଏକଦା ସେହିଠାରେ କୀବିକା ନିର୍ବାହ କରୁଥିଲା । ଜନ୍ମ ଦକ୍ଷିଣ ଭାରତର ମଦୁରାଇରେ । ଜନ୍ମ ହେଲାବେଳେ ହିଁ ନିର୍ମଳା ମାଆକୁ ହରାଇଥିଲା; ଏବଂ, ତା’ ବାପା ମଧ୍ୟ ଥରେ ତାକୁ ଓ ତା’ ଭଉଣୀକୁ ଛାଡ଼ି ନିଜର ବିବାହିତା ଭଉଣୀକୁ ନେଇ କୁଆଡ଼େ ପଳାଇଗଲେ ଯେ, ଆଉ ସେଦିନୁ ସିଏ ଫେରିଆସି ନାହାନ୍ତି । ଝିଅ ଦୁହେଁ ଭଲରେ ଅଛନ୍ତି କି ନାହିଁ, ଥରେହେଲେ ଜାଣିବାପାଇଁ ଆସିନାହାନ୍ତି । ନିର୍ମଳାର ମାଉସୀ ହିଁ ତା’ର ଲାଳନପାଳନ କରି ଆସିଛନ୍ତି । ତାଙ୍କର ମଧ୍ୟ ଆର୍ଥିକ ଅବସ୍ଥା କେବେହେଲେ ଭଲ ନଥିଲା । ନିର୍ମଳା ହାଇସ୍କୁଲ ଯାଏ ପାଠ ପଢ଼ିଲା, ତା’ପରେ ପଡ଼ିଶାରେ ଥିବା ଜଣେ ଗ୍ୟାରେଜ୍ ମେକାନିକ୍ ସହିତ ତା’ର ସମ୍ବନ୍ଧ ଯୋଡ଼ି ହୋଇଗଲା-। ନିଜ ବାପାମାଆଙ୍କର ଇଚ୍ଛା ବିରୁଦ୍ଧରେ ସିଏ ନିର୍ମଳାକୁ ବିବାହ କଲା, ମାତ୍ର କିଛିଦିନ ପରେ ତାକୁ ଛାଡ଼ିଦେଲା । ସେତେବେଳେ ତା’ ଗର୍ଭରେ ସାତମାସର ଛୁଆଟିଏ । ଅଳ୍ପଦିନ ପରେ ଗୋଟିଏ ସ୍ୱାସ୍ଥ୍ୟବାନ୍ ସୁନ୍ଦର ପୁଅ ଜନ୍ମ ବି ହେଲା । ଛୁଆଟିକୁ କେବଳ ଚାରିମାସ ହୋଇଥିବା ସମୟରେ ନିର୍ମଳା ତାକୁ ନେଇ ପ୍ରଥମେ କେରଳ ଗଲା, ତା’ପରେ ହାଇଦରାବାଦ ଆସିଲା । କାମର ତଲାଶରେ ତାକୁ ଏହିପରି ଯିବାକୁ ପଡ଼ୁଥାଏ । ହାଇଦରାବାଦରେ ତା’ର ମାଉସୀ ତାକୁ ଆଶ୍ରୟ ଦେଲେ ଏବଂ କାହାଘରେ ଚାକରାଣୀ କାମରେ ବି ଲଗାଇ ଦେଇଥିଲେ ।

 

ପୁଅଟି ମାଆର କାନି ଧରି ବଡ଼ ହେବାରେ ଲାଗିଥାଏ ଏବଂ ନିର୍ମଳା କେତେ ଘରେ ପରିଚାରିକାର କାର୍ଯ୍ୟ କରୁଥାଏ । କ୍ରମେ ତା’ର ଇସ୍କୁଲ ଯିବା ବୟସ ହୋଇଆସିଲା । ନିର୍ମଳ ଭାବିଲା, ପୁଅକୁ ସିଏ ଯଥାସମ୍ଭବ ଉତ୍ତମ ଶିକ୍ଷାଲାଭର ପୂର୍ଣ୍ଣ ସୁଯୋଗ ଦେବ । ତାକୁ ସିଏ ଉତକାମଣ୍ଡ ନେଇଗଲା । ସେଠି ହେଉଛି ତା’ ଭଉଣୀର ଶାଶୁଘର । ଭିଣୋଇଙ୍କ ସାହାଯ୍ୟରେ ଗୋଟିଏ ଖ୍ରୀଷ୍ଟିଆନ୍ ମିଶନ୍‍ର ଆବାସିକ ବିଦ୍ୟାଳୟରେ ପୁଅର ନାମଲେଖା ହୋଇ ଯାଇଥିଲା । ଭିଣୋଇଙ୍କ ପାଖରେ ନିର୍ମଳା ଜବାବ ଦେଲା ଯେ ପୁଅର ଦରମା ବାବତରେ ସିଏ ନିୟମିତ ଭାବରେ ଟଙ୍କା ପଠାଇବ । ସିଏ କାମ କରି ଭଲ ଦରମା ପାଉଛି ବୋଲି ଭଉଣୀର ଶାଶୁଘରେ ସମସ୍ତଙ୍କୁ ବୁଝାଇ ବି ଦେଇଥିଲା । ହଁ, କେବଳ ଏହି ଗୋଟିଏ ମାତ୍ର ସମସ୍ୟା ରହିଥିଲା ଯେ, ତାକୁ ଖୁବ୍ କ୍ୱଚିତ୍ ଛୁଟୀ ମିଳୁଥିବାରୁ ପୁଅକୁ ଛୁଟୀଗୁଡ଼ିକ ସମୟରେ ମଧ୍ୟ ଛାତ୍ରାବାସରେ ରହିବାକୁ ପଡ଼ିବ-। ତଥାପି, ବର୍ଷରେ ଅନ୍ତତଃ ଦୁଇଥର ଆସି ପୁଅକୁ ଦେଖିଯିବ ବୋଲି ସେ ଭରସା ଦେଇ ଯାଇଥିଲା ।

 

ପୁଅକୁ ଛାତ୍ରାବାସରେ ରଖାଇ ନିର୍ମଳା ସିଧା ବମ୍ବେ ଚାଲିଗଲା । ବିଗତ ଏହି କେତେବର୍ଷ ଧରି ସେ ନିଜ ପରିସ୍ଥିତିଟି ବିଷୟରେ ଅତ୍ୟନ୍ତ ଗମ୍ଭୀର ଏବଂ ଗଭୀର ଭାବରେ ଚିନ୍ତା କରୁଥିଲା ଏବଂ ପୁଅର ପାଠପଢ଼ା ଓ ନିଜର ଚଳିବା ନିମନ୍ତେ ଆବଶ୍ୟକ ହେଉଥିବା ଅର୍ଥକୁ ସିଏ କିଭଳି ଉପାୟରେ କମାଇ ପାରିବ, ସେହି ବିଷୟରେ ଗୋଟିଏ ନିଷ୍ପତ୍ତିରେ ମଧ୍ୟ ପହଞ୍ଚି ଯାଇଥିଲା-। ସହରର କୁଖ୍ୟାତ ଲାଲବତୀ ଅଞ୍ଚଳରେ ଥିବା ଏକ ବେଶ୍ୟା ଗୃହର ଠିକଣା ମଧ୍ୟ ଜଣେ ବନ୍ଧୁଙ୍କଠାରୁ ମିଳିଗଲା । ନିର୍ମଳା ସେହିଠାରେ ହିଁ ଯାଇ ପହଞ୍ଚି ଯାଇଥିଲା । ସେଠାରେ ପ୍ରାୟ ସାତବର୍ଷ କଟିଥିଲା । ଏହା ହେଉଛି ୧୯୯୦ ମସିହାର କଥା ।

 

ସିଏ ବମ୍ବେରୁ ହାଇଦରାବାଦ ଆସିବାପରେ ହାଇଦ୍ରାବାଦରେ ନିର୍ମଳା ସହିତ ଆମର ଭେଟ ହୋଇଥିଲା । ବମ୍ବେରେ ଏତୋଟି ବର୍ଷ ସେ କିପରି କାଟିଛି, ଆମକୁ ସେହି ବିଷୟରେ କହିବାକୁ ନିର୍ମଳା ସଙ୍କୋଚ ଅନୁଭବ କରୁଥିଲା । ଆମେ ବି ତାକୁ କହିବା ଲାଗି ମୋଟେ ବାଧ୍ୟ କଲୁନାହିଁ । ତା’ ବିବରଣୀରୁ ଯେତିକି ଜଣା ପଡ଼ିଲା, ତାହା ହେଉଛି ଯେ, ନିଜେ ସେଠାରେ ବାଛି ନେଇଥିବା ଜୀବନଟି ପାଇଁ ସେ ଆଦୌ ଦୁଃଖିତ ନଥିଲା । ସେହି ପର୍ଯ୍ୟାୟଟିକୁ ନିର୍ମଳା ବେଶ୍ ଏକ ପ୍ରସନ୍ନ ମୁଦ୍ରାରେ ନିଜର “କ୍ଷେତ୍ରକାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲା । ସରକାର ଭିତରେ ତଥା ଏକାଧିକ ସ୍ୱେଚ୍ଛାସେବୀ ସଂଗଠନରେ ଏହି ‘କ୍ଷେତ୍ରକାର୍ଯ୍ୟ’ ଶବ୍ଦଟି ସର୍ବଦା ବିପନ୍ନ ଲୋକଙ୍କ ପାଇଁ ଏକ ଦରଦ ଅନୁଭବ କରି କୌଣସି ସେବା କରିବାକୁ ହିଁ ବୁଝାଏ ବୋଲି ମୁଁ ଜାଣିଛି । ସମ୍ଭବତଃ ହାଇସ୍କୁଲର ପାଠ ଶେଷ କରିଥିବା ନିର୍ମଳା ପାଇଁ ମଧ୍ୟ ଶବ୍ଦଟି ଆଦୌ ପୃଥକ୍ କିଛିକୁ ବୁଝାଉ ନଥିଲା ।

 

ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ ଯେ, ମେହବୁବ୍‍-କୀ-ମାହେନ୍ଦୀ ଅଞ୍ଚଳରେ ତା’ର ବ୍ୟବସାୟଟି ନିଶ୍ଚୟ ଅଧିକ ଭଲଭାବରେ ହିଁ ଚାଲିବ ! ହାଇଦ୍ରାବାଦ ଓ ସିକନ୍ଦରାବାଦ ଦୁଇଟାଯାକ ବର୍ଦ୍ଧିଷ୍ଣୁ ସହରରେ ସେହି ଅଞ୍ଚଳର ବେଶ୍ୟାଗୃହର ହିଁ ସବୁଠାରୁ ଅଧିକ ସମ୍ଭାବନା ରହିଛି । ୧୯୯୭ ମସିହା ବସନ୍ତ ଋତୁରେ ତେଣୁ ନିର୍ମଳା ଚାରମିନାର ପାଖରେ ଥିବା ସେହି ଇଲାକାରେ ହିଁ ଆପଣାର ବିପଣି ଖୋଲି ଦେଇଥିଲା । ସର୍ତ୍ତଗୁଡ଼ିକ ଠିକ୍ ସେହି ପୂର୍ବପରି : ତା’ ରୋଜଗାରର ଅଧେ ଶେଠାଣୀ ପାଇବ, କାରଣ ଶେଠାଣୀ ହିଁ ତ ସମସ୍ତ ଗୃହଟିକୁ ପରିଚାଳନା କରୁଥିଲା । ବାକି ଅଧିକ ତା’ ନିଜର । ସିଏ କ୍ରମେ ସେଠାରେ ଥିବା ମହିଳାମାନଙ୍କ ମଧ୍ୟରେ ନିଜପାଇଁ କେତେଜଣ ନୂଆ ବନ୍ଧୁଙ୍କୁ ମଧ୍ୟ ପାଇଲା ଏବଂ, ଏହିପରି ଭାବରେ, ଆପଣା ‘କ୍ଷେତ୍ରକାର୍ଯ୍ୟ’ର ଆଉ ଗୋଟିଏ ପର୍ଯ୍ୟାୟ ଆରମ୍ଭ କରି ଦେଇଥିଲା ।

 

ଏହି ନୂଆ ସଂସ୍ଥାନଟି ଭିତରେ ଆସି ପଶିବାର ମୋଟେ ପନ୍ଦରଟା ଦିନ ହୋଇନାହିଁ, ଦିନେ ରାତିରେ ସେଠାରେ ଖୁବ୍ ଗଣ୍ଡଗୋଳ ଲାଗିଲା । ସେଦିନ ୧୯୯୭ ମସିହାର ଏପ୍ରିଲ ୧୯ ତାରିଖ । ନ୍ୟାୟାଳୟର ନିର୍ଦ୍ଦେଶ ପାଇ ବେଶ୍ୟାଗୃହରୁ । ରୂପଜୀବୀମାନଙ୍କୁ ଉଦ୍ଧାର କରିବାଲାଗି ସେଠାରେ ଏକ ବାହିନୀ ଆସି ପହଞ୍ଚି ଯାଇଥିଲେ । କି ଭୟଙ୍କର ଘଟଣାମାନ ସେଠାରେ ସେଦିନ ରାତିରେ ନଘଟିଲା, କେତେ ଆଖିବୁଜା ହିଂସାକାଣ୍ଡମାନ ଘଟି ନଗଲା ।–ନିର୍ମଳା ଓ ସେଠାରେ ରହିଥିବା ଅନ୍ୟ ମହିଳାମାନେ ଏବେ ମଧ୍ୟ ତାହା ମନେପକାଇ ତ୍ରସ୍ତ ହୋଇ ଉଠନ୍ତି । ହଁ, ଏହି କାଣ୍ଡରେ ପ୍ରତିବେଶୀ ଘରୁଆମାନେ ବି ପୋଲିସ୍ ସହିତ ମିଶି ଯାଇଥିଲେ । ସେମାନେ ଏମାନଙ୍କର ଘରେ ପଶି ଜିନିଷପତ୍ର ସବୁକିଛି ଭାଙ୍ଗି ପକାଇଲେ, ଟେଲିଭିଜନ୍‍କୁ ମଧ୍ୟ ବାଦ୍ ଦେଲେନାହିଁ । ଆସବାବମାନେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ସେମାନଙ୍କର ବ୍ୟକ୍ତିଗତ ବହୁତ ସମ୍ପଦ ଓ ଟଙ୍କା ଲୁଟି ହୋଇ ଯାଇଥିଲା । ଶେଷରେ ଘରମାନଙ୍କରେ ନିଆଁ ଲଗାଇ ଦିଆଗଲା । ରୂପଜୀବୀମାନଙ୍କ ତରଫରୁ ମଧ୍ୟ ଟାଣୁଆ ପ୍ରତିରୋଧ ହେଲା । ନିର୍ମଳ ଏବେ ବି ମନେରଖିଛି ଯେ, ଗୋଟାଏ ପୋଲିସ୍‌ବାଲାକୁ ସିଏ ତା’ର କମିଜ କଲାରକୁ କଷି କରି ଧରିଲା ଏବଂ ପୂରା ପ୍ୟାଣ୍ଟ୍‍ଯାଏ କମିଜ୍‍ଟାକୁ ମଝିରୁ ଫାଡ଼ି ଦେଇଥିଲା । ପୋଲିସ୍ ଲୋକଟା ମଧ୍ୟ ପ୍ରାୟ ନିୟନ୍ତ୍ରଣ ହରାଇ ନିର୍ମଳା ଉପରେ ତାହାର ପ୍ରତିଶୋଧ ନେଇଥିଲା । ସେହି ବର୍ଷ ମଇ ମାସ ୧୨ ତାରିଖରେ ସେଠାରେ ଥିବା ଘରମାନଙ୍କରେ ପୁନର୍ବାର ନିଆଁ ଲଗାଇ ଦିଆଗଲା,–ଏଥର ସ୍ଥାନୀୟ ପୋଲିସ୍ କମିସନର୍ ସ୍ଵୟଂ ଅଭିଯାନଟିର ନେତୃତ୍ୱ ନେଇଥିଲେ ।

 

ନିର୍ମଳାକୁ ସିନା ଆଦୌ କିଛି ଜଣା ନଥିଲା, କିନ୍ତୁ ଘଟଣାଟିର ଠିକ୍ ମାସକ ପୂର୍ବରୁ ‘ଶ୍ରମିକ-ମୁକ୍ତି ମଞ୍ଚ’ ନାମକ ଏକ ସଂଗଠନର ସଦସ୍ୟ ବୋଲି ନିଜକୁ କହୁଥିବା ସ୍ୱାମୀ ନାମଧେୟ ଜଣେ ନଗରବାସୀ ଉଚ୍ଚ ନ୍ୟାୟାଳୟ ପାଖରେ ଗୋଟିଏ ଲିଖିତ ଆବେଦନ କରି ‘ବେଶ୍ୟାବୃତ୍ତି ନାମକ ସମାଜର ଏହି ଏଡ଼େବଡ଼ ମନ୍ଦ’ଟାର ଶୀଘ୍ରାତିଶୀଘ୍ର ବିଲୋପ ହେଉ ବୋଲି ଦାବି କରିଥିଲେ-। ମେହବୁବ–କୀ-ମାହେନ୍ଦୀ ଅଞ୍ଚଳରେ ଥିବା ଲାଲବତୀ ଇଲାକାଟିକୁ ବଳପ୍ରୟୋଗ ଦ୍ୱାରା ହଟାଇ ଦିଆଯାଉ ବୋଲି ସିଏ ବଳିଷ୍ଠ ଯୁକ୍ତି ସହିତ କହିଥିଲେ । ଯୌନ ବେପାରରେ ଲିପ୍ତ ନାରୀମାନଙ୍କୁ ସେଠାରୁ ଜୋର୍ କରି ଉଠାଇ ଦିଆଯାଉ ବୋଲି ଅନୁରୋଧ କରା ଯାଇଥିଲା । ଏଭଳି ଗୋଟିଏ ଦରଖାସ୍ତ ପଠାଇବା ପଛରେ ଶ୍ରୀ ସ୍ୱାମୀଙ୍କର ପ୍ରକୃତରେ କିଭଳି ଅଭିପ୍ରାୟ ଥିଲା, ତାହା ଆଦୌ ସହଜରେ କୁହାଯାଇ ପାରିବନାହିଁ, ଅବଶ୍ୟ କିଛି ଏପରି ଜନରବ ଶୁଣିବାକୁ ମିଳୁଥିଲା ଯେ, ବେଶ୍ୟାଗୃହମାନ ଉଠିଗଲେ ସେଠାରେ ଯେଉଁ ଖାଲି ଜାଗା ଗୁଡ଼ିକ ବାହାରିବ, ସେଗୁଡ଼ିକର ବିକ୍ରୀରୁ ବେଶ୍ ପଇସା ଯେ ମିଳିବ, ଏହି କ୍ଷେତ୍ରରେ ତାହାର ଏକ ଭୂମିକା ଅବଶ୍ୟ ରହିଥିଲା-। ତଥାପି, ଅଭିପ୍ରାୟଗୁଡ଼ିକ ଯାହା ହୋଇଥାଉ ପଛକେ, ଉଚ୍ଚ ନ୍ୟାୟାଳୟ ତାହାକୁ ଏକ ଉଚିତ ଆବେଦନ ବୋଲି ଗ୍ରହଣ କଲା ଏବଂ ପୋଲିସ୍‌ଠାରୁ ସେହି ବିଷୟରେ ଏକ ବିଶଦ ବିବରଣୀ ମାଗି ପଠାଇଥିଲା ।

 

ଏବଂ ତା’ପରେ, ସେହି ମାହେନ୍ଦୀ ଅଞ୍ଚଳରେ ବାସ କରୁଥିବା ଶହେ ଅଶୀ ଜଣ ବ୍ୟକ୍ତି ନିଜକୁ ସେହି ଆବେଦନପତ୍ରର ପକ୍ଷଭୁକ୍ତ କରିଥିଲେ । ବିଚାରାଳୟରେ ଦାଖଲ କରିଥିବା ଦରଖାସ୍ତରେ ସେମାନେ ଅଞ୍ଚଳବାସୀଙ୍କର ଦୁଃଖଦ ଅବସ୍ଥାଟିର ବର୍ଣ୍ଣନା ପ୍ରଦାନ କରିଥିଲେ । ସେମାନେ କହିଥିଲେ–ଲାଲବତୀ ଇଲାକାଟିରେ ଘର ନେଇ ରହିଥିବାରୁ ସେମାନଙ୍କର ଝିଅମାନଙ୍କୁ ବୋହୁ କରିନେବାକୁ ମଧ୍ୟ ବାହାରର ଲୋକେ ରାଜି ହେଉନାହାନ୍ତି ଏବଂ, ଏହିପରି ଭାବରେ, ନିଜର କୌଣସି ଅପରାଧ ନଥାଇ ମଧ୍ୟ ବିଚରା ଝିଅଗୁଡ଼ିକ ବଦନାମ ହେବାରେ ଲାଗିଛନ୍ତି । ଏହି ଇଲାକାରେ ମାତ୍ର କେତୋଟି ଗୃହରେ ସିନା ଉକ୍ତ କାରବାର ହେଉଛି, ମାତ୍ର ପୂରା ଇଲାକାଟାକୁ ହିଁ ସେହି ଅପବାଦ ସହିତ କ୍ରମେ ଚିହ୍ନଟ ବି କରାଗଲାଣି । ତେଣୁ, ମେହବୁବ୍-କୀ-ମାହେନ୍ଦୀ ଅଞ୍ଚଳରୁ ଏହି ଦେହଜୀବିକାର ବିଲୋପସାଧନ ନିମନ୍ତେ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରନ୍ତୁ ଓ ନାରୀମାନଙ୍କର ସମ୍ମାନକୁ ଫେରାଇ ଆଣନ୍ତୁ ବୋଲି ଦରଖାସ୍ତରେ ଦୃଢ଼ ନିବେଦନ କରା ଯାଇଥିଲା ।

 

ପୋଲିସ୍ ବିଭାଗରେ ପଦବୀରେ ରହିଥିବା ତେଜ ଦୀପ ନାମ୍ନୀ ଜଣେ ମହିଳା ହାଇଦ୍ରାବାଦ ଗୋଇନ୍ଦା ଶାଖାର ନାରୀ ସୁରକ୍ଷା ନାମକ ବିଶେଷ ଦାୟିତ୍ୱରେ ସୁପରିଣ୍ଟେଣ୍ଡେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । କଚେରୀରୁ ଆସିଥିବା ଆଦେଶ ଅନୁସାରେ ତେଜ ଦୀପ ୧୯୯୭ ମସିହା ଏପ୍ରିଲ ୧୩ ତାରିଖରେ ସେହି ମାହେନ୍ଦୀ ଅଞ୍ଚଳରେ ଆସି ପହଞ୍ଚି ଯାଇଥିଲେ । ସିଏ ଦେଇଥିବା ବିବରଣୀଟି ଅନୁସାରେ ସେଠାରେ ଦେଢ଼ଶହ ଦେହଜୀବୀ ମହିଳା କ୍ରିୟାଶୀଳ ହୋଇ ରହିଥିଲେ । ସେମାନେ ୨୦ ଜଣ ଶେଠାଣୀଙ୍କର ଅଧୀନରେ ସାନ ସାନ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିଲେ । ଶେଠାଣୀମାନେ ଉପାର୍ଜିତ ମୋଟ ଧନର ଅର୍ଦ୍ଧାଂଶ ନିଜେ ରଖୁଥିଲେ ଏବଂ ପ୍ରତିବଦଳରେ ଦେହଜୀବୀମାନଙ୍କୁ ଗ୍ରାହକ ତଥା ସୁରକ୍ଷା ଯୋଗାଇ ଦେଉଥିଲେ । ତେଜଦୀପ ଏକଥା ମଧ୍ୟ ନ୍ୟାୟାଳୟକୁ ଲେଖି ଜଣାଇଥିଲେ ଯେ, ଏହି ସଂପୂର୍ଣ୍ଣ ବ୍ୟବସାୟଟି ଚାଲିବ ବୋଲି ଦୁଇଜଣ ଅର୍ଥଦାତା ଆଗତୁରା ଅର୍ଥ ଯୋଗାଇ ବି ଦେଇଥିଲେ । ସୁଧର ହାର ବହୁତ ଥିଲା ଓ ଦେହଜୀବୀମାନଙ୍କୁ ନିଜ ଆୟରୁ ବଞ୍ଚାଇ ତାହାର ପରିଶୋଧ କରିବାକୁ ପଡ଼ୁଥିଲା । ଗୃହଗୁଡ଼ିକର ତେଇଶି ଜଣ ମାଲିକଙ୍କୁ ମଧ୍ୟ ସେହିମାନଙ୍କର ରୋଜଗାରରୁ ଧାର୍ଯ୍ୟ ଅତିରିକ୍ତ ପରିମାଣର ଭଡ଼ା ଦେବାକୁ ହେଉଥିଲା । ସେହି ରିପୋର୍ଟରେ ଏପରି ଦୁଇଜଣ ହେଡ୍ କନଷ୍ଟେବୁଲ୍, ଦୁଇଜଣ କନଣ୍ଟେବଲ୍ ଓ ଦୁଇଜଣ ଗୃହରକ୍ଷୀଙ୍କର ମଧ୍ୟ ଉଲ୍ଲେଖ କରା ଯାଇଥିଲା, ଯେଉଁମାନେ କି ଏହି ଅଞ୍ଚଳର ଦେହଜୀବୀମାନଙ୍କ ସହିତ ଯୋଗସୂତ୍ର ରଖିଥିଲେ, ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ ଓ ପୋଲିସ୍ ହମଲା କରିବାକୁ ଆସିବାର ଥିଲେ ସେମାନଙ୍କୁ ଆଗରୁ ସତର୍କ ବି କରି ଦେଉଥିଲେ ।

 

ଯେପରି ତୀବ୍ର ଏବଂ ସହାନୁଭୂତିହୀନ ଭାବରେ ଏହିସବୁ ହମଲା ହେଉଥିଲା, ସରକାରୀ ତଥା ନ୍ୟାୟାଳୟ ତରଫରୁ ଯେଉଁସବୁ ନିର୍ଦ୍ଦେଶ ଦିଆ ଯାଉଥିଲା, ପ୍ରଚାରକ୍ଷେତ୍ରରେ ମାଧ୍ୟମ ମାନଙ୍କରେ ଯେପରି ବଢ଼େଇ କରି ଏସବୁକୁ ଦର୍ଶା ଯାଉଥିଲା,–ଏହି ଯାବତୀୟ କାରଣରୁ ଆଉ ଆଦୌ ସନ୍ଦେହ କରିବାର କୌଣସି ଅବକାଶ ନଥିଲା ଯେ ମେହବୁବ-କୀ-ମାହେନ୍ଦୀର ଏହି ଯୌନ-କାରବାର ଉପରେ ଏଥର ନିଶ୍ଚୟ ଏକ ତୁମୁଳ ବିପର୍ଯ୍ୟୟ ଆସିବ ହିଁ ଆସିବ । ତଥାପି, ୧୯୯୯ ମସିହାରେ କରା ଯାଇଥିବା ଗବେଷକ କୁପ୍ସିଲି ପଦ୍ମାଙ୍କ ଦ୍ୱାରା ପ୍ରଦତ୍ତ ତଦନ୍ତ ଲବ୍ଧ ବିବରଣୀଟିରୁ ଯାହା ଜଣାଯାଉଛି, ୧୯୯୭ର ହମଲା ପରେ ମଧ୍ୟ ସେଠାରେ ଯୌନ–ବ୍ୟବସାୟ ଚାଲୁ ରହିଥିଲା । ତାହା ଅତ୍ୟନ୍ତ ଗୁପ୍ତ ଭାବରେ ସ୍ୱତନ୍ତ୍ର ଏବଂ ବ୍ୟକ୍ତିଗତ ଘରଗୁଡ଼ିକରେ ଚାଲିଥିଲା ଏବଂ ଅଧିକତର ପରିମାଣରେ ରାସ୍ତା ଉପରେ ହିଁ ଚାଲୁଥିଲା । ଏକ ବିରାଟ ହମଲା କରି ମେହବୁବ୍‍-କୀ-ମାହେନ୍ଦୀର କାରବାରଟିକୁ ବନ୍ଦ କରି ଦିଆଯିବା ପରେ ଏବେ ଅଧିକାଂଶ ମହିଳା ନିଜ ବାସଗୃହମାନଙ୍କଠାରୁ ଦୂରରେ ହିଁ ଗ୍ରାହକମାନଙ୍କୁ ଯାଇ ଲୋଡ଼ୁଛନ୍ତି,–ଯେପରିକି ଆଉ ସେମାନଙ୍କୁ ପ୍ରତିବେଶୀ ମାନଙ୍କର ଆପତ୍ତି ଶୁଣିବାକୁ ନପଡ଼ିବ । ବହୁ ମହିଳା ଖୋଲା ସାଧାରଣ ସ୍ଥାନମାନଙ୍କରେ ନିଜର ବ୍ୟବସାୟକୁ ଚାଲୁ ରଖିଛନ୍ତି,–ରାତିରେ ଖାଲି ରହୁଥିବା ସରକାରୀ ଅଫିସ ଘରମାନ ମଧ୍ୟ ଏଥିପାଇଁ ବ୍ୟବହୃତ ହେଉଛି,–ରେଲବାଇ, ଡବାଗୁଡ଼ିକର ଉପଯୋଗ କରାଯାଉଛି, ରେଲଷ୍ଟେସନ ଗୁଡ଼ିକ ପାଖରେ ମଧ୍ୟ ଅନୁକୂଳ ଥାନମାନ ମିଳିଯାଉଛି ।

 

ବର୍ତ୍ତମାନ ଆମେ ନିର୍ମଳା ପାଖକୁ ଫେରି ଆସିବା,–ତାକୁ ଏବଂ ଆଉ ଚଉଷଠି ଜଣ ଉଦ୍ଧାର କରାଯାଇଥିବା ଦେହଜୀବୀମାନଙ୍କୁ ଯେଉଁସବୁ କଲ୍ୟାଣ ଗୃହରେ ନେଇ ରଖାଗଲା, ସେହି ଅବସ୍ଥାରେ କଦାପି କୌଣସି ମନୁଷ୍ୟ ହିଁ ରହି ପାରିବନାହିଁ । ସେଠାରେ ସେମାନଙ୍କୁ ବଡ଼ ଏକୁଟିଆ ଲାଗିଲା,–ନିଜ ନିଜର ଭବିଷ୍ୟତ ବିଷୟରେ ଚିନ୍ତା କରି ସେମାନେ ଅତିଶୟ ବିବ୍ରତ ହୋଇ ପଡ଼ିଲେ । ନିର୍ମଳା ତ’ ପୂରା ନିରାଶ ହୋଇ ପଡ଼ିଥିଲା, କାରଣ ବର୍ତ୍ତମାନ ସିଏ ନିଜ ପୁଅର ପାଠପଢ଼ା ବାବତ ପଇସାକୁ ଆଉ ପାରୁନଥିଲା । ଏଠି କାର୍ଯ୍ୟରେ କିଛି ଅସୁବିଧା ଉପସ୍ଥିତ ହେଉଛି ବୋଲି ଭିଣୋଇ ପାଖକୁ ଲେଖିଲା । ଭିଣୋଇ ମଧ୍ୟ ଖୁବ୍ ଆଶ୍ୱାସନା ଦେଇ ଉତ୍ତର ଦେଇଥିଲେ ଯେ ପିଲାର ଦେୟ ବିଷୟରେ ସିଏ ନିଜେ ସବୁ ବୁଝିବେ ଏବଂ ପୁନର୍ବାର ସୁବିଧାସମୟ ଆସିଲେ ନିର୍ମଳ ତାଙ୍କୁ ପଇସାତକ ଶୁଝିଦେବ ।

 

ଆଶ୍ରୟ ଗୃହର ବାହ୍ୟ ବ୍ୟବସ୍ଥାଗୁଡ଼ିକ ଆଦୌ ମନୁଷ୍ୟଯୋଗ୍ୟ ନଥିଲା; ମିଳୁଥିବା ଖାଦ୍ୟଦ୍ୱାରା ପେଟ ପୂରୁନଥିଲା ଓ ତାହା ଭଲ ଭାବରେ ରନ୍ଧା ମଧ୍ୟ ହେଉନଥିଲା ଏବଂ ସେଠାରେ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ମଧ୍ୟ ଏହି ମହିଳାମାନଙ୍କ ସହିତ ଭଲ ବ୍ୟବହାର କରୁନଥିଲେ-। ପ୍ରତିବାଦ ଓ ଲଡ଼ାଇ ନକରି ସେଗୁଡ଼ାକୁ ମାନିନେବାକୁ ମହିଳାମାନେ ଆଦୌ ରାଜି ନଥିଲେ-। ବାରଜଣ ମହିଳା ସେଠାରୁ ଆଉ କୁଆଡ଼େ ପଳାଇଲେ ଏବଂ ଅନ୍ୟମାନେ ପ୍ରତିବାଦ ସ୍ଵରୂପ ଅନଶନରେ ବସିବାପାଇଁ ସ୍ଥିର କଲେ, ଯେପରିକି ବ୍ୟାପାରଟି ସମସ୍ତଙ୍କ କାନକୁ ଯିବ ଏବଂ ବେଶ୍‍ ଗୋଳ ଲାଗିବ । ଏହି ନାଟକକୁ ଅଧିକ ଆକର୍ଷଣୀୟ କରିବାର ଅଭିପ୍ରାୟରେ ସେମାନେ ଧମକ ବି ଦେଲେ ଯେ, ଯଦି ଅବସ୍ଥାରେ କୌଣସି ପରିବର୍ତ୍ତନ ନହୁଏ, ତେବେ ସେମାନେ ଇଲେକ୍ଟ୍ରିକ୍ ତାର ଛୁଇଁ ଆତ୍ମହତ୍ୟା କରିବେ । ସାଧାରଣ ପ୍ରସାର ମାଧ୍ୟମ ସେହି ଘଟଣାଟିରୁ ଖୁବ୍ ପୁଞ୍ଜି ପାଇଲା ଏବଂ ସରକାରଙ୍କର ମୁଣ୍ଡବଥା କ୍ରମେ ବୃଦ୍ଧି ହିଁ ପାଇଥିଲା ।

 

ଏହି ଅସାଧାରଣ ପରିସ୍ଥିତିଟିର କିପରି ସାମନା କରିବାକୁ ହେବ, ସେହି ବିଷୟରେ ସରକାର ଚିନ୍ତା କରିବାରେ ଲାଗିଲେ । ସରକାରୀ କଲ୍ୟାଣ ଗୃହ ଗୁଡ଼ିକର ଉପସ୍ଥିତ ଅବସ୍ଥାରେ ତୁରନ୍ତ ଉନ୍ନତି ବିଧାନ କରାଯିବ,–କୌଣସି ଏକ ଅବ୍ୟକ୍ତ କାରଣ ସକାଶେ ସମ୍ପୃକ୍ତ କେହି ହେଲେ ତାହାକୁ ଏକ ସମ୍ଭାବ୍ୟ ପଦକ୍ଷେପ ବୋଲି ଚିନ୍ତା ହିଁ କଲେନାହିଁ । ଓଲଟି ଏକ ସଂପୂର୍ଣ୍ଣ ନୂତନ ପ୍ରସ୍ତାବ ବିଷୟରେ ଆଲୋଚନା କରାଗଲା ଯେ, କଲ୍ୟାଣଗୃହରେ ରହୁଥିବା ମହିଳାମାନଙ୍କୁ ସ୍ଥାନାନ୍ତରିତ କରି କୌଣସି ବନ୍ଦୀଶାଳାର ମହିଳା ୱାର୍ଡରେ ନେଇ ରଖାଯିବ । ଅତ୍ୟନ୍ତ କ୍ରୂର ଅବଜ୍ଞାର ବିଷୟ ଯେ, କାରାଗାରରେ ପରିସ୍ଥିତିମାନେ ଅତୀବ ଶୋଚନୀୟ ବୋଲି ପୃଥିବୀଯାକ ସମସ୍ତେ ସ୍ଵୀକାର କରୁଥିଲେ ମଧ୍ୟ, ତଥାପି ତାହା ଏକ କଲ୍ୟାଣଗୃହର ତୁଳନାରେ ଅଧିକ ଭଲ ହେବ ବୋଲି ବିଚାର କରାଗଲା । କୌଣସି ବିଶେଷ ଦୁଃସ୍ଥିତିରେ ପଡ଼ିଥିବା ମହିଳାମାନଙ୍କର ଆବଶ୍ୟକ ଥଇଥାନ ନିମନ୍ତେ ହିଁ ତ ଏହି ଗୃହଗୁଡ଼ିକର ପ୍ରତିଷ୍ଠା କରାଯାଇଥିଲା । ମାତ୍ର, ରାଷ୍ଟ୍ରର କର୍ତ୍ତା ତଥା ନ୍ୟାୟାଳୟର ନ୍ୟାୟାଧୀଶ, ଦୁହିଁଙ୍କ ମଧ୍ୟରୁ କେହି ହେଲେ ସେକଥାଟିକୁ ଉପଲବ୍ଧି କରି ପାରିଲେ ନାହିଁ । ରୂପଜୀବୀମାନଙ୍କୁ ଚେଞ୍ଚଲ୍‍ଗୁଡ଼ା ଜେଲକୁ ସ୍ଥାନାନ୍ତରିତ କରାଯିବାର ପ୍ରସ୍ତାବଟି ନ୍ୟାୟାଳୟ ପୂର୍ଣ୍ଣରୂପେ ଅନୁମୋଦନ କରିଥିଲା ।

 

ମହିଳାମାନଙ୍କର ଖାଇବା ଭାତରେ ପୁନର୍ବାର ପୋକ ବାହାରିଲେ, ଅପରିଷ୍କୃତ ଗାଧୁଆଘର ଗୁଡ଼ିକ ଭଣଭଣ ହୋଇ ଗନ୍ଧାଉ ଥାଆନ୍ତି ଏବଂ ଓ୍ୟାର୍ଡ୍‍ର ପହରାଦାରମାନେ ମଧ୍ୟ ଅତ୍ୟନ୍ତ କର୍କଶ ବ୍ୟବହାର କରୁଥାନ୍ତି । ମାତ୍ର, ଆଗରୁ କଲ୍ୟାଣଗୃହରେ ରହୁଥିବା ସମୟରୁ ହିଁ ଏମାନଙ୍କର ଏକ ଉତ୍ତମ ଶିକ୍ଷା ଲାଭ ମଧ୍ୟ ହୋଇଥିଲା । ତେଣୁ, ଏଠାରେ ସେମାନେ ସଂପୂର୍ଣ୍ଣ ସୋଚ୍ଚାର ହୋଇ ପ୍ରତିବାଦ କଲେ,–କିଛି ଅବସ୍ଥାରେ ପରିବର୍ତ୍ତନ ନଘଟିଲେ ପୁନର୍ବାର ଅନଶନ କରିବେ ବୋଲି ଧମକାଇଲେ । ଜେଲର କର୍ତ୍ତୃପକ୍ଷ ମଧ୍ୟ ଏହି ବିଚିତ୍ର ଏବଂ ଜିଦଖୋର ମହିଳା ଗୋଷ୍ଠୀଟିକୁ ନେଇ ଅଧିକ କାଳକ୍ଷେପଣ କରିବାକୁ ଇଚ୍ଛାପୋଷଣ କରୁନଥିଲେ, କାରଣ ଏତେଟିକିଏ ମଉକା ମିଳିଗଲେ ସେମାନେ ଏଡ଼େବଡ଼ ପାଟିରେ କ’ଣ କହି ଗାଳି ଦେବାକୁ ଆରମ୍ଭ କରି ଦେଉଥିଲେ । ତେଣୁ, ଅବସ୍ଥାରେ କିଛି ଆଶୁ ପରିବର୍ତ୍ତନ କରିବା ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଗଲା । ଅବଶ୍ୟ ମାତ୍ର, କିଂଚିତ ପରିବର୍ତ୍ତନ କରାଗଲା,–ପରିସ୍ଥିତିଟିକୁ ସହନୀୟ କରି ରଖିବାପାଇଁ ଯେତିକି ଆବଶ୍ୟକ, ମାତ୍ର ସେତିକି ।

 

ଏହାପରେ, ପୋଲିସ୍ କର୍ତ୍ତୃପକ୍ଷଙ୍କ ଆଉ ଏକ ଆହ୍ଵାନରେ ସମ୍ମୁଖୀନ ହେବାକୁ ପଡ଼ିଥିଲା-। ତେଣେ କଚେରୀରେ ଯେପରି ଭାବରେ ବ୍ୟାପାରମାନ ଚାଲିଥିଲା, ସେଗୁଡ଼ିକର ଆଦୌ କିଛି ଠିକଠିକଣା ହିଁ ନଥିଲା । ଏବଂ, ଏପରି ସମ୍ଭାବନାଟିଏ ବି ରହିଥିଲା ଯେ, କ’ଣ ଗୋଟିଏ ପରିସ୍ଥିତି ଆସି ପହଞ୍ଚିବ ଓ ନ୍ୟାୟାଳୟ ଏହି ଦେହଜୀବୀ ମହିଳାମାନଙ୍କୁ ଖଲାସ କରିଦେବା ସକାଶେ ହୁଏତ ଏକ ନିର୍ଦ୍ଦେଶ ପ୍ରଦାନ କରିବ । ତେଣୁ, ଏମାନେ ଯେପରି ଏହିପରି ଭାବରେ ଅବଶ୍ୟ ଜେଲ ଭିତରେ ରହିବେ, ସେଥିପାଇଁ ପୋଲିସ୍‌ କର୍ତ୍ତୃପକ୍ଷ ମହିଳାମାନଙ୍କ ନାମରେ କିଛି ଫୌଜଦାରୀ ଅପରାଧର ଅଭିଯୋଗ ଆଣିବାକୁ ମଧ୍ୟ ନିଷ୍ପତ୍ତି କଲେ । ନିଜ ଭିତରେ କିଛିକାଳ ଚର୍ଚ୍ଚା କରିବା ପରେ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାର ଅପରାଧରେ ଦୋଷୀ ବୋଲି ଘୋଷଣା କରାଯିବ ବୋଲି ସ୍ଥିର ହେଲା । କଲ୍ୟାଣଗୃହରେ ସେହି ମହିଳାମାନେ ସେହି କୁଖ୍ୟାତ ଅନଶନ-ପ୍ରତିବାଦର ଆଶ୍ରୟ ନେଇଥିଲେ । ସେହି ଅନୁସାରେ ଏମାନଙ୍କୁ ପ୍ରତି ପନ୍ଦର ଦିନରେ ଥରେ ଜିଲ୍ଲା ବିଚାର-ମହକୁମାରେ କୌଣସି ମାଜିଷ୍ଟ୍ରେଟ୍ ଆଗରେ ହାଜର ହେବାକୁ ପଡ଼ିଥିଲା । ହାଜର ହେବାର ପ୍ରତ୍ୟେକ ପାଳିରେ ଏହି ମହିଳାମାନେ ଖୁବ୍ ପାଟିତୁଣ୍ଡ କଲେ, ହାକିମଙ୍କୁ ଗାଳି ଦେଲେ, ଜୋତା ବି ଫୋପାଡ଼ିଥିଲେ । ସେମାନେ ଆଦୌ କୌଣସି ଅପରାଧ କରିନାହାନ୍ତି, ତେଣୁ ସେମାନଙ୍କୁ ଖଲାସ କରି ଦିଆଯାଉ ବୋଲି ଉଚ୍ଚସ୍ଵରରେ ଦାବିମାନ ଜଣାଇଥିଲେ । ପରବର୍ତ୍ତୀ ଶୁଣାଣି ଦିନ ମାନଙ୍କରେ ବିଚରା ମାଜିଷ୍ଟ୍ରେଟ୍‍ଙ୍କୁ ଆଦେଶ ଦେବାକୁ ପଡ଼ିଲା ଯେ, ସେମାନେ ଏଣିକି କଚେରୀ ବାହାରେ ଚପଲ ରଖି ଭିତରକୁ ଆସିବେ,–ତେଣୁ, ସେଗୁଡ଼ିକୁ କାହା ଉପରକୁ ଫିଙ୍ଗିବା ନିମନ୍ତେ ଆଉ କୌଣସି ଅବକାଶ ହିଁ ନଥିବ । କିନ୍ତୁ, ଏହି ଆଦେଶଟିକୁ ଶୁଣି ମହିଳାମାନେ ଆଦୌ ଦବି ଯାଇ ନଥିଲେ: ସେମାନେ ଗୋଟିଏ ସ୍ୱରରେ ଏଡ଼େ ବଡ଼ ରଡ଼ି କରି କହିଥିଲେ ଯେ, ଯେତେବେଳେ ଶେଠାଣୀମାନଙ୍କୁ ମଧ୍ୟ ଜାମିନ୍ ମିଳିଛି, ତେବେ ସେମାନଙ୍କୁ କାହିଁକି କାରାଗାରରେ ବନ୍ଦୀ କରି ରଖାଯିବ, ତାହାର ଆଦୌ କୌଣସି କାରଣ ନାହିଁ ।

 

ଇତିମଧ୍ୟରେ ଆଉଗୋଟିଏ ଘଟଣା ଘଟିଲା, ଯାହାକି ସେମାନଙ୍କର ଖଲାସ ହେବାର ସମ୍ଭାବନାକୁ ଆହୁରି ଊଣା କରି ଦେଇଥିଲା । ରାଜ୍ୟ ପ୍ରଶାସନକାରୀ ମାନଙ୍କର ଆଉ ଗୋଟିଏ ଆବେଦନକୁ ଭିତ୍ତି କରି ଏବଂ ଉଚ୍ଚତର ନ୍ୟାୟାଳୟର ଅତ୍ୟନ୍ତ ସ୍ପଷ୍ଟ ଗୋଟିଏ ନିର୍ଦ୍ଦେଶ ପାଇ ଜେଲରେ ଥିବା ସେହି ମହିଳାମାନଙ୍କୁ ବାଧ୍ୟ କରି ସେମାନଙ୍କର HIV ପରୀକ୍ଷା କରା ଯାଇଥିଲା;–ଯୌନପ୍ରକ୍ରିୟା ଦ୍ୱାରା ସଂକ୍ରମିତ ହେଉଥିବା ଅନ୍ୟ ବେମାରିଗୁଡ଼ିକ ବିଷୟରେ ମଧ୍ୟ ପରୀକ୍ଷା ନିଆଗଲା । ନିର୍ମଳା ସମେତ ଏକୋଇଶି ଜଣ ମହିଳା HIV ଦ୍ଵାରା ଆକ୍ରାନ୍ତ ବୋଲି ଜଣାଗଲା ଓ ସତରଜଣ ଯୌନସମ୍ବନ୍ଧ ଦ୍ୱାରା ସଂକ୍ରମିତ ଅନ୍ୟାନ୍ୟ ରୋଗଦ୍ୱାରା ଆକ୍ରାନ୍ତ ଅଛି ବୋଲି ପ୍ରମାଣିତ ହୋଇଥିଲା । କୋର୍ଟ୍ ଆଦେଶ ଦେଲେ ଯେ ଯେଉଁ ଅନ୍ୟମାନେ ଏବେ ମଧ୍ୟ ସେହି ରୋଗମାନଙ୍କୁ ମୁକ୍ତ ରହିଛନ୍ତି, ସେମାନଙ୍କ ପାଖରୁ ଚୁକ୍ତିପତ୍ର ଗ୍ରହଣ କରି ସେମାନଙ୍କୁ ଖଲାସ କରି ଦିଆଯାଉ, ମାତ୍ର ସଂକ୍ରମିତ ଅନ୍ୟମାନଙ୍କୁ ଆଗପରି ଜେଲ୍‌ରେ ହିଁ ରଖାଯାଉ । ବୟସ ପ୍ରାପ୍ତ ହୋଇ ନଥିବା ଚାରିଜଣ ଝିଅଙ୍କ ଭିତରୁ ଦୁଇଜଣ ତିନିମାସ ହେଲା ଗର୍ଭବତୀ ଥିବାର ବି ପ୍ରମାଣ ମିଳିଥିଲା ଚାରିମାସ ଅନ୍ତେ କୋର୍ଟ ପୁନର୍ବାର ହୁକୁମ୍ ପଠାଇଲା ଯେ ସେହି ଗର୍ଭବତୀମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦିଆଯାଉ ଓ ଗର୍ଭଗୁଡ଼ିକୁ ନଷ୍ଟ କରି ଦିଆଯାଉ । ସୌଭାଗ୍ୟବଶତଃ, ଏହି ହୁକୁମଟିର ପାଳନ କରାଗଲା ନାହିଁ ଏବଂ ସେହି ବର୍ଷ ଶେଷ ଆଡ଼କୁ ସେହି ବାଳିକାମାନେ ନିଜ ଶିଶୁସନ୍ତାନ ମାନଙ୍କୁ ପ୍ରସବ ମଧ୍ୟ କରିଥିଲେ ।

 

ତଥାପି ଯେଉଁ ମହିଳାମାନେ ଜେଲ ଭିତରେ ରହିଗଲେ, ସେମାନଙ୍କର ଜୀବନ ସତେ ଅବା ଏପରି ଏକ ଶେଷବିନ୍ଦୁରେ ଆସି ପହଞ୍ଚିଥିଲା, ଯେଉଁଠାରୁ କି ଆଗକୁ ଯିବାଲାଗି ଆଉ କୌଣସି ସମ୍ଭାବନା ନଥିଲା । ରାଧା ନାମକ ଗୋଟିଏ ତରୁଣୀର ପାକସ୍ଥଳୀରେ ଘାଆ ହୋଇ ଯାଇଥିଲା,–ସିଏ ଆଉ କୌଣସି ଆହାର ଗ୍ରହଣ କଲାନାହିଁ ଏବଂ ତା’ର ଶରୀର ସଂପୂର୍ଣ୍ଣ ଦୃଶ୍ୟମାନ୍ ଭାବରେ ହିଁ କ୍ଷୟ ହୋଇ ଯାଉଥିଲା । ଶେଷକୁ ଜାମିନ୍ ବି ପାଇଲା । ମାତ୍ର ସେ ଜାମିନରେ ଯିବାକୁ ମନା କରିଦେଲା; କହିଲା, ତା’ ଭଉଣୀକୁ ମଧ୍ୟ ଜାମିନ୍ ମିଳିଲେ ଯାଇ ସିଏ ଜାମିନ୍ ଯିବ । ଦିନେ ରାତିରେ ତା’ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହୋଇ ପଡ଼ିଥିଲା ଏବଂ କର୍ତ୍ତୃପକ୍ଷ ତାକୁ ହସପିଟାଲ୍‌କୁ ନେଇଗଲେ । ତହିଁ ଆରଦିନ ଅନ୍ୟ ମହିଳାମାନେ ଖବର ଶୁଣିଲେ ଯେ ତା’ର ମୃତ୍ୟୁ ହୋଇଯାଇଛି । ସେମାନେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ଘୋର ନିରାଶାରେ ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇ ଯାଉଥିଲା । ସେମାନେ ପୁଣି ଅନଶନ କଲେ; ଦାବି କରିଥିଲେ ଯେ ଯେଉଁ ଯୁବକଟିକୁ ରାଧା ଭଲ ପାଉଥିଲା, ତା’ ଶବକୁ ତାକୁ ହିଁ ଦିଆଯାଉ । ଯୁବକଟିର ନାମ ଆକବର୍, ଗୋଟିଏ ଅଟୋରିକ୍ସାର ଡ୍ରାଇଭର୍ । ଜେଲ୍ କର୍ତ୍ତୃପକ୍ଷ ଏଥିରେ ସମ୍ମତି ପ୍ରକାଶ କଲେ ଏବ, ସେହି ମହିଳାମାନେ ମଧ୍ୟ କିଞ୍ଚିତ୍ ସାନ୍ତ୍ୱନା ଲାଭ କରିଥିଲେ ଯେ ରାଧା ତା’ର ଶେଷକ୍ରିୟାରେ ଅନ୍ତତଃ ନିତାନ୍ତ ଅପରିଚିତ ମାନଙ୍କର ଶୀତଳ ହାତଗୁଡ଼ିକରୁ ତଥାପି ରକ୍ଷା ପାଇ ପାରିଥିଲା ।

 

ଉଚ୍ଚତର ନ୍ୟାୟାଳୟରେ ନ୍ୟାୟାଳୟର କାର୍ଯ୍ୟରେ ସାହାଯ୍ୟ କରିବା ନିମନ୍ତେ ନିଯୁକ୍ତ ହୋଇଥିବା ‘ଇଜଲାସ୍ ବନ୍ଧୁ’ (amicus curiae) ଏହି ମହିଳାମାନଙ୍କୁ ତୁରନ୍ତ ଖଲାସ କରି ଦିଆଯାଉ ବୋଲି ଆବେଦନ କରିଥିଲେ । କାରଣ, ସେମାନେ ତ ଆଦୌ କୌଣସି ଅପରାଧରେ ଅପରାଧୀ ନଥିଲେ ଏବଂ ତେଣୁ ସେମାନଙ୍କୁ ସଂପୂର୍ଣ୍ଣ ଅନ୍ୟାୟରେ ହିଁ ବନ୍ଦୀଶାଳାରେ ନେଇ ରଖାଯାଇଛି । ପୁନଶ୍ଚ, ସେ ଦର୍ଶାଇଥିଲେ ଯେ, ଏମାନଙ୍କର ଶରୀରରେ AIDSର ଜୀବାଣୁ ଅଛି ବୋଲି ଅନୁମାନଟି ପଛରେ କୌଣସି ଦୃଢ଼ ପ୍ରମାଣ ନାହିଁ,–ସେମାନଙ୍କୁ ଜୋର୍ କରି ପରୀକ୍ଷା କରାଯାଇଛି ଓ ସେହିପରି ଏକ ପ୍ରମାଣପତ୍ର ଦିଆଯାଇଛି । ଏବଂ, ଏମାନଙ୍କଠାରେ ପ୍ରକୃତରେ ସେହି ଜୀବାଣୁ ରହିଥିଲେ ମଧ୍ୟ, ସେମାନଙ୍କୁ ତଥାପି ଜେଲ୍ ଭିତରେ ଏପରି ଅଲଗା କରି ଆଦୌ ରଖାଯାଇ ପାରିବନାହିଁ,–କାରଣ ଏହାଦ୍ୱାରା ସେମାନଙ୍କୁ ସ୍ଵାଧୀନତା ତଥା ସ୍ୱାଧୀନ ବିଚରଣର ସାଂବିଧାନିକ ଅଧିକାରଗୁଡ଼ିକରୁ ବଞ୍ଚିତ କରି ହିଁ ରଖାଯିବ । ସିଏ ଆହୁରି ଯୁକ୍ତି କରିଥିଲେ ଯେ ଏମାନଙ୍କୁ ଅଧିକ କାଳ ଏହିପରି ବନ୍ଦିନୀ କରି ରଖିଲେ ସେମାନେ ସେମାନଙ୍କ ସନ୍ତାନମାନଙ୍କର କୌଣସି ତତ୍ତ୍ୱ ନେଇ ପାରିବେ ନାହିଁ ଏବଂ ଫଳରେ, ସେହି ସନ୍ତାନବର୍ଗ ମଧ୍ୟ ଦୁଃଖ ଭୋଗିବାଲାଗି ବାଧ୍ୟ ହେଉଥିବେ ।

 

କିନ୍ତୁ, ସରକାରୀ ପକ୍ଷର ଓକିଲ ଏଡ଼େ ବଡ଼ ରଓବ ଦେଖାଇ ଏହି ସବୁକିଛିର ବିରୋଧ କରିବାରେ ଲାଗିଗଲେ । ରାୟଫର୍ଦ୍ଦରେ ତାଙ୍କ ବକ୍ତବ୍ୟଟିର ଯେଉଁ ସାରାଂଶଟି କରାଯାଇଛି, ସେହି ଅନୁସାରେ ସିଏ ଯୁକ୍ତି କରିଥିଲେ ଯେ, “ଯଦି ଏହି ମହିଳାମାନଙ୍କୁ ମୁକ୍ତ କରି ଦିଆଯାଏ, ତେବେ ଏଥର ଏମାନେ ଶେଠାଣୀ ହୋଇ ସେହି ପୂର୍ବ ଜୀବିକାକୁ ଫେରିଯିବାର ହିଁ ପୂର୍ଣ୍ଣ ସମ୍ଭାବନା ରହିଛି-। ସେମାନଙ୍କୁ ସେଠାକୁ ଟାଣି ନେଇଯିବା ଲାଗି ଅଝରେ ଦଲାଲମାନେ ଆସି ପହଞ୍ଚିଯିବେ-। ପରିଣାମ ସ୍ୱରୂପ, ଏକଦା ଉଦ୍ଧାର କରି ଅଣା ଯାଇଥିବା ଏହି ମହିଳାମାନେ ପୁଣି ସେହି ଜାଲର କବଳରେ ଯାଇ ପଡ଼ିଯିବେ, ଆପଣାର ଅଧିକାର ହରାଇବେ ଏବଂ ନାରୀତ୍ଵର ସନ୍ତାନଟିକୁ ମଧ୍ୟ ହରାଇ ବସିବେ । ଏବଂ, ଯେଉଁ ମହିଳାମାନେ HIV ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେମାନେ ମଧ୍ୟ ଦେହଜୀବୀର ଧନ୍ଦା କରିବେ ଏବଂ ଫଳରେ ସେମାନଙ୍କ ସହିତ ସଙ୍ଗମ କରିବାକୁ ଆସୁଥିବା ଆହୁରି ଅନେକ ବ୍ୟକ୍ତି ମଧ୍ୟ ସଂକ୍ରମଣର ଶିକାର ହେବେ । ଏହାଦ୍ୱାରା ସମାଜରେ ଆହୁରି ଅଧିକ କ୍ଷତି ହେବାହିଁ ସାର ହେବ ।’ ଇତ୍ୟାଦି, ଇତ୍ୟାଦି ।

 

ଉଚ୍ଚତର ନ୍ୟାୟାଳୟ ‘ଇଜଲାସ୍ ବନ୍ଧୁ’ଙ୍କ ତୁଳନାରେ ସରକାରୀ ଓକିଲଙ୍କର ସେହି ଆବେଗପୂର୍ଣ୍ଣ ଯୁକ୍ତିଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ପରି ବୋଧ ହେଉଥିଲା । ଏକ ବିସ୍ତୃତ ରାୟଫର୍ଦ୍ଦରେ ୧୯୯୭ ଡିସେମ୍ବର ୯ ତାରିଖ ଦିନ ଉଚ୍ଚ ନ୍ୟାୟାଳୟର ବିଜ୍ଞ ବିଚାରାଧୀଶ ଏହି ‘ସମ୍ବଳହୀନା, କୌଣସି ପ୍ରକାର ବଳ ନଥିବା ପତିତା ନାରୀମାନଙ୍କର ଦୁରବସ୍ଥା ସମ୍ବନ୍ଧରେ ବାରବାର ନିଜର ଚିନ୍ତାକୁ ପ୍ରକଟ କରିଥିଲେ । ଆମ ସମାଜର ନୀତିଗର୍ହିତ ଏହି କାର୍ଯ୍ୟଟିର ମୂଳୋତ୍ପାଟନ ଲାଗି ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବାର କ୍ଷେତ୍ରରେ ରାଷ୍ଟ୍ରର ଭୂମିକା ଉପରେ ସେ ପ୍ରଭୂତ ଗୁରୁତ୍ୱ ଦେଇଥିଲେ । ସେହି ଜାଲରେ ପଡ଼ିଥିବା ଏମାନଙ୍କର ପୁନର୍ବାର ଥଇଥାନ ନିମନ୍ତେ ସେ ରାଷ୍ଟ୍ରକୁ ହିଁ ଅନୁରୋଧ ଜଣାଇଥିଲେ । ସିଏ ଆଇନର ସମର୍ଥନ ଦେଇ ମନ୍ତବ୍ୟ ବାଡ଼ିଥିଲେ ଯେ, ଉଦ୍ଧାର କରି ଅଣା ଯାଇଥିବା ଏହି ମହିଳାମାନଙ୍କୁ ସୁରକ୍ଷାଶ୍ରୟ କିମ୍ବା କଲ୍ୟାଣଗୃହ ମାନଙ୍କରେ ଥଇଥାନ କରାଇବା ଲାଗି ମାଜିଷ୍ଟ୍ରେଟ୍‍ଙ୍କ ହାତରେ ହିଁ ସମୁଚିତ କ୍ଷମତା ନ୍ୟସ୍ତ କରା ଯାଇଅଛି । ତଦ୍ଦ୍ୱାରା ସମାଜର ମଧ୍ୟ ମଙ୍ଗଳ ହେବ ଏବଂ ତେଣୁ ତାହା ମହିଳାମାନଙ୍କର ମୌଳିକ ଅଧିକାରଚୟର କୌଣସି ଖିଲାପ କରିବ ନାହିଁ ।

 

ଆଇନ୍‌ର ଏହି ଧାରାଟି ଅବଶ୍ୟ HIV ଥିବା ଓ HIV ନଥିବା ମହିଳାମାନଙ୍କର ଆଦୌ କୌଣସି ପୃଥକ୍ ପୃଥକ୍ ବିଚାର କରିନାହିଁ । କିନ୍ତୁ, ବିଚାରପତି ନିର୍ଦ୍ଦେଶ ଦେଇଥିଲେ ଯେ, HIV ନଥିବା ମହିଳାମାନେ ବ୍ୟକ୍ତିଗତ ସର୍ତ୍ତପତ୍ର ଦେଇ ଖଲାସ ହୋଇ ପାରିବେ, କାରଣ ସେମାନେ ନିଜ ନିଜର ଘରକୁ ଫେରିଯାଇ ସନ୍ତାନବର୍ଗଙ୍କ ସହିତ ଏକ ସାଧାରଣ ଜୀବନଯାପନ କରିବାଲାଗି ନିଶ୍ଚୟ ଇଚ୍ଛା କରୁଥିବେ । ମାତ୍ର, HIV ଥିବାର ପ୍ରମାଣ ଦେଇଥିବା ବାକି ଏକୋଇଶି ଜଣ ମହିଳାଙ୍କ ସକାଶେ ସିଏ ଆଦେଶ ଦେଇଥିଲେ ଯେ, ସେମାନେ କଲ୍ୟାଣଗୃହ ଗୁଡ଼ିକୁ ହିଁ ଫେରିଯିବେ । ରାଜ୍ୟ ସରକାରଙ୍କର କଲ୍ୟାଣଗୃହ ଗୁଡ଼ିକରେ ସର୍ବନିମ୍ନ ସୁବିଧାମାନ ମଧ୍ୟ ପ୍ରଦତ୍ତ ହୋଇନାହିଁ ବୋଲି ‘ଇଜଲାସ୍ ବନ୍ଧୁ’ ଯେଉଁ ରିପୋର୍ଟ ଦେଇଥିଲେ, ସେହି ପରିପ୍ରେକ୍ଷୀରେ ବିଚାରାଳୟ ଉକ୍ତ ଗୃହଗୁଡ଼ିକୁ ଚଳାଇବାର ଦାୟିତ୍ୱକୁ ନିଜେ ବହନ ନକରି ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ହାତରେ ଅର୍ପଣ କରିଦେବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

 

ଏହି ଦାୟିତ୍ୱଟି ଗ୍ରହଣ କରିବା ପାଇଁ ବହୁସଂଖ୍ୟକ ସ୍ୱେଚ୍ଛାସେବୀ ସଂଗଠନ ଆଗ୍ରହୀ ହୋଇ ରହିଥିଲେ । କେତେକ ସଂଗଠନ ତ ପୂର୍ବରୁ ହିଁ ବନ୍ଦୀଶାଳାରେ ରହିଥିବା ଏହି ମହିଳାମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ସାରିଥିଲେ ଏବଂ କେତେକ ନିର୍ଦ୍ଦିଷ୍ଟ ମହିଳାଙ୍କୁ ସେମାନଙ୍କର ହେପାଜତରେ ଛାଡ଼ିବା ସକାଶେ ଜେଲ୍ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ନିଜ ଭିତରେ ଏଥିପାଇଁ କଳହ ବି କରୁଥିଲେ, କିଛି ମୂଲଚାଲ ବି କରି ପକାଇଥିଲେ । ନିର୍ମଳା ତ କହିଲା ଯେ ସେମାନଙ୍କୁ ସେମାନେ ସତେ ଅବା ପୋଷେ ପୋଷେ ଚଣା ପରି ବାଣ୍ଟି ନେବାକୁ ଚାହୁଁଥିଲେ । ଶେଷକୁ ସରକାର ପ୍ରତ୍ୟାମ୍ନାୟ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ବାଛିଲା । ସେମାନଙ୍କ ହାତରେ ପନ୍ଦର ଲକ୍ଷ ଟଙ୍କା ଦେଲା; ତା’ସହିତ ସହରର ଉପକଣ୍ଠରେ ଆଠ ଏକରର ଗୋଟିଏ ଜାଗା ଉପରେ ଗୋଟିଏ ବୃହତ୍ ସରକାରୀ ଅଟ୍ଟାଳିକା ମଧ୍ୟ ଯୋଗାଇ ଦେଇଥିଲା । ସ୍ୱେଚ୍ଛାସେବୀ ସଂଗଠନମାନେ ଏଡ଼େ ଏଡ଼େ ବୃହତ୍ ଆୟତନ ତଥା ପରିମାଣରେ ମହିଳାମାନଙ୍କର ଦାୟିତ୍ୱ ନେବାପାଇଁ ଯେ ଏତେ ବେଶୀ ଆଗ୍ରହ ପ୍ରକାଶ କରୁଥିଲେ, ତା’ପଛରେ କାରଣ ମଧ୍ୟ ଅବଶ୍ୟ ଥିଲା I

 

ସରକାରମାନେ ଓ କୋର୍ଟ କଚେରୀମାନେ ଯେଉଁଭଳି ଧାରାରେ ନିଜର କାର୍ଯ୍ୟ କରନ୍ତି, ସେହି ଧାରାଗୁଡ଼ିକ ଅନେକ ସମୟରେ ବେଶ୍ ରହସ୍ୟମୟ-ଓ-ଅରାଜକ ହୋଇ ରହିଥାଏ । HIV ଦୋଷ ବହନ କରୁଥିବା ମହିଳାମାନେ ସେହି ପୂର୍ବଭଳି ବନ୍ଦୀଶାଳାରେ ରହିବେ ବୋଲି ଉଚ୍ଚ କୋର୍ଟ ନିର୍ଦ୍ଦେଶନାମା ପ୍ରଦାନ କରିଥିବା ସମୟରେ ଆତ୍ମହତ୍ୟା ନିମନ୍ତେ ପ୍ରୟାସ କରୁଥିବାର ଅପରାଧ ଲାଗି ସେମାନଙ୍କର ବିଚାର କରୁଥିବା ତଳ କୋର୍ଟ୍ ଯୁଗପତ୍ ଭାବରେ ବ୍ୟକ୍ତିଗତ ସର୍ତ୍ତପତ୍ର ଲେଖିଦେଇ ସେମାନଙ୍କୁ ଖଲାସ ହୋଇ ଯିବାପାଇଁ ରାୟ ଦେଲା ।

 

ବନ୍ଦୀଶାଳାରେ ସେମାନଙ୍କର ଆଠ ଆଠ ମାସ କଟିଥିଲା,–ମଝିରେ ପୁଣି ଅଳ୍ପବୟସ୍କା ରାଧାର ମୃତ୍ୟୁ ବି ଘଟିଥିଲା,–ଏସବୁ ଅଙ୍ଗେ ନିଭାଇବା ପରେ ସେମାନଙ୍କ ଭିତରେ ବଞ୍ଚିବା ଲାଗି ଆଉ କୌଣସି ତାକତ ହିଁ ନଥିଲା । ଅତ୍ୟନ୍ତ ଲଜ୍ଜା ତଥା ବିରକ୍ତଭାବ ସହିତ ନିର୍ମଳା ପଛକଥା ମନେପକାଇ କହୁଥିଲା ଯେ, ସେମାନେ ଜେଲରୁ ଖଲାସ ହେବା ପୂର୍ବରୁ HTV ରହିଛି ବୋଲି ଚିହ୍ନଟ କରା ଯାଇଥିବା ସବୁ ମହିଳାଙ୍କର ଅପରାଧୀଙ୍କ ଭଳି ଫଟୋଚିତ୍ର ନିଆଗଲା । ସେମାନେ ହାତରେ ଗୋଟିଏ ଗୋଟିଏ କାଗଜପଟା ଧରିଥିଲେ, ଯେଉଁଥିରେ କି ଏଡ଼େ ଏଡ଼େ ଅକ୍ଷରରେ ସେମାନଙ୍କର ନାଆଁକୁ ଲେଖି ଦିଆ ଯାଇଥିଲା । ବାରବାର ଅପରାଧ କରୁଥିବା ଅପରାଧୀମାନଙ୍କର ଏକ ରେକର୍ଡ଼ ରଖିବା ସକାଶେ ପୋଲିସ୍ ସାଧାରଣତଃ ଏହି ଭଳି କରିଥାଏ । ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ଅତ୍ୟନ୍ତ ଟିକିନିଖି ଭାବରେ ସେମାନଙ୍କ ପରିବାରଗୁଡ଼ିକ ବିଷୟରେ ସବୁ କଥା ଟିପି ରଖିଲେ ଏବଂ, ଆବଶ୍ୟକ ହେଲେ ସେମାନଙ୍କୁ କେଉଁ ଠିକଣାରେ ପାଇହେବ, ସେଗୁଡ଼ିକୁ ମଧ୍ୟ ।

 

ସେମାନେ ଖଲାସ ହେବାର ପ୍ରାୟ ଅବ୍ୟବହିତ ପରେ ରାଜ୍ୟର କର୍ତ୍ତୁପକ୍ଷ ଉଚ୍ଚତର ନ୍ୟାୟାଳୟରୁ ଏକ ଆଦେଶ ପାଇଥିଲେ ଯେ, ଯେଉଁ ମହିଳାମାନେ HIV ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ କୌଣସି କଲ୍ୟାଣଗୃହରେ ଅନ୍ତରୀଣ କରି ରଖିବାକୁ ହିଁ ପଡ଼ିବ । ସରକାର ମହା ଅଡ଼ୁଆରେ ପଡ଼ିଲେ; କାରଣ, ସବୁ ମହିଳା ଖଲାସ ହୋଇ ସାରିଛନ୍ତି ବୋଲି ସେମାନଙ୍କୁ ଉଚ୍ଚ ନ୍ୟାୟାଳୟ ପାଖକୁ ଲେଖି ଜଣାଇବାକୁ ପଡ଼ିଥିଲା । ଖବରକାଗଜ ସଂସ୍ଥାମାନେ ଏହି କଥାଟି ଜାଣିବାକୁ ପାଇଲେ ଯେ ଚାରିଆଡ଼େ କି ହୁଲସ୍ତୁଲ ପଡ଼ିଯିବ, ସରକାର ସେହି ଆଶଙ୍କାଟିକୁ କରି ଖୁବ୍ ଭୀତ ହୋଇ ପଡ଼ୁଥିଲେ । ତେଣୁ, ଖଲାସ ହୋଇଥିବା ମହିଳାମାନେ କେଉଁଠାକୁ ଗଲେ ବା କେଉଁଠାରେ ରହିଲେ, ସେହି କଥା ବୁଝି ଖବର ଦେବାକୁ ସ୍ଥାନୀୟ ପୋଲିସ୍‌ଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଯେକୌଣସି ପ୍ରକାରେ ହେଉ ପଛକେ ସେମାନଙ୍କୁ ସେଠାରୁ ପୁନର୍ବାର ନେଇ ଆସିବାଲାଗି ମଧ୍ୟ ହୁକୁମ ଥିଲା ।

 

ପୋଲିସ ତା’ପରେ ଜଣ ଜଣ କରି ସେହି ମହିଳାମାନଙ୍କୁ ଖୋଜି ଠାବ କରିବାରେ ଲାଗି ପଡ଼ିଥିଲେ ଏବଂ, ସେମାନେ ଯେପରି ପୁନର୍ବାର ଫେରିଆସିବେ, ସେଥିଲାଗି ପ୍ରାଣାନ୍ତକ ପ୍ରୟାସ ମଧ୍ୟ କଲେ । ସେମାନେ ଯେଉଁସବୁ ସ୍ଥାନକୁ ଯାଇ ମୁଣ୍ଡ ଗୁଞ୍ଜି ରହିଥିଲେ, ସେଠାରେ ପୋଲିସ ଝଡ଼ ପରି ଯାଇ ପହଞ୍ଚି ଯାଇଥିଲା; ପୂର୍ବର ସେହି ଫଟୋଗୁଡ଼ିକରେ, ଯେଉଁଥିରେ ଅପରାଧୀଙ୍କ ଭଳି ସେହି ନାମପଟା ଗୁଡ଼ିକୁ ଦେଖାଇ ପ୍ରଦର୍ଶିତ ହୋଇଥିଲେ ସେମାନେ ସେହି ଗୁଡ଼ିକୁ ଦେଖାଇ ଖୋଜିବା ଆରମ୍ଭ କରି ଦେଇଥିଲେ । ଫଟୋଗୁଡ଼ିକ ପ୍ରତିବେଶୀମାନଙ୍କୁ ଦେଖାଇ ଦିଆ ଯାଉଥିଲା ଏବଂ ପୋଲିସ୍ ସେମାନଙ୍କ ଆଗରେ କହି ଦେଉଥିଲେ ଯେ, ମହିଳାମାନେ ଏକ ବିପଦଜନକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତେଣୁ, ସେମାନେ ଏଠାରେ ବସବାସ କଲେ ସମ୍ପୂର୍ଣ୍ଣ ବସତିଟି ମଧ୍ୟ ଆକ୍ରାନ୍ତ ହେବାର ଏକ ଆଶଙ୍କା ଅବଶ୍ୟ ଉପସ୍ଥିତ ହେବ । ଫଳରେ ପଡ଼ିଶାମାନେ ଅତ୍ୟନ୍ତ କ୍ରୋଧଭର ହୋଇ ସେହି ମହିଳାମାନଙ୍କୁ ତତ୍‌କ୍ଷଣାତ୍ ପୁଡ଼ା ପତର ବାନ୍ଧି ସେଠାରୁ ଚାଲିଯିବା ନିମନ୍ତେ ଅଡ଼ି ବସୁଥିଲେ । ଏବଂ, ମହିଳାମାନେ ତଥାପି ରାଜି ନହେଲେ, ସେମାନେ ଯେଉଁ ପୁରୁଷମାନଙ୍କ ସହିତ ବାସ କରୁଥିଲେ, ସେମାନଙ୍କ ଉପରେ ମାଡ଼ ବସିବା ଆରମ୍ଭ ହୋଇ ଯାଉଥିଲା ।

 

ନିର୍ମଳା ତା’ର ପରିଚିତ ଜଣେ ପୁରୁଣା ପୁରୁଷ ପାଖରେ ଯାଇ ରହୁଥିଲା, ଯିଏକି କୌଣସି ଛାତ୍ରାବାସରେ ରାନ୍ଧୁଣିଆ କାର୍ଯ୍ୟ କରୁଥିଲା । ଆଗରୁ ଖୁବ୍ ମଦ ପିଉଥିଲା, କିନ୍ତୁ ନିର୍ମଳା ସହିତ ସାକ୍ଷାତ ହେବା ପରେ ତା’ର ସେହି ଅଭ୍ୟାସଟି ଛାଡ଼ି ଯାଇଥିଲା । ନିର୍ମଳାକୁ ସେ କେତେ ନା କେତେ ଭଲ ପାଉଥିଲା । ପୋଲିସ୍‌ ଏହି ପୁରୁଷଟିକୁ ବଡ଼ ନିର୍ଦ୍ଦୟ ଭାବରେ ବାଡ଼େଇଲା, କାରଣ ନିର୍ମଳା ସେମାନଙ୍କ ସହିତ ଯିବାକୁ ରାଜି ହୋଇ ନଥିଲା । ତାକୁ ଖୋଜି ବାହାର କରିଥିବା ତିନିଜଣଯାକ ପୋଲିସ୍‌ବାଲାଙ୍କୁ ନିର୍ମଳା ଛିଗୁଲେଇ କରି ନାନା କଥା କହିବାରେ ଲାଗିଥାଏ । ସେମାନଙ୍କ ମଧ୍ୟରୁ ଜଣେ ଯେ ଏକଦା ତା’ପାଖକୁ ଜଣେ ଗର୍‍ହାକ ହୋଇ ଆସୁଥିଲା, ସିଏ ତାହା ବେଶ୍ ମନେ ରଖିଥିଲା ସେହି ପୋଲିସ ଜଣକ ତା’ର ପୁଅ ଉତକାମଣ୍ଡର ଗୋଟିଏ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଛି ବୋଲି କୌଣସି ପ୍ରକାରେ କିଣିଥିଲା ଏବଂ ତେଣୁ, ତା’ର ଏହି ଧନ୍ଦା ତଥା ଏହି ବେମାରି ବିଷୟରେ ସିଏ ପୁଅ ପାଖରେ ଯାଇ ସବୁ କହିଦେବ ବୋଲି ଭୟ ବି ଦେଖାଇଲା । ଏକଥା ସିଏ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ କହି ଦେବ ବୋଲି କହିଲା । ବିଚାରୀ ନିର୍ମଳା ତେଣୁ ଝିଅକ ମାରି ପୋଲିସ୍ ସହିତ ଫେରିଯିବାକୁ ବାଧ୍ୟ ହେଲା ।

 

ଉକ୍ତ ମହିଳାମାନଙ୍କୁ ଖୋଜି ବାହାର କରିବାରେ ପୋଲିସ୍‌ବାଲା ସଫଳ ହୋଇଗଲେ । ଗୋଟିଏ ମାସ ଭିତରେ HIV ଥିବା ଆଠଜଣ ମହିଳା ପୁନର୍ବାର ସେମାନଙ୍କର ଜାଲ ଭିତରକୁ ଫେରି ଯାଇଥିଲେ ଏବଂ ଉକ୍ତ ସ୍ୱେଚ୍ଛାସେବୀ ସଂଗଠନର ହେପାଜତରେ ରହିଥିଲେ ।

 

ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ କେନ୍ଦ୍ରଟିରେ ଅପେକ୍ଷାକୃତ ଭଲ ଖାଦ୍ୟ ମିଳୁଥିଲା,–କଲ୍ୟାଣଗୃହ ଓ ଜେଲ୍ ତୁଳନାରେ ବହୁତ ଭଲ ଖାଦ୍ୟ । ଏବଂ, ସେମାନଙ୍କ ଛବି ଆଙ୍କିବା ଓ ଗୀତ ଗାଇବା ପ୍ରଭୃତି ଶିକ୍ଷା ଦେବା ପାଇଁ ମଝିରେ ମଝିରେ କାଁ ଭାଁ ଚେଷ୍ଟା ବି କରା ଯାଉଥିଲା । ସେମାନେ ଅକ୍ଷର ଶିଖିଲେ, ଫଳମାନଙ୍କରୁ ଜାମ୍ ବି ତିଆରି କରି ଜାଣିଲେ । କେବଳ ପୁରୁଷମାନେ ହିଁ ଏହି ସବୁକିଛି ଶିକ୍ଷା ଦେବାକୁ ଆସୁଥିଲେ ଏବଂ ସେମାନେ ଏହି ମହିଳାମାନଙ୍କର ଅତୀତର ଜୀବନ ବିଷୟରେ ସର୍ବଦା ଉତ୍କଣ୍ଠା ପ୍ରକାଶ କରୁଥିଲେ । କେଉଁ ଲୋକମାନେ ଏମାନଙ୍କ ପାଖକୁ ଗରହାକ ହୋଇ ଆସୁଥିଲେ, ସେମାନେ ଖାସ୍ କେଉଁ ଭଳି ରୀତିରେ ସେମାନଙ୍କୁ ଉପଭୋଗ କରୁଥିଲେ, ସେମାନଙ୍କ ପ୍ରତି କୌଣସି ବଳାତ୍କାର କରୁଥିଲେ କି ନାହିଁ,–ଇତ୍ୟାଦି, ଇତ୍ୟାଦି । ସେମାନଙ୍କ ଆଠଜଣଙ୍କର ଯତ୍ନ ନେବାପାଇଁ ସରକାର ଏହି ସଂଗଠନକୁ ପନ୍ଦର ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ମହିଳାମାନଙ୍କୁ ଅବଶ୍ୟ ଗୋଚର ଥିଲା । ସେହି ହିସାବରେ ପ୍ରତ୍ୟେକ ମହିଳା ପିଛା ଦେଢ଼ଲକ୍ଷରୁ କିଛି ଅଧିକ ବୋଲି ଜାଣି ହେଉଥିଲା । ଏସବୁ ଟଙ୍କା କୁଆଡ଼େ ଗଲା ବୋଲି ମହିଳାମାନେ ସ୍ୱେଚ୍ଛାସେବୀ ମାନଙ୍କୁ ନାନା ଅଡ଼ୁଆ ପ୍ରଶ୍ନମାନ ବି କରୁଥିଲେ । ଯାହା ଉତ୍ତର ପାଉଥିଲେ, ସେଥିରେ ସେମାନଙ୍କର ଆଦୌ ମନ ବୋଧ ହେଉନଥିଲା ।

 

ସେଠାରେ ମଧ୍ୟ ନିର୍ମଳା ଏବଂ ଅନ୍ୟ ମହିଳାମାନେ ଅଧିକରୁ ଅଧିକ ନିରାଶ ଅନୁଭବ କଲେ । ବଡ଼ ଏକାକୀ ମଧ୍ୟ ଲାଗିଲା । ସେମାନେ ମୁକ୍ତି ପାଇବାକୁ ବ୍ୟାକୁଳ ହେଉଥିଲେ ଏବଂ ନିଜ ପରିବାରବର୍ଗଙ୍କର କଥା ମନେପକାଇ ଆକୁଳ ହୋଇ ଉଠୁଥିଲେ । ନିଜ ପୁଅର ପଢ଼ାଖର୍ଚ୍ଚ ପଠାଇବାରେ ଏଠାରେ ମଧ୍ୟ ନିର୍ମଳାର କୌଣସି ସାମର୍ଥ୍ୟ ନଥିଲା । ଏବେ ମଧ୍ୟ ଅନୁକୂଳ ସମୟ ଆସିନାହିଁ ଓ ତା’ ହାତରେ କୌଣସି କାମ ନାହିଁ ବୋଲି ସେ ନିଜ ସାହାଯ୍ୟକାରୀ ଭିଣୋଇଙ୍କ ପାଖକୁ ଲେଖୁଥିଲା । ଭିଣୋଇ ମଧ୍ୟ ପିଲାଟିର ଖର୍ଚ୍ଚକୁ ଭରଣା କରି ଦେଉଥିଲେ । ମାତ୍ର, ଥରେ ନିଜର ପୁଅକୁ ଦେଖିବାପାଇଁ ମଧ୍ୟ ନିର୍ମଳା ଖୁବ୍ ବିକଳ ହେଉଥିଲା,–ତାକୁ ଥରେ ନିଜ ଛାତି ଉପରେ ଜାକି ଧରିବ ବୋଲି ବହୁତ ଇଚ୍ଛା କରୁଥିଲା ।

 

ସ୍ୱେଚ୍ଛାସେବୀ ସଂଗଠନର ଏହି ଆଶ୍ରୟଗୃହରେ ବନ୍ଦିନୀ ହୋଇ ରହିଥିବା ଆଉଜଣେ ମହିଳା ଗୀତା ଦିନେ ଖବର ପାଇଲା ଯେ ତା’ର ମାଆ ପାଖରେ ଶୁଶ୍ରୂଷା କରିବାପାଇଁ କେହି ନଥିବାରୁ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏବଂ, ବାପା ମଧ୍ୟ ପୀଡ଼ିତ ଅବସ୍ଥାରେ ଅଛନ୍ତି । ବାପାଙ୍କ କଥା ଚିନ୍ତା କରି ଗୀତାର ମୁଣ୍ଡ ଆଉ ଆଦୌ ଥୟ ଧରି ରହି ପାରିଲାନାହିଁ । ବର୍ତ୍ତମାନ ବାପା ଘରେ ସଂପୂର୍ଣ୍ଣ ଏକୁଟିଆ ହିଁ ରହିଥିଲେ । ସିଏ ହତାଶାରେ ପାଗଳପ୍ରାୟ ହୋଇ ହାତରେ ପିନ୍ଧିଥିବା କାଚଗୁଡ଼ାକୁ ପିଟି ଚୂନା କରିଦେଲା ଏବଂ, ତାକୁ ଯଦି ଖଲାସ କରି ନ ଦିଆ ହୁଏ, ତେବେ ସେହି ଟୁକୁଡ଼ା କାଚଗୁଡ଼ିକୁ ଖାଇଦେବ ବୋଲି ଭୟ ଦେଖାଇଥିଲା । ସେମାନେ ଅଗତ୍ୟା ତାକୁ ତା’ର ଗାଆଁକୁ ପଠାଇଦେଲେ; ମାତ୍ର ସିଏ ଯାଇ ପହଞ୍ଚିବାର ଅବ୍ୟବହିତ ପରେ ବାପା ମଧ୍ୟ ଚାଲିଗଲେ ।

 

ଏହିପରି ଭାବରେ ଧୀରେ ଧୀରେ ଏଠାରେ ବନ୍ଦିନୀମାନଙ୍କର କୋଡ଼ିଏ ମାସ ଚାଲି ଯାଇଥିଲା । ସେହି ଅବଧିଟି ମଧ୍ୟରେ କେତେକଣ ଦରଦ ଥିବା ସକ୍ରିୟ ସ୍ୱେଚ୍ଛାସେବୀ, ଓକିଲ ଓ ସାମ୍ବାଦିକ ଏହି ଦୁର୍ଗତାମାନଙ୍କର କାହାଣୀକୁ ମେଡ଼ିଆ ମାଧ୍ୟମରେ ଲୋକଗୋଚରକୁ ଆଣିଥିଲେ,–ନ୍ୟାୟାଳୟରେ ମଧ୍ୟ ଏହି ନିରୀହା ମହିଳାମାନଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ବନ୍ଦିନୀ କରି ରଖାଯାଇ ପାରିବନାହିଁ ବୋଲି ଯୁକ୍ତିମାନ ଦର୍ଶାଇଥିଲେ । ଅବଶ୍ୟ ଦୀର୍ଘ ସମୟ ଲାଗିଥିଲା, ତଥାପି ମାମଲାଟିର ଏତେ ଅଧିକ ଗୁରୁତ୍ୱ ଏବଂ କୋର୍ଟରେ ଉପସ୍ଥାପିତ କରା ଯାଇଥିବା ଯୁକ୍ତିମାନ, ସବୁ ମିଶି ଉଚ୍ଚ ନ୍ୟାୟାଳୟକୁ ଶେଷରେ ସମ୍ମତ କରାଇ ପାରିଥିଲେ ଏବଂ, ସେହି ମହିଳାମାନଙ୍କୁ ଖଲାସ କରିଦିଆ ଯାଇଥିଲା ।

 

ଖଲାସ ହେବାପରେ ସେମାନେ ଭିନ୍ନ ଭିନ୍ନ ମାର୍ଗରେ ନିଜ ଜୀବନର ଖିଅଗୁଡ଼ିକୁ ପୁନର୍ବାର ନିଜ ହାତକୁ ଆଣିବା ନିମନ୍ତେ ଚେଷ୍ଟା କଲେ । ସେମାନଙ୍କ ଭିତରୁ ଜଣେ, ମମତାଜ୍, ଜଣେ ଅଟୋରିକ୍ସା ଡ୍ରାଇଭରକୁ ବିବାହ କରିଥିଲା ଏବଂ ତା’ପରେ ନିଜକୁ ଜଣେ ଶେଠାଣୀରୂପେ ନିଯୁକ୍ତ କରିପାରିଲା ବୋଲି ଜନରବ ହୋଇଥିଲା । ଆଉକେତେ ସଂପ୍ରତି ଏକାକୀ ବାସ କରୁଛନ୍ତି ଏବଂ ନୂଆ ନୂଆ କାର୍ଯ୍ୟମାନ କରୁଛନ୍ତି । ଅନ୍ୟମାନେ ନିଜ ନିଜ ପରିବାରକୁ ଫେରି ଯାଇଛନ୍ତି ଅଥବା ଜଣେ ପରିଚିତ ପୁରୁଷ ସହିତ ବାସ ମଧ୍ୟ କରୁଛନ୍ତି ।

 

ଆଉ ଆପଣାର ପୂର୍ବ ଧନ୍ଦାକୁ ଫେରିବ ନାହିଁ ବୋଲି ନିର୍ମଳା ସ୍ଥିର କରି ନେଇଥିଲା । ପ୍ରତ୍ୟାମ୍ନାୟ ସ୍ୱେଚ୍ଛାସେବୀ ସଂଗଠନର ସାହାଯ୍ୟରେ ତାକୁ କୋଡ଼ିଏ ହଜାର ଟଙ୍କାର ଋଣ ମିଳିବା ପରେ ସିଏ ସାନ ଚାହା ଦୋକାନଟିଏ ଆରମ୍ଭ କରିଛି । ସେହି ଦୋକାନଟି ସକାଶେ ସରକାର ତାକୁ କୌଣସି ଜମି ପଟ୍ଟା ଦେଇନାହାନ୍ତି । ତଥାପି, ସିଏ ରାସ୍ତାକଡ଼ରେ ଥିବା ଗୋଟିଏ ସାନ ଜାଗାରେ ଦୋକାନଟିକୁ ଚଳାଉଛି । କିଛି ଉପାର୍ଜନ କରିପାରୁଛି । ହଁ, ସ୍ୱେଚ୍ଛାସେବୀ ସଂଗଠନ ଗୋଟିଏ ନର୍ସରୀ ମଧ୍ୟ ଚଳାଉଛି ଏବଂ କିଛି ଅଧିକ ଆୟ ହୋଇପାରିବ ବୋଲି ନିର୍ମଳା ସେଠାକୁ ମଧ୍ୟ ଯାଉଛି ।

 

ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ଥଇଥାନ-କେନ୍ଦ୍ରରେ ରହିଥିବା ସମୟରେ ‘ସିଷ୍ଟର୍ସ ଅଫ୍ ଚ୍ୟାରିଟି’ର କେତେଜଣ ସଦସ୍ୟ ସେହି କେନ୍ଦ୍ରରେ HIV ଦ୍ୱାରା ସଂକ୍ରାମିତ ଗୋଟିଏ ଶିଶୁ ବାଳିକାକୁ ମଧ୍ୟ ଆଣି ଛାଡ଼ିଥିଲେ । ପିଲାଟି ଏକ ମଧ୍ୟବିତ୍ତ ପରିବାରର, ଏବଂ ବାପାମାଆ ଉଭୟେ ସେହି ରୋଗଦ୍ଵାରା ଆକ୍ରାନ୍ତ ହୋଇଥିଲେ । ପିଲାଟି ଜନ୍ମ ହେବା ପରେ ହିଁ ସେମାନେ ତାକୁ ସେହି ହସ୍‍ପିଟାଲରେ ଛାଡ଼ି ଚାଲି ଯାଇଥିଲେ । ହସ୍‍ପିଟାଲ କର୍ତ୍ତୁପକ୍ଷ ତାକୁ ସିଷ୍ଟର୍ସ ଅଫ ଚ୍ୟାରିଟି ସଂଗଠନର ହାତରେ ଆଣିଦେଲେ–ମାତ୍ର ସେଠାରେ ପିଲାଟିର ଲାଳନପାଳନ କରିବା ନିମନ୍ତେ କେହି ରାଜି ହେଲେନାହିଁ । ସେମାନେ କହିଥିଲେ ଯେ ସେଥିପାଇଁ ସେମାନଙ୍କ ହାତରେ କୌଣସି ସୁବିଧାସାମଗ୍ରୀ ଆଦି ନାହିଁ ଏବଂ HIV ଦ୍ଵାରା ଆକ୍ରାନ୍ତ ହୋଇଥିବା ଗୋଟିଏ ପିଲାର ଶୁଶ୍ରୂଷା କରିବାକୁ ସେମାନେ ଆବଶ୍ୟକ ତାଲୀମ ମଧ୍ୟ ପାଇନାହାନ୍ତି । ଏବଂ, ଅନାଥାଶ୍ରମରେ ଅନ୍ୟ ପିଲାମାନେ ମଧ୍ୟ ରହିଛନ୍ତି,–ଏହି ରୋଗାକାନ୍ତ ପିଲାଟିକୁ ସେମାନଙ୍କ ସାଙ୍ଗରେ ରହିବାପାଇଁ ସେମାନେ ଆଦୌ ଅନୁମତି ଦେଇ ପାରିବେ ନାହିଁ । ଏହି କାରଣରୁ ସେମାନେ ତାକୁ ସ୍ୱେଚ୍ଛାସେବୀ ସଂଗଠନଟିର ମାରଫତରେ ଛାଡ଼ିବା ସକାଶେ ହିଁ ସ୍ଥିର କରିଥିଲେ ।

 

ସେହି ପିଲାଟିର ତତ୍ତ୍ୱ ନେବ ବୋଲି ନିର୍ମଳା ପୂରା ସ୍ୱେଚ୍ଛାପ୍ରବୃତ୍ତ ହୋଇ ଆପେ ଆପେ ବାହାରି ପଡ଼ିଥିଲା । ସେହି ପିଲାଟିକୁ ସମସ୍ତେ ଲୁସି ବୋଲି ଡାକୁଥିଲେ । ସ୍ୱେଚ୍ଛାସେବୀ ସଂଗଠନର କେନ୍ଦ୍ରଟିରୁ ମୁକୁଳିବା ସମୟରେ ନିର୍ମଳା ଏହି କୁନି ଝିଅଟିକୁ ମଧ୍ୟ ସାଙ୍ଗରେ ନେଇଥିଲା । ବର୍ତ୍ତମାନ ଲୁସିକୁ ଦୁଇ ବର୍ଷ ହେଲାଣି,–ସବୁବେଳେ ହସ ଓ କଳା ବର୍ଣ୍ଣର ଉଜ୍ଜ୍ୱଳ ଉଜ୍ଜ୍ୱଳ ଆଖି । ନିର୍ମଳାର ଚାହା ଦୋକାନଟି ପାଖରେ ସିଏ ଦିନତମାମ ମାଟିରେ ବସି ଖେଳିବାରେ ଲାଗିଥାଏ । ଏବଂ, ନିର୍ମଳା ସର୍ବଦା ତା’ଉପରେ ନିଘା ରଖିଥାଏ ।

☆☆☆

 

ରହିବାଟା ରାସ୍ତା ଉପରେ

 

ମୋଟେ ଆଠବର୍ଷ ବୟସ ହୋଇଥିବା ସମୟରେ ଆନନ୍ଦ ନାମକ ଗୋଟିଏ ପିଲା ନିଜ ଘର ଛାଡ଼ି ରାସ୍ତା ଉପରକୁ ଚାଲି ଯାଇଥିଲା । ତା’ପରେ ବାଙ୍ଗାଲୋର ସହରର ରାସ୍ତାଗୁଡ଼ିକୁ ହିଁ ସିଏ ଘର ପରି ବ୍ୟବହାର କରିଥିଲା । ଆଜି, କୋଡ଼ିଏବର୍ଷ ପରେ, ସିଏ ହୁଏତ ସଂପୂର୍ଣ୍ଣ ସିଧା ହୋଇ ତୁମ ମୁହଁକୁ ଅନାଇବ,–ତା’ର ଆଖିଦୁଇଟା ପୂରା ଚକଚକ ହୋଇ ଦିଶୁଥିବେ ଏବଂ ତା’ର ମୁଖମୁଦ୍ରାରୁ ଏକ ଥିର ଅଥଚ କ୍ରୀଡ଼ାମିଶ୍ରିତ ଆତ୍ମବିଶ୍ୱାସର ବିକୀରଣ ହେବାରେ ଲାଗିଥିବ । ଭବିଷ୍ୟତ ବିଷୟରେ ବର୍ତ୍ତମାନ ତାହାର ନିର୍ଦ୍ଦିଷ୍ଟ ସ୍ଵପ୍ନମାନ ରହିଛି ଏବଂ ସେଗୁଡ଼ିକୁ ବାସ୍ତବରେ ପରିଣତ କରିବା ବିଷୟରେ–ସିଏ ଦୃଢ଼ ନିଶ୍ଚିତ ହୋଇ ରହିଛି ।

 

ରାସ୍ତାକୁ ହିଁ ଘର ବୋଲି ଗ୍ରହଣ କରି ନେଇଥିବା ଅନ୍ୟ ଅନେକ ପିଲାଙ୍କ ପରି ଆନନ୍ଦ ମଧ୍ୟ ଏକଦା ଆନ୍ଧ୍ରପ୍ରଦେଶର ଚିତ୍ତୁର୍ ଜିଲ୍ଲାରେ ଅବସ୍ଥିତ ତା’ର ସାନ ଗାଆଁଟିକୁ ଛାଡ଼ି ଚାଲି ଆସିଥିଲା,–ନିଜ ପରିବାରର ଅବହେଳା ଏବଂ ଦୁର୍ବ୍ୟବହାରରୁ ରକ୍ଷା ପାଇବାକୁ ସେ ପଳାଇ ଚାଲି ଯାଇଥିଲା । ବାପା ଜଣେ ସୁନାରି ବଣିଆ ଥିଲେ,–ଗାଆଁ ଗାଆଁ ବୁଲି ଲୋକଙ୍କ ପାଇଁ ଗହଣା ତିଆରି କରି ଦେଉଥିଲେ । ଖୁବ୍ ନମ୍ର ସ୍ଵଭାବର ଜଣେ ମନୁଷ୍ୟ ଥିଲେ । କୌଣସି ଚାଷଜମି ନଥିଲା ସତ, ମାତ୍ର ନିଜର ବୃତ୍ତିଟି ବଳରେ ସେ ନିଜ ପରିବାରର ଭରଣପୋଷଣ ବେଶ୍ କରିନେଇ ପାରୁଥିଲେ । ବାପାଙ୍କର ଏହି ଧନ୍ଦାଟି ହେତୁ ଆନନ୍ଦକୁ ମଧ୍ୟ ସର୍ବଦା ଏ ଗାଆଁ ସେ ଗାଆଁ ହେବାକୁ ପଡ଼ୁଥିଲା । ତେଣୁ ସ୍କୁଲକୁ ଯାଇ ପାଠ ପଢ଼ିବା ଆଦୌ ନିୟମିତ ହୋଇ ପାରୁନଥିଲା । ତଥାପି ସେ ଯତ୍ରେ କତ୍ରେ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଥିଲା ।

 

ଆନନ୍ଦର ହେତୁ ହେବା ସମୟଠାରୁ ସେ ବାପା ମାଆ ପରସ୍ପର ସହିତ ପ୍ରବଳ ଝଗଡ଼ା କରୁଥିବାର ଦେଖି ଆସୁଥିଲା । ବାପା ଅଧିକାଂଶ ସମୟରେ ମାଆକୁ ମାଡ଼ ଦେଉଥିଲେ, ବେତରେ ପିଟୁଥିଲେ । ଶେଷରେ ଦିନେ ତାଙ୍କୁ ଘରୁ ବାହାର କରିଦେଲେ । ପିଲା ଦୁଇଟି ଘରେ ରହିଲେ । ଆନନ୍ଦକୁ ସେତେବେଳେ ଛଅ ବର୍ଷ ଓ ଭଉଣୀଟି ତା’ଠାରୁ ଦୁଇବର୍ଷ ବଡ଼ । ମାଆ ଯାଇ ପ୍ରକୃତରେ କେଉଁଠାରେ ରହିଲେ, ଆନନ୍ଦ ସେହି ବିଷୟରେ କିଛି ଜାଣି ନଥିଲା । ମାତ୍ର ସିଏ ଆଉ ମୋଟେ ଫେରି ନଥିଲେ ଓ ଆନନ୍ଦ ସେହି ଦିନଠାରୁ ତାଙ୍କୁ କେବେହେଲେ ଦେଖିନଥିଲା ।

 

ଅଳ୍ପଦିନ ପରେ ତା’ ବାପା ଘରେ ଆଉଜଣେ ସ୍ତ୍ରୀଲୋକକୁ ଆଣିଲେ । ଆନନ୍ଦର କେବଳ ଏତିକି ମନେ ରହିଛି ଯେ, ଇଏ ପିଲାମାନଙ୍କୁ ମୋଟେ ଦୁଇ ଆଖିରେ ଦେଖି ପାରୁନଥିଲା, ସେମାନଙ୍କୁ ବାସି ଖାଇବା ଆଣି ବାଢ଼ି ଦେଉଥିଲା, ସେମାନଙ୍କୁ ପିଟୁଥିଲା ଓ ଭାରି ଗାଳି ଦେଉଥିଲା-। ଆନନ୍ଦ ଯାଇ ବାପାଙ୍କୁ କହିଲା ସତ, ମାତ୍ର ବାପା ଏକ ମୀମାଂସା କରିଦେବା ଲାଗି ଚେଷ୍ଟା କରୁଥିଲେ ମଧ୍ୟ ସିଏ ଘର ଛାଡ଼ି ଅନ୍ୟତ୍ର ଚାଲିଯିବା ପରେ ପୁନର୍ବାର ସବୁ ଆରମ୍ଭ ହୋଇ ଯାଉଥିଲା । ଏହିପରି ବାପା ଥରେ ବାଙ୍ଗାଲୋର ଯାଇଥିବା ସମୟରେ ଗୋଟିଏ ବିଶେଷ ସୁଯୋଗ ଆସି ପହଞ୍ଚିଲା । ସେହିଦିନ ସକାଳେ ଆନନ୍ଦ କାହାକୁ କିଛି ନକହି ଘରୁ ବାହାରିଗଲା ଏବଂ, ଆଉ ସେଠାକୁ ମୋଟେ ଫେରିବନାହିଁ ବୋଲି ସ୍ଥିର କରି ସାରିଥିଲା ।

 

ସେହି ଦିନଟାଯାକ ଆଠବର୍ଷ ବୟସର ଏହି ପିଲାଟିର ଏଡ଼େବଡ଼ ସହରର ନାନା ରାସ୍ତା ଉପର ଚାଲି ଚାଲି ହିଁ ଅତିବାହିତ ହୋଇ ଯାଇଥିଲା । ସନ୍ଧ୍ୟାବେଳକୁ ତାକୁ ବଡ଼ ହାଲିଆ ଲାଗିଲା,–ଏକୁଟିଆ ବି ଲାଗିଲା । ଖୁବ୍‍ ଭୋକ ମଧ୍ୟ । ଦିନଯାକର ବିକାକିଣା ଶେଷ କରି ଜଣେ ପରିବା ଓ ଫଳ ବିକାଳି ତା’ ଠେଲାଗାଡ଼ିକୁ ନେଇ ଘରକୁ ଫେରୁଥିଲା । ତା’ ଗାଡ଼ିଟିରେ ଗୋରୁ ଖାଇବେ ବୋଲି କିଛି ସଢ଼ା ପରିବା ଗୋଟିଏ କଣକୁ ଅଲଗା ହୋଇ ରଖା ହୋଇଥିଲା,–ଆନନ୍ଦ ସେଥିରୁ କିଛି ତାକୁ ଦେବାପାଇଁ ବିକାଳିଟିକୁ କହିଥିଲା । ଏକଥା ଶୁଣି ପରିବା-ବିକାଳି ତା’ର ପରିଚୟ ମାଗିଲା ଓ ରାସ୍ତାରେ ସେ ଏପରି କାହିଁକି ଏକୁଟିଆ ହୋଇ ବୁଲୁଛି ବୋଲି ମଧ୍ୟ ତାକୁ ପଚାରିଥିଲା । ଆନନ୍ଦ ମିଥ୍ୟାର ଆଶ୍ରୟ ନେଇ ଉତ୍ତର ଦେଇଥିଲା ଯେ, ତା’ର ବାପାମାଆ କେହି ନାହାନ୍ତି,–ତା’ର ଘର ବା ପରିବାର ବୋଲି ମଧ୍ୟ କିଛି ନାହିଁ । ପିଲାଟି ଉପରେ ଲୋକଟିର ଦୟା ହେଲା ଏବଂ ସିଏ ତାକୁ ନିଜ ଘରକୁ ତା’ ଭାରିଯା ପାଖକୁ ନେଇ ଯାଇଥିଲା ।

 

ପଛ କଥାକୁ ହେତୁ କରି ଆନନ୍ଦ କହେ ଯେ ସେମାନଙ୍କର ନିଜର କୌଣସି ପିଲାପିଲି ନଥିଲେ; ସେମାନେ ତା’ପ୍ରତି ଖୁବ୍ ମମତା ଦେଖାଇଥିଲେ ଏବଂ ସିଏ ବି ତା’ ପକ୍ଷରୁ ସେମାନଙ୍କୁ ବୁଲି ବୁଲି ପରିବା ବିକ୍ରୀ କରିବାରେ ମଦଦ କରିଥିଲା । ଏହିପରି ଭାବରେ ଛଅମାସ କଟିଗଲା । କିନ୍ତୁ ଆନନ୍ଦ ଇତ୍ୟବସରରେ ଜାଣି ପାରିଲା ଯେ ଏହି ସ୍ତ୍ରୀଲୋକଟିର ଆଉ ଏକ ‘ବ୍ୟବସାୟ ମଧ୍ୟ ରହିଛି । ମୁଁ ଆନନ୍ଦ କହିଥିବା ଏହି କଥାଟିର ଅର୍ଥ ବୁଝି ନପାରିବାରୁ ତାକୁ ଭଲ କରି ବୁଝାଇ ଦେବାକୁ କହିଲି । କିନ୍ତୁ ଶେଷକୁ ଦେଖିଲି ଯେ ତାକୁ ସେହି ବିଷୟରେ ଆଉକିଛି ଅଧିକ କହିବାକୁ ଅତ୍ୟନ୍ତ ଅଡ଼ୁଆ ଅଡ଼ୁଆଁ ଲାଗୁଛି । ଏକଥା ଜାଣିବାରେ ମୋର କୌଣସି ସନ୍ଦେହ ରହିଲା ନାହିଁ ଯେ ଏହି ସାନ ପିଲାଟି ଏହି ଅତ୍ୟଳ୍ପ ବୟସରୁ ହିଁ ଆପଣାର ସରଳତାଟକୁ ହରାଇ ବସିଛି । ସେହି ଲୋକଟି ଖୁବ୍ ମଦ ପିଉଥିଲା ଏବଂ ଦିନେଛଡ଼ା ଦିନେ ଘରକୁ ଫେରିବା ସମୟରେ ତାଡ଼ି ପିଇ ଆସିଥିବାରୁ ଗୋଟାସୁଦ୍ଧା ଟଳଟଳ ହିଁ ହେଉଥିଲା । ଗୁଡ଼ାଏ ୟାଡ଼ୁ ସ୍ୟାଡ଼ୁ ଝଲୋଉଥିଲା, ଗାଳି ବି ଦେଉଥିଲା । ନିଜ ସ୍ତ୍ରୀକୁ ଖୁବ୍ ପିଟୁଥିଲା । ଦିନେ, ଏହିପରି ଏକ ବିଶେଷ ଘଟଣା ଘଟିଯିବା ପରେ ଲୋକଟି ପୃଥିବୀଛଡ଼ା ଅଭଦ୍ର ଭାଷାରେ ପତ୍ନୀକୁ ଗାଳି ଦେବାକୁ ଆରମ୍ଭ କରି ଦେଇଥିଲା । ସେତେବେଳକୁ ଗୋଳଟା ଶୁଣି ପଡ଼ିଶାର ଲୋକେ ମଧ୍ୟ ସେଠାରେ ଆସି ଜମା ହୋଇ ଯାଇଥିଲେ-। ଲୋକଟି ନିଜ ସ୍ତ୍ରୀକୁ ତା’ପରେ ବହେ ପିଟି ପକାଇଥିଲା । ଆନନ୍ଦ ସ୍ଥିର କଲା ଯେ ବର୍ତ୍ତମାନ ତାକୁ ସେଠାରୁ ମଧ୍ୟ ଚାଲିଯିବାକୁ ହେବ । କାରଣ, ଗୋଟିଏ ଘରର ନର୍କକୁ ଛାଡ଼ି ଆଉଗୋଟିଏ ଘରର ନର୍କ ଭିତରେ ଆସି ରହିବାଲାଗି ସିଏ ଆଦୌ ପ୍ରସ୍ତୁତ ନଥିଲା ।

 

ତେଣୁ ସେ ପୁନର୍ବାର ରାସ୍ତା ଉପରକୁ ବାହାରି ପଡ଼ିଥିଲା । ରାତି ସମୟ ଏବଂ ଏହିପରି ସଂପୂର୍ଣ୍ଣ ନିରୁଦ୍ଦେଶ୍ୟ ହୋଇ ବୁଲୁ ବୁଲୁ ସିଏ ଆଉ କେତେ ବାଳକଙ୍କର ଗୋଟିଏ ମେଳରେ ଯାଇ ପହଞ୍ଚିଗଲା, ଯେଉଁମାନେ ଛିଣ୍ଡା ଲୁଗାସବୁ ପିନ୍ଧି ଥାଆନ୍ତି ଓ ଯେଉଁମାନଙ୍କର ମୁହଁ ଭାରି ମଇଳା ଦେଖା ଯାଉଥାଏ । କୌଣସି ରାସ୍ତାର ଗୋଟିଏ କୋଣଜାଗାରେ ସିଏ ସେମାନଙ୍କୁ ଭେଟିଥିଲା । ସେମାନଙ୍କ ଭିତରୁ ଜଣ-କେତେ ଗୋଡ଼କୁ ଇମ୍ବାଇ ଦେଇ ସେହି ରାସ୍ତାଉପରେ ଶୋଇ ଯାଇଥାନ୍ତି ଏବଂ ଆଉ କେତେଜଣ ସାନ ସାନ ଗୋଷ୍ଠୀ ବାନ୍ଧି କ’ଣ ସବୁ ଖାଉଥାନ୍ତି, ତାଆସ ଖେଳୁଥାନ୍ତି ବା କେବଳ ଗପ ମେଲିଦେଇ ହସିବାରେ ଲାଗିଥାନ୍ତି ।

 

ଆନନ୍ଦ ମଧ୍ୟ ସେମାନଙ୍କଠାରୁ ଖଣ୍ଡେ ଦୂରରେ ଯାଇ ବସିପଡ଼ିଲା ଏବଂ ସେହି ଦୂରରୁ ସେମାନଙ୍କ ଉପରେ ଦୃଷ୍ଟିପାତ କରିବାକୁ ଲାଗିଲା । କିଛି ସମୟ ପରେ ଏହି ଏକାକୀବୋଧ ଅସହ୍ୟ ହେବାପରି ଲାଗିଲା ତେଣେ, ଭୋକରେ ପେଟ ମଧ୍ୟ ଜଳୁଥାଏ । ସିଏ ତୁନି ତୁନି କାନ୍ଦିବାକୁ ଆରମ୍ଭ କଲା । ତା’ଠାରୁ ଅଳ୍ପ ବଡ଼ ଗୋଟିଏ ପିଲା ଆସି ତା’ପାଖରେ ପହଞ୍ଚିଲା । ତାକୁ କିଛି ଖାଇବାକୁ ଦେଲା ଓ ଘଟଣା କ’ଣ ବୋଲି ପଚାରିଥିଲା । ଆନନ୍ଦ ଗୋଟିଗୋଟି କରି ସବୁକଥା କହିଗଲା । ପିଲାଟି ତାକୁ କହିଲା ଯେ ସେମାନେ ସମସ୍ତେ ରାସ୍ତାରୁ କଚଡ଼ା ହୋଇ ପଡ଼ିଥିବା ଦ୍ରବ୍ୟମାନ ଉଠାଇ ଏକାଠି କରନ୍ତି । ସିଏ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଉ ବୋଲି ସେ ପ୍ରସ୍ତାବ ଦେଇଥିଲା । ତହିଁ ଆରଦିନ ସିଏ ଆନନ୍ଦ ପାଇଁ ଗୋଟାଏ ଅଖାବସ୍ତା କିଣିଦେଲା ଏବଂ ଧନ୍ଦାଟି ବିଷୟରେ କେତୋଟି ପ୍ରାଥମିକ କଥା ତାକୁ ଶିଖାଇ ଦେଇଥିଲା ।

 

କଚଡ଼ା ସଂଗ୍ରହ କରୁଥିବା ଏହି ପିଲାମାନେ ଦିନରେ ଅଳିଆଗଦାମାନ ଘାଣ୍ଟି କଚଡ଼ା ଏକାଠି କରୁଥିଲେ,–ଯାହାକିଛିକୁ ଦେଇ ଛଦାମେ, ମଶାଏ ମିଳିବ, ତାହାକୁ ଗୋଟାଇ ପକାଉଥିଲେ-। ଅଖା ଭିତରେ ମୁଣାମାନ ସିଲେଇ ହୋଇ ରହିଥିଲା ଏବଂ ସେହି ଅନୁସାରେ ଭିନ୍ନ ଭିନ୍ନ ମୁଣାରେ ଭିନ୍ନ ଭିନ୍ନ ଦ୍ରବ୍ୟକୁ ପକାଇବାକୁ ହେଉଥିଲା । ବସ୍ତାମାନ ପୂରିଗଲେ ସେମାନେ ସେଗୁଡ଼ିକୁ ନେଇ କଚଡ଼ାଗୁଡ଼ିକୁ କିଣି ନେଉଥିବା ଦୋକାନମାନଙ୍କରେ ବିକ୍ରୀ କରୁଥିଲେ : କାଗଜତିଆରି ଜିନିଷକୁ କିଲୋ ପ୍ରତି ୬୦ ପଇସା, ଲୁହା ଜିନିଷ କିଲୋପ୍ରତି ତିନିଟଙ୍କା ଓ ପ୍ଲାଷ୍ଟିକ୍ ବ୍ୟାଗ୍ କିଲୋକୁ ଚାରି ଟଙ୍କା । ଦିନଶେଷରେ ସେମାନେ ଏହି ସଂଗ୍ରହଗୁଡ଼ିକରୁ ଦଶରୁ ଶହେଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଥିଲେ ।

 

କଚଡ଼ା ସଂଗ୍ରହକାରୀ ଦଳଟି ଅତ୍ୟନ୍ତ ସହଜରେ ଆନନ୍ଦକୁ ମଧ୍ୟ ଗ୍ରହଣ କରି ନେଇଥିଲା ଓ ଏହାପରେ ଆନନ୍ଦକୁ ଆଉ ଆଗପରି ମୋଟେ ଏକୁଟିଆ ଲାଗିଲା ନାହିଁ । ପ୍ରତ୍ୟେକ ବାଳକ ପଛରେ ଏହିପରି ଗୋଟିଏ ଗୋଟିଏ ଅତ୍ୟନ୍ତ ଦୁଃଖଦ କାହାଣୀ ମଧ୍ୟ ରହିଥିଲା,–ସେମାନେ ସେହି କାହାଣୀକୁ କେବଳ ବିଶେଷ ଅବସରମାନଙ୍କରେ ହିଁ ପରସ୍ପର ଆଗରେ କହୁଥିଲେ । ଅଧିକାଂଶ ବାଳକ ପରିବାରରେ ପାଶବିକ ବ୍ୟବହାରର ସମ୍ମୁଖୀନ ହୋଇଥିଲେ : ତା’ ଭିତରେ ବେଳେବେଳେ ଯୌନ ବଳାତ୍କାର ମଧ୍ୟ ଅନ୍ତର୍ଭୁକ୍ତ ହୋଇ ରହିଥିଲା ଏବଂ ସେଇଥିରୁ ଉଦ୍ଧାର ପାଇବା ନିମନ୍ତେ ହିଁ ସେମାନେ ରାସ୍ତା ଉପରର ଏହି ଜୀବନକୁ ବରଣ କରି ନେଇଥିଲେ । ଅନେକଙ୍କର ଦେହ, ଉପରେ ପାଶବିକ ଅତ୍ୟାଚାରର ସ୍ଥାୟୀ ଦାଗମାନ ମଧ୍ୟ ଦୃଷ୍ଟିଗୋଚର ହୋଇ ପାରୁଥିଲା । ଆଉ କେତେକଙ୍କୁ ପରିବାରରେ ଯାବତୀୟ ସ୍ନେହରୁ ବଞ୍ଚିତ କରା ଯାଇଥିଲା । ସେମାନଙ୍କ ଭିତରୁ ଜଣେ ପିଲା ଦକ୍ଷିଣ ଭାରତର ଗୋଟିଏ ଶୈଳନିବାସରେ ଥିବା ସମ୍ଭ୍ରାନ୍ତସ୍ତରୀୟ ଏକ ଆବାସିକ ବିଦ୍ୟାଳୟରୁ ବି ପଳାଇ ଆସିଥିଲା । କାରଣ, ସିଏ ଅନୁଭବ କରିଥିଲା ଯେ ତା’ର ପିତାମାତା ତାକୁ ପ୍ରକୃତରେ ଆଦୌ ଭଲ ପାଉନାହାନ୍ତି । ଅନ୍ୟମାନଙ୍କର କ୍ଷେତ୍ରରେ, ପରେ ଭୟଙ୍କର ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡ଼ୁଥିଲା,–କେଉଁଠି ବାପା ମଦ୍ୟପ ଥିଲେ,–ପରିବାରରେ ବହୁତ ଲୋକ ରହିଥିଲେ, କାମଧନ୍ଦା କିଛି ନଥିଲା । ପେଟରେ ଭୋକର ଜ୍ୱାଳାକୁ ସହ୍ୟ କରି ନପାରି ଏହି ବାଳକମାନେ ଘରୁ ପଳାଇ ଆସିଥିଲେ । ଖୁବ ଅଳ୍ପ କେତେକଣ କିଛି ଦୁଃସାହସ କରିବାର ଉତ୍ତେଜନାରେ ପଡ଼ି ସହରମାନଙ୍କର ଆଲୁଅ ଦ୍ଵାରା ଆକୃଷ୍ଟ ହୋଇ ମଧ୍ୟ ଚାଲି ଆସିଥିଲେ ।

 

କିନ୍ତୁ, ପରିସ୍ଥିତିରେ ପଡ଼ି ଅଗତ୍ୟା ରାସ୍ତାଗୁଡ଼ିକୁ ହିଁ ଗୃହ ଭାବେ ଗ୍ରହଣ କରି ନେଇଥିଲେ ମଧ୍ୟ ଏହି ବାଳକମାନଙ୍କର ଜୀବନରେ ସତେ ଯେପରି ବିଷାଦ ବୋଲି ଆଦୌ କିଛି ନଥିଲା ଏବଂ ସେମାନେ ଏହି ଦୂରବସ୍ଥା ହେତୁ କେବେହେଲେ ନିଜ ଉପରେ କରୁଣାଭାବ ଦେଖାଉ ନଥିଲେ । ସତେ ଯେପରି ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ସେମାନେ ସର୍ବଦା ଖୁସୀ ହିଁ ରହୁଥିଲେ ଏବଂ, ଆଗକୁ କିମ୍ବା ପଛକୁ କୌଣସି ଚିନ୍ତା ନକରି ଉପସ୍ଥିତ ମୁହୂର୍ତ୍ତଟିରେ ହିଁ ନିଜ ଜୀବନଟିକୁ ବଞ୍ଚିବାର ଆଗ୍ରହ ଦ୍ୱାରା ପୂର୍ଣ୍ଣ ହୋଇ ରହିଥିଲେ । ଯାହା ଯେତେବେଳେ ରୋଜଗାର କରୁଥିଲେ, ତାହାକୁ ଖରଚ କରି ଦେଉଥିଲେ । ରାସ୍ତାକଡ଼ର ବୁଲାବିକାଳିଙ୍କ ଠାରୁ ନିଜର ଖାଇବାଗୁଡ଼ିକୁ କିଣିସାରିବା ପରେ ଯଦି କିଛି ପଇସା ବଳକା ରହୁଥିଲା । ତେବେ ସେମାନେ ତାକୁ କେଡ଼େ ଆନନ୍ଦରେ କୁଆଡ଼େ ଉଡ଼ାଇ ଦେଉଥିଲେ : ଫିଲ୍ମ ଦେଖୁଥିଲେ,–ଦିନେ ଦିନେ ତ ତିନିଟାଯାଏ ବି ଦେଖୁଥିଲେ, କପଡ଼ା କିଣୁଥିଲେ, ହୋଟେଲ୍‌ରେ ଯାଇ ଖାଉଥିଲେ, ଜୁଆ ଖେଳୁଥିଲେ ଏବଂ ନିଶା ବି ସେବନ କରୁଥିଲେ-

 

ଅଳ୍ପଦିନ ଭିତରେ ଆନନ୍ଦ ମଧ୍ୟ ନିଶାର ଅଭ୍ୟାସରେ ଯାଇ ପଡ଼ି ଯାଇଥିଲା । ଗଞ୍ଜଇ ଖାଇ ଶିଖିଲା, ତାଡ଼ି ପିଇଲା, ନାକରେ ପେଟ୍ରୋଲ ମଧ୍ୟ ତେଣ୍ଡି କରି ପିଇଲା । ଭାଗ୍ୟବଶତଃ ସେପରି କୌଣସି ଟାଣୁଆ ନିଶାର କବଳରେ ପଡ଼ିନଥିଲା । ସମ୍ଭବତଃ ତା’ଭିତରେ ସହଜାତ ପରି କୌଣସି ପ୍ରବୃତ୍ତ ରହିଥିଲା, ଯାହାକି ତାକୁ ଏକ ଅଧିକ ଭଲ ଜୀବନ ନିମନ୍ତେ ସୁରକ୍ଷା ଦେଇ ରଖୁଥିଲା । କିନ୍ତୁ, ସିଏ ଯେତିକି ନିଶା ଖାଉଥିଲା, ସେତିକି ମଧ୍ୟ ତାକୁ ଭାରି ହାଲୁକା ମିଜାକରେ ରଖୁଥିଲା, ସିଏ କାହାରି ଅଧୀନ ହୋଇ ରହିନାହିଁ ବୋଲି ଏକ ବୋଧ ଆଣି ଦେଉଥିଲା,–ଏହି ଅନ୍ୟମାନଙ୍କ ସହିତ ସିଏ କେଡ଼େ ବେଫିକର ଓ ଖୁସୀ ହୋଇ ରହିଛି ବୋଲି ଅନୁଭବଟିଏ ପ୍ରଦାନ କରୁଥିଲା । ସେ ରାତିରେ ସେହି ରାସ୍ତା ଉପରେ ନିଜର ସେହି ବନ୍ଧୁମାନଙ୍କ ସହିତ ନିଦକ ହୋଇ ଶୋଇ ଯାଉଥିଲା,–ଦେହ ଉପରେ ନିଜ ଅଖାଟିକୁ ଢାଙ୍କି ରଖୁଥିଲା । ସହରର ଏହି କଳକା କରି ଦେଉଥିବା ଉଜ୍ଜ୍ୱଳ ଆଲୁଅମାନଙ୍କ ଦ୍ଵାରା ଭାରି ନିଷ୍ପ୍ରଭ ଏବଂ ଅସ୍ପଷ୍ଟ ତାରାମାନଙ୍କୁ ଅନାଉ ଅନାଉ ତାକୁ ନିଦ ଲାଗି ଯାଉଥିଲା ।

 

ରାସ୍ତାର ବାସିନ୍ଦା ବୟସ୍କମାନେ ବହୁତ ସମୟରେ ପିଲାମାନଙ୍କୁ ଆସି ହଇରାଣ ବି ଖୁବ୍ କରୁଥିଲେ । ସେମାନେ ସାନ ସାନ ଅପରାଧୀ ଥିଲେ ଓ ଆନନ୍ଦ ସେମାନଙ୍କୁ ଗୁଣ୍ଡା ବୋଲି କହୁଥିଲା । ସେମାନେ ଆସି ପିଲାମାନଙ୍କର ପଇସା ଛଡ଼ାଇ ନେଉଥିଲେ ଏବଂ ସେମାନଙ୍କ ସହିତ ଯୌନ କାରବାର ବି କରୁଥିଲେ । ସେମାନଙ୍କଠାରୁ ରକ୍ଷା ପାଇବା ଲାଗି ଏହି ପିଲାମାନଙ୍କୁ ନିଜର ପାଦଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ପଡ଼ୁଥିଲା ଓ ସେହି ଚିହ୍ନା ଉପଦ୍ରବକାରୀ ମାନଙ୍କୁ ଦେଖିବା ମାତ୍ରକେ ଏମାନେ ଅଣଓସାରିଆ ଗଳିରାସ୍ତା ମାନଙ୍କୁ ଦଉଡ଼ି ପଳାଇ ଯାଉଥିଲେ ଓ କୌଣସି ଛାଇଜାଗା ଦେଖି ଲୁଚି ରହୁଥିଲେ ।

 

ସେମାନଙ୍କର ଆଉ ଗୋଟିଏ ଉତ୍ପୀଡ଼ନକାରୀ ପକ୍ଷ,–ପୋଲିସ ଆସି ପହଞ୍ଚି ଗଲେ ମଧ୍ୟ ଏହି ବାଳକମାନଙ୍କୁ ସେହିପରି କୌଣସି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିବାକୁ ପଡ଼ୁଥିଲା । ଆନନ୍ଦ ତଥା ରାସ୍ତାକୁ ଘର କରି ନେଇଥିବା ଅନ୍ୟ ବାଳକମାନଙ୍କ ଠାରୁ ଯାହା ଶୁଣିବାକୁ ମିଳେ, ଏହି ଖାକିପିନ୍ଧା ମନୁଷ୍ୟମାନେ ଖୁବ ନିୟମିତ ଭାବରେ ରାସ୍ତା ଉପରର ସେହି ପିଲାମାନଙ୍କର ଦଳଗୁଡ଼ିକର ପଛରେ ଲାଗିଥିଲେ ଓ ଭାରି ସହଜରେ ସେମାନଙ୍କ ପାଖରେ ନିଜର ପରାକ୍ରମ ଦେଖାଇ ପାରୁଥିଲେ । ସେମାନଙ୍କୁ ଖାପଚରେ ପାଇଲେ ଖୁବ୍ ପିଟୁଥିଲେ ଏବଂ ଥାନା ହାଜତରେ ଅଥବା ଅପରାଧୀ ଅଳ୍ପବୟସ୍କ ମାନଙ୍କ ନିମନ୍ତେ ରହିଥିବା ସେହି ଭୟଙ୍କର ତତ୍ତ୍ୱାବଧାନ ଗୃହରେ ନେଇ ପହଞ୍ଚାଇ ଦେବେ ବୋଲି ଭୟ ବି ଦେଖାଉଥିଲେ । ହଁ, ଯଦି ସେମାନେ ପାଖରେ ସଞ୍ଚୟ କରି ରଖିଥିବା ସବୁଯାକ ପଇସା ସେମାନଙ୍କୁ ଦେଇଦେବେ ଏବଂ ଭବିଷ୍ୟତରେ ଆହୁରି ଅଧିକ ମଧ୍ୟ ଦେବେ ବୋଲି ଜବାବ କରିବେ, ତେବେ ସେମାନଙ୍କୁ ନିଷ୍କୃତି ମିଳିବ ବୋଲି କହୁଥିଲେ । ତଥାପି, ଏହି ଖାକିମାନଙ୍କର ଆଭାସ ପାଇବା ମାତ୍ରକେ ବାଳକମାନଙ୍କର ଦଳଟା ଏପରି ବେଗରେ ଏଠି ସେଠି ଲୁଚି ଯାଇ ପାରୁଥିଲେ ଯେ, ସେମାନେ ଯେ ଆଇନ୍‌ଟାର ହୁଗୁଳା ବାହୁଟା ଭିତରୁ ବାହାରେ ରହିବାର କୌଶଳଟାକୁ ଖୁବ୍ ଭଲଭାବେ ଶିଖି ଯାଇଛନ୍ତି, ତାହା ପ୍ରତିପାଦିତ ହୋଇ ଯାଉଥିଲା ।

 

ଏହି ଜରି ଉଠାଇବାର ଧନ୍ଦାରେ ହିଁ ଆନନ୍ଦର ସ୍ୱାମୀ ସହିତ ଏକଦା ଭେଟ ହୋଇଥିଲା; ଏହି ସ୍ୱାମୀ ହିଁ ପରେ ତା’ର ଘନିଷ୍ଠତମ ବନ୍ଧୁରେ ପରିଣତ ହୋଇଥିଲା । ସେତେବେଳକୁ ସ୍ୱାମୀକୁ ତିରିଶି ପାଖାପାଖି ବୟସ,–ଦଳର ଅନ୍ୟମାନଙ୍କ ତୁଳନାରେ ସେ ବହୁତ ବଡ଼ ଥିଲା । ମାତ୍ର, ତା’ର ମନଟା ସମସ୍ତଙ୍କୁ ଖୁବ୍ ଆକର୍ଷଣ କରି ପାରୁଥିଲା । ଭାରି ଭଦ୍ର ଓ ଧୀର, ଖୁବ୍ ଖୋଲା ସ୍ୱଭାବର, ଖୁବ୍ ସହଜରେ ସମସ୍ତଙ୍କ ସହିତ ମିଶି ପାରୁଥିଲା, ଏବଂ, ସେହି ଗୁଣଗୁଡ଼ିକ ହିଁ ଆନନ୍ଦକୁ ବେଶ୍ ଆକର୍ଷକ ମନେ ହୋଇଥିଲା । ଦୁହେଁ ଖୁବ୍ ଅଳ୍ପଦିନରେ ପରସ୍ପରକୁ ଆଦରି ଗଲେ,–କାମରେ, ଖାଇବାବେଳେ, ସିନେମା ଦେଖିବା ସମୟରେ ଓ ଖୋଲା ଆକାଶ ତଳେ ପାଖକୁ ପାଖ ହୋଇ ଶୋଇବାବେଳେ, କେହି କାହାରିକୁ ଛାଡ଼ି ପାରୁନଥିଲେ । ରାସ୍ତା ଉପରର ଜୀବନରେ ସାଧାରଣତଃ ଅଧିକାଂଶ ସମ୍ପର୍କ ମୋଟେ ସ୍ଥାୟୀ ହୁଏନାହିଁ-କିନ୍ତୁ ଆନନ୍ଦ ସହିତ ସ୍ୱାମୀର ବନ୍ଧୁତ୍ୱ ଏପର୍ଯ୍ୟନ୍ତ ଅତୁଟ ହୋଇ ରହିଛି । ସ୍ଵାମୀ ଏବେ ମଧ୍ୟ କାଗଜ ଏବଂ କୱ୍ୱାଡ଼ା ଗୋଟାଉଛି ଓ ଆନନ୍ଦ ନିଜ ସଂଘର୍ଷ ବଳରେ ଏକ ଅଧିକ ଭଲ ଅନ୍ୟ ପ୍ରକାରର ଜୀବନ ଯାପନ କରୁଛି,–ତଥାପି ସେହି ବନ୍ଧୁତ୍ୱ ତୁଟି ଯାଇନାହିଁ ।

 

ପ୍ରାୟ ଗୋଟାଏ ବର୍ଷକାଳ କଡ଼ା ଗୋଟାଇବାର କାର୍ଯ୍ୟଟିକୁ କରିବା ପରେ ରାସ୍ତାରେ ବୁଲି ପରିବା ବିକ୍ରୀ କରିଥିବା ଜଣେ ବ୍ୟକ୍ତି ଆନନ୍ଦର ଦାୟିତ୍ୱବୋଧ ଗୁଣଟିର ପରିଚୟ ପାଇଁ ତା’ ପାଇଁ ଆଉଗୋଟିଏ କାମ କୁଟାଇ ଦେଇଥିଲା । ବିକ୍ରୀ ନହୋଇ ରହୁଥିବା ପରିବାକୁ ଆନନ୍ଦ ରାତିରେ ପହରା ଦେବ । ଅର୍ଥାତ୍, ସିଏ ପରିବା ବୋଝଗୁଡ଼ିକ ଉପରେ ରାତିରେ ଶୋଇବ, ଏବଂ ଦିନବେଳେ ଚାରିଆଡ଼େ ବୁଲି ପରିବା ବିକିବାରେ ବିକାଳିକୁ ସାହାଯ୍ୟ କରିବ । ଏଥିପାଇଁ ସିଏ ଦିନକୁ କୋଡ଼ିଏ ଟଙ୍କା ପାଇବ ଏବଂ ତା’ ସହିତ ଖରାବେଳର ଖାଇବାଟା ମଧ୍ୟ ମିଳିବ । କୱ୍ୱାଡ଼ା ଗୋଟାଇ ଆନନ୍ଦ ଅବଶ୍ୟ ଏହାଠାରୁ ଅନେକ ଅଧିକ ରୋଜଗାର କରି ପାରୁଥିଲା । ହଁ, ସେହି ନୂଆ କାମଟିକୁ କରିବାପାଇଁ ରାଜି ହେଲେ ତାକୁ ଏଠାକୁ ଆସିବାପରେ ପାଇଥିବା ନୂଆ ବନ୍ଧୁମାନଙ୍କୁ ମଧ୍ୟ ହରାଇବାକୁ ପଡ଼ିବ । ସ୍ୱାମୀର ସାଙ୍ଗ ମଧ୍ୟ ଛାଡ଼ି ହୋଇଯିବ, ଯିଏକି ନିଜର ମାନ୍ଦା ସ୍ଵଭାବ ଏବଂ ଉଚ୍ଚାକାଂକ୍ଷାର ଅଭାବ ହେତୁ ତାକୁ ମଧ୍ୟ ଏହି କୱ୍ୱାଡ଼ା ଗୋଟାଇବାର କାମଟାକୁ ଆଦରି ରହିବାରେ ସହାୟତା କରୁଥିଲା । କିନ୍ତୁ କୁନି ଆନନ୍ଦ ଏକ ଅଧିକ ଭଲ ଜୀବନ ଯାପନ କରିବ ବୋଲି ଇଚ୍ଛା କରୁଥିଲା ଏବଂ, ପରିବା ବିକାଳି ବର୍ତ୍ତମାନ ତା’ ପାଇଁ ଯେଉଁ ସୁଯୋଗଟିକୁ ଆଣିଦେବାକୁ ଯାଉଛି, ତାହା ଫଳରେ ସେଥିପାଇଁ ତାକୁ ଏକ ନୂଆ ସୁଯୋଗ ମିଳିପାରିବ ବୋଲି ସିଏ ବୁଝି ପାରିଲା ।

 

ଆନନ୍ଦ ପ୍ରାୟ ଛଅମାସ କାଳ ସେହି ଅନ୍ୟ କାମଟିରେ ରହିଥିଲା,–ତା’ପରେ ଗୋଟିଏ ସାଇକେଲ ମରାମତି ଦୋକାନରେ ଯାଇ ରହିଲା । କିନ୍ତୁ ଏହି ଦୋକାନଟି କୌଣସି କାରଣରୁ ବନ୍ଦ ହୋଇଯିବାରୁ ଆନନ୍ଦ ପୁନର୍ବାର ସେହି ରାସ୍ତା ଉପରକୁ ଫେରି ଆସିଥିଲା । ନିଜର ପୁରାତନ ସାଙ୍ଗମାନଙ୍କ ସହିତ ଯୋଗ ଦେଇଥିଲା ଓ କୱ୍ୱାଡ଼ା ସଂଗ୍ରହ କଲା ।

 

ସେହି ସମୟରେ ହିଁ ପ୍ରଥମଥର ସକାଶେ ଫାଦର୍ କର୍ଜଙ୍କ ବିଷୟରେ ଶୁଣିବାକୁ ପାଇଥିଲା । ଫାଦର୍‍ କର୍ଜ ରାସ୍ତା ଉପରେ ବାସ କରୁଥିବା ପିଲାମାନଙ୍କ ପାଇଁ ଗୋଟିଏ ଆଶ୍ରୟଗୃହ ଆରମ୍ଭ କରିଥିଲେ । ଫାଦର୍ ଏଥିପାଇଁ କାହାଠାରୁ କୌଣସି ପଇସା ମାଗନ୍ତି ନାହିଁ ବୋଲି ଆନନ୍ଦ ଶୁଣିବାକୁ ପାଇଥିଲା । ତୁମର ଯେତେବେଳେ ଇଚ୍ଛା ତୁମେ ସେଠାକୁ ଯାଇପାରିବ ଗୋଟିଏ ସ୍ଥାୟୀ ଘରେ ରାତିରେ ଶୋଇପାରିବ, ଗାଧୁଆ ଝାଡ଼ାଯିବା ପାଇଁ ସେଠାରେ ସ୍ୱତନ୍ତ୍ର ଜାଗାମାନ ରହିଛି । ହଁ, ତୁମେ ଇଚ୍ଛା କଲେ ସେଠାକୁ ଯାଇ କ୍ୟାରମ୍ ବି ଖେଳି ପାରିବ । ଏହି ସୁଯୋଗଟିକୁ ଥରେ ପରୀକ୍ଷା କରି ଦେଖିବ ବୋଲି ଆନନ୍ଦ ସ୍ଥିର କଲା ଏବଂ ରାସ୍ତା ଉପରେ କଚଡ଼ା ସଂଗ୍ରହ କରୁଥିବା ଜଣେ ବାଳକ ହିସାବରେ ଚାରିବର୍ଷ ପରେ ସିଏ ପ୍ରଥମ ଥର ପାଇଁ ବାଙ୍ଗାଲୋର୍ ଓନିୟଓ୍ୱର ସେବାସଂଘର ସମ୍ପର୍କରେ ମଧ୍ୟ ଆସିଥିଲା । ଏହି ସଂଗଠନଟି ହିଁ ତା’ ଜୀବନର ଗତିପଥକୁ ବଦଳାଇ ଦେବାରେ ସାହାଯ୍ୟ କଲା ।

 

୧୯୮୦ ମସିହାରେ, ଜଣେ ପାଦ୍ରୀରୂପେ ସିଏ ସ୍ଵୀକୃତ ହେବା ପୂର୍ବରୁ ହିଁ ଶ୍ରୀଯୁକ୍ତ ଜର୍ଜ ବୋଲ୍ଲାଶାନି ଓ ତାଙ୍କର କେତେକ ବନ୍ଧୁ କଚଡ଼ା ଗୋଟାଉଥିବା ପିଲାମାନଙ୍କ ଭିତରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଥିଲେ । କୁଲି ହୋଇ ସାମାନ ବୋହୁଥିବା ପିଲା, ବୁଲାବିକାଳି, ଜୋତା ପାଲିଶ୍ କରୁଥିବା ପିଲା, ହୋଟେଲରେ କାମ କରୁଥିବା ପିଲା, ଭିକାରୀ ପ୍ରଭୃତିଙ୍କ ମଧ୍ୟରେ ବି କାମ କରୁଥିଲେ । ସେମାନଙ୍କ ପାଖକୁ ବାରମ୍ବାର ଯାଇ ଏମାନେ ସେମାନଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କଲେ ଏବଂ ସେମାନଙ୍କର ବିଶ୍ୱାସଭାଜନ ହୋଇଥିଲେ, ରାସ୍ତାକୁ ଘର କରିଥିବା ସେହି ପିଲାମାନଙ୍କର ଦୈନନ୍ଦିନ ଜୀବନ ତଥା ସଂଘର୍ଷରେ ସହଭାଗୀ ହେବାକୁ ଚେଷ୍ଟା କରିଥିଲେ । ପିଲାମାନେ ବି ଅତିଶୟ ଆନନ୍ଦରେ ପାଦ୍ରୀଙ୍କୁ କୌଣସି ଚାହା ଦୋକାନରେ ଚାହା ପିଇବାକୁ ଡାକି ନେଉଥିଲେ;–ତାଙ୍କ ଆଗରେ ନିଜ ଅତୀତର କାହାଣୀଗୁଡ଼ିକୁ ବସି କହୁଥିଲେ : ସେମାନଙ୍କର ଯାବତୀୟ ସଂଘର୍ଷ ତଥା ଭବିଷ୍ୟର ଆଶା ବିଷୟରେ କେତେ କଥା କହି ଯାଉଥିଲେ । ହଁ, ଚାହାର ଖର୍ଚ୍ଚ ସେମାନେ ନିଜ ହାତରୁ ଦେବେ ବୋଲି ଜିଦ୍ ମଧ୍ୟ କରୁଥିଲେ । ସ୍ୱେଚ୍ଛାସେବୀମାନେ ସେହି ରାସ୍ତା ଉପରେ ହିଁ ସେମାନଙ୍କୁ ଔଷଧପତ୍ର ଆଣି ଦେଉଥିଲେ, ସେମାନଙ୍କର ଧୂମପାନ ପ୍ରଭୃତି ଅଭ୍ୟାସକୁ ଛଡ଼ାଇବା ନିମନ୍ତେ ନାନାବିଧ ଉପଚାର ମଧ୍ୟ କରୁଥିଲେ । ସେମାନଙ୍କ ଜୀବନର ବହୁ ସମସ୍ୟାରେ ପରାମର୍ଶ ଦେଉଥିଲେ, ଆଇନ୍ ରକ୍ଷାକାରୀ କର୍ତ୍ତୁପକ୍ଷ ଏବଂ କାମ ଯୋଗାଇ ଦେଉଥିବା ମାଲିକମାନଙ୍କ ସହିତ କାରବାରରେ ସମସ୍ୟା ଆସି ପହଞ୍ଚିଲେ ଯଥାସାଧ୍ୟ ହସ୍ତକ୍ଷେପ କରି ପାରୁଥିଲେ । ପିଲାମାନେ ଛାଡ଼ି ଆସିଥିବା ପରିବାରଗୁଡ଼ିକ ସହିତ ସେମାନଙ୍କର ଖିଅଟିକୁ ପୁଣି ଯୋଡ଼ି ଆଣିବାକୁ ପ୍ରୟାସ କରୁଥିଲେ । ଏହା ଫଳରେ କେତେକ ପିଲା ନିଜ ଘରକୁ ପୁଣି ଫେରି ଯାଇ ପାରୁଥିଲେ ।

 

ରାସ୍ତା ଉପରେ ହିଁ ଏହି ପିଲାମାନଙ୍କୁ ଯାଇ ଭେଟିବାର ପ୍ରୟାସଟିକୁ କରିବାକୁ ଯାଇ ପାଦ୍ରୀ ଜର୍ଜଙ୍କୁ ଆପଣା ଧର୍ମଶାଖାର କେତେଗୁଡ଼ିଏ ପରମ୍ପରାକୁ ଭାଙ୍ଗିବାକୁ ପଡ଼ିଥିଲା । ମାତ୍ର, ରାସ୍ତାରେ ବୁଲୁଥିବା ପିଲାଙ୍କର ଥଇଥାନ କରାଇବାର କ୍ଷେତ୍ରରେ ଏହିପରି ଏକ ଅଣ ଆନୁଷ୍ଠାନିକ ପ୍ରଣାଳୀର ଅନୁସରଣ କରି ସେମାନେ ଏକ ପୁରୋଗାମୀ କାର୍ଯ୍ୟଶୈଳୀକୁ ହିଁ ଉତ୍ସାହିତ କରୁଥିଲେ ।

 

ପାଦ୍ରୀ ଜର୍ଜ୍‍ଙ୍କ କାର୍ଯ୍ୟ ପଛରେ ରହିଥିବା ମୂଳ ଦର୍ଶନଟି ହେଉଛି ଯେ, ଯେପର୍ଯ୍ୟନ୍ତ ସମାଜ ତା’ର ବର୍ତ୍ତମାନ ସ୍ଥିତିରେ ରହିଛି, କେତେ ପିଲା ରାସ୍ତାକୁ ହିଁ ନିଜର ବାସସ୍ଥାନ କରିବାକୁ ଅବଶ୍ୟ ବାଧ୍ୟ ହେବେ । ତେଣୁ, ସେମାନଙ୍କର ପୋଷଣ ତଥା ଥଇଥାନ ସମ୍ବଳିତ ସେବାଗୁଡ଼ିକୁ ଯୋଗାଇ ଦେବାର ଏକ, ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ହିଁ ରହିବ । ପାଦ୍ରୀ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖି ପାରୁଥିଲେ ଯେ, ନିତାନ୍ତ କୃତ୍ରିମ ଭାବରେ ଅଳ୍ପ କେତେକ ପିଲାଙ୍କୁ ରାସ୍ତା ଉପରୁ ଆଣି କୌଣସି ସୁରକ୍ଷିତ ପରିବେଶରେ ରଖିଦେଲେ ତାହା କେବଳ ନିରର୍ଥକ ହିଁ ହେବ ଅଥବା ଖୁବ୍ ବେଶୀ ହେଲେ ଏକ ପ୍ରତୀକାତ୍ମକ ସ୍ତରରେ ହିଁ ରହିଯିବ । ରାସ୍ତାକୁ ଆଶ୍ରା କରିଥିବା ପିଲାଙ୍କ ନିମନ୍ତେ ତେଣୁ ଆମେ ଯାହାକିଛି କରିବା, ତାହା ସେମାନଙ୍କର ସ୍ୱାଧୀନତା ପାଇଁ ଶ୍ରଦ୍ଧା ଏବଂ ସେମାନଙ୍କର ସେହି ବନ୍ଧନମୁକ୍ତ ହେବାର ଭୟଙ୍କର ଆଗ୍ରହକୁ ମଧ୍ୟ ଅବଶ୍ୟ ସମ୍ମାନ ଦେଇ ପାରୁଥିବ ।

 

ତାଙ୍କର କାର୍ଯ୍ୟଧାରା ହେଉଛି ଯେ, ପିଲାମାନେ ନିଜ ଘରୁ ଗୋଡ଼ କାଢ଼ି ରାସ୍ତା ଉପରକୁ ବାହାରି ଯିବା ପରେ ସେମାନଙ୍କୁ ଆମେ ସେହି ରାସ୍ତା ଉପରେ ହିଁ ଭେଟିବା ଏବଂ ରାସ୍ତା ଉପରେ ଯେ କୌଣସି ପ୍ରକାରେ ତିଷ୍ଠି ରହିବା ତଥା ବଡ଼ ହେବାର ସେମାନଙ୍କର ସେହି ଦୈନନ୍ଦିନ ସଂଘର୍ଷରେ ସେମାନଙ୍କର ସହଭାଗୀ ହେବା । ଏହାର ମୂଳରେ ଏପରି ବିଶ୍ୱାସଟିଏ ରହିଛି ଯେ, ଯେଉଁ ପିଲାଟି ନିଜ ଘରେ ଅତ୍ୟନ୍ତ ନିଷ୍କ୍ରିୟ ଭାବରେ କୌଣସି ମାନସିକ ଆଘାତ ତଥା ଅତ୍ୟାଚାରକୁ ମାନି ନେବାକୁ ମନା କରିପାରୁଛି, ତା’ଭିତରେ ସାହସ, ମୁକ୍ତି ଓ ମୁକ୍ତ ଜୀବନ ଲାଗି ନିଶ୍ଚୟ ଶ୍ରଦ୍ଧା ରହିଛି । ଜଣେ ପାଦ୍ରୀ ଏକଦା ଯେପରି କହିଥିଲେ, “ରାସ୍ତାକୁ ଆଦରି ନେଇଥିବା ପିଲାଙ୍କ ଜୀବନ ସହିତ ମୁଁ ଯେମିତି ସହଭାଗୀ ହେବାକୁ ଆରମ୍ଭ କଲି, ସେହିଦିନ ଠାରୁ ତଦ୍ଦ୍ୱାରା ନିଜେ ମଧ୍ୟ ବହୁତ ଉପକୃତ ହୋଇ ପାରିଛି । ସ୍ୱାଧୀନ ହୋଇ ରହିବା ନିମନ୍ତେ ସେମାନଙ୍କ ଭିତରେ ଥିବା ଭାବନା, ସେମାନଙ୍କର ଆନନ୍ଦବୋଧ,–ସେମାନଙ୍କର ବଞ୍ଚିବାର ସମଗ୍ର ଶୈଳୀଟି.. ଏହି ସବୁକିଛି ମୋ’ ଉପରେ ଗଭୀର ପ୍ରଭାବମାନ ପକାଇ ପାରିଛି । ଘରର ପରିବେଶ ଅସହ୍ୟ ହେବାରୁ ଏହି ବାଳକମାନେ ସାହସର ସହିତ ଘର ଛାଡ଼ି ଚାଲି ଆସିଛନ୍ତି,–ଏକ ଅଧିକ ଭଲ ଜୀବନ ବଞ୍ଚିବେ ବୋଲି ସେମାନେ ବାହାରି ଆସିଛନ୍ତି । ଏବଂ ରାସ୍ତା ଉପରକୁ ଆସି ସେମାନେ ନିଜର କାମ, ଆଶ୍ରୟସ୍ଥାନ, ପରିଚ୍ଛଦ ଓ ଖାଦ୍ୟ ବିଷୟରେ ପୂରା ବୟସ୍କଙ୍କ ଭଳି ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି । ଏହି ‘ସାନ ମନୁଷ୍ୟ’ ମାନଙ୍କର ଆମର ସମ୍ମାନ, ଶ୍ରଦ୍ଧା ଏବଂ ଯତ୍ନ ଆଦି ପାଇବାକୁ ଦାବି କରିବା ପାଇଁ ଅବଶ୍ୟ ଅଧିକାର ରହିଛି ।

 

ତେଣୁ, ସଂଗଠନଟିର ସ୍ୱେଚ୍ଛାସେବକମାନେ ଏହି ପିଲାମାନଙ୍କୁ ଖୋଜି ବାହାର କରିବାପାଇଁ ସେହି ରାସ୍ତା ଉପରକୁ ହିଁ ଯାଆନ୍ତି,–ସେମାନଙ୍କ ବିଷୟରେ ଆଦୌ କୌଣସି ରାୟ ଦେବାକୁ ମୋଟେ ନୁହେଁ, ସେମାନଙ୍କୁ ହୁଏତ କିଛି ସାହାରା ଦେଇହେବ । ବୋଲି ବିଚାର କରି ସେମାନଙ୍କ ପାଖକୁ ଯାଆନ୍ତି । ସେମାନଙ୍କ ସହିତ ବନ୍ଧୁ ବାନ୍ଧନ୍ତି, ସେମାନଙ୍କର ବିଶ୍ୱାସଭାଜନ ହୁଅନ୍ତି । ଏବଂ, କ୍ରମେ ସେମାନଙ୍କ ଭିତରେ କିଛି ଆଶାର ମଧ୍ୟ ସୃଷ୍ଟି କରିଆଣନ୍ତି : ସେମାନେ ଯେପରି ନିଜ ଉଦ୍ୟମରେ ଅଧିକ ଭଲ ଜୀବନଟିଏ । ବଞ୍ଚିବାରେ ସମର୍ଥ ହେବେ, ସେମାନଙ୍କ ଆଡ଼କୁ ସହାୟତାର ହାତଗୁଡ଼ିକୁ ମଧ୍ୟ ବଢ଼ାଇ ଦେଇଥାନ୍ତି । ରାସ୍ତା ଉପରର ଏହି ପିଲାମାନଙ୍କ ଉପରେ ଆଦୌ କିଛି ହେଲେ ଲଦି ଦିଆ ଯାଏନାହିଁ, କୌଣସି ଜୋର କବରଦସ୍ତି କରି ସେମାନଙ୍କର ସ୍ଵାଧୀନତାକୁ ମଧ୍ୟ ଚାପି ଦିଆ ଯାଏନାହିଁ । ସେମାନଙ୍କ ଆଗରେ କେବଳ କେତୋଟି ବିକଳ୍ପର ସମ୍ଭାବନାକୁ ଆଣି ଉପସ୍ଥାପିତ କରି ଦିଆଯାଏ ଏବଂ ସେଥିରୁ କୌଣସି ଗୋଟିକୁ ହାସଲ କରି ପାରିବା ନିମନ୍ତେ ପିଲାମାନେ ସ୍ୱୟଂ ଇଚ୍ଛା କଲେ ଆବଶ୍ୟକ ସହାୟତା ପ୍ରଦାନ କରା ଯାଇଥାଏ ।

 

ତଥାପି, ରାସ୍ତା ଉପରେ ଏହିଭଳି ଜୀବନଟିଏ ଯାପନ କରିବାକୁ ନିଜ ଭିତରେ ମହଜୁତ ରହିଥିବା ଏହି ବୟସ୍କପ୍ରାୟ ଉପରଠାଉରିଆ ସକଳ ବୁଦ୍ଧିମତା ସତ୍ତ୍ୱେ ବଡ଼ମାନଙ୍କର ସୁରକ୍ଷା ନପାଇଲେ ଏହି ପିଲାମାନଙ୍କୁ ସର୍ବଦା ନାନା ବିପନ୍ନତାର ଶିକାର ହେବାକୁ ପଡ଼ିଥାଏ,–ସେମାନେ ନାନାବିଧ ଶୋଷଣର ଶିକାର ହୁଅନ୍ତି, ବହୁ ଉପଦ୍ରବ ଭୋଗିବାକୁ ମଧ୍ୟ ବାଧ୍ୟ ହୋଇଥାନ୍ତି, ଭୋଗ, ଦେହ ଅସୁଖି ହେବା, ନିଶା ସେବନ, ଏକାକୀ ଅନୁଭବ କରିବା,–ଏସବୁ ତ ଲାଗି ହିଁ ରହିଥାଏ । ସେମାନଙ୍କର ସହାୟ ହୋଇ ଠିଆ ହେବାକୁ ବିଶ୍ୱାସଯୋଗ୍ୟ ଓ ସଂବେଦନଶୀଳ ବଡ଼ ମନୁଷ୍ୟମାନଙ୍କର ଅଭାବ ସବୁବେଳେ ରହିଥାଏ । ଏବଂ, ସେମାନଙ୍କୁ ସେମାନଙ୍କର ସେ ଦୈନନ୍ଦିନ ସଂଘର୍ଷର କ୍ଷେତ୍ରରେ ସ୍ୱେଚ୍ଛାସେବୀମାନେ ସେହି ଅଭାବଟିକୁ ପୂରଣ କରିବା ନିମନ୍ତେ ଚେଷ୍ଟା କରନ୍ତି-

 

ପିଲାଙ୍କ ନିମନ୍ତେ ଏହିପରି ଏକ ଆଶ୍ରୟଗୃହ ଆରମ୍ଭ କରିବା ପଛରେ ଏହିଭଳି ଏକ ଅଭିପ୍ରାୟ ରହିଥିଲା,–ଯାହାଫଳରେ କି ପିଲାଗୁଡ଼ିକ ରାସ୍ତା ଉପରର ଜୀବନଟିକୁ ପରିତ୍ୟାଗ କରି ଆଉକିଛିର ଅନ୍ୱେଷଣ କରିବାକୁ ଆକୃଷ୍ଟ ହୋଇ ପାରିବେ । ଏହି ଆଶ୍ରୟଗୃହ ଗୁଡ଼ିକ ସବୁବେଳେ ହିଁ ମୁକ୍ତ ରହିଥାଏ,–ପିଲାମାନଙ୍କର ଆସିବା ଓ ଯିବା ବିଷୟରେ ଏଠାରେ କୌଣସି ବାଧା ନଥାଏ । ମୁଁ ଦେଖିଥିବା ଏହି କାଟର ଏକ ଆଶ୍ରୟଗୃହରେ ପିଲାମାନଙ୍କ ଭିତରୁ କିଏ ଗୋଡ଼ହାତ ଲମ୍ବାଇ ପଡ଼ିଥିଲା ତ ଆଉକିଏ ନିଦରେ ଶୋଇଥିଲା,–ଆଉ କେଉଁମାନେ ଗାଧୋଉଥିଲେ,–ଅନ୍ୟ କିଛି ପିଲା କ୍ୟାରମ୍ ଖେଳୁଥିଲେ,–ପୁଣି ଆଉ କେଉଁମାନେ ହସୁଥିଲେ ଓ ଖୁସୀଗପ ବି କରୁଥିଲେ । ହଁ, ଆଉକିଛି ଗୋଟାଏ ଲୋକପ୍ରିୟ ହିନ୍ଦୀ ସିନେମାର ଗୀତକୁ ବ୍ୟାଙ୍ଗାନୁକରଣ କରି ନାଚିବାରେ ଲାଗିଥିଲେ । ଏବଂ, ବାଙ୍ଗାଲୋର୍ ସହରର ରାସ୍ତାଗୁଡ଼ିକୁ ନିଜର ଘର କରି ଚାରିବର୍ଷ ରହିବା ପରେ ଆନନ୍ଦ ଶେଷକୁ ଏହିଭଳି ଗୋଟିଏ ଆଶ୍ରୟସ୍ଥାନରେ ଆସି ହାବୁଡ଼ି ଯାଇଥିଲା ।

 

ପ୍ରାୟ ଗୋଟିଏ ସପ୍ତାହ ସେଠାରେ ରାତି କଟାଇବା ପରେ ଯାଇ ପାଦ୍ରୀ ଜର୍ଜ୍ ଦିନ ଆନନ୍ଦ ସହିତ ପ୍ରଥମଥର ପାଇଁ କଥାବାର୍ତ୍ତା କରିଥିଲେ । ତା’ ଆଗଜୀବନ ବିଷୟରେ ତାକୁ ପଚାରିଲେ,–ରାସ୍ତା ଉପରେ ଅତିବାହିତ ହୋଇଥିବା ତା’ ଜୀବନର ଅନୁଭବଗୁଡ଼ିକ ବିଷୟରେ ମଧ୍ୟ ତା’ଠାରୁ କିଛି ପଚାରି ବୁଝିଥିଲେ ଓ ସିଏ ଭବିଷ୍ୟତରେ କ’ଣ କରିବାକୁ ଇଚ୍ଛା ରଖିଛି, କ୍ରମେ ସେକଥାଟି ବିଷୟରେ ବି ଜାଣିବାକୁ ଚାହିଁଥିଲେ ।’ ଆନନ୍ଦ ଉତ୍ତର ଦେଇଥିଲା ଯେ ସିଏ ସବାଆଁଗ ପାଠ ହିଁ ପଢ଼ିବାକୁ ଇଚ୍ଛା କରୁଛି । ଏହାପରେ ପାଦ୍ରୀ ଜଣେ ଘରୋଇ ଛାତ୍ର ହିସାବରେ ଗୋଟିଏ ସ୍କୁଲରେ ସପ୍ତମ ଶ୍ରେଣୀରେ ତା’ର ନାମ ଲେଖାଇ ଦେଇଥିଲେ । ମାତ୍ର, ଦୀର୍ଘ କାଳ ସ୍କୁଲକୁ ଯାଇ ନଥିବାରୁ ଓ ତଥାପି କନ୍ନଡ଼ ଭାଷାକୁ ଉତ୍ତମ ରୂପେ ଆୟତ୍ତ କରି ନଥିବାରୁ ସିଏ ତିନୋଟି ବିଷୟରେ ଫେଲ ହୋଇଗଲା । ତଥାପି, ସେ ଏହାଦ୍ୱାରା ଯେପରି ନିରୁତ୍ସାହିତ ହୋଇ ନପଡ଼େ, ସେଥିପାଇଁ ପାଦ୍ରୀ ସର୍ବବିଧ ପ୍ରୟାସ କରିଥିଲେ ଓ ମଧ୍ୟବିତ୍ତ ବର୍ଗର ଗୋଟିଏ କନଭେଣ୍ଟ୍‍ ସ୍କୁଲରେ ତା’ର ନାମ ଲେଖାଇବାର ବନ୍ଦୋବସ୍ତ କରିଦେଲେ ।

 

ଅତ୍ୟନ୍ତ ଅପରିଚିତ ଏହି ବିଦ୍ୟାଳୟ-ପରିବେଶଟି ସହିତ ଆନନ୍ଦ ଖୁବ୍‌ଶୀଘ୍ର ନିଜକୁ ଅନୁକୂଳିତ କରାଇ ନେଇଥିଲା । ଏକ ମଧ୍ୟବିତ୍ତ ପରିବାରର ଗୋଟିଏ ପିଲା ଥରେ ଆନନ୍ଦକୁ ବିଦ୍ରୂପ କରି କ’ଣ କହିଲା ଓ ତା’ର ବହି ଚିରି ଦେଇଥିଲା । ଅବଶ୍ୟ ଆନନ୍ଦ କେଡ଼େ ସନ୍ତୋଷର ସହିତ ମନେ ପକାଇ କହେ ଯେ, ସେହି ପିଲାଟି ସେବର୍ଷ ପରୀକ୍ଷାରେ ଫେଲ୍ ହେଲା, ମାତ୍ର ସିଏ ନିଜେ ଉତ୍ତୀର୍ଣ୍ଣ ହୋଇ ଯାଇଥିଲା । କିନ୍ତୁ, ମୋଟାମୋଟି ଭାବରେ ଦେଖିଲେ, ଆନନ୍ଦକୁ ବିଦ୍ୟାଳୟରେ କୌଣସି ବାଛନ୍ଦ ବିଚାରର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଏବଂ, ଦୁଇଜଣ ବାଳକଙ୍କ ସହିତ ତା’ର ଘନିଷ୍ଠ ବନ୍ଧୁତା ସ୍ଥାପନ ହୋଇ ପାରିଥିଲା ଓ ସେ ସେମାନଙ୍କର ଘରକୁ ମଧ୍ୟ ଯାଇ କେତେଥର ବୁଲି ଆସିଥିଲା ।

 

ମାତ୍ର, ଏହିପରି ଗୋଟିଏ ବର୍ଷ ପରେ ଆନନ୍ଦ ପୁନର୍ବାର ଭାରି ଅଶ୍ୱସ୍ତି ଅନୁଭବ କରିବାକୁ ଲାଗିଲା ଓ ଏହିସବୁ ବନ୍ଧନକୁ ଛିଡ଼ାଇ ଦେଇ ପୁଣି ମୁକ୍ତିର ସ୍ୱାଦ ଲାଭ କରିବା ନିମନ୍ତେ ବ୍ୟାକୁଳ ହୋଇ ଉଠିଲା । ଦିନେ ସେ ସେଠାରୁ ମହୀଶୁର ପଳାଇ ଯାଇଥିଲା । କୁଆଡ଼େ ଯେ ଯାଉଛି, ସେକଥା ଅବଶ୍ୟ ନିଜର ସାଙ୍ଗଟିକୁ କହି ଯାଇଥିଲା ଏବଂ ଭାରି ଆଶ୍ଚର୍ଯ୍ୟ ହୋଇ ଚାରିଦିନ ପରେ ଦେଖିବାକୁ ପାଇଲା ଯେ ନିଜେ ପାଦ୍ରୀ ଯାଇ ମହୀଶୁର ବସ୍‌ଷ୍ଟାଣ୍ଡରେ ତାକୁ ଖୋଜିବାରେ ଲାଗିଛନ୍ତି । ସେଠାରେ ଆନନ୍ଦ ରାତିରେ ସେହି ବସ୍‌ଷ୍ଟାଣ୍ଡରେ ହିଁ ଶୋଉଥିଲା । ପାଦ୍ରୀ ଆନନ୍ଦ ଉପରେ ମୋଟେ ରାଗିଲେ ନାହିଁ ଏବଂ ବିଦ୍ୟାଳୟକୁ ଫେରିଯିବା ନିମନ୍ତେ ତାକୁ ନାନାପ୍ରକାରେ ବୁଝାଇ କହିଲେ । ଏହାପରେ ଆନନ୍ଦ ଆଉ କେବେହେଲେ ବି କୁଆଡ଼େ ପଳାଇ ଯାଇନାହିଁ । ଶେଷରେ ସିଏ ତା’ର ହାଇସ୍କୁଲ ପରୀକ୍ଷା ଦେଇ ପାସ୍ ବି କରି ପାରିଥିଲା ।

 

ସେହି ବର୍ଷ ଛୁଟୀ ହୋଇଥିବା ସମୟରେ, ସଂଗଠନର ସ୍ୱେଚ୍ଛାସେବୀମାନେ ଦିନେ କହିଲେ ଯେ, ସେମାନେ ଆନନ୍ଦର ପରିବାରଲୋକଙ୍କୁ ମଧ୍ୟ ଠାବ କରି ପାରିଛନ୍ତି ଏବଂ, ଆନନ୍ଦ ତା’ ବାପାଙ୍କୁ ଦେଖା କରିବାକୁ ଯିବ କି ନାହିଁ, ସେହି ବିଷୟରେ ତାକୁ ପ୍ରଶ୍ନ ମଧ୍ୟ କରିଥିଲେ । ଏଥିରେ ଆନନ୍ଦ ରାଜି ହୋଇଥିଲା । ପାଦ୍ରୀଙ୍କ ସହିତ ଯାଇ ତା’ ବାପା କାମ କରୁଥିବା ତା’ ଗାଆଁର ସେହି ଦୋକାନଟିରେ ଯାଇ ପହଞ୍ଚିଥିଲା । ଆଗରେ ଛିଡ଼ା ହୋଇଥିବା ଏତେ ବଡ଼ ହୋଇ ଯାଇଥିବା ପୁଅଟିକୁ ବାପା ପ୍ରଥମେ ମୋଟେ ଚିହ୍ନି ପାରିଲେ ନାହିଁ । କିନ୍ତୁ, ସବୁ କଥା ଶୁଣିସାରିବା ପରେ ତାଙ୍କର ଆଉ ଆନନ୍ଦର ସୀମା ହିଁ ରହିଲା ନାହିଁ । ପୁଅ ସହିତ ଆଉ ପ୍ରକୃତରେ କେବେ ଦେଖାହେବ ବୋଲି ତାଙ୍କର କୌଣସି ଆଶା ନଥିଲା । ଆନନ୍ଦ ସେଠାରେ ଛଅମାସ ରହିଲା ଓ ତା’ପରେ ଏକ କାମର ତଲାଶରେ ବାଙ୍ଗାଲୋର ଆସିଥିଲା । ଏବେ ମଧ୍ୟ ନିଜ ପରିବାର ସହିତ ତା’ର ନିୟମିତ ଯୋଗସୂତ୍ର ରହିଛି ଏବଂ, ଯେତେବେଳେ ସମୟ ହୋଇପାରୁଛି, ସିଏ ସେତେବେଳେ ଘରକୁ ଆସି ବାପାଙ୍କ ସହିତ କିଛି ଦିନ କଟାଇ ଚାଲିଯାଉଛି ।

 

ଆନନ୍ଦ ପ୍ରଥମେ ଗୋଟିଏ ଗୃହନିର୍ମାଣ ସଂସ୍ଥାନରେ କାମଟିଏ ପାଇଲା । ମାତ୍ର ତା’ପରେ ଫାଦର୍ ଜର୍ଜ୍‍ଙ୍କ ସାହାଯ୍ୟରେ ଏକ ଘରୋଇ କୋମ୍ପାନୀରେ ଅଫିସ୍ ପିଅନ୍ ହୋଇ ରହିଲା । ଏବେ ଅଳ୍ପଦିନ ତଳେ ସେ ପାଦ୍ରୀଙ୍କ ସହିତ ହୋସପେଟ୍ ଯିବାକୁ ସ୍ଥିର କଲା । ସେଠାରେ ସ୍ୱେଚ୍ଛାସେବୀ ସଂଗଠନଟି ତରଫରୁ ଏକ ଧନ୍ଦା-ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ କି ରାସ୍ତାରେ ବୁଲୁଥିବା ଯୁବକମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ବିଭିନ୍ନ ତାଲୀମ ପ୍ରାପ୍ତ ହୋଇ ପାରୁଛି ।

 

ଆନନ୍ଦ ଯେତେଦିନ ରାସ୍ତା ନିର୍ଭର ହୋଇ ଜୀବନ ବଞ୍ଚିଥିଲା, ସେତେଦିନ ତା’ ମନ ଭିତରେ ପ୍ରକୃତରେ ଦୁଇଗୋଟି ଉଚ୍ଚାଶା ସର୍ବଦା ରହି ଆସିଥିଲା । ସିଏ ଜଣେ ପୋଲିସ୍ ହେବାକୁ ଚାହୁଁଥିଲା ଅଥବା ତାହା ସମ୍ଭବ ନହେଲେ ଜଣେ ନିୟମିତ ଅପରାଧୀ । ଗୋଟିଏ ସ୍ତରରେ ଏହି ଦୁଇଟି ଜୀବନ ପରସ୍ପରର ସଂପୂର୍ଣ୍ଣ ଭାବରେ ବିପରୀତ ବୋଲି ମନେ ହୋଇପାରେ, ମାତ୍ର ବସ୍ତୁତଃ ତାହା ଆଦୌ ସେପରି ନହେଁ; କାରଣ, ରାସ୍ତା ଉପରେ ଜୀବନ କଟାଉଥିବା ଜଣେ ବାଳକ ନିମନ୍ତେ ଏହି ଦୁଇଟିଯାକ ଧନ୍ଦା ହିଁ ଶକ୍ତି ସମ୍ପନ୍ନ ହେବାର ଦୁଇଟି ଚରମ ପ୍ରତୀକର ପ୍ରତିନିଧିତ୍ୱ କରିପାରନ୍ତି ।

 

ଏବେ କିନ୍ତୁ ତା’ର ଉଚ୍ଚାଶାରେ ପରିବର୍ତ୍ତନ ଘଟି ପାରିଲାଣି । ସିଏ ନିଜର ଗୋଟିଏ ଇଲେକ୍ଟ୍ରିକାଲ୍ ମରାମତି ଦୋକାନ ଆରମ୍ଭ କରିବାକୁ ଇଚ୍ଛା କରୁଛି । ଏବଂ, କେତେ ଖୁସୀ ହୋଇ ସ୍ଵପ୍ନ ଦେଖୁଛି ଯେ, ସେହି ଦୋକାନରେ ସିଏ ଆହୁରି କେତେଜଣ ବାଳକଙ୍କୁ କାମ ଯୋଗାଇ ଦେଇ ପାରିବ; ଯେଉଁମାନେ ଠିକ୍ ତାହାରି ପରି ରାସ୍ତାକୁ ହିଁ ନିଜର ଘର ରୂପେ ଆଦରି ନେବାକୁ ବାଧ୍ୟ ହୁଅନ୍ତି, ସେହିମାନଙ୍କୁ ।

☆☆☆

 

Unknown

ନାରାୟଣାମ୍ମା ହାଡ଼ିଆଣୀ

 

ନାରାୟଣାମ୍ମାର ପ୍ରତିଟି ଦିନ ସକାଳୁ ସେହି ଏକାବାଗିର୍ ଆରମ୍ଭ ହୁଏ । ପାହାନ୍ତା ହେବାର ବହୁ ପୂର୍ବରୁ ସିଏ ଉଠିପଡ଼େ, ତରବର ହୋଇ ଲୁଗାପଟା ପିନ୍ଧି ପକାଏ ଏବଂ ସଙ୍ଗେ ସଙ୍ଗେ ଘରୁ ବାହାରିଯାଏ, ଯେପରିକି ମ୍ୟୁନିସିପାଲିଟି ବାବୁଙ୍କର ହାଜିରା ନେବା ବେଳକୁ ଠିକ୍ ସମୟରେ ଯାଇ ପହଞ୍ଚି ପାରିବ । ସେଠି ଇସ୍କୁଲ ଘର ଦୁଆରେ ଭୋର ପାଞ୍ଚଟା ପୂର୍ବରୁ ହାଜିରା ନିଆଯାଏ । ନାରାୟଣାମ୍ମା ତା’ପରେ ତା’ର ନିର୍ଦ୍ଧାରିତ କାର୍ଯ୍ୟସ୍ଥାନଟିକୁ ଚାଲିଯାଏ; ନିଜ ଟୋକେଇଟି ଭିତରେ ପାରି ଦେବାପାଇଁ ବାଟରୁ କିଛି ବଡ଼ ବଡ଼ ପତ୍ର କିମ୍ବା ରଦି କାଗଜ ସଂଗ୍ରହ କରି ନେଇଯାଏ । ହଁ, କାମରେ ଲାଗୁଥିବା ଅନ୍ୟ କେତୋଟି ସରଞ୍ଜାମ,–ଚଟା ଆକାରର ଖଣ୍ଡେ ଟିଣ ଏବଂ ଗୋଟିଏ ଝାଡ଼ୁ ମଧ୍ୟ ସିଏ କାଖତଳେ ଅବଶ୍ୟ ରଖିଥାଏ ।

 

ମ୍ୟୁନିସିପାଲିଟି ତରଫରୁ ଯେଉଁସବୁ ସାଧାରଣ ପାଇଖାନା ରହିଛି, ସେଠାରେ ସବୁବେଳେ ସ୍ତ୍ରୀଲୋକ ମାନଙ୍କର ଏକ ଭିଡ଼ ଲାଗି ରହିଥାଏ । ସେମାନେ ସମସ୍ତେ ପାଇଖାନା ଯିବେ ବୋଲି ଆଗପଛ ହୋଇ ଅପେକ୍ଷା କରିଥାଆନ୍ତି । ହାତରେ ଧରିଥିବା ଗୋଟିଏ ଟିଣପାତ୍ରରେ ପାଣି ଧରିଥାନ୍ତି । ନାରାୟଣାମ୍ମା ସେହି ଜାଗାରେ ଡିଉଟି କରିବାକୁ ଯାଏ । ମଳତ୍ୟାଗ ସକାଶେ ଧାଡ଼ୀ ଧାଡ଼ୀ ହୋଇ ଚାରିଶହରୁ ଅଧିକ ଥାନ ତିଆରି ହୋଇ ରହିଛି, ଏଇଠି ସ୍ତ୍ରୀଲୋକମାନେ ଝାଡ଼ା ଫେରିବାକୁ ଆସନ୍ତି । ଉପରଟା ପୂରା ଖୋଲା, କଡ଼ମାନଙ୍କରେ ମଧ୍ୟ କୌଣସି କାନ୍ଥ କି ବାଡ଼ ନଥାଏ । କେବଳ, ବାହାରୁ ଯଦି କାହାର ଆଖି ଏଣେ ଆସି ପଡ଼ିଯିବ, ସେଥିପାଇଁ ଗୋଟିଏ ଉଚ୍ଚ ପାଚେରୀ ଯାହା ତିଆରି ହୋଇଛି । ଏଠାରେ ଏଇ ସାଧାରଣ ପାଇଖାନାଟି ବହୁଦିନରୁ ରହିଛି,–ସମ୍ଭବତଃ ଶହେ ବର୍ଷ ହୋଇଯାଇ ପାରେ,–ମାତ୍ର ତଥାପି ବ୍ୟବହୃତ ହେଉଛି ।

 

ସ୍ତ୍ରୀଲୋକମାନେ ପାଇଖାନାଗୁଡ଼ିକୁ ବ୍ୟବହାର କରି ବାହାରିଯିବା ପରେ ନାରାୟଣାମ୍ମା ଓ ତା’ରି ଭଳି ଅନ୍ୟ ସେବାକାରିଣୀ ମାନଙ୍କ ଲାଗି ଡାକରା ପଡ଼େ । ମଳକୁ ଭସାଇ ନେଇଯିବାକୁ ତ କୌଣସି ଫ୍ଲଶ୍‍ର ବ୍ୟବସ୍ଥା ନାହିଁ, ତେଣୁ ମଳତ୍ୟାଗର ସ୍ଥାନମାନଙ୍କରେ ମଳ ଜମା ହୋଇ ରହିଥାଏ କିମ୍ବା ଖୋଲା ନର୍ଦ୍ଦମାଗୁଡ଼ିକ ମଧ୍ୟକୁ ବୋହି ଚାଲି ଯାଉଥାଏ । ନାରାୟଣାମ୍ମା ଭିତରକୁ ଯାଏ, ଝାଡ଼ୁ ସାହାଯ୍ୟରେ ସେହି ଟିଣଖଣ୍ଡଟି ଉପରେ ମଳକୁ ସଂଗ୍ରହ କରିଆଣେ ଏବଂ ଟୋକେଇ ଭିତରକୁ ପକାଇଦିଏ । ଟୋକେଇଟି ଭର୍ତ୍ତି ହୋଇଗଲେ ସିଏ ସେଇଟିକୁ ନିଜ ମୁଣ୍ଡ ଉପରେ ରଖି ଖଣ୍ଡେ ଦୂରରେ ଅପେକ୍ଷା କରୁଥିବା ଗୋଟିଏ ଟ୍ରଲି ଭିତରେ ନେଇ ଫୋପାଡ଼ି ଦେଇଆସେ । ଏଥିପାଇଁ ପ୍ରାୟ ଅଧ କିଲୋମିଟର ବାଟ ଯିବାକୁ ହୋଇଥାଏ । ତେଣୁ ଫେରିଆସି ପୁନର୍ବାର ଆଉକିଏ ଡାକିବ ବୋଲି ଅପେକ୍ଷା କରିବାକୁ ପଡ଼େ । ପ୍ରାୟ ଦଶଟା ବାଜିବାଯାଏ ସେହି କାର୍ଯ୍ୟଟିକୁ କରିବାକୁ ହୁଏ,–ତା’ପରେ ଯାଇ ନାରାୟଣାମ୍ମା ଧୋଇଧାଇ ହୋଇ ଘରକୁ ଫେରେ ।

 

ଭାରତୀୟ ଜାତିବ୍ୟବସ୍ଥା ଅନୁସାରେ ସବୁଠାରୁ ନିମ୍ନ ସ୍ତରର ବୋଲି କୁହା ଯାଉଥିବା ଏହି କାର୍ଯ୍ୟଟିକୁ ବଂଶାନୁକ୍ରମେ କରି ଆସୁଥିବା ପ୍ରାୟ ଦଶଲକ୍ଷ ମନୁଷ୍ୟଙ୍କ ଭିତରୁ ନାରାୟଣାମ୍ମା ହେଉଛି ଜଣେ । ଆମ ଅମଲାତାନ୍ତ୍ରିକ ଓ ଆଇନ୍‍ଗତ ଭାଷାରେ ସେମାନଙ୍କୁ ହାତରେ ମଳି ସଫା କରୁଥିବା ମେହେନ୍ତର ବୋଲି ବର୍ଣ୍ଣନା କରାଯାଇଛି । କାର୍ଯ୍ୟଟିକୁ ପ୍ରକୃତରେ ଏତେ ଦୂଷିତ ଏବଂ ନିକୃଷ୍ଟ ବୋଲି ବିଚାର କରାଯାଏ ଯେ, ଅନ୍ୟାନ୍ୟ ଦଳିତ ଜାତିମାନଙ୍କ ସମେତ ଅନ୍ୟ ସମସ୍ତେ ଏହି ମେହେନ୍ତର ମାନଙ୍କୁ ଛୁଇଁବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଏହି ମଳସଫାକାରୀ ହାତ ମେହେନ୍ତର ମାନଙ୍କର ସ୍ଥିତି ଗାନ୍ଧୀଙ୍କର ମାନସ ଚେତନାକୁ ଏତେ ଗର୍ହିତ ବୋଲି ବୋଧ ହୋଇଥିଲା ଯେ, ସିଏ ନିଜେ ଜିଦ୍ କରି ନିଜର ପାଇଖାନାକୁ ନିଜେ ସଫା କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଥାପି ପ୍ରଥାଟି ଆଦୌ ଚାଲି ଗଲାନାହିଁ,–ତାହା ଯେ କେବଳ ତାଙ୍କର ପ୍ରୟାସ ଅନ୍ତେ ରହିଥିଲା ସେତିକି ନୁହେଁ, ତାହା ବର୍ତ୍ତମାନର ଏହି ଏକବିଂଶ ଶତାବ୍ଦୀରେ ମଧ୍ୟ ପ୍ରଚଳିତ ରହିଛି ।

 

୧୯୯୩ ମସିହାରେ ପାସ୍ ହୋଇଥିବା ଏକ ଆଇନ୍ ଘୋଷଣା କରିଥିଲା ଯେ, ମେହେନ୍ତର ମାନଙ୍କୁ ମଳି ସଫା କରିବାରେ ନିଯୁକ୍ତ କରିବା କିମ୍ବା ଫ୍ଲସ୍ ନଥିବା କୌଣସି ପାଇଖାନା ତିଆରି କରିବା ଏକ ଅପରାଧରୂପେ ଗଣା ହେବ ଏବଂ ସେଥିପାଇଁ ବର୍ଷେ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଦୁଇହଜାର ଟଙ୍କା ଜୋରିମାନାର ଆଦେଶ ହୋଇପାରିବ । ମାତ୍ର, ଭାରତୀୟ ବିଧାନସଭା ମାନଙ୍କରେ ପାସ୍ ହେଉଥିବା ବହୁ ଆଇନଗୁଡ଼ିକର କ୍ଷେତ୍ରରେ ଯାହା ହୁଏ, ଏହି ଆଇନ୍‍ଟିର ଭାଗ୍ୟରେ ମଧ୍ୟ ତାହାହିଁ ଘଟିଲା । ଅତି ଦରିଦ୍ର ତଥା ଅସହାୟ ମନୁଷ୍ୟମାନଙ୍କୁ ସୁରକ୍ଷା ଦେବାପାଇଁ ବା ବିଶେଷ କୌଣସି ସୁବିଧା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଏହି ଆଇନ୍‍ଗୁଡ଼ିକୁ କ୍ଵଚିତ୍ ସ୍ୱୀକୃତି ମଧ୍ୟ ମିଳିଥାଏ; ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ତ ଆହୁରି ଅଧିକ ଦୂରର କଥା । ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲା ମହକୁମାରେ ନାରାୟଣାମ୍ମା ଗୋଟିଏ ମ୍ୟୁନିସିପାଲିଟିରେ ଜଣେ କର୍ମଚାରୀ । ରାଜ୍ୟ ସରକାରଙ୍କର ରେକର୍ଡ୍‍ଗୁଡ଼ିକ ଅନୁସାରେ ଆନ୍ଧ୍ର ପ୍ରଦେଶରେ ଆଉ କୌଣସି ଫ୍ଲଶ୍‍ ନଥିବା ପାଇଖାନା ଚାଲୁ ହେଉନାହିଁ । ମାତ୍ର, ଆମେ ଅନନ୍ତପୁରରେ ସ୍ଥାନୀୟ ପ୍ରଶାସନ ସେହିଭଳି ପାଇଖାନାଗୁଡ଼ିକୁ ଚାଲୁ ରଖିଥିବାର ଦେଖିବାକୁ ପାଇଥିଲୁ । ଏବଂ, ସେଗୁଡ଼ିକୁ ପରିଷ୍କାର କରିବା ପାଇଁ ଲୋକମାନେ ନିଯୁକ୍ତ ହୋଇ ମଧ୍ୟ ରହିଛନ୍ତି । ସରକାର ନିଜ ଆଇନ୍‍ଗୁଡ଼ିକୁ ନିଜେ ଭଙ୍ଗ କରୁଛନ୍ତି ଏବଂ ନାରାୟଣାମ୍ମାକୁ ତାହାରି ଫଳ ଭୋଗ କରିବାକୁ ପଡ଼ୁଛି । ତାହାକୁ ଏକ ବିଦ୍ରୁପ ବ୍ୟତୀତ ପ୍ରକୃତରେ ଆଉ କ’ଣ କୁହାଯାଇ ପାରିବ ? ସରକାର କେବଳ ଯେ ଏହି ପ୍ରକାରର ପାଇଖାନା ଗୁଡ଼ିକୁ ଚାଲୁ ରଖିଛନ୍ତି ତା’ ନୁହେଁ, ଦେଶର ଅନ୍ୟାନ୍ୟ ବହୁ ଅଞ୍ଚଳ ପରି ଅନନ୍ତପୁରରେ ମଧ୍ୟ କେବଳ କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକମାନଙ୍କୁ ପାରମ୍ପରିକ ଭାବରେ ମେହେନ୍ତର ରୂପେ ନିଯୁକ୍ତ କରାଯାଉଛି, ସରକାର ସେ ବିଷୟରେ ମଧ୍ୟ ମୋଟେ କିଛି ଭାବୁ ନାହାନ୍ତି ।

 

ନାରାୟଣାମ୍ମା ଯେଡ଼େ ହୀନ ଏବଂ ନିକୃଷ୍ଟ ଧନ୍ଦାଟିଏ କରୁଥିଲେ କ’ଣ ହେବ, ସେହି ଧନ୍ଦାଟି କରୁଥିବା ଅଧିକାଂଶଙ୍କ ପରି ସିଏ ସର୍ବଦା ସଂପୂର୍ଣ୍ଣ ତ୍ରୁଟିହୀନ ଭାବରେ ପରିଚ୍ଛଦ ପିନ୍ଧିଥାଏ, ତା’ ପିନ୍ଧା ଶାଢ଼ୀରେ କେଉଁଠିହେଲେ ଦାଗଟାଏ ବି ଲାଗି ନଥାଏ । ତା’ ମୁଣ୍ଡର ବାଳ କେବେହେଲେ ନୁଖୁରା ଉଡ଼ୁନଥାଏ, ଉତ୍ତମ ରୂପେ କୁଣ୍ଡିଆ ହୋଇଥାଏ ଏବଂ ତା’ଉପରେ ଶ୍ୱେତ ଏବଂ କେଶରୀ ରଙ୍ଗର ଫୁଲମାନ ଖୋସା ହୋଇଥାଏ । ତା’ ଘର ସବୁବେଳେ ସଫା ଏବଂ ତୋରା ଦେଖା ଯାଉଥାଏ; ଘରର ଚଟାଣ ଓ ଘରେ ଥିବା ବାସନକୁଶନ କେଡ଼େ ଉଜ୍ଜ୍ୱଳ ଓ ଚକ୍ ଚକ୍ ବି ଦିଶୁଥାଏ । ସେହି ପରିଚ୍ଛନ୍ନତା ଭିତରେ ସର୍ବଦା ଏକ ନୀରବ ପ୍ରଭାବଶାଳିତା ରହିଥାଏ, ସକଳ ଅପ୍ରତିଷ୍ଠା ସତ୍ତ୍ୱେ ଏକ ସଂକଳ୍ପପୂର୍ଣ୍ଣ ମର୍ଯ୍ୟାଦାବନ୍ତତା, ଏପରିକି ଏକ ଦୃଢ଼ ପ୍ରତିବାଦ ବ୍ୟକ୍ତି ହେଉଥାଏ ।

 

କିନ୍ତୁ ନାରାୟଣାମ୍ମା ସବୁବେଳେ ପାନ ଖାଇବାରେ ଲାଗିଥାଏ । ସେହି ଗୁହଗନ୍ଧଟା କେବେ ହେଲେ ତାକୁ ଛାଡ଼ିଯାଏ ନାହିଁ ବୋଲି ସେ ସବୁବେଳେ କହେ । ଯେତେ ଯାହା କଲେ ମଧ୍ୟ, ତୁମ ମୁଣ୍ଡର ବାଳ, ଦେହରେ ପିନ୍ଧିଥିବା ଲୁଗା, ଏପରିକି ତମେ ଯେତେବେଳେ ଯାହା ଖାଉଥାଅ,–ସବୁବେଳେ ସେହି ମଳର ଗନ୍ଧଟା ହିଁ ନାକରେ ଆସି ବାଜୁଥାଏ । ଟୋକେଇ ଭିତରର ମଇଳା ବର୍ଷା ହେଉଥିବା ସମୟରେ ଛିଟିକି ଛିଟିକି ତୁମର ମୁଣ୍ଡବାଳ, ତୁମ ମୁହଁ ଓ ଦୁଇ କାନ୍ଧ ଉପରେ ଆସି ଛିଞ୍ଚାଡ଼ି ହୋଇ ପଡ଼ୁଥାଏ । ସେଇଥିପାଇଁ ତ ଆମେ ସବୁବେଳେ ମୁହଁ ଭିତରେ ଗୁଆ ଚୋବାଇବାରେ ଲାଗିଥାଉ ଏବଂ ସିଏ ଏକଥା ମଧ୍ୟ ସ୍ୱୀକାର କରେ ଯେ, କିଛି କିଛି ତାଡ଼ି ମଧ୍ୟ ପିଉ-। ଏହିପରି ଭାବରେ ଆମକୁ ସେହି ଲଜ୍ଜାଜନକ କାର୍ଯ୍ୟଟିକୁ କରିବାକୁ ହୋଇଥାଏ ।

 

କାହାର କେଉଁ ଜାତି, ସେକଥା ତ ଜଣେ ମନୁଷ୍ୟର କପାଳ ଉପରେ ଲେଖା ହୋଇନାହିଁ, ସହରରେ ନିମ୍ନ ଜାତିର ବହୁ ଲୋକ ନିମ୍ନ ଜାତିଗତ ପରିଚୟଟିକୁ ଫିଙ୍ଗିଦେଇ ପାରିଛନ୍ତି ଏବଂ କ୍ରମେ ସେହି ବନ୍ଧନ ମଧ୍ୟରୁ ମୁକ୍ତ ହୋଇ ଆସି ପାରୁଛନ୍ତି । ମାତ୍ର, ଏହି ମେହେନ୍ତରମାନେ ମୁକ୍ତ ହୋଇ ପାରୁନାହାନ୍ତି,–ନିଜର ସେହି ଘୃଣ୍ୟ ଧନ୍ଦାଟି ସହିତ ବାନ୍ଧି ହୋଇ ରହିଥିବାରୁ ସେମାନଙ୍କୁ ସମସ୍ତେ ତାହାହିଁ ବୋଲି ଜାଣିନେଇ ପାରୁଛନ୍ତି । ହେ ମ୍ୟୁନିସିପାଲିଟିର ମେହେନ୍ତରାଣୀ, ଆ,–ଆମ ପାଇଖାନାଟାକୁ ସଫା କରିଦେ’,–ଠିକ ଏହିପରି ବାକ୍ୟଟିଏ ପ୍ରୟୋଗ କରି ନାରାୟଣାମ୍ମା ଓ ତା’ରି ଧନ୍ଦାର ଅନ୍ୟମାନଙ୍କୁ ଲୋକମାନେ ଏବେ ମଧ୍ୟ ଡାକୁଛନ୍ତି, ସେମାନେ ରାସ୍ତାରେ ଚାଲି ଯାଉଥିବା ସମୟରେ ସମସ୍ତେ ଏହି ଭଳି ହିଁ ଶୁଣୁଛନ୍ତି ।

 

ନାରାୟଣାମ୍ମା କହେ, ସତେ ଯେମିତି ଆମ ନିଜର ଆଦୌ କୌଣସି ନାଆଁ ହିଁ ନାହିଁ ! ଏବଂ ସତେଅବା ଆମେ ଗୁହ ଭଳି ଗନ୍ଧାଉଥିବା ପରି ବାଟରେ ଚାଲିଗଲାବେଳେ ଲୋକେ ଅନେକ ସମୟରେ ନିଜ ନାକ ଉପରେ ଲୁଗା ବି ଦେଇ ପକାଉଛନ୍ତି । ଆଉ ଜଣେ ଲୋକ ପାଣିକଳ ଖୋଲିବା ପର୍ଯ୍ୟନ୍ତ ବା ନଳକୂଅର ପମ୍ପ୍ ପାରିବା ପର୍ଯ୍ୟନ୍ତ ଆମକ ଅପେକ୍ଷା କରିବାକୁ ପଡ଼ୁଛି । ଆମେ ପାଣି ଦରକାର କଲାବେଳେ ସବୁବେଳେ ଏହି ଭଳି ହିଁ ହେଉଛି; ନହେଲେ ଆମେ ଛୁଇଁଦେଲେ ନଳକୂଅ ଅଛୁଆଁ ହୋଇଯିବ ବୋଲି ସମସ୍ତେ ଭାବୁଛନ୍ତି । ଚାହାଦୋକାନ ମାନଙ୍କରେ ଆମେ କ’ଣ ଅନ୍ୟମାନଙ୍କ ସହିତ ଏକ ବେଞ୍ଚରେ ବସି ପାରୁଛୁ,–ଆମକୁ ତ ଅଲଗା ହୋଇ ତଳେ ଯାଇ ବସିବାକୁ ପଡ଼ୁଛି ! ଏବେ ଯାଏ ଆମେ ବ୍ୟବହାର କରିବୁ ବୋଲି ଅଲଗା ଭଙ୍ଗା ଚାହା କପମାନ ରହିଥିଲା; ସେଗୁଡ଼ିକୁ ଆମକୁ ସ୍ୱୟଂ ଧୋଇବାକୁ ହେଉଥିଲା ଏବଂ ସେଗୁଡ଼ିକୁ କେବଳ ଆମ ପାଇଁ ଅଲଗା ଜାଗାରେ ରଖା ଯାଉଥିଲା । ଅନନ୍ତପୁର ସହରର ପାଖରେ ଥିବା ଗାଆଁମାନଙ୍କରେ ତଥା ରାଜ୍ୟର ଆହୁରି ବହୁତ ଜାଗାରେ ମଧ୍ୟ ଏହାହିଁ କରାଯାଉଛି ।

 

ନାରାୟଣାମ୍ମା ଇଟୁକୂଲାପଲ୍ଲୀ ନାମକ ଗୋଟିଏ ଗାଆଁରେ ଜନ୍ମ ହୋଇଥିଲା । ସିଏ ମାଡ଼ିଗା ନାମକ ଗୋଟିଏ ଅଛୁଆଁ ଜାତିରେ ଜନ୍ମିଥିଲା । ଆପଣାର ଏଗାରଜଣ ଭାଇଭଉଣୀଙ୍କ ମଧ୍ୟରୁ କେବଳ ଛଅଜଣ ହିଁ ରହିଥିଲେ । ଘରେ ଜମିବାଡ଼ି କିଛି ନଥିଲା, ତେଣୁ ସମସ୍ତେ ଅନ୍ୟ କେଉଁମାନଙ୍କର ଜମିରେ ମୂଲିଆ ବା କୁଲି ହୋଇ କାମ କରୁଥିଲେ । ବାପା ମଧ୍ୟ ମୋଚି କାମ କରୁଥିଲେ ଏବଂ ସେମାନଙ୍କ ଜାତିର ସର୍ବନିମ୍ନ ପାଖି ବର୍ଗର ଲୋକମାନଙ୍କୁ ମଲା ମଣିଷ ଓ ମଲା ପଶୁମାନଙ୍କୁ ଉଠାଇ ସଂସ୍କାର କରିବା ନିମନ୍ତେ ଡକା ଯାଉଥିଲା । ସେମାନେ କବରଗାତ ଖୋଳିବା କାମରେ ମଧ୍ୟ ନିଯୁକ୍ତ ହେଉଥିଲେ । ଘରର ସ୍ତ୍ରୀଲୋକମାନେ ରେଡ୍ଡି ଜମିଦାରମାନଙ୍କର ଘରକୁ ଘରକାମ କରିବା ଲାଗି ଯାଉଥିଲେ । ପୁନଶ୍ଚ, ଗୁଣ୍ଟାକଲ୍ ରେଳ ଜଙ୍କ୍‍ଶନରେ ବେଳେବେଳେ ପଥର ଭାଙ୍ଗିବା କାମ ମଧ୍ୟ ମିଳି ଯାଉଥିଲା । ମାତ୍ର, ଗାଆଁର ଲୋକେ ବିଲପଦା ମାନଙ୍କରେ ମଳତ୍ୟାଗ କରୁଥିବାରୁ ସେଠାରେ ପାଇଖାନା ସଫା କରିବାର କୌଣସି ଆବଶ୍ୟକତା ନଥିଲା ।

 

ନାରାୟଣାମ୍ମାକୁ ତିନିବର୍ଷ ବୟସବେଳେ ତା’ର ମାଆ ଯକ୍ଷ୍ମାରେ ମରିଗଲେ, ତେଣୁ କୁନି ଝିଅଟିକୁ ତା’ପରେ ବାପାଙ୍କ ସାଙ୍ଗରେ ବିଲକୁ ଅଥବା ରେଳଲାଇନ୍ ଉପରକୁ ଯିବାକୁ ହେଲା । ସାତବର୍ଷ ସମୟରୁ ତାକୁ ମଧ୍ୟ କାମ କରିବାକୁ ହେଲା । କିନ୍ତୁ, ତାକୁ ପ୍ରାୟ ବାରବର୍ଷ ହୋଇଥିବାବେଳେ ବାପା ବି ଚାଲିଗଲେ । ତା’ ବଡ଼ ଭଉଣୀ ପେଡ଼ାକ୍କା ତହୁଁ ଠିକ୍ କଲା ଯେ, ବର୍ତ୍ତମାନ ନାରାୟଣାମ୍ମାର ବିବାହ କରାଇଦେବା ଉଚିତ ହେବ । କେବଳ ଏହି ଗୋଟିଏ ଉପାୟରେ ହିଁ ତା’ର ରକ୍ଷଣାବେକ୍ଷଣ ହୋଇପାରିବ । ପେଡ଼ାକ୍କା ଆଗରୁ କଦିରପ୍ପାକୁ ବାହା ହୋଇ ସାରିଥିଲା, ଯିଏକି ନିକଟସ୍ଥ ଅନନ୍ତପୁର ମ୍ୟୁନିସିପାଲ ସହରରେ ନିଜ ମାଆ ସହିତ, ହାତରେ ମଳ ଉଠାଇବା କାମ କରୁଥିଲା । ନିଜେ କରୁଥିବା ଏହି ଲଜ୍ଜାଜନକ ଧନ୍ଦାଟିକୁ ଭୁଲିଯିବା ନିମନ୍ତେ ଅତିରିକ୍ତ ତାଡ଼ି ପିଇବାରୁ ତା’ର ମାଆ ଯକୃତ୍ ରୋଗରେ ମରିଗଲା ଏବଂ, ସିଏ କରୁଥିବା କାମଟି ପ୍ରାୟ ଏକ ଅନିଶ୍ଚିତ ପାରମ୍ପରିକତାର ନିୟମ ଅନୁସାରେ ନାରାୟଣାମ୍ମାର ବଡ଼ ଭଉଣୀ ତା’ ବୋହୂର ଭାଗରେ ଆସି ପଡ଼ିଥିଲା । ପେଡ଼ାକ୍କା କୌଣସି ସନ୍ତାନ ପ୍ରସବ କରିନଥିଲା । ହୁଏତ ନାରାୟଣାମ୍ମା ତାଠାରୁ ଅଧିକ ଭାଗ୍ୟବତୀ ହୋଇଥିବ ବୋଲି ସିଏ ବିଚାର କରିଥିଲା । ତେଣୁ, ବାପର ମୃତ୍ୟୁ ଅନ୍ତେ ପେଡ଼ାକ୍କା କଦିରପ୍ପାକୁ ତା’ ସାନ ଭଉଣୀ ନାରାୟଣାମ୍ମାକୁ ବିବାହ କରିବାଲାଗି ପ୍ରବର୍ତ୍ତାଇବାକୁ ଲାଗିଲା ।

 

ଏହିପରି ଭାବରେ ପେନ୍ନାଓବେଳମ୍ ଠାକୁରଙ୍କ ମନ୍ଦିରରେ ତା’ ସ୍ୱାମୀ ସହିତ ତେର ବର୍ଷର ନାରାୟଣାମ୍ମାର ବିବାହ ହେଲା । ତା’ଠାରୁ ତା’ ସ୍ୱାମୀର ବୟସ ତିନିଗୁଣରୁ ଆହୁରି ଅଧିକ ଥିଲା ସିନା, କିନ୍ତୁ ନିଜର ଏହି ନୂଆ କନିଆଟି ପ୍ରତି ତା’ର ବ୍ୟବହାର ବେଶ୍ ଭଲ ଥିଲା । ସେମାନଙ୍କର ପ୍ରଥମେ ଗୋଟିଏ ପୁଅ ହେଲା,–ସେମାନଙ୍କର ବିବାହ ବେଳେ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ଦେବତାଙ୍କ ଅନୁସାରେ ସେମାନେ ପୁଅର ନାମ ପେନ୍ନାଓବୁଳେସୁ ରଖିଥିଲେ ।

 

ଏକ ମେହେନ୍ତର ଜାତି ଏହି ପାକି ପାଟକର ପଚାଶ ପର୍ଯ୍ୟନ୍ତ ପରିବାର ଅନନ୍ତପୁର ମ୍ୟୁନିସିପାଲିଟିର ଉପକଣ୍ଠରେ ଏକ ନୀଚା ଜାଗାରେ ଯାଇ ଥଇଥାନ ହୋଇଥିଲେ । ଏହି ବସତିଟିକୁ ଆମ୍ବେଦକର ନଗର ବୋଲି କୁହା ଯାଉଥିଲା । ସମୟକ୍ରମେ ସେଇଟି ମଧ୍ୟ ଖାସ୍ ସହରର ଗୋଟିଏ ଅଂଶରେ ପରିଣତ ହୋଇ ଯାଇଥିଲା ।

 

ଇତିମଧ୍ୟରେ ନାରାୟଣାମ୍ମାର ବଡ଼ଭଉଣୀ ପେଡ଼ାକ୍କା ଅତ୍ୟନ୍ତ ଛେତା ଦେଖାଯିବାକୁ ଆରମ୍ଭ କଲା । ସିଏ ମଧ୍ୟ ସର୍ବଦା ଗୁଆ ଚୋବାଉଥିଲା, ତମାଖୁ ମଧ୍ୟ ଖାଉଥିଲା । ତା’ ମୁହଁରେ ଗୋଟିଏ ଘାଆ ହେଲା, ଯାହାକି ଆଦୌ ଭଲ ହେଲା ନାହିଁ ଓ କ୍ରମେ କର୍କଟ ବେମାରିରେ ପରିଣତ ହେଲା । ଆରୋଗ୍ୟର କୌଣସି ସମ୍ଭାବନା ହିଁ ନଥିଲା । ପ୍ରଥମେ ପ୍ରଥମେ ନାରାୟଣାମ୍ମା ରୋଗିଣୀ ପେଡ଼ାକ୍କା ସହିତ ତାକୁ ସାହାଯ୍ୟ କରିବାଲାଗି ପାଇଖାନା ସଫା କରିବାପାଇଁ ଯାଉଥିଲା । ମାତ୍ର ଅଳ୍ପଦିନ ଅନ୍ତେ ଭଉଣୀର ମୃତ୍ୟୁ ହେଲା । ସେତେବେଳେ ନାରାୟଣାମ୍ମାର ପୁଅକୁ ଠିକ୍ ଦୁଇବର୍ଷ ହୋଇଥାଏ । ସେହି ଦିନଠାରୁ ସେ ତା’ ଭଉଣୀର ଧନ୍ଦାଟିକୁ ନିୟମିତ ଭାବରେ କରିଆସିଛି ।

 

ଏହି କାର୍ଯ୍ୟରେ ନିଜର ପ୍ରଥମ ସମୟର ଅଭିଜ୍ଞତାକୁ ମନେ ପକାଇ ନାରାୟଣାମ୍ମା କହିଲା ଯେ ଧନ୍ଦାଟି ତାକୁ ସତେଅବା ଏକ ଲଗାତାର ଦୁଃସ୍ୱପ୍ନବତ୍ ଲାଗୁଥିଲା । ପାଇଖାନା ଭିତରକୁ ପଶିଯିବା ମାତ୍ରକେ ତାକୁ ସତେ ଯେପରି ବାନ୍ତି ହୋଇଯିବା ପରି ମନେ ହେଉଥିଲା ଏବଂ ମଳଗୁଡ଼ାକୁ ଟୋକେଇ ଭିତରେ ନେଇ ଭରିବା ସମୟରେ ଅବସ୍ଥା ଆହୁରି ଖରାପ ହୋଇ ପଡ଼ୁଥିଲା । ମଳଭରି ଟୋକେଇଟି ପ୍ରାୟ ଦଶ କିଲୋ ପର୍ଯ୍ୟନ୍ତ ଓଜନ ହୋଇଥିବ ଏବଂ ସିଏ ତଥା ଅନ୍ୟ ସ୍ତ୍ରୀଲୋକମାନେ ସେହି ଓଜନ ଏବଂ ସେହି ଦୁର୍ଗନ୍ଧ ହେତୁ ଭାରି ଅସୁସ୍ଥ ଲାଗୁଥିଲା,–ମୁଣ୍ଡଟା ପୂରା ଘୂରିଯିବା ପରି ମନେ ହେଉଥିଲା । କାମର ବୋଝକୁ ଉଣା କରିବା ଅଭିପ୍ରାୟରେ ସରକାର ତରଫରୁ ପୁରୁଷମାନଙ୍କୁ ଏକଦା ହାତମୋଜା ଏବଂ ଚକା ରହିଥିବା ଠେଲାଗାଡ଼ି ମିଳୁଥିଲା । କିନ୍ତୁ ଚକାଥିବା ଏହି ଗାଡ଼ିସବୁ ଭାରି ଖରାପ ଭାବରେ ତିଆରି ହୋଇଥିଲେ ଏବଂ ଠେଲି ଠେଲି ନେବାକୁ ଏଡ଼େ କଷ୍ଟ ଲାଗୁଥିଲା ଯେ, ସେମାନେ ବିରକ୍ତ ହୋଇ ଶେଷରେ ଟୋକେଇମାନଙ୍କୁ ମୁଣ୍ଡ ଉପରେ ମୁଣ୍ଡାଇବାକୁ ହିଁ ଅଧିକ ସହଜ ମନେ କରିଥିଲେ । ହଁ, ହାତମୋଜାମାନେ ନିଶ୍ଚୟ ଅଧିକ କାମ ଦେଲେ; କିନ୍ତୁ, କେବଳ ପୁରୁଷମାନେ କାହିଁକି ସେଗୁଡ଼ିକୁ ପାଇଥିଲେ ଏବଂ ମୋଟେ ଥରକ ନିମନ୍ତେ ହିଁ ପାଇଥିଲେ, ସେକଥାଟି ନାରାୟଣାମ୍ମା କିମ୍ବା କଦିରପ୍ପା କାହାକୁ ହେଲେ ମାଲୁମ ନଥିଲା-

 

ପରିବାରଟି ଅବାଧ ଭାବରେ ବୃଦ୍ଧି ପାଇବାରେ ଲାଗିଥାଏ । ପୁଅଟି ପରେ ଗୋଟିଏ ଝିଅ ଜନ୍ମ ହେଲା ଓ ତା’ପରେ ଦୁଇଟି ପୁଅ । ପିଲାମାନେ ଯେ ଇସ୍କୁଲକୁ ଯାଇ ପାଠ ପଢ଼ିବେ, କଦିରପ୍ପା ସେବିଷୟରେ ଆଦୌ କୌଣସି ସାରିଶ୍ କରିବାକୁ ଚାହୁନଥିଲା । ସହରରେ ମ୍ୟୁନିସିପାଲିଟି ତରଫରୁ ଚାଲୁଥିବା ବିଦ୍ୟାଳୟରେ ଖୋଲାଖୋଲି ଭାବରେ ଜାତିଗତ ବାରଣ କିଛି ପରିମାଣରେ କମ୍ ଥିଲା ଏବଂ ତେଣୁ ସେଠାରେ ସେମାନଙ୍କର ନାମଲେଖା ହୋଇଯାଇ ପାରିଲା । ବଡ଼ପୁଅ କ୍ରମେ ହାଇସ୍କୁଲ ପାଠ ଶେଷ କରି ପାରିଥିଲା ।

 

ସେହି ବଡ଼ପୁଅ କୋଡ଼ିଏ ପାଖାପାଖି ହୋଇ ଆସୁଥିବା ସମୟରେ କଦିରପ୍ପାର ହୃଦଯନ୍ତ୍ରରେ ବେମାର ବାହାରିଲା ଏବଂ ଫଳରେ ତା’ ଶରୀରର ବାମ ପାର୍ଶ୍ୱଟି ଆଂଶିକ ଭାବରେ ଅଚଳ ହୋଇ ଯାଇଥିଲା । ଏଥର ସିଏ ପୂରା ଅବସର ଗ୍ରହଣ କରୁ ବୋଲି ସିଏ ଚାକିରି କରୁଥିବା ବିଭାଗର ଇନ୍‍ସପେକ୍ଟର୍ ଇଚ୍ଛା କରିଥିଲେ ସତ, ମାତ୍ର ତଥାପି କାମରେ ରହିବାଲାଗି କେତେ ନେହୁରା ହୋଇ କହିଲା; ସିଏ ଯେ ସମର୍ଥ ଓ ସବଳ ଅଛି, ସେକଥା ଦେଖାଇବା ପାଇଁ କଦିରପ୍ପା ବହୁତ ଆୟାସ ସହିତ ନିଜର ବାଆଁ ହାତଟିକୁ ମଧ୍ୟ ଉପରକୁ ଟେକି ଦେଇଥିଲା । ଏଣିକି ତା’ ପୁଅ ସାଙ୍ଗରେ ଗଲା ଓ ବାପାଙ୍କୁ କାମରେ ସାହାଯ୍ୟ କଲା । ପାଞ୍ଚ ବର୍ଷ ପୂର୍ବେ ଯେତେବେଳେ କଦିରପ୍ପା ପୂରା ଅବସର ଗ୍ରହଣ କଲା, ତା’ପୁଅ ହିଁ ତା’ ସ୍ଥାନରେ ନିଯୁକ୍ତ ହେବ ବୋଲି ସିଏ ବହୁତ ଚେଷ୍ଟା ମଧ୍ୟ କରିଥିଲା ପୁଅ ଏତେ ପାଠ ପଢ଼ିଥିଲେ ମଧ୍ୟ ତଥାପି ଚେଷ୍ଟା କଲା । ଏହି କାମଟା ସମାଜଦୃଷ୍ଟିରେ ଗୋଟିଏ ଅତି ହୀନ କାର୍ଯ୍ୟ ବୋଲି ଧାରଣାଟି ସହିତ ତା’ ମଥା ଭିତରେ କେଉଁ ଏକ ସ୍ଥାନରେ ଏହାଦ୍ୱାରା ପ୍ରାପ୍ତ ହେଉଥିବା ଆର୍ଥିକ ସୁନିଶ୍ଚିତତାର କଥାଟି ମଧ୍ୟ ଯୋଡ଼ି ହୋଇ ଅବଶ୍ୟ ରହିଥିଲା । ମାତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍.ଟି.ରାମାରାଓ ଯାବତୀୟ ମ୍ୟୁନିସିପାଲ୍ ଚାକିରିକ୍ଷେତ୍ରରେ ଏହି ବଂଶାନୁକ୍ରମିକ ଅଧିକାରର ରୀତିଟିକୁ ଉଠାଇ ଦେଇଥିଲେ ଏବଂ ତେଣୁ କଦିରପ୍ପାର ସେହି ସ୍ଥାନଟି ନିମନ୍ତେ ତାଙ୍କ ଜାତିର ଅନ୍ୟମାନେ ମଧ୍ୟ ପ୍ରତିଦ୍ୱନ୍ଦିତା କରିବାକୁ ଆସି ପହଞ୍ଚି ଯାଇଥିଲେ । ପୁଅର ଚାକିରି ପାଇଁ ଇନ୍‍ସପେକ୍ଟର୍ ବି କୋଡ଼ିଏ ହଜାର ଟଙ୍କା ଦାବି କଲା । ସେମାନେ ତାହା ଦେବାକୁ ନାସ୍ତି କରିଦେଲେ । ସେତିକି ଟଙ୍କା ଯୋଗାଡ଼ କରି ଖର୍ଚ୍ଚ କରିପାରିଲେ ସେମାନେ ପୁଅ ସକାଶେ ଅଧିକ ସମ୍ମାନଜନକ କୌଣସି କାମର ଯୋଗାଡ଼ ମଧ୍ୟ କରିଦେଇ ପାରିବେ । ଶେଷକୁ ସେହି ଆମ୍ବେଦକର ନଗରରେ ପୁଅ ଏକ ଚାହାଦୋକାନ ଆରମ୍ଭ କରିଦେଲା-। ଅନ୍ୟ ଜାଗାଗୁଡ଼ିକରେ ଚାହାଦୋକାନ ମାନଙ୍କରେ ଜାତି ବିଚାର ବିଷୟରେ ଯେଉଁ ପାତରଅନ୍ତର ରହିଛି, ଏହାଦ୍ୱାରା ଆମ୍ବେଦକର ନଗରର ବାସିନ୍ଦାମାନେ ସେଥିରୁ ତ ରକ୍ଷା ପାଇ ପାରିବେ-! ତେଣୁ, ଆମ୍ବେଦକର ନଗରର ଲୋକମାନଙ୍କୁ ଗରହାକରୂପେ ପାଇ ସେହି ଚାହା ଦୋକାନଟି ବେଶ୍ ଭଲ ବ୍ୟବସାୟ କରିପାରୁଛି ।

 

୧୯୯୮ ମସିହାରେ ନିଜକୁ ଉଇଲସନ୍ ବେଜାୱାଡ଼ା ନାମରେ ପରିଚୟ ଦେଇ ଆମ୍ବେଦକର ନଗରରେ ସେମାନଙ୍କ ଘରେ ଆସି ସେମାନଙ୍କ ସହିତ ସାକ୍ଷାତ କଲା । କହିଥିଲା, ତୁମମାନଙ୍କ ପରି ମୁଁ ମଧ୍ୟ ଏହି ଜାତିରେ ଜନ୍ମ ହୋଇଥିଲି । ମୁଁ ମଧ୍ୟ ଜଣେ ମାଡ଼ିଗା, ଜଣେ ପାକି । ତୁମମାନଙ୍କର ଦୁଃଖ ଏବଂ ଲଜ୍ଜାକୁ ମୁଁ ଉତ୍ତମରୂପେ ଜାଣିଛି । ଏବଂ ମୁଁ ତୁମମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରୁଛି ।

 

ମାତ୍ର ସେତେବେଳେ ନାରାୟଣାମ୍ମା ଅତି ଦୃଢ଼ ଭାବରେ ଅସ୍ୱୀକାର କରି କହିଲା ଯେ, ଏବେ ଆଉ ସେମାନଙ୍କ ମଧ୍ୟରୁ ଜଣେ ବି କେହି ହାତରେ ଗୁହସଫା କରୁନାହିଁ । ଏହି ଅପରିଚିତ ଉଇଲସନ୍ ନାମକ ବ୍ୟକ୍ତିଟିକୁ ଘର ଭିତରକୁ ମଧ୍ୟ ଆସିବାକୁ ଦେଇନଥିଲା । ତାକୁ କହିଲା, ବାବୁ, ତୁମେ ଯେଉଁ କାମଟି ବିଷୟରେ କହୁଛ, ଆମେ ସେ ବିଷୟରେ ମୋଟେ କିଛି ଜାଣିନାହୁଁ । ଏଠାରେ ସେପରି ଘଟଣା କେବେହେଲେ ଘଟେନାହିଁ ।

 

ଏମାନେ ସମସ୍ତେ ଷଡ଼ଯନ୍ତ୍ର କରିଥିବା ପରି କଥାକୁ ଲୁଚାଇ ରଖିଛନ୍ତି ଓ କିଛି କହୁନାହାନ୍ତି, ଏକଥା ଜାଣିଥିବାରୁ ଆଗନ୍ତୁକ ଯୁବକଜଣକ ସେହି ନୀରବତାକୁ ଭାଙ୍ଗି ଦେବାଲାଗି ଦୃଢ଼ପରିକର ହୋଇଗଲା । ଏହିପରି କେତେଥର ଆସିବା ପରେ ନାରାୟଣାମ୍ମା ଓ ତା’ ପରିବାର ଦିନେ ଯୁବକଟିକୁ ଘର ଭିତରକୁ ଡାକି ଆଣିଥିଲେ ଏବଂ ତା’ କଥା ଶୁଣି ମନ୍ତ୍ରମୁଗ୍ଧପ୍ରାୟ ହୋଇଗଲେ । ଯୁବକଟି ନିଜେ ମେହେନ୍ତରର କାମ କରୁନଥିଲା; କିନ୍ତୁ ସିଏ ଯେ ସେହିମାନଙ୍କର ପାଟକର ଜଣେ ଲୋକ, ସିଏ ତାହା ଘୋଷଣା କରିଥିଲା । ସିଏ କଥାଗୁଡ଼ିକୁ କହୁଥିବା ସମୟରେ କେତେ କିଏ କ୍ରୋଧ ପ୍ରକାଶ କଲେ, କେତେ ଦୁଃଖ ବି ବ୍ୟକ୍ତ କଲେ, ମାତ୍ର ବହୁତ ଗର୍ବ ମଧ୍ୟ ଅନୁଭବ କରୁଥିଲେ ।

 

ଯୁବକଟି କୋଲାର୍ ସୁନାଖଣି ଅଞ୍ଚଳରେ ତା’ ପିଲାଦିନଟିକୁ କଟାଇଥିଲା । ଉଇଲସନ୍ ସେମାନଙ୍କୁ କହିଲା, ଏକଦା ଇଂରେଜମାନେ ଏହି ଖଣିଗୁଡ଼ିକର ମାଲିକ ଥିଲେ,–ବର୍ତ୍ତମାନ ସେଗୁଡ଼ିକ ସରକାରଙ୍କର ଅଧୀନରେ ରହିଛି । ମାତ୍ର, ସିଏ ଜନ୍ମ ହେବାର ବହୁପୂର୍ବରୁ ହିଁ ତା’ର ବାପା ମେହେନ୍ତର କାମ ଛାଡ଼ି କୋଲାରରେ ମାଳିକାମ କରୁଛନ୍ତି । ଜଣେ ତରୁଣ ହିସାବରେ ଉଇଲସନ୍ ଗୀର୍ଜା ତରଫରୁ ଜଣେ ସ୍ୱେଚ୍ଛାସେବୀ ଭାବରେ ଅଧାର ବିଦ୍ୟାଳୟ ଛାଡ଼ିଥିବା ପିଲାମାନଙ୍କ ଭିତରେ କିଛି କାର୍ଯ୍ୟ କରିବ ବୋଲି ଜଣାଇଥିଲା । ସେହି ପିଲାମାନଙ୍କ ଭିତରୁ ହିଁ କେତେଜଣଙ୍କଠାରୁ ସେ ହାତରେ ପାଇଖାନା ସଫା କରିବାର ଚଳଣିଟି ବିଷୟରେ ଜାଣି ପାରିଥିଲା-। ସେକଥା ଶୁଣି ତା’ର ଆଖିରେ ଯେ ଲୁହ ଭରି ଆସିଥିଲା ଏବଂ ଜଣେ ମେହେନ୍ତର କହିଲେ ଯେ କିପରି ଗୋଟିଏ ଜୀବନ ବଞ୍ଚିବାକୁ ବୁଝାଏ, ସିଏ ତାହା ବୁଝିପାରିଲା ବୋଲି ଏବେ ମଧ୍ୟ ସ୍ମରଣ କରି ପାରୁଥିଲା ।

 

ଏହି ଅମାନୁଷିକ ପ୍ରଥାଟିର ବିଲୋପସାଧନ କରିବା ହିଁ ତା’ ଜୀବନର ଏକ ବ୍ରତରେ ପରିଣତ ହେଲା । ସିଏ ଜଣେ ପାଦ୍ରୀ ହେବାପାଇଁ ଏକ ତାଲୀମ-କେନ୍ଦ୍ରରେ ଯୋଗ ଦେଲା; କିନ୍ତୁ ଈଶ୍ୱରଙ୍କର କାର୍ଯ୍ୟ କରିବା ନିମନ୍ତେ ବାହାରିଥିବା ଜଣେ ବ୍ୟକ୍ତି ହିସାବରେ ତା’ର ଏତେଦୂର ଅଥୟ ହୋଇ କ୍ରୀୟାଶୀଳ ହେବା ଅନୁଚିତ ବୋଲି କେନ୍ଦ୍ରର ଅଧ୍ୟକ୍ଷ ବିଚାର କରୁଥିବାରୁ ତାକୁ ଖୁବ୍ ଶୀଘ୍ର ସେହି ଅନୁଷ୍ଠାନରୁ ବାହାରି ଆସିବାକୁ ପଡ଼ିଥିଲା । ସେହି ଗୀର୍ଜାର ବସତିଟିରେ ମଧ୍ୟ ହାତରେ ମଳ ଉଠା ହେଉଥିବା ପାଇଖାନାମାନ ଥିଲା ଓ ସିଏ ସେଗୁଡ଼ିକର ଫଟୋ ଉଠାଇ ନେଲା । ଉଇଲ୍‍ସନ୍ କହୁଥିଲା, ସେଠାରେ ମଧ୍ୟ ଏଗୁଡ଼ିକ ରହିଥିଲା ଏବଂ ଗୀର୍ଜାର କ୍ରସ୍‍ଟି ସେଗୁଡ଼ିକୁ ଦେଖି ତଥାପି ଥୟ ଧରି ରହିଥିଲା । ଏଗୁଡ଼ିକୁ ବନ୍ଦ କରିଦେବା ନିମନ୍ତେ ସେ ଗୀର୍ଜାର କର୍ତ୍ତାମାନଙ୍କ ପାଖରେ ଦାବି କଲା । ଏହି ମେହେନ୍ତର ପ୍ରଥାକୁ ବନ୍ଦ କରି ଦେବାଲାଗି ସେମାନେ ଏକ ଅଭିଯାନ ମଧ୍ୟ ଆରମ୍ଭ କରନ୍ତୁ ବୋଲି ଅନେକମତେ ଅନୁରୋଧ କଲା ସିନା, ମାତ୍ର ସେମାନେ ସେଥିରେ ରାଜି ହେଲେ ନାହିଁ । ତା’ ଆଗରେ ସେମାନେ ଯୁକ୍ତି ବାଡ଼ିଥିଲେ, ଯଦି ଆମେ ଏହି ସମସ୍ୟାଟିର ଉତ୍‍ଥାପନ କରିବୁ, ତେବେ ଲୋକମାନେ ଧରିନେବେ ଯେ, ଯେଉଁ ଲୋକମାନେ ଧର୍ମାନ୍ତର ଗ୍ରହଣ କରି ଖ୍ରୀଷ୍ଟିଆନ୍ ହୋଇଛନ୍ତି, ସେମାନେ ସମସ୍ତେ ପ୍ରଥମେ ମେହେନ୍ତର ହିଁ ଥିଲେ ।

 

ଗତ ଶତାବ୍ଦୀଟି ଶେଷ ହେବା ପର୍ଯ୍ୟନ୍ତ ଉଇଲ୍‍ସନ୍‍କୁ ସରକାରୀ କର୍ତ୍ତୃତ୍ୱାଧୀନ କୋଲାର୍ ସୁନାଖଣି ଗୁଡ଼ିକ ସହିତ ପନ୍ଦର ବର୍ଷରୁ ଅଧିକ କାଳ ଏକ ଦୀର୍ଘ ସଂଗ୍ରାମ କରିବାକୁ ପଡ଼ିଥିଲା । ସେମାନେ ପୁନର୍ବାର ଏହି କଥାଟିକୁ ସ୍ୱୀକାର କରିବାକୁ ରାଜି ହୋଇନଥିଲେ ଯେ ଖଣିଟିର ଚାରିସୀମା ଭିତରେ ପ୍ରକୃତରେ କେଉଁଠି ହାତରେ ମଳ ଉଠାଇବାର କାର୍ଯ୍ୟଟି କରିବାକୁ ପଡ଼ୁଥିଲା ସେ ତା’ପରେ କଚେରୀରେ ଗୋଟିଏ ଜନସ୍ୱାର୍ଥ ମାମଲା ଦାୟର କରିଥିଲା ଏବଂ ସେହିପରି ପାଇଖାନାମାନଙ୍କୁ ବନ୍ଦ କରି ଦିଆଯାଉ ବୋଲି କଚେରୀରୁ ଏକ ନିର୍ଦ୍ଦେଶ ମଧ୍ୟ ହାସଲ କରି ପାରିଥିଲା । ଏଣିକି ପାକି ଜାତିର ଲୋକମାନେ ହାତରେ ମଳସଫା କାର୍ଯ୍ୟ ନକରି ଅନ୍ୟ କୌଣସି କାର୍ଯ୍ୟରେ ନିଯୁକ୍ତ ହେବା ବୋଲି ମଧ୍ୟ କଚେରୀର ନିର୍ଦ୍ଦେଶ ରହିଥିଲା । ତାହା ଫଳରେ ସେହି ଜାତିର ଲୋକେ ପ୍ରଥମ ଥର ପାଇଁ ଚମଡ଼ା କାମ, ଫିଟର ଓ ଅନ୍ୟ କମାର କାମ ସବୁ କରିବାରେ ନିଯୁକ୍ତ ହୋଇ ପାରିଲେ । ଏହି ଘଟଣା ୧୯୮୮ ମସିହାରେ ଘଟିଥିଲେ ମଧ୍ୟ ହାତରେ ପାଇଖାନାର ମଳକୁ ସଫା କରିବା ତଥାପି ବନ୍ଦ ହୋଇଯାଇ ନଥିଲା । କିନ୍ତୁ ୧୯୯୮ ମସିହାରେ, ଯେତେବେଳେ ସାଧାରଣ ସ୍ୱାସ୍ଥ୍ୟ ବିଭାଗର ଚାକିରିଆମାନେ ଧର୍ମଘଟ କଲେ, ମେହେନ୍ତର କାମ କରିବାଲାଗି ପୁଣି ସେମାନଙ୍କୁ ଡକରା ଆସିଲା । ସେତେବେଳେ ଏହି ଯୁବକମାନେ ଉଇଲ୍‍ସନ୍‍କୁ ଯାଇ “ଆମକୁ କେତେ ଲାଜ ଦିଆଯାଉଛି ଥରେ କଳ୍ପନା କରନ୍ତୁ ତ !’ ବୋଲି କହିଥିଲେ । ଗତ କାଲିଯାଏ ଆମେ ଯେଉଁମାନଙ୍କ ସହିତ ସହକର୍ମୀ ରୂପେ କର୍ମଶାଳାମାନଙ୍କରେ କାମ କରିଥିଲୁ, ସେମାନେ ବର୍ତ୍ତମାନ ହାତରେ ପାଣି ଢାଳ ନେଇ ପାଇଖାନାକୁ ଆସିବେ ଏବଂ ଆମକୁ ମଧ୍ୟ ଝାଡ଼ୁ ଓ ଟୋକେଇ ନେଇ ସେଠାରେ ପହଞ୍ଚିବାକୁ ପଡ଼ିବ ।”

 

ସେମାନେ ପ୍ରତିବାଦ କଲେ, କିନ୍ତୁ କୌଣସି ଫଳ ହେଲା ନାହିଁ । ତଥାପି, ମେହେନ୍ତର ଜାତିର ଲୋକମାନଙ୍କୁ ନେଇ ଗୋଟିଏ ମଜବୁତ ସଂଗଠନ ଗଡ଼ିବା ବିଷୟରେ ଉଇଲସନର ସଂକଳ୍ପ ମଧ୍ୟ ଆହୁରି ଶକ୍ତିଶାଳୀ ହୋଇ ପାରିଲା । ତା’ର ପରିଣାମ ସ୍ୱରୂପ ସେମାନଙ୍କର ଆବାଜକୁ ଏବଂ ମନୁଷ୍ୟୋଚିତ ସମ୍ମାନ ନିମନ୍ତେ ସଂଗ୍ରାମଗୁଡ଼ିକୁ ଆଉ ଆଦୌ ଉପେକ୍ଷା କରାଯାଇ ପାରିନଥିଲା । ବର୍ତ୍ତମାନ ଏହି ୨୦୦୧ ମସିହାରେ ଯାଇ କୋଲାର୍ ଖଣି ଅଞ୍ଚଳରେ ଥିବା ହାତଦ୍ୱାରା ସଫା କରାଯାଇ ଆସିଥିବା ପାଇଖାନାଗୁଡ଼ିକୁ ବନ୍ଦ କରାଯାଉଛି; ମାତ୍ର, ଯେଉଁମାନେ ହାତରେ ପାଇଖାନା ମଳକୁ ସଫା କରି ଆସିଥିଲେ, ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କୁ ସେମାନଙ୍କର ସମ୍ମାନ ଫେରାଇଦେବାକୁ ନୁହେଁ,–ବର୍ତ୍ତମାନ ଖଣିଟାକୁ ବନ୍ଦ କରି ଦିଆଯାଉଛି ବୋଲି ଏପରି ଘଟଣାଟିଏ ଘଟିଛି ।

 

ମେହେନ୍ତରମାନଙ୍କର ଗୋଟିଏ ସଂଗଠନ ନିର୍ମାଣ କରିବାର ଉଇଲ୍‍ସନ୍‍ ଏହି ଅଭିଯାନ ଫଳରେ ସେ କର୍ଣ୍ଣାଟକ ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ବହୁ ସହରକୁ ଯିବାର ସୁଯୋଗ ଲାଭ କରିଛି । ନିଜ ଜାତିର ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ସେ ପରିବର୍ତ୍ତନର ସମର୍ଥକମାନଙ୍କୁ ଅନ୍ୱେଷଣ କରିଛି । ଏଥିରୁ ଅଧିକାଂଶ ହେଉଛନ୍ତି ମହିଳା; ଏହି ମହିଳାମାନଙ୍କ ଭିତରେ ହିଁ ସିଏ ଅଧିକ ଦୃଢ଼ତାର ପରିଚୟ ପାଇଛି । ସେହି ଅନ୍ୱେଷଣଟି ହିଁ ତାକୁ ନାରାୟଣାମ୍ମାର ଘରେ ନେଇ ପହଞ୍ଚାଇ ଦେଇଥିଲା ।

 

ନାରାୟଣାମ୍ମା ମଧ୍ୟ କ୍ରମେ ଉଇଲ୍‍ସନ୍‍ ଆଡ଼କୁ ଅଧିକରୁ ଅଧିକ ଆକୃଷ୍ଟ ହୋଇ ଆସିଥିଲା । ହାତଦ୍ୱାରା ପାଇଖାନା ପରିଷ୍କାର କରିବାର ଚଳଣିଟିକୁ ବିରୋଧ କରିବା ନିମନ୍ତେ ପ୍ରଧାନତଃ ମହିଳା ତଥା ଯୁବକମାନଙ୍କର ସାନ ଅଥଚ କ୍ରମବର୍ଦ୍ଧମାନ ଗୋଷ୍ଠୀଟିଏ ଅନନ୍ତପୁରରେ ସମ୍ଭବ ହୋଇ ପାରିଛି ।

 

ପାଟକଟି ଭିତରେ ଏପରି ବହୁତ ଲୋକ ରହିଛନ୍ତି, ଯେଉଁମାନେ କି ଆପଣାର ସେହି ଦୈନନ୍ଦିନ କାର୍ଯ୍ୟଟି ଜନିତ ଲଜ୍ଜା ଦ୍ୱାରା ତୀବ୍ର ମନୋବେଦନା ଅନୁଭବ କରୁଛନ୍ତି । ତଥାପି, ବେକାର ହୋଇଯିବାର ଭୟରେ ସେମାନେ ସେହି କାର୍ଯ୍ୟଟିକୁ ଛାଡ଼ି ଦେବାଲାଗି ଇଚ୍ଛା କରି ପାରୁନାହାନ୍ତି । ଗୋଟିଏ ପାଖରେ ନିଜ ସମ୍ମାନ ଓ ଅନ୍ୟ ପାଖରେ ମିଳିଥିବା କାମଟିର ନିଶ୍ଚିତ ଏକ ଭରସା,–ଦୁଇଟିର ମଝିରେ ରହିଥିବାରୁ ଅଧିକାଂଶ ହିଁ ପ୍ରଥମେ ପ୍ରଥମଟିକୁ ହିଁ ବାଛି ନେଇଥାନ୍ତି । ନାରାୟଣାମ୍ମା ଓ ତା’ ବନ୍ଧୁମାନେ ବେକାର ହୋଇଯିବାର ଭୟ ରହିଥିଲେ ମଧ୍ୟ ସେମାନଙ୍କୁ ଅନ୍ୟଟିକୁ ବାଛିବାଲାଗି ହିଁ ପ୍ରବର୍ତ୍ତାଇ ଥାଆନ୍ତି, ଯେପରିକି ସେମାନଙ୍କର ପିଲାମାନେ ସମ୍ମାନର ସହିତ ବଢ଼ିପାରିବେ ଓ ନିଜ ମସ୍ତକକୁ ସିଧା କରି ମଣିଷ ହୋଇପାରିବେ ।

 

୨୦୦୦ ମସିହା ଏପ୍ରିଲ ୧୮ ତାରିଖରେ ଦଳିତର ମାନବାଧିକାର ନାମକ ଗୋଟିଏ ସଂଗଠନ ଚେନ୍ନାଇ ସହରରେ ଜାତୀୟ ସ୍ତରରେ ଏକ ଜନଶୁଣାଣିର ଆୟୋଜନ କଲା, ଯେଉଁଠାରେ କି ଦେଶର ଦଳିତମାନଙ୍କର ନାନା ସମସ୍ୟା ବିଷୟରେ ଆଲୋଚନା କରା ଯାଇଥିଲା-। ଆଇନ୍ ତଥା ସାମାଜିକ କ୍ରିୟାଶୀଳତା କ୍ଷେତ୍ରର ବହୁ ନେତୃସ୍ଥାନୀୟ ପୁରୁଷ ଓ ମହିଳା ସେଥିରେ ମଞ୍ଚାସୀନ ହୋଇ ବସିଥିଲେ । ସେମାନଙ୍କ ଭିତରେ ବିଚାରପତି ପୁନୈୟା, ବିଚାରପତି ସୁରେଶ, ଶ୍ରୀ ରାମ ଜେଠମାଲାନି, ମୋହିନୀ ଗିରି ଓ ବିଚାରପତି ରାମସ୍ଵାମୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ-

 

ଏହି ବିଶେଷବ୍ୟକ୍ତିଙ୍କର ଗୋଷ୍ଠୀଟି ଆଗରେ ସାକ୍ଷ୍ୟ ଦେବାପାଇଁ ଯେଉଁମାନେ ନିମନ୍ତ୍ରିତ ହୋଇ ଆସିଥିବା ବ୍ୟକ୍ତିମାନଙ୍କ ଭିତରେ ନାରାୟଣାମ୍ମା ମଧ୍ୟ ଜଣେ ଥିଲା । କେବଳ ଦୁଇବର୍ଷ ପୂର୍ବେ ହିଁ ନାରାୟଣାମ୍ମା ସିଏ ହାତରେ ପାଇଖାନା-ମଳ ସଫା କରୁନାହିଁ ବୋଲି କହି ଉଇଲ୍‍ସନ୍‍କୁ ନିଜ ଦୁଆରୁ ଫେରାଇ ଦେଇଥିଲା । ଆଜି, ଏହି ଅବସରରେ, ନିଜର ମୁଣ୍ଡକୁ ଗୌରବର ସହିତ ଉପରକୁ କରି, କ୍ରୋଧରେ ଚକଚକ କରୁଥିବା ଆଖିରେ, ସିଏ ପୃଥିବୀ ସମକ୍ଷରେ ନିଜର କଥାଗୁଡ଼ିକୁ କହିପାରିଲା । ମୁଣ୍ଡରେ ତେଲ ଲଗାଇଥିଲା ଓ ବାଳରେ ଫୁଲ ମଧ୍ୟ ଖୋସିଥିଲା । ନିଜର ସବୁଠାରୁ ଭଲ ଶାଢ଼ିଟିକୁ ପିନ୍ଧି ସିଏ ସେଠାକୁ ଆସିଥିଲା । ଯାହା ଅବଶ୍ୟ ବନ୍ଦ ହୋଇଯିବା ଉଚିତ ବୋଲି ତା’ ଭିତରେ ପୂର୍ଣ୍ଣ ପ୍ରତ୍ୟୟ ରହିଥିଲା, ସିଏ ସେଇଟି ବିଷୟରେ ହିଁ ନିଜର କଥାଟିକୁ କହିଥିଲା ।

 

‘ଏହି କାର୍ଯ୍ୟଟିକୁ କରୁଛି ବୋଲି ମୁଁ କାହିଁକି ଲଜ୍ଜା ଅନୁଭବ କରିବି ? ଯେଉଁମାନେ ମୋ’ ଦ୍ୱାରା ଏହାକୁ କରାଉଛନ୍ତି, ବସ୍ତୁତଃ ସେହିମାନଙ୍କର ହିଁ ଲଜ୍ଜିତ ହେବା ଉଚିତ’,–ବର୍ତ୍ତମାନ ନାରାୟଣାମ୍ମା ସମସ୍ତଙ୍କୁ ଏହି ପରି ପ୍ରଶ୍ନ କରୁଛି ।

☆☆☆

 

ଭାଗଲପୁରକୁ ଭୁଲିଯିବା ପାଇଁ ସଂଗ୍ରାମ

 

ଭାଗଲପୁର ଜିଲ୍ଲା କଚେରୀମାନଙ୍କରେ ଆପଣ ଅନେକ ସମୟରେ ମଲିକା ବେଗମ୍‍କୁ ଦେଖିବାକୁ ପାଇବେ । ବତାଦାଢ଼ ପରି ମୁହଁଟିକୁ ଦେଖି ଦେଖି ଲୋକେ ତା’ ସହିତ ଖୁବ୍ ପରିଚିତ ହୋଇଯିବେଣି । ମଲିକା ଛୋଟେଇ ଛୋଟେଇ କୋଟ୍ ଭିତରକୁ ଆସେ-କୃତ୍ରିମ ଗୋଡ଼ଟିଏ ଲଗାଇଥିବାରୁ ଭାରି ଟଳଟଳ ହେଉଥାଏ । ପିଲାଦିନେ ଏକାବେଳେକେ କୁନି ଝିଅଟିଏ ହୋଇଥିବାବେଳେ ମଦ୍ରାସାରେ ଏବଂ ଗାଆଁରେ ଥିବା ପ୍ରାଥମିକ ବିଦ୍ୟାଳୟଟିରେ ସିଏ ଯେତିକି ପଡ଼ିଥିଲା ସେତିକି;–ତଥାପି ଅପରାଧୀ ରୂପେ ଧରା ହୋଇଥିବା ତେତିଶ ଜଣଙ୍କ ତରଫରୁ ନିଯୁକ୍ତ ଓକିଲମାନେ ତାକୁ ତୁହାକୁ ତୁହା ଜେରା କରୁଥିବା ସମୟରେ ସିଏ ଆଦୌ ବିଚଳିତ ହୋଇ ନଯାଇ ସବୁଗୁଡ଼ିକର ଉତ୍ତର ଦେଇପାରେ । ଏହି ଜେରାର ପର୍ଯ୍ୟାୟଗୁଡ଼ିକ ବେଳେ ବେଳେ ଏକାଧିକ ମାସଯାଏ ବି ଲାଗି ରହିଥାଏ ।

 

 

ପ୍ରତ୍ୟେକ ଥର ମଲିକା ଅତ୍ୟନ୍ତ ଦୃଢ଼ ଭାବରେ ନିଜର କାହାଣୀଟିକୁ କହିଥାଏ, ଏତେଟିକିଏ ଏପାଖ ସେପାଖ କରେ ନାହିଁ । ସେହି କାହାଣୀଟିକୁ ସିଏ ହୁଏତ କେତେଶହ ଥର କହି ସାରିବଣି । ପାଟନା ଉଚ୍ଚ ନ୍ୟାୟାଳୟରେ କହିଛି ଏବଂ ବିହାର ସରକାର ନିଯୁକ୍ତ କରିଥିବା ବିଚାରବିଭାଗୀୟ ତଦନ୍ତ କମିଶନ ଆଗରେ ମଧ୍ୟ କହିସାରିଛି । ଏଇଟି ହେଉଛି ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ନିର୍ଭୟ ଆଚରଣର କାହାଣୀ, ତା’ର ‘ବାପାମାଆ ଓ ଆହୁରି ଅଣଷଠି ଜଣ ମହିଳା, ପୁରୁଷ ଏବଂ ପିଲାଙ୍କୁ ତା’ ଆଖି ସାମନାରେ ଟିକିଟିକି କରି ହାଣି ଦିଆ ଯାଇଥିଲା, ତାହାରି କାହାଣୀ । ସେତେବେଳେ ୧୯୮୯ ମସିହାର ସେହି କୁଖ୍ୟାତ ହତ୍ୟାଲୀଳା ଲାଗି ରହିଥିଲା–ସେବର୍ଷ ଶରତକାଳରେ ଭାଗଲପୁରଠାରେ ଯେଉଁ ଦୁଃଖଦାୟକ ଦଙ୍ଗା ଲାଗିଥିଲା, ତାହାରି କାହାଣୀ ।

 

୧୯୮୯ ମସିହା ଅକ୍ଟୋବର ଚବିଶି ତାରିଖର ସକାଳ ସମୟ । ପୂର୍ବ ବିହାରରେ ଗଙ୍ଗା ନଦୀର ଉଭୟ ପାର୍ଶ୍ୱକୁ ବିସ୍ତାରିତ ହୋଇ ରହିଥିବା ପ୍ରାଚୀନ ଭାଗଲପୁର ସହର । ସେତେବେଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଯେଉଁ ଉନ୍ମତ୍ତତା ବ୍ୟାପ୍ତ ହୋଇ ଯାଇଥାଏ, ତାହା ଭାଗଲପୁରକୁ ମଧ୍ୟ ଆକ୍ରାନ୍ତ କରିଥିଲା । ଅଯୋଧ୍ୟାରେ ପାଞ୍ଚଶହ ବର୍ଷ ହେଲା ଯେଉଁଠାରେ ଗୋଟିଏ ମସଜିଦ୍‍୍ ରହି ଆସିଥିଲା, ଠିକ୍ ସେହି ସ୍ଥାନରେ ହିଁ ଏକ ରାମମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଅଭିଯାନ ଯୁଦ୍ଧ ସେତେବେଳେ ଲାଗିଥାଏ, ସେହି ଯୁଦ୍ଧରେ ସତେଅବା ଏକ ମୀମାଂସକ ମୁହୂର୍ତ୍ତ ଆସି ପହଞ୍ଚି ଯାଇଥାଏ । ରାମଙ୍କର ନାମ ଛାପା ମରା ହୋଇଥିବା ଇଟାସବୁ ସମଗ୍ର ଉତ୍ତର ଭାରତର ସହର ତଥା ଗ୍ରାମମାନଙ୍କର ସଂଗୃହୀତ ହୋଇ ଆସୁଥିଲା,–ସେହି ଇଟାଗୁଡ଼ିକ ପୁଣି ବୈଦିକ ବିଧିରେ ମନ୍ତୁରା ବି ହୋଇଥାଏ-ଏବଂ ପ୍ରାୟ ଏକ ଆକ୍ରମଣାତ୍ମକ ଆଡ଼ମ୍ବରରେ ଶୋଭାଯାତ୍ରାରେ ସେଗୁଡ଼ିକୁ ଅଣା ଯାଉଥାଏ । ଶୋଭାଯାତ୍ରାକାରୀମାନେ କେତେଭଳି ଅସ୍ତ୍ର ବି ଧାରଣ କରିଥାନ୍ତି । ଏବଂ, ତାହାରି ପ୍ରତି ପରିଣାମ ସ୍ୱରୂପ ଏକ ସାମ୍ପ୍ରଦାୟିକ ତକରାଳ ମଧ୍ୟ ଅତ୍ୟନ୍ତ ଉଗ୍ର ଭାବରେ କୁହୁଳି ଉଠିଲା । ଦେଶର ବିଭାଜନ ସମୟରେ ୧୯୪୭ ମସିହାରେ ଯେଉଁ ବୃହତ୍ ରକ୍ତ ପାତଟି ହୋଇଥିଲା, ତା’ପରେ ଏତେ ବ୍ୟାପକ ଭାବରେ ଏଡ଼େବଡ଼ ହିନ୍ଦୁ-ମୁସଲମାନ ତକରାଳ ଆଉ କେବେହେଲେ ହୋଇନଥିଲା ।

 

ସେହି ଦୁର୍ଦ୍ଦିନଗ୍ରସ୍ତ ମାସ ମାନଙ୍କରେ ଯେଉଁ ଶତଶତ ହିଂସ୍ରତା ଏବଂ ବିବାଦ ଦେଶକୁ ସଂପୂର୍ଣ୍ଣ ଭାବରେ ଥରହର କରି ପକାଇଥିଲା ସେଥିରୁ ଗୋଟିଏ ଭାଗଲପୁର ଜିଲ୍ଲାର ଧୂଳିରେ ପୂର୍ଣ୍ଣ ହୋଇ ରହିଥିବା ରାସ୍ତା ଏବଂ ପ୍ରାନ୍ତରମାନଙ୍କରେ ଘଟିଥିଲା । ଏହି ସାଂପ୍ରଦାୟିକ ଯୁଦ୍ଧଟି ବହୁତ ସ୍ଥାନକୁ ବ୍ୟାପି ଯାଇଥିଲା, ବେଶ୍ ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା ଏବଂ ଏକ ଘୋରତମ ଅମାନୁଷିକତାର ଦୃଷ୍ଟାନ୍ତ ହୋଇ ରହିଥିଲା । ଖାସ୍ ଭାଗଲପୁର ସହରରେ ସଂଖ୍ୟାଲଘୁ ମୁସଲମାନମାନଙ୍କର ସଂଖ୍ୟା ଶତକଡ଼ା ୩o ଥିଲା,–ଅଧିକାଂଶ ବିଖ୍ୟାତ ଭାଗଲପୁରୀ ରେଶମବସ୍ତ୍ରର ବୁଣାଳି ଥିଲେ ଏବଂ ସର୍ବଦା ଆଶଙ୍କିତ ଭାବରେ କାଳାତିପାତ କରୁଥିଲେ । ୧୯୮୯ ମସିହା ୨୪ ଅକ୍ଟୋବରର ରାମଶିଳା ଶୋଭାଯାତ୍ରାର ଅବ୍ୟବହିତ ପରେ ହିଁ ଏହି ତନ୍ତୁବାୟମାନେ ସାମ୍ପ୍ରଦାୟିକ ଘୃଣାର ଶିକାର ହେଲେ । କିନ୍ତୁ, ଭାଗଲପୁରଠାରେ ଘଟିଥିବା ହିଂସାର ଏକ ଅନନ୍ୟତା ହେଉଛି ଯେ, ସେହି ହିଂସା ଅବାଧ ଭାବରେ ଏକାଧିକ ସପ୍ତାହଯାଏ ଲାଗି ରହିଥିଲା, ହତ୍ୟା କରିବା ଓ ଘରେ ନିଆ ଲଗାଇ ଦେବାରୁ ଏହି ଉନ୍ମତ୍ତତା ଦୂର ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପି ଯାଇଥିଲା । ବିହାର ସରକାର ବସାଇଥିବା ବିଚାର-ବିଭାଗୀୟ ତଦନ୍ତ-କମିଶନ୍‍ଙ୍କ କହିଥିବା ଅନୁସାରେ, ଏହି ନିର୍ମମ ହତ୍ୟାଲୀଳା ଫଳରେ ୨୫୦ ସରିକି ଗାଆଁ ସଂପୂର୍ଣ୍ଣ ଭାବରେ ପ୍ରପୀଡ଼ିତ ହୋଇ ପଡ଼ିଥିଲା,–ଏଥିରେ ଭାଗଲପୁର ସହରରେ ଘଟିଥିବା କାଣ୍ଡଗୁଡ଼ିକୁ ଆଦୌ ସୁମାରି କରା ଯାଇନାହିଁ । ୧୯୯୫ ମସିହାର ଆପଣାର ବିବରଣୀ ଦାଖଲ କରିଥିବା ଏହି କମିଶନ ବହୁତ ବହୁତ ସାକ୍ଷ୍ୟ ସଂଗ୍ରହ କରି ଏକ ଅନୁମାନ କରିଥିଲା ଯେ ଏହି ଦଙ୍ଗା ଗୁଡ଼ିକରେ ପଚାଶ ହଜାର ମନୁଷ୍ୟ କ୍ଷତିଗ୍ରସ୍ତ ହୋଇଥିଲେ,–ଏମାନଙ୍କର ଘରଗୁଡ଼ିକ ଧ୍ୱଂସ ହୋଇ ଯାଇଥିଲା, ଦୋକାନ ଅଥବା ତନ୍ତଗୁଡ଼ିକୁ ନଷ୍ଟ କରି ଦିଆଗଲା ।–ବହୁତଙ୍କର ପ୍ରାଣହାନି ଅଥବା ଅଙ୍ଗହାନି ଘଟିଥିଲା । କୂଅ, ପୋଖରୀ ଓ ଚାଷଜମିରୁ ନଅଶହରୁ ଅଧିକ ମୃତଦେହ ଉଦ୍ଧାର କରା ଯାଇଥିଲା, ସରକାର ହିସାବ କରିଥିବା ୧୨୦୦ ମୃତସଂଖ୍ୟାର ପୂରା ସମର୍ଥନ କରୁଥିଲା ଏମାନଙ୍କ ଭିତରେ ଅଧିକ ସଂଖ୍ୟାର ମୁସଲମାନ ପୁରୁଷ, ମହିଳା ଓ ପିଲାମାନେ ହିଁ ରହିଥିଲେ । ତାହାରି ଭିତରେ ମଲିକାର ପିତାମାତା ମଧ୍ୟ ଥିଲେ ।

 

ରାମ-ଶିଳା ଆନ୍ଦୋଳନର ପୂର୍ବରୁ ମଧ୍ୟ ଭାଗଲପୁରରେ ସାମ୍ପ୍ରଦାୟିକତାର କଡ଼େଇ ଭିତରେ ପାଣି ଗରମ ହୋଇ ଆସୁଥିଲା । (ଏହି ସହରରେ ଆଗରୁ ୧୯୨୪, ୧୯୩୬, ୧୯୪୬ ଓ ୧୯୬୭ ରେ ମଧ୍ୟ ସାମ୍ପ୍ରଦାୟିକ ସଂଘର୍ଷମାନ ହୋଇ ସାରିଥିଲା । କିନ୍ତୁ ସେଗୁଡ଼ିକ ବେଶୀଦିନ ପାଇଁ ସ୍ଥାୟୀ ହୋଇନଥିଲା, ଏବଂ ସେଗୁଡ଼ିକର ଖୁବ୍ କମ୍ ପ୍ରଭାବ ପଡ଼ିଥିଲା । ସହରର ସୀମା ଡେଇଁ ସେଗୁଡ଼ିକ ଅନ୍ୟଆଡ଼େ ମଧ୍ୟ ଯାଇ ନଥିଲେ । ) ଅଳ୍ପ କେତେ ସପ୍ତାହ ପୂର୍ବର ବିଷହାରୀ ପୂଜା ଓ ମହରମର ଶୋଭାଯାତାମାନ କୋଉସବୁ ରାସ୍ତା ଦେଇ ଯିବେ, ସେହି ବିଷୟରେ ଏକ ବିବାଦ ଅବଶ୍ୟ ଲାଗିଥିଲା ଏବଂ ସେତେବେଳେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ମହାଶୟ ମୁସଲମାନ ସଂପ୍ରଦାୟ ସମ୍ପର୍କରେ ତୁଣ୍ଡ ହୁଡ଼ି କିଛି ମନ୍ତବ୍ୟ ମଧ୍ୟ ଦେଇଥିଲେ । ଅପରାଧୀମାନଙ୍କ ବିରୁଦ୍ଧରେ ସେ ଯେଉଁ ଅଭିଯାନ ଚଳାଇଲେ, ସେଇଟି ମଧ୍ୟ କେବଳ ଗୋଟିଏ ସଂପ୍ରଦାୟ ଲାଗି ଉଦ୍ଦିଷ୍ଟ ଥିଲା । ସେତେବେଳେ ପୋଲିସ୍‌ ସହିତ ମୁହାଁମୁହିଁ ହୋଇ ସାତଜଣ ପ୍ରାଣ ହରାଇଥିଲେ ।

 

୧୯୮୯ ମସିହା ଅକ୍ଟୋବର ୨୪ ତାରିଖରେ ସହରର ପରିବେଶ ଅତ୍ୟନ୍ତ ତନାଓପୂର୍ଣ୍ଣ ଥିଲା,–କାନ୍ଥମାନଙ୍କ ଉପରେ ଖୋଲା ଭାବରେ ମୁସଲମାନ-ବିରୋଧୀ ସ୍ଲୋଗାନ୍‍ମାନ ଲେଖା ହୋଇଥିଲା ଏବଂ ସେହି ପ୍ରକାରର ପ୍ରଚାରପତ୍ରମାନ ମଧ୍ୟ ଚାରିଆଡ଼େ ବିତରଣ କରା ଯାଇଥିଲା । ରାମଶିଳା ଶୋଭାଯାତ୍ରାର ସଂଗଠନମାନେ ସହରର ଅତ୍ୟନ୍ତ ଗହଳି କେତେକ ରାସ୍ତା ଦେଇ ଯିବା ସକାଶେ ଜିଦ୍ କଲେ–ସେସବୁ ରାସ୍ତାରେ ମୁସଲମାନମାନେ ହିଁ ଅଧିକ ସଂଖ୍ୟାରେ ବାସ କରୁଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍ ଅତ୍ୟନ୍ତ କୁଣ୍ଠାର ସହିତ ଶୋଭାଯାତ୍ରାଟି ସେହି ମାର୍ଗ ଦେଇ ଯିବ ବୋଲି ଅନୁମତି ପ୍ରଦାନ କଲେ, ସେଥିରେ ଗୋଟିଏ ସର୍ତ୍ତ ରହିଥିଲା ଯେ, କାହାରି ପାଖରେ ସେତେବେଳେ କୌଣସି ଅସ୍ତ୍ର ରହିବ ନାହିଁ ଏବଂ କୌଣସି ଉତ୍ତେଜନା-ସୃଷ୍ଟିକାରୀ ସ୍ଲୋଗାନ୍ ମଧ୍ୟ ଦିଆ ଯିବନାହିଁ । କିନ୍ତୁ, ଶୋଭାଯାତ୍ରାଟି ବାହାରିବା ପରେ ଏହି ଉଭୟ ରାଜିନାମାକୁ ନିର୍ଲଜ୍ଜ ଭାବରେ ଅମାନ୍ୟ ହିଁ କରା ଯାଇଥିଲା ।

 

ମଧ୍ୟାହ୍ନ ସମୟକୁ, ଏହି ଶୋଭାଯାତ୍ରା ଗୋଟିଏ ମୁସଲିମ୍ ପାଠଶାଳାର ପାର୍ଶ୍ଵ ଦେଇ ଗଲାବେଳେ, ବିବରଣୀ କହୁଛି ଯେ ଭିତରୁ ତାହା ଉପରେ ଟେକାପଥର ବୃଷ୍ଟି ହେବାକୁ ଆରମ୍ଭ କଲା । ତଦ୍ଦ୍ୱାରା କେହି ଆହତ ହୋଇନଥିଲେ, ମାତ୍ର ଉତ୍ତେଜନାମାନ ଅତିମାତ୍ରାରେ ବଢ଼ିଗଲା ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ କର୍ଫ୍ୟୁ ଜାରି କରିଦେଲେ । ପବିତ୍ର ରାମଶିଳା ଦ୍ୱାରା ବୋଝେଇ ହୋଇଥିବା ଟ୍ରକ୍‍ଟିକୁ ଫେରାଇ ଦିଆ ଯାଇଥିଲା । ଶୋଭାଯାତ୍ରାରେ ଥିବା ଲୋକମାନେ ଛତ୍ରଭଙ୍ଗ ଦେଉ ଦେଉ ମୁସ୍‌ଲିମ୍ ଦୋକାନ ଓ ବାସଗୃହ ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ହିଂସାକାଣ୍ଡର ଅସରା ପରେ ଅସରା ଆରମ୍ଭ ହୋଇଗଲା । ମୁସଲମାନମାନେ ଅଭିଯୋଗ କରି କହିଥିଲେ ଯେ, ଏଭଳି ଆକ୍ରମଣମାନ ହେବ ବୋଲି ପୂର୍ବରୁ ହିଁ ସୁଚିନ୍ତିତ ଯୋଜନା କରା ଯାଇଥିଲା; ଯେଉଁଠି ହିନ୍ଦୁ ମାନଙ୍କର ଦୋକାନରେ ମୁସଲମାନ ପରିକର ରହିଥିଲେ, ସେଠାରେ ଦୋକାନଗୁଡ଼ିକୁ ଲୁଟି କରା ଯାଇଥିଲେ ମଧ୍ୟ ଆଦୌ ନିଆଁ ଲଗାଇ ଦିଆଯାଇ ନଥିଲା, ସେଥିରୁ ସେହିକଥାଟିର ପ୍ରତିପାଦନ ହୋଇଗଲା ।

 

ତା’ପରେ ଆଖିବୁଜା ଗିରଫଦାରୀ ଚାଲିଲା,–ବିଶେଷ ମୁସଲିମ୍ ସଂପ୍ରଦାୟର ପୁରୁଷ ଲୋକଙ୍କୁ ଗିରଫ କରାଗଲା; ଏପରିକି, ଯେଉଁମାନଙ୍କର ସମୁଦାୟଟି ମଧ୍ୟରେ ଖୁବ୍ ଖାତିର ରହିଥିଲା, ଅଥଚ ଯେଉଁମାନେ ଏସବୁ ଅପରାଧମୂଳକ କାର୍ଯ୍ୟ ସହିତ ଆଦୌ ସଂଶ୍ଳିଷ୍ଟ ନଥିଲେ, ସେମାନଙ୍କୁ ମଧ୍ୟ ବାଦ ଦିଆ ଗଲା ନାହିଁ । ପୁନଶ୍ଚ, ହିଂସାଚରଣ ସହିତ ଆନୁଷଙ୍ଗିକ ଭାବରେ ମୁସଲମାନ ମାନଙ୍କର ଘରଗୁଡ଼ିକୁ ଖାନତଲାଶ ବି କରା ଯାଇଥିଲା ।

 

ଆସନ୍ନ ଅତି ନିର୍ଦ୍ଦୟ ହିଂସାଟି ନିମନ୍ତେ ପୂରା ଖୋଲା ବେଳଟି ଆସି ପହଞ୍ଚିଗଲା । ଯେତେବେଳେ ଆଦୌ କୌଣସି ଭୂମି ନଥିବା ଏକ ଜନରବ ରଟି ଯାଇଥିଲା ଯେ, ଭାଗଲପୁର ସହରରେ ଯେଉଁ ହଜାର ହଜାର ହିନ୍ଦୁ ଛାତ୍ର ମୁସଲମାନମାନେ ଭଡ଼ାରେ ଦେଇଥିବା ଘରଗୁଡ଼ିକରେ ମେସ୍ କରି ରହୁଥିଲେ, ସେମାନଙ୍କୁ ଇତିମଧ୍ୟରେ ହତ୍ୟା କରାଯାଇ ସାରିଲାଣି । ଏହି ଜନରବଟି କାହିଁ କି କିପରି ଓ କେଉଁଠୁ ଆରମ୍ଭ ହେଲା, ସେହି ବିଷୟରେ ଆଦୌ କେହି ହେଲେ କିଛି ଜାଣିନଥିଲେ, କିନ୍ତୁ ତାହା ଅତ୍ୟନ୍ତ ଦ୍ରୁତ ଗତିରେ ଚାରିଆଡ଼େ ବ୍ୟାପି ଯାଇଥିଲା,–ସତେ ଯେପରି ଏକ ବହଳ ଓ ପ୍ରାଣସଂହାରକାରୀ ବିଷାକ୍ତ ବାଷ୍ପ ପରି ବ୍ୟାପି ଯାଇଥିଲା । ସେହି ବାଷ୍ପ କେବଳ ଯେ ସହରଟିରେ ଆସି ଜମାଟ ବାନ୍ଧିଲା ତାହା ନୁହେଁ, ତାହା ଚାରିପାଖରେ ଅବସ୍ଥିତ ଗାଆଁଗୁଡ଼ିକୁ ମଧ୍ୟ ବ୍ୟାପିଗଲା । ସେହି କନରବକୁ ମିଥ୍ୟା ବୋଲି ପ୍ରତ୍ୟୟ ଦେବାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ହେଲା ନାହିଁ ।

 

୧୯୮୯ ମସିହା ଅକ୍ଟୋବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭାଗଲପୁର ପରିଦର୍ଶନରେ ଆସିଥିଲେ । ତାଙ୍କୁ ଏକ ବିକ୍ଷୋଭ-ପ୍ରଦର୍ଶନର ସମ୍ମୁଖୀନ ହେବାକୁ ପଡ଼ିଲା, ଯାହାକି, ଦୁଇଦିନ ପୂର୍ବେ ଦଙ୍ଗା ଲାଗିଥିବା ସମୟରେ ଖୋଲା ଖୋଲି ଏକ ପକ୍ଷପାତୀ ଭୂମିକା ଗ୍ରହଣ କରିଥିବା ହେତୁ ତୁରନ୍ତ ବଦଳି କରା ଯାଇଥିବା ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ ଦ୍ୱିବେଦୀଙ୍କୁ ପୁନର୍ବାର ଫେରାଇ ଅଣାଯାଉ ବୋଲି ଦାବି କରୁଥିଲା । ସେହି ବିକ୍ଷୋଭରେ ପୋଲିସ୍ କନେଷ୍ଟବଲ୍ ଓ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଏକତ୍ର ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଦାବିଟିକୁ ମାନିନେଲେ ଓ ବଦଳି ଆଦେଶଟିକୁ ସ୍ଥଗିତ ରଖିଲେ ।

 

ଜନରବଗୁଡ଼ିକର ସଂଖ୍ୟା କ୍ରମେ ଅଧିକ ହେବାରେ ଲାଗିଥାଏ । ଏକଦା କୁହାଗଲା ଯେ, ସଂସ୍କୃତ କଲେଜରେ କେତେକ ହିନ୍ଦୁ ଛାତ୍ରଙ୍କୁ ଗୋଟିଏ କୂଅ ମଧ୍ୟକୁ ପକାଇ ଦିଆଯାଇଛି । ଯେତେବେଳେ କୂଅରୁ ବାହାରୁଥିବା ଦୁର୍ଗନ୍ଧ ଅସହ୍ୟ ହେଲା, ସେତେବେଳେ ଯାଇ ପଚାସଢ଼ା ଶରୀରଗୁଡ଼ିକୁ ପୋଲିସ୍ ଯାଇ ଉଦ୍ଧାର କଲେ, ସେତେବେଳେ ଯାଇ ସେଗୁଡ଼ିକ ମୁସଲମାନ ପୁରୁଷ, ମହିଳା ଓ ଛୁଆମାନଙ୍କର ଶରୀର ବୋଲି ଚିହ୍ନଟ କରା ଯାଇଥିଲା । ତଥାପି, ପ୍ରଥମ ଜନରବଟିକୁ ମିଥ୍ୟା ବୋଲି ଘୋଷଣା କରିବାପାଇଁ ପୋଲିସ୍ ଆଦୌ କିଛି କଲା ନାହିଁ ।

 

ଉନ୍ନାଦଟା ଏହିପରି ଭାବରେ ପାଚି ପାଚି ଯାଉଥିଲା ଓ ସେହି ଅନୁସାରେ ହତ୍ୟାମାନ କରା ଯାଉଥିଲା ! ଏକାବେଳେକେ ଅଣଆୟତ୍ତ ଭାବରେ ହିଁ ହିଂସା ଲାଗି ରହିଥିଲା,–ଏବଂ ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଥିଲା ।

 

ସେତେବେଳେ ମଲିକାର ବୟସ ମୋଟେ ସତର ବର୍ଷ । ପାଞ୍ଚ ଭାଇଭଉଣୀଙ୍କ ଭିତରେ ସିଏ ହେଉଛି ସବାସାନ । ତାକୁ ଛାଡ଼ି ଆଉ ସମସ୍ତଙ୍କର ବିବାହ ହୋଇ ସାରିଥିଲା । ସିଏ ଓ ତା’ର ବାପାମାଆ ପ୍ରାୟ ପଚିଶିଟି ମୁସଲମାନ ପରିବାରର ପ୍ରତିବେଶ ମଧ୍ୟରେ ବାସ କରୁଥିଲେ । ସମଗ୍ର ଚନ୍ଦେରି ଗ୍ରାମର ଲୋକସଂଖ୍ୟାର ସେମାନେ ଦଶଭାଗରୁ ପ୍ରାୟ ଭାଗେ ହେବେ । ମାତ୍ର, ଏଥିଲାଗି ସେମାନଙ୍କୁ ଆଗରୁ କେବେ ଚିନ୍ତିତ ଅଥବା ଆତଙ୍କିତ ହେବାକୁ ପଡ଼ିନଥିଲା । ଯେତେଦୂର ମନେ ହେଉଥିଲା, ସେମାନେ ସବୁକାଳେ ଏକତ୍ର ସଂପୂର୍ଣ୍ଣ ସଦଭାବ ସହିତ ବାସ କରି ଆସିଥିଲେ । ଗାଆଁର ମୁସଲମାନମାନେ ଅଧିକାଂଶ ଜମିର ମାଲିକ ଥିଲେ,–ତେଣୁ ଅପେକ୍ଷାକୃତ ଅଧିକ ଭଲ ଅବସ୍ଥାରେ ରହିଥିଲେ । ମଲିକାର ବାପା ମଧ୍ୟ ଫଳବଗିଚା ମାନଙ୍କୁ ଜୁତରେ ନେଉଥିଲେ,–ତା’ ସହିତ ଅତି ଉର୍ବର ଦୋରସା ମାଟି ରହିଥିବା ପ୍ରାୟ ପନ୍ଦର କୋଡ଼ିଏ ବିଘା ଜମିକୁ ଚାଷ ବି କରୁଥିଲେ ।

 

ଚନ୍ଦେରି ଗାଆଁଟି ଭାଗଲପୁର ସହରରୁ ଅନ୍ଦାଜ ଦଶ କିଲୋମିଟର ହେବ । ହିନ୍ଦୁ ଆବାସିକ ଛାତ୍ରମାନଙ୍କୁ ମୁସଲମାନମାନେ ଗୋଟି ଗୋଟି କରି ହାଣି ଦେଇଛନ୍ତି ବୋଲି ସେହି ଜନରବଟି ସେହି ଗାଆଁରେ ସହରରୁ ଯାଇ ପହଞ୍ଚିବାକୁ ତେଣୁ ମୋଟେ ବେଶୀ ସମୟ ଲାଗିଲା ନାହିଁ । ନିଜ ପିଲାଟି ଦିନରୁ ସିଏ ଚିହ୍ନିଥିବା ପଡ଼ିଶାମାନେ କିପରି ଏଡ଼େ ହଠାତ୍ କୋପାନ୍ୱିତ ହୋଇ ଦଳ ବାନ୍ଧି ଧ୍ୱଂସଲୀଳାମାନ କରିବାକୁ ବାହାରି ପଡ଼ିଲେ ଓ ଘର ଭିତରେ ପଶି ରକ୍ତପାତ କରିବାକୁ ଅଡ଼ି ବସିଲା, ସେକଥା ଦେଖି ମଲିକା ଗୋଟାସୁଦ୍ଧା ପଥର ପାଲଟି ଯାଇଥିଲା,–ତା’ର ମଥା ଭିତରେ ଏସବୁ ଘଟଣାର କୌଣସି କାରଣ ପାଇ ପାରିଲାନାହିଁ ।

 

ସେଦିନ ଶୁକ୍ରବାର, ୧୯୮୯ ମସିହା ଅକ୍ଟୋବର ୨୭ ତାରିଖ । ଭିତରେ ଅତିଶୟ ଭୟ ରହିଥିଲେ ମଧ୍ୟ ପୁରୁଷମାନେ ନମାଜ ପାଠ କରିବେ ବୋଲି ଗାଆଁ ମସଜିଦ୍‍‍କୁ ବାହାରି ଥାଆନ୍ତି । କିନ୍ତୁ ଉନ୍ନତ୍ତ ଗୋଷ୍ଠୀଟି ଆସି ସେମାନଙ୍କର ବାଟ ଓଗାଳିଲା,–ସେମାନେ ଛୁରା ଧରିଥାନ୍ତି, ତ୍ରିଶୂଳମାନ ଧରିଥାନ୍ତି । ଏବଂ, ପାଖରେ ଥିବା ଫରକ୍କା ଓ ମୋକଲ୍‍କା ପ୍ରଭୃତି ହିନ୍ଦୁ ଗାଆଁମାନଙ୍କର ମଧ୍ୟ ଅଧିକ ମଣିଷ ଆସି ସେମାନଙ୍କ ସହିତ ମିଶିଗଲେ । ଏକାନ୍ତ ଭୟଭୀତ ଭାବରେ ପ୍ରାୟ ପଚାଶରୁ ଅଧିକ ମୁସଲମାନ ପୁରୁଷ, ମହିଳା ଏବଂ ପିଲା ଆସି ମଲିକାର ଜେଜ ମିନ୍ନାତ୍ ମିଆଁର ଘରେ ଆଶ୍ରୟ ନେଇଥିଲେ । କାରଣ, ତାଙ୍କ ଘରର କାନ୍ଥଗୁଡ଼ିକ ବେଶ ଉଚ୍ଚ ଥିଲା, ମଜବୁତ ବି ଥିଲା । ସେମାନେ ଏହି ଗୃହଟିର ଏହି ବଡ଼ ଅନିଶ୍ଚିତ ନିରାପତ୍ତା ଭିତରେ ହିଁ ଏକତ୍ର ଆସି ଜମା ହେଲେ । ସେତେବେଳେ ଆକ୍ରମଣକାରୀମାନେ ମୁସଲିମ୍ ଘରଗୁଡ଼ିକୁ ଲୁଟି ନେଉଥାନ୍ତି ଓ ସେଗୁଡ଼ିକରେ ନିଆଁ ଲଗାଇ ଦେଉଥାନ୍ତି । ଦୋକାନ ଓ ଏପରିକି ଉପାସନା ସ୍ଥାନଗୁଡ଼ିକୁ ମଧ୍ୟ ବାଦ୍ ଦେଉନଥାନ୍ତି ।

 

ଅପରାହ୍ନର ବିଳମ୍ବ ପହରରେ ପୋଲିସ୍‍ ଓ ଏକ ସୈନ୍ୟବାହିନୀ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଗାଡ଼ିରେ ବସି ଆସି ସେଠାରେ ପହଞ୍ଚିଲେ । ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ; ମାଜିଷ୍ଟ୍ରେଟ୍ ଦେଖିଥିଲେ ଯେ ସେହି ଲୁଟ୍–ପାଟ ଏବଂ ନିଆଁ ଲଗାଇ ଭୟଙ୍କର କାଣ୍ଡଟି ମଧ୍ୟରେ ଭୟାର୍ତ୍ତ ଲୋକସମୂହଟି ଗୋଟିଏ ଘରେ ଯେକୌଣସି ପ୍ରକାରେ ଆଶ୍ରୟ ନେଇ ରହିଛି । ସେମାନଙ୍କ ରକ୍ଷା ନିମନ୍ତେ ମେଜର୍ ଭିଅର୍କ୍‍ଙ୍କର ନେତୃତ୍ୱରେ ସେ ସେଠାରେ ଗୋଟିଏ ସୈନ୍ୟବାହିନୀ ରଖିଦେଇ ପ୍ରସ୍ଥାନ କରିଥିଲେ । ସେହି ରାତିରେ ଏକ ବିଳମ୍ବିତ ପ୍ରହରରେ ସାବୋର୍ ପୋଲିସ୍‍ଥାନାର ଭାରପ୍ରାପ୍ତ ଇନ୍‍ସପେକ୍ଟର୍‍,–ଚନ୍ଦେରି ଗାଆଁଟି ମଧ୍ୟ ସେହି ଥାନାର ଅଧୀନରେ ଥିଲା,–ସେହି ଗାଆଁରେ ପହଞ୍ଚି ମେଜର୍ ଭିଅର୍କ୍‍ଙ୍କୁ ନିର୍ଭର ଜବାବ ପ୍ରଦାନ କରିଥିଲେ ଯେ, ମିନ୍ନତ୍ ମିଆଁଙ୍କ ଘରେ ଆଶ୍ରୟ ନେଇଥିବା ମୁସଲମାନମାନଙ୍କୁ ସିଏ ଓ ତାଙ୍କର ସିପାହୀମାନେ ଅବଶ୍ୟ ରକ୍ଷା କରିବେ । ସୈନ୍ୟମାନେ ଏମାନଙ୍କର କଥାକୁ ବିଶ୍ୱାସ କରି ସେଠାରୁ ଚାଲିଯିବାକୁ ବାହାରୁଥିବା ସମୟରେ ଘର ଭିତରେ ଆଶ୍ରୟ ନେଇଥିବା ଲୋକମାନଙ୍କର କଲିଜା ସେକଥା ଶୁଣି ସତେଅବା ବରଫ ପାଲଟି ଯାଉଥିଲା ।

 

ତା’ପରେ, ଖୁବ ଅଳ୍ପ ସମୟ ମଧ୍ୟରେ ହିଁ ଗାଆଁର ସେହି ଲୋକପଲଟା ପୁନର୍ବାର ଏକଜୁଟ ହୋଇ ଯାଇଥିଲା । ପୁନର୍ବାର ନାରାମାନ ଦିଆଗଲା ଏବଂ ରାତ୍ରି ତମାମ କାନ୍ଥ ଓ ଝରକାମାନଙ୍କ ଉପରେ ଢେଲା ଓ ପଥରମାନ ପଡ଼ିବାକୁ ଲାଗିଲା । ଲୋକମାନଙ୍କର ଘରମାନଙ୍କରୁ ଯାହାକିଛି ବାକି ରହି ଯାଇଥିଲା, ସେଥିରେ ନିଆଁ ଲଗାଇ ଦିଆଗଲା ଏବଂ ପୁନର୍ବାର ଏକ ଧ୍ୱଂସଲୀଳା ଆରମ୍ଭ ହୋଇଗଲା ।

 

ସକାଳ ହେଲାବେଳକୁ ଘରେ ଆଶ୍ରୟ ନେଇଥିବା ଆତଙ୍କିତ ମନୁଷ୍ୟମାନଙ୍କୁ ସବୁ ବଡ଼ ଆଶାଶୂନ୍ୟ ଏବଂ ସହାୟବର୍ଜିତ ମନେ ହେଉଥିଲା । ମଲିକାର ବାପା ଓ ମାଆ ତାକୁ ଆହୁରି ନିକଟକୁ ଟାଣିନେଲେ ଏବଂ, ମୁହଁରେ ଯାହାକିଛି ପଇଟି ପାରିଲା, ସେହି କଥାଗୁଡ଼ିକୁ କହି ତାକୁ ସାନ୍ତ୍ୱନା ଦେଉଥିଲେ । କ୍ରୋଧୋନ୍ମତ୍ତ ଲୋକମାନଙ୍କ ଆବାଜ ତଥାପି ଶୁଣି ହେଉଥାଏ ଏବଂ ଏପର୍ଯ୍ୟନ୍ତ ସେମାନଙ୍କର ମନ ତଥାପି ବୋଧ ହୋଇନାହିଁ ବୋଲି ଅନୁମାନ ହେଉଥାଏ ।

 

ଗାଆଁର ମୁଖିଆ ତଥା ଅନ୍ୟ ବରିଷ୍ଠମାନେ ଆସି ଦୁଆର ପାଖରେ ରୁଣ୍ଡ ହେଲେ । କୌଣସି ଭୟ କରନାହିଁ ବୋଲି ଘର ଭିତରର ଲୋକମାନଙ୍କୁ ବଡ଼ ପାଟି କରି କହିଥିଲେ । ତେଣୁ, ଦୁଆର ଖୋଲ । ଆମେ କେବଳ ଘରଟିକୁ ତଲାଶ କରିବୁ, କାରଣ ତୁମେମାନେ ବହୁତ ଅସ୍ତ୍ରଶସ୍ତ୍ର ଆଣି ପାଖରେ ରଖିଛି ବୋଲି ଆମପାଖରେ ଏକ ସମ୍ବାଦ ଆସି ପହଞ୍ଚିଛି । ତା’ପରେ ଆମେ ତୁମମାନଙ୍କୁ ରାଜପୁର ଗ୍ରାମକୁ ନେଇଯିବୁ,–ସେହି ଗାଆଁରେ ତ ମୁସଲମାନ ମାନଙ୍କର ସଂଖ୍ୟା ଅଧିକ । ଏବଂ, ତେଣୁ ସେଠାରେ ତୁମେମାନେ ନିରାପଦ ହୋଇ ରହିପାରିବ । ଘର ଭିତରେ ଅଧିକ ବୟସ୍କ ମୁସଲମାନମାନେ ନିଜ ଭିତରେ ଆଲୋଚନା କରିଥିଲେ ଏବଂ ଏହାହିଁ ଯେ ସେମାନଙ୍କ ପାଇଁ ଏକ ସର୍ବୋତ୍ତମ ସମ୍ଭାବନା, ସେହି ସିଦ୍ଧାନ୍ତରେ ଆସି ଉପନୀତ ହୋଇଥିଲେ । ଗାଆଁର ମୁଖିଆ ଓ ବରିଷ୍ଠମାନେ କେବେହେଲେ ମିଛ କହିବେ ନାହିଁ । ଏବଂ, ଯେତେ ଯାହା ହେଉ ପଛକେ ସେମାନେ ଜନାନା ଓ ପିଲାମାନଙ୍କର କୌଣସି କ୍ଷତି କରିବେନାହିଁ ।

 

ତେଣୁ, ସେମାନେ କବାଟ ଖୋଲି ଦେଇଥିଲେ । ମଲିକା ମଧ୍ୟ ଅନ୍ୟମାନଙ୍କ ସହିତ ନୀରବରେ ଧାଡ଼ୀ ବାନ୍ଧି ଠିଆ ହୋଇଥିଲା । ଉତ୍ତେଜିତମାନେ ଶାନ୍ତ ହୋଇ ଯାଇଥିଲେ ଏବଂ କେତେକ ବ୍ୟକ୍ତି କେଉଁଠାରେ ଅସ୍ତ୍ର ଓ ବୋମା ରହିଛି କି ନାହିଁ, ଜାଣିବାଲାଗି ଘରଟିକୁ ତଲାଶ କରି ଦେଖିଲେ । ସେମାନଙ୍କୁ କିଛି ମିଳିଲା ନାହିଁ । ତା’ପରେ ସେମାନେ ଦଳବାନ୍ଧି ରାଜପୁର ଗାଆଁର ଆଶ୍ରୟସ୍ଥାନ ଉଦ୍ଦେଶ୍ୟରେ ଯିବାକୁ ବାହାରିଥିଲେ । ଦୁଇପାଖରେ ଚନ୍ଦେରି ଗାଆଁର ଲୋକେ ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାର ଦୁଇପାଖରେ କାନ୍ଥ ଭଳି ଠିଆ ହୋଇଥାନ୍ତି,–ମଲିକା ସେମାନଙ୍କୁ ବେଶ୍ ଚିହ୍ନି ପାରୁଥିଲା । ଆଉ ଟିକିଏ ପଛରେ ଦଳେ ସ୍ଥାନୀୟ ପୋଲିସ୍ ମଧ୍ୟ ବର୍ଦ୍ଦି ପିନ୍ଧି ନିସ୍କ୍ରିୟ ଭାବରେ ଛିଡ଼ା ହୋଇ ରହିଥିଲେ ।

 

ଏବଂ ତା’ପରେ ଅଚାନକ ଭାବରେ ସବୁ ଅନ୍ଧାର ହୋଇଗଲା । ସେମାନେ ପ୍ରଥମେ ମଲିକାର ଭାଇ ଅହମଦକୁ ଗରଗର କରି ହାଣିଦେଲେ । ବାପାଙ୍କର ମୁଣ୍ଡଟା ମଧ୍ୟ କିପରି ପଛଆଡ଼ୁ ଆସିଥିବା ଗୋଟାଏ କଟୁରୀର ଚୋଟରେ ଦେହରୁ ଅଲଗା ହୋଇଗଲା । ମଲିକା ନିଜ ଆଖିରେ ସେକଥାଟି ମଧ୍ୟ ଦେଖିବାକୁ ପାଇଲା । ଏପରିକି, ତା’ର ଲେଖାଯୋଖା ସାନ ଭାଇ ଓ ଭଉଣୀମାନେ ଛାଡ଼ ପାଇ ପାରିଲେ ନାହିଁ । ଗୋଟିଏ କଚି ଛୁଆ ନିଜ ମାଆର କାଖରେ ଥିଲା ଯେ ତାକୁ ମଧ୍ୟ କିଏସବୁ ଟାଣି ନେଇଗଲେ ଓ ତା’ ଦେହରେ ଛୁରା ଭୁଷିଦେଲେ । ଚାରିଆଡ଼ର ଚିତ୍କାରରେ କାନ ବଧିରା ହୋଇ ଯାଉଥାଏ,–‘ଜୟ ବଜରଙ୍ଗ ବଲୀ’ ନାଦରେ ଆକାଶ କମ୍ପି ଉଠୁଥାଏ ଏବଂ, ମୋଟେ ଅଳ୍ପ କେତେଟା ମିନିଟ୍ ମଧ୍ୟରେ ଛୁରା ଏବଂ ତ୍ରିଶୂଳର ମାଡ଼ରେ ଏକଷଠି ଜଣ ମହିଳା, ପୁରୁଷ ଓ ପିଲାଙ୍କୁ ଏହି ଭଳି ଖଣ୍ଡ ଖଣ୍ଡ କରିଦିଆ ଯାଇଥିଲା । ପାଖରେ ଥିବା ଗୋଟିଏ ଗଡ଼ିଆ ଭିତରକୁ ଅଧିକାଂଶ ଶରୀରକୁ ଫୋପାଡ଼ି ଦିଆଗଲା । ଗୋଟାଏ ଭୁଜାଲି ମାଡ଼ରେ ମଲିକାର ଗୋଡ଼ କଟି ଯାଇଥିଲା ଓ ସିଏ ପ୍ରାଣବିକଳରେ ସେହି ଗଡ଼ିଆ ଭିତରକୁ ଡେଇଁ ପଡ଼ିଲା । ଚାରିପାଖରେ କେବଳ ଭୟଙ୍କର ଭାବରେ କଟା ଯାଇଥିବା ଦେହଗୁଡ଼ିକର ବୀଭତ୍ସ ଦୃଶ୍ୟଟି ହିଁ ଦେଖିବାକୁ ମିଳୁଥାଏ । ତା’ପୂରା ପାଖରେ ପଡ଼ିଥିବା ଦେହଟା ଏବେ ମଧ୍ୟ ମଲିକାର ସ୍ମୃତିଟାକୁ ଭୂତପରି ମାଡ଼ି ବସିଛି,–ଏବେ ମଧ୍ୟ ପାସୋର ଯାଇନାହିଁ । ସେହି ଶରୀରଟି ତା’ ଅତି ନିଜର, ଅତି ପ୍ରିୟ ଆବ୍‍ବାଙ୍କର, ଯାହାଙ୍କର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦିଆ ଯାଇଥିଲା ।

 

କିଛି ସମୟ ପରେ,–କେତେ ସମୟ ପରେ, ସେକଥା ମଲିକାକୁ ମୋଟେ ଜଣାନାହିଁ,–ସେହି ବିକଳ କାନ୍ଦଣା ଓ ଭୟତ୍ରସ୍ତ ଚିତ୍କାରମାନ ବନ୍ଦ ହୋଇଗଲା । ଲୋକମାନଙ୍କର ଭିଡ଼ଟି ମଧ୍ୟ କ୍ରମେ ଭାଙ୍ଗି ଆସୁଥାଏ । ତଥାପି ରହି ଯାଇଥିବା କେତେକ ଲୋକ ପାଣିଦଳର ସାହାଯ୍ୟରେ ଛିନ୍ନଅଙ୍ଗ ଶରୀରଗୁଡ଼ିକୁ ଘୋଡ଼ାଇ ଦେଉଥାନ୍ତି,–ଯେପରିକି, ସେଗୁଡ଼ିକର ତଳେ ପ୍ରକୃତରେ କ’ଣ ରହିଥିଲା, ବାଟୋଇମାନେ ସେକଥା ଆଦୌ ଠଉରାଇ ପାରିବେ ନାହିଁ । ଅଗଭୀର ଗାଡ଼ିଆଟିର ସେହି ରକ୍ତ ମିଶା ପାଣିଭିତରେ ମଲିକା ମଧ୍ୟ ଅଚଳପ୍ରାୟ ହୋଇ ପଡ଼ି ରହିଥିଲା । ତା’ର କଟା ଗୋଡ଼ଟା ପାଖରୁ ଅବାରିତ ଭାବରେ ରକ୍ତ ବୋହିବାରେ ଲାଗିଥାଏ ଏବଂ ଅସହ୍ୟ ଯନ୍ତ୍ରଣା ହେଉଥାଏ । କିନ୍ତୁ, ମଲିକା ଏକଥା ମଧ୍ୟ ଜାଣିଥାଏ ଯେ, ଯଦି ସିଏ ତଥାପି ବଞ୍ଚିଯିବାର ଏତେ ଟିକିଏ ମଧ୍ୟ ସମ୍ଭାବନା ରହିଥାଏ, ତେବେ ତାକୁ ଏହିପରି ଭାବରେ ସମ୍ପୂର୍ଣ୍ଣ ନୀରବ ଓ ସଂପୂର୍ଣ୍ଣ ଅଚଳ ଭାବରେ ପଡ଼ି ରହିବାକୁ ହିଁ ପଡ଼ିବ ।

 

ଏହିପରି କେତେ ଘଣ୍ଟା ଗତ ହୋଇଯିବା ପରେ,–ସୂର୍ଯ୍ୟ ସେତେବେଳେ ମଧ୍ୟ ମୁଣ୍ଡଉପରେ ଥିଲେ,–ମେଜର୍ ଭିଅର୍କ ଓ ତାଙ୍କର ଲୋକମାନେ ଗାଡ଼ିରେ ପୁନର୍ବାର ଚନ୍ଦ୍ରି ଗାଆଁରେ ଆସି ପହଞ୍ଚିଥିଲେ । ସେମାନେ ମିନ୍ନତ୍ ମିଆଁଙ୍କର ଘରଟିକୁ ତଦାରଖ କରି ଦେଖିଥିଲେ, ସେମାନେ ସେଠାରେ କାହାରି ଭେଟ ପାଇଲେ ନାହିଁ ଓ ନିଶ୍ଚୟ ଚରମ ଦୁର୍ଗତିପୂର୍ଣ୍ଣ କିଛି ଘଟିଛି ବୋଲି ଆଶଙ୍କା କରିଥିଲେ । ସେମାନେ ପ୍ରଥମେ କୌଣସି ଶରୀର ଦେଖିବାକୁ ପାଇନଥିଲେ,–ମାତ୍ର, ଭୂଇଁଟା ତାଜା ରକ୍ତରେ ପୂରା ଓଦା ହୋଇ ରହିଥିଲା,–ଓ ସେଇଥିରୁ ହିଁ ପ୍ରକୃତ ଘଟଣାଟି ସ୍ୱତଃ ସ୍ପଷ୍ଟ ହୋଇ ଯାଉଥିଲା ।

 

ଗାଡ଼ିରେ ବସି ଗାଆଁର ସେହି ଗଡ଼ିଆଟିର ବାଟ ଦେଇ ଚାଲି ଯାଉ ଯାଉ ମଲିକା ମେଜର୍ ବାବୁଙ୍କୁ ଠାବ କରିନେଇ ପାରିଲା ଏବଂ ନିଜ ନିସ୍ତାରର ସର୍ବଶେଷ ସୁଯୋଗଟିକୁ ହିଁ ଗ୍ରହଣ କରିଥିଲା । ସେହି ସ୍ଥାନରେ ହିଁ ଯେକୌଣସି ମତେ ଉଠି ବସିଲା, ଦଳଗୁଡ଼ିକୁ ନିଜର ଦେହ ଉପରୁ ଆଡ଼େଇଦେଲା ଏବଂ ତଥାପି ବହୁ ଆଶାରେ ତାଙ୍କ ଉଦ୍ଦେଶ୍ୟରେ ଡକା ପକାଇବାକୁ ଆରମ୍ଭ କରିଥିଲା । ବିସ୍ମୟଚକିତ ଭାବରେ ସେନାବାହିନୀ ଗାଡ଼ି ଅଟକାଇଲେ । ମେଜର୍ ଭିଅର୍କ ଓ ତାଙ୍କ ଲୋକମାନେ ମଲିକାକୁ ଟାଣି ବାହାର କରି ଆଣିଲେ । ମୋଟେ ବିଶ୍ୱାସ ହେଉନଥାଏ; ଗାଡ଼ିଆର ସେହି ପାଣି ଭିତରେ ପନ୍ଦରଜଣ ସରିକି କ୍ଷତାକ୍ତ ମୃତଦେହ ପଡ଼ିଥିବାର ଦେଖି ସେମାନେ ଆତଙ୍କିତ ହୋଇ ଉଠିଥିଲେ । ସେହି ସମୟରେ ମଲିକାର ହଠାତ୍ ଚେତା ଚାଲି ଯାଇଥିଲା ।

 

ଚେତା ଫେରିଆସିବା ପରେ ମଲିକା ଦେଖିଲା, ଭାଗଲପୁର ଜିଲ୍ଲା ମହକୁମାର ମାୟାଗଡ୍ଡ ହସ୍‍ପିଟାଲର୍‍ ଗୋଟିଏ ଶଯ୍ୟା ଉପରେ ଆସି ପଡ଼ିଛି । ଜିଲ୍ଲାର ନିକଟବର୍ତ୍ତୀ ସହର ଓ ଗାଆଁମାନଙ୍କରୁ ମଧ୍ୟ ଦଙ୍ଗାରୁ ପ୍ରାଣ ବଞ୍ଚି ଯାଇଥିବା ଆହୁରି କେତେ ଅନ୍ୟମାନେ ମଧ୍ୟ ତା’ ଚାରିପାଖର ବିଛଣା ଗୁଡ଼ିକରେ ପଡ଼ି ରହିଛନ୍ତି । କେତେ କେତେ ପ୍ରବୀଣ ବ୍ୟକ୍ତି ଏବଂ ମେଡ଼ିଆ କର୍ମକର୍ତ୍ତାମାନଙ୍କର ମଧ୍ୟ ସେଠାରେ ଭିଡ଼ ଲାଗିଛି ବୋଲି ଦେଖିଥିବାର କଥାଟିକୁ ମଧ୍ୟ ମଲିକା ଅତ୍ୟନ୍ତ କ୍ଷୀଣ ଭାବରେ ମନେ କରି ପାରୁଛି ।

 

ସିଏ ପ୍ରକୃତରେ କେତେ କ’ଣ ହରାଇ ନବସିଲା,–ମଲିକାକୁ ବର୍ତ୍ତମାନ ସେହି ବାସ୍ତବ କଥାଟିକୁ ସ୍ୱୀକାର କରିନେବାକୁ ପଡ଼ିବ । ତା’ ଗୋଡ଼, ତା’ର ବାପାମାଆ, ‘ତା’ ଜ୍ଞାତି ଓ କୁଟୁମ୍ବର ଏତେ ଏତେ ମଣିଷ,–ଏବଂ, ସିଏ ବଢ଼ି ଆସିଥିବା ତା’ର ପରିଚିତ ପୂରା ସମୁଦାୟଟି,–ଜୀବନରେ ପୂରା ସତର ବରଷ କାଳ ସିଏ ସେହିମାନଙ୍କୁ ହିଁ ଭଲ ପାଇ ଆସିଥିଲା ଓ ସେମାନଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଥିଲା । ଭାବୁ ଭାବୁ, ଭୟ, ପ୍ରବଞ୍ଚନା, ଦୁଃଖ ଏବଂ କ୍ରୋଧ ସମସ୍ତେ ଏକତ୍ର ମିଶ୍ରିତ ହୋଇ ତା’ର ଚେତନାକୁ ଆଚ୍ଛନ୍ନ କରି ରଖିଥିଲେ ।

 

ହସ୍‍ପାତାଳର ସେହି ହତା ଭିତରେ ମଧ୍ୟ ସାଂପ୍ରଦାୟିକ ଭାବଗୁଡ଼ାକ ଖୁବ୍ ମୂର୍ତ୍ତ ଭାବରେ ଉପସ୍ଥିତ ରହିଥିଲେ । ମୁସଲମାନ ସମୂହରୁ ଆହତ ହୋଇ ଆସିଥିବା ବ୍ୟକ୍ତିମାନେ ନିଜକୁ ନିରାପଦ ବୋଲି ଆଦୌ ଭାବି ପାରୁନଥିଲେ ଏବଂ ଅନେକେ ସେହି ଜାଗାଟିକୁ ଛାଡ଼ି ପଳାଇ ବି ଯାଉଥିଲେ । ମଲିକା ମଧ୍ୟ ତାକୁ ଛାଡ଼ିଦେବା ନିମନ୍ତେ ଅନୁରୋଧ କରୁଥାଏ ।

 

ଆଖର ପଚିଶିଦିନ ପରେ ତାକୁ ସରକାରୀ ହସ୍‌ପିଟାଲରୁ ଛାଡ଼ି ଦିଆଗଲା ତାକୁ ନେଇ ବରାହପୁରା, ଶରଣାର୍ଥୀ ଶିବିରରେ ରଖା ଯାଇଥିଲା । ସେତେବେଳେ ମଧ୍ୟ ଆତଙ୍କ ଏବଂ ନୃଶଂସତାର କାହାଣୀମାନ ଆସିବାରେ ଲାଗିଥାନ୍ତି । ସମ୍ଭବତଃ ଲୁଗାଇନ୍ ଗାଆଁରେ ହିଁ ସବୁଠାରୁ ଅଧିକ ବୀଭତ୍ସ ଘଟଣାସବୁ ଘଟିଥିଲା, ଯେଉଁଠାରେ କି ସ୍ଥାନୀୟ ଥାନାର ଜଣେ ସହକାରୀ ପୋଲିସ୍ ସବ୍–ଇନ୍‌ସ୍ପେକ୍ଟର୍ ୪୦୦୦ ମଣିଷଙ୍କର ନେତୃତ୍ୱ ଗ୍ରହଣ କରି ଜମିର ମାଲିକ ପଚିଶିଟି ମୁସଲମାନ୍ ଘର ଉପରେ ଆକ୍ରମଣ କରିଥିଲେ । ସେଠାରେ ଶହେ ଅଶୀଜଣ ମଣିଷଙ୍କୁ ହତ୍ୟା କରା ଯାଇଥିଲା । ପ୍ରଥମେ ମୃତ ଦେହଗୁଡ଼ିକୁ ଗୋଟିଏ ଗାଡ଼ିଆ ମଧ୍ୟରେ ଫିଙ୍ଗି ଦିଆଗଲା,–ତା’ପରେ ସେଗୁଡ଼ିକୁ ଦୁଇଟି କୂଅ ଭିତରେ ନେଇ ପକାଇ ଦିଆ ଯାଇଥିଲା । ପରେ, ସେମାନଙ୍କୁ ସେଠାରୁ ଗୋପନରେ ବାହାର କରିନେଇ ତିନୋଟି ଧାନବିଲରେ ପୋତି ଦିଆଗଲା ଏବଂ ତା’ ଉପରେ ଫୁଲକୋବି ଲଗାଇ ଦିଆଗଲା । ଜଣେ ମାଜିଷ୍ଟ୍ରେଟ୍ ଆସି ଶରୀରଗୁଡ଼ିକୁ ସେଠାରୁ ଖୋଳି ବାହାର କରିବାକୁ ଆଦେଶ ଦେବାପରେ ଯାଇ ବାହାରକୁ ସେହି ହତ୍ୟାକାଣ୍ଡଟି ବିଷୟରେ ଲୋକମାନେ କିଛି ଜାଣି ପାରିଥିଲେ ।

 

ସବୁ କଥାଗୁଡ଼ାକ ମନେ ପଡ଼ି ମଲିକା ଅଥୟ ହୋଇ ପଡ଼ୁଥାଏ । ପ୍ରାଣ ଥିବା ପର୍ଯ୍ୟନ୍ତ ସେମାନେ ତାକୁ କଦାପି ଛାଡ଼ିବେନାହିଁ ବୋଲି ତାକୁ ଭଲ ଭାବରେ ଜଣାଥାଏ ? ତା’ର ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଗୋଟିଏ ମୁସଲମାନ ବ୍ୟବସାୟୀ ପରିବାର ତାକୁ ମାସକ ପାଇଁ ନିଜ ଘରେ ରଖିଥିଲେ । ଜୟପୁରଠାରେ ତା’ଦେହରେ ଗୋଟିଏ କୃତ୍ରିମ ଗୋଡ଼ ଲଗାଇବା ସକାଶେ କେତେ ଲୋକ ଅର୍ଥ ମଧ୍ୟ ଦାନ କଲେ । ମାତ୍ର, ସେଠାରେ ସପ୍ତାହେ ରହିବାପରେ ସିଏ କୌଣସି ଚିକିତ୍ସା ନପାଇ ଲେଉଟି ଆସିଥିଲା, କାରଣ ସେଠାରେ ଥିବା ଡାକ୍ତରବାବୁ ସେତେବେଳେ ଅନ୍ୟତ୍ର ଯାଇଥିଲେ । ସ୍ଥାନୀୟ ଏକ ଖବରକାଗଜରେ ମଧ୍ୟ ମଲିକାର କାହାଣୀଟି ପ୍ରକାଶିତ ହେଲା । ସେହି ବିବରଣୀଟିକୁ ଭିତ୍ତି କରି ରାଜ୍ୟପାଳ ଏ.ଆର୍.କିଦ୍‍ୱ୍ୱାଇ ପାଟଣା ହସପିଟାଲରେ ତା’ ଦେହରେ ଗୋଟିଏ କୃତ୍ରିମ ଗୋଡ଼ ଖଞ୍ଜା ହେବ ବୋଲି ବ୍ୟକ୍ତିଗତ ଭାବରେ ବ୍ୟବସ୍ଥା କରି ଦେଇଥିଲେ ।

 

ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ମଲିକା ଦାନାପୁର ସୈନିକ ହସ୍‌ପିଟାଲ୍‌ରେ ଯାଇ ଭର୍ତ୍ତି ହେଲା ଓ ସେଠାରେ ତାର ଚିକିତ୍ସା କରା ଯାଇଥିଲା । ସେଠାରେ ଥିବା ସମୟରେ, ସୈନ୍ୟବାହିନୀର କେତେକ ବ୍ୟକ୍ତି, ଏବଂ ବିଶେଷତଃ ବ୍ରିଗାଡ଼ିଅର୍ ମହୀନ୍ଦ୍ର ସିଂହ ଏବଂ ମେଜର୍ ଭିଅର୍କ, ମଲିକାର ସ୍ଵତନ୍ତ୍ର ଯତ୍ନ ମଧ୍ୟ ନେଇଥିଲେ । ମଲିକାକୁ ସିଏ ନିଜର ଝିଅ କରିନେଲେ ବୋଲି ମେଜର୍ ଭିଅର୍କ ଘୋଷଣା ମଧ୍ୟ କରିଦେଲେ । ତାଙ୍କ ନିଜ ବାହିନୀରେ ଥିବା ଅବିବାହିତ କେତେକ ସୈନିକଙ୍କୁ ମଲିକାକୁ ବିବାହ କରିବା ନିମନ୍ତେ ବି ପ୍ରବର୍ତ୍ତାଇ ଥିଲେ । କାରଣ, ମଲିକାର ଯତ୍ନ ନେବା ପାଇଁ ତା’ ନିଜର ହୋଇ ଆଉ କେହି ହେଲେ ହିଁ ନଥିଲେ ।

 

ପୁଞ୍ଚ୍ଥ୍ ଜିଲ୍ଲାର ଜଣେ କାଶ୍ମିରୀ ସୈନିକ ମହମ୍ମଦ୍ ତାଜ୍ ‘କାଶ୍ମିରୀ’ ଶେଷକୁ ମଲିକାକୁ ବିବାହ କରିବାଲାଗି ରାଜି ହେଲେ । ସେତେବେଳେ ସେ ରାଞ୍ଚିଠାରେ ହିଁ ନିଯୁକ୍ତ ହୋଇଥିଲେ । ମଲିକା ତାଙ୍କ ସହିତ କେତେମାସ ଲାଗି ରହିଥିଲା । ପରେ ମହମ୍ମଦଙ୍କର ଏପରି ଗୋଟିଏ ସ୍ଥାନକୁ ବଦଳି ହେଲା, ଯେଉଁଠାରେ କି ସପରିବାର ରହିବାର ଅନୁମତି ନଥିଲା । ତେଣୁ, ମହମ୍ମଦ ମଲିକାକୁ ନେଇ ତାଙ୍କ ମାଆଙ୍କ ସହିତ ଭେଟ କରାଇ ଦେଇଥିଲେ । ମାଆ ପୁଞ୍ଚ୍ଥ୍ ଜିଲ୍ଲାର ଚୁଙ୍ଗା ଗ୍ରାମରେ ବାସ କରୁଥିଲେ । ମାତ୍ର ଏପରି ଗୋଟିଏ ବୋହୂକୁ ସ୍ୱୀକାର କରିବାକୁ ରାଜି ହେଲେ ନାହିଁ-: ପ୍ରଥମେ ତ ଶାରୀରିକ ଭାବରେ ଅସମର୍ଥ, ପୁଣି ଭାଷା ମଧ୍ୟ ପୂରା ଅଲଗା । ମହମ୍ମଦ ମଲିକାକୁ ସାଙ୍ଗରେ ଧରି ଭାଗଲପୁର ଫେରି ଆସିଥିଲେ । ମଲିକା ସେହି ଭାଗଲପୁରରେ ହିଁ ରହିଲା । ରାଜ୍ୟ-ସରକାର ତାକୁ ଗୋଟିଏ ସାନ ଘର ଦିଆଇଲେ ଏବଂ, ତା’ ବାପାମାଆଙ୍କ ମୃତ୍ୟୁର କ୍ଷତିପୂରଣ ସ୍ଵରୂପ ଦୁଇଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଦେଲେ ।

 

ମହମ୍ମଦ ମଝିରେ ମଝିରେ ମଲିକା ପାଖକୁ ନିୟମିତ ଆସୁଥାଆନ୍ତି । ପ୍ରତ୍ୟେକ ଥର ତା’ଠାରୁ ତା କ୍ଷତିପୂରଣ ଟଙ୍କାରୁ କିଛି ନେଇ ଯାଉଥାନ୍ତି । ଶେଷକୁ ଯେତେବେଳେ ମଲିକା ପାଖରେ ପ୍ରାୟ କିଛି ହିଁ ଅବଶେଷ ରହିଲା ନାହିଁ, ସେତେବେଳେ ମହମ୍ମଦକୁ ମଧ୍ୟ ଆଗପରି ଆଉ ଏତେଥର ଆସିବାର ଦେଖା ଯାଇନଥିଲା, ଏବଂ କ୍ରମେ ସଂପୂର୍ଣ୍ଣ ଭାବରେ ବନ୍ଦ ବି ହୋଇଗଲା । ତା’ ପାଖକୁ ଓ ତା’ ରେଜିମେଣ୍ଟ ପାଖକୁ କେତେ ଚିଠି ପଠାଗଲା, କିନ୍ତୁ ଉତ୍ତର ବି ଆସିନଥିଲା । ଅର୍ଥାତ୍, ମଲିକା ପୁନର୍ବାର ଭାଗ୍ୟର ପ୍ରବଞ୍ଚନା ମଧ୍ୟରେ ଯାଇ ପଡ଼ିଗଲା ଏବଂ ଅତ୍ୟନ୍ତ ସହାୟଶୂନ୍ୟ ଭାବରେ ଏକୁଟିଆ ଅନୁଭବ କରୁଥିଲା । ସେତେବେଳକୁ ତା’ର ଦୁଇଟି ପିଲା,–ଇମତିଆଜ୍ ବୋଲି ଗୋଟିଏ ପୁଅ ଏବଂ ଫାତିମା ନାମକ ଝିଅଟିଏ ।

 

ଭାଗଲପୁର ଦଙ୍ଗାର ଅବ୍ୟବହିତ ପରେ ମୁସଲମାନମାନେ ମଧ୍ୟ କରିଥିବା ନିର୍ମମତା ତଥା ଆକ୍ରମଣର ବହୁସଂଖ୍ୟକ ଅଭିଯୋଗ ଆସି ପୋଲିସ୍ ପାଖରେ ପହଞ୍ଚିଲା । ବିଧାତାର ଏକ ବିଡ଼ମ୍ବନା ବୋଲି କୁହାଯିବ ଯେ, ତଥାପି ବଞ୍ଚି ଯାଇଥିବା ମଲିକା ପରି ପ୍ରତ୍ୟକ୍ଷ ସାକ୍ଷୀମାନଙ୍କର ଅଭିଯୋଗର ବିବରଣୀଗୁଡ଼ିକୁ ଲିପିବଦ୍ଧ କରି ରଖିବାକୁ ସେମାନେ କୁଣ୍ଠା ବି ପ୍ରକାଶ କରୁଥିଲେ । ମୃତମାନେ ଓ ବରବାଦଗୁଡ଼ିକ ଅତ୍ୟଧିକ ସଂଖ୍ୟା ଓ ପରିମାଣରେ ମୁସଲମାନଙ୍କ ତରଫରେ ଘଟିଥିଲେ ମଧ୍ୟ ସେମାନେ କୁଣ୍ଠା ପ୍ରକାଶ କରୁଥିଲେ । ଏବଂ, ଦଙ୍ଗାଗ୍ରସ୍ତ ୨୫୦ ଗାଆଁ ଭିତରୁ ମାତ୍ର ପାଞ୍ଚଗୋଟିରୁ ଅଧିକ ଏପରି ନଥିଲେ, ଯେଉଁଠାରେ କି ହିନ୍ଦୁମାନଙ୍କର ସଂଖ୍ୟା ଅଳପ ଥିଲା ଓ ସେମାନଙ୍କ ଉପରେ ଅନ୍ୟପକ୍ଷରୁ ଆକ୍ରମଣ କରା ଯାଇଥିଲା ।

 

ମଲିକା ଭଳି ବ୍ୟକ୍ତିମାନଙ୍କ ତରଫରୁ ଯଥୋଚିତ ପ୍ରୟାସଗୁଡ଼ିକୁ କରିବା ସକାଶେ ମିଲ୍ଲତ୍ ସୋସାଇଟିର ଆନୁକୂଲ୍ୟରେ ମୁସଲମାନ ବୁଦ୍ଧିଜୀବୀ ଓ ବ୍ୟବସାୟୀ ମାନଙ୍କର ଗୋଟିଏ ସଂଗଠନ ଗଠିତ ହେଲା । ସେମାନେ ଏହି କ୍ଷେତ୍ରରେ ଯାବତୀୟ ତ୍ରାଣକାର୍ଯ୍ୟରେ ନେତୃତ୍ୱ ନେଲେ-। ସେମାନେ ମଲିକାକୁ ପାଟନାର ଉଚ୍ଚ ନ୍ୟାୟାଳୟକୁ ନେଇ ଯାଇଥିଲେ, ଯେଉଁଠାରେ କି ସେ ନିଜ କାହାଣୀଟିର ବୟାନ ଦେଇଥିଲା; ତାକୁ ବାରମ୍ବାର ପ୍ରାୟ ଶହେବାର ପାଇଁ ବୟାନ ଦେବାକୁ ପଡ଼ିଲା । ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ଯେ, ସିଏ ଯେଉଁ ଆକ୍ରମଣକାରୀ ମାନଙ୍କର ଉଲ୍ଲେଖ କରୁଛି, ସେମାନଙ୍କ ନାମରେ ତା’ର ଅଭିଯୋଗଟିକୁ ଲିପିବଦ୍ଧ କରି ରଖାଯାଉ; ଏବଂ, ଜଣେ ପୋଲିସ ଡି.ଏସ୍.ପି. ଅଥବା ତଦୂର୍ଦ୍ଧ୍ୱ ପାହ୍ୟାର କେହି ଅଫିସର ଅଭିଯୋଗଟିର ତଦନ୍ତ କରନ୍ତୁ-। ତଦନ୍ତ ହୋଇ ସାରିବାପରେ ୪୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଗୋଟିଏ ଅଭିଯୋଗ–ପତ୍ର ଦାଖଲ ହେଲା । ସେଥିରେ ଗାଆଁର ମୁଖିଆ ମିଠୁ ଯାଦବ ଓ ସରପଞ୍ଚ ଦୀନାନାଥ ସହାୟଙ୍କର ନାମ ମଧ୍ୟ ରହିଥିଲା; ମଲିକାର କହିବା ଅନୁସାରେ ଏମାନେ ଏକ ଉତ୍ତ୍ୟକ୍ତ ଜନତାକୁ ମିନ୍ନତ୍‍ ମିଆଁଙ୍କ ଘରକୁ ନେତୃତ୍ଵ ଦେଇ ନେଇଥିଲେ ଏବଂ ଘରର ଲୋକମାନଙ୍କୁ କବାଟ ଫିଟାଇବା ନିମନ୍ତେ ପ୍ରବର୍ତ୍ତାଇ ଥିଲେ ।

 

ସଂପ୍ରତି, ଏହି ବିଷୟଟି ଲେଖୁଥିବା ସମୟରେ,–ଇତିମଧ୍ୟରେ ହତ୍ୟାକାଣ୍ଡଟି ଘଟିଥିବାର ଏଗାର ବର୍ଷରୁ ଅଧିକ ସମୟ ଅତୀତ ହୋଇଗଲାଣି,–ଜୀବନ ରହି ଯାଇଥିବା ମୁସଲମାନ ଦଙ୍ଗା ଗ୍ରସ୍ତମାନେ ଦରଜ କରିଥିବା ପ୍ରତ୍ୟେକଟି ମୋକଦ୍ଦମାରେ ସାକ୍ଷୀମାନେ ଜଣଜଣ କରି ଅପର ପକ୍ଷକୁ ଢଳି ଯାଉଛନ୍ତି । କେତେକ ବ୍ୟକ୍ତି ଭୟ ହେତୁ ଏଭଳି କରିଛନ୍ତି, ଆଉ କେତେ ଲାଞ୍ଚ ନେଇଛନ୍ତି । ବହୁ ବ୍ୟକ୍ତି ସେହି ପୁରୁଣା ଘାଆଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ଇଚ୍ଛା କରୁନାହାନ୍ତି;–ସେମାନେ ଆପଣାର ନଷ୍ଟଭ୍ରଷ୍ଟ ଜୀବନଗୁଡ଼ିକୁ ପୁନର୍ବାର ଗଢ଼ି ଆଣିବାକୁ ଆରମ୍ଭ କଲେଣି ।

 

ମଲିକାକୁ ଜୀବନରୁ ମାରି ଦିଆଯିବ ବୋଲି ବହୁତ ଧମକ ଦେଖାଯାଇଛି,–ସିଏ ଏହି ମୋକଦ୍ଦମାରୁ ଓହରି ଆସୁ ବୋଲି କୁହାଯାଇଛି । କେତେ ଲୋକ ମୋଟା ପଇସା ମଧ୍ୟ ଯାଚିଛନ୍ତି : ସେଥିରେ ତ ସିଏ ତା’ର ବର୍ତ୍ତମାନର ଅସହାୟ ଅବସ୍ଥାଟିରୁ ମୁକୁଳି ଆସିବାଲାଗି ଏବଂ ନିଜର ଦୁଇ ପିଲାଙ୍କୁ ମଣିଷ କରିବାଲାଗି ଅବଶ୍ୟ ସାହାଯ୍ୟ ପାଇପାରନ୍ତା !

 

କିନ୍ତୁ, ମଲିକା ହେଉଛି ଏକମାତ୍ର ସାକ୍ଷୀ, ଯିଏକି ତା’ର ମୂଳ ବୟାନଟିରେ ଏବେ ମଧ୍ୟ ଅତୁଟ ରହିଛି । ମଲିକା କହୁଛି ଯେ, ଯଦି ସେ ନଇଁଯିବ, ତେବେ ତଦ୍ଦ୍ୱାରା ନିଜ ବାପା ଓ ମାଆଙ୍କର ସ୍ମୃତି ପ୍ରତି କେବଳ ବିଶ୍ୱାସଘାତକତା ହିଁ କରିବ । ହଁ, ଯେଉଁମାନେ ସାନ ସାନ ଶିଶୁ ମୋ’ ଭାଇବିରାଦର ମାନଙ୍କୁ ହତ୍ୟା କରିଛନ୍ତି, ସେମାନଙ୍କୁ ମୁଁ କେବେହେଲେ, ଭୁଲିବିନାହିଁ, କ୍ଷମା ମଧ୍ୟ ଦେବିନାହିଁ । ପ୍ରଚଣ୍ଡ ମୁଦ୍ରାଟିଏ ସହିତ ସେ କହୁଛି, ‘ନ୍ୟାୟ ପାଇଁ ମୁଁ କରୁଥିବା ମୋ’ର ଏହି ଲଢ଼େଇଟିକୁ ମୁଁ କଦାପି ଛାଡ଼ିବିନାହିଁ ।’

 

ଜିଲ୍ଲା ତଥା ଦୌରା କଚେରୀମାନଙ୍କରେ ଭାଗଲପୁରରେ ତାକୁ ଜେରା କରିବା ଛଅମାସରୁ ଅଧିକ କାଳ ପର୍ଯ୍ୟନ୍ତ ଚାଲିଥିଲା । ମଲିକା ନିଜ ଓକିଲମାନଙ୍କ ଠାରୁ ପ୍ରାୟ କୌଣସି ସାହାଯ୍ୟ ନେଇନାହିଁ । ନିଜର କୃତ୍ରିମ ଗୋଡ଼ଟି ଉପରେ ଅତ୍ୟନ୍ତ ଦୃଢ଼ଭାବରେ ଛିଡ଼ା ହୋଇ ସିଏ ପ୍ରତିଦିନ ସାକ୍ଷୀ ଦେବାର ଅଡ଼ା ଭିତରେ ଠିଆ ହେଉଥିଲା ଓ ନିଜର କହିଥିବା କଥାରୁ ଗୋଟାଏ ଗାର ମଧ୍ୟ ଏପାଖ ସେପାଖ ହେଉନଥିଲା ।

 

କଚେରୀମାନେ ଏବେ ମଧ୍ୟ ସେମାନଙ୍କର ଫଇସଲା ଦେଇନାହାନ୍ତି । ଏବଂ, ଯେତେବେଳେ ସେହି ଫଇସଲା ମିଳିଯିବ, ବହୁତ ସମ୍ଭାବନା ରହିଛି ଯେ, ସେତେବେଳେ ମଧ୍ୟ ଏହି ଯୁଦ୍ଧଟି ଆହୁରି ଉଚ୍ଚ କଚେରୀମାନଙ୍କରେ ପୁଣି କେତେବର୍ଷ ପାଇଁ ନିଶ୍ଚୟ ଚାଲିବ ।

 

ଯେଉଁ ପରିବାରମାନେ ସେହି ଦଙ୍ଗାଜନିତ ହତ୍ୟାକାଣ୍ଡ ଗୁଡ଼ିକୁ ଅଙ୍ଗେ ନିଭାଇଛନ୍ତି, ସେମାନେ ଆଏବା ଏକାଧିକ ପୁରୁଷ ଧରି କେତେ ନା କେତେ ଦୁଃଖ ସହିତ ସେଗୁଡ଼ିକୁ ଅବଶ୍ୟ ସ୍ମରଣ କରିବାରେ ଲାଗିଥିବେ । ମାତ୍ର, ଭାଗଲପୁର ସହର, ଜିଲ୍ଲା ଓ ଗ୍ରାମଗୁଡ଼ିକର ଅନ୍ୟ ଅଞ୍ଚଳମାନଙ୍କ ବିଷୟରେ ହୁଏତ ଏକଥା କୁହାଯାଇପାରିବ ଯେ, ସେସବୁ ସ୍ଥାନରେ ତାହାର ସ୍ମୃତିଗୁଡ଼ିକ କ୍ରମେ ମ୍ଳାନ ପଡ଼ି ଗଲେଣି;–୧୯୮୯ ମସିହା. ଅକ୍ଟୋବର ଏବଂ ନଭେମ୍ବର ମାସରେ ସେହି ଭୟଙ୍କର ଘଟଣାମାନ ହୁଏତ ମୋଟେ ଘଟିନାହିଁ ବୋଲି ପ୍ରତୀତ ହେବାରେ ଲାଗିଲାଣି ।

 

ଏହି ସାହସିନୀ ଅବଳା ରମଣୀଟି ଯେଉଁ ଯୁଦ୍ଧଟିକୁ ଲଢ଼ିବାରେ ଲାଗିଛି, ତାହାକୁ କେବଳ ସକଳ ଦୁର୍ଗତ ଘଟଣା ବିରୋଧରେ ନ୍ୟାୟ ପାଇବା ପାଇଁ ଏକ ଯୁଦ୍ଧ ବୋଲି ଆଦୌ କୁହାଯିବ ନାହିଁ । ତାହାକୁ ପାସୋରି ପକାଇବାର ବିରୋଧରେ ମଧ୍ୟ ଗୋଟିଏ ଯୁଦ୍ଧ ବୋଲି କୁହାଯିବ ।

 

ପୁନଶ୍ଚ : ଏହି ପୁସ୍ତକଟି ଯନ୍ତ୍ରସ୍ଥ ହେବାର ଅଳ୍ପ କେତେଦିନ ପୂର୍ବରୁ ଜାତୀୟ ସ୍ତରର ଏକ ସମ୍ବାଦପତ୍ର ‘ହିନ୍ଦୁ’ରେ ଏକ ଭିତର ପୃଷ୍ଠାରେ ସାନ ଖବରଟିଏ ବାହାରିଥିଲା । ୨୦୦୧ ମସିହା ଫେବୃଆରୀ ୮ ତାରିଖରେ ଭାଗଲପୁରର ଜିଲ୍ଲା ତଥା ଦୌରା ମାଜିଷ୍ଟ୍ରେଟ୍‍ ଚନ୍ଦେରି ହତ୍ୟାକାଣ୍ଡ ମୋକଦ୍ଦମାର ରାୟ ପ୍ରଦାନ କରିଥିଲେ । ଏକଚାଳିଶି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଷୋଳଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି । ସାକ୍ଷ୍ୟପ୍ରମାଣ ଅଭାବରୁ ବାଇଶି ଜଣ ଅଭିଯୁକ୍ତଙ୍କୁ ଖଲାସ କରି ଦିଆଯାଇଛି ଏବଂ, ବିଚାର ଚାଲିଥିବା ସମୟରେ ତିନିଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି । ସେହି ହତ୍ୟାକାଣ୍ଡର କେତେଜଣ ଅତ୍ୟନ୍ତ ଶକ୍ତିଶାଳୀ ନେତା ଦଣ୍ଡିତ ହୋଇ ପାରିନଥିଲେ ମଧ୍ୟ, ମଲିକା କିଛି ନା କିଛି ନ୍ୟାୟ ପାଇଛି ବୋଲି ତଥାପି କୁହାଯାଇ ପାରିବ ।

☆☆☆

 

ନିଜେ-ରୋଗୀ ଆରୋଗ୍ୟକାରୀ, HIV ସହିତ କଟାଇଥିବା ଜୀବନ

 

ଭାରତବର୍ଷର ଉତ୍ତର-ପୂର୍ବ ଭାଗରେ ମଣିପୁର ରାଜ୍ୟ,–ସେଠାରେ ସବୁବେଳେ ହିଁ ଘୋର ଅଶାନ୍ତି ଏବଂ କନ୍ଦଳ ଲାଗି ରହିଥାଏ । ସେଠାରେ ଉପଜାତିମାନଙ୍କ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ସଶସ୍ତ୍ର ସମରବତ୍ ସଂଗ୍ରାମ ଚାଲିଛି ଓ ଭାଇ ଭାଇକୁ ହତ୍ୟା କରିବାରେ ଲାଗିଛନ୍ତି । ମାତ୍ର, ସେହି ରାଜ୍ୟର ଅପୂର୍ବ ଦୃଶ୍ୟରାଜିରେ ପରିପୂର୍ଣ୍ଣ ପାହାଡ଼ ଓ ଉପତ୍ୟକା ମାନଙ୍କରେ ଗତ ସତୁରି ଦଶକରେ ଶେଷ ବର୍ଷଗୁଡ଼ିକରେ ହଜାର ହଜାର ତରୁଣତରୁଣୀ ଏକାବେଳକେ ଆଉଗୋଟିଏ ପ୍ରକାରର ଘଟଣା ଘଟାଇ ଟିକିଏ ସାନ୍ତ୍ୱନା ଲାଭ କରିବାକୁ ଆରମ୍ଭ କରି ଦେଇଥିଲେ । ସେମାନେ ନିଜ ଦେହର ଶିରାମାନଙ୍କରେ ଛୁଞ୍ଚି ଫୋଡ଼ିଦେଇ ହିରୋଇନ୍ ଭଳି ଏକ ଉଗ୍ର ଓ ଚରମ ଅନିଷ୍ଟକାରୀ ଦ୍ରବ୍ୟକୁ ଇଞ୍ଜେକ୍‍ସନ୍ ଭଳି ନିଜ ଦେହରେ ଭରି ଦେଇଥିଲେ । ଏହିପରି ଭାବରେ ସେମାନେ ନିଜର ନିତାନ୍ତ ଅଭିପ୍ରାୟହୀନ ଜୀବନଗୁଡ଼ିକର ଅପଚୟ କରିବାକୁ ମନସ୍ଥ କଲେ ।

 

ଗୋଟିଏ ଅର୍ଥରେ କହିବାକୁ ଗଲେ ଏହି ଯୁବା ବା ଯୁବତୀମାନେ ସେମାନଙ୍କ ଇତିହାସ ଦ୍ୱାରା ପ୍ରସୂତ ଏକ ଦୁଃଖଦ ନିଃସଙ୍ଗତାବୋଧ ଏବଂ ସ୍ଥାନୀୟ ଭୌଗୋଳିକ ସ୍ୱତନ୍ତ୍ର ଅବସ୍ଥିତିଟିର ଜାଲରେ ପଡ଼ିଯାଇ ଏପରି ଗୋଟିଏ ବ୍ୟାପାରର ଆଶ୍ରୟ ନେଇଥିଲେ । ମଣିପୁର ସହିତ ମିଆଁନ୍‍ମାର ଦେଶର ଏକ ଦୀର୍ଘ ସାଧାରଣ ସୀମା ରହିଛି ଏବଂ ଆମେରିକୀୟ ଗୋଟିଏ ସଂସ୍ଥାର ଅଧ୍ୟୟନ ଅନୁସାରେ ସେହି ସୀମା ଦେଇ ପୃଥିବୀର ଷାଠିଏ ପ୍ରତିଶତ ହିରୋଇନ୍‌ର କାରବାର କରା ଯାଇଥାଏ । ତାହାରି ଫଳରେ ହିଁ ମଣିପୁର ରାଜ୍ୟର ଗ୍ରାମ ତଥା ସହରମାନଙ୍କରେ ହିରୋଇନ୍-ସେବନ ଏକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପି ଯାଇଥିଲା । ସେଥିରେ ପିତାମାତାମାନେ ଅତ୍ୟନ୍ତ ପରିମାଣରେ ବ୍ୟସ୍ତ ଓ ଉଦ୍‌ବିଗ୍ନ ହୋଇ ପଡ଼ିଥିଲେ ଏବଂ ରାଜ୍ୟର ସରକାରୀ କର୍ତ୍ତାମାନେ ମଧ୍ୟ ଆପଣାକୁ ଅସହାୟ ଅନୁଭବ କରିବାକୁ ଲାଗିଲେ ।

 

ଇତ୍ୟବସରେ, ସାଧାରଣ ଦୃଷ୍ଟିର ଅଗୋଚରରେ ଆଉଗୋଟିଏ ଆହୁରି ଅଧିକ ବିନାଶକାରୀ ମହାବିପତ୍ତି ମଧ୍ୟ ମଣିପୁରକୁ କବଳିତ କରି ନେଇଥିଲା । ଆପଣାର ଅନିଷ୍ଟକାରିତାରେ ତାହା ପୂର୍ବର ସବୁ ଅନିଷ୍ଟଠାରୁ ବଳିଗଲା । ୧୯୯୦ ମସିହା ଫେବୃଆରୀ ମାସରେ ଇଞ୍ଜେକ୍‍ସନ୍ ଦ୍ୱାରା ଦେହ ଭିତରକୁ ନିଶା ଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କର ନମୁନାରୂପେ ଗ୍ରହଣ କରା ଯାଇଥିବା ରକ୍ତରେ HIVର ଉପସ୍ଥିତି ରହିଛି ବୋଲି ସର୍ବପ୍ରଥମେ କଣା ଯାଇଥିଲା । ୧୯୯୯ ମସିହା ଜୁଲାଇ ମାସରେ ଏହିଭଳି ବ୍ୟକ୍ତିଙ୍କର ସଂଖ୍ୟା ବଢ଼ିଯାଇ ଏକାବେଳକେ ୮୬୫୮ରେ ପହଞ୍ଚି ଯାଇଥିଲା । ସେଥିରୁ ୪୫୮ ଜଣ ବ୍ୟକ୍ତି AIDS ଦ୍ୱାରା ପୀଡ଼ିତ ବୋଲି ଜଣାଗଲା ଏବଂ ସେମାନଙ୍କ ମଧ୍ୟରୁ ୧୧୦ ଜଣ ଅତ୍ୟନ୍ତ ଦୁଃଖଦ ଭାବରେ ମୃତ୍ୟୁମୁଖରେ ପଡ଼ିଥିଲେ । ମାତ୍ର, ଏହାକୁ ତ ଉପମାଟିଏ ଦେଇ ତୁଷାର ପାହାଡ଼ଟିର କେବଳ ଅଗ୍ରଭାଗ ବୋଲି ହିଁ କୁହାଯିବ, କାରଣ ମଣିପୁର ରାଜ୍ୟର ସରକାର ତଥା ଲୋକମାନେ ସତେଅବା ପରସ୍ପର ମଧ୍ୟରେ ସଲା କରିଥିବା ପରି ନୀରବତା ହିଁ ଅବଲମ୍ବନ କରିଥିଲେ ଏବଂ ସତ୍ୟଟିକୁ ସ୍ୱୀକାର କରୁନଥିଲେ ।

 

ବସ୍ତୁତଃ ମଣିପୁରର ଦୁଇ ମଧ୍ୟରୁ ଗୋଟିଏ ପରିବାରରେ ଅନ୍ତତଃ ଜଣେ ବ୍ୟକ୍ତି ଏପରି ରହିଛି, ଯାହାକୁ କି HIV ଏବଂ ନିଶାସେବନରୂପୀ ଉଭୟ ସମସ୍ୟା ସହିତ ସଂଗ୍ରାମ କରିବାକୁ ପଡୁଛି । ଏବଂ, ବେଳେବେଳେ ସେହି ସଂଗ୍ରାମରେ ପରାହତ ବି ହୋଇଯାଉଛି । କିନ୍ତୁ, ନିଶାସେବନ ତଥା ଏକାଧିକ ଯୌନସଙ୍ଗମ ସହିତ ଆନୁଷଙ୍ଗିକ ହୋଇ ରହିଥିବା କଳଙ୍କ ଓ ଲଜ୍ଜା ହେତୁ ପରିବାରମାନେ ପ୍ରାୟ କେବେହେଲେ ସେମାନଙ୍କର ଏହି କଷ୍ଟ ଭୋଗ ବିଷୟରେ ଖୋଲି କରି କିଛି କହିବାଲାଗି ଇଚ୍ଛା ହିଁ କରନ୍ତି ନାହିଁ । ହଁ, ବାପାମାଆମାନେ ସେମାନଙ୍କର ପିଲାମାନେ ‘କ୍ୟାନ୍‍ସର ପରି’ ଏକ ବ୍ୟାଧି ସହିତ ସଂଗ୍ରାମ କରୁଛନ୍ତି ବୋଲି ହୁଏତ ଖୁବ୍‍ ବେଶୀ ହେଲେ ଆପଣାର ଅତ୍ୟନ୍ତ ଘନିଷ୍ଠମାନଙ୍କ ଆଗରେ ପ୍ରକାଶ କରି ଥାଆନ୍ତି । ଏହି ଠାର ଶବ୍ଦଟିରୁ ହିଁ ସମସ୍ତେ ପ୍ରକୃତ କଥାଟିକୁ ବେଶ୍ ବୁଝିନେଇ ପାରନ୍ତି; କିନ୍ତୁ ଅତ୍ୟନ୍ତ ଅଧ୍ୟବସାୟ ସହିତ ସେହି ଛଳୋକ୍ତିଟିର ପାଳନ କରା ଯାଇଥାଏ । ନିଜର ପିଲାମାନେ ବାରବାର ନିଶାସେବନର କବଳରେ ପଡ଼ି ଯାଉଥିବା ପିତାମାତାମାନେ (ଏହା ସହିତ HIVର ସଂକ୍ରମଣ ମଧ୍ୟ ଜଡ଼ିତ ହୋଇ ରହିଥାଏ) ଏତେ ଅଧିକ ପରିମାଣରେ ନିରାଶ ହୋଇ ପଡ଼ିଥାଆନ୍ତି ଯେ, ସେମାନେ ସେହି ରୋଗଗ୍ରସ୍ତମାନଙ୍କୁ ଜେଲ୍‌ଭିତରେ ନେଇ ରଖିବା ସକାଶେ ରାଜ୍ୟ ସରକାରଙ୍କର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିବାରେ ଲାଗିଥାନ୍ତି । ଅନେକ ସମୟରେ ସେହି ସନ୍ତାନମାନେ ଜେଲ ଭିତରେ ହିଁ HIV ତଥା ନିଶାସେବନ ସହିତ ଯୁଦ୍ଧ କରୁଥିବାର ଦୃଷ୍ଟିଗୋଚର ହୋଇଥାଏ । ବିଚାର ପାଇଁ ଅପେକ୍ଷା କରିଥିବା ବନ୍ଦୀମାନଙ୍କୁ ମଧ୍ୟ HIV ବିଷୟରେ ପରୀକ୍ଷା କରି ଦେଖାଯାଏ ।

 

ଶକ୍ତିମାନ୍ ଗୀର୍ଜା ତରଫରୁ ମଧ୍ୟ ଏହି ଦିଗରେ ନିଜ ପରିମାନର ଏକ ପ୍ରତିକାର ପନ୍ଥା ବେଶ୍‍ ବାହାର କରିଛି,–ଅଧିକାଂଶ ସମୟରେ ନୀତିବାଦୀ ଢଙ୍ଗରେ ଆପଣାର ଉପଦେଶମାନ ଦେଉଛି ଓ ଭୟ ବି ଜନ୍ମାଉଛି । ଚୂରଚନ୍ଦ୍ରପୁର ନାମକ ଗୋଟିଏ ପାର୍ବତ୍ୟ ଜିଲ୍ଲାର ଗୀର୍ଜାଗୋଷ୍ଠୀ ପିତାମାତାଙ୍କର ସମ୍ମତି ନେଇ HIV ନିଶା-ସେବନକାରୀଙ୍କ ଗୋଡ଼ରେ ବେଡ଼ୀ ପକାଇ ଦେଉଛି ଏବଂ ତାପରେ ସେମାନଙ୍କୁ ସାନ ସାନ ଯନ୍ତା ଭିତରେ ନେଇ ପୂରାଇ ରଖୁଛି । ତା’ପରେ ଯାଇ ସ୍ଥାନୀୟ ଲୋକମାନଙ୍କୁ ସେହିସ୍ଥାନକୁ ଡାକି ଆଣୁଛି, ଯେଉଁମାନେ କି ଯନ୍ତାଗୁଡ଼ିକ ଦ୍ଵାର ପାଖରେ ବସି ସ୍ତୋତ୍ରଗାନ କରୁଛନ୍ତି । ସେମାନେ ଏହି ଯୁବାବ୍ୟକ୍ତି ମାନଙ୍କର ମୁକ୍ତି ନିମନ୍ତେ ପ୍ରାର୍ଥନା କରୁଛନ୍ତି-। ଏବଂ ବିଚାରା ରୋଗଗ୍ରସ୍ତମାନେ ନିଶାର ଅଭାବରେ ଅନେକ ସମୟରେ ଉଚ୍ଚସ୍ୱରରେ ଚିତ୍କାର କରି ଛଟପଟ ହେବାରେ ଲାଗିଛନ୍ତି । ଏବଂ, ଲୁଚାଛପା ଭାବରେ କେତେକେତେ ସୂତ୍ର ଏପରି ମଧ୍ୟ କହୁଛନ୍ତି ଯେ ସେମାନେ HIV ନିଶାସେବନକାରୀ ଏମାନଙ୍କୁ ପ୍ରାଣରେ ମାରିଦେବାକୁ ହିଁ ଇଚ୍ଛା କରୁଛନ୍ତି । କାରଣ ସେମାନେ ଅତ୍ୟନ୍ତ ଲଜ୍ଜାଜନକ ଭାବରେ ମଣିପୁରର ସମାଜ ଉପରେ କେବଳ ଗୋଟିଏ ଗୋଟିଏ ବୋଝ ହୋଇ ରହିଛନ୍ତି ।

 

ମହାଘୋର ନୀରବତା, ଲଜ୍ଜା ଓ ହତାଶାର ଏହି ମର୍ମନ୍ତୁଦ ପରିବେଶଟି ମଧ୍ୟରେ ପ୍ରକୃତରେ ଏହି ଆଉଗୋଟିଏ ଘଟଣା ତୁଚ୍ଛା ପାଗଳମାନଙ୍କର ଏକ କାର୍ଯ୍ୟ ପରି ବୋଧ ହୋଇଥିଲା ଯେ, ୧୯୯୬ ମସିହା ସେପ୍ଟେମ୍ବର ମାସରେ ଇମ୍ଫାଲର ଏକ ଜନଗହଳି ରାସ୍ତାର ଗୋଟିଏ କୋଠା ଉପରେ ଏକ ସାଇବୋ ଟାଙ୍ଗି ଦିଆଯାଇ ଥିଲା, ଯେଉଁଥିରେ କି HIV ଥିବା ବ୍ୟକ୍ତିମାନଙ୍କର ଏକ ସଂସ୍ଥା ଗଠନ କରାଗଲା ବୋଲି ଘୋଷଣା କରାଗଲା । ନିଜର ସେହି ଲଜ୍ଜାଜନକ ଦୂର୍ଗତ ଅବସ୍ଥାଟିର କାରଣରୁ ଏକ ଘୋର ନୀରବତା ମଧ୍ୟରେ ଲୁଚି ରହିବାକୁ ଅସହ୍ୟ ବୋଧ କରି ଚାରିଜଣ HIV ପୀଡ଼ିତ ଯୁବାବ୍ୟକ୍ତି ସାହସ ବାନ୍ଧି ପଦାକୁ ବାହାରି ଆସିଥିଲେ । ଏଭଳି କରି ସେମାନେ ଆଶା କରୁଥିଲେ ଯେ, ନିଜ ଶରୀରରେ HIV ରହିଥିବାରୁ ହେତୁ ଯେଉଁ ଅନ୍ୟମାନେ ନିଜ ସଂଗ୍ରାମର ହତାଶାପୂର୍ଣ୍ଣ ଏକାକୀ ଜୀବନ ଭିତରେ ବନ୍ଦୀ ହୋଇ ରହିଥିଲେ, ଏମାନେ ସେମାନଙ୍କ ଆଡ଼କୁ ହୁଏତ କିଞ୍ଚିତ୍ ସହାୟତା କରି ପାରିବାର ସହାନୁଭୂତିପୂର୍ଣ୍ଣ ହାତଟିଏ ବଢ଼ାଇ ଦେବେ । ସଂପ୍ରତି, ଏହି ସଂସ୍ଥାଟିରେ ଅଶୀଜଣ ସଦସ୍ୟ ଅଛନ୍ତି ଏବଂ ଆହୁରି ଅଧିକସଂଖ୍ୟକ ବ୍ୟକ୍ତି ମଧ୍ୟ ତାହାର ସହାୟତା କାମନା କରିଛନ୍ତି ।

 

ଏହି ସମ୍ପର୍କ ସ୍ଥାପନକାରୀ ସଂସ୍ଥାଟିର ଜଣେ ପ୍ରତିଷ୍ଠାକାଳୀନ ସଦସ୍ୟ ହେଉଛନ୍ତି ଶ୍ରୀ ଦୀପକ କୁମାର ସିଂହ ଲେଇମାପୋକ୍‍ପମ୍ । ଘରେ ସାତଭାଇଙ୍କ ମଧ୍ୟରେ ସବା ସାନ-ତିନି ଭଉଣୀ ମଧ୍ୟ ତାଙ୍କଠାରୁ ବୟସରେ ବଡ଼ । ୧୯୬୮ ମସିହାରେ ସେ ଇମ୍ଫାଲଠାରେ ଏକ ମଧ୍ୟବିତ୍ତ ମେଇତେଇ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ଏକ ସ୍ଥାନୀୟ ସିନେମାଘରର ମ୍ୟାନେଜର୍ ଥିଲେ ଏବଂ ମାଆ ବିଖ୍ୟାତ ମହିଳା ମାର୍କେଟରେ କପଡ଼ା ବିକ୍ରୀ କରୁଥିଲେ । ଦୀପକ ପରିବାରରେ ସମସ୍ତଙ୍କର ନୟନପିତୁଳା ହୋଇ ରହିଥିଲେ । ସିଏ ସମଗ୍ର ପରିବାର ନିମନ୍ତେ ହିଁ ଶିଶୁଟିଏ ହୋଇ ରହିଥିଲେ । ଏପରିକି, ତାଙ୍କ ଭଉଣୀଙ୍କର ପୁଅଟି ମଧ୍ୟ ବୟସରେ ତାଙ୍କଠାରୁ ବଡ଼ ଥିଲେ ।

 

ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ସେ ପ୍ରଥମରେ ପରୀକ୍ଷାମୂଳକ ଭାବରେ ନିଶା ଔଷଧ ସେବନ କରିବା ଆରମ୍ଭ କଲେ । ତାଙ୍କ ଘରେ ସେକଥା ଆଦୌ କାହାକୁ ହେଲେ ଜ୍ଞାତ ନଥିଲା । ପ୍ରଥମେ ତମାଖୁ ଚୋବାଇବାରୁ ଅଭ୍ୟାସଟି ଆରମ୍ଭ ହେଲା,–ତା’ପରେ ସିଗାରେଟ ପିଇଲେ ଓ ତା’ପରେ ବଟିକାରେ ଯାଇ ପହଞ୍ଚିଲେ । କିନ୍ତୁ, ସିଏ ଯେ ଏବେ ମଧ୍ୟ ଅସଲ ଜିନିଷଟି ପାଖକୁ ଆସିନାହାନ୍ତି, ତାଙ୍କ ସାଙ୍ଗମାନେ ସବୁବେଳେ ସେକଥା କହି ତାଙ୍କୁ ଖୁଞ୍ଚା ଦେବାରେ ଲାଗିଥାନ୍ତି । ତାଙ୍କଠାରୁ ଅଧିକ ଜାଣିଥିବା ତାଙ୍କର ଜଣେ ସାଙ୍ଗର ବଡ଼ଭାଇ କହିଥିଲା ଯେ, ଆମେରିକାରେ ସମସ୍ତେ ହାସିସ୍, ଅଫିମ ଓ ଗଞ୍ଜା ଖାଆନ୍ତି ଓ ତା’ପରେ ହିରୋଇନ୍ ଆରମ୍ଭ କରନ୍ତି-। ପ୍ରଥମଥର ପାଇଁ ହିରୋଇନ୍ ସେବନ କରି ସେ ବାନ୍ତି କରିଥିଲେ । ଉତ୍ତେଜନା ଏବଂ ଲାପରବାହୀରେ ପଡ଼ି ହିଁ ସେଇଟିକୁ ଆରମ୍ଭ କରିବାଲାଗି ମନ କରିଥିଲେ । ବାନ୍ତି ହେବା ପରେ ମୁଣ୍ଡ ଖୁବ୍ ବିନ୍ଧିଲା,–ଆଉ ଦିନେ ଏ ଚେଷ୍ଟା କରିବେନାହିଁ ବୋଲି ନିଜ ପାଖରେ ଶପଥ କଲେ-। ମାତ୍ର, ପାଞ୍ଚଟା ମାସ ଭିତରେ ପୂରା ଖାପଚରେ ପଡ଼ି ଯାଇଥିଲେ । ସେତେବେଳେ ତାଙ୍କର ଦଶମ ଶ୍ରେଣୀ ଆରମ୍ଭ ହେଉଥାଏ ।

 

ତାଙ୍କ ପାଇଁ ପଇସା କେବେହେଲେ ଏକ ସମସ୍ୟା ନଥିଲା । ନିଜର ଭାଇ ଓ ଭଉଣୀମାନଙ୍କ ପାଖରୁ ସେ ପାଳି କଲା ପରି ପଇସା ସଂଗ୍ରହ କରିନେଇ ପାରୁଥିଲେ । ସିଏ ଯାହା ମାଗିଲେ ଏମାନେ କେବେ ମନା କରି ପାରୁନଥିଲେ । ବେଳେବେଳେ ସିଏ ନିଜ ବାପାଙ୍କ ପକେଟରୁ ମଧ୍ୟ ପଇସା ଚୋରି କରି ନେଉଥିଲେ ।

 

ତହିଁ ଆରବର୍ଷ ହୋଲି ପର୍ବ ସମୟରେ ଯାଇ ପରିବାରର ଲୋକେ ପ୍ରଥମ ଥର ପାଇଁ ସେହି କଥାଟିକୁ ଜାଣିଲେ । ଏକଦା ତାଙ୍କର ଆଠଜଣ ସାଙ୍ଗ ନିଶାସେବନର ମଜା ଉଠାଇବେ ବୋଲି ଏକତ୍ର ହୋଇଥିଲେ,–ଦିନଯାକ ନାନା କର୍କଶ ଶବ୍ଦ କରି ଧୂମପାନ କଲେ ଓ ମଦ ପିଇଲେ ଏବଂ ତା’ପରେ ଗୋଟିଏ ଜିପରେ ସହରଟା ଯାକ ଏଡ଼େ ରଡ଼ି କରି ଧାଇଁବାକୁ ଲାଗିଲେ । ପରିଶେଷରେ ପୋଲିସ୍ ଦ୍ୱାରା ଧରା ହୋଇଥିଲେ । ପୋଲିସ୍ ସେମାନଙ୍କର ଓ ସେମାନଙ୍କ ଜିପ୍‍ର ଖାନତଲାସୀ ନେଲା ଏବଂ ସେମାନଙ୍କ ପାଖରୁ ହିରୋଇନ୍ ଜବତ କରିଥିଲା । ସେମାନେ ତା’ପରେ ଅଧେ ରାତି ପୋଲିସ୍ ହାଜତ ଭିତରେ ରହିଥିଲେ । ମାତ୍ର ବୟସଗୁଡ଼ିକ ଏତେ ଅଳ୍ପ, ପୁଣି ସମସ୍ତେ ଧନୀଘରମାନଙ୍କର ପିଲା,–ତେଣୁ ସେମାନଙ୍କ ନାମରେ କୌଣସି ଅଭିଯୋଗପତ୍ର ଦିଆଗଲା ନାହିଁ । କେବଳ ସେମାନଙ୍କର ଘରମାନଙ୍କୁ ଜଣାଇ ଦିଆ ଯାଇଥିଲା । ପରିବାରରୁ କେହି ଥାନାକୁ ଆସି ସେମାନଙ୍କର ଏହି ବିପଥଗାମୀ ପିଲାଙ୍କୁ ମୁକୁଳାଇ ନେଲେ ।

 

ସବା ସାନ ଓ ସମସ୍ତଙ୍କର ଏଡ଼େ ଗେହ୍ଲା ଦୀପକ ନିଶାସେବନ କଲାଣି, ଏକଥାଟିକୁ ଜାଣି ଦୀପକର ପୂରା ପରିବାରଟି ଅତ୍ୟନ୍ତ ହତାଶ ହୋଇ ପଡ଼ିଥିଲା । ତା’ ପିତାମାତା ତଥା ବଡ଼ ଭାଇ ଓ ଭଉଣୀମାନେ ଏକାଠି ତାକୁ ବସାଇ ଖୁବ୍ ଭର୍ତ୍ସନା କଲେ, ବହୁତ ପରାମର୍ଶ ବି ଦେଇଥିଲେ-। ତାକୁ ଗୋଟିଏ କୋଠରୀରେ ଦୁଇ ସପ୍ତାହ କାଳ ବନ୍ଦ କରି ରଖିଲେ,–ମାତ୍ର ତା’ପ୍ରତି ସମସ୍ତଙ୍କର ତା’ପରେ ଅତିଶୟ ଦୟା ଜାତ ହୋଇଥିଲା ଏବଂ ତେଣୁ ତାକୁ ମୁକ୍ତି ଦିଆଗଲା । ସେତେବେଳେ ତାକୁ କୋଡ଼ିଏ ବର୍ଷ ବି ହୋଇନଥାଏ । ପିଲା ବୟସରେ ଆମେ ମଧ୍ୟ କେତେ କେତେ ଭୁଲ୍ କାର୍ଯ୍ୟ କରିଛୁ–ଘରର ବଡ଼ମାନେ ଏହିକଥା ଭାବି ନିଜକୁ ବୁଝାଇ ଦେଇଥିଲେ । ବଡ଼ ହେଲେ ଇଏ ମଧ୍ୟ ଅବଶ୍ୟ ସୁଧାର ହୋଇ ଯିବନାହିଁ କି ।

 

ସେବର୍ଷ ଶୀତକାଳରେ, ବଡ଼ଦିନ ସମୟରେ,–ଦୀପକର ସାଙ୍ଗମାନେ କିଛି ଆନନ୍ଦ କରିବାକୁ ପୁନର୍ବାର ବାହାରକୁ ଯାଇଥିଲେ । ଏଥର ସେମାନେ ଚାନ୍ଦେଲ୍ ଜିଲ୍ଲାକୁ ଯାଇଥିଲେ । ସାଙ୍ଗରେ ୧୫ ଗ୍ରାମ୍ ହିରୋଇନ୍ ନେଇଥିଲେ । ଇଞ୍ଜେକ୍‍ସନ୍ ନେବାପରି ହିରୋଇନ୍‍କୁ ସିଧା ନିଜର ଶିରାଭିତରେ ପୂରାଇଦେଲେ କିପରି ମକାଟା ଆହୁରି ମଜାଦାର୍ ହୋଇପାରେ, ସେଠାରେ ଥିବା ଲୋକେ ଏମାନଙ୍କୁ ସେହି କଥାଟିକୁ ଦର୍ଶାଇ ଦେଇଥିଲେ । ଦୀପକ ବି ସେହିଭଳି ଚେଷ୍ଟା କରିଥିଲା ଏବଂ, ତା’ପରେ ସେହି ଅଭ୍ୟାସଟିର ଜାଲରେ ବଡ଼ ଜବର ହୋଇ ପଡ଼ି ଯାଇଥିଲା । ସବୁବେଳେ ସଫା ସିରିଞ୍ଜ୍‍ ମିଳିବା ମୋଟେ ସହଜ ନଥିଲା । ତେଣୁ ସେମାନେ ଛୁଞ୍ଚିଗୁଡ଼ିକ ସହିତ ସ୍ୟାହି ପୂରାଇବାର ଡ୍ରପରଗୁଡ଼ିକୁ ଲଗାଇ ହିରୋଇନ୍ ଇଞ୍ଜେକ୍‍ସନ୍ ନେଇଥିଲେ ଏବଂ ଗୋଟିଏ ଛୁଞ୍ଚିକୁ ସେମାନେ ଏକାଠି ଏକାଧିକ ବ୍ୟକ୍ତି ବ୍ୟବହାର କରିଥିଲେ ।

 

ଏହାର କିଛି ମାସ ପରେ, ଦୀପକର ଭଉଣୀ ବିଛଣା କରି ଦେଉ ଦେଉ ତା’ ତକିଆ ତଳେ ଏକ ସ୍ୟାହି ଡ୍ରପର୍ ସିରିଞ୍ଜ୍‍କୁ ଆବିଷ୍କାର କରିଥିଲା । ପୁନର୍ବାର ପରିବାରର ସମସ୍ତେ ତତ୍‌କ୍ଷଣାତ୍ ଏକାଠି ବସି ଏବିଷୟରେ ଚର୍ଚ୍ଚା କରିଥିଲେ । ଭାରି ରାଗ ହେବାରୁ ଭାଇମାନେ ଦୀପକକୁ ଖୁବ୍ ମାଡ଼ ମଧ୍ୟ ଦେଲେ ଓ ତାକୁ ପୁଣିଥରେ ଘର ଭିତରେ ବନ୍ଦ କରି ରଖିଲେ । ଦୀପକ ଖୁବ୍ କାନ୍ଦିବାରେ ଲାଗିଥାଏ ଏବଂ କହୁଥାଏ ଯେ ସେ ଏହି ବଦଭ୍ୟାସଟିକୁ ପ୍ରକୃତରେ ଛାଡ଼ିଦେବାକୁ ଖୁବ୍‍ ଇଛା କରୁଛି, କିନ୍ତୁ ଆଦୌ ଛାଡ଼ି ପାରୁନାହିଁ । ଏଥିରେ କୌଣସି ସନ୍ଦେହ ନଥିଲା ଯେ, ସିଏ ଏଥିପାଇଁ ଅନ୍ୟମାନଙ୍କର ସାହାଯ୍ୟ ଆବଶ୍ୟକ କରୁଥିଲା ।

 

ତା’ ଭାଇମାନଙ୍କର ଚିତ୍ତରେ ପୁନର୍ବାର ଦୟା ହେଲା । ସେମାନେ ନିଜ ନିଜ ମନକୁ ବୁଝାଇ ଦେଇ ପୁନର୍ବାର କହିଥିଲେ ଯେ,–ଦୀପକ ଏବେ ବି ପିଲାଟାଏ ଓ ତାକୁ କୋଡ଼ିଏଟା ବର୍ଷ ବି ହୋଇନାହିଁ । ପଡ଼ିଶା କିମ୍ବା ବନ୍ଧୁବାନ୍ଧବ ଏତେଯାଏ କଥା ହେଲାଣି ବୋଲି ଇଚ୍ଛା କରୁ ନଥିବାରୁ ସେମାନେ ଦୀପକକୁ କୌଣସି ଚିକିତ୍ସାକାରୀ ଅନୁଷ୍ଠାନକୁ ନପଠାଇବା ନିମନ୍ତେ ସ୍ଥିର କଲେ । ତା’ ପରିବର୍ତ୍ତେ ଜଣେ ଡାକ୍ତରଙ୍କୁ ଘରକୁ ଡକାଇଥିଲେ । ଡାକ୍ତର ଉଚିତ୍ ପ୍ରକାରେ ନିଦାନଗୁଡ଼ିକୁ ଦେଖିଲେ ଏବଂ, ନିଶା ସେବନ ଛାଡ଼ି ଦେବାଦ୍ୱାରା ଦୀପକକୁ ଯେଉଁସବୁ ଯନ୍ତ୍ରଣା ଭୋଗିବାକୁ ପଡ଼ିବ, ସେଥିପାଇଁ ସାହାଯ୍ୟ କରି ପାରୁଥିବା ଏକ ଓଲଟ ଔଷଧର ପ୍ରୟୋଗ କରିଥିଲେ । ଏହାଦ୍ୱାରା ଦୀପକ ପ୍ରଥମଥର ପାଇଁ ମୂଳ ନିଶାଟିର ବିଷଟି କ୍ରମେ କଟି ଯାଉଥିବାର ଅନୁଭୂତିଟିକୁ ଲାଭ କରିଥିଲା । ବିଷ କଟି ଯାଉଥିବାର ପର୍ଯ୍ୟାୟଟିରେ ବିଶେଷ ପୀଡ଼ାଦାୟକ ଯନ୍ତ୍ରଣାମାନ ହେଲା;–ମାତ୍ର, ପରିବାର ପୂର୍ଣ୍ଣ ଯତ୍ନ ଉପଲବ୍ଧ ହେଉଥିଲା ଏବଂ ଚିକିତ୍ସାଟି ସଂପୂର୍ଣ୍ଣ ହେବା ବେଳକୁ ସିଏ ନିଜେ ମଧ୍ୟ ଜାଲରୁ ମୁକ୍ତ ହୋଇ ବାହାରି ଆସି ପାରିଥିଲା ।

 

କିନ୍ତୁ, ପୁନର୍ବାର ତିନିସପ୍ତାହ ପରେ ସବୁ ଯେମିତି ସେମିତି ହେଲା । ଆଉଗୋଟିଏ ସ୍ୟାହି ଭରିବାର ଡ୍ରପର୍‍ ଯାହାକି ସିରିଞ୍ଜ୍ ରୂପେ ବ୍ୟବହୃତ ହେଉଥିଲା, ସମସ୍ତେ ବ୍ୟବହାର କରିଥିବା ଛୁଞ୍ଚି ଏବଂ ପୁନର୍ବାର ବନ୍ଧୁମାନଙ୍କର ସେହି ପୂର୍ବ ମେଳଟି । ନିଶା ବିଷଟା ତ ସବୁଠାରେ ଖୋଲା ମିଳୁଥିଲା–ଏବଂ ଦୀପକ ମଧ୍ୟ ସେହି ପ୍ରଲୋଭନଟିକୁ ମୋଟେ ଏଡ଼ି ପାରିଲା ନାହିଁ ।

 

ଚାରିଟା ମାସରେ ପରିବାର ଲୋକେ ମଧ୍ୟ ସବୁ ଜାଣିବାକୁ ପାଇଲେ । ଏଥର ସେମାନେ ଅଧିକ କଠୋର ହେଲେ ଏବଂ ଆଉ ଏକ ‘ଚିକିତ୍ସା’ ନିମନ୍ତେ ଡାକ୍ତରଙ୍କୁ ପୁନର୍ବାର ଘରକୁ ହିଁ ଡାକିଥିଲେ । ପରବର୍ତ୍ତୀ ବର୍ଷମାନଙ୍କର ସେହି ଗୋଟିଏ ଚିକିତ୍ସାକୁ ଚାରିଥର ଦୋହରାଇବାକୁ ପଡ଼ିଥିଲା । ଇତ୍ୟବସରରେ, ତା’ର ପାଠପଢ଼ା ବନ୍ଦ ହୋଇ ଯାଇଥାଏ, ପରୀକ୍ଷା ମଧ୍ୟ ଦେଇ ପାରୁନଥାଏ ଏବଂ, ଠକାଠକି କରି ସେ ଯେକୌଣସି ପ୍ରକାରେ କଲେଜରୁ ଜଣେ ଗ୍ରାଜୁଏଟ୍ ହୋଇପାରିଲା । ସେତେବେଳକୁ ସିଏ ଆଉ ଭଲ ହୋଇପାରିବ ବୋଲି ତା’ ଘରର ଲୋକମାନେ ଆଉ କୌଣସି ଆଶା କରି ପାରୁନଥାନ୍ତି ।

 

ଘରେ ମାଆ ଏବଂ ସବାବଡ଼ ଭଉଣୀ ତା’ର ସବୁଠାରୁ ଅଧିକ ବିଶ୍ୱାସର ପାତ୍ର ହୋଇ ରହିଥାନ୍ତି । ସେମାନେ କେବଳ କାନ୍ଦିବାରେ ଲାଗିଥାଆନ୍ତି ଓ ଦୀପକକୁ ବୁଝାଉଥାନ୍ତି । ତା’ର ବଡ଼ଭାଇ କହୁଥାଆନ୍ତି ବର୍ତ୍ତମାନ ତ ସମସ୍ତେ ସବୁକଥା ଜାଣିଲେଣି । ତୋ’ ସକାଶେ ଆମେ ଘରଲୋକେ ଲାଜରେ ଆଉ ମୁଣ୍ଡ ଟେକି ବାଟ ବି ଚାଲି ପାରୁନାହୁଁ । ତୁ ମରିଯାଆନ୍ତୁ ନାହିଁ ।

 

ଏହିପରି ଦୀପକର ଭାଇମାନେ ଜଣ ଜଣ କରି ସିଏ ପ୍ରକୃତରେ କେବେ ଭଲ ହେବ ବୋଲି ଯାବତୀୟ ଆଗ୍ରହ ଏବଂ ବିଶ୍ୱାସ ମଧ୍ୟ ହରାଇ ବସିଥିଲେ । ଶେଷରେ, କେବଳ ଜଣେ ଭାଇ, ଯିଏ ଜଣେ ଇଞ୍ଜିନିୟର୍ ଥିଲେ ଓ ଜାତୀୟ ସ୍ତରରେ ଫୁଟ୍‍ବଲ୍ ବି ଖେଳୁଥିଲେ,–ସେଇ ଆସି ତାକୁ ବୁଝାଉଥିଲେ, ଗାଳି ଦେଉଥିଲେ, ଘରେ ବନ୍ଦ କରି ରଖୁଥିଲେ, ମାଡ଼ ବି ଦେଉଥିଲେ; ସେଇ ଡାକ୍ତରଙ୍କୁ ବି ଡାକି ଆଣୁଥିଲେ ଏବଂ ତା’ପରେ ସିଏ ବନ୍ଦୀ ହୋଇ ରହିଥିବା କୋଠରୀଟିକୁ ଖାଦ୍ୟଦ୍ରବ୍ୟ ଏବଂ ହର୍ଲିକ୍‍ସ୍‍ ନେଇ ଯାଉଥିଲେ । ନିଶାସେବନର ଖର୍ଚ୍ଚ ତୁଲାଇବା ପାଇଁ ଦୀପକ ନିଜର ଲୁଗାପଟା ତଥା ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକୁ ମଧ୍ୟ ବିକିବାକୁ ଆରମ୍ଭ କରି ଦେଇଥିଲା । ଆଗରୁ ତା’ର ଯେଉଁ ଭାଇମାନେ କେଡ଼େ ହାତଖୋଲା ହୋଇ ତା’ ଲାଗି କେତେ ଜିନ୍ ଓ ଟି-ଶାର୍ଟ୍ ସବୁ କିଣି ଦେଉଥିଲେ, ସେମାନେ ଏସବୁକୁ ଇହାଦେ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଲେ ଓ ତାକୁ ଆଉ କୌଣସି ପଇସା ମଧ୍ୟ ଦେଲେନାହିଁ । ଦୀପକ ତଥାପି କୌଣସି ନା କୌଣସି ଉପାୟ କରି, ବିକି, ବଦଳ ଦେଇ, ମାଗି ଆଣି ସେହି ଅର୍ଥରେ ନିଶାଗୁଡ଼ିକୁ ନିଜର ଶିରାମାନଙ୍କରେ ଭର୍ତ୍ତି କରିବାରେ ଲାଗିଥାଏ ।

 

ଦୀପକର ଜଣେ ଭାଇ କିଛିଦିନ ପୂର୍ବେ ଦିଲ୍ଲୀରେ ଏକ ସରକାରୀ ଚାକିରି ପାଇଥାଏ ଓ ବିହାରର ଜଣେ ଝିଅକୁ ବିବାହ କରିଥାଏ । ସିଏ ନିଜ ଘରଲୋକଙ୍କ ସହିତ କିଛି ଦିନ କଟାଇବାକୁ ଥରେ ଇମ୍ପାଲ୍ ଆସିଥାଏ । ବିଗତ ବହୁଦିନ ହେଲା ସେ ପ୍ରକୃତରେ ଏଣେ ଆସି ପାରିନଥିଲା । ସାନ ଭାଇର କାହାଣୀଟିକୁ ଶୁଣି ସିଏ ଦୀପକକୁ ନିଜ ସାଙ୍ଗରେ ଦିଲ୍ଲୀକୁ ନେଇ ଯାଇଥିଲା ।

 

ଦୀପକ ସେଠି ଦିଲ୍ଲୀରେ ଭାଇ ପାଖରେ ତିନିବର୍ଷ ରହିଲା । ଭାଉଜ ତାକୁ ନିଜର ପୁଅ ପରି ଭଲ ପାଉଥିଲେ । ସିଏ ନୌବାହିନୀରେ ଯୋଗ ଦେଉ ବୋଲି ତା’ ଭାଇ ମଧ୍ୟ ତାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦୀପକ ନାହିଁ ନାହିଁ କରୁଥାଏ । ଭାଇଙ୍କ ସାହାଯ୍ୟରେ ଦୀପକ ସେଠାରେ ଶର୍ଟ୍‍ହାଣ୍ଡ୍, ଟାଇପ କରିବା ଓ କମ୍ପ୍ୟୁଟର ଟ୍ରେନିଂ ମଧ୍ୟ ନେଇଥିଲା । ମାତ୍ର, ସେଗୁଡ଼ିକରେ ମୋଟେ ବେଶୀଦୂର ଆଗେଇ ପାରିଲା ନାହିଁ, ଏବଂ ତେଣେ ପଡ଼ିଶାରେ ଥିବା ଜଣେ ପଞ୍ଜାବୀ ଝିଅ ସହିତ ଏକ ଅସୁନ୍ଦର ପ୍ରେମ ସମ୍ପର୍କରେ ଯାଇ ଜଡ଼ିତ ହୋଇ ପଡ଼ିଥିଲା । ଏକ ଅନିଚ୍ଛାକୃତ ଗର୍ଭଧାରଣ ଏବଂ ଗର୍ଭପାତ ପରେ ସିଏ ସେହି ନିନ୍ଦାଟିକୁ ଭୂଷଣ କରି ବାଧ୍ୟ ହୋଇ ଇମ୍ପାଲକୁ ଫେରି ଆସିଥିଲା ।

 

ପହଞ୍ଚିବାର ପ୍ରଥମ ଦିନଟିରେ ହିଁ ଦୀପକ ପୁଣି ନିଜର ସେହି ପୁରାତନ ନିଶାସେବନର ଅଭ୍ୟାସଟିର ଖମା ଭିତରେ ଯାଇ ପଡ଼ି ଯାଇଥିଲା । ମାସ କେତେଟା ଭିତରେ ସବୁ ସେହି ଆଗପରି ହିଁ ହୋଇଗଲା । ନିଜର ପିନ୍ଧା କପଡ଼ାସବୁ ବିକ୍ରୀ କଲା,–ନିଜର ଟେପ୍-ରେକର୍ଡର୍‍ଟିଏ ଥିଲା, ସେଇଟିକୁ ବିକିଲା,–ନିଜ ହାତ-ପହୁଞ୍ଚରେ ଯାହାକିଛି ପାଇଲା, ସବୁ ବିକିଦେଲା । ମାତ୍ର, ଏଥର ସେ ଅତ୍ୟନ୍ତ ଉତ୍କଟ ଭାବରେ ସଜ୍ଞାନ ହୋଇ ରହିଥିଲା ଯେ ଏହିପରି ଭାବରେ ସିଏ ନିଜର ଜୀବନଟାକୁ ମଧ୍ୟ କ୍ରମଶଃ ମୁରୁଛି ମୁରୁଛି ନଷ୍ଟ କରିଦେବାରେ ଲାଗିଛି । ବେଳେବେଳେ ବଡ଼ ବିକଳ ହୋଇ ନିଜ ଭାଇମାନଙ୍କ ଆଗରେ କ୍ରନ୍ଦନ କରୁଥିଲା,–କହୁଥିଲା ଯେ ବର୍ତ୍ତମାନ ସିଏ ପୂରା ବୁଢ଼ାଟିଏ ହୋଇ ଯାଇଥିବା ପରି ଅନୁଭବ କରୁଛି, ସବୁବେଳେ ଖୁବ୍ ଦୁର୍ବଳ ଲାଗୁଛି,–ଦେହରେ କୌଣସି ଶକ୍ତି ମଧ୍ୟ ନାହିଁ । ତା’ ଭାଇମାନେ ଗାମ୍ଭୀର୍ଯ୍ୟ ଅବଲମ୍ବନ କରି ରହିଥାନ୍ତି, ତା’ ବିଷୟରେ ସେମାନେ ବଡ଼ ସଂଶୟବାଦୀ ହୋଇ ଯାଇଥାଆନ୍ତି । ମାତ୍ର, ଏଥର ସିଏ ସେମାନଙ୍କୁ ବୁଝାଇବାରେ ଲାଗିଥାଏ । ଆପଣମାନେ ଯଦି ଇଚ୍ଛା କରୁଛନ୍ତି, ତେବେ ମୋତେ ଏକ କୋଠରୀରେ ବନ୍ଦ କରି ରଖିଦିଅନ୍ତୁ, କିମ୍ବା ଜେଲକୁ ପଠାଇ ଦିଅନ୍ତୁ, ମୋ’ର ଗୋଡ଼ହାତରେ ବେଢ଼ୀ ପକାଇ ରଖନ୍ତୁ,–ଯାହା ଖୁସୀ ତାହା କରନ୍ତୁ,–ମାତ୍ର ମୁଁ ଏହି ନିଶା ସେବନର କବଳରୁ ମୁକ୍ତି ପାଇବାକୁ ହିଁ ଇଚ୍ଛା କରୁଛି : ହଁ, ମୁଁ ପ୍ରକୃତରେ ଇଚ୍ଛା କରୁଛି ।

 

ଦୀପକର ଠିକ୍ ଉପରର ଭାଇ ଜଣକ,–ଏଥର ତାହାରି ମନଟା ହିଁ ତରଳି ଯାଇଥିଲା । ସିଏ ଏ ଦୀପକକୁ ନେଇ ନିଜର କେତେକ ପୁରୁଣା ସାଙ୍ଗଙ୍କ ସହିତ ଭେଟ କରାଇଦେଲେ,–ଯେଉଁମାନେ କି ଏକଦା ନିଶାସେବନର ଅଭ୍ୟାସଟିରୁ ମୁକ୍ତ ହୋଇ ପାରିଥିଲେ । ସେହି ବନ୍ଧୁମାନେ-: ଦୀପକକୁ ଏକ ଥଇଥାନ କେନ୍ଦ୍ରକୁ ଯିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି କେନ୍ଦ୍ରକୁ ଏକ ଜେଲ ବୋଲି କଦାପି କୁହା ଯିବନାହିଁ, ସେମାନେ ସେହି କଥାଟିକୁ ଦୀପକ ଆଗରେ ଭଲ କରି ବୁଝାଇ ଦେଲେ । କହିଲେ, କେବଳ ସେହିଠାକୁ ଗଲେ ହିଁ ଅବଶ୍ୟ କିଛି ଆଶା କରାଯାଇ ପାରିବ-

 

ଦୀପକର ପୂରା ବିଶ୍ୱାସ ହେଉନଥାଏ, ତଥାପି ଥରେ ଅବଶ୍ୟ ଚେଷ୍ଟା କରିବ ବୋଲି ରାଜି ହେଲା । ତହିଁ ଆରଦିନ ସକାଳେ ଛଅଜଣଯାକ ବନ୍ଧୁ ନିଜ ନିଜ ମୋଟର ସାଇକେଲ ନେଇ ପହଞ୍ଚିଲେ ଓ ସେମାନେ ମେଳଟିଏ ବାନ୍ଧି ଲାଇଫ୍ ଲାଇନ୍ ଫାଉଣ୍ଡେସନ୍ ନାମକ ଉକ୍ତ ଥଇଥାନ କେନ୍ଦ୍ରଟି ଉଦ୍ଦେଶ୍ୟରେ ବାହାରିଲେ । ତା’ ଭାଇର ବନ୍ଧୁମାନେ ପ୍ରକୃତରେ ଠିକ୍ କଥା କହୁଥିଲେ,–ସେହି ସ୍ଥାନଟି ଆଦୌ ଏକ ଜେଲଖାନା ପରି ନଥିଲା । ସେଠା କର୍ମୀମାନଙ୍କର ଦୟା ଥିଲା, ସହାନୁଭୂତି ବି ରହିଥିଲା । ନିଶାସେବନ ବନ୍ଦ କରିଦେବା ଫଳରେ ତାକୁ ଯେଉଁ ଦାରୁଣ ଯନ୍ତ୍ରଣା ଭୋଗ କରିବାକୁ ପଡ଼ୁଥିଲା, ତାହାର ସମ୍ମୁଖୀନ ହେବା ନିମନ୍ତେ ସେଠାରେ ତାକୁ ବିକଳ୍ପ ଉପଚାରମାନ ଦିଆ ଯାଇଥିଲା । ପ୍ରଥମ ସାତଦିନ ପର୍ଯ୍ୟନ୍ତ ସିଏ ସତେଅବା ଜଡ଼ପରି ପଡ଼ି ରହିଲା-। ବହୁତ ସଂଗ୍ରାମ କରୁଥାଏ, ଆର୍ତ୍ତ ଭାବରେ ଚିତ୍କାର କରିବାରେ ଲାଗିଥାଏ ଏବଂ ଯନ୍ତ୍ରଣାରେ ଛଟପଟ ହେଉଥାଏ, ତଥାପି ଅତ୍ୟନ୍ତ ଧୈର୍ଯ୍ୟର ସହିତ ନିଜର ସଂକଳ୍ପରେ ଅତୁଟ ହୋଇ ରହିଥାଏ-। ସାଧାରଣତଃ ବିକଳ୍ପ ଔଷଧଟିକୁ ଦଶଦିନ ସକାଶେ ଦିଆ ଯାଉଥିଲେ ମଧ୍ୟ ସିଏ ତାହାକୁ ମୋଟେ ସାତଦିନ ଖାଇ ବନ୍ଦ କରି ଦେଇଥିଲା । ସେ କ୍ରମେ କେନ୍ଦ୍ରଟିର ଦୈନନ୍ଦିନ କର୍ମଧାରା ମଧ୍ୟରେ ପ୍ରବେଶ ମଧ୍ୟ କଲା ,ଶୀଘ୍ର ଶଯ୍ୟାତ୍ୟାଗ କଲା, ଯୋଗାସନ କଲା, ଶରୀରଶ୍ରମ କରୁଥିଲା, ପରାମର୍ଶ ଗ୍ରହଣ କରୁଥିଲା ଓ ଗୋଷ୍ଠୀ-ଆଲୋଚନାରେ ଅଂଶଗ୍ରହଣ କରୁଥିଲା ।

 

ସେମାନଙ୍କୁ HIV ଏବଂ AIDS ବିଷୟରେ ଶିକ୍ଷାଦାନ ନିମନ୍ତେ ସେଠାରେ ଅଧିବେଶନମାନ ମଧ୍ୟ ହେଉଥିଲା । ପ୍ରତ୍ୟେକ ଥର ସେହି ବିଷୟଟିର ଆଲୋଚନା ହେଉଥିଲାବେଳେ ଦୀପକ ଅତ୍ୟନ୍ତ ଭୀତ ହୋଇ ପଡ଼ୁଥିଲା । ସେମାନେ ଯେଉଁ ଅସମୁଚିତ ଆଚରଣ ଗୁଡ଼ିକର ବର୍ଣ୍ଣନା କରୁଥିଲେ, ନିଶାଦ୍ରବ୍ୟକୁ ଇଞ୍ଜେକ୍‍ସନ୍ ଦ୍ୱାରା ଗ୍ରହଣ କରିବା ନିମନ୍ତେ ଜୀବାଣୁମୁକ୍ତ ହୋଇଥିବା ଛୁଞ୍ଚିମାନଙ୍କର ବ୍ୟବହାର,–ସେହି କଥାଟିକୁ ତ ଦୀପକ ବର୍ଷ ବର୍ଷ ଧରି କରି ଆସିଥିଲା । ଭୟଭୀତ ହୋଇ ପଡ଼ୁଥିବାରୁ HIVର ଉଲ୍ଲେଖମାତ୍ର କରାଯିବା କ୍ଷଣି ସେ ଅନେକ ସମୟରେ ଶ୍ରେଣୀ ଗୃହରୁ ବାହାରକୁ ଚାଲି ଯାଉଥିଲା । ଏସବୁ କଥା ସିଏ ମୋଟେ ଜାଣିବାକୁ ଇଚ୍ଛା କରୁନଥିଲା । ଏବଂ, ଅପର ପକ୍ଷରେ, ସେ ମରିବାକୁ ମଧ୍ୟ ଇଚ୍ଛା କରୁନଥିଲା ।

 

ଏହିପରି ଭାବରେ ସେଠାରେ ସାଢ଼େ ଚାରିମାସ ଅତିବାହିତ ହୋଇ ଯାଇଥିଲା । ତା’ର ସେହି ଭାଇଟି ତା’ର ସମସ୍ତ ଖର୍ଚ୍ଚ ବହନ କରୁଥିଲେ । ଦିନେ ପରେ ଦିନ ସିଏ ନିଜର ଶକ୍ତି ପୁନର୍ବାର ଫେରି ଆସୁଥିବା ପରି ଅନୁଭବ କଲା । ଆଉ କେବେହେଲେ ନିଶାଦ୍ରବ୍ୟ ପାଖକୁ ଫେରି ନଆସିବାକୁ ଦୀପକର ସଂକଳ୍ପ ଟାଣ ହୋଇ ଆସୁଥାଏ । ଯାହା ହେଉ ପଛକେ ସେ, କଦାପି ଫେରି ଆସିବନାହିଁ । କିନ୍ତୁ ବଟିକା ଖାଇବା, କେଜାଣି କ’ଣ ହେବ.... ।

 

ଦିନେ ଆଉ କେତେଜଣ ଅନ୍ତେବାସୀଙ୍କ ସହିତ ମିଶି ଦୀପକ ଔଷଧ-ଭଣ୍ଡାରରୁ କିଛି ବଟିକା ଚୋରି କରି ଆଣିଲା ଏବଂ ଗୋଟିଏ ମୁଥରେ ସେଗୁଡ଼ିକୁ ଗିଳି ପକାଇଥିଲା । ସିଏ ପୁନର୍ବାର ଜଡ଼ବତ୍ ପଡ଼ି ରହିଥିଲା । କେନ୍ଦ୍ରର କର୍ମଚାରୀବୃନ୍ଦ ତା’ ଉପରେ ଅତିଶୟ ରୁଷ୍ଟ ହୋଇ ପଡ଼ିଲେ । କେବଳ କଣେ ପରାମର୍ଶଦାତା ଟିକିଏ ଅଲଗା ପ୍ରକାରର ଆଚରଣ କରିଥିଲେ । ସିଏ ଦୀପକ ସହିତ ଅତ୍ୟନ୍ତ ଧୀର ଭାବରେ କଥାବାର୍ତ୍ତା କଲେ । କହିଥିଲେ, ଆରପାଖରେ ଥିବା ଘାସକୁ ଖାଇବ ବୋଲି ଏକ ମଇଁଷି ଯେତେବେଳେ ବାଡ଼ଟାକୁ ଭାଙ୍ଗି ପକାଏ, ସେତେବେଳେ କ’ଣ ତୁମେ ସେଥିରେ ଆଶ୍ଚର୍ଯ୍ୟ ହୋଇଯିବ ? ଆଦୌ ନୁହେଁ; କିନ୍ତୁ ଗୋଟାଏ ମଇଁଷି ଜଣେ ଲୋକକୁ ଆସି କାମୁଡ଼ିଦେଲେ ଅବଶ୍ୟ ବିସ୍ମୟ ପ୍ରକାଶ କରିବ,–ନୁହେଁ କି ? ତୁମେ ଯାହା କଲ, ତାହାକୁ କୌଣସି ମଇଁଷି ଆସି ଜଣେ ମନୁଷ୍ୟକୁ କାମୁଡ଼ି ଦେବା ସହିତ ଆଦୌ ତୁଳନା କରା ଯିବନାହିଁ,–ମଇଁଷି ବାଡ଼ ଭାଙ୍ଗି ଘାସ ଖାଇବା ସହିତ ହିଁ ତୁଳନା କରାଯିବ । ତେଣୁ, ତୁମେ ଯାହା କଲ, ମୁଁ ସେଥିରେ ଆଦୌ ଆଶ୍ଚର୍ଯ୍ୟ ହେଉନାହିଁ । ଯେତେ ଯାହା ହେଉ, ଆମେ ହେଉଛେ ସମସ୍ତେ ସେହି ମଣିଷ,–ନୁହେଁ କି ?

 

ଏତିକି ଶୁଣି ଦୀପକ ଗୋଟାସୁଦ୍ଧା ଦ୍ରବି ଯାଇଥିଲା ଓ ସେହି ବ୍ୟକ୍ତିଙ୍କ ଆଡ଼କୁ ଖୁବ୍ ଆକୃଷ୍ଟ ହୋଇ ଆସିଥିଲା । ସେହି ବ୍ୟକ୍ତିଙ୍କର ନାମ ହେଉଛି ବିକ୍ରମ ନେପ୍ରମ୍ । ତାଙ୍କ ସହିତ ଯେ ତା’ର–ସାକ୍ଷାତ ହେଲା, ଦୀପକ ସେହି ଘଟଣାଟିକୁ ଏକ ଦିଗପରିବର୍ତ୍ତନକାରୀ ବିନ୍ଦୁ ବୋଲି ବିଚାର କରିଥାଏ । ସିଏ ନିଜକୁ ଖୁବ୍ ଭାଗ୍ୟବାନ୍ ବୋଲି ମନେକରେ ଯେ ଯିଏ ଭଣ୍ଡାରରୁ ସେହି ବଟିକାଗୁଡ଼ିକୁ ଚୋରାଇ ଆଣିବାକୁ ଇଚ୍ଛା କଲା । କାରଣ, ତା’ ନହେଲେ ଏହି ବିକ୍ରମଙ୍କ ସହିତ ତା’ର ସାକ୍ଷାତ ହିଁ ହୋଇନଥାନ୍ତା । ବିକ୍ରମ ହିଁ ତ ତା’ ଜୀବନକୁ ପ୍ରକୃତରେ ବଦଳାଇ ଦେଇ ପାରିଲେ । କ୍ରମେ ବିକ୍ରମ ତାକୁ ନିଶାସେବନ ଚିକିତ୍ସାର ବାରଟିଯାକ ପାହାଚ ସହିତ ପରିଚିତ କରାଇଦେଲେ । ସିଏ ଯେ କିଛି ଭୁଲ କାମ କରିଛି, ତାହା ସ୍ୱୀକାର କରିବା,–ଏଇଟି ପ୍ରଥମ ପଦକ୍ଷେପ । ଏବଂ, ତା’ପରେ ଈଶ୍ୱରଙ୍କର ସାହାଯ୍ୟରେ ସେଥିରୁ ବାହାରି ଆସିବାପାଇଁ ଏକ ଶପଥ ଗ୍ରହଣ କରିବା । ଏବଂ, ସେହି ବାଧାଟିକୁ ଅତିକ୍ରମ କରିଯାଇ ପାରିଲେ, ପରବର୍ତ୍ତୀ ପଦକ୍ଷେପ ଗୁଡ଼ିକ ପ୍ରକୃତରେ ଗୋଟିକପରେ ଗୋଟିଏ ଆପେ ସାଧ୍ୟ ହୋଇଯିବ ।

 

ପରିଶେଷରେ ଦିନେ ଯେତେବେଳେ ଦୀପକ ସେଇ ଥଇଥାନ କେନ୍ଦ୍ରରୁ ଖଲାସ ହୋଇ ଆସିଲା, ସେତେବେଳେ ତାକୁ ସତର୍କ କରି ଦିଆ ଯାଇଥିଲା ଯେ ତା’ ଆରୋଗ୍ୟଲାଭର ଅସଲ ପରୀକ୍ଷାର ପର୍ଯ୍ୟାୟଟି ପ୍ରକୃତରେ ଆଗକୁ ହିଁ ରହିଛି, ତଥାପି ଅତିକ୍ରାନ୍ତ ହୋଇନାହିଁ । ତାକୁ ଏହି ପର୍ଯ୍ୟାୟଟିକୁ କେନ୍ଦ୍ରଟିର ସୁରକ୍ଷାମୂଳକ ପ୍ରାଚୀରଟିର ବାହାରେ ହିଁ କଟାଇବାକୁ ପଡ଼ିବ ! ସିଏ ସେଠାରେ କଟାଇଥିବା ସାଢ଼େ ଚାରିମାସ ସମୟ ତା’ହାତରେ ତା’ ଆରୋଗ୍ୟଲାଭ ପାଇଁ ଆବଶ୍ୟକ ସକଳ ସାଧନଗୁଡ଼ିକୁ ଅବଶ୍ୟ ପହୁଞ୍ଚାଇ ଦେଇଥିଲେ ସତ, ମାତ୍ର ସେଗୁଡ଼ିକୁ ପାଳନ କରିବାର ଅସଲ ଦାୟିତ୍ୱଟି ପ୍ରକୃତରେ ତା’ ନିଜ ଉପରେ ହିଁ ନ୍ୟସ୍ତ ହୋଇ ରହିଥିଲା । ନିଶାସେବନକାରୀ ଏକ ଚିକିତ୍ସିତ ଗୋଷ୍ଠୀ ସହିତ ବିକ୍ରମ ତାକୁ ପରିଚିତ କରାଇ ଦେଲେ । ସେଇଟିକୁ ନିଜେ ରୋଗୀ ଆରୋଗ୍ୟକାରୀ ମାନଙ୍କର ଗୋଷ୍ଠୀ ବୋଲି କୁହା ଯାଉଥିଲା ।

 

ସେମାନଙ୍କର ସହାୟତା, ମାତ୍ର ସର୍ବୋପରି ତା’ ନିଜର ଅନ୍ତର୍ଗତ ପ୍ରଚେଷ୍ଟା ହିଁ କେନ୍ଦ୍ରରୁ ଖଲାସ ହୋଇ ଆସିବାର ପରବର୍ତ୍ତୀ ସେହି ଅତ୍ୟନ୍ତ ଆୟାସଯୁକ୍ତ ମାସଗୁଡ଼ିକରେ ତା’ର ଅତ୍ୟନ୍ତ ମୀମାଂସକ ଭାବରେ କାମରେ ଲାଗିଥିଲେ । ତା’ ଘରଲୋକଙ୍କର ତଥାପି ପ୍ରତ୍ୟୟ ହୋଇନଥିଲା,–ସେମାନେ ତ ବାରବାର ତା’ର ଗୋଡ଼ ଖସି ଯାଇଥିବାର ଆଗରୁ ଦେଖି ଆସିଥିଲେ । ବର୍ତ୍ତମାନ ସିଏ ପଇସା ମାଗିଲେ ସେମାନେ ମନା କରି ଦେଉଥିଲେ । ତା’ର ସାଙ୍ଗମାନେ ଓ ସେମାନଙ୍କର ପିତାମାତା ତା’ଠାରୁ ଦୂରରେ ରହିବାକୁ ଇଚ୍ଛା କରୁଥିଲେ । ତାକୁ ଏକ ଖରାପ ପ୍ରଭାବର ସ୍ଥଳ ବୋଲି ବିଚାର କରୁଥିଲେ । ଦୀପକ ପ୍ରକୃତରେ ଖୁବ୍ ଆଘାତ ପାଇଥିଲା । ତଥାପି ନିଜର ପ୍ରଚେଷ୍ଟାକୁ ଛାଡ଼ି ନଥିଲା ଏବଂ ଶେଷରେ ସେମାନଙ୍କୁ ସମସ୍ତଙ୍କୁ ଭୁଲ୍ ବୋଲି ପ୍ରମାଣିତ କରି ଦେଇଥିଲା । ପରବର୍ତ୍ତୀ ଦୁଇବର୍ଷ କାଳ ଯେତେବେଳେ ଅଭ୍ୟାସଟି ପ୍ରକୃତରେ ଲେଉଟିଲା ନାହିଁ, ଦୀପକ ଜାଣିପାରିଲା ଯେ ସିଏ ଧୀର ଅଥଚ, ସୁନିଶ୍ଚିତ ଭାବରେ ପୁନର୍ବାର ତାର ଘରଲୋକ ଏବଂ ବନ୍ଧୁମାନଙ୍କର ବିଶ୍ୱାସକୁ ଲାଭ କରି ଆସୁଛି ।

 

ଦୀପକର ପୁତୁରାମାନେ ମଧ୍ୟ କ୍ରମେ ବଡ଼ ହୋଇ ଆସୁଥିଲେ । ସେମାନେ ପ୍ରତ୍ୟେକେ ଯେ ନିଜନିଜ ଜୀବନରେ କିଛି ନା କିଛି ହାସଲ କରିବାକୁ ଚେଷ୍ଟା କରୁଥିଲେ, ଦୀପକ ସେହି କଥାଟିକୁ ବେଶ୍ ଲକ୍ଷ୍ୟ କରି ପାରୁଥିଲା । ମାତ୍ର କେବଳ ସିଏ କାହିଁକି ପଛରେ ପଡ଼ିରହିଲା,–ଏହି ପ୍ରଶ୍ନଟି ତା’ ଛାତି ଭିତରେ ସତେଅବା ଛୁରିକାଘାତ କରିବାରେ ଲାଗିଲା । ନିଜ ଭାଇମାନଙ୍କଠାରୁ ଅଳ୍ପ କିଛି ଅର୍ଥ କରଜ ନେଇ ସିଏ କପଡ଼ା କିଣିଲା ଓ ଇମ୍ପାଲ ସହରର ମାର୍କେଟରେ ଥିବା ରାସ୍ତା ପାର୍ଶ୍ୱରେ ବସି ବିକ୍ରୀ କଲା । ଲାଭସ୍ୱରୂପ କିଛି ପଇସା ଅର୍ଜନ କରି ଘରକୁ ଆଣିପାରିବାରୁ ଦୀପକ ଗର୍ବ ଅନୁଭବ କରିବାକୁ ଲାଗିଲା ।

 

ସିଏ ଦୁଇବର୍ଷ କାଳ ନିଶାସେବନରୁ ନିଜକୁ ବଞ୍ଚାଇ ପାରିଥିବାର ଘଟଣାଟି ଦ୍ୱାରା ଅତ୍ୟନ୍ତ ପ୍ରୀତ ହୋଇ ଲାଇଫ୍ ଲାଇନ୍ ଫାଉଣ୍ଡେସନ୍ ସଂସ୍ଥାଟି ଖୁବ୍ ପ୍ରସନ୍ନ ହୋଇ ତାକୁ ଛଅମାସ ନିମନ୍ତେ ଏକ ଚାକିରି ଜୁଟାଇ ଦେବ ବୋଲି ପ୍ରସ୍ତାବ ଦେଇଥିଲା । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଓ ଇଣ୍ଡିଆନ୍‌ କାଉନ୍‍ସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚର ସହଯୋଗିତାରେ ସଂସ୍ଥାଟି ନିଜ ଶିରାରେ ଇଞ୍ଜେକ୍‍ସନ୍ ଦ୍ୱାରା ନିଶାସେବନ କରୁଥିବା ବିବାହିତ ବ୍ୟକ୍ତିମାନେ HIV ଦ୍ୱାରା କେତେଦୂର ସଂକ୍ରାମିତ ହୋଇ ପଡ଼ୁଛନ୍ତି, ତାହାରି ସତ୍ୟଟିକୁ ଜାଣିବାପାଇଁ ଏକ ଅଧ୍ୟୟନର ପରିଚାଳନା କରୁଥିଲା । ଗୋଟିଏ ଦମ୍ପତିଙ୍କ ମଧ୍ୟରୁ କୌଣସି ଜଣେ ଏହିପରି ଭାବରେ ନିଶାର ବ୍ୟବହାର କରିଥିବେ, ଦୀପକ, ସେମାନଙ୍କୁ ଯାଇ ଠାବ କରିବ ଏବଂ ସେମାନେ HIV ପରୀକ୍ଷଣ ନିମନ୍ତେ ରାଜି ମଧ୍ୟ ହେଉଥିବେ, ଏହାହିଁ ଦୀପକର କାର୍ଯ୍ୟ ହୋଇ ରହିବ । ଦୀପକ ପ୍ରକୃତରେ ଚାଳିଶିଟି ଦମ୍ପତିଙ୍କୁ ପରୀକ୍ଷା କରୁଥିବା ପ୍ରୟୋଗଶାଳାକୁ ଆଣି ପାରିଥିଲା ।

 

ଦିନେ,–ସତେଅବା ହଠାତ୍, ସତେଅବା ଏକ ତାତ୍କାଳିକ ଇଚ୍ଛା ଦ୍ୱାରା ପରିଚାଳିତ ହୋଇ HIV ପରୀକ୍ଷା ନିମନ୍ତେ ନିଜ ଦେହର ରକ୍ତ ପ୍ରଦାନ କରିବାକୁ ସ୍ୱୟଂ ଇଚ୍ଛା ପ୍ରକାଶ କରିଥିଲା । ଡାକ୍ତର ଅତ୍ୟନ୍ତ ଗମ୍ଭୀର ଭାବରେ ତା’ପାଖରେ ଫଳଟିର ଘୋଷଣା କରିବାକୁ ଆସି କହିଲେ ଯେ ତା’ ଦେହରେ ଏବେ ମଧ୍ୟ ବେମାରିଟା ରହି ଯାଇଥିଲା । ଦୀପକ ଖୁବ୍‍ ସ୍ଥିର ଭାବରେ ସଂବାଦଟିକୁ ଗ୍ରହଣ କରିଥିଲା । ସିଏ ପୂର୍ବରୁ ଇଞ୍ଜେକ୍‍ସନ୍ ଦ୍ୱାରା ସେହି ବିଷକୁ ଦେହ ଭିତରକୁ ନେଉଥିବାର ଯେତେ ବ୍ୟକ୍ତିଙ୍କୁ ଜାଣିଥିଲା ଓ ଯେଉଁମାନେ ପରୀକ୍ଷଣ ନିମନ୍ତେ ସମ୍ମତ ହୋଇଥିଲେ, ସେମାନଙ୍କ ସମସ୍ତଙ୍କ ଭିତରେ ସଂକ୍ରମଣଟି ତଥାପି ରହିଥିଲା । ତେଣୁ, ତା’ବେଳକୁ ମଧ୍ୟ ମୋଟେ ବ୍ୟତିକ୍ରମ ଘଟିବନାହିଁ ବୋଲି ଦୀପକ ଅବଶ୍ୟ ଉପଲବ୍ଧି କରୁଥିଲା । ତେଣୁ, ନିଜ ଭିତରର ଗଭୀର ତଳଟିରେ ସିଏ ତାହା ପୂର୍ବରୁ ସେହିଭଳି ହୋଇଥିବ ବୋଲି ଘ୍ରାଣ କରି ପାରୁଥିଲା ଏବଂ ଅଜାଣତରେ ସେଥିଲାଗି ନିଜକୁ ପ୍ରସ୍ତୁତ ବି କରି ନେଇଥିଲା ।

 

ଦିନେ ଆପଣା ବ୍ୟତୀତ ଦିନଗୁଡ଼ିକର ଜଣେ ବନ୍ଧୁ ତା’ ପାଖକୁ ଯେତେବେଳେ ଆସି ଭୋ’ ଭୋ’ ହୋଇ କାନ୍ଦିଲେ ଓ ସିଏ ଏବଂ ତାଙ୍କର ପତ୍ନୀ ଦୁହିଁଙ୍କ ମଧ୍ୟରେ HIV ସଂକ୍ରମଣଟି ରହିଛି ବୋଲି ସଦ୍ୟ ପ୍ରମାଣ ମିଳିଥିବାରୁ ସିଏ ଅତ୍ୟନ୍ତ ଏକାକୀ ତଥା ଭୟଭୀତ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କଲେ, ସେହିଠାରୁ ହିଁ ଗୋଟିଏ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିବାର ଏକ ବିଚାର ତା’ର ମନଭିତରେ ଜନ୍ମଲାଭ କଲା । ସଂକ୍ରମଣଟି ରହିଛି ତ କ’ଣ ହୋଇଗଲା ? –ଖୁବ୍ ସାହସର ସହିତ ଦୀପକ ସେମାନଙ୍କୁ କହିଥିଲା । ସଂକ୍ରମଣଟା ରହିଲା ବୋଲି କ’ଣ ପୃଥିବୀ ପ୍ରଳୟ ହୋଇଯିବ କି ? ମୋ’ ନିଜଠାରେ ମଧ୍ୟ ତାହା ଅଛି ବୋଲି ଆପଣମାନେ ଜାଣନ୍ତି କି ?

 

ତେଣୁ ଯେଉଁ ବ୍ୟକ୍ତିମାନଙ୍କ ଭିତରେ ଏହି ବେରାମଟି ରହିଛି ସେମାନଙ୍କ ନିମନ୍ତେ ଏକ ପାରସ୍ପରିକ ସଂକଳନର ଅବସର ଯୋଗାଇଦେବାକୁ ଗୋଟିଏ ଗୋଷ୍ଠୀ ତିଆରି ହେଉ ବୋଲି ସେହି ଦିନଠାରୁ ଦୀପକର ହୃଦୟରେ ଏକ ଦାନାରେ ଅଙ୍କୁରୋଦଗମ ହୋଇଥିଲା । ନିଜର ସେହି ବିଚାରଟିକୁ ସେ ପ୍ରଥମେ ତା’ର ସେହି ସଂଶୋଧନକାରୀ ବନ୍ଧୁ ବିକ୍ରମ ଆଗରେ ପ୍ରକାଶ କଲା । ବିକ୍ରମ ମଧ୍ୟ ଏଥିରେ ଭାରି ଉତ୍ସାହିତ ହୋଇଥିଲା ଏବଂ ଦୀପକ ତା’ (ବିକ୍ରମର) ଅଫିସ୍ ଘରେ ହିଁ କାର୍ଯ୍ୟ ଆରମ୍ଭ କରିଦେଉ ବୋଲି ନିଜଆଡ଼ୁ ପରାମର୍ଶ ଦେଲା ।

 

ଏଥିରେ ପ୍ରଥମେ ପ୍ରଥମେ ବାଧାମାନେ ଉପସ୍ଥିତ ହୋଇଥିଲେ । ବାରଣ ହେଉଛି ଯେ, ଏହି HIVକୁ ବେଷ୍ଟାନ କରି ନାନା ଭୟ, କଳଙ୍କ ଏବଂ ନୀରବତାର ଏକ ସଂସ୍କୃତି କାୟା ବିସ୍ତାରି ରହିଥିଲା । ଲୋକମାନେ ଖୋଲାଖୋଲି ନିଜ ଭିତରେ ସେହି ରୋଗଟି ରହିଛି ବୋଲି ପ୍ରକାଶ କରି ବାହାରି ଆସିବେ ତ ? ’ ଏବଂ, ଲୁଚି ଛପି ସେହି ଅନ୍ୟ ପୃଥିବୀଟି ମଧ୍ୟ ରହିଥିଲା, ଯିଏକି HIV ଦ୍ଵାରା ସଂକ୍ରମିତ ସବୁଲୋକଙ୍କୁ ଜାଣିବା ମାତ୍ରକେ ଗୁଳି କରି ମାରିଦେବ ବୋଲି ଭୟ ଦେଖାଉଥିଲା-। ଦୀପକ ସର୍ବପ୍ରଥମେ ସେହିମାନଙ୍କ ସହିତ ଯାଇ ସାକ୍ଷାତ କଲା ଏବଂ ସେମାନଙ୍କୁ କହିଥିଲା, ମୋ’ ଦେହରେ ବି HIV ଜୀବାଣୁ ରହିଛନ୍ତି, ତେବେ ମୋ’ ମଥା ଉପରେ ଆପଣମାନେ ବନ୍ଧୁକଟିଏ ନେଇ ଗୁଳି ଫୁଟାଇ ଦେଉନାହାନ୍ତି କାହିଁକି ? ଏକଥା ଶୁଣିବା ମାତ୍ରକେ ସେହି ଲୋକମାନେ ପ୍ରକୃତରେ ଭାରି ବିସ୍ମିତ ହୋଇ ଯାଉଥିଲେ । ତା’ପରେ ଯେତେବେଳେ ଦୀପକ ସେମାନଙ୍କ ଆଗରେ ନିଜର ପ୍ରସ୍ତାବଟିକୁ ନେଇ ବାଢ଼ି ଦେଇଥିଲା, ସେତେବେଳେ ସେମାନେ ତାକୁ ସେଥିରେ ଅଗ୍ରସର ହୋଇଯିବାକୁ ବାଟ ଛାଡ଼ିଦେଲେ ।

 

ତା’ପରେ ସେ ଘରେ ମଧ୍ୟ ସେହି କଥାଟିକୁ କହିଲା; ଏପରି ସାଧାରଣ ସଂସ୍ଥାଟିଏ ଗଢ଼ାହେଲେ ସବୁ କଥା ଯେତେବେଳେ ଜଣା ପଡ଼ିଯିବ, ସେତେବେଳେ ପୂରା ପରିବାରଟିକୁ ଯେଉଁ ଘୋର ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିବ, ଘରର ଲୋକେ ସେ ବିଷୟରେ ବହୁତ ଭୟ କରୁଥିଲେ-। ମାତ୍ର ଦୀପକ ସେମାନଙ୍କୁ ଆହୁରି ବୁଝାଇଲା : ତୁମେମାନେ ମୋତେ ମୋ’ ଜୀବନରେ କିଛି ନା କିଛି କରିବାକୁ ଦିଅ । ମୋତେ ଓ ତୁମ ମାନଙ୍କୁ ଯେଉଁସବୁ ଅବସ୍ଥା ମଧ୍ୟଦେଇ ଗତି କରିବାକୁ ହୋଇଛି, ସେକଥା ତ ତୁମେମାନେ ଭଲ କରି ଜାଣିଛ । ତେଣୁ, ବର୍ତ୍ତମାନ ପଦାକୁ ଆସିଲେ ଯାଇ ସିନା ମୁଁ ମୋ’ ଭଳି ଅନ୍ୟମାନଙ୍କ ଲାଗି ମଧ୍ୟ କିଛି କରିପାରିବି । ଏହାପରେ ଘର ଲୋକ ରାଜି ହୋଇ ଯାଇଥିଲେ ଏବଂ ବର୍ତ୍ତମାନ ସେମାନେ ଦୀପକର କାର୍ଯ୍ୟରେ ଖୁବ୍ ଗର୍ବ ତଥା ଆନନ୍ଦ ଅନୁଭବ କରୁଛନ୍ତି ।

 

HIV ବହନ କରି ଜୀବନ କଟାଉଥିବା ନିଜର ଅନେକ ବନ୍ଧୁଙ୍କୁ ଦୀପକ ତା’ ସହିତ ଆସି ଯୋଗ ଦେଇ ଏକ ଗୋଷ୍ଠୀ ଗଠନ କରିବା ନିମନ୍ତେ ଅନୁରୋଧ କଲା । ମାତ୍ର ଅନେକ ବନ୍ଧୁ ସେଥିରେ ନିହିତ ରହିଥିବା ଲଜ୍ଜା ଓ ଅପବାଦକୁ ଅତ୍ୟନ୍ତ ଭୟ କରୁଥିଲେ ଏହାଦ୍ୱାରା ହୁଏତ ବିପରୀତ ଫଳ ଫଳିପାରେ ବହୁତଙ୍କର କୋପଦୃଷ୍ଟି ପଡ଼ିବ ବୋଲି ଆଶଙ୍କା ବି କରୁଥିଲେ । ହଁ, ଡାକ୍ତର ତଥା ପ୍ରଚାର ମାଧ୍ୟମ ଦ୍ୱାରା ସେହି ଔଷଧନିଶାଟାକୁ ସେବନ କରୁଥିବା ଜଣେ ଯୁବକର ଗୋପନୀୟତାକୁ ଭାଙ୍ଗିଦେବା ଦ୍ୱାରା ସିଏ ପୁନର୍ବାର ସେଇ ପୁରାତନ ଅଭ୍ୟାସଟିର ଜାଲରେ ଯାଇ ପଡ଼ି ଯାଇଥିଲା । ସେମାନଙ୍କର ଜୀବନରେ ମଧ୍ୟ ସେକଥାଟି ଘଟିବନାହିଁ ବୋଲି କିଏ ନିର୍ଭର ଦେଇ କହିପାରିବ ?

 

ଅବଶ୍ୟ ଧୀରେ ଧୀରେ ଚାରିଜଣ ବନ୍ଧୁଙ୍କର ଗୋଷ୍ଠୀଟିଏ ଗଠନ କରାଯାଇ ପାରିଲା ଓ ସଂସ୍ଥାଟି ଏକ ଆକାର ଲାଭ କଲା । HIV ପଜିଟିଭ୍‍ମାନଙ୍କର ମଣିପୁର ଗୋଷ୍ଠୀ (MNP+) ବୋଲି ତାହାର ନାମ ରଖା ଯାଇଥିଲା । ଏହା ହେଉଛି ୧୯୯୭ ମସିହା ସେପ୍ଟେମ୍ବର ସାତ ତାରିଖର ଘଟଣା । ସେମାନେ କୋଠରୀଟିଏ ଭଡ଼ା ନେଲେ, ତା’ ବାହାରେ ଏକ ବଡ଼ ବୋର୍ଡ଼ଟିଏ ଝୁଲାଇ ଦେଲେ ଏବଂ HIV ପଜିଟିଭ୍ ବ୍ୟକ୍ତିମାନେ ସେହି ସଂସ୍ଥାଟିକୁ ଗଢ଼ିଛନ୍ତି, ବୋଲି ଘୋଷଣା କଲେ । ଏଥିରେ ପ୍ରଥମେ ପ୍ରଥମେ ପଡ଼ିଶାରେ ବାସ କରୁଥିବା ଲୋକେ କ୍ରୋଧ ପ୍ରକାଶ କଲେ; ନାନା ପ୍ରକାର ସନ୍ଦେହ ମଧ୍ୟ କରିଥିଲେ । ଏହି ସଂସ୍ଥାକୁ ଆସୁଥିବା ଯୁବକମାନେ ଏକାଠି ହେବା ସମୟରେ ପ୍ରକୃତରେ କ’ଣ କରୁଛନ୍ତି ବୋଲି କେତେ କ’ଣ ଅନୁମାନ କରି ପକାଉଥିଲେ । ସେମାନେ ସେହି ନିଶାସେବନ ନିମନ୍ତେ ଏଠାରେ ଏକତ୍ର ହେଉନାହାନ୍ତି ତ ?

 

କ୍ରମେ ବ୍ୟାପାରଗୁଡ଼ିକ ବଦଳିବାକୁ ଆରମ୍ଭ କଲେ । ଆହୁରି ଅଧିକ ବ୍ୟକ୍ତି ଆସି ଯୋଗ ଦେଇଥିଲେ । ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ଏପରି ପଦାକୁ ବାହାରି ଆସିବାଟା ପ୍ରକୃତରେ ବଡ଼ ଭୀତିଦାୟକ ହିଁ ଥିଲା । କିନ୍ତୁ ଏଥିରୁ ସେମାନଙ୍କ ମୁକ୍ତିର ଏକ ଅନ୍ତର୍ବୋଧ ମଧ୍ୟ ମିଳି ପାରୁଥିଲା । ସେମାନେ ସତେଯେପରି ବିଛିନ୍ନ ଏବଂ ଏକାକୀ ହୋଇ ରହିବାର ଏକ ଅନ୍ଧାର ଗହ୍ୱର ମଧ୍ୟରୁ ବାହାରେ ଥିବା ଖୋଲା ପବନର ଆଲୋକ ତଥା ଉଷ୍ଣତା ମଧ୍ୟକୁ ବାହାରି ଆସି ପାରୁଥିଲେ । ବର୍ତ୍ତମାନ ସଂସ୍ଥାଟିରେ ଅଶୀରୁ ଅଧିକ ସଦସ୍ୟ ରହିଛନ୍ତି । କେତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାର, ପୋଲିସ୍‌ ଏବଂ ଡାକ୍ତରମାନେ HIV ଥିବା ବ୍ୟକ୍ତିମାନଙ୍କୁ ଏହି ଗୋଷ୍ଠୀଟିର ସମ୍ପର୍କରେ ଆସିବା ନିମନ୍ତେ ପରାମର୍ଶ ମଧ୍ୟ ଦେଲେଣି । ପ୍ରତିବେଶର ବାସିନ୍ଦାମାନେ, HIV ନଥିବା ଲୋକମାନେ ମଧ୍ୟ ଆଗରୁ ରହି ଆସିଥିବା ସେମାନଙ୍କର ନାନା ସନ୍ଦେହକୁ ମଧ୍ୟ ପରିତ୍ୟାଗ କରି ପାରିଲେଣି ତଥା ଓଲଟି ଯୁବାମାନଙ୍କର ଏହି ଅସଂମ୍ଭାବ୍ୟ ଗୋଷ୍ଠୀଟି ପ୍ରତି ସେମାନଙ୍କର ମନରେ ଏକ ସମ୍ମାନଭାବ ଆସି ପାରିଲାଣି । କେତେ ଲୋକ ସେମାନଙ୍କୁ ଉତ୍ସାହ ଦେବା ଏବଂ ବିବିଧ ମାର୍ଗରେ ସେମାନଙ୍କୁ ସାହାଯ୍ୟ କରିବା ମଧ୍ୟ ଆରମ୍ଭ କରିଛନ୍ତି ।

 

ଯେଉଁମାନେ ସଂସ୍ଥାଟିର ପ୍ରଥମ ଅବସ୍ଥାରେ ଆସି ସେଥିରେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁ ହୋଇ ଯାଇଛି, କେତେକ ପୁଣି ଆତ୍ମଗୋପନ କଲେଣି ଏବଂ ଆହୁରି କେତେଜଣ ପୁନର୍ବାର ନିଶାସେବନ ମଧ୍ୟ କଲେଣି । ମାତ୍ର, ଦୀପକ ପରି ଅନେକେ ତଥାପି ରହିଛନ୍ତି । HIV କୁ ଶରୀରରେ ବହନ କରୁଥିଲେ ମଧ୍ୟ ତଥାପି ଜୀବନଟିଏ ବଞ୍ଚିବାରେ ସେମାନଙ୍କୁ ସାହାଯ୍ୟ କରିବା,–ସେମାନେ ଯେପରି ଭୀତ ହୋଇ ପଡ଼ିବେନାହିଁ, ସେମାନଙ୍କୁ ସମସ୍ତେ ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି ବୋଲି ହତାଶ ନହେବେ, ଆପଣାକୁ ନିତାନ୍ତ ଏକାକୀ ବୋଲି ଅନୁଭବ କରିବେ ଓ ସବୁକିଛି ଉଜୁଡ଼ି ଯାଇଛି ବୋଲି ନଭାବିବେ,–ଗୋଷ୍ଠୀଟିକୁ ଗଠନ କରିବା ପଛରେ ତାହାହିଁ ମୁଖ୍ୟ ବିଚାର ହୋଇ ରହିଥିଲା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୋଷ୍ଠୀ ଅବଶ୍ୟ ଏକ ପରିବର୍ତ୍ତନକୁ ସମ୍ଭବ କରି ପାରିଛି । ଏହାର ସଦସ୍ୟଙ୍କ ମଧ୍ୟରୁ ଅନେକ ସଂଖ୍ୟକ ହେଉଛନ୍ତି ଯୁବା-ବୟସର, ଯେଉଁମାନଙ୍କର ହୃଦୟ ହୁଏତ ବହୁପ୍ରକାରେ ଭାଙ୍ଗିରୁଜି ଯାଇଛି; ମାତ୍ର ଏହି ସଂସ୍ଥାଟିରେ କ୍ରିୟାଶୀଳ ହୋଇ ରହିବାଦ୍ୱାରା ସେମାନେ ସାହସର, ସହିତ ନିଜ ଭବିଷ୍ୟର ଅବଶ୍ୟ ସମ୍ମୁଖୀନ ହୋଇ ପାରିଛନ୍ତି ।

 

ବାହାର ଚେହେରାରୁ ଦୀପକ ଇମ୍ପାଲ ଉପତ୍ୟକାରେ ବାସ କରୁଥିବା ସାଧାରଣ ଅନ୍ଦାଜର ଯେକୌଣସି ଯୁବକବ୍ୟକ୍ତି ପରି ଦେଖାଯାଉଛି । ବେଶ୍ ସଦ୍ୟତମ ଫେଶନର ପୋଷାକ ବ୍ୟବହାର କରେ, ଗୋଟିଏ କାନରେ ଇଅରିଙ୍ଗଟିଏ ବି ପିନ୍ଧିଥାଏ । ମାତ୍ର ସେ କଥା କହିବା ସମୟରେ ଏବେ ତା’ଠାରେ ଅବଶ୍ୟ ଗୋଟିଏ ପାର୍ଥକ୍ୟ ଲକ୍ଷ୍ୟ କରାଯାଇ ପାରିବ । ମୁଁ ଏହି କଥାଟି ଶିକ୍ଷା କରିଛି ଯେ, ଜଣେ ମନୁଷ୍ୟ କେତେଦିନ ବଞ୍ଚିବ, ସେଇଟି ଆଦୌ ମହତ୍ତ୍ୱପୂର୍ଣ୍ଣ ନୁହେଁ–ସିଏ ପୂର୍ଣ୍ଣ ଆତ୍ମପ୍ରତ୍ୟୟ ସହିତ ଏହି କଥାଟିକୁ କହେ । ସିଏ କେତେ ଉଚିତ ପ୍ରକାରେ ନିଜ ଜୀବନକୁ ବଞ୍ଚିପାରୁଛି, ତାହା ହିଁ ମହତ୍ତ୍ୱପୂର୍ଣ୍ଣ । ବର୍ତ୍ତମାନ ତ ମୋତେ ପ୍ରାୟ ସର୍ବଦା ଧାବମାନ ହେବାକୁ ହିଁ ପଡ଼ୁଛି, କାରଣ ପ୍ରକୃତରେ କରିବା ନିମନ୍ତେ କେତେ କ’ଣ ରହିଛି । ମୁଁ ଜାଣେ ଯେ ଦିନେ ମୋ’ର ମଧ୍ୟ ମୃତ୍ୟୁ ହେବ,–ତୁମ ଯେକୌଣସି ବ୍ୟକ୍ତି ପରି ମୋତେ ମଧ୍ୟ ଯିବାକୁ ପଡ଼ିବ । ମାତ୍ର ତଥାପି, ମୋ’ ହୃଦୟର କୌଣସି ଗଭୀର ତଳରେ ମୁଁ କୌଣସି ପ୍ରକାରେ ଏକଥାଟିକୁ ମଧ୍ୟ ଜାଣିପାରିଛି ଯେ, ଯେତେବେଳେ ଶେଷରେ ସେହି ମୃତ୍ୟୁ ଆସିବ, ମୁଁ ସେତେବେଳେ AIDS ଦ୍ଵାରା ଆକ୍ରାନ୍ତ ହୋଇ କଦାପି ମରିବିନାହିଁ ।

☆☆☆

 

Unknown

ଜଗ୍‍ତୁ ଗଣ୍ଡର ଜମି

 

ପ୍ରତିଦିନ ବିଲରୁ ଫେରି ଆସି ଜଗ୍‍ତୁ ଗଣ୍ଡ ଦଣ୍ଡକ ନିମନ୍ତେ ଗୋଟିଏ ଜାଗାରେ ଥମ୍ବି ଛିଡ଼ା ହୋଇଯାଏ । ସେତେବେଳେ ତାହାର କସରା, ବର ପତଳୀ ଦିହଟା ସନ୍ଧ୍ୟା ସମୟର କିରଣରେ ସତେ ଅବା ଝଲମଲ ହୋଇ ଉଠୁଥାଏ । ତା’ର ଆଖିଗୁଡ଼ିକ ଭୟଙ୍କର ଦେଖା ଯାଉଥାଆନ୍ତି, ସତେ ଅବା ସିଏ କଟମଟ ହୋଇ କାହା ଆଡ଼କୁ ଅନାଇ ରହିଥାଏ । ଆଗରେ ପ୍ରଲମ୍ବିତ ହୋଇ ରହିଥିବା ସବୁଜ ଛନଛନ, ତା’ ଜମିଗୁଡ଼ିକ,–ପୂରା ତିରିଶିମାଣ ଭୂଇଁ, ସେହି ଅଞ୍ଚଳଯାକରେ ସବୁଠାରୁ ଅଧିକ ଫଳପ୍ରସୂ ଏବଂ ଅଧିକ ଉର୍ବର । ସିଏ ସତେ କେଡ଼େ ଆବେଗପୂର୍ଣ୍ଣ ଭାବରେ ବାରବାର ନିଜ ମନକୁ ମନ କହି ପକାଉଥାଏ,–ଏତକ ହେଉଛି ମୋ’ର ଜମି ଏବଂ ଏହାକୁ ମୁଁ ଯେମିତି ହେଉ ପଛେ ନିଶ୍ଚେ ଫେରିପାଇବି ।

 

କିନ୍ତୁ ପଟ୍‍ୱ୍ୱାରିର ଖାତାରେ ରହିଥିବା ରେକର୍ଡରେ ଏହି ଜମି ଉପରେ ଜଗତୁର ଅଧିକାର ବିଷୟରେ କିଛି ଲେଖାହୋଇ ରହିନଥିଲା । ସେଇଟି ବାବୁଲାଲ ଯୋଶୀଙ୍କ ନାଆଁରେ ଥିଲା,–ସେହି ଯୋଶୀ ହେଉଛି ସେହି ଜିଲ୍ଲାର ଜଣେ ସର୍ବାଧିକ ଶକ୍ତି ରହିଥିବା ନେତା । ତାଙ୍କର କେତେ କେତେ ଧନ୍ଦ,–କେତେ ନା କେତେ ସମର୍ଥପଣିଆ : ଜମିଦାର, ମହାଜନ, ଜଙ୍ଗଲର ଠିକାଦାର, ସରକାରୀ ବାରିକମିସ୍ତ୍ରୀ ବିଭାଗର କଣ୍ଟାକ୍ଟର୍, ତା’ଛଡ଼ା କିଛି ବ୍ୟବସାୟ ବି ଅଛି ଓ ସେ ରାଜନୀତି ବି କରନ୍ତି । ସାନ ସାନ ସରକାରୀ କର୍ମଚାରୀମାନେ ତାଙ୍କୁ ବହୁତ ମାନନ୍ତି । ଏବଂ, ସିଏ ନିଜେ କେବେ ହେଲେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇନଥିଲେ ମଧ୍ୟ, ସର୍ବଦା ତାଙ୍କର ନିଜ ଲୋକମାନେ ହିଁ ନିର୍ବାଚନରେ ଠିଆ ହେଉଥିଲେ ଏବଂ ନିର୍ବାଚିତ ହେଉଥିଲେ । ସିଏ ପାର୍ଲିଆମେଣ୍ଟକୁ ମଧ୍ୟ କେବେ ଯାଇନାହାନ୍ତି; ଏହି ଦୁଇଟିଯାକ ଆସନ ଆଦିବାସୀଙ୍କ ନିମନ୍ତେ ରିଜର୍ଭ କରି ରଖା ହେଉଥିବାରୁ ସିଏ ନିଜେ ପ୍ରାର୍ଥୀ ହୋଇ ପାରୁନଥିଲେ । କିନ୍ତୁ, ଯେଉଁମାନେ ନିର୍ବାଚିତ ହେଉଥିଲେ, ସେମାନେ ଏହି ଯୋଶୀଙ୍କର କଥା ଅନୁସାରେ ହିଁ ଯାହାକିଛି କରୁଥିଲେ ।

 

ଏଇଟା ତା’ର ଜମି,–ଜଗତୁ କହୁଥିଲା । କିନ୍ତୁ ସାରା ଗାଆଁର ଲୋକମାନେ ବିଶ୍ୱାସ କରୁଥିଲେ ଯେ, ଜଗତୁର ନିଜ ଜମି କହିଲେ କେବଳ ଚଉଠେ ଏକର ଜମିକୁ ହିଁ ବୁଝାଉଥିଲା । ସେହି ଜମିଖଣ୍ଡିକ ଉପରେ ଜଗତୁର ମାଆ ଶୁକ୍‍ଲିଆ ଖଣ୍ଡେ କୁଡ଼ିଆ କରି ବାସ କରୁଥିଲା,–ବର୍ତ୍ତମାନ ସେହି ଜମି ଉପରେ ଜଗତୁର ଗୋରୁଗାଈ ବନ୍ଧା ହେଉଥିଲେ । ଏବଂ, ଏତେ ଦୀର୍ଘ କାଳ ହେଲା ଭୂମିଟି ବାବୁଲାଲ ଯୋଶୀଙ୍କ ନାମରେ ରହି ଆସିଥିଲା ଯେ, କେବେ ସେହି ଜମି ପ୍ରକୃତରେ ଆଉ କାହା ନାଆଁରେ ଥିଲା ବୋଲି ଲୋକମାନେ ପାସୋରି ବି ଦେଇଥିଲେ । ମାତ୍ର, ଜଗତୁ ପାସୋରି ପାରି ନଥିଲା । ଏହି ଜମି ତା’ ବାପ କୋଣ୍ଡୁର ଥିଲା । ଏବଂ, ବର୍ତ୍ତମାନ ମଧ୍ୟ, ସବୁକିଛି ସ୍ଵତ୍ୱର ଦୃଷ୍ଟିରୁ ବିଚାର କଲେ, ଏଇଟି ହେଉଛି ତାହାରି ଜମି ।

 

କୋଣ୍ଡୁ ଗଣ୍ଡ ହେଉଛି ଜଗତୁର ବାପା । ବାପ କଥା ତା’ର ମୋଟେ ଭଲ ଭାବରେ ମନେ ନାହିଁ, ସିଏ ସାନ ପିଲାଟିଏ ହୋଇଥିବା ସମୟରେ ବାପର ମୃତ୍ୟୁ ହୋଇଥିଲା । ହଁ, ବାପ ବିଷୟରେ ତା’ର କେବଳ ଏତିକି ମନେ ପଡ଼ିଥାଏ ଯେ, ତା’ ହାତରେ ସିଏ ସବୁବେଳେ ବୋତଲେ ଘରରନ୍ଧା ମଦ ଧରିଥାଏ, ସେହି ମଦନିଶାରେ ବହୁଦିନ ପର୍ଯ୍ୟନ୍ତ ଖାଲି ଗଡ଼ିବାରେ ଲାଗିଥାଏ । ହଁ, ଶେଷ ଆଡ଼କୁ ବାପର ମୁଣ୍ଡଟା ବି ପୂରା ବିଗିଡ଼ି ଯାଇଥିଲା ଓ ସିଏ ଖାଲି ପାଗଳଙ୍କ ପରି ହେଉଥିଲା-

 

ମାତ୍ର, ସବୁବେଳେ ଯେ ସିଏ ଏପରି ଅବସ୍ଥାରେ ରହୁଥିଲା, ସେକଥା ମୋଟେ ନୁହେଁ । ସଂଜ ବୁଡ଼ିବା ବେଳକୁ ବହୁତ ସମୟ ପର୍ଯ୍ୟନ୍ତ ସେମାନେ ସମସ୍ତେ ନିଜ କୁଡ଼ିଆଟିର ବାହାରେ ଏକାଠି ବସୁଥିଲେ ଏବଂ ଅସ୍ତଗାମୀ ସୂର୍ଯ୍ୟଙ୍କଆଡ଼କୁ ଚାହିଁ ରହୁଥିଲେ । ଜଗତୁର ମାଆ ଜଗତୁ ଆଗରେ ଆଗରୁ ଘଟି ଯାଇଥିବା କେତେ କେତେ କାହାଣୀ ମଧ୍ୟ କହୁଥିଲା ।

 

ସେମାନଙ୍କର ଯେତିକିଯାଏ ମନେ ପଡ଼ୁଥିଲା, ଜଗତୁର ବାପ ଓ ବାପର ବାପ ସେହି ଜମିଖଣ୍ଡର ମାଲିକ ଥିଲେ, ବର୍ତ୍ତମାନ ଯେଉଁଟି ବାବୁଲାଇ ଯୋଶୀଙ୍କର ଦଖଲକୁ ଆସିଯାଇଛି । ସେତେବେଳେ ସେହି ଜମିରେ ନଳକୂଅ ବସି ନଥିଲା ବା ଟ୍ରାକ୍ଟର ଚାଲିନଥିଲା । ସେମାନେ ସେହି ଜମିରେ ମୋଟା କ’ଣ ସବୁ ବିହନ ବୁଣି ଦେଉଥିଲେ,–ସେହି ପୁରୁଣାକାଳିଆ ଢଙ୍ଗରେ କୃଷି ହେଉଥିଲା । ତଥାପି, ପେଟ ପୂରିଲା ପରି ଯଥେଷ୍ଟ ଫସଲ ଫଳୁଥିଲା । ହଁ, ଖରାଋତୁ ମାନଙ୍କରେ, ଯେତେବେଳେ ଅମାରରୁ ଧାନ ସରି ଆସୁଥିଲା, ସେତିକିବେଳେ ଯାହା କିଛି ଅଭାବ ହେଲା ପରି ଲାଗୁଥିଲା । କିନ୍ତୁ, ସେତେବେଳେ ମଧ୍ୟ ସେମାନେ କେବେହେଲେ ଉପାସ ରହୁନଥିଲେ । କାରଣ, ଜଙ୍ଗଲଟା ବି ତ ରହିଥିଲା । ଜଙ୍ଗଲ ରହିଥିବା ତକ ଆଦିବାସୀକୁ କୌଣସି ଚିନ୍ତା କରିବାକୁ ପଡ଼ୁନଥିଲା ।

 

ମାଆ କହେ, ସେଇ ମାଆର ପିଲାଦିନେ ସେହି ଅଞ୍ଚଳକୁ ପ୍ରଥମ କରି ରାସ୍ତା ଗଲା । ସେମାନେ ଖାଲି ଗଦା ଗଦା ଦୁଃଖ ହିଁ ବୋହି ଆଣିଥିଲେ । ରାସ୍ତା ଆସିବା ସହିତ ପଟ୍‍ୱ୍ୱାରୀ ଆସି ପହଞ୍ଚିଲା, ଫରେଷ୍ଟ୍‍ ଗାର୍ଡ୍‍ମାନେ ଆସିଲେ, ପୋଲିସ୍‍ବାଲା ଆସିଥିଲେ, ଅବକାରୀ ଇନ୍‍ସପେକ୍ଟର୍ ଆସିଲେ ଏବଂ ଖଦୀପିନ୍ଧା ରାଜନୀତିବାଲାଏ ବି ଆସିଗଲେ । ଅର୍ଥାତ୍, ରାସ୍ତା ଆସିବାରୁ ବାହାରୁ ଏତେଏତେ ମଣିଷ ଆସି ପହଞ୍ଚି ଯାଇଥିଲେ ।

 

ମାଆ ନିଜ ଆଖିରେ ହିଁ ଦେଖିଛି, ତା’ପରେ ତା’ର ସମଗ୍ର ପୃଥିବୀଟା ଯେପରି ବଦଳି ଯିବାକୁ ଆରମ୍ଭ କଲା । ବାହାରୁ ଆସିଥିବା ଏମାନେ ଏଠାରେ ଆସି ରହିଲେ ଜଙ୍ଗଲରୁ ଗଛ କାଟିଲେ ଏବଂ ଏମାନଙ୍କର ସ୍ତ୍ରୀପିଲାଙ୍କୁ ଧରି ନେଇଗଲେ । ସେମାନଙ୍କ ସହିତ ସେମାନଙ୍କର ବାଣିଜ୍ୟବେପାର ମଧ୍ୟ ଆସିଗଲା । ଗାଆଁର ହାଟମାନଙ୍କର ଏପରି ନୂଆ ଜିନିଷସବୁ ଏଣିକି ଦେଖିବାକୁ ମିଳିଲା,–ଯେଉଁଗୁଡ଼ିକୁ କି ସେମାନେ ପୂର୍ବରୁ କେବେହେଲେ ଦେଖିନଥିଲେ । ସେହିସବୁ ଜିନିଷ ଅଛି ବୋଲି କଳ୍ପନା ମଧ୍ୟ କରି ନଥିଲେ । ସେମାନଙ୍କର ନିତାନ୍ତ ଆବଶ୍ୟକ ଗୋଟିଏ ପଦାର୍ଥ ଲୁଣ ସହିତ ଅତି ଶସ୍ତା ଚକଚକ ଦିଶୁଥିବା ଗହଣା, ପ୍ରସାଧନ-ଦ୍ରବ୍ୟ ଓ ସିନ୍ଥେଟିକ କପଡ଼ାମାନେ ଏଡ଼େ ମନଲୋଭା ହୋଇ ହାଟମାନଙ୍କରେ ପ୍ରଦର୍ଶିତ ହେବାକୁ ଲାଗିଲେ । ଏହି ଚିଜଗୁଡ଼ିକୁ କିଣିବାରେ ଆଦିବାସୀମାନେ ନିଜେ ଅମଳ କରିଥିବା ପ୍ରାୟ ସବୁଯାକ ଫସଲ ବଦଳ ଦେଇଦେଲେ : ହଁ, ଗୋଟିଏ କିଲୋଗ୍ରାମ୍ ଲୁଣ ବଦଳରେ ଆଦିବାସୀଙ୍କଠାରୁ ପୂରା ଗୋଟାଏ କିଲୋ ଝରୋଞ୍ଜି ଫଳ ଅଥବା କାଜୁବାଦାମ ନିଆଗଲା ଓ ସେଗୁଡ଼ିକୁ ନେଇ ବେପାରୀମାନେ ତାହାର ଦଶ ବା ପନ୍ଦର ଗୁଣ ଅଧିକ ଦାମରେ ରାୟପୁର ବା ବିଳାସପୁର ବଜାରରେ ବିକ୍ରୀ କଲେ । ଏହିପରି ଭାବରେ ନିଜ ଦ୍ରବ୍ୟଗୁଡ଼ିକୁ ହରାଇବସି ଓ ଦରିଦ୍ର ହୋଇଯାଇ ନିର୍ଦ୍ଦୟ ତିରୋଟ ମାସଗୁଡ଼ିକ ଦୀର୍ଘସ୍ଥାୟୀ ହେବାକୁ ଲାଗିଲେ ଏବଂ ଆଦିବାସୀମାନଙ୍କୁ ହୁଏତ ପ୍ରଥମ କରି ଉପବାସର ଦୁଃଖକୁ ସହ୍ୟ କରିବାକୁ ପଡ଼ିଥିଲା । ଏବଂ, ସେମାନଙ୍କର ସହାୟତା ନିମନ୍ତେ ସେତେବେଳେ ଜଙ୍ଗଲମାନେ ମଧ୍ୟ ନଥିଲେ । ଆଗରୁ ପୁରୁଷ ପୁରୁଷ ଧରି ଏହି ଜଙ୍ଗଲମାନେ ହିଁ ତ ସେମାନଙ୍କୁ ଆହାର ଯୋଗାଇ ଆସିଥିଲେ ।

 

ତଥାପି, ବହିରାଗତ ବେପାରୀ ସେମାନଙ୍କୁ କଦାପି ଉପାସ ରହିବାକୁ ଦିଅନ୍ତା ନାହିଁ । ବିପଦବେଳେ ସିଏ ତ ସେମାନଙ୍କର ପାଖେ ପାଖେ ହିଁ ରହିଥିଲା । କିନ୍ତୁ, ଏଥିପାଇଁ ଏକ ଅତ୍ୟନ୍ତ ନୃଶଂସ ମୂଲ୍ୟ ଦେବାକୁ ପଡ଼ିଥିଲା । ତିରୋଟ ମାସଗୁଡ଼ିକୁ ଯେକୌଣସି ମତେ ଚଳାଇ ନେବାପାଇଁ ବେପାରୀ ସେମାନଙ୍କୁ ଟଙ୍କା କରଜ ଦେଇଥିଲା ସତ, କିନ୍ତୁ ସେଥିସହିତ ଅସମ୍ଭବ ସୁଧ ବି ଭିଡ଼ି ଦେଇଥିଲା । କରଜର ଜାଲରେ ପଡ଼ି ବିଚରା ସାମର୍ଥ୍ୟହୀନ ଆଦିବାସୀ କ୍ରମେ ଏଭଳି ବାନ୍ଧି ହୋଇଗଲା ଯେ, ସେଥିରୁ ଉଦ୍ଧାର ପାଇବାର କୌଣସି ଉପାୟ ହିଁ ନଥିଲା । ପରିଶୋଧ ନିମନ୍ତେ ଗହଣା ବିକ୍ରୀ ହେଲା, ଗୋରୁଗାଈ ବନ୍ଧା ପଡ଼ିଲେ ଏବଂ ନିଜର ଜମିକୁ ମଧ୍ୟ ସାହୁକାର ହାତରେ ଟେକିଦେବାକୁ ହେଲା । ଅର୍ଥାତ୍, ଯେଉଁ ସାହୁକାର ପ୍ରାୟ ଖାଲି ହାତରେ ପ୍ରଥମେ ଆଦିବାସୀମାନଙ୍କର ଗ୍ରାମକୁ ଆସିଥିଲା, କ୍ରମେ ସେଇ ସେହି ଅଞ୍ଚଳରେ ଅଧିକାଂଶ ଜମି ତଥା ସମ୍ପତ୍ତିର ମାଲିକ ହୋଇ ପାରିଲା; ଏବଂ, ଏକଦା ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇ ସ୍ଵଗୌରବ ସହିତ ଜୀବନଯାପନ କରୁଥିବା ଆଦିବାସୀ ଭୂମିହୀନ ହେଲା,–ବଞ୍ଚିତ ହୋଇ ରହିଲା ଓ ନିଜର ସମସ୍ତ ଶକ୍ତିକୁ ହରାଇ ବସିଲା ।

 

କୋଣ୍ଠୁ ଗଣ୍ଡ ବ୍ୟାପାରରେ ତାହାହିଁ ଘଟିଥିଲା । ଶୁକ୍‍ଲିଆ ମନେ ପକାଇ ପକାଇ କହୁଥିଲା ଯେ, ସିଏ ଯେତେବେଳେ କୋଣ୍ଡୁକୁ ବିବାହ କଲା, ସେତେବେଳେ ବାବୁଲାଲ ସେହି ଅଞ୍ଚଳର ସବୁଠାରୁ ଅଧିକ ଶକ୍ତି ରହିଥିବା ଜଣେ ମଣିଷରୂପେ ପ୍ରତିଷ୍ଠିତ ହୋଇ ସାରିଥିଲା । ଆଖପାଖ ଦଶମାଇଲ୍ ଆକ୍ରାନ୍ତରୁ ମଧ୍ୟ ଆଦିବାସୀମାନେ ତିରୋଟ ପଡ଼ିଥିବା ସମୟରେ ବାବୁଲାଲ ଦୁଆରକୁ ଆସୁଥିଲେ । ବାବୁଲାଲ୍‍ର ଗୋଟିଏ ଜୀପ୍ ଥିଲା,–ସେତେବେଳେ ତ ଖଣ୍ଡେ ଜୀପ୍ ଗାଡ଼ି ସମ୍ପତ୍ତି ଏବଂ କ୍ଷମତାର ଏକ ଚରମ ସ୍ତରର ପ୍ରତୀକ ହୋଇ ରହିଥିଲା । ଜୀପ୍‍ଟା ଅନ୍ୟବିଧ ବହୁ କାମରେ ମଧ୍ୟ ଲାଗୁଥିଲା । ତା’ ମାଆ ନିଜ ଆଖିରେ ହିଁ କେତେଥର ଦେଖିଛି, ଯେଉଁ ଆଦିବାସୀ ବିଚରା ଦୈବାତ୍‍ ଆପଣାର ଦେୟ ପଇଠ କରି ପାରି ନଥିଲା, ଗ୍ରାମବାସୀ ସବୁଲୋକଙ୍କ ସାମନାରେ ତାକୁ ଜୀପ୍ ସହିତ ବାନ୍ଧି ଘୋଷାରି ନିଆ ହେଉଥିଲା । କାହାର ଆଦେଶରେ ଏସବୁ କଥା ହୋଇପାରିଲା, ସେ ବିଷୟରେ କାହାରି ମନରେ କୌଣସି ସନ୍ଦେହ ନଥିଲା ।

 

ତଥାପି, ନିକ ଶକ୍ତିର ଏପରି ଏକ ନଗ୍ନ ପ୍ରଦର୍ଶନ ଖୁବ୍ ବିରଳ ଭାବରେ ହିଁ ହେଉଥିଲା । ଜଣେ ଆଦିବାସୀ ପାଇଁ, ତା’ର ପାରମ୍ପରିକ ନୀତିଗୁଡ଼ିକୁ ସିଏ ଏପରି ନିଷ୍ଠାର ସହିତ ପାଳନ କରୁଥିଲା ଯେ, ସେହିସବୁ ଅତ୍ୟନ୍ତ କଠୋର ଶକ୍ତି ପ୍ରଦର୍ଶନର ପ୍ରକୃତରେ କୌଣସି ପ୍ରୟୋଜନ ନଥିଲା । ଶୁକ୍‍ଲିଆ ପଛକଥାଗୁଡ଼ିକୁ ମନେ କରି କହୁଥିଲା, ଅନ୍ୟ ବହୁସଂଖ୍ୟକ ଆଦିବାସୀଙ୍କ ପରି କୋଣ୍ଡୁ ମଧ୍ୟ ଅନେକ ସମୟରେ ତା’ ଜମିରେ ଏଥର ଫଳିବାକୁ ଯାଉଥିବା ସବୁଯାକ ଫସଲକୁ ବନ୍ଧନ ରଖି ଟଙ୍କା କରଜ କରୁଥିଲା । ଏହାପରେ ସାହୁକାର ବାବୁଲାଲ ଅଥବା ତା’ ଚାରମାନଙ୍କୁ ଆଉ ମୋଟେ ଗାଆଁକୁ, ବିଲକୁ କିମ୍ବା କୋଣ୍ଡୁର ଘରକୁ ଥରକପାଇଁ ଆସିବା ମଧ୍ୟ ଆବଶ୍ୟକ ହେଉନଥିଲା । ନିଜ ଘରଖରଚ ପାଇଁ ଫସଲ ଉଠାଇବାକୁ ଯେତିକି ଶ୍ରମ ଦେବାକୁ ପଡ଼େ ଏଥର କୋଣ୍ଡୁ ହୁଏତ ବିଲରେ ତା’ଠାରୁ ଅଧିକ ମେହେନତ କରୁଥିଲା । ଫସଲ କଟା ହେଉଥିଲା, ମଳା ହେଉଥିଲା, ଅଖାମାନଙ୍କରେ ପଶୁଥିଲା । ତା’ପରେ ନିଜ ହାତରୁ ଗାଡ଼ି ଖରଚ ଦେଇ-କୋଣ୍ଡୁ ତାହାକୁ ବସ୍ ଯୋଗେ ବାବୁଲାଲ୍‍ର ଗାଆଁରେ ନେଇ ପହଞ୍ଚାଇ ଦେଇ ଆସୁଥିଲା । ତା’ ଘର ଖରଚ ପାଇଁ କିଛି ବି ରଖି ଯାଉନଥିଲା । ଏବଂ, ତା’ପରେ ଅବଶ୍ୟ ପୁଣି ଉପାସ ରହିବାକୁ ପଡ଼ୁଥିଲା ଏବଂ ଫଳରେ ଆଉକିଛି ଧାର କରିବା ନିମନ୍ତେ ତାକୁ ବାବୁଲାଲ୍‍ର ଦୁଆରକୁ ଯିବାକୁ ହେଉଥିଲା ।

 

ଆହୁରି ଅନେକ ଆଦିବାସୀଙ୍କ ପରି ତା’ପାଇଁ ମଧ୍ୟ ସେହି ଅସଲ ଦିନଟି ମଧ୍ୟ ଅବଶ୍ୟ ଆସି ପହଞ୍ଚିଥିଲା ଏବଂ ବାବୁଲାଲ୍ କୋଣ୍ଡୁକୁ ଡକାଇ ପଠାଇଲା । ବାବୁଲାଲ୍ ଶୁଣାଇ ଦେଇଥିଲା ଯେ କୋଣ୍ଡୁ ନେଇଥିବା ଟଙ୍କା କରଜଟା ବଢ଼ି ବଢ଼ି କ୍ରମେ ବହୁତ ହୋଇଗଲାଣି । ଏବଂ, ତେଣୁ କୋଣ୍ଡୁ ଆଉ ମୋଟେ ସେହି କରଜକୁ ଶୁଝିପାରିବ ନାହିଁ ଓ ନିଜର ଜମିକୁ ବାବୁଲାଲ୍ ନାମରେ ଲେଖିଦେବାକୁ ପଡ଼ିବ । କିନ୍ତୁ ଏଥିରେ ଗୋଟିଏ ବାଧା ବି ରହିଥିଲା : ଆଇନ୍‍ଟାଏ ପାସ୍ ହୋଇ ଯାଇଥିଲା ଯେ, କଲେକ୍ଟର ଅନୁମତି ନଦେଲେ ଜଣେ ଆଦିବାସୀର ଜମି କେବେହେଲେ ଜଣେ ଅଣଆଦିବାସୀ ହାତକୁ ଯାଇ ପାରିବନାହିଁ । ଏଇଟା କେବଳ ଏକ କାଗଜପତ୍ରର କାମ ବୋଲି ବାବୁଲାଲ କୋଣ୍ଡୁକୁ ବୁଝାଇ ଦେଇଥିଲା । କୋଣ୍ଡୁକୁ ଥରେ କଲେକ୍ଟରଙ୍କ ପାଖକୁ ଯିବାକୁ ପଡ଼ିବ ଓ ତା’ ଜମିର ସଂପୂର୍ଣ୍ଣ ଦାମ୍ ତାକୁ ନଗଦ ଟଙ୍କା ରୂପେ ମିଳି ସାରିଛି ବୋଲି ସ୍ୱୀକାର କରି ଆସିବ ।

 

ଆଗରୁ ବହୁଦିନରୁ ହିଁ କୋଣ୍ଡୁ ବାବୁଲାଲକୁ ଭୟ ଓ ବିସ୍ମୟର ଏକ ମିଶ୍ରିତ ଦୃଷ୍ଟିରେ ଦେଖିବା ଆରମ୍ଭ କରି ଦେଇଥିଲା । ଶେଠକୁ ବିରୋଧ କରି ତାକୁ କେବେ କିଛି କହିବାକୁ ପଡ଼ିବ ବୋଲି ଆଗରୁ କୋଣ୍ଡୁ ସ୍ୱପ୍ନରେ ବି ଭାବିନଥିଲା । ମାତ୍ର, ଏଇଟା ତ ତା’ର ଜମି, ତା’ର ପ୍ରିୟ ନିଜ ଜମିଟି । ଏହି ଜମିଟା ପୁଣି କିପରି ତା’ ହାତରୁ ଚାଲିଯିବ । ସିଏ ବଡ଼ ନେହୁରା କରି ମହଲତ ମାଗିଥିଲା,–ତାକୁ ଆଉ ଗୋଟିଏ ସୁଯୋଗ ମିଳୁ ବୋଲି ଅନୁରୋଧ କରିଥିଲା । ସେହି ବାଉଳାରେ ତା’ର ଅନ୍ୟାନ୍ୟ କେତେକ ସମ୍ପତ୍ତିକୁ ଦେଇଦେବ ବୋଲି ଶପଥ ମଧ୍ୟ କରି ପକାଇଲା,–ତା’ର ପରିବାର ଓ ସିଏ ନିଜେ ପଛେ ତା’ପରେ ଆସି ଜୀବନସାରା ବେଠି ଖଟିବେ ବୋଲି କହିଥିଲା । ମାତ୍ର, ବାବୁଲାଲ୍‍ର କଣ୍ଠସ୍ୱର ସତେଅବା ଅଶ୍ରୁତପୂର୍ବ ଭାବରେ ଲୁହାପରି କର୍କଶ ହୋଇ ଆସିଥିଲା । ସିଏ କହିଥିଲା, ଆମେ ଜଗଦଲପୁର ଯିବା,–ଆର ହାଟପାଳି ଅନ୍ତେ ସେଠାରେ ଯାଇ କଲେକ୍ଟରଙ୍କର କଚେରୀରେ ହାଜର ହେବା । ହଁ, ତୁ ନିଶ୍ଚୟ ଯିବୁ, କଦାପି ଖିଲାପ କରିବୁ ନାହିଁ ।

 

ଏଇଟି ପ୍ରକୃତରେ କୋଣ୍ଡୁର ପ୍ରଥମଥର ପାଇଁ ଜଗଦଲପୁରକୁ ଯାତ୍ରା । କଲେକ୍ଟରଙ୍କର କଚେରୀ, କେଡ଼େ ବଡ଼ କୋଠାଟା ସତେଯେପରି ଉପରକୁ ଅଜାଡ଼ି ହୋଇ ପଡ଼ୁଥିବା ପରି ମନେହେଉଛି । କୋଣ୍ଡୁ ସେଇଠି ବାହାରେ ଗୋଟିଏ ଜାଗାରେ ଯାଇ ବସିଥାଏ । ତା’ ଦିହଟା ଥରିବାରେ ଲାଗିଥାଏ । ବାବୁଲାଲ୍‍ କେତେସବୁ କାଗଜ ଆଣି ତା’ପାଖରେ ପହଞ୍ଚିଲା ଓ କୋଣ୍ଡୁ ସେଗୁଡ଼ିକ ଉପରେ ନିଜର ଟିପଚିହ୍ନ ବସାଇ ଦେଇଥିଲା । ସିଏ ନିଜ ମନେ ମନେ ସଂକଳ୍ପ କରି ରଖିଥାଏ ଯେ, ବଡ଼ ହାକିମଙ୍କ ଆଗରେ ଯାଇ ଛିଡ଼ା ହେଲାବେଳେ ସିଏ ତାଙ୍କ ଆଗରେ ସବୁକଥାକୁ ନିଶ୍ଚୟ କହିବ : ହଜୁର, ମୋ’ ନିଜ ଭୂମିଖଣ୍ଡଟିକୁ ମୁଁ ଆଦୌ ଛାଡ଼ିବାକୁ ଚାହୁନାହିଁ । ହଁ, ଶେଠାରୁ ମୁଁ ବହୁତ ପଇସା କରଜ ନେଇଛି–ମୋ’ର ଅଭାବବେଳେ ସିଏ ମତେ ସଦୟ ହୋଇ ସର୍ବଦା କରଜ ଦେଇଛନ୍ତି । ମୁଁ ଶପଥ କରି କହୁଛି ଯେ ସେହି ଋଣକୁ ଶୁଝିବା ନିମନ୍ତେ ମୁଁ ଓ ମୋ’ର କୁଟୁମ୍ବଯାକ ଜୀବନସାରା ମୂଲ ଲାଗିବୁ । କିନ୍ତୁ ଜମିଟା ହାତଛଡ଼ା ହୋଇ ଚାଲିଯାଉ ବୋଲି ଆମେ ମୋଟେ ଇଚ୍ଛା କରୁନାହୁଁ । ତେଣୁ, ହଜୁର, ମାହାପୁରୁ, ଆମର ବାପାମାଆ ଆପଣ,–ମୋତେ ଆପଣ ଥରେ ମାତ୍ର ସୁଯୋଗ ଦିଅନ୍ତୁ ।

 

ଶୁକ୍‍ଲିଆ ସବୁ କଥାକୁ ମନେ ପକାଇ କହୁଥିଲା,–ଏହି କଥାଟିକୁ କହିବ ବୋଲି କୋଣ୍ଡୁ ଆପଣାର ସବୁଯାକ ସାହସ ଓ ବଳକୁ ଏକାଠି କରି ରଖିଥିଲା । କୋଣ୍ଡୁ, ବିଚରା କୋଣ୍ଡୁ–ଗୋଟାଏ ସାନପିଲାକୁ ମଧ୍ୟ ସିଏ କେବେହେଲେ କର୍କଶ କରି କିଛି କହିନଥିଲା । ତଥାପି, ଶେଠର କଥାକୁ ଆଦୌ ମାନି ନନେଇ ସିଏ ଏଡ଼େବଡ଼ ଅଫିସରଙ୍କ ଆଗରେ ଏହିସବୁ କଥା କହିବ ବୋଲି ପ୍ରସ୍ତୁତ ହୋଇ ରହିଥିଲା । ତା’ମନରେ କେତେ କ’ଣ ଶଙ୍କା ଓ ଭୟର ଉଦୟ ହେଉଥାଏ ଏବଂ ସିଏ ଥରିବାରେ ଲାଗିଥାଏ । କଲେକ୍ଟର କେତେବେଳେ ଇଜଲାସକୁ ଆସିବେ ଏବଂ ସିଏ ତାଙ୍କ ଆଗରେ ନିଜର କଥା ଗୁଡ଼ିକୁ କହିବ, ସେଦିନ କୋଣ୍ଡୁ ଜଗଦଲପୁରରେ ସେହି ମୁହୂର୍ତ୍ତଟି ପାଇଁ ଅପେକ୍ଷା କରି ରହିଥିଲା ।

 

ସେହି ମୁହୂର୍ତ୍ତଟି ମୋଟେ ଆସିନଥିଲା । କଚେରୀ ବାହାରେ ମକଦ୍ଦମା ସଂକ୍ରାନ୍ତରେ ଆସିଥିବା ଆହୁରି ଅନ୍ୟ କେତେ କେତେ ଲୋକଙ୍କ ସହିତ କୋଣ୍ଡୁ ବସି ରହିଥାଏ, କଚେରୀର ପିଆଦା କେବେ ତା’ ନାଆଁଟିକୁ ଘୋଷଣା କରିବ ବୋଲି ଅପେକ୍ଷା କରିଥାଏ । ଅନ୍ୟମାନେ ଗୋଟି ଗୋଟି ହୋଇ ନିଜ ନାଆଁ ଡକାହେବା ଅନୁସାରେ ଭିତରକୁ ଯାଉଥାନ୍ତି,–ମାତ୍ର ସେଦିନ ତା’ ପାଳି ହିଁ ପଡ଼ିଲା ନାହିଁ । କ’ଣ ପାଇଁ ଏପରି ହେଲା ବୋଲି ସିଏ କିଛି ଜାଣି ପାରିଲାନାହିଁ । ତା’ପରେ, ବହୁ ବର୍ଷ କଟିଯିବା ପରେ ଯାଇ, ଯେତେବେଳେ ତା’ ପୁଅ ଜଗତୁ କଲେକ୍ଟରଙ୍କର କଚେରୀରୁ ଆସିଥିବା କାଗଜଟିକୁ ପଢ଼ି ତାକୁ ଶୁଣାଇଥିଲା, ସିଏ ସେତେବେଳେ–ଯାଇ ପ୍ରକୃତ ଘଟଣାଟିକୁ କାଣିଲା ! ଆଦେଶନାମାରେ ଲେଖା ହୋଇଥିଲା ଯେ, ନୋଟିସ୍ ଦିଆ ଯାଇଥିଲେ ମଧ୍ୟ କୋଣ୍ଡୁ ଗଣ୍ଡ ଆସି କଚେରୀରେ ହାଜର ହୋଇ ପାରିଲା ନାହିଁ ଏବଂ ତେଣୁ ତା’ ବିରୁଦ୍ଧରେ ଏକ ଏକତରଫା ଆଦେଶ ଦେବାକୁ ପଡ଼ିଲା । କେତେଥର କଚେରୀରୁ ବୁଝିବାକୁ ଯାଇ ଜଗତୁ ଅବିଳମ୍ବେ ଜାଣିବାକୁ ପାଇଥିଲା ଯେ, ବେଳେବେଳେ ପିଆଦାକୁ ଅଳ୍ପ କିଛି ଟଙ୍କା ହାତଗୁଞ୍ଜା ଦେଇଦେଲେ ମକଦ୍ଦମାରେ ସଂପୃକ୍ତ ଜଣେ ନିରକ୍ଷର ବ୍ୟକ୍ତି ପାଖକୁ କଚେରୀରେ ଅମୁକ ଦିନ ଆସି ହାଜର ହେବାଲାଗି କୁହା ଯାଇଥିବା ଚିଠିଟି ତା’ପାଖକୁ ଆଦୌ ପଠା ହିଁ ଯିବନାହିଁ ।

 

ଶୁକ୍‍ଲିଆ କହିଲା, ସେହିଦିନଠାରୁ ଜଗତୁର ବାପା ସତେ ଯେପରି ଖସି ଖସି ତଳକୁ ଓ ଆହୁରି ତଳକୁ ଯିବାକୁ ଆରମ୍ଭ କଲା । ଆଗରୁ ମଧ୍ୟ ତ ତା’ର ମଦ ପିଇବାର ଅଭ୍ୟାସ ଥିଲା ଆଦିବାସୀ ସମାଜରେ ସବୁ ପୁରୁଷ ଏବଂ ସ୍ତ୍ରୀ ଯାହା କରନ୍ତି, ସିଏ ସର୍ବଦା କେଡ଼େ ଖୁସୀ ହୋଇ ମଦ ପିଇ ଆସିଥିଲା । ମାତ୍ର ଇହାଦେ ସିଏ ଆଉ ସେଡ଼ିକି ଖୁସୀରେ ପିଇଲା ନାହିଁ,–ଗଭୀର ଦୁଃଖରେ ପିଇଲା, ଏକ ମଉନ ଅନ୍ତର୍ବ୍ୟଥା ସହିତ ମଦ ପିଇଲା ଓ ତଥାପି ଦୁଃଖଟାକୁ ବିଦାୟ ଦେଇ ପାରିଲା ନାହିଁ । ହାତରେ ସର୍ବଦା ହିଁ ବୋତଲଟାକୁ ରହିବାକୁ ପଡ଼ିଲା । ଶେଷ କେଇଟା ମାସ ତା’ ମଥାଟା ମଧ୍ୟ ଆଉ ଆୟତ୍ତରେ ରହି ପାରିଲାନାହିଁ । ତାକୁ ନେଇ ବାରମ୍ବାର ଜିଲ୍ଲା ମହକୁମାର ଡାକ୍ତରଖାନାକୁ ଦୀର୍ଘପଥ ଜଗଦଲପୁର ଯିବାକୁ ପଡ଼ିଲା । ଗୁଡ଼ାଏ ପଇସା ଖରଚ ହେଉଥାଏ । ବଡ଼ ଦହଗଞ୍ଜ ଭିତରେ ମଧ୍ୟ ଯିବାକୁ ପଡ଼େ । ସାନ ଜଗତୁକୁ ମଧ୍ୟ ସାଙ୍ଗରେ ନେବାକୁ ହୁଏ । ଗାଆଁରେ ଥିବା କୋଣ୍ଡୁର ସାଙ୍ଗମାନେ ଅବଶ୍ୟ ସାହାଯ୍ୟ କରନ୍ତି । ମାତ୍ର, ଏତେ ଚେଷ୍ଟା କରି ମଧ୍ୟ କୌଣସି ଫଳ ହେଲାନାହିଁ, ଡାକ୍ତରମାନେ ମଧ୍ୟ ଆଉ କିଛି କରି ହେବନାହିଁ ବୋଲି କହିଦେଲେ । ମୃତ୍ୟୁବେଳକୁ କୋଣ୍ଡୁ ପୂରା ଗୋଟାଏ ଚୋପା ପରି ହୋଇ ଯାଇଥିଲା । ତା’ ଆଗ ଚେହେରାର ଆଦୌ କିଛି ହେଲେ ନଥିଲା ।

 

ଜଗତୁ ସେହି ପିଲାଦିନୁଁ ହିଁ ତା’ ସାଙ୍ଗମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ପ୍ରକାରର ଥିଲା । ଘୋଟୁଲଟାରେ ମଧ୍ୟ ସିଏ ପର୍ବପର୍ବାଣିର ଆନନ୍ଦଗୁଡ଼ିକରେ କ୍ୱଚିତ୍ ଯୋଗ ଦେଉଥିଲା,–ସାଙ୍ଗମେଳରେ ଗୁଡ଼ାଏ କଥାବାର୍ତ୍ତା ଅଥବା ହସରେ ମଧ୍ୟ ମାତି ଯାଉନଥିଲା । ସବୁବେଳେ ଅଲଗା ହେଲାପରି ରହେ,–ଖୁବ୍ କ୍ୱଚିତ୍ କଥା କହେ, କହିଲେ ଖୁବ କମ୍ କଥା ବି କହେ । ଗାଆଁରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଜଗତୁ ପଞ୍ଚମ ଶ୍ରେଣୀ ଯାଏ ପାଠ ବି ପଢ଼ିଥିଲା । ମଧ୍ୟ-ଇଂରାଜୀ ସ୍କୁଲଟା ତ ଆହୁରି ଦୂର;–ଏଣେ ମାଆ ଘରର ଏତେ ପ୍ରାଣୀଙ୍କର ପେଟକୁ ଦାନା ଯୋଗାଇ ପାରିବା ଲାଗି ପ୍ରତ୍ୟହ କଠିନ ଶ୍ରମ କରିବାରେ ଲାଗିଛି । ତା’ର ବି ଦେହ ଦୁର୍ବଳ ହୋଇ ଆସୁଥାଏ, ବୟସ ବଢ଼ି ବଢ଼ି ଯାଉଥାଏ । ତା’ ମାଆ ମୋଟେ ନୁହେଁ,–ବରଂ ସିଏ ନିଜେ ନିଷ୍ପତ୍ତି କରିଥିଲା ଯେ ସିଏ ଏଣିକି ଇସ୍କୁଲ ଯିବା ବନ୍ଦ କରିଦେବ । ସିଏ ଶେଠଙ୍କ ବିଲରେ ଯାଇ ମୂଲ ଲାଗିଲା,–ତା’ ନିଜ ମାଆସାଙ୍ଗରେ ସେଠାକୁ କାମ କରିଗଲା ।

 

ତଥାପି, ତା’ର ଇସ୍କୁଲ ଯିବା ବନ୍ଦ ହୋଇ ଯାଇଥିଲେ ବଡ଼ ଛପା ବହି ପ୍ରତି ତା’ର ଏକ ବିଚିତ୍ର ପ୍ରକାରର ଆଗ୍ରହ ରହିଥିଲା । ପିଲାଙ୍କ ପାଠ୍ୟପୁସ୍ତକ, ଗାଆଁରେ ଆସି ପହଞ୍ଚୁଥିବା ୟାଡ଼ୁସାଡ଼ୁ ସରକାରୀ ନାନା ବିଜ୍ଞପ୍ତି, ଭୋଟ୍ ସମୟର ଭଳି ଭଳି ପୋଷ୍ଟର୍, ଏପରିକି ହାଟ ବଜାରରୁ ଖରିଦ ହୋଇ ଆସୁଥିବା ଦ୍ରବ୍ୟମାନ ଯେଉଁସବୁ କାଗଜରେ ଗୁଡ଼ା ହୋଇଥିଲା,–ପ୍ରବଳ ଆଗ୍ରହର ସହିତ ଜଗତୁ ସେଗୁଡ଼ିକୁ ଗୋଟାଇ ନେଇ ପଡ଼ି ପକାଉଥିଲା ।

 

ଯେଉଁଦିନ ତା’ ମାଆ ପ୍ରଥମଥର ପାଇଁ ତା’ ବାପର ଜମି ବିଷୟରେ ତାକୁ କହିଲା, ଦିନେ ଦିନେ ସେହି ଜମିକୁ ଅବଶ୍ୟ ପୁଣି ପାଇବ ବୋଲି ସିଏ ସଙ୍ଗେ ସଙ୍ଗେ ନିଜର ମନଭିତରେ ସ୍ଥିର କରି ନେଇଥିଲା । ବରଷକୁ ବରଷ ଚାଲି ଯାଉଥିବା ସହିତ ଶପଥଟି ତଥାପି ସ୍ଥାୟୀ ହୋଇ ରହିଥାଏ ଓ ଅଧିକ ଶକ୍ତିଶାଳୀ ହେବାରେ ଲାଗିଥାଏ । କିନ୍ତୁ, କିପରି ଯେ ସେହି ଜମିକୁ ଫେରି ପାଇବ, ତାହାର ଉପାୟ ବିଷୟରେ ତାକୁ କିଛି ଜଣା ନଥିଲା । ତଥାପି, ସିଏ ବେଶ୍ ବୁଝି ପାରୁଥାଏ ଯେ, କେବଳ କଚେରୀର ମାଧ୍ୟମରେ ହିଁ ଏହି କଥାଟି ସମ୍ଭବ ହେବ । ଅଭାବୀ ମାସଗୁଡ଼ିକରେ ଜଗତୁ ପ୍ରାୟ ପ୍ରତିଦିନ ଚାଲି ଚାଲି କଚେରୀଯାଏ ଯାଏ,–କାରଣ ଆଉକିଛି କାମ ବି ମିଳେନାହିଁ । ତା’ ସାଙ୍ଗମାନେ ସେତେବେଳେ ଝିଅମାନଙ୍କ ସହିତ ଘୋଟୁଲ ଘରେ କେତେସବୁ ମଜା କରୁଥାଆନ୍ତି, କିନ୍ତୁ ସିଏ ସଂପୂର୍ଣ୍ଣ ଏକ ଅନ୍ୟ ବାତାବରଣ ମଧ୍ୟରେ,–କଚେରୀକୁ ଯାଇ ହିଁ, ଜୀବନର ପାଠଟିକୁ ପଢ଼ିବାରେ ଲାଗିଥାଏ । ନିଜେ ସବୁକିଛି ଦେଖି ପାରୁଥାଏ : ଦରଖାସ୍ତ ଲେଖି ଦେଉଥିବା ନବସିନ୍ଧା, ଟାଉଟର, ଓକିଲ, ପିଅନ ପିଆଦା, କଚେରୀର କିରାନି ଏବଂ ମାଜିଷ୍ଟ୍ରେଟ୍‍ ସକଳ,–ଏହି ସମସ୍ତଙ୍କର ମତିଭ୍ରମକାରୀ ଜାଲ ଭିତରେ ବିଚରା ନିରକ୍ଷର ମଣିଷମାନେ ମକଦ୍ଦମାଗୁଡ଼ିକର ଜରିଆରେ ଯାଇ ପଡ଼ି ଯାଇଥାନ୍ତି : ଏବଂ, ଆଇନ୍‍ କାର୍ଯ୍ୟକାରୀ ହେଉଥିବାର ସେହି ସଦା ଅଚଞ୍ଚଳ ବାରଣ୍ଡା ଓ କନ୍ଦିଜାଗା ଗୁଡ଼ିକ ମଧ୍ୟ ସେହି ଚକ୍ରାନ୍ତରେ କେଡ଼େ ମୁଖର ହୋଇ ରହିଥାନ୍ତି । ଏହିଠାରୁ ହିଁ ମୁଁ ମଧ୍ୟ ମୋ’ ନ୍ୟାୟଟିକୁ ଅବଶ୍ୟ ପାଇବି,–ଜଗତୁ ମନେ ମନେ ନିଜ ପାଖରେ ସଂକଳ୍ପ କରିବାରେ ଲାଗିଥାଏ । ହଁ, ହଁ, ମୁଁ ଏହିଠାରୁ ହିଁ ଅବଶ୍ୟ ନ୍ୟାୟ ପାଇବି ।

 

୧୯୮୨ ମସିହା ହୋଇଥାଏ । ସେହି କଚେରୀମାନଙ୍କରେ ହିଁ ଜଗତୁ ପ୍ରଥମଥର ପାଇଁ ଏକ ନୂଆ–ଆଇନ୍‍ ପ୍ରଣୟନ କରାଯାଇଥିବାର ଜାଣିବାକୁ ପାଇଥିଲା ଯେ, ଯେଉଁଥିରେ କି ଆଦିବାସୀମାନଙ୍କର ଜମି ବିଷୟରେ କିଛି କୁହା ଯାଇଥିଲା । ମଧ୍ୟପ୍ରଦେଶ ଜମିଜମା ଆଇନ୍ ବୋଲି ସେହି ବିଧାନଟିକୁ ସେ ଜାଣିବାକୁ ପାଇଲା । ଏହି ମୌଳିକ ଆଇନ୍‍ଟି ଘୋଷଣା କରିଥିଲା ଯେ, ଜଣେ ଆଦିବାସୀଠାରୁ ଜଣେ ଅଣ ଆଦିବାସୀ ହାତକୁ ପୂର୍ବରୁ ହସ୍ତାନ୍ତରିତ ହୋଇଥିବା ଯାବତୀୟ, ଜମିର କ୍ଷେତ୍ରରେ, ଯେଉଁଥିରେ କି ସେହି ଆଦିବାସୀକୁ କୌଣସି ପ୍ରକାରେ ପ୍ରବଞ୍ଚିତ କରା ଯାଇଥିବ ଅଥବା ତା’ର ଆଇନ୍‌ଗତ କୌଣସି ଅଧିକାରରୁ ତାକୁ ବଞ୍ଚିତ କରା ଯାଇଥିବ, ତେବେ ସେହି ଜମିକୁ ତୁରନ୍ତ ଆଦିବାସୀକୁ ହିଁ ଫେରସ୍ତ ଦିଆଯିବ, ଓ ଏପରିକି ସେଥିପାଇଁ କୌଣସି କ୍ଷତିପୂରଣ ଦେବାକୁ ମଧ୍ୟ ପଡ଼ିବ ନାହିଁ । ପୁନଶ୍ଚ, ଏହି ନୂତନ ପ୍ରଗତିଶୀଳ ଆଇନଟିରେ କୁହା ଯାଇଥିଲା ଯେ, ଜଣେ ଆଦିବାସୀଠାରୁ ଜଣେ ଅଣଆଦିବାସୀ ପାଖକୁ ହସ୍ତାନ୍ତରିତ ହୋଇଥିବା ଜମିର ଯାବତୀୟ କ୍ଷେତ୍ରରେ ବିଚାରାଳୟ ଅବଶ୍ୟ ଅନୁମାନ କରିନେବ ଯେ, ଆଦିବାସୀଟିକୁ ଅବଶ୍ୟ ଧୋକା ଦିଆଯାଇଛି ଏବଂ, ହସ୍ତାନ୍ତରର ପ୍ରକ୍ରିୟାଟିରେ ବେଆଇନ୍ ଭାବରେ କୌଣସି ଧୋକା ଦିଆ ଯାଇନାହିଁ କିମ୍ବା ବେଆଇନ୍ କାର୍ଯ୍ୟ କରା ଯାଇନାହିଁ ବୋଲି ଅଣଆଦିବାସୀକୁ ପ୍ରମାଣ ଯୋଗାଇଦେବାକୁ ପଡ଼ିବ ।

 

ଜଗତୁ ଅତ୍ୟନ୍ତ ଉତ୍ସାହିତ ହୋଇ ପଡ଼ିଥିଲା : ନିଜର ଜମିକୁ ଫେରିପାଇବା ନିମନ୍ତେ ତାକୁ ଏହି ଆଇନଟିର ହିଁ ଆଶ୍ରୟ ନେବାକୁ ପଡ଼ିବ ।

 

ସେଦିନ ରାତିରେ ଜଗତୁ ନିଜ ଭାରିଯା ମଙ୍ଗଲିୟା ସାଙ୍ଗରେ ଏହି ନୂଆ ଆଇନ୍‍ଟି ବିଷୟରେ କଥା ବି ହୋଇଥିଲା । ମାତ୍ର ଭାରିଯା ଆଦୌ ପରତେ ଗଲାନାହିଁ ଓ ତେଣୁ କୌଣସି ଉତ୍ସାହ ଦେଖାଇ ନଥିଲା । ଏହିସବୁ କଚେରୀ ଗରିବମାନଙ୍କ ପାଇଁ ତିଆରି ହୋଇ ନାହାନ୍ତି,–ସିଏ ସନ୍ଦେହ ପ୍ରକାଶ କରି କହିଥିଲା । ଜଣେ ଗରିବ ଲୋକ କେବେ ଏହିସବୁ କଚେରୀର ନ୍ୟାୟ ପାଇବାର ତୁ ଜାଣିଛୁ ? ପୁନଶ୍ଚ, କଚେରୀ ଯିବାପାଇଁ ପଇସା ବି ତ ଲାଗିବ ! ହାଡ଼ଭଙ୍ଗା କାମ କରି ତୁ ପ୍ରତିଦିନ ଯାହା ଉପାର୍ଜନ କରୁଛୁ ତାହା ତ ଉଦର ଭିତରେ ଯାଇ ପଡ଼ୁଛି ଓ ତୁ ତଥାପି ଭୋକରେ ରହୁଛୁ, ଏବଂ ବର୍ତ୍ତମାନ ଏହି କଚେରୀ ନଈକୁ ସନ୍ତରଣ କରି ସେକୂଳରେ ଯାଇ ପହଞ୍ଚିବାକୁ ତୁ ପଇସା ବି କେଉଁଠାରୁ ପାଇବୁ ? ଏବଂ, ଜାଣିଛୁ ତ, ତୁ କାହା ବିରୁଦ୍ଧରେ ଲଢ଼ିବୁ ବୋଲି ବାହାରିଛୁ ? ସିଏ କେଡ଼େ ବଡ଼ ମଣିଷ, ସେଇ ଶେଠ,–ତା’ ହାତରେ କେତେ ବଳ ଓ କେତେ ପଇସା । ତୁ ତା’ ବିରୁଦ୍ଧରେ ତୁଣ୍ଡ ଖୋଲିଲେ ସିଏ ତୋତେ ଜୀବନରେ ରଖିବ ଟି ? ବର୍ତ୍ତମାନ ଆମପାଖରେ ସିନା ସେମିତି ବେଶୀ କିଛି ନାହିଁ, ତଥାପି ବଞ୍ଚି ରହିଛୁ ତ ! କିନ୍ତୁ, ଯଦି ତୁ କଚେରୀକୁ ଯିବାର ପାଗଳାମି କରିବୁ ତେବେ ଆମର ଆଉ କିଛି ହିଁ ରହିବନାହିଁ । ଆମେ ସର୍ବସ୍ୱାନ୍ତ ହୋଇଯିବା । ତେଣୁ ତୁ ଏତିକିରେ ତୁନି ପଡ଼ିଯାଇ ପାରୁନୁ କାହିଁକି, ମାନିନେଉନୁ କାହିଁକି ଏବଂ, ଅନ୍ୟମାନଙ୍କ ପରି ହୋଇପାରୁନୁ କାହିଁକି ?

 

ଜଗତୁ ଭାରିଯା ସାଙ୍ଗରେ ଆଉ କଥାଟାକୁ ବଢ଼ାଇ ନଥିଲା । କିନ୍ତୁ ଯାହା କରିବ, ସିଏ ସଂପୂର୍ଣ୍ଣ ଭାବରେ ସ୍ଥିର କରି ନେଇଥିଲା । ମାଆ କଥା ଖୁବ୍‍ ମନେ ପଡ଼ି ଯାଉଥାଏ । ମାଆ ନିଶ୍ଚୟ ବୁଝିଥାନ୍ତା । କିନ୍ତୁ ଏ ମଙ୍ଗଲିଆ ବୁଝି ପାରୁନାହିଁ । ମର୍‍ହାଇଠାରେ ହେଉଥିବା ବାର୍ଷିକ ମେଳାରେ ତା’ର ମଙ୍ଗଲିଆ ସହିତ ଭେଟ ହୋଇଥିଲା । ତାହା ହେଉଛି ତିନିବର୍ଷ ତଳର କଥା,–ସେତେବେଳକୁ ମାଆ ବଞ୍ଚିଥିଲା । ପ୍ରଚଳିତ ରୀତି ଅନୁସାରେ ସିଏ ମାଆ ରହୁଥିବା ସ୍ଥାନରୁ ଖଣ୍ଡେ ଦୂରରେ ନିଜର ଅଲଗା କୁଡ଼ିଆଟିଏ ତିଆରି କଲା ଓ ସେହିଠାରେ ହିଁ ନିଜର ନୂଆ ଘରଟିଏ କରି ରହିଲା । ସେହି ଶେଷ କେତେ ମାସ ତା’ର ମାଆ ବେଶୀ କଥା କହୁନଥିଲା । ଅଣ୍ଟା ନଇଁ ଯାଇଥିଲା, ଦେହର ଚମ ମଧ୍ୟ ଧୋକଲା ହୋଇ ଯାଇଥିଲା,–ଅଧିକରୁ ଅଧିକ ପରିମାଣରେ ନିଜର ଭାବନାଗୁଡ଼ିକ ମଧ୍ୟରେ ନିମଗ୍ନ ରହି ବାସ କରୁଥିଲା । କିନ୍ତୁ, ବେଳେବେଳେ ସଂଜ ସମୟରେ ସିଏ ଆଗପରି ପୁଅ ପାଖରେ ବି ଆସି ବସୁଥିଲା; ସେମାନେ ଏକାଠି ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଆଡ଼କୁ ଅନାଇ ରହୁଥିଲେ ଏବଂ ସେହି ଧୀର ମଣିଷ କୋଣ୍ଡୁ ବିଷୟରେ କଥାବାର୍ତ୍ତା ହେଉଥିଲେ । ନିଜର ହାତଛଡ଼ା ହୋଇ ଯାଇଥିବା କମିଟି ବିଷୟରେ ମଧ୍ୟ ହୁଏତ କଥା ପଡ଼ି ଯାଉଥିଲା ।

 

ହଁ, ମାଆ ଥିଲେ ନିଶ୍ଚୟ ବୁଝିଥାଆନ୍ତା । ଏବିଷୟରେ ଜଗତୁ ମନରେ କୌଣସି ସନ୍ଦେହ ନଥିଲା । ମାତ୍ର ମଙ୍ଗଲିଆ ବୁଝି ପାରୁନାହିଁ ।

 

ମଙ୍ଗଲିଆ ତ ଚାହୁଁଥିଲା ଯେ ଜଗତୁ ମଧ୍ୟ ଅନ୍ୟମାନଙ୍କ ବାଗିର୍ ହେଉ । କିନ୍ତୁ ସେ କଦାପି ଅନ୍ୟମାନଙ୍କ ବାଗିର୍ ହୋଇ ପାରିବ ନାହିଁ । ସିଏ ଜାଣିଥିଲା ଯେ ଅନ୍ୟମାନେ ହେଉଛନ୍ତି ଖୁବ ଭଲ ମଣିଷ,–ସବୁଠାରୁ ଭଲ ମଣିଷ,–ଏହି ଗାଆଁର ମୁଖିଆ ମଣିଷମାନେ । କିନ୍ତୁ, ଅତିମାତ୍ରାରେ ବିଶ୍ଵାସ କରିପକାନ୍ତି ଓ ଅତିମାତ୍ରାରେ ମାନି ନିଅନ୍ତି । ସିଏ ସେମାନଙ୍କ ପରି ମୋଟେ ହୋଇ ପାରିବନାହିଁ । ସିଏ ତେବେ ବି ଗାଆଁରେ ଆସି ସେହି ନୂଆ ଆଇନଟି ବିଷୟରେ କେତେଜଣଙ୍କୁ କହିଥିଲା । ଭାରି ଆତୁରତା ସହିତ କହିଥିଲା ଯେ ଏହାଦ୍ୱାରା ନ୍ୟାୟ ପାଇବାଲାଗି ଏକ ସୁଯୋଗ ଆସିଛି । ବର୍ଷବର୍ଷର ଶୋଷଣ ପରେ, ଯାହାର ଆମେ ପ୍ରକୃତ ଅଧିକାରୀ, ବାହାରୁ ଆସିଥିବା ମଣିଷମାନଙ୍କଠାରୁ ତାହାକୁ ଫେରି ପାଇବାର ସୁଯୋଗ ଆସି ପହଞ୍ଚିଛି ।

 

କିନ୍ତୁ, ତା’ କଥାକୁ କେହି କାନ ଦେଉନଥାନ୍ତି । ସେମାନେ ଅବଶ୍ୟ ଶୁଣିବେ ବୋଲି ଜଗତୁ ଆଗରୁ ଅନ୍ତତଃ ଅଧେ ଆଶା ରଖିଥିଲା । ଖାଲି ଭୟ ହେତୁ ଯେ ସେମାନେ ଏଣେ ନିଘା କଲେନାହିଁ ସେକଥା ନୁହେଁ,–ଅବଶ୍ୟ ଗାଆଁଟିରେ ଏପରି କେହି ଜଣେ ବି ମଣିଷ ନଥିଲେ ଯିଏ କି ଶେଠର ଅନାଚାର ଦ୍ଵାରା ଆକ୍ରାନ୍ତ ହୋଇ ନଥିଲେ । ହଁ, ସେମାନଙ୍କର ଲଢ଼ାଇଟି ସମ୍ପୂର୍ଣ୍ଣ ଭାବରେ ଠିକ୍ ଓ ନ୍ୟାୟସଙ୍ଗତ ବୋଲି ଯଦି ଲୋକମାନଙ୍କର ସଂପୂର୍ଣ୍ଣ ପ୍ରତ୍ୟୟ ହୋଇପାରନ୍ତା, ତେବେ ସମ୍ଭବତଃ ସେମାନେ ଭୟ ତ୍ୟାଗ କରନ୍ତୁ ଏବଂ ଏକାଠି ହୋଇ ସେମାନେ ଯାହା ଠିକ ବୋଲି ଭାବୁଛନ୍ତି, ସେଥିପାଇଁ ସଂଗ୍ରାମ କରନ୍ତୁ ବୋଲି ସେମାନଙ୍କୁ ପ୍ରବର୍ତ୍ତାଇବା ସମ୍ଭବ ବି ହୋଇପାରନ୍ତା ।

 

କିନ୍ତୁ, ଏହି ଆଇନଟି ଯେ ଗୋଟିଏ ଉଚିତ ଆଇନ ଥିଲା, ଅଧିକାଂଶ ଆଦିବାସୀ ସେକଥାଟି ବିଷୟରେ ମଧ୍ୟ ବିଶ୍ଵାସ କରୁନଥିଲେ । ସେମାନେ ଓଲଟି କହୁଥିଲେ, ଆଇନ୍ ଯାହା ହୋଇଥାଉ ପଛକେ, ଯଦି ତୁମେ ଶେଠ ଠାରୁ ଟଙ୍କା କରଜ ନେଇଛି ଓ ସେହି କରଜକୁ ଶୁଝି ପାରୁନାହଁ, ତେବେ ଶେଠ୍ ଆସି ତୁମର ଜମି ନେଇଗଲା ତ ସେଥିରେ କି ଅନ୍ୟାୟ ହୋଇଗଲା ? ଏବଂ, ଯେଉଁମାନଙ୍କର ଅଳପ ବୟସ, ସେମାନେ କହିଲେ : ଜମିଟାକୁ ତ ଆମ ବାପା କିମ୍ବା ବାପାଙ୍କ ବାପା ତାଙ୍କୁ ଦେଇଥିଲେ । ସେମାନେ କୋଉଦିନୁ ସଂସାରରୁ ଚାଲିଗଲେଣି । ସେତେବେଳେ ଆମେ ନିତାନ୍ତ ପିଲା, ଅଥବା ଆମର ଜନ୍ମ ମଧ୍ୟ ହୋଇନଥିଲା । ତେବେ, ଆମେ କିପରି ଯାଇ କଚେରୀରେ ଠିଆ ହୋଇ କହିପାରିବା ଯେ ଏହି ଜମି ଆମଠାରୁ ଠକାମି କରି ଛଡ଼ାଇ ନିଆଯାଇଛି । ପ୍ରକୃତରେ କ’ଣ ହୋଇଥିବ, ସେକଥାକୁ କିଏ ବା ଜାଣିଛି ? ହଁ, ଗୋଟାଏ ଆଇନ୍ ପାସ୍ କରିଦେଇ କଚେରୀ ଜମିଟାକୁ ଆମକୁ ଫେରସ୍ତ ଦେଲେ ମଧ୍ୟ, ତାହା ଗ୍ରହଣ କରିବାକୁ ଆମର ତଥାପି ରାଜି ନହେବା ହିଁ ଉଚିତ ।

 

ବୁଝାଇ ବୁଝାଇ ଜଗତୁର ଧୈର୍ଯ୍ୟ ବି ଆଉ ରହିଲା ନାହିଁ । ସିଏ ଆଉ ବୁଝାଇବା ବନ୍ଦ କରି ନିଜ କଥା ନିଜ ଭିତରେ ହିଁ ରଖିଲା । କିନ୍ତୁ, ଯାହା କରିବା କଥା, ତାହାକୁ ସ୍ଥିର କରି ସାରିଥିଲା-। ସିଏ କଦାପି ଏହି ଅନ୍ୟାୟ ସହ୍ୟ କରି ପାରିବନାହିଁ । ଲଢ଼ିବ, ତା’ ନିଜ ଜମିଟି ନିଜ ଅଧିକାରକୁ ଆସିବା ପର୍ଯ୍ୟନ୍ତ ହିଁ ଲଢ଼ାଇ କରିବ ।

 

ଜମି ବାବଦରେ ଯାବତୀୟ କାଗଜପତ୍ର ସଜିଲ କରି ସାରିବା ପରେ ଜଗତୁ ଯାଇ ସବଡିଭିଜନାଲ ମାଜିଷ୍ଟ୍ରେଟ୍‍ଙ୍କର କଚେରୀ ବାହାରେ ଠିଆ ହେଲା । ଭିତରକୁ ଯିବାପାଇଁ ଆଦେଶ ପାଇବା ପରେ ତରୁଣ ଅଫିସରଙ୍କ ଟେବୁଲ ପାଖରେ ଯାଇ ଛିଡ଼ା ହେବା ସମୟରେ ତାକୁ ବେଶ ଶଙ୍କିତ ଲାଗୁଥିଲା ସିନା, ମାତ୍ର ସିଏ ସେହି ଶଙ୍କାକୁ ମୋଟେ ପ୍ରକାଶ କରୁନଥାଏ । ସିଏ ନିଜ ବାପର ଜମିଟି ବିଷୟରେ କହିଲା, ଶେଠ ବାବୁଲାଲ ଯୋଶୀ ବିଷୟରେ କହିଲା,–କରଜରେ ଦିଆ ଯାଇଥିବା ଟଙ୍କା ଓ କଲେକ୍ଟର୍‍ଙ୍କ କଚେରୀରେ ଘଟିଥିବା ଘଟଣାଟି ବିଷୟରେ ମଧ୍ୟ ସବୁ କହିଥିଲା-। ହଁ, ନୂଆ ଆଇନଟି କଥା ମଧ୍ୟ କହିଥିଲା ଏବଂ ଠକାମି କରି ଯେଉଁ ଜମି ତା’ ବାପଠାରୁ ନେଇ ନିଆ ଯାଇଛି, ତାହାକୁ ଫେରି ପାଇବା ନିମନ୍ତେ ତା’ ନିଜର ସଂକଳ୍ପ ବିଷୟରେ ମଧ୍ୟ ସବୁକଥା କହି ଦେଇଥିଲା ।

 

ତରୁଣ ହାକିମ ଏହି ବାବତରେ ନିଜ କଚେରୀରେ ଗୋଟିଏ ମକଦ୍ଦମା ଦାଏର୍ କରାଯିବ ବୋଲି କହିଥିଲେ ଏବଂ ଜଗତୁକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଭରସା ଦେଇଥିଲେ । ସିଏ ନିଜଆଡ଼ୁ ଚେଷ୍ଟା କରି ଜଗତୁ ପାଇଁ ଜଣେ ଓକିଲ ନିଯୁକ୍ତ କରିଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ । ସରକାରଙ୍କର ଆଇନ୍ ସହାୟତା କାର୍ଯ୍ୟକ୍ରମ ଅନୁସାରେ ଏପରି କରିଦେବା ଲାଗି ତାଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ଜଗତୁର ଅସାଧାରଣ ଦୃଢ଼ତା ଦେଖି ସିଏ ମୁଗ୍ଧ ହୋଇ ଯାଇଥିଲେ; ତା’ ବିରୋଧପକ୍ଷଟି ଯେଉଁସବୁ ଶକ୍ତିଗୁଡ଼ିକୁ ଆଣି ଖଟାଇବାକୁ ଚେଷ୍ଟା କରିବ, ସେବିଷୟରେ ମଧ୍ୟ ଅବଗତ ରହିଥିଲେ । ତେଣୁ, ତାଙ୍କ କଚେରୀରେ ନିଜକୁ ସର୍ବୋତ୍ତମ ବୋଲି ପରିଚୟ ଦେଇଥିବା ଜଣେ ଓକିଲଙ୍କୁ ସିଏ ଏଥିଲାଗି ନିଯୁକ୍ତ କରି ଦେଇଥିଲେ ଏବଂ ଆଇନ୍ ସାହାଯ୍ୟରେ ଏହି ମାମଲାଟିକୁ ସିଏ ବୁଝନ୍ତୁ ବୋଲି ତାଙ୍କୁ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଥିଲେ ।

 

ସମନମାନ ଜାରି ହୋଇଗଲା ଓ ପ୍ରଥମ ଶୁଣାଣି ପୂର୍ବରୁ ବାବୁଲାଲ ଯୋଶୀ ଆସି ହାକିମଙ୍କର ଅଫିସରେ ଆସି ହାଜର ହୋଇ ଯାଇଥିଲେ । ଟାଣ ଇସ୍ତ୍ରୀକରା ଧୋବରଙ୍ଗର ଖଦୀ ପିନ୍ଧିଥିଲେ ଓ ସବୁଦିନ ପରି କପାଳରେ ଲାଲ ତିଳକଚିତାଟିଏ ବି ଲଗାଇଥିଲେ । ହାତ ଯୋଡ଼ି କୋମଳ ଅଥଚ ପରିଷ୍କାର ଭାବରେ ଏକ କର୍ତ୍ତୃତ୍ୱମିଶ୍ରିତ କଣ୍ଠରେ ବାବୁଲାଲ ତାଙ୍କ ଆଗରେ ମକଦ୍ଦମା ବିଷୟରେ ହିଁ କଥା ହୋଇଥିଲେ । ସିଏ ଅତ୍ୟନ୍ତ ଅବଜ୍ଞା ପୂର୍ଣ୍ଣ ଭାବରେ କଥା କହୁଥାନ୍ତି,–ସେହି ନିତାନ୍ତ କ୍ରୋଧଦାୟକ ଜନରବଟି ବିଷୟରେ କହୁଥାନ୍ତି ଯେ ତାଙ୍କ ଭଳି ଜଣେ ସମ୍ମାନିତ ସ୍ତରର ବ୍ୟକ୍ତି କୌଣସି ଏକ ଠକାମିରେ ଲିପ୍ତ ହୋଇ ରହିଛନ୍ତି । ସିଏ କହିଲେ ଯେ ତେଣୁ ଏହି ମକଦ୍ଦମାଟି ଅବଶ୍ୟମ୍ଭାବୀ ଭାବରେ ଡିସ୍‍ମିସ୍ ହିଁ ହୋଇଯିବ । ଅଫିସର ମହୋଦୟ ଭଦ୍ରତା ସହିତ ଅଥଚ କୌଣସି ପ୍ରତିକ୍ରିୟା ନଦେଖାଇ ତାଙ୍କର ସବୁ କଥାକୁ ଶୁଣିଥିଲେ ଏବଂ କେବଳ କଚେରୀରେ ସିଏ କଥାଟିର ନିଷ୍ପତ୍ତି କରିବେ ବୋଲି ଉତ୍ତର ଦେଲେ । ବାବୁଲାଲ ଏହି ସାକ୍ଷାତ କରି ଚାଲିଗଲା ପରେ ପ୍ରଭାବଶାଳୀ କେତେ ପଦରେ ଥିବା ବ୍ୟକ୍ତିମାନଙ୍କ ଠାରୁ ଟେଲିଫୋନ୍ ମଧ୍ୟ ଆସିଥିଲା । କିନ୍ତୁ ଅଫିସର ସେଗୁଡ଼ିକ ପ୍ରତି ଧ୍ୟାନ ଦେଇନଥିଲେ ।

 

ମକଦ୍ଦମାର ଶୁଣାଣି ଆରମ୍ଭ ହୋଇଗଲା । ହାକିମଙ୍କର ବଦଳି ଆଦେଶ ଆସି ପହଞ୍ଚିଲା । ଏଥିପୂର୍ବରୁ ମଧ୍ୟ ସେ ଆଦିବାସୀମାନଙ୍କର ପକ୍ଷ ସମର୍ଥନ କରି କେତେ ମକଦ୍ଦମାରେ ରାୟ ଦେଇ ସାରିଥାଆନ୍ତି ଏବଂ ତେଣୁ, ଅଣ-ଆଦିବାସୀମାନେ ଆତଙ୍କିତ ହୋଇ ଗୋଟିଏ ‘ସଂଘର୍ଷ ସମିତି’ ଗଠନ କରି ଉପର କୋର୍ଟଗୁଡ଼ିକରେ ସେଗୁଡ଼ିକ ବିରୁଦ୍ଧରେ ଲଢ଼ିବା ନିମନ୍ତେ ବହୁ ଅର୍ଥ ସମ୍ବଳିତ ପାଣ୍ଠିମାନ ସଂଗ୍ରହ ବି କରି ସାରିଥାନ୍ତି ।

 

ଦାୟିତ୍ଵ ହସ୍ତାନ୍ତର କରିବା ପୂର୍ବରୁ ହିଁ ହାକିମ ଜଗତୁର ମକଦ୍ଦମା ବିଷୟରେ ନିଜର ରାୟଟିକୁ ପ୍ରଦାନ କରିବାକୁ ହିଁ ସଂକଳ୍ପ କରି ସାରିଥିଲେ । ବାବୁଲାଲଙ୍କ ପକ୍ଷର ଓକିଲ ଯେପରି ମକଦ୍ଦମାକୁ ଆଉ ମୋଟେ ବିଳମ୍ବିତ କରିଦେଇ ନପାରିବେ, ସେଥିପାଇଁ ପରବର୍ତ୍ତୀ ତାରିଖରେ ସିଏ ନିଜକୁ ଆଉ ଅନ୍ୟ କାର୍ଯ୍ୟଗୁଡ଼ିକରୁ ମୁକ୍ତ କରି ରଖିଥିଲେ ।

 

ନିର୍ଦ୍ଧାରିତ ତାରିଖର ଦୁଇ ଦିନ ପୂର୍ବରୁ ବାବୁଲାଲ ମହାଶୟ ଯୋଡ଼ହସ୍ତ ହୋଇ ପୁନର୍ବାର ତାଙ୍କ ଅଫିସ୍‌ରେ ଆସି ହାଜର ହୋଇଗଲେ । ଆଜ୍ଞା, ମୋ’ ଓକିଲ ଅନ୍ୟ କୌଣସି କାମରେ ବାହାରକୁ ଯାଇଛନ୍ତି ବୋଲି ତାଙ୍କ ଆଗରେ ନିବେଦନ କରିଥିଲେ । ତେଣୁ, ଆଉ ଗୋଟିଏ ତାରିଖ ପଡ଼ିଲେ ଖୁବ୍ ଭଲ ହୁଅନ୍ତା । ହାକିମ ସମ୍ମତ ହୋଇନଥିଲେ ଏବଂ, ଜଣେ ନୂଆ ଓକିଲ ଠିକ୍ କରିବା ସକାଶେ ଯେ ଯଥେଷ୍ଟ ସମୟ ରହିଛି, ସେକଥା ବାବୁଲାଲକୁ କହିଥିଲେ ।

 

ମକଦ୍ଦମା ପଡ଼ିବା ଦିନ ସକାଳେ ରାୟପୁରରୁ ଆସିଥିବା ଫୋନ୍‍ଟିଏ ଥିର ଟିଣିଟିଣି ହୋଇ ବାଜି ଉଠିଥିଲା । ବାବୁଲାଲଙ୍କ ଓକିଲ ଫୋନ୍ କରୁଥିଲେ । କହୁଥିଲେ ଯେ, ଏହି ହାକିମ ଆଇନ୍ ଅନୁସାରେ ଆଉ ମକଦ୍ଦମାଟିର ବିଚାର କରି ପାରିବେ ନାହିଁ, କାରଣ ମକଦ୍ଦମାକୁ ସ୍ଥଗିତ ରଖିବା ନିମନ୍ତେ ସିଏ ଅତିରିକ୍ତ କମିଶନଙ୍କ କୋର୍ଟ୍‍ରୁ ଏକ ଅର୍ଡର୍ ନେଇ ଆସିଛନ୍ତି ।

 

କମିଶନରଙ୍କ ପାଖକୁ ତ ଏହି ମକଦ୍ଦମାର ବିବରଣୀ ଗୁଡ଼ିକର ନକଲ ଯାଇନାହିଁ, ତେବେ ବାବୁଲାଲ କିପରି ମକଦ୍ଦମାକୁ ସ୍ଥଗିତ ରଖିବାର ଆଦେଶଟିଏ ପାଇଗଲେ,–ଏସ୍.ଡ଼ି.ଓ. ମହୋଦୟ ସେହିକଥା ଭାବୁଥିଲେ । ତାଙ୍କ ଇଜଲାସରେ ମକଦ୍ଦମା ଚଳାଇବା ସଂକ୍ରାନ୍ତରେ ଆଇନ–ବହିର୍ଭୂତ କୌଣସି କାର୍ଯ୍ୟ ହୋଇଥିଲେ ଯାଇ ଉପରୁ ତାହାକୁ ସ୍ଥଗିତ ରଖିବାର ଆଦୌ କୌଣସି ଆଦେଶ ଆସିପାରିବ । ଏବଂ, ସେହି ମର୍ମରେ ଉପର କୋର୍ଟରେ ଅନ୍ତତଃ ତଳ କଚେରୀରେ ହୋଇଥିବା ବିଚାରର ବିବରଣୀଟିଏ ପହଞ୍ଚି ପାରିବା ଏକାନ୍ତ ଆବଶ୍ୟକ । ତେଣୁ, ଏପାଖରୁ ଉତ୍ତର ଦିଆଗଲା,–ଆପଣ ପ୍ରକୃତରେ ମକଦ୍ଦମାଟିକୁ ସ୍ଥଗିତ ରଖିବାର କୌଣସି ନିର୍ଦ୍ଦେଶ ପାଇନାହାନ୍ତି ଏବଂ, ସେକଥା ଯାହା ହୋଇଥାଉ ପଛକେ, ସ୍ଥଗିତ ରଖିବାର ଆଦେଶଟିକୁ ପାଳନ କରିବାକୁ ମୁଁ ବାଧ୍ୟ ବି ନୁହେଁ, କାରଣ ତାହାର କୌଣସି ନକଲ ମଧ୍ୟ ମୋ’ ପାଖରେ ଆସି ପହଞ୍ଚିନାହିଁ ।

 

ଏକଥା ଶୁଣି ଓକିଲ ତ୍ରସ୍ତ ହୋଇ ପଡ଼ିଲେ । ମକଦ୍ଦମାଟିକୁ ସ୍ଥଗିତ ରଖିବାର ଆଦେଶଟିକୁ ସେ ଡାକରେ ପଠାଇଥିଲେ । କାରଣ ସେଇଟି ଆଗାମୀ କାଲି ପୂର୍ବରୁ କଦାପି ପହଞ୍ଚି ପାରିବ ନାହିଁ । ତେଣୁ ସେ ଅଫିସରଙ୍କୁ ଆଉ ଗୋଟିଏ ଦିନ ପାଇଁ ଅପେକ୍ଷା କରିବାକୁ ଅନୁରୋଧ କଲେ । ଅଫିସର ସମ୍ମତ ହେଲେ ନାହିଁ ।

 

ଟେଲିଫୋନ୍‌ଟିକୁ ରଖିଦେଇ ସେ ବାବୁଲାଲଙ୍କ ବିରୁଦ୍ଧରେ ଏକ ଏକପାଖିଆ ଅର୍ଡର୍ ପ୍ରଦାନ କଲେ,–କାରଣ ଦର୍ଶାଇଥିଲେ ଯେ ବିହିତ ନୋଟିସ୍ ଦିଆଯାଇଥିଲେ ମଧ୍ୟ ସିଏ ତଥାପି ଅନୁପସ୍ଥିତ ରହିଛନ୍ତି । ସିଏ ଜଗତୁକୁ ଡାକି ତାଠାରୁ ପୂର୍ଣ୍ଣ ସାକ୍ଷ୍ୟ ଗ୍ରହଣ କରିଥିଲେ । ଏବଂ, ତା’ପରେ ଏକ ଦୀର୍ଘ ଓ ବିସ୍ତାରିତ ଆଦେଶ ଚିଠା କରାଇଲେ, ଯାହାକୁ କି ସେ ସେହିଦିନ ବିଳମ୍ବିତ ରାତ୍ରିରେ ହିଁ ସଂପୂର୍ଣ୍ଣ କରିଥିଲେ । ଜଗତୁ ଜନଶୂନ୍ୟ କଚେରୀଗୃହର ବାହାରେ ଅପେକ୍ଷା କରି ରହିଥାଏ । ନକଲ କରି ଦେଉଥିବା କିରାନି ଆଦେଶନାମାର ଏକ ନକଲ ତିଆରି କରିଦେଲେ ଏବଂ ହାକିମ ଜଗତୁକୁ କୋର୍ଟ ଭିତରକୁ ଡକାଇ ଆଣିଲେ । ତା’ ହାତରେ ସେହି ରାୟନାମାଟିକୁ ଦେଇ ତାକୁ କହିଲେ, ଏତେଦିନେ ଯାଇ ତୁ ନିଜର ଜମିକୁ ପ୍ରକୃତରେ ଫେରି ପାଇଲୁ ।

 

ତହିଁ ଆରଦିନ ଗାଧୁଆ ବେଳକୁ ଜଗତୁ ପୁନର୍ବାର ସେହି କଚେରୀରେ ଯାଇ ପହଞ୍ଚିଲା-। ଅତ୍ୟନ୍ତ ରୁଷ୍ଟ ହୋଇ କହିଲା ଯେ, ତହସିଲଦାର ତାକୁ ସେହି ଜମି ଉପରେ ଦଖଲ ଦେବାକୁ ମନା କରୁଛନ୍ତି । ଜମିଟା ବର୍ତ୍ତମାନ ମୋର, ସିଏ ତଥାପି ରାଜି ହେଉନାହାନ୍ତି-। ମାତ୍ର ସେତେବେଳକୁ ଅତିରିକ୍ତ କମିଶନରଙ୍କର କୋର୍ଟର ମକଦ୍ଦମାକୁ ସ୍ଥଗିତ ରଖିବାର ନିର୍ଦ୍ଦେଶଟି ଆସି ପହଞ୍ଚି ଯାଇଥାଏ । ଏବଂ ତେଣୁ କମିଟି ଆଉ ଜଗତୁର ଦଖଲକୁ ଆସି ପାରୁନଥାଏ ।

 

ଜଗତୁ ତଥାପି ପୂରା ଆଶା କରି ରହିଥାଏ । ତା’ର ଲଢ଼େଇଟା ଶେଷ ହେଲା ବୋଲି ଯିଏ ବିଶ୍ୱାସ ହିଁ କରି ଆସିଥିଲା । ମାତ୍ର, ତା’ ଲଢ଼େଇଟି ମାତ୍ର ଆରମ୍ଭ ହେଉଛି ବୋଲି ସିଏ ମୋଟେ ବୁଝି ପାରିନଥିଲା ।

 

ତଳ କୋର୍ଟ୍‍ର ରାୟ ବିରୁଦ୍ଧରେ ବାବୁଲାଲ ଜଗଦଲପୁରର ଜିଲ୍ଲା କୋର୍ଟରେ ଆପିଲ୍ କଲେ । ତା’ ସହିତ ଅତିରିକ୍ତ କମିଶନଙ୍କ କୋର୍ଟରେ ପୁନର୍ବିଚାର କରାଯିବା ସଂପର୍କୀୟ ଦରଖାସ୍ତଟିର ମଧ୍ୟ ଶୁଣାଣି ଚାଲିଥାଏ । ଶୁଣାଣିମାନଙ୍କରେ ହାଜର ରହିବାପାଇଁ ଜଗତୁକୁ ଜଗଦଲପୁର ଓ ରାୟପୁର ମଧ୍ୟରେ ଖୁବ୍ ଧାଁଧପଡ଼ ହେବାକୁ ପଡ଼ିଲା । କଲେକ୍ଟର ତଳ କୋର୍ଟ୍‍ର ରାୟଟିକୁ କାଏମ ରଖିଥିଲେ । ମାତ୍ର, ଅତିରିକ୍ତ କମିଶନରଙ୍କ ପାଖରେ ଯେତେଥର ତାରିଖ ପଡ଼ୁଥାଏ, ସେଥିରେ କୌଣସି କାର୍ଯ୍ୟ ହୋଇ ପାରୁନଥାଏ । କଲେକ୍ଟରଙ୍କର ଆଦେଶଟିକୁ ସାଙ୍ଗରେ ଧରି ଜଗତୁ ଜମିର ଦଖଲ ନେବ ବୋଲି ପୁଣିଥରେ ତହସିଲ୍‌ଦାର ପାଖରେ ଯାଇ ପହଞ୍ଚିଥିଲା । କିନ୍ତୁ, ଅତିରିକ୍ତ କମିଶନର ଦେଇଥିବା ସ୍ଥଗିତ ରଖିବାର ଆଦେଶଟି ତଥାପି ବଳବତ୍ତର ରହିଛି ବୋଲି ତହସିଲଦାର ଉତ୍ତର ଦେଇଥିଲେ । ଏବଂ, ତେଣୁ କମିଟିର ଦଖଲକୁ ଜଗତୁ ସପକ୍ଷରେ ହସ୍ତାନ୍ତର କରିବାଲାଗି ତାଙ୍କର ବର୍ତ୍ତମାନ କୌଣସି କ୍ଷମତା ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ ।

 

ଅତିରିକ୍ତ କମିଶନର୍‍ଙ୍କର ଇଜଲାସରେ ମକଦ୍ଦମାଟିର ତଥାପି ଶୁଣାଣି ଚାଲିଥାଏ । ସେହି ସମୟରେ ବାବୁଲାଲ ପୁନର୍ବିଚାର ନିମନ୍ତେ ଆଉଗୋଟିଏ ଦରଖାସ୍ତ ପେସ୍ କରିଥିଲେ । ଏଇଟିକୁ ସେ ସିଧା କମିଶନଙ୍କର କୋର୍ଟରେ ଦାଏର୍ କରି ଦେଇଥିଲେ । ତେଣୁ, ବର୍ତ୍ତମାନ ଜଗତୁକୁ ରାୟପୁରଠାରେ ମଧ୍ୟ ଅତିରିକ୍ତ କମିଶନର୍ ଓ କମିଶନଙ୍କ କୋର୍ଟଗୁଡ଼ିକୁ ଦଉଡ଼ିବାକୁ ପଡ଼ିଲା ।

 

ଜଗତୁର ଓକିଲ ଏହି ଯାବତୀୟ ସୋପାନରେ ତା’ପକ୍ଷରୁ ମକଦ୍ଦମାଟିକୁ ଲଢ଼ୁଥିଲେ । ତାଙ୍କୁ ସରକାରଙ୍କ ତରଫରୁ ଆଇନ୍ ସହାୟତା ପାଇଁ କିଛି ଅବଶ୍ୟ ମିଳୁଥିଲା, ମାତ୍ର ସେ ଜଗତୁଠାରୁ ଅଧିକା କୌଣସି ଦେୟ ଦାବି କରୁନଥିଲେ । ତଥାପି, ଖର୍ଚ୍ଚ ବଢ଼ିବାରେ ଲାଗିଥାଏ ଏବଂ ସେଥିନିମନ୍ତେ ଜଗତୁକୁ ନିଜର ଛେଳିମାନଙ୍କୁ ଓ ଗାଈ ଦୁଇଟିଙ୍କୁ ଗୋଟି ଗୋଟି କରି ବିକ୍ରୀ କରିଦେବାକୁ ପଡ଼ିଥିଲା । ହଁ, ତା’ ଦୁଆର ପାଖରେ ଥିବା ଶାଳଗଛର କାଠକୁ ମଧ୍ୟ ।

 

ଏହି ଅବଧିଟି ମଧ୍ୟରେ ମଙ୍ଗଲିଆ ଭାରି ବିରସ ଓ ନୈରାଶ୍ୟପୂର୍ଣ୍ଣ ହୋଇ ରହିଥିଲା–ପାଟି ବି ଫିଟାଉ ନଥିଲା । ଜଗତୁ କରୁଥିବା ଚେଷ୍ଟାଗୁଡ଼ିକର ମଧ୍ୟ କୌଣସି ବିରୋଧ କରୁନଥିଲା । ସିଏ ଜାଣିଥିଲା ଯେ, ଯେତେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଫଳ ହେବନାହିଁ । ଗୃହପାଳିତ ପ୍ରାଣୀଗୁଡ଼ିକ ଗୋଟିଏ ପରେ ଗୋଟିଏ ବିକ୍ରୀ ହୋଇଗଲେ, ସିଏ କୌଣସି ଆପତ୍ତି କରିନଥିଲା । କିନ୍ତୁ, ଯେତେବେଳେ ଶାଳଗଛଟିକୁ କାଟି ଦିଆଗଲା, ସେତେବେଳେ ତାକୁ ବିଶେଷ ବାଧିଥିଲା,–କାରଣ ସେହି ଗଛଟିରେ ସେମାନଙ୍କର ଗୃହଦେବତା ବାସ କରୁଥିଲେ । ସେହି ଗଛଟା କଟାହୋଇ ବିକ୍ରୀ ହେଲା, ସେଥିରୁ ସେ ବହୁତ ଅଶୁଭର ଆଶଙ୍କା କରିବାକୁ ଲାଗିଲା । ତଥାପି ଜଗତୁ କିଛିହେଲେ କାନକୁ ନେଉନଥାଏ ।

 

ଦିନେ ରାତିରେ ପୋଲିସ୍ ବିଭାଗର ଦୁଇଜଣ ସିପାହୀ ଆସି ସେମାନଙ୍କର ଘର ଭିତରକୁ ପଶିଗଲେ ଏବଂ ଜଗତୁକୁ ଧରି ଥାନାକୁ ନେଇ ଯାଇଥିଲେ । ସିଏ ଶାନ୍ତିଭଙ୍ଗ କରୁଛି ବୋଲି ତା’ ବିରୋଧରେ ଅଭିଯୋଗ ହୋଇଥିଲା । ସେତେବେଳେ ମଙ୍ଗଲିଆର ପାଞ୍ଚମାସ ଗର୍ଭ । ସିଏ ଅତ୍ୟନ୍ତ ଉଦ୍‍ବିଗ୍ନ ହୋଇ ପଡ଼ିଲା । ଓକିଲକୁ ପଇସା ଦେବାପାଇଁ ସିଏ ନିଜର ବାକି ରହିଥିବା ଅଳ୍ପ କେତୋଟି ରୂପା ଗହଣାକୁ ବିକ୍ରୀ କରିଦେଲା ଓ ଜଗତୁକୁ ଜାମିନରେ ଖଲାସ କରି ଆଣିଥିଲା-। ତହସିଲ୍ କୋର୍ଟରେ ଆଉ ଗୋଟିଏ ମକଦ୍ଦମା ଆରମ୍ଭ ହେଲା । ତେଣୁ, ଏଣିକି ଜଗତୁକୁ ରାୟପୁରର ଦୁଇଟିଯାକ କଚେରୀ ଓ ଏଠିକାର ତହସିଲଦାର କଚେରୀ,–ଏହି ତିନି କୋର୍ଟ୍‍କୁ ବାରମ୍ବାର ଧାଇଁବାକୁ ପଡ଼ିଥିଲା ।

 

ସତେ ଅବା ଏତିକି ଯଥେଷ୍ଟ ହେଲା ନାହିଁ ଓ ଆଉଗୋଟିଏ ନୋଟିସ୍ ଆସି ପହଞ୍ଚିଲା । ଏଇଟି ଜବଲପୁରରୁ ଆସିଥିଲା । ସେଠାରେ ହାଇକୋର୍ଟରେ ବାବୁଲାଲ ଯୋଶୀ ଆଉଏକ ଦରଖାସ୍ତ ପେସ୍ କରିଥିଲା । ବର୍ତ୍ତମାନ ପ୍ରଥମଥର ପାଇଁ ଜଗତୁକୁ ଆଉ ସିଏ ସତେଅବା ପାରିବନାହିଁ ପରି ମନେ ହୋଇଥିଲା । ସମସ୍ତେ କହିଲେ, ଜବଲପୁର ହେଉଛି ଏଠାରୁ ଶହ ଶହ ମାଇଲ୍‌ର ବାଟ । ଆଗ ବସ୍ ଧରି ରାୟପୁର ଯିବ, ଏବଂ, ସେହି ଦୀର୍ଘ ଧୂଳିପୂର୍ଣ୍ଣ ରାସ୍ତାକୁ ପାର ହେବା ପରେ କବଲପୁର ଯିବାପାଇଁ ଦୁଇଟି ରେଳଗାଡ଼ି  ଧରିବାକୁ ପଡ଼ିବ । ସିଏ ତ ଏପର୍ଯ୍ୟନ୍ତ କେବେ ରେଳଗାଡ଼ି ଟିଏ ଦେଖି ମଧ୍ୟ ନଥିଲା ।

 

ଘରର ଦ୍ରବ୍ୟଗୁଡ଼ିକୁ ବିକ୍ରୀ କରି ପାଇଥିବା ଟଙ୍କାରୁ ତା’ପାଖରେ ତଥାପି କିଛି ରହିଥାଏ-। ତା’ର ଓକିଲ ଜବଲପୁରରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଖଣ୍ଡେ ଚିଠି ଲେଖି ଦେଇଥିଲେ-। ସେଠାରେ ସିଏ ହାଇକୋର୍ଟରେ ଓକିଲାତି କରୁଥିଲେ । ସିଏ ଅବଶ୍ୟ ସାହାଯ୍ୟ କରିବେ-। ଏହିପରି ଭାବରେ ଜଗତୁ ଜବଲପୁର ଉଦ୍ଦେଶ୍ୟରେ ତା’ର ପ୍ରଥମ ଯାତ୍ରା ଆରମ୍ଭ କଲା ।

 

ପ୍ରଥମ ଶୁଣାଣି ପରେ ସିଏ କମିଶନଙ୍କ କୋର୍ଟରେ ରହିଥିବା ମକଦ୍ଦମାଟି ପଡ଼ିବ ବୋଲି ଜଗତୁ ସେଠାରୁ ରାୟପୁରକୁ ଫେରି ଆସିଥିଲା । ଶେଷରେ ଶେଷ ରାୟଟି ଶୁଣାଇ ଦିଆ ଯାଇଥିଲା । ଏହି ରାୟଟି ବି ଜଗତୁର ପକ୍ଷରେ ହିଁ ଥିଲା । ମାତ୍ର, ଏଥର ମଧ୍ୟ ସିଏ କମିଟି ଉପରେ ଦଖଲ ପାଇ ପାରିଲା ନାହିଁ, କାରଣ ହାଇକୋର୍ଟ ଦେଇଥିବା ସ୍ଥଗିତ ଆଦେଶଟି ବଳବତ୍ତର ରହିଥିଲା ।

 

ସିଏ ଫେରି ଆସି ଗାଆଁରେ ପହଞ୍ଚିଲା ବେଳକୁ ମଙ୍ଗଲିଆ ଗୋଟିଏ ପୁଅ ପ୍ରସବ କରି ସାରିଥିଲା । କିନ୍ତୁ, ଜଗତୁର ବାପ ହୋଇଥିବାର ଏହି ଆନନ୍ଦଟି ଆଦୌ ସ୍ଥାୟୀ ହୋଇ ରହିଲା ନାହିଁ, କାରଣ, ହାଇକୋର୍ଟରେ ମକଦ୍ଦମାଟିକୁ ଲଢ଼ିବା ସକାଶେ ସିଏ କିପରି କେଉଁଠାରୁ ପଇସା ଯୋଗାଡ଼ କରିବ, ସେହି ପ୍ରଶ୍ନଟି ହିଁ ତାକୁ ବଡ଼ ସନ୍ତାପରେ ପକାଇ ରଖିଥିଲା ।

 

ଦୁଇଦିନ ପରେ ଯାଇ ସିଏ ମୁଣ୍ଡଟାକୁ ସ୍ଥିର କରି ପାରିଲା । ବର୍ତ୍ତମାନ ତ ସେମାନଙ୍କର ସମ୍ପତ୍ତି କହିଲେ ସେମାନଙ୍କର ଏହି ବାସଗୃହଟି ଏବଂ ତା’ର ଚାରିପଟେ ରହିଥିବା ଅରାଏମାତ୍ର ଜାଗାକୁ ହିଁ ବୁଝାଉଛି । ସିଏ ବର୍ତ୍ତମାନ ଏଇଟିକୁ ମଧ୍ୟ ବିକିଦେବ ଓ ସ୍ତ୍ରୀ ଏବଂ ପୁଅଟି ସହିତ ଜବଲପୁର ଚାଲିଯିବ । ସେଠାରେ ସେମାନେ ଯେକୌଣସି ପ୍ରକାରେ ସଂସାରଟିକୁ ଚଳାଇବେ ଓ ସେହିଠାରେ ରହି ମକଦ୍ଦମାଟି ଲଢ଼ିବେ ! ଜଗତୁର ଏହି ବିଚାରଟିକୁ ମଙ୍ଗଲିଆ ଖାଲି ଶୁଣିଗଲା, ଆଦୌ କୌଣସି ମନ୍ତବ୍ୟ ଦେଇନଥିଲା କିମ୍ବା ତୁଣ୍ଡ ଖୋଲି କିଛି କହିଲା ନାହିଁ । କେବଳ ଆଖି ଦୁଇଟି ଯାହାକିଛି କହିବାକୁ ଇଚ୍ଛା କରୁଥିଲେ, ତୁଣ୍ଡର କଥା ଅପେକ୍ଷା ପ୍ରକୃତରେ ବହୁତ ଅଧିକ କହି ପାରୁଥିଲେ । ତଥାପି ସିଏ ହଁ ଭରିଲା ଏବଂ ଗୋଟିଏ ସପ୍ତାହ ପରେ ନିଜର ସ୍ତ୍ରୀ ଓ କୋଡ଼ରେ ଥିବା ଛୁଆଟିକୁ ଧରି ଜଗତୁ ଜବଲପୁର ଚାଲି ଯାଇଥିଲା ।

 

ରେଲଗାଡ଼ି ଜବଲପୁର ଷ୍ଟେସନରେ ଯାଇ ପହଞ୍ଚୁଛି, ହଠାତ୍ ଜଗତୁ ନିଜ ଭିତରେ ଗୋଟାଏ ଆତଙ୍କ ପରି କିଛି ଆରମ୍ଭ କରିବାକୁ ଲାଗିଲା । ସାଙ୍ଗରେ ସିନା ନିଜ କୁଟୁମ୍ବଟିକୁ ନେଇ ଚାଲିଆସିଲା, ମାତ୍ର ବର୍ତ୍ତମାନ ସେମାନେ କେଉଁଠାରେ ରହିବେ, କେଉଁଠାକୁ ଯିବେ ? ପେଟକୁ ଦାନା କିପରି ମିଳିବ ? ଏକୁଟିଆ ଆସୁଥିବା ସମୟରେ ତ ସିଏ ରାସ୍ତାକଡ଼ରେ କେଉଁଠାରେ ଯାଇ ଶୋଇ ପଡ଼ୁଥିଲା । କିନ୍ତୁ ଇହାଦେ ଏମାନଙ୍କୁ ନେଇ ସେ କୁଆଡ଼େ ଯିବ ?

 

ପ୍ରଥମ ଦୁଇଟା ରାତି ରାସ୍ତା ଉପରେ କଟିଲା । ଦିନବେଳେ ଜଗତୁ ତା’ ଓକିଲ ଅଫିସର ବାହାରେ ଯାଇ ବସୁଥିଲା ଓ ତା’ର ସ୍ତ୍ରୀ ଛୁଆଟିକୁ କୋଳରେ ଧରି ତୁନି ହୋଇ ଫାଟକ ପାଖରେ ବସି ରହୁଥିଲା । ଖାଇବାରେ ମଧ୍ୟ ପଇସା ଖରଚ ହେଉଥିଲା ଏବଂ ପାଖରେ ଥିବା ପଇସାତକ ସରିବାକୁ ବି ଆରମ୍ଭ କଲା ।

 

ତେଣୁ, କାମଟିଏ ଖୋଜି ବାହାର କରିବା ବ୍ୟତୀତ ଆଉ ଉପାୟାନ୍ତର ନାହିଁ । ତିନି ଦିନ କାମ ଖୋଜିବା ପରେ ଗୋଟିଏ ଗୃହ ନିର୍ମାଣ ହେଉଥିବା ସ୍ଥାନରେ ତାକୁ ଓ ଭାରିଯାକୁ କିଛି କାମ ମିଳି ବି ଯାଇଥିଲା । କାମ କରୁଥିବା ସମୟରେ ମଙ୍ଗଲିଆ ଛୁଆଟିକୁ ନିଜ ପିଠିରେ ବାନ୍ଧି ରଖୁଥିଲା,–ସେମାନଙ୍କର ମୁଣ୍ଡର ବାଳ, ପାଟି ଓ ଆଖି ଧୂଳିରେ ବୁଡ଼ି ଯିବାପରି ମନେ ହେଉଥିଲା ।

 

ସେହି କାମ କଲା ଜାଗାରେ ରହିବା ଲାଗି ଛୋଟ କୁଡ଼ିଆଟିଏ ମିଳିଗଲା ଏବଂ ରାତି ହେବା ପରେ ସେମାନେ ତାହାରି ଭିତରେ ଯାଇ ଶୋଇଲେ । ପୂରା ହାଲିଆ ଲାଗୁଥାଏ । ପିଲାଟା ମଧ୍ୟ ରାହା ଧରି କାନ୍ଦୁଥାଏ,–ତାକୁ ମୋଟେ ନିଦ ହେଉନଥାଏ ।

 

ଦୀର୍ଘ ସମୟ ଧରି ଜଗତୁ କିଛି କହୁନଥିଲା, ଖାଲି ଚୁପ୍ ହୋଇ ରହିଥାଏ । ଶେଷକୁ ସିଏ ତୁଣ୍ଡ ଖୋଲି କିଛି କହିଲା । ଆଖିର ଲୁହରେ ଭିତରୁ କଥା ହିଁ ବାହାରି ପାରୁନଥାଏ । ଜଗତୁ କହିଲା, ମଙ୍ଗଲିଆ, ତୁଇ ହୁଏତ ଠିକ୍ କଥା କହୁଥିଲୁ । ମୁଁ ସିନା ତୁଚ୍ଛାଟାରେ ମଥାଟାକୁ ବିଗାଡ଼ି ପକାଇଲି ଏବଂ ଏପରି ଆଖିବୁଜା ହୋଇ କଚେରୀକୁ ଦଉଡ଼ିଲି । ତୋତେ ମୁଁ ପ୍ରକୃତରେ କ’ଣ ଦେଇପାରିଲି କହିଲୁ ! ଘର ଗଲା, ଚୁଲି ଚାଳ ଗଲା,–ଯାହାକିଛି ଥିଲା, ସବୁ ହାତଛଡ଼ା ହେଲା । ତଥାପି, ଆମେ ନିଜର ଜମିଟାକୁ ଏବେ ମଧ୍ୟ ପାଇ ପାରିଲୁ ନାହିଁ । କୋଉଦିନ ଫେରି ପାଇବୁ କି ନାହିଁ, ସେକଥା କିଏ ଦୃଢ଼ କରି କହି ପାରିବ ? ହଁ, ହୁଏତ ତୁଇ ଠିକ୍ କଥା କହୁଥିଲୁ, ମୁଇଁ ତୁଚ୍ଛାଟାରେ ନିଜ ମଥାଟାକୁ ବିଗାଡ଼ିଦେଲି । ହୁଏତ ଅଧିକ ଭଲ ହୋଇଥାନ୍ତା, ଯଦି ମୁଁ ଅନ୍ୟମାନଙ୍କ ପରି ମାନି ନେଇ ପାରିଥାଆନ୍ତି ଓ ସନ୍ତୁଷ୍ଟ ରହିଥାନ୍ତି !

 

ମଙ୍ଗଲିଆର ଆଖି ଦୁଇଟା ଅନ୍ୟପ୍ରକାରେ ହୋଇଗଲା । ଏପରି ଏକ ତୀବ୍ରତା ସହିତ ଜଳି ଉଠିବା ପରି ଦେଖାଗଲା, ଯାହାକି ଜଗତୁ ଆଗରୁ କେବେହେଲେ ଦେଖିନଥିଲା । ସିଏ କହିଲା : ନା, ନା ଜଗତୁ, ମୋଟେ ନୁହେଁ । ତୁ ମୋଟେ ବଦଳି ଯାଆନା,–ମୋଟେ ବଦଳି ଯାଆନା-। କେଡ଼େ ସାହସ ସହିତ ଏତେ ଦିନ କେଡ଼େ କଠିନ ଭାବରେ ଲଢ଼ାଇ କରିଆସିବା ପରେ ତୁ ମୋଟେ ନିରାଶ ହୋଇ ପଡ଼ନା । ଜଗତୁ, ଆମେ କଦାପି ମାନି ନେବାନାହିଁ, ମୋଟେ ଛାଡ଼ିବା ନାହିଁ-। ଦିନେ ନା ଦିନେ ଆମ ଜମିକୁ ଆମେ ଯେମିତି ହେଲେ ଫେରି ପାଇବା ।

☆☆☆

 

ଯତୀନର ଗୁପ୍ତ କ୍ଷତମାନ

 

ଯତୀନ୍‍କୁ ମୋଟେ ଛଅବର୍ଷ ହୋଇଥିବା ସମୟରେ ତା’ ବାପା ଘର ଭିତରେ ନିଜ ବେକରେ ଦଉଡ଼ା ଲଗାଇଦେଇ ଆତ୍ମହତ୍ୟା କରିଥିଲେ । ବାପା କ’ଣ ପାଇଁ ଏପରି ଗଭୀର ଏବଂ ଅଭେଦ୍ୟ ନୈରାଶ୍ୟର କବଳରେ ପଡ଼ି ଏପରି ଏକ ଘଟଣା ଭିଆଇ ବସିଲେ, ସେହି ନିତାନ୍ତ ଅଳ୍ପ ବୟସରେ ମଧ୍ୟ ଯତୀନ ସେହି ବିଷୟରେ ଅବଶ୍ୟ କିଛି କିଛି ବୁଝି ପାରିଥିଲା । ପ୍ରଥମେ ତାଙ୍କର ଆଙ୍ଗୁଠିଗୁଡ଼ିକ ବଙ୍କା ବଙ୍କା ଓ ଭାରି ଟାଣ ହୋଇଗଲା ଏବଂ ସେଇଥିରୁ ପୃଥିବୀଯାକ ଜାଣି ପାରିଥିଲେ ଯେ କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

 

ମାତ୍ର ଦୁଇ ପୁରୁଷ ପୂର୍ବେ ପଶ୍ଚିମ ମଧ୍ୟପ୍ରଦେଶର ନିମାଡ଼ ଏବଂ ଝବୁଆ ଅଞ୍ଚଳରେ ଥିବା ଏହି ଭିଲ ଆଦିବାସୀଙ୍କ ଗାଆଁ ଗୁଡ଼ିକରେ କେହି କୁଷ୍ଠରୋଗରେ ଆକ୍ରାନ୍ତ ହେଲେ ତାକୁ ଜୀଅନ୍ତା ମାଟିରେ ଗାତ କରି ପୋତି ଦିଆ ଯାଉଥିଲା । ଏବଂ, ଯେତେବେଳେ ଯତୀନର ବାପା ଏହି ରୋଗଦ୍ୱାରା ଆକ୍ରାନ୍ତ ହେଲେ, ଗାଆଁଗୁଡ଼ିକରେ ତାହାର ଚିକିତ୍ସା ନିମନ୍ତେ କୌଣସି ଉପଚାର କରି ହେଉନଥିଲା । ତା’ର ମାଆ ମଧ୍ୟ ବାପାଙ୍କୁ ସଂପୂର୍ଣ୍ଣ ଭାବରେ ପରିତ୍ୟକ୍ତ କରିଦେଲେ ଏବଂ ପତି ସମେତ ସାନ ପୁଅଟିକୁ ଛାଡ଼ି ଆଉଜଣେ ପୁରୁଷଙ୍କ ସହିତ ସଂସାର କଲେ । ଯତୀନର ବାପାଙ୍କୁ କେହି ପାଖକୁ ଆସିବାଲାଗି ଦେଲେନାହିଁ,–ତାଙ୍କର ହାଟକୁ ଯିବା ବନ୍ଦ ହୋଇଗଲା, ଗାଆଁ ପୋଖରୀ ମନା ହୋଇଗଲା,–ଲୋକମାନେ ଏକାଠି ହେଉଥିବା କୌଣସି ସ୍ଥାନକୁ ସିଏ ଯାଇ ପାରିଲେନାହିଁ ।

 

କାହାରି ଘରକୁ ଯିବାପାଇଁ ମଧ୍ୟ ଅନୁମତି ମିଳି ନଥିଲା । ବାପା କିପରି ସଂପୂର୍ଣ୍ଣ ଭାବରେ ସଙ୍ଗବର୍ଜିତ ହୋଇ ରହିଲେ, ଯତୀନର ପୂରା ମନେଅଛି । ପରିଚିତ ସମସ୍ତେ ତାଙ୍କୁ ସଂପୂର୍ଣ୍ଣ ଭାବେ ବର୍ଜନ କରିଥିଲେ ।

 

ବାପା ଚାଲିଯିବା ପରେ ଶବଦାହ, ପୁରାତନ ଋଣଗୁଡ଼ିକର ପରିଶୋଧ ଏବଂ ଆତ୍ମହତ୍ୟାଟା ଏକ ଅପରାଧ ବୋଲି ଗଣା ହେଉଥିବାରୁ ପୋଲିସକୁ ଲାଞ୍ଚ ଦେବାରେ ବହୁତ ପଇସା ଖରଚ ହୋଇଗଲା । ବାପାଙ୍କର ଜମି ଓ ବଳଦଗୁଡ଼ିଙ୍କୁ ବିକ୍ରୀ କରିବାକୁ ହେଲା ଏବଂ ସିଏ ବାସ କରୁଥିବା କୁଡ଼ିଆଟିକୁ ଭାଙ୍ଗି ଦିଆଗଲା । ଯତୀନର କକା ତାକୁ ନିଜଘରେ ଜଣେ ଚାକର କରି ରଖିଲେ, ସିଏ ତାଙ୍କ ଗାଈଗୋରୁମାନଙ୍କୁ ଜଗିଥିଲା ।

 

ଏହିପରି ଭାବରେ ତିନୋଟି ବର୍ଷ ଚାଲିଗଲା ପରେ ଦିନେ ଯତୀନର ପାଦରେ ରହିଥିବା ଘାଆଗୁଡ଼ିକ ଉପରେ କାହାର ବି ଆଖି ପଡ଼ିଗଲା । ଏସବୁ ଯେ କୁଷ୍ଠରୋଗର ଲକ୍ଷଣ, ଏଥିରେ ଗ୍ରାମବାସୀଙ୍କର ଆଉ କୌଣସି ସନ୍ଦେହ ରହିଲାନାହିଁ । ଯତୀନ ପ୍ରକୃତରେ ଘୋର ଆତଙ୍କିତ ହୋଇ ଉଠିଥିଲା,–ଠିକ୍ ବାପାଙ୍କର ଯେପରି ହୋଇଥିଲା, ବର୍ତ୍ତମାନ ସେହିପରି ଭାବରେ ତା’ର ପୃଥିବୀଟା ମଧ୍ୟ ଭୁଷୁଡ଼ି ପଡ଼ିବ ବୋଲି ସ୍ପଷ୍ଟ ଦେଖି ପାରୁଥିଲା । କକା ଘରୁ ବାହାର କରିଦେଲେ ଏବଂ ଜଙ୍ଗଲ ଛଡ଼ା ଅନ୍ୟ କେଉଁଠାକୁ ଯିବାଲାଗି କୌଣସି ରାହା ମଧ୍ୟ ନଥିଲା । ସେଠାରେ ଯତୀନ କୌଣସି ଗଛର ଅଗରେ ଯାଇ ଶୋଇପଡ଼େ । ଦିନଯାକ ଗାଆଁଯାକ ବୁଲି ଭିକ ମାଗେ,–ଲୋକମାନେ ତା’ ଅଣ୍ଟି ଭିତରକୁ କିଛି ଖାଦ୍ୟ ପଦାର୍ଥ ଦୂରରୁ ଫୋପାଡ଼ି ଦିଅନ୍ତି, ତାକୁ ଛୁଇଁବାକୁ ସାହସ କରି ପାରନ୍ତି ନାହିଁ ।

 

ଦିନେ ଏହି ପରିତ୍ୟକ୍ତ ପିଲାଟି ଉପରେ ଗାଆଁ ପଟେଲ୍‍ଙ୍କର ଚିତ୍ତରେ ଦୟା ହେଲା । ବାବୁରେ, ତୁ ସିଧା ବର୍‍ୱ୍ୱାନି ଚାଲିଯାଆ,–ସିଏ ପରାମର୍ଶ ଦେଇଥିଲେ । ସେଠାରେ ଗୋଟିଏ ବଡ଼ ସରକାରୀ ଡାକ୍ତରଖାନା ଅଛି ଏବଂ କୁଷ୍ଠରୋଗରେ ଆକ୍ରାନ୍ତ ବହୁତ ମଣିଷ ସେଠାକୁ ଯାଆନ୍ତି ବୋଲି ମୁଁ ଶୁଣିଛି । ସେଠି ସେମାନେ ତୋତେ ନିଶ୍ଚୟ ସାହାଯ୍ୟ କରିବେ । ତୁ ବର୍‍ୱ୍ୱାନି ଯାଆ, ରୋଗରୁ ମୁକ୍ତ ହୋଇଯିବୁ ।

 

ଏହିପରି ଭାବରେ ସଂପୂର୍ଣ୍ଣ ଭାବରେ ଏକୁଟିଆ ହୋଇ ଯାଇଥିବା ନଅ ବରଷର ଏହି ପିଲାଟି ନିଜ ଗାଆଁ ଛାଡ଼ିଲା,–ହୁଏତ ସବୁଦିନ ପାଇଁ ସେଠାରୁ ଚାଲି ଯାଇଥିଲା । ବଡ଼ ସଡ଼କକୁ ଆସିବା ନିମନ୍ତେ ତାକୁ ବହୁତ ବାଟ ଜଙ୍ଗଲ ମଧ୍ୟଦେଇ ଯିବାକୁ ହେଲା । ସେଠାରେ ଅନ୍ୟମାନଙ୍କ ଠାରୁ ଶୁଣିଲା ଯେ କେବଳ ତହିଁ ଆରଦିନ ସକାଳେ ଯାଇ ତାକୁ ବରୱ୍ୱାନି ଯିବାପାଇଁ ବସଟିଏ ମିଳିବ । ଭଡ଼ା ଦୁଇଟଙ୍କା; ଏବଂ, ତା’ପାଖରେ ସର୍ବମୋଟ କେବଳ ଦୁଇଟି ଟଙ୍କା ହିଁ ଥିଲା । ସେଦିନ ଗାଆଁ ପଟେଲ ତା’ ହାତରେ ଦେଇଥିଲେ । ରାତିରେ ସିଏ ସେହି ବସ୍ ରହିବା ଜାଗାରେ ଶୋଇ ପଡ଼ିଲା ଓ ତହିଁ ଆରଦିନ ସକାଳକୁ ଯାଇ ବରୱ୍ୱାନିରେ ପହଞ୍ଚିଥିଲା ।

 

ପଚାରି ପଚାରି ସିଏ କୌଣସି ପ୍ରକାରେ ଜିଲ୍ଲା ଚିକିତ୍ସାଳୟରେ ଯାଇ ପହଞ୍ଚି ପାରିଲା । ସେଠାରେ ବହୁତ ଗହଳି । ପ୍ରଥମେ କେଉଁଠାକୁ ଯିବାକୁ ହେବ ବୋଲି ସିଏ ଜଣେ ପରିଚାରକକୁ ପଚାରିଥିଲା । ଉତ୍ତର ପାଇଲା ଯେ ଡାକ୍ତରଖାନା ବନ୍ଦ ହୋଇ ଗଲାଣି ଏବଂ ତେଣୁ ତାକୁ ଯାଇ ତହିଁ ଆରଦିନ ସକାଳେ ଆସିବାକୁ ହେବ । ପରବର୍ତ୍ତୀ ଛଅଦିନ କାଳ ଯତୀନ ଡାକ୍ତରଖାନାର ବାରଣ୍ଡାମାନଙ୍କରେ ଏପାଖ ସେପାଖ ହେବାରେ ଲାଗିଥାଏ, ରାତିରେ ଖୋଲା ଚଟାଣ ଉପରେ ଶୋଇପଡ଼େ । ପାଖରେ ପଇସା ନଥାଏ, ତେଣୁ କିଛି ଖାଇ ପାରେନାହିଁ । ଏବଂ, ଏହି ଅଜ୍ଞାତ ସହରଟିରେ ସେ ଭିକ ମାଗିବାକୁ ମଧ୍ୟ ସାହସ କରି ପାରେନାହିଁ । କୋଉ ଡାକ୍ତର ମଧ୍ୟ ମିଳନ୍ତି ନାହିଁ, ଯିଏକି ତା’ର ଶୁଶ୍ରୂଷା କରି ପାରନ୍ତେ । ଆକସ୍ମିକ ଭାବରେ ଶେଷକୁ ଜଣେ କମ୍ପାଉଣ୍ଡଙ୍କର କିଞ୍ଚିତ୍ ଦୟା ହୋଇଥିଲା ଓ ସିଏ ତାକୁ ପରୀକ୍ଷା କରି ଦେଖିଲେ । ତା’ ଚମଡ଼ାରୁ କିଛି ନମୁନା ସଂଗ୍ରହ କରିଥିଲେ ଏବଂ ସେଇଥିରୁ ନିଶ୍ଚିତ ଭାବରେ ଜଣାଗଲା ଯେ ଯତୀନ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଛି । କମ୍ପାଉଣ୍ଡର ତାକୁ କିଛି ବଟିକା ଆଣିଦେଲେ ଏବଂ ପ୍ରତ୍ୟେକ ମାସରେ ସେଠାକୁ ଆସି ଔଷଧ ନେଇଯିବାକୁ କହିଥିଲେ । ସେଠି ଡାକ୍ତରଖାନାରେ ତାକୁ ରହିବାକୁ ଓ ଖାଇବାକୁ ମିଳି ପାରିବ କି ବୋଲି ଯତୀନ ଖୁବ୍ କ୍ଷୀଣ ସ୍ଵରରେ ପଚାରିଥିଲା । ତା’ର ରହିବାର କୌଣସି ଜାଗା ନଥିଲା ଏବଂ ଛଅଦିନ ହେଲା ସିଏ ଆଦୌ କିଛି ଖାଇନଥିଲା ।

 

କମ୍ପାଉଣ୍ଡର ଉତ୍ତର ଦେଇ କହିଥିଲେ ଯେ ତା’ପରି ଲୋକମାନଙ୍କ ପାଇଁ ଡାକ୍ତରଖାନାରେ ଆଦୌ କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ, ସିଏ ପୁଣି କହିଲେ, ଅନତିଦୂରରେ ସହରର ସୀମା ଆଡ଼କୁ କୋଢ଼ି ବଙ୍ଗଳା ବୋଲି ଏକ ସ୍ଥାନ ଅବଶ୍ୟ ଥିଲା, ଯେଉଁଠାରେ କି ତା’ରି ଭଳି ଶହ ଶହ ଲୋକ ଏକତ୍ର ବାସ କରୁଥିଲେ । ସେଠାରେ ତୋତେ ମଧ୍ୟ ସ୍ଥାନ ମିଳିଯିବ, ସିଏ ପରାମର୍ଶ ଦେଲେ ।

 

କମ୍ପାଉଣ୍ଡର ବାଟ ବତାଇ ଦେଇଥିଲେ; ମାତ୍ର ଯତୀନ ବାଟ ଭୁଲି ଯାଇଥିଲା । ହଠାତ୍ ଜଣେ ବ୍ୟକ୍ତିକୁ ଭିକ ମାଗୁଥିବାର ଦେଖି ଯତୀନ ଅତ୍ୟନ୍ତ ତ୍ରସ୍ତ ହୋଇ ପଡ଼ିଥିଲା : ଲୋକଟିର ଶରୀର ଉପରେ ବହୁଦିନରୁ କୁଷ୍ଠରୋଗ ଭୋଗି ଆସିଥିବାର ସ୍ପଷ୍ଟ ସୂଚନାମାନ ମିଳି ଯାଉଥିଲା । ଲୋକଟି ତା’ ନିଜ ଗାଆଁର ବୋଲି ଯତୀନ ଖୁବ୍ ଭଲଭାବରେ ଜାଣି ପାରିଥିଲା,–କେତେ ବର୍ଷ ପୂର୍ବେ ଏହି ଲୋକଟି ତ ତା’ ବାପାଙ୍କଠାରୁ ପଟେ ବଳଦ କିଣିବାକୁ ଆସିଥିଲା ! ଯତୀନ ଦଉଡ଼ିଯାଇ ତାକୁ ନିଜର କାହାଣୀଟିକୁ ମଧ୍ୟ କହିଥିଲା । ଆରେ ବାବୁ, ତୁ କିଛି ଚିନ୍ତା କରନା–ଲୋକଟି ଖୁବ୍‍ ଦମ୍ଭ ଦେଇ । କହିଲା । ବର୍ତ୍ତମାନ ତୁ ମୋ’ ପାଖରେ ରହିବୁ,–ତୁ କୋଢ଼ି ବଙ୍ଗଳାରେ ରହିବୁ ।

 

ବେଶ୍ କେତେ ଦଶନ୍ଧି ପୂର୍ବେ ବରୱ୍ୱାନିର ପୂର୍ବତନ ରାଜା ସହରର ଏହି ସୀମାଆଡ଼େ କୁଷ୍ଠରୋଗୀମାନଙ୍କ ନିମନ୍ତେ ସାନ ନିବାସଟିଏ ନିର୍ମାଣ କରି ଦେଇଥିଲେ । ଏହି ଘରଟିକୁ କ୍ରମେ କୋଢ଼ି ବଙ୍ଗଳା ବା କୁଷ୍ଠରୋଗୀମାନଙ୍କର ଗୃହ ବୋଲି କୁହାଗଲା । ଯତୀନ ଓ ତା’ ବାପାଙ୍କ ପରି ନିଜ ପରିବାର ଓ ଜ୍ଞାତିମାନଙ୍କ ଦ୍ୱାରା ପରିତ୍ୟକ୍ତ ଅବସ୍ଥାରେ ବାହାରି ଆସିଥିବା ସବୁ ବୟସର ପ୍ରାୟ ତିନିଶହ କୁଷ୍ଠରୋଗୀ ବିଗତ ବର୍ଷଗୁଡ଼ିକରେ ଏଠାକୁ ଆସି ଆଶ୍ରୟ ନେଇଥିଲେ । ସେମାନେ ନିଜ ନିଜ ପାଇଁ ଛୋଟ ଛୋଟ କୁଡ଼ିଆମାନ ତିଆରି କରି ନେଇଥିଲେ ଏବଂ ଭିକ ମାଗି ଚଳୁଥିଲେ ।

 

କୁଷ୍ଠରୋଗରେ ଆକ୍ରାନ୍ତ ରୋଗୀମାନେ ସାରା ଦେଶରେ ଯେପରି ସହର ଓ ନଗରମାନଙ୍କରେ ଆପଣାର ଅଲଗା ପଡ଼ାମାନ ତିଆରି କରି ଘେଟୋ ଭଳି ରହନ୍ତି, ଏହି ସ୍ଥାନଟି ସେଗୁଡ଼ିକଠାରୁ ଆଦୌ ଭିନ୍ନ ନଥିଲା । ଏହି ବରୱ୍ୱାନିରେ ମଧ୍ୟ କୁଷ୍ଠରୋଗୀମାନେ ସମାଜରୁ ବାଛନ୍ଦ ହୋଇଥିବା ମନୁଷ୍ୟମାନଙ୍କ ଭଳି ନିଜନିଜର କ୍ଷୁଦ୍ର ଓ ଆବର୍ଜନାପୂର୍ଣ୍ଣ ଆଶ୍ରୟସ୍ଥଳୀ ଗୁଡ଼ିକରେ ବାସ କରୁଥିଲେ । ସେସବୁ ସ୍ଥାନରେ କେବେ ଖରା ପଡ଼ୁନଥିଲା ଓ ସେମାନେ ମନୁଷ୍ୟଜୀବନର ସର୍ବନିମ୍ନ ପ୍ରୟୋଜନୀୟ ବସ୍ତୁଗୁଡ଼ିକରୁ ବଞ୍ଚିତ ହୋଇ ରହିଥିଲେ । ସହରର ଅଧିବାସୀମାନେ ସେମାନଙ୍କୁ ବର୍ଜନ କରିଥିଲେ ଏବଂ ଅତ୍ୟନ୍ତ ଘୃଣାଦୃଷ୍ଟିରେ ଦେଖୁଥିଲେ । କେହି ସେମାନଙ୍କୁ ପାଖକୁ ଆସିବାକୁ ଦେଉନଥିଲେ ଏବଂ ତେଣୁ ସେମାନଙ୍କୁ କୌଣସି କାମରେ ନିୟୋଜିତ କରିବାର କୌଣସି ପ୍ରଶ୍ନ ହିଁ ନଥିଲା । ଏହି ରୋଗୀମାନେ ପ୍ରତ୍ୟହ ସକାଳ ହେଲେ ବଜାରର ରାସ୍ତାମାନଙ୍କରେ ଦୃଷ୍ଟିଗୋଚର ହେଉଥିଲେ । ଦେବସ୍ଥାନମାନଙ୍କର ବାହାରେ ବସି ଭିକ ମାଗୁଥିଲେ-। ସେମାନଙ୍କର କ୍ଷୟପ୍ରାପ୍ତ ହାତର ମୁଷ୍ଟିଗୁଡ଼ିକୁ ପୋକ ଓ ମାଛି ଭଣଭଣ ହେଉଥିବା ଗେନା ଗେନା ଘାଆଗୁଡ଼ିକୁ ପ୍ରଦର୍ଶନ କରାଇ ବାଟୋଇମାନଙ୍କର ଦୟା ଭିକ୍ଷା କରୁଥିଲେ, –ବାଟୋଇମାନେ ଏସବୁର ସମ୍ମୁଖୀନ ହୋଇ ଆତଙ୍କିତ ହୋଇ ଉଠୁଥିଲେ ।

 

ନିୟମିତ ଶୁଶ୍ରୂଷାର ଅଭାବରୁ ରୋଗ ବଢ଼ିବାରେ ଲାଗୁଥିଲା, ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଗଳିତ ହୋଇ ପଡ଼ୁଥିଲା ଏବଂ ସେମାନେ ମନ୍ଥର ବେଗରେ ସନ୍ନିକଟ ହୋଇ, ଆସୁଥିବା ମୃତ୍ୟୁଲାଗି ଅପେକ୍ଷା କରି ରହୁଥିଲେ । ଏପରି ଗୋଟିଏ ଜନସମୂହ ଯାହାର କି କିଛି ଆଶା କରିବାଲାଗି କୌଣସି ସମ୍ବଳ ନଥିଲା, ଭବିଷ୍ୟ ବୋଲି ଆଦୌ କିଛି ନଥିଲା । ତଥାପି ସେମାନେ ଏକାଠି ଏକ ସମୂହ ବାନ୍ଧି ବାସ କରୁଥିଲେ; ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ଏକାନ୍ତ ଏକୁଟିଆ ବାସ କରିବା ଅପେକ୍ଷା ଏହାଦ୍ୱାରା ତଥାପି କିଞ୍ଚିତ୍ ଆଶ୍ୱାସନା ମିଳି ପାରୁଥିଲା ।

 

ଯତୀନ ବର୍ତ୍ତମାନ ଏହିପରି ଏକ ସମୂହରେ ଆସି ରହିଲା ଏବଂ ଏହିଠାରେ ରହି କ୍ରମେ ବଡ଼ ବି ହେଲା । ସେହି ପଡ଼ା ଭିତରୁ ଜଣକୁ କନିଆଁ ରୂପେ ଗ୍ରହଣ କଲା । କିଛିଦିନ ପରେ ସେମାନଙ୍କର ଗୋଟିଏ ପୁଅ ବି ହୋଇଥିଲା । ପୁଅର ନାମ ଅମିତ ରଖା ଯାଇଥିଲା ।

 

ପୁଅଟି କନ୍ମ ହେବାପରେ ଯତୀନ ଗୁରାଇ ତୁରାଇ ହୋଇ ସବୁବେଳେ ଗୋଟିଏ କଳ୍ପନା ଭିତରେ ହିଁ ନିମଗ୍ନ ରହୁଥିଲା । ସିଏ ଚାହୁଁଥିଲା ଯେ ତା’ ପୁଅ କଦାପି ଗୋଟିଏ କୁଷ୍ଠରୋଗୀର ସନ୍ତାନ ହୋଇ କନ୍ମିଥିବାର କଳଙ୍କକୁ ବହନ କରି ସଂସାରରେ ମଣିଷ ହେବନାହିଁ । ସିଏ ଯେଉଁପରି ବଢ଼ିଛି, ତା’ର ପୁଅ ମୋଟେ ସେହିପରି ବଢ଼ିବ ନାହିଁ । ସିଏ ଓଲଟି ମନେ ମନେ ସଂକଳ୍ପ କରିଥିଲା ଯେ ଏହି କୋଢ଼ି ବଙ୍ଗଳାର ବାହାରେ ଥିବା ଅନ୍ୟ ପୃଥିବୀଟିରେ ହିଁ ତା’ର ପୁଅ ଯେପରି ମଣିଷ ହୋଇ ପାରିବ, ସମ୍ମାନର ସହିତ ବଡ଼ ହେବ ଓ କୁଷ୍ଠରୋଗ ରୂପକ ଅଭିଶାପରୁ ମୁକ୍ତ ରହିବ, ସେଥିପାଇଁ ସିଏ ନିଶ୍ଚୟ ଯେତେ ଯାହା ଖର୍ଚ୍ଚ ଦରକାର ହେବ, ଅବଶ୍ୟ ତାହାକୁ ବହନ କରିବ । କିନ୍ତୁ, ତାହାକୁ ସମ୍ଭବ କରିବାକୁ ହେଲେ ସବାଆଗ ପୁଅଟିକୁ ଯେ ପାଠ ପଢ଼ାଇବାକୁ ହେବ, ଏକଥା ସେ ଭଲ କରି ଜାଣିଥିଲା ।

 

କିନ୍ତୁ, ସେତେବେଳେ (ମାତ୍ର କୋଡ଼ିଏ ବର୍ଷ ତଳେ) ଏଭଳି ସ୍ୱପ୍ନଟିଏ ଦେଖିବା ଜଣେ କୁଷ୍ଠରୋଗୀ ସକାଶେ ସଂପୂର୍ଣ୍ଣ ସାଧ୍ୟାତୀତ ଥିଲା । କୁଷ୍ଠରେ ଆକ୍ରାନ୍ତ ଲୋକମାନଙ୍କର ସନ୍ତାନମାନଙ୍କୁ ମଧ୍ୟ ଲୋକମାନେ ପ୍ରାୟ ସମସ୍ତେ ଏତେ ନିର୍ମମ ଭାବରେ ଏକଆଖିଆ ହୋଇ ଦେଖୁଥିଲେ ଯେ, ଶିକ୍ଷକମାନେ ମଧ୍ୟ ସେପରି ପିଲାଙ୍କୁ ନିଜ ସ୍କୁଲରେ ଭର୍ତ୍ତି କରିବାକୁ ମନା କରି ଦେଉଥିଲେ । ଯତୀନ ବହୁତ ଚତୁରତା କରି ନିଜ କ୍ଷୟପ୍ରାପ୍ତ ଅଙ୍ଗଗୁଡ଼ିକୁ ଲୁଚାଇ ରଖିଲା ଯେ,–ଭାଗ୍ୟବଶତଃ ତା’ ମୁହଁରେ କୌଣସି କ୍ଷୟର ସଙ୍କେତ ନଥିଲା ଏବଂ ଏହିପରି ଭାବରେ ସେ ସ୍ଥାନୀୟ ସରକାରୀ ଇସ୍କୁଲରେ ପୁଅକୁ ନେଇ ଭର୍ତ୍ତି କରିଦେଇ ପାରିଲା । ପୁଅ ଯେପରି କେବେହେଲେ ନିଜ ବାପମାଆଙ୍କ ବିଷୟରେ କାହା ଆଗରେ ଆଦୌ କିଛି ନକହେ, ଏପରିକି ସେମାନେ କୋଉଠି ରହନ୍ତି ସେବିଷୟରେ ମଧ୍ୟ କିଛି ନକହେ, ଏଥିପାଇଁ ସେ ପୁଅକୁ ଖୁବ୍ ଜାଗ୍ରତ କରି ଦେଇଥିଲା । ପୁଅ ସହିତ ସେମାନଙ୍କୁ ଯେପରି କେବେହେଲେ ଏକତ୍ର ଦେଖିବାକୁ ନମିଳେ, ସେବିଷୟରେ ମଧ୍ୟ ବାପମାଆ ଖୁବ୍ ସାବଧାନ ହୋଇ ରହିଥିଲେ ।

 

ତଥାପି, ଏକଦା ଦିନେ ପୁଅ ଯେତେବେଳେ ତା’ ସାଙ୍ଗରେ ପଢ଼ୁଥିବା ଅନ୍ୟ ପିଲାମାନଙ୍କ ସହିତ ଏକାଠି ସ୍କୁଲରୁ ଘରକୁ ଫେରୁଛି, କୌଣସି ଗୋଟିଏ ରାସ୍ତାର କଣ ଜାଗାଟିରେ ତା’ର ମାଆ ବସି ଭିକ ମାଗୁଥିବା ସମୟରେ ତା’ ସହିତ ପୁଅର ଭେଟ, ହୋଇଗଲା । କ’ଣ ଗୋଟାଏ ମିଠା ଦରବ କିଣିବ ବୋଲି ସିଏ ଦଉଡ଼ି ଯାଇ ମାଆକୁ ପଇସା ମାଗିଲା । ସାଙ୍ଗ ପିଲାମାନେ ସେକଥା ଦେଖିଲେ ଏବଂ ତା’ର ଗୁପ୍ତ କଥାଟା ପଦାରେ ପଡ଼ି ଯାଇଥିଲା । ସେମାନେ ତାକୁ ଚିଡ଼ାଇବାରେ ଲାଗିଲେ ଓ ଶିକ୍ଷକଙ୍କ ପାଖରେ ଆସି ଅଭିଯୋଗ ବି କଲେ । ଶିକ୍ଷକ ଅତ୍ୟନ୍ତ ବିଗିଡ଼ି ଯାଇଥିଲେ ଓ ସ୍କୁଲର ହାଜିରାଖାତାରୁ ସଙ୍ଗେ ସଙ୍ଗେ ତା’ର ନାଆଁକୁ କାଟି ମଧ୍ୟ ଦେଇଥିଲେ-

 

ଯତୀନ୍ ତଥାପି ପୂରା ଭାଙ୍ଗି ଗଲା ନାହିଁ । ସିଏ ଆଗରୁ ଶୁଣିଥିଲା ଯେ ପାଖରେ ଥିବା ଖଣ୍ଡା ଜିଲ୍ଲାରେ ଖ୍ରୀଷ୍ଟିଆନ୍ ଭଗିନୀମାନେ ଆଦିବାସୀ ଘରର ପିଲାଙ୍କ ସକାଶେ ଗୋଟିଏ ଆବାସିକ ସ୍କୁଲ ଚଳାଉଥିଲେ । ସେଠାରେ ସେମାନଙ୍କର କୁଷ୍ଠରୋଗ ବିଷୟରେ କୌଣସି ଘୃଣାଭାବ ନଥିଲା ବୋଲି ମଧ୍ୟ ସିଏ ଶୁଣିଥିଲା । ପୁଅର ଲୁଗାପଟାକୁ ଗୋଟିଏ ବୁକୁଳାରେ ବାନ୍ଧି, ପୁଅକୁ ହାତରେ ଧରି ସିଏ ମଟରଗାଡ଼ିରେ ଚଢ଼ି ଦୂର ସ୍ଥାନ ଖଣ୍ଡାରେ ଯାଇ ପହଞ୍ଚି ଯାଇଥିଲା । ସେଠାରେ ଗୀର୍ଜାଟିଏ ଥିବା ଜାଗାଟିକୁ ଗଲା ଓ ସର୍ବୋଚ୍ଚ କର୍ତ୍ତ୍ରୀଙ୍କର ଅଫିସ୍‌ରେ ଯାଇ ପହଞ୍ଚିଲା । ନିଜର ପରିଚୟ ଦେଲା ଓ ନିଜର ପୁଅଟିକୁ ଶିକ୍ଷା ଦେବାପାଇଁ ସିଏ ଦେଖୁଥିବା ସ୍ୱପ୍ନଟି ବିଷୟରେ ତାଙ୍କ ଆଗରେ ପ୍ରକାଶ କରିଥିଲା । ସର୍ବୋଚ୍ଚ କର୍ତ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ ସେ ବର୍ଷର ନାମଲେଖା କାମଟି ତ ଖତମ ହୋଇଯାଇଛି ଏବଂ ତେଣୁ ଆଉ କେତେକ ମାସ ପରେ ଯାଇ ଆସିବାକୁ ପଡ଼ିବ ।

 

ଯତୀନ୍ କିନ୍ତୁ ନଛୋଡ଼ବନ୍ଧା । ଅତ୍ୟନ୍ତ ଧୀରତା ସହିତ ସେ ଘୋଷଣା କରିଥିଲା ଯେ, ସର୍ବୋଚ୍ଚ କର୍ତ୍ତ୍ରୀ ରାଜି ନହେବା ଯାଏ ସିଏ ସେହି ହତାଭିତରୁ ବାହାରକୁ ହିଁ ଯିବନାହିଁ । ତାଙ୍କର ଅଫିସ୍ ସାମନାରେ ଯତୀନ ତିନିଦିନ କାଳ ବସି ରହିଲା,–ସିଏ ନିଜ ଭାଷାରେ ତାହାକୁ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ବୋଲି କହୁଥିଲା । ଶେଷରେ କର୍ତ୍ତ୍ରୀ ରାଜି ହେଲେ । ଫଳରେ ସେହିଠାରେ ହିଁ ଅମିତର ନାଆଁ ଲେଖା ହେଲା ଓ ନିଜେ ବଡ଼ ହେବାଯାଏ ସେହି ସ୍ଥାନଟି ହିଁ ତା’ର ଘର ହୋଇ ରହିଲା । ଯତୀନ୍ ଓ ତା’ର ସ୍ତ୍ରୀ ସବୁବେଳେ ତାକୁ ମନେ ପକାଉଥିଲେ,–ଘାଆଗୁଡ଼ାକ ପ୍ରକାଶ୍ୟ ଅବସ୍ଥାକୁ ଆସି ଯାଇଥିବା ଅଧିକାଂଶ କୁଷ୍ଠରୋଗୀଙ୍କର ଯେଉଁ ଦଶା ହୁଏ, ବୃହତ୍ତର ସମାଜ ସେମାନଙ୍କୁ ବାଛନ୍ଦ କରି ରଖୁଥିବାରୁ ଏହି ପୁଅଟିକୁ ହିଁ ସେମାନେ ନିଜର ସମଗ୍ର ପୃଥିବୀ ବୋଲି ଅନୁଭବ କରୁଥିଲେ । କିନ୍ତୁ, ପୁଅର ଭବିଷ୍ୟତ ଉପରେ ଯେପରି ସେମାନଙ୍କର ଛାଇ ମଧ୍ୟ ନପଡ଼ିବ, ଯତୀନ ସେହି ବିଷୟରେ ବଦ୍ଧପରିକର ହୋଇ ରହିଥାଏ । ତେଣୁ ସେମାନେ ପୁଅକୁ ଥରେ ଦେଖିଆସିବେ ବୋଲି ସେଠାକୁ ଥରେ ହେଲେ ବି ଯାଇନଥିଲେ ।

 

ଏଣେ ଇତ୍ୟବସରେ କୋଢ଼ି ବଙ୍ଗଳାରେ ମଧ୍ୟ କିଛି ପରିବର୍ତ୍ତନ ଘଟିବା ଆରମ୍ଭ ହୋଇ ଯାଇଥିଲା । ଜଣେ କାଥୋଲିକ୍ ସେବିକା,–ତାଙ୍କ ନାଆଁ ଲେଲ୍ଲିଶ,–ସେମାନଙ୍କ ପାଖରେ ଏକାଧିକ ଥର ଆସି ପହଞ୍ଚିଲେ ଏବଂ ଏହା ଅଧିବାସୀ ସକଳ ମଦ ପିଇବା ଛାଡ଼ି ଦିଅନ୍ତୁ ବୋଲି ସେମାନଙ୍କୁ ପ୍ରବର୍ତ୍ତାଇବାରେ ଲାଗିଲେ । ପିଲାମାନଙ୍କୁ ଏକାଠି କରାଇ ଧୋଇଧାଇ ସଫା କଲେ, ସେମାନଙ୍କୁ ଖୁଆଇ ବି ଦେଇଥିଲେ । ତ୍ରିବେଦୀ ନାମରେ ଜଣେ ବୟସ୍କ କମୁନିଷ୍ଟ ଶିକ୍ଷକ ସେମାନଙ୍କର ପ୍ରାପ୍ୟ ଅଧିକାରଗୁଡ଼ିକ ବିଷୟରେ ସେମାନଙ୍କୁ କହୁଥିଲେ,–ସେମାନଙ୍କୁ ସରକାରଙ୍କ ତରଫରୁ ସାମାଜିକ ନିରାପତ୍ତା ପେନ୍‍ସନ୍ ମଧ୍ୟ ମିଳିବ ବୋଲି ଗୋଚର କରାଇଦେଲେ । ସେମାନଙ୍କ ପାଇଁ ଆବଶ୍ୟକ ଫର୍ମଗୁଡ଼ିକୁ ପୂରଣ କଲେ ଏବଂ, ପ୍ରକୃତରେ ଦୈବର ବିଚିତ୍ର ବରାଦ, କେତେ ମାସ ପରେ ଜଣେ ଡାକବାଲା କ୍ଷୁଦ୍ର ପରିମାଣ କିଛି ଟଙ୍କାର ମନିଅର୍ଡର୍ ଧରି ସେହି ବସତିକୁ ଆସିବାକୁ ଲାଗିଲା । ମଝିରେ ମଝିରେ ତ୍ରିବେଦୀ ଏହି କୃଷ୍ଠରୋଗୀମାନଙ୍କୁ ଏକ ଶୋଭାଯାତ୍ରାରେ ବାହାର କରି ସ୍ଥାନୀୟ ସର୍ବୋଚ୍ଚ ସରକାରୀ ଅଫିସରଙ୍କ ଅଫିସ୍ ପର୍ଯ୍ୟନ୍ତ ନେଇ ଯାଉଥିଲେ ଏବଂ କୋଢ଼ି ବଙ୍ଗଳାର ଅନ୍ତେବାସୀମାନଙ୍କୁ ମୌଳିକ ସୁବିଧାମାନ ଦିଆଯାଉ ଓ ଉଚିତ୍ ସମୟରେ ପେନ୍‍ସନ୍ ମିଳୁ ବୋଲି ଦାବି କରୁଥିଲେ । ଏହିସବୁ ସକ୍ରିୟତାର ଫଳସ୍ୱରୂପ ଏଠାକୁ ଗୋଟିଏ ହାତଚଳା ପାଣିପମ୍ପ ଆସିଲା, ଯେଉଁଥିରୁ କି ପରିଷ୍କାର ପାନୀୟ ଜଳ ମଧ୍ୟ ମିଳିପାରିଲା । ମାତ୍ର, ଅଧିକ କିଛି ହୋଇ ପାରିଲାନାହିଁ । ପେନ୍‍ସନ୍ ମିଳୁଥିଲା ସତ, କିନ୍ତୁ ନିୟମିତ ଭାବରେ ମିଳୁନଥିଲା ।

 

୧୯୮୨ ମସିହାରେ ପ୍ରଥମଥର ପାଇଁ ନିଜର ସ୍ୱାଧୀନ ଦାୟିତ୍ୱ ଗ୍ରହଣ କରିବାପରେ ବରୱ୍ୱାନିର ତରୁଣ ସବଡ଼େପୁଟୀ ମାଜିଷ୍ଟ୍ରେଟ୍ ହଠାତ୍ ନିଜ ଅଫିସ୍ ବାହାରେ ଉଚ୍ଚ କାତର ସ୍ଵରରେ କରା ଯାଉଥିବା ସ୍ଲୋଗାନମାନ ଶୁଣି ଆଚମ୍ବିତ ହୋଇ ଯାଇଥିଲେ । ସିଏ ସର୍ବଦା ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନଙ୍କୁ ଭେଟିବା ନିମନ୍ତେ ଅଫିସ୍ ବାହାରକୁ ଚାଲି ଆସୁଥିଲେ ଓ ଆଦୌ କୌଣସି ବ୍ୟତିକ୍ରମ କରୁ ନଥିଲେ । ସିଏ ସେମାନଙ୍କର ଅଭିଯୋଗଗୁଡ଼ିକୁ ପଚାରି ବୁଝୁଥିଲେ; ମାତ୍ର ସେଦିନ କ୍ଷୟପ୍ରାପ୍ତ ଦେହଗୁଡ଼ିକୁ ଧାରଣ କରିଥିବା ମନୁଷ୍ୟମାନଙ୍କର ସେହି ବହୁମିଶ୍ରିତ ମସିଆ ଗୋଷ୍ଠୀଟି ସିଏ ଆଗରୁ ଦେଖି ଆସିଥିବା ଅନ୍ୟ ଗୋଷ୍ଠୀଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ହିଁ ଥିଲା । ବିଗତ ବହୁବର୍ଷ ଧରି କରି ଆସିଥିବା ପରି ସେଦିନ ମଧ୍ୟ ସେହି ବୟସ୍କ କମୁନିଷ୍ଟ ଜଣକ ସେମାନଙ୍କର ନିମ୍ନତମ ଦାବିଚୟର ଉପସ୍ଥାପନା କରିଥିଲେ । ସେମାନଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେ ଏହି ହାକିମ ନିଜେ ଯାଇ ସେମାନଙ୍କର ବସ୍ତିଟିକୁ ଦେଖି ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେତେବେଳେ ସବୁ ବିଷୟରେ ବିଶଦ ଭାବରେ ନିଶ୍ଚୟ କଥାବାର୍ତ୍ତା ହେବ ବୋଲି କହିଥିଲେ ।

 

କିଛିଦିନ ପରେ ବସ୍ତିଟିକୁ ଦେଖିଆସି ଉକ୍ତ ଅଫିସରୁ ପ୍ରକୃତରେ ବଡ଼ ଅଶାନ୍ତି ଓ ଏପରିକି ବ୍ୟଥିତ ବି ଅନୁଭବ କରିଥିଲେ । ସେମାନେ ଯେ ଏକ ଅତ୍ୟନ୍ତ ମନୁଷ୍ୟ ଅଯୋଗ୍ୟ ବାହ୍ୟ ପରିବେଶର ଅପମାନଜନକ ଅବସ୍ଥା ମଧ୍ୟରେ କୀବନଧାରଣ କରୁଥିଲେ ତା’ ନୁହେଁ,–ସେଠାରେ ଏହି ମଣିଷମାନେ ସତେ ଯେପରି କୌଣସି ନର୍କଯନ୍ତ୍ରଣାର ନିକଟବର୍ତ୍ତୀ ହୋଇ ରହିଛନ୍ତି, ତାହା ଦେଖି ତାଙ୍କର ଭିତରଟା ଏକାବେଳକେ ଦୋହଲିଗଲା । ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ କ୍ଷୟ ହୋଇ ଯାଇଥିଲା ଓ ଏଡ଼େ ଏଡ଼େ ଯେ ଆଁ କରି ରହିଥିଲେ, ସେଇଟି ଆଦୌ ସବାବଡ଼ କଥା ନଥିଲା । ମାତ୍ର, ସେମାନଙ୍କର ଭିତରଟାର ଅଣ୍ଟାଟା ମଧ୍ୟ ପୂରା ଭାଙ୍ଗି ଯାଇଥିଲା, ସେମାନଙ୍କୁ ଆବୋରି ରହିଥିବା ଗଭୀର ନୈରାଶ୍ୟ ତାଙ୍କୁ ଦାରୁଣ ଦୁଃଖ ଦେଇଥିଲା । ସେମାନେ ଏପରି ଏକ ବେମାରି ଭୋଗ କରୁଥିଲେ, ଯାହାକୁ କି ଶତାବ୍ଦୀ ଶତାବ୍ଦୀ ଧରି ମନୁଷ୍ୟ ସମାଜ ଘୃଣା ଓ ଭୟ କରି ଆସିଛି; ଏହାର ପରିଣାମ ସ୍ୱରୂପ ଯେ କେବଳ ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଏବଂ ମୁହଁଟା ବିକୃତ ହୋଇ ରହିଛି ତା’ ନୁହେଁ, କିନ୍ତୁ ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ସେମାନେ ଯେଉଁମାନଙ୍କ ସହିତ ବାସ କରି ଆସିଛନ୍ତି, ସେମାନଙ୍କର ଭଲ ପାଇବାରୁ ଏବଂ ସ୍ଵୀକୃତିଦାନରୁ ମଧ୍ୟ ସେମାନେ ଏବେ ଅତ୍ୟନ୍ତ ନିଦାରୁଣ ଭାବରେ ବଞ୍ଚିତ ହୋଇ ରହିଛନ୍ତି । ଯତୀନ ତଥା ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର କାହାଣୀଗୁଡ଼ିକୁ ଶୁଣୁଥିବା ସମୟରେ, କୁଷ୍ଠରୋଗ ସମ୍ବନ୍ଧରେ ଲୋକମାନସ ଭିତରେ ରହି ଆସିଥିବା ଘୃଣାଭାବଟିକୁ ଅଫିସର କିଛି କିଛି ବୁଝିବାଲାଗି ମଧ୍ୟ ସମର୍ଥ ହେଲେ । ଏହି ବିଂଶ ଶତାବ୍ଦୀରେ ଚିକିତ୍ସାକ୍ଷେତ୍ରରେ କେତେ କେତେ ଅଗ୍ରଗତି ହେଲାଣି ଓ କୁଷ୍ଠରୋଗର ସଂପୂର୍ଣ୍ଣ ଆରୋଗ୍ୟ ସମ୍ଭବ ବୋଲି ପ୍ରମାଣିତ ହୋଇଗଲାଣି, ତଥାପି ଲୋକମାନଙ୍କର ଆଗର ସେହି ଧାରଣାରେ ପରିବର୍ତ୍ତନ ହୋଇ ପାରିନାହିଁ । ଅଫିସର ଜାଣିଲେ, ଏବେ ମଧ୍ୟ କୁଷ୍ଠରେ ଆକ୍ରାନ୍ତ ରୋଗୀମାନଙ୍କୁ ସେମାନଙ୍କର ପରିବାର ତଥା ବୃହତ୍ତର ସମାଜ ନିତାନ୍ତ ପରିତ୍ୟକ୍ତ ଅବସ୍ଥା ଭିତରେ ନେଇ ଫିଙ୍ଗି ଦେଉଛି,–ସେମାନଙ୍କୁ ଅଚ୍ଛବମାନଙ୍କଠାରୁ ଅଧିକ ହୀନ କରି ଦେଖୁଛି,–କୌଣସି କାର୍ଯ୍ୟ କରି ଜୀବିକାର୍ଜନ କରିବାର ଅଧିକାରରୁ ମଧ୍ୟ ସେମାନଙ୍କୁ ବଞ୍ଚିତ କରି ରଖିଛି ।

 

ଅଫିସର ଭାବୁଥାଆନ୍ତି, କୁଷ୍ଠରୋଗରେ ଆକ୍ରାନ୍ତ ଏହି ମନୁଷ୍ୟମାନଙ୍କ ପରି ସମ୍ଭବତଃ ଆଉ କେହିହେଲେ ଏତେ ଅଧିକ ଆଶାଶୂନ୍ୟତା ମଧ୍ୟରେ ଉପେକ୍ଷିତ ହୋଇ ରହିନାହାନ୍ତି । ଆମ ସମାଜରେ ନିଶ୍ଚୟ ସେହିମାନେ ହିଁ ସର୍ବନିମ୍ନରେ ଯାଇ ଅଛନ୍ତି । ଏହି ପ୍ରତ୍ୟାଖ୍ୟାତମାନଙ୍କ ନିମନ୍ତେ ଏକ ସମ୍ମାନସଙ୍ଗତ ଜୀବନ ସମ୍ଭବ କରିବା ଦିଗରେ ସିଏ ପ୍ରକୃତରେ କୌଣସି ସାହାଯ୍ୟ କରି ପାରିବେ କି ନାହିଁ ବୋଲି ଭାବୁଥିଲେ । ସେଇଥିରୁ ହିଁ ‘ଆଶାଗ୍ରାମ’ର ସ୍ୱପ୍ନଟି ସାକାର ହେବା ଆରମ୍ଭ ହୋଇଥିଲା ।

 

ସବଡେପୁଟୀ ମାଜିଷ୍ଟ୍ରେଟ୍ ପୁନର୍ବାର କୋଢ଼ି ବଙ୍ଗଳାର କୃଷ୍ଠ-ବସ୍ତିରେ ଯାଇ ପହଞ୍ଚିଲେ ଏବଂ ନିଜର ସ୍ଵପ୍ନଟି ବିଷୟରେ ଯତୀନ ଓ ଅନ୍ୟମାନଙ୍କ ସହିତ କଥା ହେଲେ । ସେମାନେ ତ ପ୍ରଥମେ ଭାରି ଅବାକ୍ ହୋଇ ଯାଇଥିଲେ,–ତା’ପରେ ଏକଥା କ’ଣ ପ୍ରକୃତରେ ସମ୍ଭବ ହେବ ବୋଲି ସଂଶୟ ପ୍ରକାଶ କଲେ,–ଓ ତା’ପରେ କ୍ରମଶଃ କିଛି ବିଶ୍ୱାସ ତଥା ଆଶା ମଧ୍ୟ ଉଦୟ ହୋଇ ଆସିଲା ।

 

ଅଫିସର୍‍ ଆଜ୍ଞା ତା’ପରେ ସହରର ନାଗରିକ ମାନଙ୍କର ସହାୟତା ଲୋଡ଼ିବା ନିମନ୍ତେ ଗୋଟିଏ ସଭା ଡାକିଥିଲେ । ସିଏ ବୁଝି ପାରୁଥିଲେ ଯେ ସ୍ଥାନୀୟ ଜନସାଧାରଣଙ୍କର ଅଙ୍ଗୀକାରବଦ୍ଧ ଏବଂ ସ୍ଥାୟୀ ସାହାଯ୍ୟ ଓ ସମର୍ଥନ ବିନା ଏଭଳି ଗୋଟିଏ ଉଦ୍ୟମ କଦାପି ସଫଳ ହୋଇ ପାରିବ ନାହିଁ । ସଭାକୁ ନିମନ୍ତ୍ରିତ ହୋଇ ଆସିଥିବା ଅଧିକାଂଶ ବ୍ୟକ୍ତି ପ୍ରସ୍ତାବଟି ବିଷୟରେ ପରୋକ୍ଷ ଭାବରେ ଯେଉଁ ବିରୋଧ ପ୍ରକଟ କଲେ, ତାହା ତାଙ୍କୁ ଅତ୍ୟନ୍ତ ଦୁଃଖିତ କରି ପକାଇଥିଲା-। ସେମାନେ କହିଲେ, ଏହି କୁଷ୍ଠରୋଗୀମାନେ ଭିକ ମାଗୁଛନ୍ତି, କାରଣ ସେମାନେ ଭାରି ଅଳସୁଆ ଏବଂ ଆଦୌ କୌଣସି କାମକୁ ଯୋଗ୍ୟ ନୁହନ୍ତି । ତେଣୁ, ଏପରି ପରନିର୍ଭର ହୋଇ ଦୀର୍ଘକାଳ ଚଳି ଆସିଥିବା ଏମାନେ ଏଣିକି ଭିକ ମାଗିବା ଛାଡ଼ିଦେବେ ଏବଂ ଅନ୍ୟ ପ୍ରକାରେ ଆପଣାର ଜୀବିକା ନିର୍ବାହ କରିବେ ବୋଲି ଆପଣ ସତରେ ବିଶ୍ୱାସ କରୁଛନ୍ତି ? ଖୁବ୍ ଜୋରରେ ବିତର୍କ ଚାଲିଲା, ଶେଷକୁ ଜଣେ ସମସ୍ତେ ସମ୍ମାନ କରୁଥିବା ବେଶ୍ ବୟୋଜ୍ୟେଷ୍ଠ ନାଗରିକ ଆଲୋଚନାଟିର ନିଷ୍କର୍ଷରୁପେ ଏହିଭଳି ମନ୍ତବ୍ୟଟିଏ ଦେଲେ : ବାବୁ, ଯଦି ତୁମେ ଯଦି ଗୋଟାଏ ଗଧର ଦେହରେ ଯାଇ ଧଳାରଙ୍ଗ ବୋଳିଦେବ, ତେବେ ସିଏ କେବେହେଲେ ଏକ ଘୋଡ଼ା ହୋଇ ପାରିବନାହିଁ । ଅଫିସର୍ ମଧ୍ୟ ଅତ୍ୟନ୍ତ ଦୃଢ଼ତାର ସହିତ ବାରମ୍ବାର କହୁଥାଆନ୍ତି, ଲୋକମାନଙ୍କୁ ସାମାନ୍ୟତମ ସୁଯୋଗଟିଏ ଦେବା ପୂର୍ବରୁ ଆପଣମାନେ ସେମାନଙ୍କୁ କିପରି ଅଯୋଗ୍ୟ ବୋଲି କହି ନିନ୍ଦା କରି ପାରିବେ ?

 

ସଭା ସାଙ୍ଗ ହେଲା, କିନ୍ତୁ ନୂତନ ଉଦ୍ୟମଟି ସକାଶେ ନାଗରିକମାନଙ୍କର କୌଣସି ସମର୍ଥନ ମିଳିବାର କିଛି ସଙ୍କେତ ସେଥିରୁ ମିଳିଲା ନାହିଁ । ମାତ୍ର, ତା’ପର ସପ୍ତାହରେ ଅଳ୍ପ କେତେଜଣ ନାଗରିକ,–ବେଶ୍ ଖାତିର ରହିଥିବା ଜଣେ ସ୍ଥାନୀୟ ବ୍ୟବସାୟୀ, ନିଜର ଏକ ଘରୋଇ ଚିକିତ୍ସା କେନ୍ଦ୍ରକୁ ସଫଳ ଭାବେ ଚଳାଉଥିବା ଜଣେ ଡାକ୍ତର, ସାଧାରଣଙ୍କର ସେବାରେ ଉତ୍ସାହ ରଖିଥିବା ଜଣେ କଲେଜ ଅଧ୍ୟାପକ ତଥା ସେହି କାଥୋଲିକ୍ ସେବିକା ସିଷ୍ଟର୍ ଲେଲ୍ଲି ଓ ସେହି କମୁନିଷ୍ଟଜଣକ,–ସେମାନେ ଅଲଗା ଅଲଗା ସବଡ଼େପୁଟୀ ମାଜିଷ୍ଟ୍ରେଟ୍‍ଙ୍କ ପାଖକୁ ଆସି ଯୋଜନାଟି ପ୍ରତି ନିଜ ନିଜର ବ୍ୟକ୍ତିଗତ ସମର୍ଥନ ରହିଛି ବୋଲି ଜଣାଇବାକୁ ଆସିଥିଲେ । ସେମାନଙ୍କୁ ନେଇ ଅଫିସର୍ ସଙ୍ଗେ ସଙ୍ଗେ ଏକ ଟ୍ରଷ୍ଟ ଗଠନ କଲେ ଏବଂ କାର୍ଯ୍ୟଟିର ଅୟମାରମ୍ଭ କରି ଦେଇଥିଲେ ।

 

ନୂତନ ଗ୍ରାମଟି ନିମନ୍ତେ ଜାଗାଟିଏ ବାଛିବା ସେମାନଙ୍କର ପ୍ରଥମ କାମ ହେଲା ଅଫିସର୍ କୋଢ଼ି ବଙ୍ଗଳାର ବାସିନ୍ଦାମାନଙ୍କୁ ମଧ୍ୟ ସେମାନଙ୍କ ଭିତରୁ ଚାରି ପାଞ୍ଚଜଣ ପ୍ରତିନିଧି ବାଛିବା ଲାଗି ପ୍ରସ୍ତାବ ଦେଇଥିଲେ ଏବଂ ଉପଯୁକ୍ତ ଜାଗାଟିଏ ଠିକ୍ କରିବା ନିମନ୍ତେ ସେମାନଙ୍କୁ ନିଜ ଜୀପରେ ବସାଇ କେତେ ସ୍ଥାନକୁ ନେଇ ଯାଇଥିଲେ । କିଛିଦିନ ପରେ ଜାଗାଟିଏ ନିର୍ଣ୍ଣିତ ହୋଇଗଲା,–ବେଶ୍ ଖୋଲା ସୁନ୍ଦର ଜାଗାଟିଏ–ଚାରିଆଡ଼େ ସାନସାନ ପାହାଡ଼ ଏବଂ ସେଠାରେ ଛିଡ଼ା ହୋଇ ଆଖି ବୁଲାଇଲେ ସମଗ୍ର ସହରଟିକୁ ପରିଷ୍କାର ଭାବରେ ଦେଖି ହେଉଥିଲା ।

 

ପ୍ରକଳ୍ପଟି ନିମନ୍ତେ ନିର୍ବାଚିତ ସ୍ଥାନଟି ମଂଜୁର କରାଯାଉ ବୋଲି ଅଫିସର ସଙ୍ଗେ ସଙ୍ଗେ କଲେକ୍ଟରଙ୍କ ନିକଟକୁ ଦରଖାସ୍ତ କରିଦେଲେ । ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା କାରଣ କଲେକ୍ଟରଙ୍କ ରାଜି ହେଲେ ନାହିଁ । କିନ୍ତୁ, କଥାଟି ଏତେଯାଏ ଆସିଗଲାଣି ଯେତେବେଳେ, ସେତେବେଳେ ନିରସ୍ତ୍ର ହୋଇ ଫେରିଆସିବା ଆଦୌ ସମ୍ଭବ ନଥିଲା । କାରଣ, ବର୍ତ୍ତମାନ ଆଶାଗ୍ରାମ କେବଳ ଏକମାତ୍ର ତାଙ୍କରି ଏକ ବ୍ୟକ୍ତିଗତ ସ୍ଵପ୍ନ ନଥିଲା । ସକଳ ଆଶାକୁ ହରାଇ ବସିଥିବା ଲୋକମାନଙ୍କ ଚିତ୍ତରେ ସେ ଇତିମଧ୍ୟରେ ପୁନର୍ବାର ଏକ ଆଶାରୁ ସଞ୍ଚାର କରାଇ ସାରିଥିଲେ । ତେଣୁ, ସେମାନଙ୍କୁ କଦାପି ନିରାଶ କରି ହୁଅନ୍ତୁ ନାହିଁ । ତେଣୁ ସେ ଅତ୍ୟନ୍ତ ବ୍ୟାକୁଳ ଭାବରେ ସମାଧାନଟିଏ ବାହାର କରିବାରେ ଲାଗିଗଲେ । ସେ ଦେଖିଲେ ଯେ ଏହି ଆଶାଗ୍ରାମ ନିମନ୍ତେ ସ୍ଥିରୀକୃତ ହୋଇଥିବା ଜାଗାଟି ସଂପୂର୍ଣ୍ଣ ଭାବରେ ଗୋଟିଏ ସରକାରୀ ଜାଗା,–ହଁ, କେବଳ ଗୋଟିଏ ଏକରକୁ ଛାଡ଼ିଦେଲେ,–ଏତକ ଘରୋଇ ସ୍ଵତ୍ୱ । ଅନୁସନ୍ଧାନରୁ ଜଣାଗଲା ଯେ ଏହି ଅଂଶଟିର ମାଲିକ ହେଉଛନ୍ତି ଜଣେ ବିଧବା । ସନ୍ତାନ ସନ୍ତତି କେହି ନଥିଲେ । ବିଧବା ଦୟାବାଈ ବୃଦ୍ଧା ହୋଇ ଯାଇଥିଲେ ଓ ସେହି ଜମିଟିକୁ ଆବାଦ କରିବାପାଇଁ ତାଙ୍କର ଶକ୍ତି ନଥିଲା । ଅଫିସର ତାଙ୍କୁ ଯାଇ ସାକ୍ଷାତ କରିଥିଲେ ଏବଂ ସିଏ ନିଜର ସେହି ଜମିଟିକୁ ଆଶାଗ୍ରାମ ପାଇଁ ଦାନ କରନ୍ତୁ ବୋଲି ତାଙ୍କୁ ଅନୁରୋଧ ଜଣାଇଥିଲେ । ବୃଦ୍ଧା ସଙ୍ଗେ ସଙ୍ଗେ ରାଜି ହୋଇଗଲେ । ସେ ଗୋଟିଏ ସାଧାରଣ ଅବସରର ଆୟୋଜନ କଲେ ଏବଂ ଜମିସଂକ୍ରାନ୍ତୀୟ କାଗଜପତ୍ରକୁ ହସ୍ତାନ୍ତର କରିବା ସମୟରେ ସେଠାରେ ବୃଦ୍ଧାଙ୍କୁ ସମ୍ମାନିତ କରା ଯାଇଥିଲା । ଏହିପରି ଭାବରେ ଆଶାଗ୍ରାମ ନିର୍ମାଣ କରିବାର ବାଟରେ ରହିଥିବା ଆଇନ୍‌ଗତ ଅସୁବିଧାକୁ ଦୂର କରା ଯାଇଥିଲା ଏବଂ, ସବଡେପୁଟୀ ମାଜିଷ୍ଟ୍ରେଟ୍ ନିଷ୍ପତ୍ତି କଲେ ଯେ, ବର୍ତ୍ତମାନ ସେହି ଭୂମିଟି ବାବଦରେ ସେଠାରେ ଏକ କ୍ଷୁଦ୍ର ଆଇନ୍‍ଗତ ସ୍ଵତ୍ୱାଧିକାର ସମ୍ଭବ ହୋଇ ପାରିଥିବାରୁ, ନୂତନ ଗ୍ରାମଟିକୁ ନିର୍ମାଣ କରିବାଲାଗି ସେ ଖୁବ୍ ନିର୍ବିଘ୍ନରେ ଚାରିପାଖେ ରହିଥିବା ସରକାରୀ ଭୂମିଗୁଡ଼ିକୁ ମଧ୍ୟ ଅବଶ୍ୟ ଦଖଲ କରିନେବାକୁ ସମର୍ଥ ହେବେ ।

 

ଗ୍ରାମାଞ୍ଚଳର ଗୃହନିର୍ମାଣ ବାବତରେ ଯେତିକି ସ୍ୱଳ୍ପପରିମାଣ ଅର୍ଥ ରହିଥିଲା, ସେତିକିରୁ କାର୍ଯ୍ୟଟିକୁ ଆରମ୍ଭ କରିବାକୁ ହୋଇଥିଲା । ସେତେବେଳେ ଗୋଟିଏ ଇଉନିଟ୍ ନିମନ୍ତେ ମାତ୍ର ୧୫୦୦ ଟଙ୍କା ମିଳୁଥିଲା । ଏହି ପ୍ରକଳ୍ପଟି ନିମନ୍ତେ ଯେଉଁ ସ୍ଥାନୀୟ ବ୍ୟବସାୟୀ ଜଣକୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ, ଏବଂ ସିଏ ସମୟକ୍ରମେ ତାହାର ସର୍ବମୂଳ ସ୍ୱେଚ୍ଛାସେବକର ଭୂମିକା ମଧ୍ୟ ଗ୍ରହଣ କଲେ,–ସିଏ ଅଫିସରଙ୍କୁ ଆଦୌ ଚିନ୍ତା କରନ୍ତୁନାହିଁ ବୋଲି ଅନୁରୋଧ କଲେ । ମିଳୁଥିବା ସରକାରୀ ଅନୁଦାନ ମିଳିବାପରେ ଯାହାକିଛି ସାମଗ୍ରୀ ତଥା ପଇସା ଅକୁଳାଣ ପଡ଼ିବ, ତାହା ସିଏ ସବୁକିଛି ଅବଶ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

ଗୋଟିଏ ସୁଦୃଶ୍ୟ କ୍ଷୁଦ୍ର ନୂଆ ବସତି କ୍ରମେ ଗଢ଼ି ଉଠିବାକୁ ଆରମ୍ଭ କଲା ଏବଂ କୁଷ୍ଠରେ ଆକ୍ରାନ୍ତ ରୋଗୀମାନେ, ବର୍‍ୱ୍ୱାନି ସହରର ଅନ୍ୟ ବାସିନ୍ଦାମାନେ ଓ ଏପରିକି ସେହି ତରୁଣ ସବଡେପୁଟୀ ମାଜିଷ୍ଟ୍ରେଟ୍ ମଧ୍ୟ ଚକିତ ହୋଇ ତାହା ଦେଖୁଥିଲେ । ଏସବୁ ପ୍ରକୃତରେ ସମ୍ଭବ ହେଉଛି ବୋଲି ବିଶ୍ୱାସ କରିବି ପାରୁନଥିଲେ । ତିନିମାସ ନଯାଉଣୁ ଏଣେତେଣେ ପ୍ରକୃତରେ ସାକାର ହୋଇ ଆସୁଥିଲା । ସାନ ସାନ କୁଟୀରମାନେ ସୁଯୋଜିତ ଭାବରେ ଅବସ୍ଥିତ ରହିଥିଲେ,–ମଝିରେ ଗୋଟିଏ କ୍ଲିନିକ୍, ଗୋଟିଏ କର୍ମଶାଳା ଓ ପିଲାମାନଙ୍କର ଖେଳିବାପାଇଁ ଗୋଟିଏ ଖେଳପଡ଼ିଆ ।

 

ଏହା ଅତ୍ୟନ୍ତ ତାତ୍ପର୍ଯ୍ୟର କଥା ଯେ, ସେତେବେଳେ ତଥା ପରବର୍ତ୍ତୀ ବର୍ଷମାନଙ୍କରେ, ସେହି ଆଶାଗ୍ରାମର ପ୍ରାୟ ସମୁଦାୟ ନିର୍ମାଣକାର୍ଯ୍ୟଟି କେବଳ ନୂଆ ନୂଆ ସରକାରୀ ଯୋଜନାରୁ ପ୍ରାପ୍ତ ସମ୍ବଳ ଦ୍ୱାରା ସମ୍ପନ୍ନ ହୋଇ ପାରିଲା; ସର୍ବସାଧାରଣ ଦାନ ଉପରେ ଆଦୌ ନିର୍ଭର କରିନଥିଲା ।

 

କୁଷ୍ଠଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କର ଭିକ୍ଷାବୃତ୍ତି ବନ୍ଦ ହେଲା ଏବଂ ତେଣୁ ଅଫିସର ମହୋଦୟଙ୍କୁ ଯୁଗପତ୍‍ ଭାବରେ ସେମାନଙ୍କ ନିମନ୍ତେ ସମ୍ଭାବ୍ୟ ବିକଳ୍ପ ଜୀବିକାନିର୍ବାହର ପନ୍ଥାମାନ ଯୋଗାଇ ଦେବା ବିଷୟରେ ଆଲୋଚନା କରିବାପାଇଁ ସମୟ ଦେବାକୁ ପଡ଼ିଥିଲା । କେତେ ତ ସେହି ଗ୍ରାମରେ ହିଁ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଯୁକ୍ତ ହୋଇ ପାରିଲେ : କ୍ଷୀର ବ୍ୟବସାୟ କଲେ, ଦୋକାନ କଲେ ଅଥବା ଅନ୍ୟ ପ୍ରୟୋଜନୀୟ ଦ୍ରବ୍ୟମାନ ଆଣି ଯୋଗାଇଥିଲେ । ଅନ୍ୟମାନଙ୍କ ସକାଶେ ସୂତା କାଟିବା ଏବଂ ଗାଲିଚା ବୁଣିବାର ସଂସ୍ଥାଟିଏ ବି ଆରମ୍ଭ ହେଲା, ତନ୍ତ ବସିଲା,–ଖଦୀ ବୋର୍ଡ୍ ସହିତ ସମ୍ପର୍କ ସ୍ଥାପନ କରି ବିଭିନ୍ନ ମୂଳ ସରଞ୍ଜାମ ଯୋଗାଇ ଦିଆଗଲା ଓ ବିକ୍ରୀର ଦାୟିତ୍ୱ ମଧ୍ୟ ନିଆ ଯାଇଥିଲା ।

 

ପରିଶେଷରେ ସେହି ଦିନଟି ଆସି ପହଞ୍ଚିଲା, ଯେତେବେଳେ କି କୁଷ୍ଠରୋଗୀମାନେ ନିକ ନିଜର ନୂତନ ଗୃହମାନଙ୍କରେ ଯାଇ ରହିବାକୁ ଗଲେ । ଗୋଟିଏ କ୍ଷୁଦ୍ର ନିରାଡ଼ମ୍ବର ଉତ୍ସବରେ ସେହି ଜିଲ୍ଲାର ଉଚ୍ଚତର ସରକାରୀ ପଦସ୍ଥମାନଙ୍କର ଉପସ୍ଥିତିରେ ଏବଂ ବର୍‍ୱ୍ୱାନିର ଅନେକ ଅଧିବାସୀଙ୍କର ଗହଣରେ ରୋଗୀମାନେ ସେମାନଙ୍କର ନୂଆ ଜୀବନଟିର ପ୍ରବେଶ କଲେ,–ସେହି ପୁରାତନ ବସ୍ତିବାସର ନୈରାଶ୍ୟ ଏବଂ ଯାବତୀୟ ଅସମ୍ମାନ ପଛରେ ହିଁ ପଡ଼ି ରହିଥିଲା ।

 

ବରୱ୍ୱାନିରେ ନଅମାସ ରହିବାପରେ ସବଡ଼େପୁଟୀ ମାଜିଷ୍ଟ୍ରେଟ୍ ତାହାର ଖୁବ୍ ଅଳ୍ପଦିନ ପରେ ସେଠାରୁ ବଦଳି ହୋଇ ଯାଇଥିଲେ । ଯିବା ପୂର୍ବରୁ ସେ ଆଶାଗ୍ରାମର ବାସିନ୍ଦାମାନଙ୍କ ସହିତ ସେମାନଙ୍କ ପାଇଁ ସମ୍ଭବ ହୋଇ ପାରିଥିବା ସେହି ଶ୍ରଦ୍ଧା ତଥା ସମ୍ମାନର ଜୀବନଟି ବିଷୟରେ କଥାବାର୍ତ୍ତା କରିଥିଲେ । ସେ କହିଥିଲେ ଯେ, ଭିକ୍ଷାବୃତ୍ତି ବର୍ଜନ କରିବାକୁ ଦୃଢ଼ପ୍ରତିଜ୍ଞ ହୋଇ ଏବଂ ଆତ୍ମବିଶ୍ୱାସ ଓ ସମ୍ମାନ ସହିତ ବାସ କରି ସେମାନଙ୍କୁ ବରୱ୍ୱାନି ସହରର ଅଧିବାସୀମାନଙ୍କର ସେମାନଙ୍କ ପ୍ରତି ରହିଥିବା ଅବଜ୍ଞାଭାବକୁ ସମ୍ପୂର୍ଣ ଭାବରେ ଦୂର କରିଦେବାକୁ ହିଁ ପଡ଼ିବ ଏବଂ, ସେମାନେ ଯେ ଅନ୍ୟ ମନୁଷ୍ୟମାନଙ୍କ ଠାରୁ କୌଣସି ପ୍ରକାରେ ନ୍ୟୁନ ନୁହନ୍ତି, ସେକଥା ପୃଥିବୀକୁ ଦେଖାଇ ଦେବାକୁ ହେବ ।

 

ତାଙ୍କର ଏପରି ଚିନ୍ତା କରିବାର କୌଣସି କାରଣ ନଥିଲା । ବିଗତ ଅଠର ବର୍ଷ ବ୍ୟାପୀ ଏହାର ଇତିହାସରେ ଆଶାଗ୍ରାମର କୌଣସି ଅଧିବାସୀ କେବେ ଭିକ ମାଗି ଯାଇନାହିଁ । ସହରରେ ଯେକୌଣସି ବସ୍ତି ଅପେକ୍ଷା ସେମାନେ ନିଜର ସାନ ବାସଗୃହଗୁଡ଼ିକୁ ଅଧିକ ପରିଷ୍କାର ରଖି ପାରୁଛନ୍ତି । ନିଜର ସାନ ସାନ ବଗିଚାରେ ଫଳଗଛମାନ ଲଗାଇ ସେଗୁଡ଼ିକର ଯତ୍ନ ନେଉଛନ୍ତି । ସେହି ଜାଗାଗୁଡ଼ିକ ଆଗରୁ ପଡ଼ିଆ ହୋଇ ପଡ଼ି ରହିଥିଲା, ବର୍ତ୍ତମାନ ସବୁଜ ଛନଛନ ଦେଖାଯାଉଛି ।

 

ପୂର୍ବରୁ ସେମାନେ ଆଶାଗ୍ରାମର ଅଧିବାସୀମାନଙ୍କର ବିକୃତାକାର ଯେଉଁ ହାତଗୁଡ଼ିକୁ ଭିକ୍ଷା ପାଇଁ ପ୍ରସାରିତ ହୋଇ ରହିଥିବାର ଦେଖି ଆସିଥିଲେ, ବର୍ତ୍ତମାନ ପୂର୍ଣ୍ଣ ସଂକଳ୍ପର ସହିତ ସେଗୁଡ଼ିକୁ ତନ୍ତୁ ଏବଂ ସୂତାକୁ ନେଇ ବ୍ୟସ୍ତ ରହିଥିବାର ଦେଖି ବର୍‍ୱ୍ୱାନିରେ ବାସ କରୁଥିବା ଲୋକମାନଙ୍କର ସଂଶୟ ତଥା ଘୃଣା କ୍ରମେ ବଦଳିବାକୁ ମଧ୍ୟ ଆରମ୍ଭ କରିଥିଲା । ପ୍ରଥମେ ସେମାନେ ସତେଅବା କୁଣ୍ଠାର ସହିତ ନିଜର ଶ୍ରଦ୍ଧାକୁ ବ୍ୟକ୍ତ କରୁଥିଲେ ଏବଂ ତା’ପରେ ପ୍ରାୟ ସଂପୂର୍ଣ୍ଣ ଭାବରେ ସେମାନଙ୍କୁ ସ୍ୱୀକାର କରି ନେଇଥିଲେ । ବର୍ତ୍ତମାନ ଆଶାଗ୍ରାମର ଲୋକମାନଙ୍କୁ କୌଣସି କାର୍ଯ୍ୟ ଦେବାକୁ କେହି କୌଣସି ଅନିଚ୍ଛା ପ୍ରକାଶ କରନ୍ତି ନାହିଁ ଏବଂ ବର୍‍ୱ୍ୱାନିର ବାସିନ୍ଦାମାନେ ଗର୍ବର ସହିତ ହିଁ ବହିରାଗତମାନଙ୍କୁ ଆଶାଗ୍ରାମ ଦେଖିବା ଲାଗି ସେମାନଙ୍କୁ ସତେଅବା ଏକ ଦର୍ଶନୀୟ ସ୍ଥାନ ଦେଖାଇବା ନିମନ୍ତେ ସେଠାକୁ ଡାକି ନେଇଯାଆନ୍ତି ।

 

ମାତ୍ର, ପ୍ରଥମ ମାସଗୁଡ଼ିକରେ ସେହି ନୂତନ ବସତିଟିରେ ପ୍ରକୃତରେ ସମସ୍ୟାମାନ ରହିଥିଲା । ସବଡେପୁଟୀ ମାଜିଷ୍ଟ୍ରେଟ୍ ବଦଳି ହୋଇ ଚାଲିଯିବା ପୂର୍ବରୁ ଏକାବେଳେକେ ସର୍ବପ୍ରଥମ ସପ୍ତାହଟିରେ ହିଁ ସ୍ଥାନୀୟ ସ୍କୁଲରେ ଏକ ବିଦ୍ରୋପ ପରି ଘଟଣାଟିଏ ଘଟିଥିଲା । କୁଷ୍ଠରୋଗୀଙ୍କ ଛୁଆମାନଙ୍କୁ କ୍ଲାସଗୃହ ଭିତରକୁ ପୂରାଇବାକୁ ଶିକ୍ଷକମାନେ ମନା କରିଦେଲେ ଏବଂ, ସେଭଳି ନୂଆ ପିଲାଙ୍କର ନାମ ଲେଖାଗଲେ ନିଜ ପିଲାମାନଙ୍କୁ ଅନ୍ୟତ୍ର ନେଇଯିବା ଲାଗି ଅନ୍ୟ ପିତାମାତାମାନେ ଭୟ ବି ଦେଖାଇଥିଲେ । ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ବୁଝାଇବାକୁ ପଡ଼ିଲା, ମାତ୍ର କିଛି ଫଳ ହେଲା ନାହିଁ ଏବଂ ଶେଷରେ ଭଗିନୀ ଲେଲ୍ଲିସ୍ ଉକ୍ତ ପିଲାଙ୍କୁ ପାଖ ଜିଲ୍ଲାରେ ଥିବା ଗୋଟିଏ ଆବାସିକ ବିଦ୍ୟାଳୟକୁ ନେଇ ଯାଇଥିଲେ । ସଂପୃକ୍ତ ପିତାମାତା ଓ ପିଲାମାନଙ୍କୁ କୁହାଯାଇଥିଲା ଯେ ସେମାନେ ଯେକୌଣସି ପ୍ରକାରେ ନିଜ ପରିଚୟଗୁଡ଼ିକୁ ଅଜ୍ଞାତ କରି ରଖିବେ । ଯତୀନ୍ ଆଗରୁ ଯାହା କରିଥିଲା, ଠିକ୍ ସେହିପରି ।

 

ପୁନଶ୍ଚ, ଦଳିତ ଜାତିର ଜଣେ ରୋଗାକ୍ରାନ୍ତ ସ୍ତ୍ରୀଲୋକ ଆଶାଗ୍ରାମରେ ଥିବା ଏକମାତ୍ର ହାତପମ୍ପ୍‍ରୁ ପାଣି ଭରିବାକୁ ଯିବାଦ୍ୱାରା ସେହି ନୂଆ ବସତିଟିରେ ଅପ୍ରତ୍ୟାଶିତ ଭାବରେ ଆଉଥରେ ଏକ ସମସ୍ୟାର ସୃଷ୍ଟି ହୋଇଥିଲା । ପ୍ରଧାନତଃ ଆଦିବାସୀ ଓ ସବର୍ଣ୍ଣ ହିନ୍ଦୁ କେତେକ ବାସିନ୍ଦା ଅତ୍ୟନ୍ତ ରୋଷାନ୍ୱିତ ହୋଇପଡ଼ି ବାଟ ଓଗାଳି ତାକୁ ପମ୍ପଟି ପାଖକୁ ଯିବାକୁ ହିଁ ଦେଲେନାହିଁ । ଶେଷରେ ସବଡେପୁଟୀ ମାଜିଷ୍ଟ୍ରେଟ୍‍ ଆସି ହସ୍ତକ୍ଷେପ କଲେ ଏବଂ ନିର୍ଣ୍ଣୟ ଦେଇଥିଲେ ଯେ, ରୋଗାକ୍ରାନ୍ତ ସେହି ଦଳିତ ମହିଳାଟିର ହିଁ ହାତପମ୍ପ୍‍ଟିକୁ ବ୍ୟବହାର କରିବାଲାଗି ସବାଆଗ ଅଧିକାର ରହିଛି । ଯଦି ଏଥିରେ ଅନ୍ୟମାନଙ୍କର କିଛି ଆପତ୍ତି ବା ଅସୁବିଧା ଥାଏ, ତେବେ ସେମାନଙ୍କର ବରଂ ଅନ୍ୟ କୌଣସି ସ୍ଥାନରୁ ଯାଇ ପାଣି ଆଣିବା ଉଚିତ । ଏହାପରେ ସମସ୍ତେ ଭିଡ଼ିମୋଡ଼ି ହୋଇ ସବୁ ମାନି ନେଇଥିଲେ । କିନ୍ତୁ, ଏପରି ଏକ ସମୟ ଦିନେ ଆସି ପହଞ୍ଚିଥିଲା, ଯେତେବେଳେ କି ଦଳିତ ଘରର ସେହି ସ୍ତ୍ରୀଲୋକଟି କୁଷ୍ଠଦ୍ଵାରା ଆକ୍ରାନ୍ତ ରୋଗୀମାନଙ୍କ ଶୁଶ୍ରୂଷା ନିମନ୍ତେ ଜଣେ ସ୍ୱେଚ୍ଛାସେବିକା ହୋଇ ବାହାରିଥିଲା । କାଥୋଲିକ୍ ଭଗିନୀମାନେ ତାକୁ ସେଥିପାଇଁ କିଛି ଅନୌପଚାରିକ ତାଲୀମ ମଧ୍ୟ ଦେଇଥିଲେ । ତା’ର ଉତ୍ସର୍ଗୀକୃତ ଦୈନିକ ଶୁଶ୍ରୂଷା କାର୍ଯ୍ୟ ପାଇଁ ବର୍ତ୍ତମାନ ତାକୁ ତା’ ସମୁଦାୟଟି ତାକୁ ଅତ୍ୟନ୍ତ ସମ୍ମାନର ସହିତ ଦେଖୁଛି–ସିଏ ବୁଲି ବୁଲି ରୋଗୀମାନଙ୍କର ଘାଆଗୁଡ଼ିକୁ ନିଜର ସେବାଦ୍ୱାରା ହିଁ ଭଲ କରି ଆଣୁଛି ।

 

କିନ୍ତୁ, ଏକତ୍ର ଗୋଟିଏ ସମୁଦାୟ ହୋଇ ବାସ କରିବାର ସବାବଡ଼ ଶିକ୍ଷାଟି ସମ୍ଭବତଃ କିଛି ମାସ ପରେ ଯାଇ ମିଳିଲା । ଆଶା ଗ୍ରାମର ଖ୍ୟାତି ପ୍ରସାର ଲାଭ କରୁଥିବା ସଙ୍ଗେ ସଙ୍ଗେ ପ୍ରତିବେଶୀ ଅଞ୍ଚଳମାନଙ୍କରୁ ବହୁସଂଖ୍ୟକ କୁଷ୍ଠରୋଗୀ ଆଶାର ସନ୍ଧାନ କରି ଏହି ନୂତନ ବସତିଟିରେ ଆସି ପହଞ୍ଚିଥିଲେ । ଏହି ନୂଆ ଆବାସିକମାନଙ୍କ ସକାଶେ ଦ୍ୱିତୀୟ ଗୃହଗୁଡ଼ିକୁ ନିର୍ମାଣ କରିବାକୁ ପଡ଼ିଥିଲା । ନୂଆମାନଙ୍କ ଭିତରେ ଜଣେ ବେଶ୍ ବୟସ୍କ ରୋଗୀ ଥିଲେ,–ଆଖିକୁ ଦିଶେନାହିଁ । ମୂକ, ପକ୍ଷାଘାତଗ୍ରସ୍ତ ଦେହ ଶରୀରସାରା ଆଁ କରି ରହିଥିବା ଘାଆମାନ । ନିଜେ ତ୍ୟାଗ କରୁଥିବା ମଳରେ ନିଜେ ହିଁ ଘାଣ୍ଟି ହେଉଥାନ୍ତି । ତାଙ୍କ ପରିବାର ଲୋକେ ତାଙ୍କୁ ଆଶାଗ୍ରାମ ନିକଟରେ ପକାଇଦେଇ ଚାଲି ଯାଇଥିଲେ । ତା’ର ଅବସ୍ଥା ଦେଖି ଆଶାଗ୍ରାମର ବାସିନ୍ଦାମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଆତଙ୍କିତ ହୋଇ ଉଠିଥିଲେ ଏବଂ ଭଗିନୀ ଲେଲ୍ଲିସ୍ ଏହି ବ୍ୟକ୍ତିଜଣକ ମଧ୍ୟ ଆଶା ଗ୍ରାମରେ ରହିବେ ବୋଲି କୋର୍ ଦେଇ କହିବାରୁ ତାହାର ପ୍ରତିବାଦରେ ପ୍ରାୟ ବିଦ୍ରୋହ କରି ଉଠିଥିଲେ । ନିଜେ ଭଗିନୀ ଲେଲ୍ଲିଙ୍କ ହିଁ ସେହି ବ୍ୟକ୍ତିଟିକୁ ନିଜର ଦୀପ୍ ଭିତରକୁ ଉଠାଇବାକୁ ପଡ଼ିଥିଲା,–ଗାଡ଼ିରେ ଆଶାଗ୍ରାମ ଯାଏ ନେବାକୁ ହେଲା । ସିଏ ଅତ୍ୟନ୍ତ ଯତ୍ନ ସହକାରେ ଲୋକଟିକୁ ଧୋଇଧାଇ ଦେଇଥିଲେ, ଖାଇବାକୁ ଦେଲେ ଏବଂ ଆବଶ୍ୟକ ଶୁଶ୍ରୂଷା ମଧ୍ୟ କରିଥିଲେ-। ଅନ୍ୟମାନେ କେବଳ ଦେଖିବାରେ ଲାଗି ଥାଆନ୍ତି ।

 

ଏହିପରି କେତୋଟି ଦିନ ଅତିକ୍ରାନ୍ତ ହୋଇଯିବା ପରେ, ନିଜ ପାଖରେ ରହିଥିବା ଅତ୍ୟନ୍ତ ଅଳ୍ପ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକ ଭିତରୁ ଜଣେ କେହି ଆପଣା ମନକୁ ସେହି ରୋଗୀ ସକାଶେ ଗୋଟିଏ କମ୍ବଳ ଆଣିଦେଲା,–ଆଉ କିଏ ଗୋଟିଏ ଚିରା କୋଟ୍ ଆଣି ପହଞ୍ଚିଗଲା । ତା’ପରେ ଅନ୍ୟ ଲୁଗା ପଟା ମଧ୍ୟ କିଛି ଆସିଥିଲା । କେହି ଆସି ଖାଇବା ଯାଚିଲା ଏବଂ ଶେଷକୁ ଆଉଜଣେ କହିଲା ଯେ, ଯେହେତୁ ଲୋକଟି ଏକୁଟିଆ ହୋଇ ରହୁଛି, ସିଏ ବର୍ତ୍ତମାନ ତାକୁ ନିଜ କୋଠରୀକୁ ନେଇଯିବ ଏବଂ ତା’ପରେ ଭଗିନୀଙ୍କୁ ଆଉ ତା’ର ଯତ୍ନ ନେବା ଆବଶ୍ୟକ ହେବନାହିଁ-। ଲୋକଟି କିଛି ମାସ ଅନ୍ତେ ତା’ର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା; କିନ୍ତୁ ମୁହଁର ଶବ୍ଦଦ୍ୱାରା ସିନା କିଛି କହି ପାରିଲା ନାହିଁ, ଏକ ବିରାଟ ନୂଆ ପରିବାରର ଶ୍ରଦ୍ଧାରେ ଭାଗୀ ହୋଇ ପାରିଥିବାରୁ ନିଶ୍ଚୟ କେତେ ନା କେତେ ସୁଖ ଅବଶ୍ୟ ଅନୁଭବ କରୁଥିଲା ।

 

ସିଏ ବଦଳି ହୋଇ ଚାଲିଯିବା ପରେ ଏହି ପ୍ରକଳ୍ପଟି କିପରି ତଥାପି ବଞ୍ଚି ରହିବ ଏବଂ ବୃଦ୍ଧିଲାଭ କରିବ, ସବଡେପୁଟୀ ମାଜିଷ୍ଟ୍ରେଟ୍ ସେ ବିଷୟରେ ଚିନ୍ତା ବି କରୁଥିଲେ । କିନ୍ତୁ, ପ୍ରକୃତରେ ଯାହା ଘଟିଲା, ତାହା ସଂପୂର୍ଣ୍ଣ ଭାବରେ ତାଙ୍କର ଏକାନ୍ତ ସ୍ଵପ୍ନାତୀତ ଥିଲା । ଆଶାଗ୍ରାମ ନିମନ୍ତେ ଦାୟୀ ସର୍ବସାଧାରଣ ଟ୍ରଷ୍ଟଟିର ସଦସ୍ୟମାନେ ନିଜ ନିଜ ଜୀବନରେ ପ୍ରକଳ୍ପଟିକୁ ଏକ ମୁଖ୍ୟ ସ୍ଥାନ ଦେଇଥିଲେ । କେନ୍ଦ୍ର ସ୍ଥାନରେ ଜଣେ ବ୍ୟବସାୟୀ ରହିଥିଲେ, ଯିଏକି ନିଜର କାରବାରଗୁଡ଼ିକୁ ଭାଇ ଏବଂ ପୁଅମାନଙ୍କ ହାତରେ ଅର୍ପିଦେଇ ଏହି ଉଦ୍ୟମଟିକୁ ଆପଣାର ପ୍ରଧାନତମ ଉଦ୍ୟମରୂପେ ଗ୍ରହଣ କରି ନେଇଥିଲେ । ସିଏ ପ୍ରକୃତରେ ଜଣେ ଅଭୂତ ସାମର୍ଥୀ ଥିବା ବ୍ୟକ୍ତି,–ହୃଦୟରେ ଗଭୀର ଦୟାର ଭାବ, ପରିଚାଳନାର କୌଶଳକ୍ଷେତ୍ରରେ ବହୁପ୍ରକାର ଧୂରନ୍ଧର,–ମାତ୍ର ଆଦୌ ପଦାକୁ କୌଣସି ପ୍ରଦର୍ଶନ କରନ୍ତି ନାହିଁ, ଅନ୍ତରାଳରେ ରହି ସମସ୍ତ କାର୍ଯ୍ୟ କରୁଥାନ୍ତି । ସେଠାରେ କାର୍ଯ୍ୟ କରୁଥିବା ଡାକ୍ତର ଉପସାଗରୀୟ କୌଣସି ଦେଶକୁ ଚାଲିଯିବା ପରେ ତାଙ୍କ ସ୍ଥାନରେ ଆଉ ଜଣେ ଘରୋଇ ଚିକିତ୍ସା କରୁଥିବା ଡାକ୍ତର ଆସିଲେ ଯିଏକି ଏବେ ମଧ୍ୟ ଆଶାଗ୍ରାମ ନିମନ୍ତେ ଆଦୌ କୌଣସି ପାରିଶ୍ରମିକ ନନେଇ ଦୈନିକ କେତେ ଘଣ୍ଟା ସମୟ ଦେଉଛନ୍ତି । ଭଗିନୀ ଲେଲ୍ଲିସ୍ ମଧ୍ୟ ତାଙ୍କର ସଂସ୍ଥାଟି ଦ୍ୱାରା ଆଉ ଏକ କନଭେଣ୍ଟକୁ ବଦଳି ହୋଇ ଯାଇଥିଲେ ଓ ଏପରି ଗୋଟିଏ ଶୂନ୍ୟସ୍ଥାନର ସୃଷ୍ଟି କରିଗଲେ ଯାହାକୁ ପୂର୍ଣ୍ଣ କରିବା ପ୍ରକୃତରେ କଷ୍ଟକର ହୋଇଥିଲା; ମାତ୍ର ଅନ୍ୟ ନାଗରିକମାନେ ଆସି ତାଙ୍କର କାର୍ଯ୍ୟଟିକୁ ଆଦରି ନେଲେ । ଆଉ ଜଣେ ଉତ୍ସର୍ଗୀକୃତା ଭଗିନୀ ସୁଜୋ ବର୍ତ୍ତମାନ ଆଶାଗ୍ରାମରେ ରହୁଛନ୍ତି ଏବଂ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଚଳାଉଛନ୍ତି । ଯେଉଁଠାରେ ପ୍ରତ୍ୟେକ ପିଲାର ଶିକ୍ଷା ଆରମ୍ଭ ହୋଇପାରୁଛି । ବର୍‍ୱ୍ୱାନି ସହରର କୌଣସି ସ୍କୁଲ ବା କଲେଜରେ ଆଶାଗ୍ରାମର କୌଣସି ପିଲା ଯାଇ ପଢ଼ିବାରେ ବର୍ତ୍ତମାନ କୌଣସି ପ୍ରତିରୋଧ କରାଯାଉନାହିଁ ।

 

ଅତ୍ୟନ୍ତ ଆଶ୍ଚର୍ଯ୍ୟ କଥା ଯେ, ପରବର୍ତ୍ତୀ ଅଧିକାଂଶ ସବଡିଭିଜନାଲ ଅଫିସର ଏହି ପ୍ରକଳ୍ପଟିର ଅଭିବୃଦ୍ଧି ତଥା ସୁସ୍ଥତା ରକ୍ଷାର କ୍ଷେତ୍ରରେ ସେମାନଙ୍କର ଅବଶ୍ୟ କିଛି ଅବଦାନ ରହିଛି ବୋଲି ହୃଦୟଙ୍ଗମ କରି ପାରିଛନ୍ତି । ଅଳ୍ପ କେତେଜଣ ତ ଏହାକୁ ନିଜର ଏକ ସର୍ବପ୍ରଥମ କାର୍ଯ୍ୟରୂପେ ଗ୍ରହଣ କରି ନେଇଛନ୍ତି ଏବଂ ସେହି ପ୍ରକ୍ରିୟାଟି ସହିତ ସଂପୃକ୍ତ ରହିବାଦ୍ୱାରା ସେମାନେ ନିଜ ଭିତରେ ମଧ୍ୟ କୌଣସି ନା କୌଣସି ପ୍ରକାରର ଏକ ସ୍ଥାୟୀ ପରିବର୍ତ୍ତନ ମଧ୍ୟ ଅନୁଭବ କରିଛନ୍ତି-

 

ଆଶାଗ୍ରାମର ବାସିନ୍ଦାମାନଙ୍କ ପାଇଁ ଫଳପ୍ରଦ ଏବଂ ସ୍ଥାୟୀ ଜୀବିକାନିର୍ବାହ ପନ୍ଥାଗୁଡ଼ିକର ଅନ୍ୱେଷଣ କରିବା ଏବେ ମଧ୍ୟ ଲାଗିରହିଛି । କଞ୍ଚାମାଲ ଯୋଗାଇଦେବାର କ୍ଷେତ୍ରରେ ଖଦୀବୋର୍ଡ୍ ତରଫରୁ କିଛି ଖିଲାପ ହୋଇ ଯାଇଥିଲା; ତେଣୁ ତାହା ଆଉ କର୍ମ ଯୋଗାଇ ଦେଉଥିବାର ଏକ ବିଶ୍ୱାସଯୋଗ୍ୟ ଉତ୍ସ ହୋଇ ରହି ପାରିନଥିଲା । ଟ୍ରଷ୍ଟ ତରଫରୁ ଫଳବଗିଚା ରହିଥିବା ଜାଗାଟିଏ କିଣା ହେଲା ଏବଂ ବର୍ତ୍ତମାନ ସେଥିରୁ ପ୍ରକୃତରେ ବହୁତ ଲାଭ ହୋଇପାରୁଛି । ଏକ ପରବର୍ତ୍ତୀ କାଳରେ ସଂପୂର୍ଣ୍ଣ ଗୋଷ୍ଠୀସ୍ତରରେ ଗୋଟିଏ ବଡ଼ କୁକୁଡ଼ାଫାର୍ମ ଆରମ୍ଭ ହେଲା, ଯେଉଁଥିରେ କି ଅତି ବୃଦ୍ଧ-ତଥା ଅତ୍ୟନ୍ତ ଗଳିତାଙ୍ଗ ବ୍ୟକ୍ତିମାନେ ମଧ୍ୟ କାମ ପାଇ ପାରିଥିଲେ । ମାତ୍ର, ପରେ ଏକଦା କ’ଣ ସବୁ ବ୍ୟାଧି ଆସି ପହଞ୍ଚିଲା ଓ ସେଥିରେ ବହୁସଂଖ୍ୟକ କୁକୁଡ଼ା ମରିଯିବାରୁ ଫାର୍ମଟିକୁ ବନ୍ଦ କରି ଦିଆଗଲା । ଏବେ ସରକାରୀ ଅନୁଦାନ ଓ ତତ୍ତ୍ୱାବଧାନରେ ଏକ ବୃହତ ହାତତିଆରି କାଗଜ ତିଆରି କରିବାର ଶାଖାଟିଏ ଖୋଲାଯାଇଛି । ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏଠା ବାସିନ୍ଦାମାନଙ୍କ ପ୍ରତି: ଆଉ କୌଣସି ହେୟଭାବନା ନରହିବା ଫଳରେ ଆଶା ଗ୍ରାମର ବହୁ ଅଧିବାସୀ ବର୍‍ୱ୍ୱାନି ସହର ଓ ଆଖପାଖରେ ଥିବା କୃଷିକ୍ଷେତ୍ରମାନଙ୍କରେ କାମ ପାଇ ଯାଉଛନ୍ତି ।

 

ବର୍‍ୱ୍ୱାନିରୁ ବଦଳି ହୋଇ ଯିବାର, ପାଞ୍ଚବର୍ଷ ପରେ ସେହି ପ୍ରଥମକାଳୀନ ସବଡେପୁଟୀ ମାଜିଷ୍ଟ୍ରେଟ୍ ଏହି ଜିଲ୍ଲାର କଲେକ୍ଟର୍ ହୋଇ ଆସିଲେ । ଏଥର ଆଶାଗ୍ରାମ ଗୋଟିଏ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରିଥିଲା,–ଜିଲ୍ଲା ଯାକ କୌଣସି ପ୍ରକାର ଅସମର୍ଥତା ରହିଥିବା ପ୍ରତ୍ୟେକ ବ୍ୟକ୍ତି,–ଏକ ସମ୍ମାନ ଏବଂ ଆତ୍ମନିର୍ଭରର ଜୀବନ ଯାପନ କରିପାରିବା ଲାଗି ତା’ର ଶଲ୍ୟଚିକିତ୍ସା, ସହାୟକ ଆଉ କୌଣସି ଉପଚାର ତଥା ଆର୍ଥିକ ସାହାଯ୍ୟ ଯାହାକିଛି ଆବଶ୍ୟକ ହେବ, ଆଶାଗ୍ରାମ ସେମାନଙ୍କୁ ମଧ୍ୟ ସାହାଯ୍ୟ କରିବ ବୋଲି ସ୍ଥିର ହେଲା । ଏହା କାର୍ଯ୍ୟତଃ ଏକ ବୃହତ୍ ପରିସରର କାର୍ଯ୍ୟ ବୋଲି ପ୍ରମାଣିତ ହୋଇଗଲା–କେବଳ ଏହି ଜିଲ୍ଲାରେ ହିଁ : ୧୦,୦୦୦ରୁ ଅଧିକ ଅସମର୍ଥ ବ୍ୟକ୍ତି ରହିଥିଲେ । ପୂର୍ବରୁ ପ୍ରଚଳିତ ହିସାବଟି ଯେ ସେହି ସଂଖ୍ୟାକୁ କମ୍ ବୋଲି ଦେଖାଇଥିଲା, ତାହା ଜଣା ପଡ଼ିଗଲା ।

 

ଆଶାଗ୍ରାମର ଟ୍ରଷ୍ଟିମାନେ ଅନୁଭବ କରିଥିଲେ ଯେ, ସରକାର ଅଥବା କୌଣସି ଲୋକ–ସଂଗଠନ ଏହିପରି ସାନ ସାନ ସ୍ତରରେ ଆସି ସହାୟତା ନକଲେ ବିସ୍ତୃତ ଗ୍ରାମାଞ୍ଚଳମାନଙ୍କରେ ରହିଥିବା ଅସମର୍ଥମାନେ ଏହିପରି ନିତାନ୍ତ ସହାୟହୀନ ଭାବରେ ହିଁ ଘୁଷୁରି ହେବାରେ ଲାଗିଥିବେ । ଏହାକୁ ପ୍ରକୃତରେ ଏକ ଅତି ବଡ଼ ଦୁଃଖଦ ଘଟଣା ବୋଲି ହିଁ କୁହାଯିବ । ତେଣୁ, ସେମାନେ ଆଶାଗ୍ରାମର କାର୍ଯ୍ୟକ୍ରମ ସହିତ ଶାରୀରିକ ଅସମର୍ଥମାନଙ୍କୁ ମଧ୍ୟ ଆଣି ସାମିଲ କରିନେଲେ । ଅସମର୍ଥମାନଙ୍କର କ୍ଷୁଦ୍ର ଧରଣର, ଅସ୍ତ୍ରଚିକିତ୍ସା ନିମନ୍ତେ ଟ୍ରଷ୍ଟୀମାନେ ଗୋଟିଏ ଚିକିତ୍ସାକେନ୍ଦ୍ର ତିଆରି କରିଥିଲେ ଏବଂ ସେମାନଙ୍କ ପାଇଁ ଆବଶ୍ୟକ ଅଳ୍ପ ଅଳ୍ପ ମୂଲ୍ୟର ସହାୟକ ସାଧନଗୁଡ଼ିକୁ ଯୋଗାଇଦେବା ଲାଗି ଗୋଟିଏ କର୍ମଶାଳା ମଧ୍ୟ ତିଆରି ହୋଇଥିଲା ।

 

ସମ୍ପତି ଆଶାଗ୍ରାମ ଆଉ ଗୋଟିଏ ଗୋଷ୍ଠୀ ମଧ୍ୟକୁ ନିଜର କାର୍ଯ୍ୟକ୍ରମଟିକୁ ପ୍ରସାରିତ କରିନେଇଛି; କୁଷ୍ଠପୀଡ଼ିତମାନଙ୍କ ପରି ଏହି ଗୋଷ୍ଠୀଟି ମଧ୍ୟ ଅତ୍ୟନ୍ତ ଦାରୁଣ ଭାବରେ ସମାଜଦ୍ୱାରା ବର୍ଜିତପ୍ରାୟ ହୋଇ ରହିଛି । ଏମାନେ ହେଉଛନ୍ତି ମାନସିକ ରୋଗୀ । ଏଇଟି ହେଉଛି ସବୁ ରୋଗ ମଧ୍ୟରେ ପ୍ରକୃତରେ ଗୋଟିଏ ଅନନ୍ୟ କିସମର ରୋଗ ଏବଂ ଏଇଟି ବିଷୟରେ ଲୋକଚିତ୍ତରେ ସବୁଠାରୁ ଅଧିକ ଭୁଲଧାରଣା ମଧ୍ୟ ରହିଆସିଛି । ଏକ ଆଦର୍ଶବାଦୀ ଦୃଷ୍ଟି ରହିଥିବା ସଂବେଦନଶୀଳ ତରୁଣ ଦମ୍ପତି, ଜଣେ ମାନସିକ ରୋଗଚୟର ଚିକିତ୍ସକ ଓ ଆଉଜଣେ ସେହି କ୍ଷେତ୍ରର ଭେଷଜ–ବିଶେଷଜ୍ଞ, ବିଦେଶରେ ଥିବା ସେମାନଙ୍କର ଅତ୍ୟନ୍ତ ଲାଭଜନକ ଜୀବିକାଗୁଡ଼ିକୁ ତ୍ୟାଗ କରି ଆଶାଗ୍ରାମ ପରି ଏକ ଦୂର ଏବଂ ଅନୁନ୍ନତ ପରିବେଶ ରହିଥିବା ଆଶାଗ୍ରାମରେ ଆସି ପହଞ୍ଚିଛନ୍ତି । ପାଞ୍ଚ ବର୍ଷ ମଧ୍ୟରେ ସେମାନେ ଛଅ ହଜାରରୁ, ଅଧିକ ମାନସିକ ସ୍ତରର ପୀଡ଼ିତ ବ୍ୟକ୍ତିମାନଙ୍କ ପାଖରେ ଯାଇ ପହଞ୍ଚି ପାରିଛନ୍ତି, ସେମାନଙ୍କ ମଧ୍ୟରୁ ବହୁତ ରୋଗୀ ଜୀବନରେ ପ୍ରଥମଥର ନିମନ୍ତେ ହୁଏତ ଆଧୁନିକ ଔଷଧାଦିର ସୁଯୋଗ ଲାଭ କରିଛନ୍ତି, ଆଶାଗ୍ରାମର ଯାତ୍ରା ଅବିଚ୍ଛିନ୍ନ ହୋଇ ରହିଛି ।

 

ଇତିମଧ୍ୟରେ ଯତୀନକୁ ପଚାଶବର୍ଷ ପୂରିଗଲାଣି ଏବଂ ସିଏ ତା’ ସମୁଦାୟଟିରେ ବର୍ତ୍ତମାନ ଏକ ନେତୃତ୍ୱସ୍ଥାନରେ ଅଛି । ଆଶାଗ୍ରାମ ତଥା ବର୍‍ୱ୍ୱାନିର ଅଧିବାସୀଙ୍କର ତା’ପ୍ରତି ସମ୍ମାନ ରହିଛି ।

 

ଜଣେ ନିରାପତ୍ତା ରକ୍ଷୀ ଭାବରେ ସିଏ କଠିନ ପରିଶ୍ରମ କରିଆସିଛି ଏବଂ କିଛି ଅର୍ଥ ମଧ୍ୟ ସଞ୍ଚୟ କରି ପାରିଛି । ତା’ ନିଜର ଯେଉଁ ଗାଆଁରୁ ଆତ୍ମୀୟସ୍ୱଜନମାନେ ତାକୁ ଓ ତା’ ବାପାଙ୍କୁ ନିକାଲି ଦେଇଥିଲେ ଓ କେତେ ଦଶନ୍ଧି ପୂର୍ବେ ଚରମ ନିର୍ଦ୍ଦୟତାର ପରିଚୟ ଦେଇଥିଲେ, ସେମାନେ ବର୍ତ୍ତମାନ ସାହାଯ୍ୟ ତଥା ଅର୍ଥ ମାଗି ଯତୀନ୍ ପାଖକୁ ଆସିଲେଣି । ଯତୀନ୍‍ ଅକୁଣ୍ଠିତ ଭାବରେ ସେମାନଙ୍କୁ ତାହା ଦେଉଛି, ଆଦୌ ରୋଷ କରୁନାହିଁ । ତା’ ନିଜ ପୁଅମାନେ ହିଁ ତା’ ଆନନ୍ଦର ସବୁଠାରୁ ବଡ଼ କାରଣ ହୋଇ ରହିଛନ୍ତି । ଅମିତ ଇତିମଧ୍ୟରେ ଜଣେ ତଗଡ଼ା ଯୁବକରେ ପରିଣତ ହୋଇଗଲାଣି, କନଭେଣ୍ଟ ସ୍କୁଲର ଏକାଧିକ ବର୍ଷର ଶିକ୍ଷା ତାକୁ ବହୁ ପରିମାଣରେ ବଦଳାଇ ଦେଇଛି ଓ ସିଏ ମଧ୍ୟ ଏବେ ଗୋଟିଏ କନଭେଣ୍ଟ ସ୍କୁଲରେ ଶିକ୍ଷକତା କରୁଛି । ଯତୀନ୍‍ର ସାନ ପୁଅ ଆଶାଗ୍ରାମରେ ହିଁ ଜନ୍ମ ହୋଇଛି: ସିଏ ଏକ ଇଞ୍ଜିନିୟରିଂ କଲେଜରେ ଯାଇ ନାମ ଲେଖାଇଛି । ଯତୀନର ଦେହ ଉପରେ ଥିବା ଘାଆଗୁଡ଼ିକ ପରି ତା’ ଆତ୍ମାର ଅତ୍ୟନ୍ତ ଯନ୍ତ୍ରଣାଦାୟକ କ୍ଷତଗୁଡ଼ିକ ମଧ୍ୟ ଇତିମଧ୍ୟରେ ପ୍ରାୟ ଭଲ ହୋଇଯାଇଛନ୍ତି ।

☆☆☆

 

ଏରସମାର ମହାବାତ୍ୟାରେ ପ୍ରଶାନ୍ତ

 

ମାଇନର ସ୍କୁଲରେ ପାଠ ପଢ଼ୁଥିବାବେଳେ ଦିନେ ଘରକୁ ସ୍କୁଲରୁ ଆସି ପ୍ରଶାନ୍ତ ଦେଖିଲା ଯେ, ଘରର ସବୁଯାକ କବାଟ ଭିତରୁ ବନ୍ଦ ହୋଇଛି । ବାହାରେ ଥାଇ ସେ କେତେ ଖଡ଼ଖଡ଼ କଲା, ମାତ୍ର କେହି ଜବାବ ଦେଲେନାହିଁ । ତାକୁ ଖୁବ୍ ଡର ମାଡ଼ିଲା ଓ ସିଏ ନିଜ ସାଙ୍ଗମାନଙ୍କୁ ଯାଇ ଡାକିଥିଲା । ସେମାନେ ତାକୁ ସାହାଯ୍ୟ କରି ଯେକୌଣସି ପ୍ରକାରେ ଝରକାବାଟେ ଗଳି ଭିତରକୁ ପ୍ରବେଶ କରାଇଦେଇ ପାରିଲେ । ଆଲୁଅକୁ ଅନାଇ ପାରିବା ମାତ୍ରକେ ସିଏ ଯାହା ଦେଖିଲା, ଦେଖି ଚିତ୍କାର କରିବାକୁ ଆରମ୍ଭ କଲା । ତା’ର ମାଆ ଗଳାରେ ଦଉଡ଼ି ଲଗାଇ ଦେଇଥିଲେ ଓ ଛାତରୁ ଝୁଲୁଥିଲେ ।

 

ଉପକୂଳବର୍ତ୍ତୀ ଓଡ଼ିଶାର ଗୋଟିଏ ଗାଆଁରେ ପ୍ରଶାନ୍ତର ବାପା ଚିଙ୍ଗୁଡ଼ି ଚାଷ କରୁଥିଲେ । ସେମାନେ ବଙ୍ଗାଳି ଥିଲେ । ଜୀବନଟା ବେଶ୍ ସୁରୁଖୁରୁରେ କଟି ଯାଉଥିଲା; ମାତ୍ର ଦୁଇମାସ ତଳେ ବାପା ଘରକୁ ଜଣେ ଦ୍ୱିତୀୟ ସ୍ତ୍ରୀ ଆଣିବାରୁ ତା’ର ମାଆ ପ୍ରାୟ ସବୁବେଳେ କାନ୍ଦିବାକୁ ଓ ଝଗଡ଼ା କରିବାକୁ ଆରମ୍ଭ କଲେ । ଏବଂ, ସେହି ଧୂଳିଟା କ୍ରମେ ତଳେ ବସିଯିବା ପରେ, ତା’ ମାମୁଁ ଆସି ତା’ ସାନ ଭଉଣୀ ଓ ଭାଇଟି ସହିତ ତାକୁ ମଧ୍ୟ ତାଙ୍କ ନିଜ ଗାଆଁ କାଳୀକୁଦକୁ ନେଇଗଲେ । ଜଗସିଂହପୁର ଜିଲ୍ଲାର ସେହି ଉପକୂଳ ଅଞ୍ଚଳରେ କାଳୀକୁଦ ଗାଆଁଟିର ପ୍ରାୟ କୌଣସି ଅଭାବ ନଥିଲା । ପ୍ରଶାନ୍ତର ମାମୁଁମାନେ ପ୍ରାୟ ଧରି ନେଇଥିଲେ ଯେ ତା’ର ବାପା ନିଜର ସେହି ରକ୍ଷିତା ସ୍ତ୍ରୀଟି ସହିତ ମିଶି ତା’ ମାଆକୁ ହତ୍ୟାହିଁ କରିଥିଲେ । ତେଣୁ ଏମାନେ ତାଙ୍କ ନାଆଁରେ ପୋଲିସଥାନାରେ ଯାଇ ଏତଲାଟିଏ ଦେଇ ଆସିଲେ । ବାପା ଦୁଇମାସ୍ ଜେଲ୍‌ରେ ରହିଲେ । ତା’ପରେ ପ୍ରକୃତରେ କ’ଣ ଘଟିଲା ପ୍ରଶାନ୍ତ ଜାଣେନାହିଁ, କିନ୍ତୁ ତା’ର ବାପା ଜେଲରୁ ବାହାରକୁ ଆସିଥିଲେ । କଚେରୀରେ ବହୁଦିନ ଯାଏ ମକଦ୍ଦମା ଚାଲିଥିଲା; କିନ୍ତୁ ଶେଷରେ ସିଏ ମାମୁଁମାନଙ୍କଠାରୁ ଜାଣିବାକୁ ପାଇଲା ଯେ ବାପା ମକଦ୍ଦମାରୁ ମଧ୍ୟ ଖଲାସ ହୋଇ ଯାଇଥିଲେ ।

 

ତିନି ପିଲାଙ୍କର ଦୁଃଖଜନିତ କ୍ଷତଟି ମଧ୍ୟ କ୍ରମଶଃ ଭଲ ହୋଇ ଆସିଥିଲା, ମାମୁଁମାନଙ୍କର ଘରେ ମିଳୁଥିବା ସ୍ନେହ ଓ ଆଦରଗୁଡ଼ିକୁ ପାଇ ସେମାନେ ସବୁ ପାସୋରି ଦେଇଥିଲେ । ପ୍ରଶାନ୍ତର ତିନିଜଣ ଯାକ ମାମୁଁ ଏକାଠି ରହୁଥିଲେ–ପ୍ରତ୍ୟେକଙ୍କର ସ୍ତ୍ରୀ ଓ ପିଲାମାନେ ବି ଥିଲେ । ପ୍ରଶାନ୍ତ ଓ ତା’ର ଭାଇ ଏବଂ ଭଉଣୀ ସେହି ବଡ଼ ଯୌଥ ପରିବାରଟିର ଆୟତନଟି ମଧ୍ୟରେ ସଂପୂର୍ଣ୍ଣ ଭାବରେ ଅନ୍ତର୍ଭୁକ୍ତ ହୋଇ ଯାଇଥିଲେ; ମନେ ହେଉଥିଲା, ସତେ ଯେପରି ସେମାନେ ସେହି ପରିବାରରେ ହିଁ ଜନ୍ମ ହୋଇଛନ୍ତି !

 

ବର୍ଷ ପରେ ବର୍ଷ ଚାଲି ଯାଉଥିବା ସହିତ, ମାଆ ଆତ୍ମହତ୍ୟା କରିବା ଓ ସେହି ଆତ୍ମହତ୍ୟା ସହିତ ତା’ର ବାପା ସଂପୃକ୍ତ ରହିଛନ୍ତି ବୋଲି ସନ୍ଦେହ କରାଯିବା ଓ ତା’ପରେ ସିଏ ଜେଲକୁ ଯିବା, କ୍ରମେ ପିଲାମାନଙ୍କର ସ୍ମୃତିରୁ କ୍ରମେ ପୂରା ନିଭି ଯାଇଥିଲା । ଏବଂ, ସେମାନଙ୍କୁ ପୁନର୍ବାର କେବେ ବିଧି ବାମ ହେବ ଓ ସେହିପରି ଅମାନୁଷିକତା ଓ ସହାୟହୀନତା ଭୋଗ କରିବାକୁ ପଡ଼ିବ ବୋଲି ସେମାନେ କଦାପି ବିଶ୍ୱାସ କରିନଥାନ୍ତେ । ମାତ୍ର ବିଧି ପ୍ରକୃତରେ ନିଷ୍ଠୁର ହେଲା–ସେମାନଙ୍କର ଜୀବନରେ ସାମନା କରିବା ଲାଗି ଆହୁରି କେତେ କେତେ ଝଡ଼ତୋଫାନ ଅପେକ୍ଷା କରି ରହିଥିଲେ ।

 

ମାଆ ମରିବାର ସାତବର୍ଷ ପରେ ୧୯୯୯ ମସିହା ଅକ୍ଟୋବର ୨୭ ତାରିଖରେ ପ୍ରଶାନ୍ତ ଏରସମାରେ ଥିବା ବ୍ଲକ୍‌ଅଫିସ୍‌କୁ ଯାଇଥିଲା । ଏରସମା ହେଉଛି ଉପକୂଳାଞ୍ଚଳ ଓଡ଼ିଶାରେ ଅବସ୍ଥିତ ଗୋଟିଏ ଛୋଟ ସହରିଆ ଜାଗା,–ତା’ ଗାଆଁରୁ ପ୍ରାୟ ଅଠର କିଲୋମିଟର ବାଟ ହେବ । ସେଠାରେ ଥିବା ଜଣେ ସାଙ୍ଗଘରେ ଦିନଟିଏ କଟାଇ ଆସିବ ବୋଲି ସେ ଏରସମା ଯାଇଥିଲା । ସନ୍ଧ୍ୟା ଆଡ଼କୁ ହଠାତ୍ ଗୋଟାଏ କଳା କିଟିକିଟି ଧ୍ୱଂସକାରୀ ଝଡ଼ ସହସା ମାଡ଼ି ଆସିଲା । ଏପରି ଜୋର୍‌ରେ ପବନ ବୋହି ଘରମାନଙ୍କୁ ଦୋହଲାଇ ଦେବାକୁ ଲାଗିଲେ, ଯାହାକି ପ୍ରଶାନ୍ତ ଆଗରୁ କେବେହେଲେ ଦେଖିନଥିଲା । ସେହି ଅନ୍ଧାର ଭିତରେ ପ୍ରବଳ ଭାବରେ ବର୍ଷା ହେବାରେ ଲାଗିଥାଏ । ପୁରୁଣା ବଡ଼ବଡ଼ କେଡ଼େ ବଡ଼ବଡ଼ ଗଛମାନ ଉପୁଡ଼ି ଭୂଇଁରେ ଲୋଟିବାକୁ ଆରମ୍ଭ କଲେ । ଚାରିଆଡ଼େ ଏହିପରି ମଡ଼ ମଡ଼ ଶବ୍ଦ ଶୁଣା ଯାଉଥାଏ । ଲୋକମାନେ ଭାସିଗଲେ, କେତେ ଘର ବି ଭାସିଯିବାକୁ ଲାଗିଲେ । ଚାରିଆଡ଼ୁ ଖାଲି ଲୋକମାନଙ୍କର ବିକଳ ଚିତ୍କାର ହିଁ ଶୁଣା ଯାଉଥାଏ । ଭୀମ ଗର୍ଜନ କରି ପାଣିର ସ୍ରୋତ ତା’ ସାଙ୍ଗରେ ଘରଭିତରେ ଆସି ପ୍ରବେଶ କଲା । ଘର ଭିତରେ ବେକେ ପାଣି ହୋଇ ଯାଇଥିଲା । ଅବଶ୍ୟ ଘରଟି ପକ୍କା ହୋଇଥିବାରୁ ଘଣ୍ଟାରେ ୩୫୦ କିଲୋମିଟର ବେଗରେ ବୋହୁଥିବା ପବନକୁ ତଥାପି ସହିନେଇ ପାରୁଥାଏ । ମାତ୍ର, ଘର ଉପରେ ଗଛମାନେ ମଟମଟ ଶବ୍ଦ କରି ଭାଙ୍ଗି ପଡ଼ିବାରେ ଲାଗିଥାନ୍ତି ଓ ଘରଲୋକେ ଅଧିକରୁ ଅଧିକ ଆତଙ୍କିତ ହୋଇ ପଡ଼ୁଥାନ୍ତି । ରାତିଯାକ ଏହିପରି ଗଛସବୁ ପଡ଼ି ପଡ଼ି ଛାତ ଓ କାନ୍ଥଗୁଡ଼ିକ ମଧ୍ୟ ଭାଙ୍ଗି ରୁଜି ଯାଉଥାନ୍ତି ।

 

ମହାବାତ୍ୟାର ସେହି ଧ୍ୱଂସଲୀଳା ଏବଂ ସମୁଦ୍ର ଉଛୁଳି ପାଣି କୂଳକୁ ପାହାଡ଼ ପରି ମାଡ଼ି ଆସିବା ପରବର୍ତ୍ତୀ ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିଲା; ଅବଶ୍ୟ ବାୟୁର ବେଗ ତହିଁ ଆରଦିନ ସକାଳ ସୁଦ୍ଧା ବେଶ୍ ହ୍ରାସ ହୋଇ ଆସିଥିଲା । ଘର ଭିତରେ ଫୁଲି ଫୁଲି ଯାଉଥିବା ପାଣିରୁ ରକ୍ଷା ପାଇବା ସକାଶେ ପ୍ରଶାନ୍ତ ଓ ତା’ ସାଙ୍ଗଘରର ଅନ୍ୟ ସମସ୍ତେ ଛାତ ଉପରେ ଯାଇ ଆଶ୍ରୟ ନେଇଥାନ୍ତି । ମହାବାତ୍ୟାର ଏହି ତାଣ୍ଡବ ଭୟଙ୍କରତାକୁ ନିଜ ଆଖିରେ ଦେଖିଥିବାର ଅନୁଭୂତିଟିକୁ ପ୍ରଶାନ୍ତ ତା’ ଜୀବନଯାକ କେବେହେଲେ ପାସୋରି ଦେଇ ପାରିବନାହିଁ । ସକାଳର ଧୂସର ଆଲୋକରେ ସିଏ ଯାହାସବୁ ଦେଖିଲା, ତାହାକୁ ମୋଟେ ଭୁଲି ପାରିବନାହିଁ । ଆଖି ଯେତେଦୂର ପର୍ଯ୍ୟନ୍ତ ଦେଖି ପାରୁଥାଏ, ଏକ ଭୟଙ୍କର ଜଳପ୍ଲାବନରେ ସବୁକିଛି ନିମଗ୍ନ ହୋଇ ରହିଥାଏ । ଅଳ୍ପ କେତୋଟି ସ୍ଥାନରେ କେବଳ କେତେଟା ଭଙ୍ଗା ସିମେଣ୍ଟ ଘର ଯାହା ଠିଆ ହୋଇ ରହିଥାନ୍ତି । ସେହି ପାଣି ଉପରେ ପଶୁ ଓ ମନୁଷ୍ୟମାନଙ୍କର ଶବଗୁଡ଼ିକ ଏଡ଼େ ଏଡ଼େ ଫୁଲି ଭାସିବାରେ ଲାଗିଥାନ୍ତି । ଚାରିଆଡ଼େ ବିଶାଳ ଗଛମାନେ ବି ଉପୁଡ଼ି ତଳେ ପଡ଼ି ଯାଇଥାନ୍ତି । ସେମାନଙ୍କ ନିଜ ଘର ଛାତ ଉପରେ ମଧ୍ୟ ଦୁଇଟି ନଡ଼ିଆଗଛ ଆସି ପଡ଼ିଥିଲେ । ଏହାକୁ ତ ପ୍ରକୃତରେ ଏକ ସୌଭାଗ୍ୟ ବୋଲି ହିଁ କହିବାକୁ ହେବ,–କାରଣ ସେହି ଗଛରେ ଥିବା ନାଳି ନଡ଼ିଆଗୁଡ଼ିକ ହିଁ ତ ଏହିପରି ଭାବରେ ପାଣିଘେରରେ ରହିଥିବା ପରିବାରଟିକୁ ଉପବାସ ରହିବାରୁ ବଞ୍ଚାଇ ରଖି ପାରିଥିଲା । ପରବର୍ତ୍ତୀ ଏକାଧିକ ଦିନ ପର୍ଯ୍ୟନ୍ତ ସେମାନେ ତାହାକୁ ଖାଇହିଁ ବଞ୍ଚି ଯାଇଥିଲେ ।

 

ଏହାପରେ ଦୁଇଦିନ ପର୍ଯ୍ୟନ୍ତ ମଧ୍ୟ ପ୍ରଶାନ୍ତ ଆଦୌ କୁଆଡ଼େ ଯାଇ ପାରିଲାନାହିଁ, ସେଇ ସାଙ୍ଗଘରେ ହିଁ ଅଟକି ରହିଲା । ସେମିତି ସେଇ ଛାତଉପରେ ଓ ଆକାଶତଳେ । ଭାରି ଥଣ୍ଡା, ବର୍ଷା ମଧ୍ୟ ଅନବରତ ଲାଗି ରହିଥାଏ, ଦେହ ହାତ କୋଲ ମାରି ଯାଉଥିଲା । ସେହି ବରଷାପାଣି ହିଁ ସତେଯେପରି ପ୍ରଶାନ୍ତର ଆଖିଲୁହକୁ କୁଆଡ଼େ ଧୋଇନେଇ ଯାଇଥାଏ ! ଏହି ମହାବାତ୍ୟାର ଦାଉ ଭିତରେ ତା’ ନିଜ ଘରର ଅନ୍ୟମାନେ କିପରି କେଉଁଠାରେ ଅଛନ୍ତି, ସେ କେବଳ ସେହି ଚିନ୍ତା କରିବାରେ ଲାଗିଥାଏ । ସେମାନେ ବଞ୍ଚିଥିବେ ତ ? ତାକୁ କ’ଣ ପୁନର୍ବାର ସେହି ପୁରୁଣା ଦୁଃଖଟିକୁ ସହିବାକୁ ପଡ଼ିବ ?

 

ଦୁଇଟା ଦିନ ପ୍ରଶାନ୍ତକୁ ପ୍ରକୃତରେ ଦୁଇବର୍ଷ ପରି ଲାଗିଥିଲା । ଏବଂ, ତା’ପରେ ଯାଇ ବର୍ଷା ବନ୍ଦ ହେଲା ଓ ବର୍ଷଣା ପାଣି କମି ଆସିଲା । ଆଉ ଅଧିକ ବିଳମ୍ବ ନକରି ଏଥର ଘରର ଅନ୍ୟମାନଙ୍କର ସନ୍ଧାନ ନେବାକୁ ପଡ଼ିବ । ତଥାପି ପରିସ୍ଥିତି ବଡ଼ ବିପଦପୂର୍ଣ୍ଣ ହୋଇ ରହିଥିଲା,–ଆଉ କିଛି ସମୟ ରହିଯିବା ପାଇଁ ସାଙ୍ଗଘରର ଲୋକମାନେ ବାରମ୍ବାର କହୁଥାନ୍ତି । ମାତ୍ର, ନାଇଁ, ପ୍ରଶାନ୍ତକୁ ବାହାରିବାକୁ ହିଁ ପଡ଼ିଲା ।

 

ହାତରେ ଗୋଟାଏ ଟାଣୁଆ ଲମ୍ବା ବାଡ଼ି ଧରିଲା ଏବଂ ନିଜ ଗାଆଁରେ ଯାଇ ପହଞ୍ଚିବାର ଲକ୍ଷ୍ୟ ରଖି ପ୍ରଶାନ୍ତ ଅଠର କିଲୋମିଟରର ସେହି ଦୀର୍ଘ ପଥରେ ବାହାରି ପଡ଼ିଲା । ଚତୁର୍ଦ୍ଦିଗରେ ବନ୍ୟାଜଳ ଫୁଲି କରି ରହିଥାଏ । ସେହି ଯାତ୍ରାକୁ ପ୍ରଶାନ୍ତ କେବେହେଲେ ପାସୋରି ଯିବନାହିଁ । ରାସ୍ତା ବାରି ଆଗକୁ ଗୋଡ଼ ପକାଇବା ପାଇଁ ବାଡ଼ିଟି ଖୁବ୍ କାମରେ ଆସୁଥାଏ,–ପାଣି କେଉଁଠି ସବୁଠାରୁ କମ୍ ଗଭୀର, ସେକଥା ଜାଣି ହେଉଥାଏ । କୋଉଠି କୋଉଠି ଅଣ୍ଟାଏ ପାଣି, ତେଣୁ ଗତି ଅତ୍ୟନ୍ତ ମନ୍ଥର ହେବାକୁ ବାଧ୍ୟ, ଗୋଟିଏ ଗୋଟିଏ ସ୍ଥାନରେ ରାସ୍ତା ଛାଡ଼ି ହୋଇ ଯାଉଥିବାରୁ ତାକୁ ପହଁରିବାକୁ ମଧ୍ୟ ପଡ଼ିଥିଲା । ଏମିତି କେତେଦୂର ଯାଇସାରିବା ପରେ ମାମୁଁଙ୍କର ଦୁଇଜଣ ସାଙ୍ଗଙ୍କ ସହିତ ଭେଟ ହୋଇଯିବାରୁ ପ୍ରଶାନ୍ତର ମନରେ ଖୁବ୍ ଦମ୍ଭ ମଧ୍ୟ ଆସିଥିଲା । ଏମାନେ ମଧ୍ୟ ନିଜ ଗାଆଁକୁ ଫେରି ଯାଉଥିଲେ । ଆଗକୁ ସମସ୍ତେ ସାଙ୍ଗ ହୋଇ ଯିବା ସକାଶେ ଠିକ୍ ହେଲା ।

 

ପାଣିର ଏହି ପଥଟିକୁ ପାରି ହେଉ ହେଉ ସେମାନଙ୍କର ଆଖିରେ ଯେଉଁସବୁ ଦୃଶ୍ୟ ଆସି ପଡ଼ିଲା, ସେଗୁଡ଼ିକ ପ୍ରକୃତରେ ଅତ୍ୟନ୍ତ ବିକଟ ଦୃଶ୍ୟ ଥିଲା । ଭାସି ଆସୁଥିବା କେତେ କେତେ ଶବକୁ ହାତରେ ଆଡ଼େଇ ଆଡ଼େଇ ଯିବାକୁ ପଡ଼ୁଥାଏ,–ପୁରୁଷ, ମହିଳା, ଶିଶୁ,–ଏବଂ, କୁକୁର, ଛେଳି ଓ କେତେ ଗୋରୁଗାଈଙ୍କ ଶବ । ସମସ୍ତେ ସୁଅରେ ଭାସି ପଛକୁ ଚାଲି ଯାଉଥାନ୍ତି । ବାଟରେ ଯେତେ ଯେତେ ଗାଆଁ ପଡ଼ିଲା, ସେଗୁଡ଼ିକରେ ଗୋଟିଏ ବୋଲି ଘର ନଥିଲା, ଯେଉଁଟି ବି ଭାଙ୍ଗି ଭୁଷୁଡ଼ି ଯାଇନଥିଲା । ପ୍ରଶାନ୍ତ ଆଉ ସମ୍ଭାଳି ପାରିଲା ନାହିଁ ଓ ଭୋ’ ଭୋ’ କାନ୍ଦିବାକୁ ଲାଗିଲା । ଏହି ଦୁର୍ବିପାକରେ ପଡ଼ି ତା’ ଘରର ଆଉ କେହି ହେଲେ କଦାପି ଯେ ଜୀବନରେ ନଥିବେ, ଏଥିରେ ତା’ର ଆଉ କୌଣସି ସନ୍ଦେହ ରହିଲା ନାହିଁ ।

 

ଏହିପରି ଭାବରେ,–ପାଣି ପାର ହୋଇ, ବାଟ ବାରି ବାରି, ପହଁରି ଓ କାନ୍ଦି କାନ୍ଦି ପ୍ରଶାନ୍ତ ଓ ତା’ର ଦୁଇ ସହଯାତ୍ରୀ ନିଜ ନିଜ ଗାଆଁ ଅଭିମୁଖରେ ଅଗ୍ରସର ହୋଇ ଯାଉଥାଆନ୍ତି । ବାଟରେ ଜଣେ ଦେଖି ପାରିଥିଲା ଯେ ତା’ ଗାଆଁଟି ସଂପୂର୍ଣ୍ଣ ଭାବରେ ପାଣିରେ ଭାସିଯାଇ ନିଶ୍ଚିହ୍ନ ହୋଇଯାଇଛି । ତା’ ଘରର କୌଣସି ଚିହ୍ନବର୍ଣ୍ଣ ହିଁ ନାହିଁ । ମାତ୍ର ତା’ ସ୍ତ୍ରୀ ଓ ପୁଅ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ରକ୍ଷା ପାଇଛନ୍ତି । ଖୁରାଣ୍ଟ ଆଶ୍ରୟକେନ୍ଦ୍ରରେ ସେ ସେମାନଙ୍କୁ ଆବିଷ୍କାର କରି ପାରିଥିଲା । କିନ୍ତୁ, ସିଏ ଦିନମାନ ଯେଉଁସବୁ ବିକରାଳ ଦୃଶ୍ୟକୁ ନିଜ ଆଖିରେ ଦେଖି ଆସିଥିଲା, ସେଥିରେ ସିଏ ଆଉ ମୋଟେ ଥୟ ହୋଇ ରହି ପାରିଲାନାହିଁ । ତାହାର ଦୁଇଦିନ ପରେ ହୃଦଯନ୍ତ୍ରର କ୍ରିୟା ବନ୍ଦ ହୋଇ ତା’ର ମୃତ୍ୟୁ ହୋଇଥିଲା ।

 

ଶେଷରେ ପ୍ରଶାନ୍ତକୁ ଏକା ଏକା ଯିବାକୁ ହୋଇଥିଲା । ନିଜର ଗାଆଁ କାଳୀକୁଦରେ ପହଞ୍ଚିଲାବେଳକୁ ସଞ୍ଜ ହୋଇ ଯାଇଥାଏ । ଭିତରେ ଆତଙ୍କ ଭର୍ତ୍ତି ହୋଇ ରହିଥିଲା । ଏକଦା ସେମାନଙ୍କର ଘରଟି ଯେଉଁଠାରେ ଛିଡ଼ା ହୋଇଥିଲା, ସେଠାରେ ଘରର ଖଣ୍ଡେ ଛାତ ବ୍ୟତୀତ ଆଉ କିଛି ହେଲେ ନଥାଏ । ପାଣି ଉପରେ ଦେଖା ଯାଉଥିବା ଡାଳଗୁଡ଼ିକ ଉପରେ ଘରର କେତେକ ଆସବାବପତ୍ର ଲାଖି ରହିଥିଲା । ତା’ ଛାତି ଭିତରଟା କାଲୁଆ ହୋଇ ଆସୁଥିଲା ।

 

ପାଖ ଗାଆଁ ଖୁରାଣ୍ଟରେ ଯେଉଁ ବଡ଼ ଆଶ୍ରୟସ୍ଥଳଟି ବର୍ତ୍ତମାନ ଖୋଲିଥାଏ, କେବଳ ତାହାରି ଉପରେ ହିଁ ତାହାର କିଛି ଆଶା ରହିଥାଏ । ଆନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥା ତାହାକୁ ଆରମ୍ଭ କରିଥିଲା । ଓଡ଼ିଶାର ଏହି ସମଗ୍ର ଉପକୂଳ ଅଞ୍ଚଳରେ ଖୋଲା ଯାଇଥିବା ଅଳ୍ପ କେତୋଟି ଆଶ୍ରୟସ୍ଥଳ ମଧ୍ୟରେ ଏଇଟି ମଧ୍ୟ ଗୋଟିଏ ଥିଲା । ଆଶ୍ରୟଗୃହଟି ତିଆରି ହେଉଥିବା ସମୟରେ ରେଡ଼କ୍ରସ୍‍ କେତେକ ସ୍ଵେଚ୍ଛାସେବକ ଆବଶ୍ୟକ କରୁଥିଲା ଓ ପ୍ରଶାନ୍ତ ବି ସେଥିପାଇଁ ନିଜର ନାଆଁଟିକୁ ଲେଖାଇ ଆସିଥିଲା । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଏବଂ ଉଦ୍ଧାରକାର୍ଯ୍ୟ ବିଷୟରେ ମଧ୍ୟ କିଛି ତାଲୀମ ଦିଆ ଯାଇଥିଲା । ଯଦି ତା’ ଘରଲୋକେ ଜୀବନରେ ଥିବେ, ତେବେ ସେମାନେ ମଧ୍ୟ ଏହିଠାରେ ଥିବେ । ସେଇଟି ହିଁ ଏକମାତ୍ର ସମ୍ଭାବନା ଥିଲା ।

 

ପ୍ରଶାନ୍ତ ଆଖର ସେହିଠାରେ ଯାଇ ପହଞ୍ଚି ଯାଇଥିଲା,–ବଡ଼ କଷ୍ଟରେ ପହଁରି ପହଁରି ଯିବାକୁ ହେଲା । ଭାରି କ୍ଳାନ୍ତ ହୋଇ ପଡ଼ିଥାଏ । ଦୂରରୁ ଅନାଇ ପ୍ରଶାନ୍ତ ଦେଖି ପାରିଲା ଯେ ସେଠାରେ ବହୁସଂଖ୍ୟକ ଲୋକ ଯାଇ ଆଶ୍ରୟ ଗ୍ରହଣ କରିଛନ୍ତି । କେତେ ନା କେତେ ସାହସରେ ଆଶାନ୍ୱିତ ହୋଇ ସେଠାରେ ଯେକୌଣସି ମତେ ପହଞ୍ଚି ପାରିଲା ।

 

ସବାଆଗ ସେହି ଭିଡ଼ ଭିତରୁ ନିଜ ଆଈଙ୍କୁ ଆବିଷ୍କାର କରିଥିଲା । ଆଈ ଭୋକରେ ଖୁବ୍ ବଳହୀନ ହୋଇ ପଡ଼ିଥିଲେ–ହାତ ଦୁଇଟିକୁ ବଢ଼ାଇ ରଖିଥାଆନ୍ତି–ଆଖିଗୁଡ଼ିକ କୁଳୁକୁଳୁ ଦେଖା ଯାଉଥାଏ । ଏହାକୁ ପ୍ରକୃତରେ ଦୈବର ଏକ ବରାଦ ବୋଲି କହିବାକୁ ହେବ । ତାଙ୍କର ଦେହରେ ପ୍ରାଣ ନଥିଲା ବୋଲି ସମସ୍ତେ ଅନୁମାନ କରି ନେଇଥିଲା ।

 

ତୁଣ୍ଡକୁ ତୁଣ୍ଡ ହୋଇ ସଂବାଦଟି ଚାରିଆଡ଼କୁ ଖେଦି ଯାଇଥିଲା ଓ ସଂପୂର୍ଣ୍ଣ ପରିବାରଟି ପ୍ରଶାନ୍ତ ପାଖକୁ ଆସି ତାକୁ ବେଢ଼ି ଯାଇଥିଲେ, କେଡ଼େ ଆଶ୍ୱସ୍ତ ହୋଇ ତାକୁ କୁଣ୍ଢାଇ ଧରିଥିଲେ । ଅତ୍ୟନ୍ତ ଚିନ୍ତାମଗ୍ନ ଭାବରେ ପ୍ରଶାନ୍ତ ସେହି ବିଚିତ୍ର ମଣିଷଭିଡ଼ଟିକୁ ଦେଖିବାରେ ଲାଗିଥାଏ । ତା’ ନିଜ ଭାଇ ଓ ଭଉଣୀ, ମାମୁଁ ଓ ମାଈଁମାନେ,–ସେମାନେ ସମସ୍ତେ ସେଇଠି ଅଛନ୍ତି ବୋଲି ବୋଧ ହେଉଥାଏ । ନାଇଁ, ନାଇଁ, ତା’ ମଝିଆଁ ମାଇଁଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥାଏ । ଅତ୍ୟନ୍ତ ଆଶଙ୍କା ସହିତ ସିଏ ତାଙ୍କ କଥା ପଚାରିଥିଲା । ସମସ୍ତଙ୍କ ଠାରୁ ଶୁଣିବାକୁ ପାଇଥିଲା ଯେ, ଯେତେବେଳେ ତୋଫାନଟା ଆରମ୍ଭ ହେଲା ଏବଂ ନିରାପତ୍ତା ଖୋଜି ସମସ୍ତେ ଆଶ୍ରୟଗୃହ ଲାଗି ଏଣେ ଦଉଡ଼ିବାକୁ ଆରମ୍ଭ କରିଥିଲେ, ସେହି ମାଇଁ ସେଠାରୁ ଆସିବାକୁ ମୋଟେ ରାଜି ହେଲେନାହିଁ-। ପରିବାରଟିର ବଡ଼ସାନ ହୋଇ ଅଠରପଟ ଗୋରୁ ଗୁହାଳରେ ଥିଲେ, ସେମାନଙ୍କୁ ଛାଡ଼ିଦେଇ ସିଏ କେମିତି ଚାଲି ଆସିବେ ବୋଲି ଆପତ୍ତି କରିଥିଲେ । ଗୋରୁମାନଙ୍କ ସହିତ ସିଏ ମଧ୍ୟ ସେହି ପାଣିରେ ହିଁ ବୁଡ଼ିଗଲେ ।

 

ଏହି ମାଇଁଜଣକ ପ୍ରଶାନ୍ତର ନିଜ ମାଆତୁଲ୍ୟ ଥିଲେ । ଏକଥା ଶୁଣି ସେ ପୁନର୍ବାର କିଛି ହରାଇ ବସିଥିବାର ଦୁଃଖରେ ଘାରି ହୋଇ ଯାଇଥିଲା ।

 

ତହିଁ ଆରଦିନ ସକାଳେ ଆଶ୍ରୟସ୍ଥଳଟିର ଘୋର ନୈରାଶ୍ୟମୟ ଅବସ୍ଥାଟିକୁ ଦେଖିପାରି ସେ ନିଜେ ମଧ୍ୟ କିଛି ନା କିଛି ଦାୟିତ୍ୱ ଅବଶ୍ୟ ମୁଣ୍ଡାଇବ ବୋଲି ନିଷ୍ପତ୍ତି କଲା । ସେଠାରେ ପ୍ରାୟ ଅଢ଼େଇ ହଜାର ଦୁର୍ଗତ ମଣିଷ ଖୁବ୍‍ କଲବଲରେ ରହିଥିଲେ–ସେମାନଙ୍କର ତୁଣ୍ଡ ଶବ୍ଦରେ ସବୁବେଳେ ଖାଲି ଗୁଡ଼ାଏ ଘୋ’ ଘୋ’ ହିଁ ଶୁଣା ଯାଉଥିଲା । ସମସ୍ତେ ଘୋର ଦୁଃଖରେ ଅତ୍ୟନ୍ତ ଜର୍ଜର ହୋଇ ରହିଥିଲେ । ଗାଆଁରେ ୮୬ ଜଣ ବ୍ୟକ୍ତି ଜୀବନ ହରାଇଥିଲେ । ଛୟାନବେଟିଯାକ ବାସଗୃହ ପାଣିରେ ଭାସି ଯାଇଥିଲା । ଏହି ଗାଆଁରେ ମୁଖ୍ୟତଃ ବଙ୍ଗଦେଶୀମାନେ ହିଁ ବସବାସ କରୁଥିଲେ, ଯେଉଁମାନେ ପ୍ରଶାନ୍ତର ପରିବାର ଭଳି ବାହାରୁ ଆସି ସେଠାରେ ଚୁଙ୍ଗୁଡ଼ି ଚାଷ କରି ଜୀବିକା ନିର୍ବାହ କରୁଥିଲେ । ଯେତେ ଚୁଙ୍ଗୁଡ଼ି ଘେର ସବୁ ତ ଏହି ବୟାରରେ ବୁଡ଼ିଯାଇ ଧ୍ୱଂସ ହୋଇ ଯାଇଥିଲା । ଚାରିଆଡ଼ୁ ଖାଲି ଗୁହମୂତର ଦୁର୍ଗନ୍ଧ ଆସୁଥାଏ । ଏବଂ, ଲୋକମାନେ ସମସ୍ତେ ଯେଉଁ ଭୋକରେ ଆଉଟୁପାଉଟୁ ହେଉଥାନ୍ତି, ତାହାକୁ ହିଁ ସବୁଠାରୁ ବଡ଼ ଦୁର୍ଗତି ବୋଲି କହିବାକୁ ହେବ । ସେମାନେ ଚାରିଦିନ ହେଲା ଆସି ଏହି ଆଶ୍ରୟସ୍ଥାନରେ ରହି ସାରିଲେଣି । ତଥାପି, କେବଳ ପଇଡ଼ ଏବଂ ନାଳି ନଡ଼ିଆ ବ୍ୟତୀତ ସେମାନଙ୍କର ପେଟରେ ଆଉ କିଛି ହେଲେ ପଡ଼ିନାହିଁ-। ଏଣେ ସେମାନଙ୍କ କଥା ବୁଝିବାଲାଗି ମଧ୍ୟ ଯଥେଷ୍ଟ ଲୋକ ନଥିଲେ । ଗାଆଁର ଜଣେ ବେପାରୀର ଅମାରରେ ଧାନ ମହଜୁଦ ରହିଥିଲା, ମାତ୍ର ସେହି ଧାନ ମଧ୍ୟ ପାଣିରେ ବୁଡ଼ିଯାଇଛି-। ପ୍ରଶାନ୍ତ ଶୁଣିବାକୁ ପାଇଲା ଯେ, ଲୋକମାନେ ସେହି ଲୋକଟି ପାଖକୁ ଯାଇ ସେମାନଙ୍କୁ ଧାନ ଦିଆଯାଉ ବୋଲି ଜିଦ୍‍ କରିଛନ୍ତି, କିନ୍ତୁ ଲୋକଟା ସିଧା ମନା କରି ଦେଇଛି । ଏବଂ, ତା’ ଧାନତକ ପାଣି ପଶି ଓଦା ହୋଇଯାଇଛି ଓ ପଚିବାରେ ଲାଗିଛି ।

 

ଗାଆଁର ମୁଖିଆ, ନିର୍ବାଚିତ ହୋଇଥିବା ପଞ୍ଚାୟତ ସଭ୍ୟ କାହିଁକି ଏହି ଘଟଣାରେ ହସ୍ତକ୍ଷେପ କରିନାହାନ୍ତି ବୋଲି ପ୍ରଶାନ୍ତ ଅନୁସନ୍ଧାନ କରି ବୁଝିଥିଲା । ମାତ୍ର, ପଞ୍ଚାୟତ ସଭ୍ୟଙ୍କର ନିଜ ଦୁଃଖ ହିଁ ତାଙ୍କୁ ବଳି ଯାଇଥାଏ,–ଏହି ବାତ୍ୟାରେ ସିଏ ଆପଣାର ସ୍ତ୍ରୀଙ୍କୁ ହରାଇ ଥାଆନ୍ତି । ଇତ୍ୟବସରେ ଆଶ୍ରୟସ୍ଥଳଟିର ଅବସ୍ଥା ଆହୁରି ଖରାପ ହୋଇଗଲା । ପ୍ରଧାନତଃ ଅଧିକ ବୟସ ହୋଇ ଯାଇଥିବା ପ୍ରାୟ ବାରଜଣ ବ୍ୟକ୍ତି ଉପବାସ ଓ ଶୀତହେମାଳରେ ପ୍ରାଣ ତ୍ୟାଗ କଲେ । ଏବଂ ସମ୍ଭବତଃ, ସେଥିରୁ କେତେଜଣଙ୍କର ହୃତ୍‍ଯନ୍ତ୍ର କ୍ରିୟା ମଧ୍ୟ ବନ୍ଦ ହୋଇ ଯାଇଥିଲା ।

 

ମାତ୍ର ଉଣେଇଶି ବର୍ଷ ବୟସର ପ୍ରଶାନ୍ତ ନିଜ ଜୀବନର ଏହି କେତେଟା ବର୍ଷ ଭିତରେ ଦାରୁଣ ଦୁଃଖର ଆଘାତ ସହ୍ୟ କରି ସାରିଥିଲା । ସିଏ ଏହି ବିପଦଟି ପଡ଼ିଥିବା ସମୟରେ ନିଜ ଗ୍ରାମରେ ନେତୃତ୍ୱ ନେଇ କିଛି କରିବା ନିମନ୍ତେ ସ୍ଥିର କଲା । ଯଦି କେହି ନବାହାରିବେ, ତେବେ ସିଏ ଅବଶ୍ୟ ଆଗକୁ ବାହାରିବ ଓ କିଛି କରିବ । ସର୍ବପ୍ରଥମେ ସେ ତରୁଣ ତଥା ବୟସ୍କମାନଙ୍କର ଗୋଟିଏ ଗୋଷ୍ଠୀକୁ ଏକାଠି କଲା, ଯେଉଁମାନେ କି ପୁନର୍ବାର ଗାଆଁର ସେହି ବ୍ୟବସାୟୀଙ୍କ ପାଖକୁ ଯିବେ ଓ ନିଜ ଘରେ ରଖିଥିବା ଧାନକୁ କାଢ଼ି ଦେବାପାଇଁ ତାଙ୍କ ଉପରେ ଚାପ ପକାଇବେ-। ଏଥର ଏହି ଗୋଷ୍ଠୀଟି ପ୍ରକୃତରେ ସଫଳ ହେଲେ ଏବଂ ବିଜୟ ଲାଭ କରି ଫେରି ପାରିଲେ; ସମଗ୍ର ଆଶ୍ରୟଗୃହଟି ପାଇଁ ଖାଦ୍ୟ ନେଇ ସେମାନେ ପାଣି ପଥଟିକୁ ପାର ହୋଇ ଆସି ପହଞ୍ଚି ଯାଇଥିଲେ । ଚାଉଳ ଯେ ପଚା ପଚା ଲାଗୁଥିଲା, ସେଥିଲାଗି କେହି ମୋଟେ ଅପେକ୍ଷା କଲେନାହିଁ-। ଭାଙ୍ଗି ପଡ଼ିଥିବା ଗଛଡ଼ାଳରୁ ଇନ୍ଧନଟିଏ ସମ୍ଭବ କରା ଯାଇଥିଲା,–ସେଇ ଓଦାକାଠ ନିଆଁରେ ଭାତ ରନ୍ଧା ହେଲା । ଚାରିଦିନ ଅନ୍ତେ ପ୍ରଥମ ଥର ନିମନ୍ତେ ବାତ୍ୟାରୁ ଆଶ୍ରୟ ନେଇଥିବା ଏହି ଲୋକମାନଙ୍କର ପେଟରେ ଦାନା ବୋଲି କିଛି ପଡ଼ି ପାରିଲା । ନିଜର ପରବର୍ତ୍ତୀ ପଦକ୍ଷେପ ରୂପେ ପ୍ରଶାନ୍ତ ଯୁବ ସ୍ୱେଚ୍ଛାସେବକମାନଙ୍କର ଦଳଟିଏ ଗଠନ କଲା ଏବଂ ଏକ ଇଂରାଜୀ ଶବ୍ଦ ବ୍ୟବହାର କରି ସେମାନଙ୍କୁ ଗୋଟିଏ ଟାସ୍କ ଫୋର୍ସ୍ ବୋଲି କହିଥିଲା । ଏମାନେ ଆଶ୍ରୟଗୃହ ଭିତରୁ ଗୁହ, ମୃତ ଓ ବାନ୍ତି ସଫା କରିଥିଲେ ଏବଂ ପାଖରେ ଭାସୁଥିବା ମୃତଦେହଗୁଡ଼ିକୁ ଦୂରକୁ ଆଡ଼େଇ ଦେଇଥିଲେ । ହଁ, ଯେଉଁମାନେ ଖଣ୍ଡିଆ ଦଣ୍ଡିଆ ହୋଇ ଯାଇଥିଲେ, ସ୍ୱେଚ୍ଛାସେବୀମାନେ ସେମାନଙ୍କର ଯଥାସମ୍ଭବ ଶୁଶ୍ରୂଷା ମଧ୍ୟ ଆରମ୍ଭ କରି ଦେଇଥିଲେ ।

 

ପଞ୍ଚମ ଦିବସରେ ସମରବାହିନୀର ଗୋଟିଏ ହେଲିକପ୍‍ଟର୍‍ ଆସି ସେହି ଆଶ୍ରୟଗୃହ ଉପରେ ଉଡ଼ିବାକୁ ଆରମ୍ଭ କଲା ଓ ଉପରୁ କିଛି ଖାଦ୍ୟପୁଡ଼ିଆ ନିକ୍ଷେପ କରିଥିଲା । ମାତ୍ର ତା’ପରେ ଫେରି ମଧ୍ୟ ଯାଇନଥିଲା । ସ୍ୱଚ୍ଛାସେବକମାନେ ଆଶ୍ରୟଗୃହରୁ ଖାଲି ବାସନମାନ ସଂଗ୍ରହ କରି ଆଣିଲେ । ତା’ପରେ ସାନ ପିଲାମାନଙ୍କୁ ଆଖପାଖରେ ଯେଉଁସବୁ ସ୍ଥାନରୁ ପାଣି ଶୁଖି ଯାଇଥିଲା, ସେଠାରେ ଥିବା ବାଲିଟା ଉପରେ ଉପରକୁ ମୁହଁ କରି ପଡ଼ି ରହିବାକୁ କୁହାଗଲା । ସେହି ବାସନଗୁଡ଼ିକୁ ସେମାନେ ନିଜ ପେଟ ଉପରେ ନେଇ ରଖିଥିଲେ ଓ ଉପରକୁ ଅନାଇ ରହିଥିଲେ । ସେମାନେ ଯେ ଭୋକଉପାସରେ ରହିଛନ୍ତି, ଉଡ଼ି ଯାଉଥିବା ହେଲିକପ୍‍ଟର୍‍ ଗୁଡ଼ିକୁ ସେହି କଥାଟି ଜଣାଇବା ପାଇଁ ସେହିପରି କରା ଯାଇଥିଲା । ବାର୍ତ୍ତାଟି ପ୍ରକୃତରେ ସଫଳ ହୋଇ ପାରିଥିଲା; କାରଣ ତା’ପରେ ହେଲିକପ୍‍ଟର୍‍ ନିୟମିତ ଭାବରେ ଆସିଲା, ଆଶ୍ରୟଗୃହର ଚାରିପାଖ ଆକାଶରେ ବୁଲିଲା ଏବଂ ଖାଦ୍ୟଦ୍ରବ୍ୟ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକୁ ତଳକୁ ପକାଉଥିଲା ।

 

ତା’ପରେ ଅନ୍ୟ ସ୍ଵେଚ୍ଛାସେବୀ ଦଳମାନେ ସେଠାରେ ଆସି ପହଞ୍ଚିବାକୁ ଲାଗିଲେ; କେହି ଚାଲି ଚାଲି ଓ କେହି ଡଙ୍ଗାରେ । ପ୍ରଥମେ ସର୍ବୋଦୟ ମଣ୍ଡଳ ନାମକ ଗୋଟିଏ ସ୍ଥାନୀୟ ସଂସ୍ଥାରୁ ସ୍ୱେଚ୍ଛାସେବକ ଆସି ପହଞ୍ଚିଲେ,–ସେମାନଙ୍କ ପରେ ସୈନ୍ୟବାହିନୀର ଯବାନମାନେ । ପାକିସ୍ତାନ ଓ ଭାରତବର୍ଷ ଭିତରେ ଏବେ ସଂଘର୍ଷ ଲାଗିଥିଲା, ସେଥିରୁ ଶବ୍ଦଟିଏ ନେଇ ଏକ ସାନ ପିଲା ଏମାନଙ୍କୁ ‘କାର୍‍ଗିଲ୍‍ ଲୋକେ’ ବୋଲି କହୁଥିଲା । ରାସ୍ତା ବନ୍ଦ କରି ରଖିଥିବା ଗଛ ଡାଳମାନଙ୍କୁ ପରିଷ୍କାର କରିବାରେ ସେମାନଙ୍କ ସହିତ ପ୍ରଶାନ୍ତର ଦଳଟି ମଧ୍ୟ ଆସି ଯୋଗ ଦେଲା । ସେମାନେ ମୁର୍ଦ୍ଦାର ସଫା ମଧ୍ୟ କରୁଥିଲେ, ପୀଡ଼ିତ ବ୍ୟକ୍ତିମାନଙ୍କର ସେବା କରୁଥିଲେ ।

 

ଚାରିଆଡ଼େ ଜନରବ ରଟି ଯାଇଥିଲା ଯେ, ଏରସମାରେ ଥିବା ବ୍ଲକ୍ ମହକୁମାରେ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନମାନେ ଅସ୍ଥାୟୀ ଆଶ୍ରୟଜାଗାମାନଙ୍କ ସକାଶେ ଖାଦ୍ୟଦ୍ରବ୍ୟ ଏବଂ ପଲିଥିନ୍ ବି ବିତରଣ କରୁଛନ୍ତି । ଗାଆଁରୁ ପାଣି ଛାଡ଼ିଯିବା ପରେ ଗ୍ରାମବାସୀମାନେ ଦଉଡ଼ିଯାଇ ବାତ୍ୟା ଓ ବନ୍ୟାରୁ ତଥାପି ରକ୍ଷା ପାଇ ଯାଇଥିବା ନିଜର ଆସବାବଗୁଡ଼ିକୁ ସାଉଁଟି ଆଣିବେ ବୋଲି ଧାଇଁ ଯାଇଥିଲେ,–ସଢ଼ାପଚା ହେଲେ ବି କିଛି ଖାଇବା ପଦାର୍ଥ ମଧ୍ୟ ହୁଏତ ରହିଥିବ । କିନ୍ତୁ, ପ୍ରଶାନ୍ତ ଅନୁଭବ କରୁଥିଲା ଯେ, ସେମାନଙ୍କର ବରଂ ବିତରଣ କରା ଯାଉଥିବା ରିଲିଫର ସୁଯୋଗ ଗ୍ରହଣ କରିବା ହିଁ ଉଚିତ । ଏରସମା ଯିବା ନିମନ୍ତେ ପ୍ରଶାନ୍ତ ଦଳେ ଲୋକଙ୍କୁ ଠିକ୍ କଲା,–ସେମାନେ ସେଠାକୁ ଯାଇ ଗାଆଁ ସକାଶେ ମିଳୁଥିବା ସେମାନଙ୍କର ଖାଦ୍ୟଭାଗଟିକୁ ମଧ୍ୟ ଆଣିପାରିବେ ।

 

ଏହିପରି ପ୍ରତ୍ୟହ ଏରସମା ଯିବାକୁ ହେଲା । ରାଜ୍ୟ ସରକାର ତଥା ସ୍ୱେଚ୍ଛାସେବୀ ସଂସ୍ଥାମାନେ ଥରକେ କେବଳ ଗୋଟିଏ ଦିନପାଇଁ ଯଥେଷ୍ଟ ହେବାଭଳି ଖାଦ୍ୟ ବାଣ୍ଟୁଥିଲେ । ପ୍ରାୟ ପନ୍ଦରଦିନ ପରେ ଥରକେ ତିନିଦିନ ଚଳିବା ଭଳି ଯଥେଷ୍ଟ ଖାଦ୍ୟପଦାର୍ଥ ଦିଆଗଲା,–ତା’ପରେ ଥରକେ କୋଡ଼ିଏ ଦିନ ପାଇଁ ।

 

ପ୍ରଶାନ୍ତ ଦେଖି ପାରିଲା ଯେ, ବହୁସଂଖ୍ୟକ ପିଲା ଏହି ବିପର୍ଯ୍ୟୟରେ ବାପାମାଆଙ୍କୁ ହରାଇ ବସିଛନ୍ତି । ସେହି ପିଲାମାନଙ୍କୁ ଏକତ୍ର କରି ସେମାନଙ୍କ ନିମନ୍ତେ ପଲିଥିନ୍ ସାହାଯ୍ୟରେ ପ୍ରଶାନ୍ତ ଗୋଟିଏ ଆଶ୍ରୟସ୍ଥାନ ନିର୍ମାଣ କରିଥିଲା । ସେମାନଙ୍କର ଯତ୍ନ ନେବା ସକାଶେ ମହିଳାମାନେ ନିଯୁକ୍ତ ହେଲେ; ଏବଂ ପୁରୁଷମାନେ ସେହି ଆଶ୍ରୟଟି ପାଇଁ ଖାଦ୍ୟଦ୍ରବ୍ୟ ତଥା ଅନ୍ୟାନ୍ୟ ଦ୍ରବ୍ୟ ଆଣି ଯୋଗାଇ ଦେଇଥିଲେ ।

 

ବାପା-ମାଆଁ ଛେଉଣ୍ଡ ସେହି ପିଲାମାନଙ୍କ ଭିତରେ ବାରବର୍ଷର ବାଳକ ବାସୁଦେବ ମଧ୍ୟ ଥିଲା । –ଛଅଜଣ ଭାଇଭଉଣୀଙ୍କ ମଧ୍ୟରେ ବାସୁଦେବ ହେଉଛି ସବାବଡ଼ । ମହାବାତ୍ୟା ଦିନ ରାତିରେ, ଝଡ଼ ଆରମ୍ଭ ହେବାର କେତେ ଘଣ୍ଟା ପୂର୍ବରୁ ବାସୁଦେବର ଶାରୀରିକ ଦୃଷ୍ଟିରୁ ଅସମର୍ଥ ବାପା ରେଡ଼ିଓରୁ ଝଡ଼ ବିଷୟରେ ଦିଆ ଯାଇଥିବା ସତର୍କବାଣୀକୁ ଶୁଣିବାକୁ ପାଇଥିଲେ । ରେଡ଼କ୍ରସ୍‍ ଦ୍ୱାରା ପ୍ରଶିକ୍ଷଣ ଲାଭ କରିଥିବା ସେହି ଗ୍ରାମର ଯୁବା ସ୍ଵେଚ୍ଛାସେବୀମାନେ ବାତ୍ୟାକାଳୀନ ଆଶ୍ରୟଗୃହକୁ ଚାଲିଯିବା ନିମନ୍ତେ ଗ୍ରାମର ଅଧିବାସୀମାନଙ୍କୁ ପ୍ରବର୍ତ୍ତାଇ ଥିଲେ । କିନ୍ତୁ, ଅନ୍ୟମାନଙ୍କ ମଧ୍ୟରେ ତା’ର ବାପା ମଧ୍ୟ ସେହି ସତର୍କବାଣୀ ଗୁଡ଼ିକ ପ୍ରତି କର୍ଣ୍ଣପାତ କଲେନାହିଁ । କହିଲେ : ୧୯୮୨ ମସିହାରେ ହୋଇଥିବା ପ୍ରବଳ ବନ୍ୟା ମୋର ମଧ୍ୟ ମୋ’ର ମନେଅଛି । ସେବର୍ଷ ଦଳେଇ ଘାଇ ଭାଙ୍ଗିଗଲା । ସେହି ଭୟଙ୍କର ବନ୍ୟା ଓ ବିତ୍ପାତରୁ ମଧ୍ୟ ଆମେ ରକ୍ଷା ପାଇଛୁ । ଆମର କିଛି ହେବ ନାହିଁ । କିନ୍ତୁ, ଯେତେବେଳେ ପବନର ବେଗ ଅଧିକ ହେଲା ଓ ପାଣି ଫୁଲିବାକୁ ଆରମ୍ଭ କଲା, ବାସୁଦେବର କକା ବାସୁଦେବକୁ ଓ ତା’ର ଦୁଇଜଣ ଭଉଣୀଙ୍କୁ ପହଁରି ପହଁରି ଆଶ୍ରୟଗୃହର ନିରାପଦ ସ୍ଥାନରେ ନେଇ ପହଞ୍ଚାଇ ଦେଇଥିଲେ । ବାସୁଦେବର ମାଆ ତା’ର ଆଉ ଦୁଇଜଣ ଭଉଣୀଙ୍କୁ ମଧ୍ୟ ସେଠାକୁ ନେଇ ଯାଇଥିଲେ ଓ ତା’ପରେ ନିଜର ସ୍ଵାମୀ ଏବଂ ସବାସାନ ଶିଶୁପୁତ୍ରଟିକୁ ନେବାଲାଗି ପୁନର୍ବାର ଘରକୁ ଚାଲି ଆସିଥିଲେ । ମାତ୍ର ଦିନ ତମାମ ଚାଲିଗଲା ସିନା, ସେମାନେ ଆଉ ଫେରିଲେ ନାହିଁ । ସେତେବେଳକୁ ପାଣିସୁଅରେ ମଲା ମଣିଷ ଓ ଅଚେତ ଅନ୍ୟ ଲୋକେ ଭାସି ଆସିବାର ଦେଖାଗଲାଣି,–ବାର ବର୍ଷର ବାସୁଦେବ ସଂପୂର୍ଣ୍ଣ ଭାବରେ ଆଶାଶୂନ୍ୟ ହୋଇ ଯାଇଥିଲା । ଯୋଉମାନେ ଆସିନାହାନ୍ତି, ସିଏ ସେମାନଙ୍କୁ ଖୋଜି ଯିବ ବୋଲି ଭାରି ଅଥୟ ହୋଇ ପଡ଼ିଲା । ତା’ ଦାଦିପୁଅ ଭାଇ ତାକୁ ସାହାଯ୍ୟ କରିଥିଲା; ଏବେ ମଧ୍ୟ ଭାଙ୍ଗି ଠିଆ ହୋଇଥିବା ଗଛକୁ ଗଛ ଦଉଡ଼ା ବାନ୍ଧି ଦେଲା ଏବଂ ସେହି ଦଉଡ଼ିକୁ ଆଶ୍ରା କରି ବାସୁଦେବ ଧୀରେ ଧୀରେ ଅଗ୍ରସର ହୋଇ ଯାଇଥିଲା । ଘରେ ସିନା ପହଞ୍ଚି ପାରିଲା, ମାତ୍ର ସେଠାରେ କାହାକୁ ହେଲେ ଦେଖି ପାରିଲାନାହିଁ । ସେମାନେ ଯେ ଆଉ ଜୀବନରେ ନାହାନ୍ତି, ସେକଥା ସଂପୂର୍ଣ୍ଣ ଭାବରେ ପରିଷ୍କାର ହୋଇ ଯାଇଥିଲା ।

 

ବାସୁଦେବ ଓ ତା’ର ଭାଇଭଉଣୀଙ୍କ ଭଳି ପିଲାମାନଙ୍କୁ ପ୍ରଶାନ୍ତ ଆପଣାର ସେହି ଅସ୍ଥାୟୀ ଆଶ୍ରୟସ୍ଥାନକୁ ନେଇ ଯାଇଥିଲା । ନିଜର ଦୁଃଖକୁ ସଂପୂର୍ଣ୍ଣ ବୀରୋଚିତ ଭାବରେ ପାସୋରି ଦେଇ ବାରବର୍ଷର ବାସୁଦେବ ପ୍ରଶାନ୍ତର ସ୍ୱେଚ୍ଛାସେବକ ବାହିନୀରେ ଯୋଗ ଦେବାପାଇଁ ଜିଦ୍ କଲା; ସିଏ ମଧ୍ୟ ଅନ୍ୟମାନଙ୍କ ସହିତ ରାସ୍ତାଗୁଡ଼ିକୁ ସଫା କରିବ, ମୁର୍ଦ୍ଦାର କାଢ଼ି ସେମାନଙ୍କୁ ପୋତିବ ଅଥବା ଦାହ କରିବ ଏବଂ ଗାଆଁ ପାଇଁ ଖାଦ୍ୟପଦାର୍ଥ ବି ଆଣିବାକୁ ଯିବ ।

 

ପ୍ରାୟ ଦୁଇସପ୍ତାହ ପରେ ଜଣେ ତରୁଣ ଆଇ.ଏ.ଏସ୍. ଅଫିସର ଆସି ସେମାନଙ୍କ ଗାଆଁରେ ପହଞ୍ଚିଲେ; ତାଙ୍କ ଜୀପ୍ ପଛରେ ଲାଗିଥିବା ଟ୍ରଲିରେ ଗୋଟିଏ ବଡ଼ ତମ୍ବୁ ଲଦା ହୋଇ ଆସିଥିଲା । କିଛି ବାସନକୁସନ ବି ଥିଲା । ସେଠାରେ ସିଏ ବାପାମାଆଙ୍କୁ ହରାଇଥିବା ପିଲା ଓ ବିଧବାମାନଙ୍କ ସକାଶେ ଗୋଟିଏ ଆଶ୍ରୟଗୃହ ଖୋଲିବେ ବୋଲି ଆସିଥିଲେ । ସିଏ କେତେକ ସ୍ଵେଚ୍ଛାସେବକ ଆବଶ୍ୟକ କରୁଥିଲେ । ଗାଆଁର ଲୋକମାନେ ତାଙ୍କୁ ପ୍ରଶାନ୍ତ ପାଖକୁ ନେଇ ଯାଇଥିଲେ । ଅଫିସର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ପ୍ରଶାନ୍ତ ଯଥେଷ୍ଟ ପୂର୍ବରୁ ହିଁ ସେହିପରି ଏକ ଆଶ୍ରୟସ୍ଥାନ ଆରମ୍ଭ କରିଦେଇଛି ଏବଂ ନିଜେ ସେଇଟିର ଯତ୍ନ ନେଉଛି । ଏହିପରି ଭାବରେ ସେଠାରେ ଗୋଟିଏ ମମତାଗୃହ ଆରମ୍ଭ ହୋଇଗଲା । ସେଠାରେ କେତେ ବିଧବା ମଧ୍ୟ ଆସି ଆଶ୍ରା ପାଇଲେ । ସେଠାରେ ଯାବତୀୟ କାର୍ଯ୍ୟକ୍ରମକୁ ଚଳାଇବା ଲାଗି ଗୋଟିଏ ସ୍ୱେଚ୍ଛାସେବୀ ସଂସ୍ଥା ଦାୟିତ୍ୱ ନେଇଥିଲା ଓ ସେହି କାର୍ଯ୍ୟକ୍ରମଟିକୁ ସ୍ନେହ ଅଭିଯାନ ବୋଲି କୁହା ଯାଇଥିଲା । ସେଥିରେ ପ୍ରଶାନ୍ତ ହିଁ ସ୍ନେହକର୍ମୀ ହୋଇ ରହିଲା,–ସିଏ ମମତାଗୃହର ସଂପୂର୍ଣ୍ଣ ଦାୟିତ୍ୱ ବହନ କରି ରହିଥିଲା ।

 

ଏହିପରି ଭାବରେ ବହୁ ସପ୍ତାହ ଅତିବାହିତ ହୋଇ ଯାଇଥିଲା । ଏବଂ, ପ୍ରଶାନ୍ତ ଅଚିରେ ଲକ୍ଷ୍ୟ କରି ପାରିଥିଲା ଯେ, ମମତା-ଗୃହର ମହିଳା ଓ ପିଲାମାନେ ଦିନକୁ ଦିନ ସେମାନଙ୍କର ଦୁଃଖଗୁଡ଼ିକରେ ସତେ ଯେପରି ଅଧିକରୁ ଅଧିକ ପୋତି ହୋଇ ଯିବାରେ ଲାଗିଛନ୍ତି-। ସ୍ୱେଚ୍ଛାସେବୀ ସଂସ୍ଥାଟି ଆରମ୍ଭ କରିଥିବା ଖାଦ୍ୟପାଇଁ କାମ କାର୍ଯ୍ୟକ୍ରମରେ ସାମିଲ ହେବା ସକାଶେ ସେ ମହିଳାମାନଙ୍କୁ ପ୍ରବର୍ତ୍ତାଇଲା ଏବଂ ପିଲାମାନଙ୍କ ନିମନ୍ତେ କ୍ରୀଡ଼ାଦିର କାର୍ଯ୍ୟକ୍ରମଟିଏ ଆରମ୍ଭ କଲା । ସିଏ ନିଜେ କ୍ରିକେଟ୍ ଖେଳିବାକୁ ଭଲ ପାଉଥିଲା ଏବଂ ତେଣୁ, ସାରା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ରହିଥିବା ୩୫ଟି ମମତା-ଗୃହର ପିଲାମାନଙ୍କ ପାଇଁ କ୍ରିକେଟ୍ ପ୍ରତିଯୋଗିତାମାନ କରାଇଲା । ଅନ୍ୟ ସ୍ଵେଚ୍ଛାସେବକମାନଙ୍କ ସହିତ ପ୍ରଶାନ୍ତ ସେହି ମହିଳା ତଥା ପିଲାମାନଙ୍କର ଭାଙ୍ଗିରୁଜି ଯାଇଥିବା ଜୀବନକୁ ପୁନର୍ବାର ଯୋଡ଼ି ଆଣିବାରେ ସହାୟତା କରୁଥିଲା-। ପିତାମାତା ହରାଇଥିବା ପିଲା ଏବଂ ମହିଳାମାନଙ୍କ ସକାଶେ ସମୁଚିତ ଅନୁଷ୍ଠାନମାନ ଆରମ୍ଭ କରିବାଲାଗି ସରକାରଙ୍କର ମଧ୍ୟ ମୂଳରୁ ହିଁ ଯୋଜନା ରହିଥିଲା । ମାତ୍ର, ସେହି ଯୋଜନା ବିରୋଧରେ ସଫଳ ପ୍ରତିରୋଧମାନ ବି ହେଲା, କାରଣ ସମସ୍ତେ ଅନୁଭବ କରୁଥିଲେ ଯେ, ଏଭଳି ଅନୁଷ୍ଠାନଗୁଡ଼ିକରେ ପିଲାମାନଙ୍କୁ କୌଣସି ସ୍ନେହ ବା ଆଦର କଦାପି ମିଳିବ ନାହିଁ ଏବଂ, ମହିଳାମାନେ ମଧ୍ୟ ଲାଞ୍ଛନା ଓ ଏକାକୀ ହୋଇ ରହିବାର ତାଡ଼ନା ସହିବାରେ ଲାଗିଥିବେ-। ପ୍ରଶାନ୍ତର ଦଳଟି ବିଶ୍ୱାସ କରେ ଯେ, ବାପାମାଆ ହରାଇଥିବା ଏହି ପିଲାମାନଙ୍କୁ ସେମାନଙ୍କର ନିଜ ସମୁଦାୟ ମଧ୍ୟକୁ ନେଇ ପୁନର୍ବାର ଥଇଥାନ କରାଇବାକୁ ପଡ଼ିବ,–ହୁଏତ ଏପରି ନୂଆ ପରିବାରମାନଙ୍କରେ ସେମାନେ ଯାଇ ରହିବେ, ଯେଉଁଗୁଡ଼ିକ କି ସନ୍ତାନହୀନା ବିଧବା ମହିଳା ଓ ଦାୟିତ୍ୱ ନେବାକୁ କୌଣସି ବୟସ୍କ ନଥିବା ଏହି ପିଲାମାନଙ୍କୁ ନେଇ ଆରମ୍ଭ ହୋଇପାରିବ-

 

ମହାବାତ୍ୟାର ଧ୍ୱଂସଲୀଳା ଘଟିଯିବାର ଛଅମାସ ପରେ ବାସୁଦେବ ଅତ୍ୟନ୍ତ ଦୃଢ଼ଭାବରେ କହୁଛି ଯେ, ତାକୁ କେହି ପୋଷ୍ୟପୁତ୍ରବତ୍ ପାଳନ କରନ୍ତୁ ଓ ତା’ର ଯତ୍ନ ନିଅନ୍ତୁ ବୋଲି ସିଏ ଆଦୌ ଇଚ୍ଛା କରୁନାହିଁ । ତେଣୁ ଯାବତୀୟ ସହାୟତା ଓ ବୟସ୍କ କୌଣସି ବ୍ୟକ୍ତିଙ୍କ ଦ୍ୱାରା ତା’ର ସୁରକ୍ଷା ନିମନ୍ତେ ସିଏ ସିଧା ମନା କରିଦେଉଛି । ମୁଁ ନିଜେ ମୋ’ ଭାଇଭଉଣୀ ମାନଙ୍କର ଦାୟିତ୍ୱ ନେବି,–ସାନ ପିଲାଟିଏ ହୋଇଥିଲେ ମଧ୍ୟ ସିଏ ଅତ୍ୟନ୍ତ ଅଟଳ ଭାବରେ କହିପାରୁଛି । ମୋ’ର ବାପାମାଆ ଯେଉଁଠାରେ ଥିଲେ, ମୁଁ ସେଇଠାରେ ହିଁ ପୁନର୍ବାର ମୋ’ର ଘରଟିଏ ତିଆରି କରିବି । ମୁଁ ଆଦୌ ଅନ୍ୟ କେଉଁଠାକୁ ଯିବିନାହିଁ । ସବୁଦିନ ସକାଳେ ଉଠିବା ସମୟରେ ମୁଁ କେବଳ ମୁଁ ଚିହ୍ନିଥିବା ମଣିଷମାନଙ୍କର ମୁହଁକୁ ଦେଖିବି,–ଯାହାସହିତ ଏକଦା ବଢ଼ି ଆସିଛି, ସେହିମାନଙ୍କର ମୁହଁକୁ ହିଁ ଦେଖିବି । ଏବଂ, ପ୍ରଶାନ୍ତ ବିଷୟରେ କହିବାକୁ ଗଲେ, ନିଜର ଦୁଃଖଗୁଡ଼ିକ ବିଷୟରେ ମୁଣ୍ଡ ଘୂରାଇବା ପାଇଁ ତା’ର ମୋଟେ କୌଣସି ସମୟ ନାହିଁ ଏବଂ ତେଣୁ ଇତିମଧ୍ୟରେ ତା’ ଦୁଃଖ ସ୍ମୃତିର ଅନୁଭବଗୁଡ଼ିକ ମଧ୍ୟ ପ୍ରକୃତରେ ଭଲ ହୋଇ ଯାଇଛନ୍ତି । ତା’ ଗାଆଁର ବିଧବା ମହିଳା ଓ ପିତାମାତା ହରାଇଥିବା ପିଲାମାନେ ଆପଣା ଦୁଃଖ ସେମାନଙ୍କୁ ଜର୍ଜର କରି ପକାଇବା ଲାଗି ଆସୁଥିବା ସମୟରେ ସେମାନେ ସତେଅବା ପ୍ରଶାନ୍ତର ସେହି ସୁନ୍ଦର ଓ ତାରୁଣ୍ୟଦ୍ୱାରା ଦୀପ୍ତ ମୁହଁଟିକୁ ଦେଖି କେତେ ଭରସା ପାଇ ପାରୁଛନ୍ତି !

☆☆☆

 

Unknown

ଜଳର ଗର୍ଭରେ ଘର

 

ନିଜ ପୂର୍ବପୁରୁଷମାନଙ୍କର ଜମିରୁ ଉଚ୍ଛିନ୍ନ ହେବାର ଦୀର୍ଘ କୋଡ଼ିଏ ବର୍ଷ ପରେ ମଧ୍ୟ ନହ୍ନେ ରାମ ସେହି ବିଷୟରେ ମୋଟେ ବେଶୀ କିଛି କହେ ନାହିଁ । ତାକୁ ଷାଠିଏ ବର୍ଷ ହୋଇଗଲାଣି ସତ, ମାତ୍ର ନିଜ ବୟସ ତୁଳନାରେ ସିଏ ପ୍ରକୃତରେ ଅଧିକ ବୁଢ଼ା ଦେଖାଯାଉଛି । ନିଜର ନୂଆ ବସତିଗ୍ରାମ ଐତ୍‍ମାରେ ଆପଣାର ଭାଙ୍ଗିରୁଜି ଯାଇଥିବା କୁଟୀରଟିର ବାହାରେ ସେ ଅନେକ ସମୟରେ ଢେର ସମୟ ଧରି ଖାଲି ବସି ରହିଥାଏ । ବର୍ତ୍ତମାନ ନିଜର ବୋଲି ତା’ର କୌଣସି ଜମି ନାହିଁ । କୌଣସି ଗୋରୁଗାଈ ନାହାନ୍ତି, ପିଲାପିଲି ନାହାନ୍ତି; ନିଜ ସ୍ତ୍ରୀଟି ମଧ୍ୟ ବୁଢ଼ୀ ହୋଇ ଆସିଲାଣି,–ବିଚାରୀ ଦିନତମାମ ଗାଆଁର ବଡ଼ଚାଷୀମାନଙ୍କର ବିଲରେ ମୂଲ ଲାଗେ ଅଥବା କଙ୍ଗଲକୁ ଯାଏ,–ନହେଲେ ତ ଚୁଲିରେ କୁହୁଳା ବି ପଡ଼ନ୍ତାନାହିଁ ।

 

ବିଗତ କଥାମାନ କହିବାବେଳେ ତା’ କଥାରେ ଦୁଃଖର ଏକ ସ୍ଵର ଅବଶ୍ୟ ଥାଏ, କିନ୍ତୁ ସିଏ କାହାଉପରେ କୌଣସି ଦୋଷାରୋପ କେବେ କରେନାହିଁ । ହେତୁ କରି ସେ ଥଙ୍ଗେଇ ଥଙ୍ଗେଇ କହେ ଯେ, ଯେତେବେଳେ ସେମାନେ ପ୍ରଥମଥର ପାଇଁ ବଡ଼ ନଦୀବନ୍ଧଟିଏ ତିଆରି ହେବାର କଥା ଶୁଣିଲେ, ସେତେବେଳେ (ତାହା ପ୍ରାୟ ପଚାଶ ଦଶକ ମଝିର ଘଟଣା ହେବ) ଦିନକୁ ମଜୁରି ବାରଅଣା ଥିଲା । ସେମାନଙ୍କର ନିଜ ଗାଆଁ, ଏପରିକି ସେହି ସଂପୂର୍ଣ୍ଣ ଅଞ୍ଚଳଟାର ମଧ୍ୟ ବାହାର ପୃଥିବୀ ସହିତ କ୍ୱଚିତ୍ କୌଣସି ସଂଯୋଗ ରହିଥିଲା ଓ ସେପର୍ଯ୍ୟନ୍ତ ସେମାନଙ୍କର ଖୁବ୍ କମ୍ ସରକାରୀ ହାକିମଙ୍କ ସହିତ ଭେଟ ହୋଇଥିଲା । ଯେତେବେଳେ ନଦୀବନ୍ଧ ହେଉଛି ବୋଲି ଖବର ଦେବାପାଇଁ ପ୍ୟାଣ୍ଟକୋଟ୍ ପିନ୍ଧା ଲୋକମାନେ ଶୁନୁଗାଡ଼ିରେ ଚଢ଼ି ସେମାନଙ୍କ ଗାଆଁରେ ଆସି ପହଞ୍ଚିଲେ, ସେଠାରେ ବାସ କରୁଥିବା ଆଦିବାସୀମାନେ ସତକୁ ସତ ଖୁବ୍ ଆତଙ୍କିତ ହୋଇ ଯାଇଥିଲେ ଏବଂ ଜଙ୍ଗଲକୁ ପଳାଇ ଯାଇଥିଲେ ।

 

ନହ୍ନେ ରାମ ସେତେବେଳେ ମୋଟେ ଜାଣିନଥିଲା ଯେ ତାଙ୍କ ଗାଆଁ ପଡ଼ିଶା କୋଠାରେ ଗୋଟିଏ ବୃହଦାକାର ବିଜୁଳିଶକ୍ତି ଉତ୍ପାଦନର କେନ୍ଦ୍ର ତିଆରି କରିବାର ଯୋଜନା ଆରମ୍ଭ ହୋଇଗଲାଣି; ଏବଂ ସେଥିପାଇଁ, ସେଠାରେ ବହି ଯାଉଥିବା ହସଦେଓ ଓ ବଙ୍ଗୋ ଦୁଇଟିଯାକ ନଦୀରେ ବଡ଼ ବଡ଼ ବନ୍ଧ ନିର୍ମାଣ କରାଯିବାର କଥା ହୋଇଛି । ଏହାଦ୍ୱାରା ତା’ ନିଜ ଗାଆଁ ପରି ଅଣଷଠିଟି ଆଦିବାସୀ ଗାଆଁ ପାଣିରେ ବୁଡ଼ିଯିବ, କୋଡ଼ିଏଟି ସଂପୂର୍ଣ୍ଣ ଭାବରେ ଏବଂ ଆଉଗୁଡ଼ିକ ଅଂଶତଃ । ଏବଂ, ତା ସହିତ ୧୦୨ ବର୍ଗ-କିଲୋମିଟର ଆୟତନର ଗହନ ଶାଳ-ଜଙ୍ଗଲ ମଧ୍ୟ ବୁଡ଼ିବ,–ତେବେଯାଇ ୨୧୩ ବର୍ଗ-କିଲୋମିଟର୍‍ର ପ୍ରକାଣ୍ଡ ନୂଆ ଜଳଭଣ୍ଡାରଟି ସମ୍ଭବ ହୋଇ ପାରିବ । ଏହି ଯେ ଏତେ ଏତେ ଯୋଜନା କରାଗଲା, ସେଥିରେ ଏହି ଗାଆଁମାନଙ୍କର ୨୭୨୧ ପରିବାରଙ୍କ ସହିତ କେହି କୌଣସି କଥା ବି ହେଲେନାହିଁ । କାରଣ, ଏହା ଭାଗ୍ୟହୀନମାନେ ‘ଜାତୀୟ ବିକାଶ’ ନିମନ୍ତେ ବାସ୍ତୁହରା ହେବାକୁ ବାଧ୍ୟ ହିଁ ହେବା ଏକାନ୍ତ ପ୍ରୟୋଜନ ହେଲା । ଏହି ପ୍ରକଳ୍ପଟି ହେବାଦ୍ୱାରା ସେମାନଙ୍କର ଜୀବନଗୁଡ଼ିକ ଯେ କେଡ଼େ ଗଭୀର ଏବଂ ସୁନିଶ୍ଚିତ ଭାବରେ ସଂପୂର୍ଣ୍ଣ ଓଲଟପାଲଟ ହୋଇଯିବ, ସେମାନେ ସେହି ବିଷୟରେ ମୋଟେ କିଛି ହିଁ ଜାଣି ପାରୁନଥିଲେ । କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ପରିବାରମାନଙ୍କ ମଧ୍ୟରୁ ୨୩୧୮ଟି, ଅର୍ଥାତ୍ ୮୫ ପ୍ରତିଶତ ପର୍ଯ୍ୟନ୍ତ ଆଦିବାସୀ ଥିଲେ ଅଥବା ଦଳିତ ଜାତିର ଲୋକ ଥିଲେ । ନହ୍ନେରାମ ଭଳି ଏମାନଙ୍କ ହାତରେ ପ୍ରାୟ କୌଣସି ଅନ୍ୟ ସଂବଳ ନଥିଲା, ସେମାନଙ୍କର ମାନସିକ ଭାବ, ସଂସ୍କୃତି ଏବଂ ଅନୁଭବର ଅଭାବ ହେତୁ ସେମାନେ ସେହିଭଳି ହୋଇ ରହିଥିଲେ,–ଏକ ନୂଆ ପରି ଜୀବନ ଆରମ୍ଭ କରିବା ପାଇଁ ନିତାନ୍ତ ଅସମର୍ଥ ଥିଲେ ।

 

ପ୍ରଥମେ ଛଅ ସାତ ବର୍ଷ ଲଗାଏତ୍ ସର୍ଭେକାମ ଚାଲିଲା ଏବଂ ୧୯୬୧ ମସିହାରେ ଯାଇ ବ୍ୟାରେଜ୍ ତିଆରି ଓ ମୁଖ୍ୟ କେନାଲଗୁଡ଼ିକୁ ଖୋଳିବାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟଟି ଆରମ୍ଭ ହେଲା । ନହ୍ନେ ଖୁବ୍ ମନେପକାଇ ପାରୁଛି ଯେ, ସେଠାରେ ଚାଲିଥିବା ସର୍ଭେକାମ ଦେଖିବାକୁ ଯେଉଁଦିନ ଗୋଟିଏ ସାନ ବ୍ୟୋମଯାନ ଆସି ସେହି ଅଞ୍ଚଳ ଉପରେ ବୁଲିଗଲା, ସେଦିନ ସେମାନେ ଖୁବ୍ ଭୀତ ହୋଇ ପଡ଼ିଥିଲେ । କ’ଣ ସବୁ ହେବାକୁ ଯାଉଛି ବୋଲି ଖୁବ୍ ଉଦ୍‌ବିଗ୍ନ ହୋଇ ପଡ଼ିଥିଲେ । ଏବଂ ତା’ପରେ, ପ୍ରାୟ ପନ୍ଦରବର୍ଷ ପରେ ୧୯୭୭ ମସିହାରେ ପ୍ରଥମ ଲୋକବସତିଟି ଏଇଟି ହେଉଛି ନହ୍ନେର ନିଜ ଗାଆଁ,–ପ୍ରକୃତରେ ପାଣିରେ ବୁଡ଼ି ଯାଇଥିଲା । ମଝି ବର୍ଷ ମାନଙ୍କରେ ନିର୍ମାଣକାର୍ଯ୍ୟ ଚାଲିଥାଏ ମାତ୍ର, ସରକାରଙ୍କ ତରଫରୁ କେହି ଆସି ଏମାନଙ୍କର ପୁନଃଥଇଥାନ ବିଷୟରେ କିଛି ହେବାର ଯୋଜନା ହିଁ କରିନଥିଲେ । ଏବଂ ଏପରିକି, ଆଏବା ଭବିଷ୍ୟଟି ନିମନ୍ତେ ସେମାନେ ନିଜନିଜର ଜୀବନକୁ ପୁନର୍ବାର ଏକ ଆକାର ଦେଇ ପାରିବ, ସେ ବିଷୟରେ କେହି ସେମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇନଥିଲେ । ସେମାନଙ୍କୁ ମୋଟେ ସଂଶ୍ଳିଷ୍ଟ ହିଁ କରା ଗଲାନାହିଁ ।

 

୧୯୭୭ ମସିହାରେ, ସେମାନଙ୍କର ବାସସ୍ଥାନଗୁଡ଼ିକ ପ୍ରକୃତରେ ପାଣିତଳକୁ ଚାଲିଯିବାର ଅଳ୍ପ କିଛି ମାସ ଆଗରୁ ଗ୍ରାମବାସୀ ଚାଷୀମାନଙ୍କୁ ଗୋଟିଏ ଟ୍ରକରେ ବସାଇ ବିଳାସପୁରରେ ଥିବା ଡିଭିଜନ୍‌ର ମହକୁମାକୁ ନେଇ ନିଆଗଲା । ବିଳାସପୁର ହେଉଛି ଛତିଶଗଡ଼ ଅଞ୍ଚଳର ଠିକ୍ ମଝିରେ ଅବସ୍ଥିତ । ନହ୍ନେ ହେତୁ କରି କହୁଥାଏ ଯେ, ସେମାନେ ବେଳ ବୁଡ଼ି ଆସୁଥିବା ସମୟରେ ଜିଲ୍ଲା ଅଫିସ୍ ରହିଥିବା ଗୋଟିଏ ଆଲିଶାନ୍ କୋଠାଘର ପାଖରେ ଯାଇ ପହଞ୍ଚିଲେ,–ସେଠାରେ ସେମାନଙ୍କୁ ଗୋଟିଏ ଫର୍ଚା ଅଗଣା ଭିତରେ ଓହ୍ଲାଇ ଦିଆ ଯାଇଥିଲା । ସେଠାରେ ଜଣେ ହାକିମ ଆସି ଭାଷଣଟିଏ ଦେଇଥିଲେ; ସେ ଏହିପରି ଏକ ସଂବାଦ ଦେଲେ ଯେ ସେହି ଅଳ୍ପ କେତେମାସ ଭିତରେ ସେମାନଙ୍କର ଗାଆଁଟି ବନ୍ଧ ସେପାଖର ଜଳଭଣ୍ଡାରଟି ମଧ୍ୟରେ ଯାଇ ବୁଡ଼ିଯିବ ଏବଂ ସେଥିପାଇଁ ବର୍ତ୍ତମାନ ସରକାରଙ୍କ ଠାରୁ ସେମାନଙ୍କୁ ପ୍ରାପ୍ୟ କ୍ଷତିପୂରଣର ପ୍ରଥମ କିସ୍ତୀ ଟଙ୍କା ସେଠାରେ ମିଳିବ । ଏହି ବାବଦରେ ନହ୍ନେକୁ ମାତ୍ର ୫୪୦ ଟଙ୍କା ମିଳିଥିଲା ।

 

ଯେତେବେଳେ ଟ୍ରକ୍‍ଟି ସେମାନଙ୍କ ଗାଆଁକୁ ଫେରି ଆସିଥିଲା, ସେତେବେଳକୁ ସକାଳ ହୋଇ ସାରିଥାଏ । ଗ୍ରାମବାସୀମାନେ ସେତେବେଳେ ଦେଖିବାକୁ ପାଇଲେ ଯେ, ସ୍ଥାନୀୟ ରେଭିନିଉ ଅଫିସର ଓ ତହସିଲଦାର ସେମାନଙ୍କ ନିମନ୍ତେ ଗାଆଁରେ ଅପେକ୍ଷା କରିଛନ୍ତି । ନହ୍ନେ ଯେତିକି କ୍ଷତିପୂରଣ ଟଙ୍କା ପାଇଥିଲା, ସେଥିରୁ ତା’ ଉପରେ ବାକି ଥିବା ଖଜଣାଟି ଆଦାୟ କରିନେବାକୁ ତହସିଲଦାର ଇଚ୍ଛା କରିଥିଲେ । ବିଚରାକୁ ୩୦୦ ଟଙ୍କା ଦେବାକୁ ପଡ଼ିଲା ଏବଂ ବାକି ୨୦୦ ଟଙ୍କା ମଧ୍ୟ ଦୈନନ୍ଦିନ ଜୀବନର ଗୁଜରାଣ ମେଣ୍ଟାଉ ମେଣ୍ଟାଉ ଖୁବ୍ ଶୀଘ୍ର ଖର୍ଚ୍ଚ ହୋଇଗଲା ।

 

ଜିଲ୍ଲା ଅଫିସ୍‌ରେ ଯେଉଁ ସଭା ହୋଇଥିଲା, ସେଥିରେ ଜଣେ ଲୋକ ଭାରି ସଙ୍କୋଚର ସହିତ ଏହି ପ୍ରଶ୍ନଟିକୁ ପଚାରିଥିଲା: ମାତ୍ର, ଆସନ୍ତା ବର୍ଷା ସମୟରେ ଆମ ଗାଆଁ ଯେତେବେଳେ ପାଣିରେ ବୁଡ଼ିଯିବ, ସେତେବେଳେ ଆମେ କୁଆଡ଼େ ଯିବୁ ? ଅଫିସର୍ ବାବୁ ବଡ଼ ରୂକ୍ଷ ଗଳାରେ ଉତ୍ତର ଦେଇଥିଲେ : ମୁଁ ସେ ବିଷୟରେ କ’ଣ ଜାଣିଛି ? କାହିଁକି, କୌଣସି ବନ୍ଧୁବାନ୍ଧବର ଘରକୁ ଚାଲି ଯିବୁନାହିଁ; କିନ୍ତୁ, ଏହି ଘଟଣାର କେତେ ସପ୍ତାହ ପରେ କେତେଜଣ ସ୍ନେଚ୍ଛାସେବୀ କର୍ମୀ ଆସି ସେମାନଙ୍କ ଗାଆଁରେ କେତୋଟି ସଭା କରିଥିଲେ । ଏମାନେ ଗର୍ଜନ କଲାପରି ବଡ଼ ପାଟିରେ କହିଥିଲେ, କୌଣସି ବନ୍ଧୁବାନ୍ଧବ ଘରକୁ ଚାଲିଯିବା ସକାଶେ ସେମାନେ ତୁମମାନଙ୍କୁ କିପରି କହି ପାରିବେ ? ତୁମମାନଙ୍କର ବନ୍ଧୁବାନ୍ଧବମାନେ କ’ଣ ଏହି ନଦୀବନ୍ଧକୁ ତିଆରି କରିଛନ୍ତି କି ? ସେମାନେ ବିକ୍ଷୋଭ ଶୋଭାଯାତ୍ରାମାନ କରାଇଲେ ବାରବାର ସଭା କଲେ, ଯେଉଁଥିରେ କି ଗାଆଁର ତରୁଣ ଆଦିବାସୀମାନେ ମଧ୍ୟ ଯୋଗ ଦେଇଥିଲେ । ନହ୍ନେ ମୋଟେ କିଛି ବୁଝି ପାରୁନଥାଏ, ଖୁବ୍ ଡର ବି ମାଡ଼ୁଥାଏ । ନିଜକୁ ସିଏ ଅଲଗା ଅଲଗା ରଖିବାକୁ ଚେଷ୍ଟା କରୁଥାଏ । ଶେଷରେ ସରକାର ରାଜି ବି ହେଲେ ଯେ, ଯେଉଁ ଆଦିବାସୀ ପରିବାରମାନଙ୍କର ଘର ପାଣିରେ ବୁଡ଼ିଯିବ, ସେମାନଙ୍କୁ ଉପରମୁଣ୍ଡ ଜଙ୍ଗଲରେ ଥିବା ଗୋଟିଏ ପୁନର୍ବସତି ସ୍ଥାନରେ ଘର ତିଆରି କରିବାପାଇଁ ଜାଗା ଯୋଗାଇ ଦିଆଯିବ ।

ଆଉ ମୋଟେ ଅଳ୍ପ କେତେ ମାସ ବାକି ଥାଏ । ଭବିଷ୍ୟ ନିମନ୍ତେ ନହ୍ନେ ତା’ ନିଜ ପଦ୍ଧତିରେ ହିଁ ଯୋଜନାମାନ କରୁଥିଲା । ସେମାନେ କେଉଁଠିକୁ ଯିବେ ଓ କିପରି ଭାବରେ ରହିବେ, ସେବିଷୟରେ ସିଏ କିଛି ଜାଣିନଥିଲା । ସେ ସବାଆଗ ନିଜ ଗାଈଟି ବିଷୟରେ ହିଁ ଚିନ୍ତା କରୁଥିଲା-। ଘରଯାକର ସେମାନେ ସମସ୍ତେ ଗାଈଟିକୁ ଭଲ ପାଉଥିଲେ । ନହ୍ନେ ଭଲ କରି ଜାଣିଥିଲା ଯେ ସେଠି ସେହି ନୂଆ ବସତିଟିରେ ଗାଈଟିର ଉଚିତ ଯତ୍ନ ନେବା ଆଦୌ ସମ୍ଭବ ହେବନାହିଁ; ସେତେବେଳେ ତ ନିଜର ସ୍ତ୍ରୀ ଓ ଦୁଇ ଝିଅଙ୍କର ଜୀବନ ବଞ୍ଚାଇବା ତ ବଡ଼ କଷ୍ଟକର ହୋଇଯିବ-। ଗାଈଟିକୁ ବିକିଦେବା କଥା ମଧ୍ୟ ସିଏ ଆଦୌ ଭାବି ପାରୁନଥାଏ,–କାରଣ ଗାଈଟି ତ ଏତେଦିନ ତା ପରିବାରର ଜଣେ ପରି ହିଁ ରହି ଆସିଛି । ତେଣ ତାକୁ ନେଇ ନହ୍ନେ ଜଣେ ଅହୀର ଗାଈଜଗାଳିର ଜିମାରେ ରଖିବାକୁ ସ୍ଥିର କରିଥିଲା, ତାକୁ ବର୍ଷକୁ ହେପାଜତ ପାଇଁ ଦେଢ଼ଶହ ଟଙ୍କା ଦେବ ବୋଲି ଜବାବ ଦେଲା । ଏହିପରି ଭାବରେ ଜୀବନଟି ଚାଲି ଯାଉଥାଏ । ଯାବତୀୟ ପରୀକ୍ଷା ଏବଂ ବିପତ୍ତି ସତ୍ତ୍ୱେ ଚାଲି ଯାଉଥିଲା । ଲାଗ ଲାଗ ଦଶବର୍ଷ ପର୍ଯ୍ୟନ୍ତ ଗାଈଟିକୁ ପାଳିବା ବାବଦରେ ସିଏ ଟଙ୍କା ଭରଣା କରି ଆସୁଥିଲା । ହଁ, ଗାଈଟି ଦଶବର୍ଷ ପରେ ମରି ଯାଇଥିଲା-

ମୌସୁମୀ ବର୍ଷା ଆରମ୍ଭ ହେବାର ମାତ୍ର ଦିନକ ଆଗରୁ ଟ୍ରକମାନେ ପୁଣି ଆସିଲେ । ନିଜର ସାମାନ ସରଞ୍ଜାମ ବାନ୍ଧି ଟ୍ରକରେ ଆସି ବସିବାକୁ ଲୋକମାନଙ୍କୁ ମାତ୍ର କେତେ ଘଣ୍ଟା ସମୟ ଦିଆ ଯାଇଥିଲା । ସେଠାରୁ ସେମାନଙ୍କୁ ସେହି ପୁନର୍ବସତି ଗ୍ରାମକୁ ନିଆଗଲା, ସେଠାରେ ସେମାନଙ୍କ ନିମନ୍ତେ ପରିବାର ପିଛା ଘରପାଇଁ ଗୋଟିଏ ଗୁଣ୍ଠରୁ କିଛି ଅଧିକ ଭୂମି ଭାରି ତରତରରେ ଜଙ୍ଗଲ ସଫା କରି ତିଆର କରି ରଖା ଯାଇଥିଲା । ଏବର୍ଷ ବର୍ଷା ଟିକିଏ ଶୀଘ୍ର ଆରମ୍ଭ ହେଲା ଏବଂ ତେଣୁ ନହ୍ନେ ଓ ତା’ କୁଟୁମ୍ବଙ୍କୁ ନିଜର ଯତ୍‍ସାମାନ୍ୟ ସାମାନପତ୍ର ସହିତ ଗୋଟିଏ ମହୁଲଗଛ ତଳେ ପୂରା ଚତୁର୍ମାସ୍ୟାଟା ରହିବାକୁ ପଡ଼ିଥିଲା । ମଝିରେ ମଝିରେ ଶୁଖିଲା ପାଗ ବେଳେ ନହ୍ନେ ଖଣ୍ଡି ସାନ କୁଡ଼ିଆ ଘର ତିଆରି କରିବାକୁ ବହୁ ସଂଘର୍ଷ କରିବାରେ ଲାଗିଥାଏ ଏବଂ ତାର ସ୍ତ୍ରୀ ଖାଇବା ଦ୍ରବ୍ୟ ଯୋଗାଡ଼ କରି ଆଣିବା ନିମନ୍ତେ ଜଙ୍ଗଲଯାକ ଅଣ୍ଡାଳି ବୁଲୁଥାଏ ।

କ୍ଷତିପୂରଣ ଟଙ୍କାର ବାକି କିସ୍ତୀସବୁ ଯାଇ କେବଳ ପନ୍ଦରବର୍ଷ ଅନ୍ତେ ମିଳିଲା,–୧୯୯୨ ମସିହାରେ ଯାଇ ମିଳିଥିଲା । ନହ୍ନେ ହାତରେ ଦୁଇହଜାର ଟଙ୍କାର ଗୋଟାଏ ଚେକ୍ ଧରାଇ ଦିଆ ଯାଇଥିଲା । ଏବଂ, ସାହୁକାରର କରଜ ଶୁଝିବାରେ ହିଁ ସେହି ଟଙ୍କା ଖରଚ ହେଲା । ମଝିରେ ମଝିରେ ମୂଲ ଲାଗି ନହ୍ନେ ଯେକୌଣସି ପ୍ରକାରେ ଚଳି ଯାଉଥାଏ,–ମାତ୍ର ନିତାନ୍ତ ଯେତିକି ନହେଲେ ନଚଳେ, ମାତ୍ର ସେତିକିରେ । ଠିକ୍ ସେତିକିବେଳେ, ସ୍ଵେଚ୍ଛାସେବୀ କର୍ମୀମାନଙ୍କର ଚାପ ପଡ଼ୁଥିବାରୁ ପ୍ରଥମ ଥର ନିମନ୍ତେ ସରକାରଙ୍କ ତରଫରୁ ସେଠାରେ ଜୀବିକାର୍ଜନର ଅଳ୍ପ କେତେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାସ୍ତୁ ହରାଇଥିବା ପରିବାରମାନଙ୍କ ବାବଦରେ ବିଳମ୍ବରେ ହେଲେ ମଧ୍ୟ ଜୀବିକାର ପନ୍ଥାମାନ ଯୋଗାଇ ଦେବାରେ ଏବେ ସରକାର ଏହି କ୍ଷେତ୍ରରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତଥାପି ବସ୍ତୁତଃ ବିଶେଷ ସଫଳତା ଆଦୌ ମିଳି ପାରିନାହିଁ-। ବାହାରର କଣ୍ଟାକ୍ଟର୍‍ମାନେ ହିଁ ଜଳଭଣ୍ଡାରରେ ମାଛ ମାରିବାରେ ପ୍ରାୟ ଏକଚାଟିଆ ଅଧିକାର ହାସଲ କରି ନେଇଛନ୍ତି । ଗୋଟାଏ କୁକୁଡ଼ା ଫାର୍ମ୍ କରିବାରେ ଚାଳିଶି ଲକ୍ଷ ଟଙ୍କା ଖର୍ଚ୍ଚ ହେଲା,–ଫାର୍ମ୍‍ଟି ବେଶ୍ କେତେ ମାସ ପାଇଁ ଚାଲିଲା,–ଏଥିରେ ବାରଜଣ ହିତାଧିକାରୀଙ୍କୁ ୧୦୦ କରି କୁକୁଡ଼ା ଦିଆ ଯାଇଥିଲା । ଗୋଟାଏ କ’ଣ ବେମାରି ହେବାରୁ କୁକୁଡ଼ାମାନେ ମରିଗଲେ ଓ ଫାର୍ମ୍ ବନ୍ଦ ହୋଇ ଯାଇଥିଲା । ଜଣେ ଆଦିବାସୀ ବାଳିକାକୁ ଗର୍ଭବତୀ କରାଇ ଫାର୍ମର ମ୍ୟାନେଜର୍ ସେଠାରୁ ଚମ୍ପଟ୍ ବି କରିଥିଲେ । ସମଗ୍ର ଉଦ୍ୟମଟିରୁ ଉତ୍ପାଦନ ବାବତରେ ଯାହା ଏତିକିମାତ୍ର ଘଟିଲା ବୋଲି ଜଳର ଗର୍ଭରେ ଘର କୁହାଯାଇ ପାରନ୍ତା । ହଁ, କିଛି ଅମ୍ବର ଚରଖା ଓ ସୂତା କଟା କଳ ବି ବସିଥିଲା,–କିନ୍ତୁ କଞ୍ଚାମାଲ ଯୋଗାଇଦେବା ଓ ବିକ୍ରୀର ଇନ୍ତଜାମ୍ କରିବାରେ କ’ଣସବୁ ଭୁଲ୍ ହୋଇଗଲା । ସୂତାକଟାର ମଜୁରି ମିଳିବା ମଧ୍ୟ ଭାରି ଅନିୟମିତ ହେଉଥିଲା,–ଏବଂ ସେଥିରେ ମଧ୍ୟ ଦିନକୁ ମାତ୍ର ଗୋଟିଏ ଟଙ୍କା ମିଳୁଥିଲା ।

ପୁନର୍ବସତିର ଏହି ଗାଆଁଗୁଡ଼ିକୁ କୃତ୍ରିମ ଜଳଭଣ୍ଡାରଟିର ଚତୁର୍ଦ୍ଦିଗରେ ଥିବା ଉପକଣ୍ଠମାନଙ୍କରେ ବସାଯାଇଛି–କଚ୍ଚା ରାସ୍ତା ଦ୍ୱାରା ସେଗୁଡ଼ିକୁ ପରସ୍ପର ସହିତ ସଂଲଗ୍ନ କରି ଦିଆଯାଇଛି । ପ୍ରତିବର୍ଷ ବର୍ଷାଦିନେ ଏହି ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଆନ୍ତି । ଅତ୍ୟନ୍ତ ଦୁର୍ଗମ ଓ ଦୂର ଏହି କୃତ୍ରିମ ବସତିମାନଙ୍କରେ ଯେ କିଛି କାମ ମିଳିବା ଦୁଷ୍କର ହୋଇଯାଏ ତା’ ନୁହେଁ, ଅନ୍ୟାନ୍ୟ ଏକାଧିକ ଦୃଷ୍ଟିରୁ ମଧ୍ୟ ସେଠାରେ ଲୋକଜୀବନ ବଡ଼ କଠିନ ହୋଇ ଯାଇଥାଏ । ପାଠଶାଳା, ସ୍ୱାସ୍ଥ୍ୟକେନ୍ଦ୍ର, ଋଣ ଦେଉଥିବା ସମବାୟ-ସଂସ୍ଥା ଓ କଣ୍ଟ୍ରୋଲ୍ ଦୋକାନ–ଏହି ସବୁକିଛି କ୍ଵଚିତ୍ ଉଚିତ୍‍ ଭାବରେ କ୍ରିୟାଶୀଳ ହୋଇ ରହିଥାନ୍ତି । ବର୍ଷାମାସମାନଙ୍କରେ ଯଦି କେହି କୌଣସି ରୋଗରେ ସାଂଘାତିକ ଭାବରେ ଆକ୍ରାନ୍ତ ହୁଏ, ଗୋଟିଏ ସାନଡଙ୍ଗାରେ ହିଁ ତିନିଘଣ୍ଟା କାଳ ବହୁପ୍ରକାର ବିଘ୍ନର ସମ୍ମୁଖୀନ ହୋଇ କୌଣସି ଡାକ୍ତରଖାନାରେ ଯାଇ ପହଞ୍ଚିବା ବ୍ୟତୀତ କୌଣସି ଅନ୍ୟ ଉପାୟ ନଥାଏ ।

 

ଏଥିରେ ଲେଶମାତ୍ର ସଂଶୟ ନାହିଁ ଯେ ଐତ୍‍ମାଠାରେ ବସତି ବାନ୍ଧି ରହିଥିବା ୨୦୮ଟି ପରିବାର ମଧ୍ୟରୁ, ବର୍ତ୍ତମାନ ସେଠାରେ କେବଳ ଷାଠିଏଟି ହିଁ ବାସ କରୁଛନ୍ତି । ଅନ୍ୟମାନେ ଅନ୍ୟତ୍ର ଚାଲି ଯାଇଛନ୍ତି, କେହି କେହି ଜଙ୍ଗଲ ଭିତରେ ଜାଗାଟିଏ ଜବରଦଖଲ କରି ରହିଛନ୍ତି,–ଆଉମାନେ ସହରର ବସ୍ତିମାନଙ୍କରେ ଯାଇ ରହୁଛନ୍ତି । ଯେକୌଣସି ପ୍ରକାରେ ଜୀବନଧାରଣ କରି ରହିପାରିବେ ବୋଲି ବଡ଼ ହତାଶ ଭାବରେ ଉପାୟମାନ ଅନ୍ୱେଷଣ କରିବାରେ ଲାଗିଛନ୍ତି ।

 

ଯେଉଁ ଅଳ୍ପ କେତେ ରହି ଯାଇଛନ୍ତି, ନହ୍ନେ ହେଉଛି ସେଇମାନଙ୍କ ମଧ୍ୟରୁ ଜଣେ । କାରଣ ଅବିଚ୍ଛିନ୍ନ ଭାବରେ ସଂଗ୍ରାମ କରି ଆଉଥରେ ନୂଆ କରି ଜୀବନଟିଏ ଆରମ୍ଭ କରିବା ନିମନ୍ତେ ସେ ନିଜ ଭିତରୁ କୌଣସି ବଳ ପାଇ ପାରିନାହିଁ । ଦିନମାନ ଅଧିକ ସମୟ ସିଏ ନୀରବରେ ତା’ କୁଡ଼ିଆ ବାହାରେ ହିଁ ଅତିବାହିତ କରେ । ମାତ୍ର, ଯେତେବେଳେ କିଛି ତୁଣ୍ଡ ଖୋଲି କହେ, ତା’କଥାକୁ ଶୁଣିବା ନିମନ୍ତେ ଇଚ୍ଛୁକ ଯେକୌଣସି ବ୍ୟକ୍ତି ଆଗରେ ସେ କେଡ଼େ ନରମ କଣ୍ଠରେ କହୁଥାଏ : ଯେତେବେଳେ ଡଙ୍ଗାରେ ବସି ପାରି ପାରି ହେଉ ହେଉ ମୁଁ ଯେତେବେଳେ ଜଳଭଣ୍ଡାରର ମଝିରେ ହୋଇଥାଏ, ସେତେବେଳେ ମୁଁ ଖୁବ୍ ଭଲ ଭାବରେ ଜାଣୁଥାଏ ଯେ ଠିକ୍ ସେହି ସ୍ଥାନଟିରେ କେତେଶହ ଫୁଟ ତଳକୁ ମୋ’ ଗାଆଁଟି ମଧ୍ୟ ନିଶ୍ଚୟ ରହିଛି, ମୋ’ ଘର, ମୋ’ ବିଲଗୁଡ଼ିକ ସବୁ ରହିଛି ଏବଂ ଏଗୁଡ଼ିକୁ ମୁଁ ଚିରଦିନ ସକାଶେ ହରାଇଛି । ସେତେବେଳେ, ବିଶ୍ୱାସ କର, ମୋ’ ଛାତିଟା ଫାଟିଯିବା ପରି ହୁଏ ଏବଂ ସେହି ଯନ୍ତ୍ରଣାଟିକୁ ମୁଁ ମୋଟେ ସହ୍ୟ କରି ପାରେନାହିଁ ।

☆☆☆

 

ଦ୍ୱିତୀୟ ବଳାତ୍କାର

 

ଏକ ଗଣଧର୍ଷଣ ଦ୍ୱାରା ତା’ ଜୀବନଟା ଛିନ୍ନଭିନ୍ନ ହୋଇଯିବାର ବହୁତ ବର୍ଷ ପରେ ବନ୍‍ୱ୍ୱାରୀ ନାମ୍ନୀ ଜଣେ ଅତି ଦୀନ ଓ ନିରକ୍ଷରା କୁମ୍ଭାର ଘରର ମହିଳା ନ୍ୟାୟାଳୟରେ ନିଜର ଲଢ଼େଇଟିଏ ଜାରି ରଖିଥାଏ । ଗୋଟାଏ ଧୂଳିଭରା ଗାଆଁର ଜଣେ ବାସିନ୍ଦା,–ଜୟପୁର ସହରର କାନିରେ ଅବସ୍ଥିତ ଭଟେରି ଗାଆଁରେ,–ତା’ କାହାଣୀଟି ପ୍ରକୃତରେ ଅସାଧାରଣ ସାହସ ଏବଂ ଅପରାଜେୟ ସଂକଳ୍ପ ଦ୍ୱାରା ଭରପୂର ହୋଇ ରହିଛି । ଆମେ ଯେତେବେଳେ ତା’ର ସେହି ଗ୍ରାମରେ ତା’ ସହିତ ଦେଖା କରିବାକୁ ଯାଇ ପହଞ୍ଚିଲୁ, ଆମେ ଦେଖିଲୁ ଯେ ସିଏ ଓ ତା’ କୁଟୁମ୍ବଯାକ ପଡ଼ିଶାଦ୍ୱାରା ବାସନ୍ଦ ହୋଇ ରହିଛନ୍ତି,–ଏବଂ ବସ୍ତୁତଃ ପତିତଙ୍କ ଭଳି ବାସ କରୁଛନ୍ତି । ଗାଆଁଲୋକେ ନିତାନ୍ତ ପ୍ରତ୍ୟକ୍ଷ ନାନା ଭାବରେ ସେମାନଙ୍କ ପ୍ରତି ଶତ୍ରୁତାଚରଣ କରୁଛନ୍ତି ଓ ସେମାନଙ୍କୁ ସର୍ବଦା ବିଦ୍ରୂପ କରିବାରେ ଲାଗିଛନ୍ତି । ବନ୍‍ୱାରୀ ଘରକୁ ବାଟ ପଚାରିବା ସମୟରୁ ହିଁ ଆମକୁ ତାହାର ପ୍ରମାଣ ମିଳି ଯାଇଥିଲା । ତା’ ଘରକୁ ଯାଇ ଆମେ ଦେଖିଲୁ, ବନ୍‍ୱାରୀ ଚୁପ୍ ହୋଇ ବସିଛି; ବାଳ ଅଧା ପାଚି ଆସିଲାଣି, ଲହଙ୍ଗାଟି ବି ମଳିନ ପଡ଼ି ଆସିଲାଣି । ନାନା ଦୁଃଖର ସାମନା କରି କରି ତା’ ମୁହଁ ଉପରେ ରେଖାମାନେ ପଡ଼ି ସାରିଲେଣି, କିନ୍ତୁ ତଥାପି ସ୍ପଷ୍ଟ ହୋଇ ପାରୁଥିଲା ଯେ ତା’ର ଭିତର ବଳ ଏବେ ମଧ୍ୟ ତୁଟି ଯାଇନାହିଁ ।

 

ତା’ପରେ, ଜଣେ ମହିଳା କିପରି ଏକା ଏକା ନ୍ୟାୟ ନିମନ୍ତେ ସଂଗ୍ରାମ କରିପାରେ, ଆମେ ତା’ମୁହଁରେ ତାହାରି ଏକ ଅସାଧାରଣ ଇତିବୃତ୍ତ ଶୁଣି ପାରିଥିଲୁ ।

 

ପ୍ରାୟ ଦଶବର୍ଷ ତଳର କଥା,–୧୯୮୪ ମସିହାର ଖରାଦିନ । ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟକ୍ରମରୁ ଗୋଟିଏ ଛୁଟୀଦିନରେ ବନ୍‍ୱାରୀ ନିଜର ସାନ ଗୃହଟିର ଅଗଣାରେ ଯାଇ ବସିଥିଲା-। ଚକରେ ମାଟିର ସରାମାନ ଗଢ଼ିବାରେ ଲାଗିଥିଲା । ଜଣେ ସ୍ତ୍ରୀଲୋକ,–ସିଏ ନିଶ୍ଚୟ ବାହାରୁ ସହରରୁ ହିଁ ଆସିଥିଲା,–ତା’ ପାଖକୁ ଆସି ତା’ ସହିତ କଥା ହେବାକୁ ଚାହିଁଲା । କହିଲା,–ତା’ ନାଆଁ ହେଉଛି ରୋଶନ୍ ଦିଦି ଏବଂ ସରକାରଙ୍କର ଏକ ମହିଳା-କଲ୍ୟାଣ ବିଭାଗରେ ଚାକିରି କରୁଛି । ବନ୍‍ୱାରୀକୁ ସିଏ ତା’ ନିଜ ବିଷୟରେ ପଚାରିଥିଲା ଓ ବନ୍‍ୱ୍ୱାରୀ ତା’ କଥା ରଖି କିଛି କହିବାକୁ ଆରମ୍ଭ କଲା ।

 

ବନ୍‍ୱାରୀ ଜାତିରେ କୁମ୍ଭାରୁଣୀ । ସେମାନଙ୍କର ଦୁଇ ବିଘା ଶୁଷ୍କ ଜମି ରହିଛି,–କିନ୍ତୁ କଠିନ ପରିଶ୍ରମ କଲେ ବି ସେଥିରୁ ଯଥେଷ୍ଟ କେବେହେଲେ ମିଳେନାହିଁ । ତେଣୁ, ତା’ର ସ୍ୱାମୀ ମୋହନ ଜୟପୁର ସହରରେ ରିକ୍‍ସାଟିଏ ଚଲାଏ ଏବଂ ସିଏ ନିଜେ ମଧ୍ୟ ଦୁର୍ଭିକ୍ଷ-ସହାୟତା କାର୍ଯ୍ୟକ୍ରମ ଚାଲିଥିବାବେଳେ ସେଥିରେ ସାହାଯ୍ୟ କରି କିଛି ରୋଜଗାର କରିଥାଏ । ସେଠାରେ ସେମାନେ କେତେ ଉପାର୍ଜନ କରନ୍ତି ବୋଲି ରୋଶନ୍ ଦିଦି ବନ୍‍ୱ୍ୱାରୀକୁ ପଚାରିଥିଲେ । ସଂପୂର୍ଣ୍ଣ ହୋଇଥିବା କାର୍ଯ୍ୟର ପରିମାଣ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ । ଏବଂ ସବାଶେଷରେ, ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଗାଆଁର ମହିଳାମାନଙ୍କୁ ଡାକି ଗୋଟିଏ ସଭାର ବନ୍ଦୋବସ୍ତ ସେ କରିପାରିବ କି ବୋଲି ମଧ୍ୟ ତାକୁ ପଚାରିଥିଲେ । ବନ୍‍ଓ୍ୱାରୀ ରାଜି ହୋଇଥିଲା ଓ ଗୋଟିଏ ସଭା ଡକାହେଲା, ଯେଉଁଠାରେ କି ରୋଶନ ଦିଦି ଦୁର୍ଭିକ୍ଷ-ସମ୍ପର୍କୀୟ ତ୍ରାଣ-କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଦିଆ ଯାଉଥିବା ମଜୁରି ବିଷୟରେ ସମସ୍ତଙ୍କୁ ବୁଝାଇ ଦେଇଥିଲେ । ଏବଂ, ନିଜ ଓଢ଼ଣିଗୁଡ଼ିକ ସାହାଯ୍ୟରେ ସ୍ୱୟଂ ମହିଳାମାନେ ମଧ୍ୟ ସେମାନେ ନିରକ୍ଷର ହେଲେ ମଧ୍ୟ ଖୋଳିଥିବା ଗାତଗୁଡ଼ିକର ଆୟତନଟିକୁ ସହଜରେ ମାପି ପାରନ୍ତେ ବୋଲି ବତାଇ ଦେଇଥିଲେ ।

 

ପରବର୍ତ୍ତୀ ସପ୍ତାହମାନଙ୍କରେ ମଧ୍ୟ ରୋଶନଦିଦି ବାରମ୍ବାର ସେହି ଗାଆଁକୁ ଆସିଥିଲେ ଓ ସେହି ମୁତାବକ ଅଧିକରୁ ଅଧିକ ମହିଳା ସଭାର ଆୟୋଜନ ବି କରାଉଥିଲେ । ଏସବୁ ସଭାରେ ବନ୍‍ଓ୍ୱାରୀ ଖୁବ୍ ଭଲ କରି ପାରୁଥିଲା ଓ ତାହା ରୋଶନଦିଦିଙ୍କୁ ବହୁତ ଭଲ ଲାଗୁଥିଲା ।

 

ବନ୍‍ଓ୍ୱାରୀ ଜଣେ ବାନ୍ଧବୀ (ସାଥିନ୍) ହିସାବରେ କାର୍ଯ୍ୟ କରିପାରିବ କି ନାହିଁ, ରୋଶନ ଦିଦି ଦିନେ ବନ୍‍ଓ୍ୱାରୀକୁ ପଚାରିଥିଲେ । ସିଏ ବୁଝାଇ କହିଥିଲେ ଯେ ସରକାର ମହିଳାମାନଙ୍କ ନିମନ୍ତେ ଗୋଟିଏ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଯେଉଁଥିରେ କି ଏହି ଜଣେ ସାଥିନ୍ ତା’ ଗାଆଁର ମହିଳାମାନଙ୍କୁ ଏକତ୍ର କରାଇବାର ଦାୟିତ୍ୱରେ ରହିବ । ମହିଳାମାନେ ଏକତ୍ର ହୋଇ ଅନ୍ୟାୟ ଏବଂ ସମାଜରେ ରହିଥିବା ମନ୍ଦଗୁଡ଼ିକର ବିରୁଦ୍ଧରେ ସଂଗ୍ରାମ କରି ପାରିବେ ।

 

ବନ୍‍ଓ୍ୱାରୀ କିଛି ବୁଝିପାରିଲା ନାହିଁ ଓ ନାହିଁ କରି ଦେଇଥିଲା । କାର୍ଯ୍ୟକ୍ରମଟିର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ତା’ସହିତ ଦେଖା କରିବାପାଇଁ ଥରେ ଗାଆଁକୁ ଆସିଥିଲେ । ବନ୍‍ଓ୍ୱାରୀର ମନରେ ଭୟ ଜାତ ହୋଇଥିଲା । ମାତ୍ର ନିର୍ଦ୍ଦେଶକ ତଥାପି ନିଜର ଉଦ୍ୟମଟିକୁ ଛାଡ଼ି ଦେଇ ନଥିଲେ । ସିଏ ଜୟପୁରରେ ସେମାନଙ୍କୁ ଯାଇ ଭେଟିବାଲାଗି ବନ୍‍ଓ୍ୱାରୀର ସ୍ୱାମୀକୁ ପ୍ରବର୍ତ୍ତାଇବାରେ ଲାଗିଲେ । ଦିନେ ଜୟପୁର ସହରରେ ନିକର ରିକ୍ସାଟି ଚଲାଉଥିବା ସମୟରେ ମୋହନ ଯାଇ ସେମାନଙ୍କ ସହିତ ସାକ୍ଷାତ ବି କରିଥିଲା । ସେଠାରେ ତା’ର ପୂରା ବିଶ୍ୱାସ ହୋଇ ଯାଇଥିଲା ଯେ, କାର୍ଯ୍ୟକ୍ରମଟିରେ ଯୋଗ ଦେଲେ ବନ୍‍ଓ୍ୱାରୀର ଆଦୌ କୌଣସି କ୍ଷତି ହେବନାହିଁ । ଏବଂ, ସିଏ ନିଜ ସ୍ତ୍ରୀକୁ ରାଜି କରାଇବାର ଦାୟିତ୍ୱ ଗ୍ରହଣ କରିନେଲା ।

 

ପ୍ରଥମେ ବନ୍‍ଓ୍ୱାରୀ ଜୟପୁର ନିକଟରେ ଥିବା ଗୋଟିଏ ଗ୍ରାମରେ ଚାଲୁଥିବା ଏକ ତିନିସପ୍ତାହର ସାଥିନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବନ୍‍ଓ୍ୱାରୀକୁ ଯୋଗ ଦେବାକୁ ପଡ଼ିଲା । ଏହି ପ୍ରଶିକ୍ଷଣଟିରେ ରାଜସ୍ଥାନର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ୱେଚ୍ଛାସେବୀ ସଂଗଠନ ଓ ନାରୀ କର୍ମୀମାନେ ଆସି ମହିଳାମାନଙ୍କ ମଧ୍ୟରେ ସାଂପ୍ରତିକ ସ୍ଥିତିଟି ବିଷୟରେ ଏକ ସଜ୍ଞାନତା ସୃଷ୍ଟି କରିବା ନିମନ୍ତେ ଚେଷ୍ଟା କରିଥିଲେ । ସେମାନେ ଏହି ବିଷୟରେ ସେମାନଙ୍କୁ ସଚେତନ କରାଇଥିଲେ ଯେ, ନାରୀମାନେ ସହୁଥିବା ଉତ୍ପୀଡ଼ନମାନ ଆଦୌ ଭଗବାନଙ୍କର ଇଚ୍ଛାରୁ ହେଉନାହିଁ ଏବଂ ସେଗୁଡ଼ିକୁ ଅବଶ୍ୟ ବନ୍ଦ କରାଯାଇ ପାରିବ । ନିଜର ସ୍ତରଟିରେ ଉନ୍ନତି ବିଧାନ କରାଇବାରେ ମହିଳାମାନେ ସର୍ବଦା ଏକାଧିକ ବିକଳ୍ପ ବାଛି ମଧ୍ୟ ନେଇ ପାରିବେ । କାର୍ଯ୍ୟକ୍ରମର ପ୍ରବକ୍ତାମାନେ ସ୍ୱାସ୍ଥ୍ୟ, ଶିଶୁପାଳନ, କନ୍ୟା ଶିଶୁର କ୍ଷେତ୍ରରେ କରା ଯାଉଥିବା ପାତରଅନ୍ତର ଏବଂ ଅନ୍ୟ ବହୁତ ବହୁତ ସାମାଜିକ ମୂଲ୍ୟବୋଧ ବିଷୟରେ ମଧ୍ୟ କେତେ କଥା କହିଥିଲେ ।

 

ପ୍ରଥମେ ପ୍ରଥମେ ସେଠାରେ ବନ୍‍ଓ୍ୱାରୀର ଘରକଥାମାନ ଖୁବ ମନେ ପଡ଼ୁଥିଲା । ବିଶେଷତଃ, ତା’ର ସ୍ୱାମୀ ନିଜର ସାନ ପିଲାମାନଙ୍କୁ ସାଙ୍ଗରେ ଧରି ତା ସହିତ ଦେଖା କରିବା ଲାଗି ଆସୁଥିବା ସମୟରେ । ସ୍ୱାମୀ ତାକୁ ବାରବାର ନିର୍ଭର ଦେଇ ଯାଉଥିଲା ଯେ, ବନ୍‍ଓ୍ୱାରୀ ଘରେ ନଥିଲେ ମଧ୍ୟ ସିଏ ଠିକ୍‍ ଭାବରେ ପିଲାମାନଙ୍କର ଦେଖାଚାହାଁ କରୁଛି ଏବଂ ତେଣୁ ତା’ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ଆଗ ଶେଷ କରି ତା’ପରେ ଯାଇ ଘରକୁ ଯିବା ଉଚିତ ।

 

ଗାଆଁକୁ ଆସିବାପରେ ବନ୍‍ଓ୍ୱାରୀ ମହିଳାମାନଙ୍କର ସଭାମାନ ଡାକିଲା । ରୋଶନଦିଦିଙ୍କର ପରାମର୍ଶକ୍ରମେ ସେ ସର୍ବପ୍ରଥମେ ରିଲିଫ କାର୍ଯ୍ୟରେ ମହିଳାମାନଙ୍କୁ ଦିଆ ଯାଉଥିବା ମଜୁରି ବିଷୟରେ ଆଲୋଚନା କରାଇଥିଲା । ମହିଳାମାନେ ଏକଜୁଟ ହେଲେ ଏବଂ ସେମାନଙ୍କ କାମର ତଦାରଖ କରୁଥିବା ଲୋକଟିର ସାମନା କରିଥିଲେ । ସେମାନଙ୍କର ଚାପ ଫଳରେ ସେହି ଲୋକଟି ମଧ୍ୟ ରାଜି ହୋଇ ଯାଇଥିଲା; ନିୟମ ଅନୁସାରେ ସେମାନଙ୍କୁ ମଜୁରି ଦିଆଯିବା ବିଷୟରେ ଅବଶ୍ୟ ଘୋର ଅସନ୍ତୋଷ ସହିତ ରାଜି ହୋଇଥିଲା ।

 

ଏହି ସଫଳତାଟି ଦ୍ୱାରା ଉତ୍ସାହିତ ହୋଇ ବନ୍‍ଓ୍ୱାରୀ ତା’ପରେ ଆଗରୁ ବାକି ପଡ଼ିଥିବା ସେମାନଙ୍କର ମଜୁରି ପାଇବାଲାଗି ଲଢ଼ିବାକୁ ନିଷ୍ପତ୍ତି ଗ୍ରହଣ କଲା । ସରପଞ୍ଚଙ୍କ ସହିତ କଥା ହେଲା, ଏବଂ ତା’ପରେ ରୋଶନଦିଦିଙ୍କୁ ସାଙ୍ଗରେ ନେଇ ନାଏବ ତହସିଲଦାରଙ୍କ ନିକଟକୁ ମଧ୍ୟ ଯାଇଥିଲା । ମାତ୍ର ତଦ୍ୱାରା କୌଣସି ଫଳ ଫଳିଲା ନାହିଁ । ତା’ପରେ ସିଏ ମହିଳାମାନଙ୍କୁ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାପାଇଁ ପରାମର୍ଶ ଦେଲା । ମହିଳାମାନେ କିଞ୍ଚିତ୍ କୁଣ୍ଠାର ସହିତ ସେଥିରେ ସମ୍ମତ ହେଲେ,–କାରଣ ଗ୍ରାମର ପୁରୁଷଲୋକମାନେ ସେମାନଙ୍କୁ ବହୁତ ବ୍ୟଙ୍ଗବିଦ୍ରୂପ କରିବାକୁ ଆରମ୍ଭ କରିଦେଇଥିଲେ । ବନ୍‍ଓ୍ୱାରୀର କହିବା ଅନୁସାରେ, ଧାରଣାର ସର୍ବପ୍ରଥମ ଦିନ ମହିଳାମାନେ ଧାରଣା ସ୍ଥାନରେ ଆପଣାର ସାଙ୍ଗରେ ଧରି ଯାଇଥିବା ରୁଟୀ ଓ ପିଆଜ ଖାଇ ଚୁପ୍ ହୋଇ ଘରକୁ ଚାଲି ଆସିଥିଲେ । କିନ୍ତୁ ବନ୍‍ଓ୍ୱାରୀ ଏତିକିରେ ଆଦୌ କ୍ଷାନ୍ତ ନହୋଇ ସଂଗ୍ରାମ ଚାଲୁ ରଖିବା ନିମନ୍ତେ ମହିଳାମାନଙ୍କୁ ଆହୁରି ଉତ୍ସାହ ଦେଇଥିଲା ଏବଂ, ପ୍ରାୟ ବର୍ଷକ ପରେ ସେମାନେ ନିଜନିଜର ପ୍ରାପ୍ୟ ମଜୁରି ପାଇବାରେ ସଫଳ ବି ହୋଇପାରିଲେ ।

 

ଏହିସବୁ ସଫଳତା ଫଳରେ ଗାଆଁର କେତେ ବ୍ୟକ୍ତି ସଂପୂର୍ଣ୍ଣ ଇଚ୍ଛା ନଥିଲେ ମଧ୍ୟ ବନ୍‍ଓ୍ୱାରୀକୁ ବେଶ୍ ଖାତିରି ସହିତ ଦେଖିବାକୁ ଆରମ୍ଭ କଲେ ଏବଂ, ଜାତି ବା ପାଟକ ନିର୍ବିଶେଷରେ ମହିଳାମାନଙ୍କ ତରଫରୁ ବନ୍‍ଓ୍ୱାରୀକୁ ବସ୍ତୁତଃ ଅଧିକ ସମର୍ଥନ ପ୍ରାପ୍ତ ହେଉ ବୋଲି ଚେଷ୍ଟା ମଧ୍ୟ କଲେ ।

 

ତା’ପର ବର୍ଷ ଗୁଡ଼ିକରେ ବନ୍‍ଓ୍ୱାରୀର ଜୀବନରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ରାଜସ୍ଥାନର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଅନ୍ୟ ବହୁସଂଖ୍ୟକ ସାଥିମାନଙ୍କ ପରି ଆଗରୁ ଯେଉଁମାନେ କି ଏକ ସାମନ୍ତବାଦୀ ଅତୀତ ମଧ୍ୟରେ ପୋତିହୋଇ ରହିଥିଲେ, ବନ୍‍ଓ୍ୱାରୀ କ୍ରମେ ଜଣେ ପରିବର୍ତ୍ତନ ଗୁଡ଼ିକୁ ସମ୍ଭବ କରି ଆଣି ପାରୁଥିବା ଜଣେ ନେତ୍ରୀରୂପେ ବିକଶିତ ହୋଇ ଆସୁଥିଲା । ବିଧବାମାନଙ୍କର ପ୍ରାପ୍ୟ ପେନ୍‍ସନ୍ ଓ ଗ୍ରାମର ଶାରୀରିକ ଅସମର୍ଥମାନଙ୍କର ପ୍ରାପ୍ୟ ଭତ୍ତାଗୁଡ଼ିକୁ ଆଦାୟ କରାଇ ଆଣିବା ସକାଶେ ସେ ଅକ୍ଳାନ୍ତ ପରିଶ୍ରମ କଲା । ସାଧାରଣ ବଣ୍ଟନବ୍ୟବସ୍ଥାରେ କରା ଯାଉଥିବା ଦୁର୍ନୀତି ବିରୋଧରେ ସଚେତନ ରହିବାଲାଗି ସେ ମହିଳାମାନଙ୍କୁ ସଂଗଠିତ କରି ଆଣିଲା । ନିଜର କନ୍ୟାଶିଶୁମାନଙ୍କୁ ବିଦ୍ୟାଳୟକୁ ପଠାଇବା ଲାଗି ଗ୍ରାମବାସୀମାନଙ୍କୁ ବାରମ୍ବାର ପ୍ରବର୍ତ୍ତାଉଥିଲା । ଗୋଟିଏ ବିରଳ ଆନ୍ଦୋଳନ ଆରମ୍ଭ କରି ବନ୍‍ଓ୍ୱାରୀ ଝିଅମାନେ ସାଇକେଲ୍ ବ୍ୟବହାର କରିବା ବିଷୟରେ ଗ୍ରାମରେ ରହି ଆସିଥିବା ସ୍ଥାନୀୟ ଅନ୍ଧ ବିଚାରଟିର ମଧ୍ୟ ସମ୍ମୁଖୀନ ହୋଇଥିଲା ।

 

ଏହାପରେ ସିଏ ଅଧିକ ଆୟାସକର କ୍ଷେତ୍ରଗୁଡ଼ିକୁ ମଧ୍ୟ ନିଜର ପ୍ରୟାସମାନଙ୍କୁ ପ୍ରସାରିତ କରି ନେଇଥିଲା । ପତିମାନଙ୍କର ଉତ୍ପୀଡ଼ନ ବିରୁଦ୍ଧରେ ପ୍ରତିବାଦ କରିବାଲାଗି ପତ୍ନୀମାନଙ୍କୁ ସଂଗଠିତ କଲା । ଗାଆଁର ମହିଳାମାନଙ୍କୁ ସାଙ୍ଗରେ ନେଇ ବନ୍‍ଓ୍ୱାରୀ କୌଣସି ଉତ୍ପୀଡ଼ନକାରୀ ସ୍ଵାମୀପାଖରେ ଯାଇ ପହଞ୍ଚୁଥିଲା ଏବଂ ସ୍ୱାମୀ ସ୍ତ୍ରୀ-ତାଡ଼ନା ପରିତ୍ୟାଗ କରିବାକୁ ରାଜି ନହେବା ପର୍ଯ୍ୟନ୍ତ ସେଠାରେ ସମସ୍ତେ ତାକୁ ଭର୍ତ୍ସନା କରୁଥିଲେ । ରୋଶନ ଦିଦି ଓ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କର ସହାୟତାରେ ସିଏ ପରିତ୍ୟକ୍ତା ପତ୍ନୀମାନଙ୍କ ନିମନ୍ତେ ଆଇନଗତ ଏବଂ ନୈତିକ ସମର୍ଥନମାନ ସଂଗଠିତ କରାଉଥିଲା । ପତ୍ନୀ ନାମରେ ହିଁ ଜମିଗୁଡ଼ିକର ସରକାରୀ ପଟ୍ଟା ଦିଆଯାଉ ବୋଲି ଦାବି କରି ଲଢ଼ାଇ କଲା । ଜନମତକୁ ଐକ୍ୟବଦ୍ଧ କରି ବାଲ୍ୟବିବାହ, ମୃତ୍ୟୁସଂସ୍କାର-କାଳୀନ ଆଡ଼ମ୍ବରପୂର୍ଣ୍ଣ ଭୋଜୀ ପ୍ରଭୃତି ରାଜସ୍ଥାନର ଗ୍ରାମଗୁଡ଼ିକରେ ସର୍ବତ୍ର ଆଚରିତ ହେଉଥିବା ସାମାଜିକ କ୍ଷତିକାରୀ ପ୍ରଥାଗୁଡ଼ିକ ବିରୁଦ୍ଧରେ ବି ସଂଗ୍ରାମ କରିଥିଲା । ଆଦୌ ଇଚ୍ଛୁକ ନଥିବା ମହିଳାମାନଙ୍କ ଉପରେ ବିବାହ ବାହାରେ ଦ୍ୱିତୀୟ ବା ତୃତୀୟ ସମ୍ବନ୍ଧଗୁଡ଼ିକୁ ଆଣି ଲଦିଦେବା ବିରୁଦ୍ଧରେ ଲଢ଼ିଥିଲା–ମହିଳାମାନଙ୍କର ପରିବାରମାନେ ତାହାର ବିଚାର କରନ୍ତୁ ବୋଲି ନିବେଦନ କରିଥିଲା ।

 

ବନ୍‍ଓ୍ୱାରୀର ଅନୁଭବଟି ରାଜସ୍ଥାନ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସାଥିନ୍‍ମାନଙ୍କର ଅନୁଭବଠାରୁ ଆଦୌ ଭିନ୍ନ ନଥିଲା । ଏହି ଅସାଧାରଣ କାର୍ଯ୍ୟକ୍ରମଟି କ୍ରମେ ଜାତୀୟ ତଥା ଆନ୍ତର୍ଜାତୀୟ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲା । ଏବଂ, ରାଜସ୍ଥାନର ସାମନ୍ତବାଦୀ ପଛୁଆ ଅଞ୍ଚଳମାନଙ୍କରେ ଶହ ଶହ ବର୍ଷ ମୂକ ହୋଇ ରହିବାପରେ ମହିଳାମାନେ କିପରି ଏଣିକି ମୁହଁ ଖୋଲି ପାରୁଛନ୍ତି, ସେକଥା ଦେଖି ବାହାରର ଦର୍ଶକମାନେ ବଡ଼ ବିସ୍ମିତ ହୋଇ ଯାଉଥିଲେ । ଏବଂ, ସରକାରୀ ହସ୍ତକ୍ଷେପ ଦ୍ୱାରା ତାହା ସମ୍ଭବ ହୋଇ ପାରୁଥିଲା । ଗାଆଁର ସ୍ତ୍ରୀଲୋକମାନେ କିପରି ସାଥିନ୍‍ମାନଙ୍କର ନେତୃତ୍ୱରେ ଏକାଠି ହୋଇ ସମାଜର ଶୃଙ୍ଖଳଗୁଡ଼ିକୁ ଛିଡ଼ାଇ ଦେବାକୁ ଓ ଉତ୍ପୀଡ଼ନ ତଥା ସମାଜରେ ରହିଥିବା ମନ୍ଦ ଆଚାରଗୁଡ଼ିକ ସହିତ ଲଢ଼ିବାପାଇଁ ବାହାରି ଆସୁଥିଲେ, ସେହି ବିଷୟରେ ଅଗଣିତ କାହାଣୀମାନ ପ୍ରଚାର ମାଧ୍ୟମରେ ସମସ୍ତେ ଜାଣିବାକୁ ପାଇଲେ । ଚତୁର୍ଦ୍ଦିଗରୁ ଏହି ସଫଳତାଜନିତ ପ୍ରଶଂସାଗୁଡ଼ିକ ଦ୍ୱାରା ହୃଷ୍ଟ ହୋଇପଡ଼ିବାରୁ ଏହାହିଁ ସରକାରଙ୍କ ପାଇଁ ମଧ୍ୟ ଏକ ସବୁଠାରୁ ଅଧିକ ସମ୍ମାନଜନକ କାର୍ଯ୍ୟକ୍ରମରେ କ୍ରମେ ପରିଣତ ହୋଇ ଯାଇଥିଲା-। ଏହି କାର୍ଯ୍ୟକ୍ରମଟି ସର୍ବଦା କଲେକ୍ଟର୍‍ମାନଙ୍କର କର୍ମସୂଚୀରେ ସବାଉପରେ ଯାଇ ରହିଲା-। ଅବଶ୍ୟ, ଏପରି କେତେ ଲୋକ ମଧ୍ୟ ରହିଥିଲେ, ଯେଉଁମାନେ କି ପର୍ଦ୍ଦା ପଛରେ ରହି ଏଇଟି ବିଷୟରେ ସେମାନଙ୍କର ଆପତ୍ତିଗୁଡ଼ିକୁ ପ୍ରକଟ କରୁଥିଲେ,–‘ଏହି କାର୍ଯ୍ୟକ୍ରମଟି ଘର ଏବଂ ପରିବାରଗୁଡ଼ିକୁ ଭାଙ୍ଗିଦେବା ବ୍ୟତୀତ ଆଉ କିଛି ହେଲେ କରୁନାହିଁ’ ବୋଲି ମନ୍ତବ୍ୟମାନ ଦେଉଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅବଶ୍ୟ କେତେ ଆଗକୁ ବଢ଼ିଯାଇ, ‘ସାଥିନମାନେ ଯାହା କହୁଛନ୍ତି, ତାହାକୁ ମୁଖ୍ୟମନ୍ତ୍ରୀଙ୍କର କଥା ବୋଲି ମଧ୍ୟ ଗ୍ରହଣ କରାଯାଇପାରେ’ ବୋଲି ଘୋଷଣା କରିଦେଇଥିଲେ ।

 

ନାତ୍ର, ନାରୀ-ସଶସ୍ତୀକରଣ ସମ୍ବନ୍ଧରେ ସରକାରଙ୍କର ଏହି ଖାସ୍ କାର୍ଯ୍ୟକ୍ରମଟି ପଛରେ ସମାଜର ସମର୍ଥନ ଯେ ପ୍ରକୃତରେ କେତେ ଅଳ୍ପ ବଳଯୁକ୍ତ ଏବଂ ସୀମିତ ହୋଇ ରହିଥିଲା, ପରବର୍ତ୍ତୀ ଘଟଣାଗୁଡ଼ିକରୁ ତାହାର ପ୍ରମାଣ ମିଳିଲା । ଭଟେରୀର ଜଣେ ମହିଳାଙ୍କ ଉପରେ ପରିଣାମତଃ ଅତ୍ୟନ୍ତ ଲଜ୍ଜାକର ଭାବରେ ଯେଉଁ ଆଚରଣ କରାଗଲା, ତାହାହିଁ ସବୁ ଦର୍ଶାଇ ଦେଇଥିଲା । ଏବଂ, ସେହି ଭଟେରୀ ହିଁ ତ ସାମାଜିକ ପରିବର୍ତ୍ତନର ଏକ ସମଗ୍ର ପ୍ରକ୍ରିୟାକୁ ସର୍ବପ୍ରଥମେ ପ୍ରଜ୍ଜ୍ୱଳିତ କରି ଆଣିଥିଲା ।

 

ପ୍ରତିବର୍ଷ ରାଜସ୍ଥାନରେ ‘ଆଖା ତୀଜ୍’ ପର୍ବଟି ପାଳିତ ହେଉଥିବା ସମୟରେ ହଜାର ହଜାର ଶିଶୁ ଏବଂ ସାନ ପିଲାଙ୍କୁ ଏକାଠି କରାଇ ବିବାହବନ୍ଧନରେ ବାନ୍ଧି ଦିଆ ଯାଉଥିଲା । ସେହି ଅପରିଣତ ବୟସରେ ସେମାନେ ସେହି ବନ୍ଧନଟିର କୌଣସି ତାତ୍ପର୍ଯ୍ୟକୁ ହିଁ ବୁଝୁନଥିଲେ । ୧୯୯୨ ମସିହାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ପ୍ରଥାର ବିରୋଧ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ଜଣାଇଥିଲେ ଏବଂ ରାଜ୍ୟର ମୁଖ୍ୟ ସଚିବ ବାଲ୍ୟବିବାହର ଏହି ପ୍ରଥାଟିକୁ ସଫଳ ଭାବରେ ବନ୍ଦ କରିବା ନିମନ୍ତେ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ବନ୍‍ଓ୍ୱାରୀ ସଂବାଦ ପାଇଥିଲା ଯେ ବହୁସଂଖ୍ୟକ ପ୍ରଭାବଶାଳୀ ଗୁଜ୍ଜର ପରିବାର ସାନପିଲାଙ୍କର ଏହି ବିବାହ ପ୍ରଥାକୁ ତଥାପି ଚାଲୁ ରଖିବା ନିମନ୍ତେ ବଦ୍ଧପରିକର ଥିଲେ । (ତା’ ନିଜ ଗାଆଁରେ ଏହି ଗୁଜ୍ଜର ଜାତିଟା ହିଁ ସର୍ବାଧିକ ପ୍ରଭାବଶାଳୀ ଥିଲା ଏବଂ ସେମାନଙ୍କର ସଂଖ୍ୟା ମଧ୍ୟ ଗ୍ରାମର ମୋଟ ଲୋକସଂଖ୍ୟାର ଅଧେ ଥିଲା ।) ସେମାନଙ୍କ ଭିତରେ ରାମକରଣ ଗୁଜ୍ଜର୍ ନାମରେ ଜଣେ ବ୍ୟକ୍ତି ମଧ୍ୟ ଥିଲା । ରାମକରଣ ସେବର୍ଷ ତା’ର ବରଷକରୁ ବି ସାନ ଝିଅର ବିବାହ ଦେବାକୁ ପ୍ରତିଜ୍ଞାବଦ୍ଧ ହୋଇ ରହିଥିଲା । ସାଥିନ୍ ବନ୍‍ଓ୍ୱାରୀ ତାକୁ କେତେପ୍ରକାରେ ବୁଝାଇଲା, କିନ୍ତୁ ରାମକରଣ ଅଟଳ ହୋଇ ରହିଲା । ବନ୍‍ଓ୍ୱାରୀ ଏକଥା ମଧ୍ୟ କହିଥିଲା ଯେ, ଯଦି ଟଙ୍କା ପାଇଁ ଅଗତ୍ୟା ଏପରି କରିବା ଆବଶ୍ୟକ ହେଉଥାଏ, ତେବେ ରାମକରଣ ସେହି ଟଙ୍କାକୁ କୌଣସି ବ୍ୟାଙ୍କରେ ମଧ୍ୟ ରଖିଦେଇ ପାରିବ ଏବଂ ଏହି ସାନ ଝିଅଟି ବିବାହଯୋଗ୍ୟା ହେଲାବେଳକୁ ସେହି ଟଙ୍କା କେତେ ନା କେତେ ଅଧିକ ହୋଇ ଯାଇଥିବ । କିନ୍ତୁ ରାମକରଣ ତଥାପି ସେହିପରି ଅମଙ୍ଗ ହୋଇ ରହିଥାଏ,–କାରଣ ଇଏ ହେଉଛି ସମ୍ମାନର ଏକ ପ୍ରଶ୍ନ,–ମୁଛ୍‍କା ସୱ୍ୱାଲ୍ ହୈ’ ।

 

ରାମକରଣ ଗୁଜ୍ଜରକୁ ରାଜି କରାଇବା ପାଇଁ ତା’ପରେ ବନ୍‍ଓ୍ୱାରୀ ରୋଶନ୍‍ଦିଦିଙ୍କର ସାହାଯ୍ୟ ଲୋଡ଼ିଲା, ମାତ୍ର ରୋଶନ୍‍ଦିଦି ମଧ୍ୟ ବିଫଳ ହୋଇଥିଲେ । ଶେଷରେ, ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ୍‌ବାହିନୀ ଆସିଲେ ଏବଂ ବିବାହଟିକୁ ବନ୍ଦ କରାଇଲେ । କିନ୍ତୁ, ବିବାହ ତେବେ ସୁଦ୍ଧା ହେଲା,–ଗୁପ୍ତ ଭାବରେ ହୋଇଗଲା,–ତହିଁ ଆରଦିନ ସକାଳେ ହୋଇ ଯାଇଥିଲା ଏବଂ ତା ପରେ ପରିବାର ବିରୁଦ୍ଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ କଲାନାହିଁ । କିନ୍ତୁ, ଗୁଜ୍ଜଡ୍‍ମାନଙ୍କର ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, ବନ୍‍ଓ୍ୱାରୀ ସକାଶେ ହିଁ ପୋଲିସ୍‌ବାହିନୀ ଗାଆଁକୁ ଆସି ପାରିଥିଲେ ।

 

ତେଣୁ, ସେମାନେ ବନ୍‍ଓ୍ୱାରୀକୁ ସେଥିପାଇଁ ଏକ ଉପଯୁକ୍ତ ଶିକ୍ଷା ଦେବାପାଇଁ ତିଆର ହୋଇଗଲେ । ସର୍ବପ୍ରଥମ ଶାସ୍ତି ରୂପେ ଗୁଜ୍ଜଡ୍‍ମାନେ ତାକୁ ସମାଜରୁ ବାସନ୍ଦ କରିଦେଲେ । ସେହି ବାସନ୍ଦ ବର୍ତ୍ତମାନ ମଧ୍ୟ ରହିଛି । ସେମାନେ ତା’ଠାରୁ ହାଣ୍ଡି ମାଠିଆ ଆଦୌ କିଛି କିଣିବେନାହିଁ ବୋଲି ସଂକଳ୍ପ କଲେ । ତା’ ପରିବାରକୁ ଗୋରସ ବିକ୍ରୀ ବନ୍ଦ କରିଦେଲେ । ସେମାନଙ୍କର ଜମି ଉପରେ ଥିବା ଗୋଟିଏ ଗଛକୁ କାଟି ନିଆଗଲା, ସେମାନଙ୍କର ଫସଲକୁ ମଧ୍ୟ ଜବରଦସ୍ତି କାଟି ନିଆଯାଇଥିଲା । ପରିବାରଟିକୁ କେତେ ପ୍ରକାରେ ଧମକ ଦିଆଗଲା, ଘରେ ପଶି ତା’ ସ୍ୱାମୀକୁ ଆକ୍ରମଣ କରାଗଲା । ବନ୍‍ଓ୍ୱାରୀକୁ ନିରାପଦ ରଖିବା ନିମନ୍ତେ ତା’ ସ୍ୱାମୀ ଜୟପୁରରେ ରିକ୍ସା ଚଲାଇବା ବି ବନ୍ଦ କରିଦେଇଥିଲା । ସବୁବେଳେ ଅନିଶ୍ଚିତ ଆଶଙ୍କାରେ ରହିବାକୁ ହେଲା ଓ ଆର୍ଥିକ ଦୃଷ୍ଟିରୁ ମଧ୍ୟ ବହୁତ କଷ୍ଟର ସାମନା କରିବାକୁ ପଡ଼ିଥିଲା ।

 

ଅସଲ ସଙ୍କଟଟି ଯାଇ ୧୯୯୨ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ଆସି ପହଞ୍ଚିଲା । ନିଜେ ବନ୍‍ଓ୍ୱାରୀ କହିବ ଯେ, ଦିନେ ସନ୍ଧ୍ୟା ସମୟରେ ସେମାନେ କ୍ଷେତରେ କାମ କରୁଥିବା ସମୟରେ ରାମକରଣ ଗୁଜ୍ଜଡ୍ ସହିତ ପାଞ୍ଚଜଣ ଲୋକ ହାତରେ ଲାଠି ଧରି ମୋହନ ଉପରେ ଆସି ଆକ୍ରମଣ କଲେ । ପାଖରେ ଥିବା ଆଉ ଗୋଟିଏ ବିଲରେ ସିଏ ସେତେବେଳେ ଟିକିଏ ବିଶ୍ରାମ କରୁଥିଲା । ମୋହନ ପ୍ରତିରୋଧ କଲା ସତ, ତଥାପି ଦୁଇଜଣ ଲୋକ ତାକୁ ମାଡ଼ି ବସିଲେ । ଆଉଜଣେ ବନ୍‍ଓ୍ୱାରୀକୁ କାବୁ କରି ଧରିଲା ଓ ଅନ୍ୟ ଦୁଇଜଣ ଜଣକ ପରେ ଜଣେ ତାକୁ ଧର୍ଷଣ କରିଥିଲେ ।

 

ଅତ୍ୟନ୍ତ ଆତଙ୍କିତ ଏବଂ କ୍ଷତବିକ୍ଷତ ଭାବରେ ମୋହନ ଓ ବନ୍‍ଓ୍ୱାରୀ ଯେକୌଣସି ପ୍ରକାରେ ଘୁଷୁରି ଘୁଷୁରି ନିଜ ଘରେ ଆସି ପହଞ୍ଚିଥିଲେ । ବନ୍‍ଓ୍ୱାରୀ ଆଗରୁ ଅନୁରୂପ ତାଲୀମ ପାଇଥିବାରୁ ସିଏ ଖୁବ୍ ଉତ୍ତମରୂପେ ଜାଣିଥିଲା ଯେ ବର୍ତ୍ତମାନ ପିନ୍ଧିଥିବା ଲୁଗାଟାକୁ ଧୋଇବା କିମ୍ବା ବଦଳାଇବା ଆଦୌ ଉଚିତ ହେବନାହିଁ । କାରଣ ତା’ହେଲେ ଆଉ ସାକ୍ଷ୍ୟପ୍ରମାଣ କିଛି ରହିବନାହିଁ-। ଅଧିକ କାଳବିଳମ୍ବ ନକରି ସେ ଏକ ମକଦ୍ଦମା ଦାଏର୍ କରିବାପାଇଁ ଇଚ୍ଛା କରୁଥିଲା । ସହାୟତା କାମନା କରି ସେ ଦୁଇଟି ବ୍ରାହ୍ମଣ ପରିବାର ନିକଟକୁ ଯାଇଥିଲା,–କାରଣ ଏମାନେ ଆଗରୁ ତା’ପ୍ରତି ଅତ୍ୟନ୍ତ ସହାନୁଭୂତିସମ୍ପନ୍ନ ହୋଇ ରହି ଆସିଥିଲେ । ମାତ୍ର ସେମାନେ ତାକୁ ଲେଉଟାଇ ଦେଲେ-। ଗାଆଁରେ ତା’ର ଅନ୍ୟ ସମର୍ଥକମାନେ ମଧ୍ୟ ସେହିଭଳି ଆଚରଣ ଦେଖାଇଲେ । ଗାଆଁରୁ ଶେଷ ବସ୍ ଆସି ଚାଲି ଯାଇଥାଏ, ତେଣୁ କେବଳ ତହିଁ ଆରଦିନ ସକାଳେ ଯାଇ ସେମାନେ ଥାନାକୁ ଯାଇ ପାରିଥିଲେ ।

 

ସେଠାରେ ମଧ୍ୟ ତା’ର ଅଭିଯୋଗଟିକୁ ଖାତାରେ ଲେଖିନେବା ପୂର୍ବରୁ ସମସ୍ତେ ସେମାନଙ୍କ ପ୍ରତି ଶତ୍ରୁଭାବ ଦେଖାଇଲେ, ବହୁତ ସନ୍ଦେହ କରିଥିଲେ ଓ ବିଦ୍ରୂପ କରି କେତେ କଥା କହିଲେ । ଜଣେ ପ୍ରକଳ୍ପ ଅଧିକାରୀଙ୍କର ହସ୍ତକ୍ଷେପ ହେବାପରେ ଯାଇ ପୋଲିସ୍‌ ନିଜର କର୍ତ୍ତବ୍ୟ କରିବା ପାଇଁ ରାଜି ହେଲା । ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଏକମାତ୍ର ଡାକ୍ତର ଜଣେ ପୁରୁଷ ଥିଲେ ଓ ବନ୍‍ଓ୍ୱାରୀର ପରୀକ୍ଷା କରିବା ସକାଶେ ସେ ମୋଟେ ରାଜି ହୋଇ ନଥିଲେ । ତେଣୁ, ବନ୍‍ଓ୍ୱାରୀକୁ ଜୟପୁର ଯିବାକୁ ମଧ୍ୟ ପଡ଼ିଥିଲା । ମାତ୍ର, ସେଠାରେ ମଧ୍ୟ ଡାକ୍ତର ଦେଇଥିବା ପ୍ରମାଣପତ୍ରରେ ଧର୍ଷଣ ହୋଇଛି ବୋଲି କୌଣସି ଉଲ୍ଲେଖ ନଥିଲା,–କେବଳ ଅଭିଯୋଗକାରିଣୀର ବୟସଟିକୁ ନିର୍ଣ୍ଣୟ କରିବାପାଇଁ ଏକ ପରୀକ୍ଷା ନିଆ ଯାଇଥିଲା ।

 

ଜୟପୁରରେ ମଧ୍ୟ ତାକୁ ପରୀକ୍ଷା କରିବାକୁ ମନା କରିଦେଇ କହିଥିଲେ ଯେ ମାଜିଷ୍ଟ୍ରେଟ୍‍ଙ୍କଠାରୁ ନିର୍ଦ୍ଦେଶପତ୍ର ନପାଇଲେ ସେ କିଛି କରିପାରିବେ ନାହିଁ । ସେତେବେଳେ ସଂଜ ହୋଇ ଯାଇଥିଲା, ତେଣୁ, ମାଜିଷ୍ଟ୍ରେଟ୍‍ଙ୍କ ଘରକୁ ଗଲେ ଯାଇ ତାଙ୍କର ଭେଟ ମିଳିପାରିବ; ମାଜିଷ୍ଟ୍ରେଟ୍ ବି କହିଲେ ଯେ ଘରୁ ସିଏ ସେପରି କୌଣସି ଆଦେଶ ଦେଇ ପାରିବେନାହିଁ ଓ ଯାହାଦେବେ ଅଫିସ୍ ହିଁ ଦେବେ । ପୋଲିସ୍ ସେମାନଙ୍କୁ ରାତିରେ ଜନାନା ଥାନାରେ ନେଇ ରଖିଲା । ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଭାବରେ ମନେ ପକାଇ ବନ୍‍ଓ୍ୱାରୀ କହୁଥିଲା ଯେ, ମହିଳା କନେଷ୍ଟବଲ୍‍ମାନେ ମଧ୍ୟ ତାକୁ ରାତିଯାକ ବହୁତ ପ୍ରକାରେ ଚିଡ଼ାଇବାରେ ହିଁ ଲାଗିଥିଲେ । ତହିଁ ଆରଦିନ ଜଣେ ଉଚ୍ଚତର ପାହ୍ୟାର ମହିଳା ପୋଲିସ୍ ଅଫିସର ମଧ୍ୟ ଯେଉଁଭଳି ଆଚରଣ କଲେ, ତାହା କୌଣସି ପ୍ରକାରେ ଭିନ୍ନ ନଥିଲା ।

 

ଏହି ବ୍ୟାପାରଟିରେ ମହିଳା ବିକାଶ କାର୍ଯ୍ୟକ୍ରମର ଅତିରିକ୍ତ ନିର୍ଦ୍ଦେଶକ,–ଜଣେ ଅଳ୍ପବୟସ୍କା ଅଥଚ ଘଟଣାଟିର ଗୁରୁତ୍ୱ ବୁଝି ପାରୁଥିବା ଆଇ.ଏ.ଏସ୍ ଅଫିସର ଆସି ଦୃଢ଼ ହସ୍ତକ୍ଷେପ କରିଥିଲେ ଓ ଜଣେ ମହିଳା ସ୍ଵେଚ୍ଛାସେବୀ ମଧ୍ୟ ତାଙ୍କ ସହିତ ଆସି ଯୋଗ ଦେଇଥିଲେ, ଏବଂ ସେମାନଙ୍କର ଚାପ ଓ ଉଦ୍ୟମ ଯୋଗୁଁ ତହିଁ ଆରଦିନ ସକାଳେ ପୂରା ଡାକ୍ତର-ମାଇନା ପ୍ରକୃତରେ ହୋଇ ପାରିଥିଲା, ଘଟଣାଟି ଘଟିଥିବାର ଦୀର୍ଘ ଅଡ଼ଚାଳିଶି ଘଣ୍ଟା ବିତିଯିବା ପରେ । ସ୍ଵୟଂ ମାଜିଷ୍ଟ୍ରେଟ୍ ଶେଷରେ କେବଳ ଏକ ‘ସାଧାରଣ ମାଇନା’ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଛାପା ଫର୍ମଟିରୁ ଧର୍ଷଣ ଶବ୍ଦଟିକୁ କାଟି ଦେଇଥିଲେ । ତଥାପି ପ୍ରକୃତରେ ଧର୍ଷଣ ହୋଇଛି ବୋଲି ଆବଶ୍ୟକ ପ୍ରମାଣ ମିଳିଥିଲା ଏବଂ, ବନ୍‍ଓ୍ୱାରୀର ହାତ ଓ ଗୋଡ଼ଗୁଡ଼ିକରେ ମଧ୍ୟ ଆଘାତଜନିତ କ୍ଷତ ରହିଥିଲା ବୋଲି ବିବରଣୀଟିରୁ ସମର୍ଥକ ତଥ୍ୟ ମଧ୍ୟ ପ୍ରାପ୍ତ ହୋଇ ଯାଇଥିଲା ।

 

ଏହିପରି ବନ୍‍ଓ୍ୱାରୀ ଓ ମୋହନକୁ ପୁଣି ଥାନାକୁ ପଠାଇ ଦିଆ ଯାଇଥିଲା । ସେମାନେ ସେଠାରେ ପହଞ୍ଚିଲା ବେଳକୁ ଅଧରାତି ହୋଇ ଯାଇଥାଏ । ଥାନାରେ ଥିବା ସିପାହୀ ବନ୍‍ଓ୍ୱାରୀକୁ ମୋହନ ସହିତ ଗାଆଁକୁ ଚାଲିଯିବା ପାଇଁ କହିଥିଲା; ହଁ, ନିଜର ଲହଙ୍ଗାଟିକୁ ସେ ସେଇଠି ଥାନାରେ ହିଁ ଛାଡ଼ିଦେଇ ଯିବ,–କାରଣ ପ୍ରମାଣ ହିସାବରେ ସେଇଟି ପରେ ଆବଶ୍ୟକ ହେବ । ରାତିଟା ସେହି ଥାନାରେ ରହିଯିବାକୁ ସେମାନେ ଯେତେ ‘ନେହୁରା’ ହୋଇ କହିଥିଲେ ମଧ୍ୟ ସେଥିରେ କେହି କର୍ଣ୍ଣପାତ ହିଁ କଲେନାହିଁ । ଆପଣାର ନଙ୍ଗଳା ଦେହଟାକୁ ଲୁଚାଇବା ନିମନ୍ତେ ବନ୍‍ଓ୍ୱାରୀ ତା’ ସ୍ୱାମୀର ରକ୍ତରେ ଜୁଡୁବୁଡୁ ହୋଇଥିବା ସାଆଫାଟିକୁ ନେଇ ନିଜ ଦେହରେ ଗୁଡ଼ାଇ ହୋଇଥିଲା, ଥାନାରେ ଲହଙ୍ଗାଟିକୁ ଜିମା ଦେଲା ଏବଂ ତା’–ପରେ ବିଚରା ଦୁହେଁଯାକ କ୍ଳାନ୍ତଶ୍ରାନ୍ତ ଭାବରେ ଦୀର୍ଘ ପଥଟିକୁ ଅତିକ୍ରମ କରି ଗାଆଁକୁ ବାହାରିଲେ । ଦୁଇ ତିନି କିଲୋମିଟର୍ ପରେ ଗୋଟିଏ ଟ୍ରକ୍ ଅଟକି ସେମାନଙ୍କୁ ବସାଇନେଲା ଓ ସେମାନଙ୍କ ଗାଆଁ ପାଖରେ ଏକ ଜାଗାରେ ଓହ୍ଲାଇଦେଇ ଯାଇଥିଲା ।

 

ସେମାନେ ଘରଭିତରେ ପଶିବା ବେଳକୁ ଭୋର ହୋଇ ଆସୁଥିଲା । ପିଲାମାନେ ସେତେବେଳ ଯାଏ କିଛି ଖାଇନଥାନ୍ତି ଓ ତେଣୁ ଅଧୀର ଭାବରେ କାନ୍ଦିବାରେ ଲାଗିଥାନ୍ତି । ମଇଁଷିଟା ବି ହମ୍ବା ହମ୍ବା ଡାକ ଛାଡ଼ିଥାଏ, କାରଣ ଗତ ଦୁଇଦିନ ହେଲା ଦୁହାଁ ହୋଇ ନଥାଏ । ଏସବୁ ଦେଖି ବନ୍‍ଓ୍ୱାରୀ ଆଉ ଆଦୌ ଧୈର୍ଯ୍ୟ ଧରି ରହି ପାରିଲା ନାହିଁ ।

 

ତହିଁ ଆରଦିନ ସକାଳେ ମହିଳା ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶକଙ୍କୁ ସାଙ୍ଗରେ ଧରି ପୁଲିସ୍ ବିଭାଗର ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ଆସି ଅଧିକ ଅନୁସନ୍ଧାନ ନିମନ୍ତେ ସେହି ଗାଆଁରେ ଆସି ପହଞ୍ଚିଥିଲେ । ସିଏ ଏପରି ହାବଭାବ ଦେଖାଇଲେ ଓ ଏପରି ସ୍ୱରରେ କଥା କହୁଥିଲେ, ପରବର୍ତ୍ତୀ ଦୀର୍ଘ ମାସମାନଙ୍କରେ ଆହୁରି ଅନେକଙ୍କଠାରୁ ମଧ୍ୟ ବନ୍‍ଓ୍ୱାରୀ ବାରମ୍ବାର ଠିକ୍ ସେହିଭଳି ଦୃଷ୍ଟାନ୍ତମାନ ହିଁ ଦେଖିବାକୁ ପାଇଥିଲା,–ବଡ଼ ଅପମାନଜନକ, ସଂପୂର୍ଣ୍ଣ ଭାବରେ ଅସମ୍ମାନଜନକ,–ସତେଯେପରି ଏହି ବନ୍‍ଓ୍ୱାରୀ ଗୋଟାଏ ଅସତଚରିତ୍ରା ନାରୀ ହିଁ ଥିଲା,–ସିଏ ହିଁ ସତେଅବା ନିଜେ ଅପରାଧ କରିଥିଲା ଓ ଏକ ବୀଭତ୍ସ ଅପରାଧର ଶିକାର ହୋଇନଥିଲା । ଗଙ୍ଗାଜଳ ସ୍ପର୍ଶ କରି ମଧ୍ୟ ତାକୁ ଧର୍ଷଣ କରାଯାଇଛି ବୋଲି ସିଏ କହିପାରିବ ବୋଲି ଯେତେବେଳେ ହାକିମଙ୍କ ଆଗରେ କହିଲା, ସେତେବେଳେ, ଏଥିରେ ଗଙ୍ଗାଜଳ ହିଁ ଅଶୁଦ୍ଧ ହୋଇଯିବ’ ବୋଲି ହାକିମ ଉତ୍ତର ଦେଇଥିଲେ । ତା’ର ଅଭିଯୋଗମାନ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ହାକିମ କହିବାକୁ ଇଚ୍ଛା କରୁଥିଲେ ।

 

ଏହାର ପରବର୍ତ୍ତୀ ସପ୍ତାହ ଏବଂ ମାସ ଗୁଡ଼ିକରେ ଦେଶଯାକର ସାଥିନ୍ ଓ ମହିଳାଗୋଷ୍ଠୀ ସମୂହ ବନ୍‍ଓ୍ୱାରୀକୁ ଅବଶ୍ୟ ନ୍ୟାୟ ମିଳୁ ବୋଲି ଲଗାତର ଅଭିଯାନଟିଏ ଚଳାଇଥିଲେ । ମାସକ ପରେ ଜୟପୁର ସହରରେ ଗ୍ରାମୀଣ ମହିଳାମାନଙ୍କର ଗୋଟିଏ ବୃହତ୍ ସମାବେଶ ଉପରେ ପୋଲିସ୍ ଲାଠିଚାଳନା କରିଥିଲା । ସେଠାରେ ବକ୍ତାପରେ ବକ୍ତ । ଅତ୍ୟନ୍ତ ବ୍ୟଥିତ ଭାବରେ ଏହି ଗୋଟିଏ କଥା ହିଁ କହିଥିଲେ : ଧର୍ଷଣର ଶିକାର ହୋଇଥିବା ଜଣେ ମହିଳା କାହିଁକି ନିଜକୁ ଉତ୍ତମ ଚରିତ୍ରର ବୋଲି ପ୍ରମାଣ କରିବାକୁ ବାଧ୍ୟ ହେବ ? ଯେତେବେଳେ ଭଗବାନ ରାମଙ୍କର ସନ୍ଦେହ ଜାତ ହେଲା, ସେତେବେଳେ ତ ସୀତା ଭୂଗର୍ଭ ଭିତରେ ପ୍ରବେଶ କରିବାକୁ ଇଚ୍ଛା କରିଥିଲେ । ତେବେ, ସୀତାଙ୍କ ସମୟର ଏହି ବନ୍‍ଓ୍ୱାରୀ ପର୍ଯ୍ୟନ୍ତ ଆମ ଦେଶରେ କ’ଣ କିଛି ହେଲେ ପରିବର୍ତ୍ତନ ହୋଇ ପାରିନାହିଁ ।

 

ସରକାର ଶେଷକୁ କ୍ରମବର୍ଦ୍ଧିଷ୍ଣୁ ଜନପ୍ରତିବାଦ ତଥା ସମ୍ବାଦପତ୍ରର ଆକ୍ରମଣ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ; ମକଦ୍ଦମାଟିକୁ ସ୍ଥାନୀୟ ପୋଲିସ୍ ହାତରୁ ନେଇ ଅପରାଧ ବିଭାଗର ଗୋଇନ୍ଦା ଓ ଶେଷକୁ ସି.ବି.ଆଇ. ହାତରେ ନେଇ ଦିଆଗଲା ।

ବନ୍‍ଓ୍ୱାରୀ ଓ ମୋହନଙ୍କୁ ଆହୁରି ଦୀର୍ଘକାଳ ଅନେକ ଦୁର୍ଦ୍ଦଶା ଭୋଗ କରିବାକୁ ତଥାପି ବାକି ଥିଲା । ଗାଆଁରେ ସେମାନଙ୍କ ପ୍ରତି କରାଯାଇଥିବା ସାମାଜିକ ବାଛନ୍ଦ ନିଜ ଜାତି ସମେତ ଅନ୍ୟ ପାଟକମାନଙ୍କ ମଧ୍ୟକୁ ପ୍ରସାରିତ ହୋଇଯାଇଥିଲା । ସେମାନଙ୍କ ସହିତ କୌଣସି ଆର୍ଥିକ କାରବାର ହେବନାହିଁ ବା ସାମାଜିକ ଜୀବନରେ ବି କୌଣସି ପାରସ୍ପରିକ ସମ୍ପର୍କ ରହିବନାହିଁ । ଅନୁସନ୍ଧାନମାନେ ଲାଗି ରହିଥାନ୍ତି ଏବଂ, ସେହି ଯାବତ ଅପମାନ, ବିଦ୍ରୂପ ଅବ୍ୟାହତ ରହିଥାଏ,–ରକ୍ତ ଓ ଧାତୁ ପରୀକ୍ଷା ମଧ୍ୟ ଚାଲିଥାଏ ।

ନିଜ ଗାଆଁରେ ଏହିପରି ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ଏବଂ ପରିତ୍ୟକ୍ତ ହୋଇ ରହିଥିବା ସମୟରେ ବନ୍‍ଓ୍ୱାରୀ ସବୁଠାରୁ ଅଧିକ ପରିମାଣରେ ନିଜର ସ୍ୱାମୀଠାରୁ ହିଁ ହିମ୍ମତ ପାଉଥିଲା–ସ୍ଵାମୀ ଏହି ବ୍ୟାପାରରେ ଥରେ ହେଲେ ମଧ୍ୟ ଟଳି ଯାଉନଥିଲା । ଜୀବିକାର୍ଜନର ସକଳ ଉପାୟ ବନ୍ଦ ହୋଇଗଲା ପରେ ସେମାନେ ଘୋର ଅଭାବରେ ବାସ କରୁଥିଲେ ଏବଂ ସେତେବେଳେ ଅନ୍ୟ ସାଥିମାନେ, ମହିଳା ଅଫିସରମାନେ ଓ ମହିଳା ସ୍ଵେଚ୍ଛାସେବୀମାନେ ସେମାନଙ୍କୁ ସର୍ବଦା ସାହାଯ୍ୟ କରୁଥିଲେ । ଅଳ୍ପ କେତେଜଣ ପୂର୍ଣ୍ଣ ସଂବେଦନା ରହିଥିବା ମହିଳା ଆଇ.ଏ.ଏସ୍. ଅଫିସରଙ୍କ ସହିତ ବନ୍‍ଓ୍ୱାରୀର ସତେଅବା ଭଉଣୀ ଭଉଣୀ ମଧ୍ୟରେ ରହୁଥିବା ସମ୍ପର୍କଟିଏ କ୍ରମେ ସ୍ଥାପିତ ହୋଇ ଯାଇଥିଲା । ଏବଂ ଏହିପରି ଦୀର୍ଘ ଅପେକ୍ଷା ତଥା ନୀରବ ସମର ସମୟରେ ଉକ୍ତ ଅଫିସରମାନେ ସତେଅବା କ୍ରମଶଃ ଖୁବ୍ ବଦଳି ହିଁ ଯାଉଥିଲେ । ଅବଶ୍ୟ ସେମାନଙ୍କର ସମସ୍ତରୀୟ ଅଧିକାଂଶ ଅଫିସର ବ୍ୟଙ୍ଗାତ୍ମକ ଭାବରେ ଅନୁଭବ କରୁଥିଲେ ଯେ, ସମ୍ଭବତଃ ସେମାନେ ମଧ୍ୟ ଆବେଗଗୁଡ଼ିକର କ୍ଷେତ୍ରରେ ବ୍ୟାପାରଟି ସହିତ ସ୍ଵୟଂ ସଂଶ୍ଳିଷ୍ଟ ହୋଇ ପଡ଼ିଛନ୍ତି,–ସେମାନେ ମଧ୍ୟ ସ୍ୱୟଂ ଜଣେ ଜଣେ ନାରୀ, ହୁଏତ ଏହା ହିଁ ସେପରି ହେବାର ଏକମାତ୍ର କାରଣ ଥିଲା ।

ପରିଶେଷରେ, ୧୯୯୩ ମସିହା ସେପ୍ଟେମ୍ବର, ୨୭ ତାରିଖରେ ବନ୍‍ଓ୍ୱାରୀ ସମ୍ପର୍କରେ ସି.ବି.ଆଇ. ଏକ ଆପାତ ଗଣଧର୍ଷଣର ମକଦ୍ଦମା ପ୍ରସ୍ତୁତ କରିଥିଲା ଏବଂ ନ୍ୟାୟାଳୟରେ ଚାଲାନ୍‍ଟିଏ ବି ଦାଖଲ କଲା । ୧୯୯୩ ନଭେମ୍ବର ଓ ୧୯୯୪ ଜାନୁଆରୀ ମାସରେ ଦୁଇଜଣଯାକ ଆସାମୀ ଗିରଫ ହେଲେ । ଦୌରାଜଜ୍ ଓ ତା’ପରେ ରାଜସ୍ଥାନର ଉଚ୍ଚତର ନ୍ୟାୟାଳୟ ସେମାନଙ୍କର ଜାମିନକୁ ନାମଞ୍ଜୁର କଲା,–ଆଗୁଆ ଜାମିନ୍‍କୁ ମଧ୍ୟ ମନା କରି ଦେଇଥିଲା । ୧୯୯୩ ମସିହା ଡିସେମ୍ବର ୧୭ରେ ପ୍ରଦତ୍ତ ଆପଣାର ଗୁରୁତ୍ୱପୂର୍ଣ୍ଣ ରାୟରେ ଉଚ୍ଚତର ନ୍ୟାୟାଳୟ ଏହାକୁ ଏକ ପ୍ରକୃତ ଗଣଧର୍ଷଣର ଘଟଣା ବୋଲି ଘୋଷଣା କଲା ଯେ ଶ୍ରୀମତୀ ବନ୍‍ଓ୍ୱାରୀ ଦେବୀ ‘ଆଖ୍ୟାତୀକ’ ଦିନ ଅପରାଧୀ ରାମକରଣର ନାବାଳିକା କନ୍ୟାର ବିବାହ ବନ୍ଦ କରିବାକୁ ପ୍ରୟାସ କରିଥିବାରୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେହି ଅପରାଧଟିକୁ କରାଯାଇଛି । ସେହି ରାୟଟି ଅନୁସାରେ ସେପର୍ଯ୍ୟନ୍ତ ଆତ୍ମଗୋପନ କରି ରହିଥିବା ବାକି ତିନିଜଣ ଅଭିଯୁକ୍ତ ମଧ୍ୟ କଚେରୀକୁ ଆସି ଆତ୍ମସମର୍ପଣ କଲେ ।

ଏସବୁ ସତ୍ତ୍ୱେ, ବନ୍‍ଓ୍ୱାରୀ ଓ ତା’ ପରିବାରଟି ତଥାପି ବାଛନ୍ଦ ହୋଇ ରହିଛି, ନିଜ ଗାଆଁର ଲୋକମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ରହିଛି । ଅର୍ଥାତ୍, ଗାଆଁ ସ୍ତରରେ ଆଦୌ କିଛି ହେଲେ ବଦଳି ନାହିଁ । ଗାଆଁବାଲା ତ ଧର୍ଷିତାକୁ ହିଁ ଅପରାଧୀ ବୋଲି ତଥାପି ବିଚାର କରୁଛନ୍ତି ।

☆☆☆

 

ବେଡ଼ୀରୁ ମୁକ୍ତି କାହିଁ !

 

୧୯୯୮ ମସିହାର ସେହି କ୍ଳାନ୍ତିକାରୀ ଶୀତଋତୁରେ ବିଳାସିନୀ ନିଜର ସ୍ୱାମୀ ଏବଂ ତିନୋଟି ପିଲାଙ୍କ ସହିତ ଘର ଛାଡ଼ି ଯାଇଥିଲା । ବଲାଙ୍ଗିର ଜିଲ୍ଲାରୁ ସମାଗତ ପ୍ରାୟ ଲକ୍ଷେ ମନୁଷ୍ୟଙ୍କର ବନ୍ୟାସ୍ରୋତଟି ସହିତ ସେମାନେ ମଧ୍ୟ ମିଶିଗଲେ । ପ୍ରତିବର୍ଷ ହିଁ ଏମାନେ ପ୍ରାୟ ଛଅରୁ ଆଠମାସ ପର୍ଯ୍ୟନ୍ତ ନିଜ ଗାଆଁରୁ ବାହାରି ଯାଆନ୍ତି; କ୍ଷୁଧା ଏବଂ ଋଣଭାରର ଉତ୍ପୀଡ଼ନ ଦ୍ୱାରା ହିଁ ପଳାଇଯିବାକୁ ବାଧ୍ୟ ହୁଅନ୍ତି । ତେଣୁ, ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଯେକୌଣସି ଦିନ ହିଁ ତୁମେ ସେମାନଙ୍କୁ ଆସି ରେଲ ପ୍ଲାଟଫର୍ମ୍ ଓ ବସ୍ ଷ୍ଟେସନରେ ଜମା ହୋଇଥିବାର ଜିଲ୍ଲାଯାକ ଅବଶ୍ୟ ଦେଖିବାକୁ ପାଇବ । ମେଳା ମେଳା ହୋଇ ବସିଥିବେ, ନିଜ ଦ୍ରବ୍ୟଗୁଡ଼ିକୁ ସାନ ସାନ ବୁଜୁଳାରେ ବାନ୍ଧି ଆବୋରି ଧରିଥିବେ । ହଁ, ସେମାନଙ୍କର ପିଲାମାନେ ଚାରିଆଡ଼େ ଏଡ଼େ ପାଟିରେ ରଡ଼ି ବି କରୁଥିବେ । ସାଙ୍ଗରେ ଆଣିଥିବା ମୋଟା, ଚାଉଳର ଭାତ ଓ ଡାଲିକୁ ହିଁ ଜଣକେତେ ହୁଏତ ଖାଇବାରେ ବ୍ୟସ୍ତ ଥିବେ ଏବଂ ଆଉ କେତେ ତୁନିତୁନି ହୋଇ କଥାବାର୍ତ୍ତା ହେଉଥିବେ । ସାନ ସାନ ପିଲାମାନେ ଥାନ ଥାନ ହୋଇ ଖେଳୁଥିବେ, ଚତୁର୍ଦ୍ଦିଗରେ ଭର୍ତ୍ତି ହୋଇ ରହିଥିବା ରଙ୍ଗ ଓ ବାସନାସବୁ ସେମାନଙ୍କୁ ହୁଏତ ଖୁବ୍ ଚଳଚଞ୍ଚଳ କରିବି ରଖିଥିବ–ପ୍ଲାଟ୍‍ଫର୍ମର ନାନା ଦୃଶ୍ୟ ଏବଂ ଧ୍ୱନି ମୋହିତ କରି ଦେଇଥିବ । ପ୍ରତିବର୍ଷ ଏହିପରି ଭାବରେ ଘର ଛାଡ଼ି ବାହାରକୁ ଯାଉଥିବା ମହିଳା ଏବଂ ପୁରୁଷମାନେ ଦଳର ନୂଆମାନଙ୍କ ତୁଳନାରେ କିଞ୍ଚିତ୍‍ ଅଧିକ ଭରସାସମ୍ପନ୍ନ ହୋଇ ରହିଥିବା ପରି ବୋଧ ହେଉଥିବେ । ପଶ୍ଚିମ ଓଡ଼ିଶାର ଉତ୍କଟ ଦାରିଦ୍ର୍ୟ ପ୍ରାୟ ଅବିଚ୍ଛିନ୍ନ ଭାବରେ ହିଁ ଲାଗି ରହିଥାଏ ଏବଂ ସେହି କାରଣରୁ ଘର ଛାଡ଼ି ପ୍ରବାସ ପଳାଉଥିବା ଏହି ଲୋକମାନଙ୍କର ସଂଖ୍ୟା ମଧ୍ୟ ଫୀ’ ବର୍ଷ ଅଧିକ ହେବାରେ ଲାଗିଥାଏ । ଯେଉଁମାନେ ପ୍ରଥମ କରି ଏଇବର୍ଷ ହିଁ ଘରୁ ଗୋଡ଼ କାଢ଼ିଛନ୍ତି, ତୁମେ ସେମାନଙ୍କୁ ସେମାନଙ୍କର ଆଖିରୁ ହିଁ ଖୁବ୍ ବାରିନେଇ ପାରିବ, ସେମାନଙ୍କର ଆଖିରେ ଭୟ ଏବଂ ଅନିଶ୍ଚୟତାର ଭାବନା ହିଁ ଏକ ଆଶାନ୍ୱିତତାର ଝଲକ ସହିତ ସତତ ସଂଗ୍ରାମ କରିବାରେ ଲାଗିଥାଏ ।

 

ବିଳାସିନୀ ଏହି ପ୍ରଥମଥର ପାଇଁ ହିଁ ଘରୁ ଗୋଡ଼ କାଢ଼ିଥିଲା,–କୋଡ଼ରେ କବି ବାବୁଟିଏ ଏବଂ ତା’ ଝିଅଟି ପଛରୁ ତା’ କାନିଟାର ଅଗକୁ ଧରି ଖେଳିବାରେ ଲାଗିଥାଏ । ତାକୁ ଲାଗି କରି ତୀ’ ସ୍ଵାମୀ ମଧ୍ୟ ସେହିଠାରେ ଚୁପ୍ ହୋଇ ବସିଥିଲା । ପ୍ରାୟ ଦଶବର୍ଷ ପୂର୍ବେ ଏହି ପୁରୁଷଟି ସହିତ ତ ତା’ର ବାପା ତାକୁ ବିଭାକରାଇ ଦେଇଥିଲେ । ସ୍ୱାମୀର ନାଆଁ କ୍ଷୀରସିନ୍ଧୁ ବନ୍ଧୋଡ଼, ଏବଂ କ୍ଷୀରସିନ୍ଧୁ ସେପାଖକୁ ଯିଏ ବସିଛି, ସିଏ ହେଉଛି ତା’ ଆଗ ଭାରିଯାର ପୁଅ ସୁଜନ-

 

ବିଳାସିନୀ ଯେତିକି ପର୍ଯ୍ୟନ୍ତ ହେତୁ କରି ପାରୁଛି, ତା’ର ଜୀବନଟା ସବୁଦିନେ ଏହିପରି ବଡ଼ କଠିନ ଭାବରେ ହିଁ ବିତି ଆସିଛି । ତାକୁ ମୋଟେ ତିନିବର୍ଷ ହୋଇଥିବା ସମୟରେ ମାଆ ଚାଲି ଯାଇଥିଲା । ତା’ର ବର୍ତ୍ତମାନ ଶାଶୁଘର ଗାଆଁ ପାତିମାଲ୍ ପାଖରେ ଥିବା ଗଣ୍ଡାରବନ୍ଧ ଗାଆଁରେ । ତା’ ଆଗରୁ ତା’ର ଗୋଟିଏ ବଡ଼ ଭଉଣୀର ତା’ ଏନ୍ତୁଡ଼ିଶାଳରୁ ହିଁ ମୃତ୍ୟୁ ହୋଇଥିଲା । ତା’ର ବାପା ଆଉ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ଠିକ୍‍ କଲେ ଓ ନିଜେ କ୍ରମେ ବଡ଼ ହୋଇ ଆସୁଥିବା ଝିଅର ଯାବତୀୟ ଯତ୍ନ ନେବାପାଇଁ ସବୁପ୍ରକାରର ସଂଘର୍ଷ କରିବାରେ ଲାଗି ପଡ଼ିଥିଲେ । ହାତରେ ମୋଟେ ପ୍ରାୟ ଅଧମାଣ ଢିପ ଜମି,–ସେଥିରେ ବାଜରା ହେଉଥିଲା, ପାରମ୍ପରିକ ଜାତିର କେତେ ଧାନ ମଧ୍ୟ ହେଉଥିଲା । ସେଥିରେ ଖୁବ୍ ବେଶୀରେ ବର୍ଷରେ ତିନିମାସ ଚଳି ହେଉଥିଲା । ବାକି ମାସଗୁଡ଼ିକ ନିମନ୍ତେ ସେ କେନାଲ ଅଞ୍ଚଳରେ ଚାଷୀମାନଙ୍କ ଠାରୁ ଜମି ଖଞ୍ଜା ନେଉଥିଲେ । ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା । ନଚେତ୍, ଜଙ୍ଗଲରୁ ଜାଳେଣି କାଠ କାଟି ହାଟରେ ବିକ୍ରୀ କରୁଥିଲେ । ବିଳାସିନୀ କେବେହେଲେ ଇସ୍କୁଲକୁ ଯାଇନାହିଁ; ଏବଂ, ଦଶବର୍ଷ ହେବାଠାରୁ ହିଁ ସିଏ ମଧ୍ୟ ବାପାଙ୍କର କାମରେ ସାହାଯ୍ୟ କରିବାକୁ ଆରମ୍ଭ କରି ଦେଇଥିଲା ।

 

ତାକୁ ପ୍ରାୟ ପନ୍ଦରବର୍ଷ ହୋଇଥିବାବେଳେ ବାବା କ୍ଷୀରସିନ୍ଧୁ ବନ୍ଧୋଡ଼ ସହିତ ତା’ର ବିବାହ କରାଇ ଦେଇଥିଲେ । ବିବାହ ଖର୍ଚ୍ଚ, ତୁଲାଇବା ସକାଶେ ବାପାଙ୍କୁ ନିଜ ଜମିରୁ ଅଧେ ଅଂଶ ତାଙ୍କ ସାନ ଭାଇକୁ ବିକ୍ରୀ କରିଦେବାକୁ ପଡ଼ିଲା । ଯୌତୁକ ସ୍ୱରୂପ ଜ୍ୱାଇଁକୁ ସାଇକେଲ ବା ଘଣ୍ଟା ଦିଆଯାଇ ପାରିନଥିଲା,–ଯେତେ ଗରିବ ହେଲେ ମଧ୍ୟ ବହୁତ ଘରେ ସେତିକି ଦ୍ରବ୍ୟ ଅବଶ୍ୟ ଦିଆ ଯାଉଥିଲା । ଅବଶ୍ୟ ନାକ ଓ କାନକୁ ସୁନାର ଗହଣା କିଛି ରହିଥିଲା । ବିଳାସିନୀର ସ୍ୱାମୀ ବିଳାସିନୀଠାରୁ ପ୍ରାୟ କୋଡ଼ିଏ ବର୍ଷ ବଡ଼ ହେବ । ତା’ର ପ୍ରଥମ ସ୍ତ୍ରୀକୁ ହେଟା ନେଇ ଯାଇଥିଲା । ପ୍ରଥମ ସ୍ତ୍ରୀ ତରଫରୁ ଦୁଇଟି ପୁଅ,–ସେମାନଙ୍କ ମଧ୍ୟରୁ ଜଣେ ବିଳାସିନୀର ପ୍ରାୟ ସମବୟସୀ ବି ହୋଇପାରେ ।

 

ବିଳାସିନୀର ସ୍ୱାମୀ ତା’ ବାପାଙ୍କ ପରି ଏତେ ଅଧିକ ପରିମାଣରେ ନିଃସ୍ୱ ଆଦୌ ନଥିଲେ । ତଥାପି, ବିଳାସିନୀକୁ ଦିନଯାକ ହିଁ ଖଟିବାକୁ ପଡ଼ିଲା, ମାତ୍ର ସେଇଟା ତ ଆଗରୁ ହିଁ ତା’ ଅଭ୍ୟାସରେ ପଡ଼ି ଯାଇଥିଲା । ନିଜର ଗୋଟିଏ ମାଣ କ୍ଷେତ୍ରରେ ସ୍ୱାମୀ ସ୍ତ୍ରୀ ଦୁହେଁ କାର୍ଯ୍ୟ କଲେ । ନିକ ଘରର ବାରିପଟେ ପରିବା ଚାଷ କଲେ ଏବଂ ଗାଈଦୁଇଟି ମଧ୍ୟ ରଖିଲେ । ବିଳାସିନୀ କାଠ କାଟିବାକୁ ବି ଯାଉଥିଲା,–ଅଧିକାଂଶ ଦିନ ଉଦିଆ ହେବା ପୂର୍ବରୁ ଘରୁ ବାହାରି ଯାଉଥିଲା,–ଜାଳେଣି କାଠ ଓ ଗୋରସ ବିକ୍ରୀ କରିବା ନିମନ୍ତେ ଆଠ କିଲୋମିଟର ଦୂରରେ ଅବସ୍ଥିତ ସବୁଠାରୁ ନିକଟରେ ଥିବା ବଜାରରେ ଯାଇ ପହଞ୍ଚିବାକୁ ହେଉଥିଲା ।

 

ବଡ଼ପୁଅର ବିଭାଘର ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ମହାଜନଠାରୁ ଦଶହଜାର ଟଙ୍କା କରଜ ନେଲେ । ମହାଜନ ହେଉଛି କଣ୍ଟାବାଞ୍ଜିର ଜଣେ କପଡ଼ା ବ୍ୟବସାୟୀ । କଳନ୍ତର ମାସକୁ ଶହେରେ ଦଶଟଙ୍କା । କରଜଟା ଶୁଝିଦେବା ନିମନ୍ତେ ଦୁହେଁ କେତେ ଚେଷ୍ଟା କଲେ,–ମାତ୍ର ସେଥିପାଇଁ ଯେତିକି ଠୁଳ କରି ପାରୁଥିଲେ, ସେତିକିରେ ପୂରା ସୁଧପାଇଁ ମଧ୍ୟ ଯଥେଷ୍ଟ ହେଉନଥିଲା । ତେଣୁ, ମୂଳଟା ବିଷୟରେ ଚିନ୍ତା କରିବାପାଇଁ କୌଣସି ଅବକାଶ ନଥିଲା ।

 

ପରିଶେଷରେ ତା’ର ସ୍ଵାମୀ ସ୍ଥିର କରିଥିଲା ଯେ, ପଡ଼ିଶାର ବହୁସଂଖ୍ୟକ ଅନ୍ୟମାନଙ୍କ ପରି, କୁଟୁମ୍ବଟାକୁ ହିଁ ଏଥର ଗାଆଁ ଛାଡ଼ିବାକୁ ପଡ଼ିବ ଓ ହାଇଦରାବାଦରେ ଥିବା ଇଟାଭାଟିମାନଙ୍କରେ ଯାଇ କାମ କରିବାକୁ ହେବ । ମହାଜନର ପରାମର୍ଶ କ୍ରମେ ସେମାନେ ଭାରୁପାଲି ଗାଆଁର ଶ୍ରମିକ-ଠିକାଦାର ବିଷ୍ଣୁ ସର୍ଦ୍ଦାର ପାଖକୁ ଯାଇ କଥାବାର୍ତ୍ତା କଲେ । ଏହି ସାନ ଠିକାଦାରଟି ବେଲପଡ଼ା ବ୍ଲକ୍‌ର ଭାନୁପାଲି ଗାଆଁରେ ଥିବା ବିଶ୍ୱନାଥ ସୁନା ନାମକ ଜଣେ ବଡ଼ ଶ୍ରମିକ ଠିକାଦାର ପାଇଁ କାମ କରୁଥିଲା । ଏହି ଠିକାଦାରମାନେ ଭାଟିର ମାଲିକମାନଙ୍କ ଠାରୁ ସେମାନେ ନେଇ ଯୋଗାଇ ଦେଇ ପାରୁଥିବା ବହିରାଗତ ଶ୍ରମିକମାନଙ୍କର ସଂଖ୍ୟା ଅନୁସାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରୋଜଗାର କରୁଥିଲେ । ସେମାନଙ୍କୁ ଦିଆ ଯାଉଥିବା ଏହି କମିଶନ ବ୍ୟତୀତ ଏହି ମୂଲିଆମାନେ ତିଆରି କରି ଦେଉଥିବା ପ୍ରତ୍ୟେକ ହଜାରେ ଇଟା ପାଇଁ ମଧ୍ୟରୁ ସାତରୁ ଦଶଟଙ୍କା ପର୍ଯ୍ୟନ୍ତ ଅଧିକ ମଧ୍ୟ ପାଉଥିଲେ । ଏଠା ଅଞ୍ଚଳର ମହାଜନମାନଙ୍କ ସହିତ ଠିକାଦାରମାନଙ୍କର ଉତ୍ତମ ଯୋଗସୂତ୍ରମାନ ରହିଥିଲା । ଏମାନେ ଠିକାଦାର ଦଳ ସହିତ ସହଯୋଗ ରଖି ଏଣୁ ମୂଲିଆ ସଂଗ୍ରହ କରି ପଠାଇବାରେ ନାନାପ୍ରକାରେ ସାହାଯ୍ୟ ବି କରୁଥିଲେ । ମୂଲିଆଙ୍କ ଭିତରୁ ଅନେକେ ମହାଜନମାନଙ୍କ ଠାରୁ ନେଉଥିବା କରଜରେ ବନ୍ଧା ହୋଇ ରହିଥିଲେ-। ଦିନୁଁଦିନ ବଢ଼ି ଚାଲିଥିବା ସେହି କରଜଗୁଡ଼ିକୁ ସେମାନେ ଯେପରି ପରିଶୋଷ କରି ପାରିବେ, ସେଥିଲାଗି ଏଠାରୁ ଇଟାଭାଟିରେ କାମ କରିବାକୁ ଯିବା ନିମନ୍ତେ ଏମାନେ ସେମାନଙ୍କୁ ବେଶ୍ ‘ପ୍ରବର୍ତ୍ତାଇ’ ପାରୁଥିଲେ ।

 

କରଜ ଶୁଝିବାପାଇଁ ସର୍ଦ୍ଦାର କ୍ଷୀରସିନ୍ଧୁକୁ ଆଗତୁରା ୫୦୦୦ ଟଙ୍କା ଦେବାକୁ ରାଜି ହେଲା । ଏହି ଅଞ୍ଚଳରେ ସର୍ବମୂଳ ଶ୍ରମିକ–ଏକକଟିକୁ ପଥୁରିଆ ବୋଲି କୁହା ଯାଉଥିଲା,–ଯେଉଁଥିରେ କି ବୟସ୍କ ଦୁଇଜଣ ଓ ଜଣେ ଦୁଇଜଣ ବେଶ୍ ବୟସ ହୋଇ ଯାଇଥିବା ପିଲା ଅନ୍ତର୍ଭୁକ୍ତ ହୋଇ ରହୁଥିଲେ । କ୍ଷୀରସିନ୍ଧୁ ଓ ବିଳାସିନୀ ସେମାନଙ୍କର ସାନ ପୁଅ ସୁଜନକୁ ମଧ୍ୟ ସାଙ୍ଗରେ ନେବାକୁ ସ୍ଥିର କରିଥିଲେ । ସେତେବେଳକୁ ତାକୁ ଷୋଳ ବର୍ଷ ହୋଇଥାଏ । ସିଏ ସାଙ୍ଗରେ ଯିବ ଓ ଭାଟିରେ ସେମାନଙ୍କ ପଥୁରିଆର ଅଂଶରୂପେ କାର୍ଯ୍ୟ କରିପାରିବ । ପୁନଶ୍ଚ, ବିଳାସିନୀ ନିଜର କୋଡ଼ରେ ଥିବା ପୁଅଟିକୁ ଓ ଝିଅଟିକୁ ମଧ୍ୟ ଧରିଲା, କାରଣ ସେମାନେ ଘର ଛାଡ଼ି ଚାଲିଯିବା ପରେ ସେମାନଙ୍କର କଥା ଏଠାରେ ଆଉ କିଏ ବୁଝିଥାନ୍ତା ?

 

ଠିକାଦାରର ଏଜେଣ୍ଟ୍‍ ଦିନେ ରାତିରେ ଏମାନଙ୍କୁ ଗୋଟିଏ ଟ୍ରକରେ ନେଇ ବସାଇଦେଲା; ସେଥିରେ ସେମାନଙ୍କ ଗାଆଁର ଆହୁରି ବେଶ୍ କେତେଜଣ ମଧ୍ୟ ଭାଟିକାମ ସକାଶେ ଯାଉଥାଆନ୍ତି । ପାଖଆଖ ଗାଆଁମାନଙ୍କରୁ ବି କିଛି ଥାଆନ୍ତି । ଏମାନେ ଯାଇ କଣ୍ଟାବାଂଜି ରେଳ ଷ୍ଟେସନରେ ଯାଇ ପହଞ୍ଚିଥିଲେ । ସେଠାରେ ଆହୁରି ବହୁସଂଖ୍ୟକ ଶ୍ରମିକ ଆଗରୁ ହିଁ ପ୍ଲାଟ୍‍ଫର୍ମରେ ଆସି ଜମା ହୋଇ ଥାଆନ୍ତି । ସମସ୍ତେ ସେହି ଗୋଟିଏ ଜାଗାକୁ ଯିବେ ବୋଲି ହିଁ ଆସିଥିଲେ । ଏହି ଯାତ୍ରୀ ମୂଲିଆଦଳଙ୍କ ପାଇଁ ଏଜେଣ୍ଟ ଯାଇ ଥାକେ ଟିକେଟ କିଣି ଆଣିଲା ।

 

ସେମାନେ ରାତିସାରା ସେହି ପ୍ଲାଟ୍‍ଫର୍ମ ଉପରେ ହିଁ ଏକତ୍ର ଗୋଟାଏ ଦଳ ପରି ହୋଇ ବସି ରହିଲେ । ଶୀତରେ ଦେହ ବେଶ୍ ଥରି ଥରି ଯାଉଥାଏ । ରାତି ପାହି ଖରା ପଡ଼ିଲା, ସୂର୍ଯ୍ୟଦେବ ବି କ୍ରମେ ଆକାଶର କେତେ ଉପରକୁ ଉଠିଗଲେ, କିନ୍ତୁ ଅପେକ୍ଷାର ତଥାପି ଅନ୍ତ ହେଲାନାହିଁ । ମଧ୍ୟାହ୍ନ ସମୟକୁ ଯାଇ ସେମାନଙ୍କର ଗାଡ଼ିଟି ଧିକି ଧିକି ହୋଇ ପ୍ଲାଟଫର୍ମ ଭିତରେ ଆସି ପ୍ରବେଶ କରିଥିଲା । ସତରେ ଏକ ବିଡ଼ମ୍ବନାର ବିଷୟ ଯେ, ଏହି ଯେଉଁ ଗାଡ଼ିଟି ସହିତ ପଶ୍ଚିମ ଓଡ଼ିଶାର ଘର ଛାଡ଼ି ବାହାରିଥିବା ହଜାର ହଜାର ମନୁଷ୍ୟଙ୍କର ଭାଗ୍ୟଗୁଡ଼ିକ ଗଅଁଠା ହୋଇ ରହିଥିଲା, ତାହାର ନାମ ହେଉଛି ସମତା ଏକ୍ସପ୍ରେସ୍ । ସେହି ଗାଡ଼ିର ତିନୋଟି ସାଧାରଣ ଡବା ଭିତରକୁ ଏହି ପଥିକ ଶ୍ରମିକଯୂଥ ଶହ ସଂଖ୍ୟାରେ ଭୁସ୍ ଭାସ୍ ହୋଇ ପଶି ଯାଇଥିଲେ । ଅତ୍ୟନ୍ତ ଆତୁର ଭାବରେ ସେମାନେ ନିଜର ପିଲାମାନଙ୍କୁ ତଥା କପଡ଼ାର ବୁଜୁଳାଗୁଡ଼ିକୁ ଯାବୁଡ଼ି ଧରିଥାନ୍ତି । ଠିକାଦାରଙ୍କର ଏଜେଣ୍ଟମାନେ ସେମାନଙ୍କୁ ଯେକୌଣସି ପ୍ରକାରେ ଠେଁସି ଠାଁସି ଡବାଗୁଡ଼ିକ ଭିତରେ ଭର୍ତ୍ତି କରି ଦେଇଥିଲେ । କଣ୍ଟାବାଂଜି ଷ୍ଟେସନରେ ସମତା ଏକ୍ସପ୍ରେସ୍ କେବଳ ପାଞ୍ଚ ମିନିଟ୍ ରହୁଥିଲା ।

 

ଡବାଗୁଡ଼ିକ ପୂର୍ବରୁ ହିଁ ମଣିଷଭର୍ତ୍ତି ହୋଇ ରହିଥିଲେ,–ସେହି ଭିଡ଼ର ଚାପରେ ବିଳାସିନୀ ଓ ତା’ ପରିବାରର ଅନ୍ୟମାନେ ଯେକୌଣସି ମତେ ତା’ ଭିତରେ ପଶିଯାଇ ପାରିଥିଲେ-। ପରବର୍ତ୍ତୀ ଷ୍ଟେସନମାନଙ୍କରେ ଆହୁରି ଅଧିକରୁ ଅଧିକ ଆସି ଭର୍ତ୍ତି ହେଉଥାନ୍ତି । ହଁ, ସମସ୍ତ ଯାତ୍ରାପଥଟିରେ ଅନ୍ତତଃ ସିଧା ହୋଇ ଠିଆ ହେବାପାଇଁ ହିଁ ଯାହା ଯଥେଷ୍ଟ ଜାଗା ମିଳି ପାରିଥିଲା-। ଦିହ ସହିତ ଦିହମାନ ଆସି ଘଷିହୋଇ ଯାଉଥାନ୍ତି,–ଭଲ କରି ନିଃଶ୍ୱାସ ନେବାକୁ ମଧ୍ୟ ଖାଲି ଜାଗା ନଥାଏ । ବିଳାସିନୀ ନିଜର ଦୁଇଟାଯାକ ଛୁଆଙ୍କୁ ଯାବୁଡ଼ି ଧରିଥାଏ, ଛୁଆ ଦିଇଟା, ବି କାନ୍ଦିବାରେ ଲାଗିଥାନ୍ତି । କ୍ରମେ ତା’ ହାତଦୁଇଟା ବଥାଇବାକୁ ଆରମ୍ଭ କଲା । ଏହି ଯାତ୍ରାକାଳରେ ଜଣେ ସହଯାତ୍ରୀଙ୍କ ଗାଆଁର କେହି କେହି ନିଃଶ୍ୱାସ ନେଇ ନପାରି ମରିଯିବାର ମଧ୍ୟ ସିଏ ଶୁଣିଥିଲା-। ହଁ, ଟିକିଏ ଉଶ୍ୱାସ ଲାଗିଲା, ଯେତେବେଳେ ରେଳଗାଡ଼ି ଯାଇ ୱ୍ୱାଲଟିଅର୍ ଷ୍ଟେସନରେ ପହଞ୍ଚିଥିଲା,–ସେତେବେଳକୁ ଦୀର୍ଘ ପ୍ରାୟ ଅଠରଘଣ୍ଟା ବିତି ଯାଇଥାଏ ଓ ବଡ଼ ହାଲିଆ ଲାଗୁଥାଏ-

 

ବାଟରେ ଟୋପାଏ ପାଣି ବି ମିଳିନଥିଲା, ପେଟକୁ ମଧ୍ୟ କିଛି ଯାଇନଥିଲା । ଶହ ଶହ ଯାତ୍ରୀ ପ୍ଲାଟ୍‍ଫର୍ମ ଉପରକୁ ତତ୍‍କ୍ଷଣାତ୍‍ ଡେଇଁ ପଡ଼ିଥିଲେ । ଦେହରେ ଶକ୍ତି ବୋଲି ମୋଟେ କିଛି ନଥାଏ । ଠିକାଦାରର ଏଜେଣ୍ଟ୍‍ ସେମାନଙ୍କ ପାଇଁ କିଛି ଖାଇବା ଆଣିଲା,–ପ୍ରତ୍ୟେକ ପରିବାରର ଭାଗରେ କେବଳ ବିଡ଼ାଏ ପାଉଁରୁଟି । ତା’ପରେ ସେମାନଙ୍କୁ କାଳବିଳମ୍ବ ନକରି ଆଉଗୋଟିଏ ଗାଡ଼ି  ଭିତରକୁ ନେଇ ଭରି ଦିଆ ଯାଇଥିଲା । ଏହି ଅନ୍ୟ ଗାଡ଼ିରେ ସିଧା ହାଇଦରାବାଦ ଯାଏ ଯାଇହେବ । ପୁନର୍ବାର ସେହି ଯାତ୍ରାକାଳୀନ ଯାବତୀୟ କଷ୍ଟଭୋଗ ଆରମ୍ଭ ହୋଇଗଲା । ତାପରେ ହାଇଦରାବାଦ ବଡ଼ ଜଙ୍କଶନରୁ ସେମାନେ ଅପେକ୍ଷା କରି ରହିଥିବା ଟ୍ରକଗୁଡ଼ିକୁ ଭିତରେ ଯାଇ ପଶିଥିଲେ ଏବଂ ଅଳ୍ପ ସମୟ ପରେ ସେମାନେ ହାଇଦରାବାଦର ଉପକଣ୍ଠରେ ଅବସ୍ଥିତ ଇଟାଭାଟି ଗୁଡ଼ିକ ପାଖରେ ପହଞ୍ଚି ଯାଇଥିଲେ ।

 

ଆନନ୍ଦ ରାଓ ବୋଲି ଜନୈକ ମାଲିକର ଭାଟିରେ ସେମାନଙ୍କୁ କେତେ ଶହ କଞ୍ଚା ଇଟା ଓ କିଛି ପଲିଥିନ୍ ଦିଆଗଲା ଏବଂ ଗୋଟିଏ ଜାଗା ଦେଖାଇ ଦିଆଗଲା, ଯେଉଁଠାରେ ସେମାନେ ନିଜର ଅସ୍ଥାୟୀ ରହଣିସ୍ଥାନଟିଏ ତିଆରି କରିନେଇ ପାରିବେ । ଥାନଟିକୁ ସଫା ଏବଂ ସମତୁଲ କରି ପଲାଟି ତିଆରି କରିବାଲାଗି କେବଳ ଦୁଇଦିନ ସମୟ ମିଳିଥିଲା । ଫୀ ପଥୁରିଆ ଖୋରାକୀ ବାବତ ଆଗତୁରା ଏକଶହ ଟଙ୍କା ବି ମିଳିଲା । ଏହି ଟଙ୍କାକୁ ସେମାନଙ୍କର ରୋଜଗାରରୁ ପରେ ଅବଶ୍ୟ କାଟି ନିଆଯିବ ।

 

ସେଠାରେ ଯେଉଁସବୁ ନିୟମ ମାନି ଚଳିବାକୁ ହେବ, ତାହା ସମସ୍ତଙ୍କୁ ପରିଷ୍କାର ଭାବରେ କହି ଦିଆଗଲା । କେବେହେଲେ କୌଣସି ପରିସ୍ଥିତିରେ ମଧ୍ୟ କୌଣସି ପରିବାରର କୌଣସି ବ୍ୟକ୍ତିକୁ ଅନ୍ୟମାନଙ୍କ ସହିତ ମିଶି ବାହାରକୁ ଯିବାପାଇଁ ଆଦୌ ଅନୁମତି ଦିଆ ଯିବନାହିଁ;–କୌଣସି ସଉଦା କିଣିବାକୁ କିମ୍ବା ଆଉ କୌଣସି କାମରେ କେହି ବାହାରକୁ ଯାଇ ପାରିବେ ନାହିଁ । ଯଦି କେହି ବାହାରକୁ ଯାଏ, ତେବେ ତା’ ପରିବାରର କିଛି ଲୋକ ଅବଶ୍ୟ ଏଠାରେ ଥିବେ,–ବାହାରକୁ ଯାଇଥିବା ଲୋକମାନେ ନିଶ୍ଚିତ ଭାବରେ ଫେରି ଆସିବାର ଗ୍ୟାରେଣ୍ଟି ରୂପେ । ତଥାପି ଯଦି କେହି ଏଠୁ ଖସି ପଳାଇଗଲା, ତେବେ ତାକୁ ଧରିବାପାଇଁ ରେଲଷ୍ଟେସନରେ ବଡ଼ ଚତୁରତାର ସହିତ ଏକ ବ୍ୟବସ୍ଥା ବି କରା ଯାଇଥିଲା । ବହିରାଗତ ଏହି ଶ୍ରମିକମାନଙ୍କୁ କୌଣସି ଯାତ୍ରାଟିକେଟ ନଦେବା ନିମନ୍ତେ ସେଠାରେ ଟିକେଟ ବିକ୍ରେତା ମାନଙ୍କୁ ଲାଞ୍ଚ ଦିଆ ଯାଉଥିଲା । ହଁ, ଠିକାଦାର କେହି ସାଙ୍ଗରେ ରହିଥିଲେ ଯାଇ ସେମାନଙ୍କୁ ଟିକେଟ ମିଳିବ । (ଠିକାଦାରମାନେ ମଧ୍ୟ ନିଜକୁ ଅଛପା ରଖି କହନ୍ତି ଯେ ଏହିପରି ଶ୍ରମିକମାନଙ୍କୁ ବାହାରୁ ଆଣି ନିଯୁକ୍ତ କରାଇବାର ଏହି କାରବାରଟିରେ ପ୍ରକୃତରେ ନାନା ପ୍ରକାରେ ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ ଏବଂ ରେଲବାଇ ଟିକେଟ–ବିକ୍ରେତାମାନଙ୍କୁ ହାତଗୁଞ୍ଜା ଦେବା ହେଉଛି ସେଥିରୁ ମାତ୍ର ଗୋଟିଏ । ଶ୍ରମ-ବିଭାଗ, ରେଭିନିଉ ବିଭାଗର କର୍ମକର୍ତ୍ତା, ରେଲବାଇ ପୋଲିସ, ସ୍ଥାନୀୟ ପୋଲିସ୍ ସିପାହୀ,–ସମସ୍ତଙ୍କୁ ନିୟମିତ କିଛି କିଛି ଦେଉଥିଲେ ଯାଇ ପ୍ରତିବର୍ଷ ଶ୍ରମିକମାନଙ୍କୁ ବେଆଇନ୍ ଭାବରେ ଏଠାକୁ ଆଣିବା ସମ୍ଭବ ହୋଇଥାଏ । ଏବେ ତ ପୁଣି ଏଥିପାଇଁ ସ୍ଥାନୀୟ ଯୁବା-କ୍ଲବ’ ଗୁଡ଼ିକୁ ମଧ୍ୟ ଲାଞ୍ଚ ଦେବାକୁ ପଡ଼ୁଛି; ଠିକାଦାର ଏବଂ ଭାଟି-ମାଲିକମାନେ ଏହି ରୋଜଗାର-କ୍ଷେତ୍ରରେ ସେମାନଙ୍କୁ ତୁଷ୍ଟ କରନ୍ତୁ ବୋଲି ସେମାନେ ଦାବି କରିବାକୁ ଆରମ୍ଭ କଲେଣି । ନହେଲେ ସେମାନେ କର୍ତ୍ତୃପକ୍ଷଙ୍କ ପାଖରେ ଯାଇ ଅଭିଯୋଗ କରିବେ ବୋଲି ଧମକ ଦେଉଛନ୍ତି ।)

 

ପ୍ରତ୍ୟେକ ସପ୍ତାହରେ ପଥୁରିଆ ପ୍ରତି ଏକଶହ ଟଙ୍କା ହିସାବରେ ବିଳାସିନୀ ଏବଂ ଅନ୍ୟ ସବୁ ଶ୍ରମିକଙ୍କୁ ଆଗତୁରା ଯାହା ଦିଆ ଯାଉଥିଲା, ସେଥିରେ ଖୁବ୍ କଷ୍ଟରେ ହିଁ ଖାଇବା ଚାଉଳଗଣ୍ଡାକ କିଣାଯାଇ ପାରୁଥିଲା । ଗାଆଁରେ ତ କେବଳ କୁକୁଡ଼ାମାନେ ହିଁ ଏହାକୁ ଆହାରରୂପେ ଖାଉଥିଲେ । ପରିବା କିମ୍ବା ଡାଲିର କୌଣସି ପ୍ରଶ୍ନ ହିଁ ନଥିଲା, ମାତ୍ର ସେହି ଚାଉଳ କାଉର ସୁଆଦକୁ କିଛି ରୁଚିକର କରିବା ସକାଶେ ସେମାନେ ବେଳେବେଳେ କିଛି କଞ୍ଚା ଲଙ୍କା ଓ ପିଆଜ ବ୍ୟବହାର କରୁଥିଲେ । ହଁ, ସେହି ଅଧିକ ପଦାର୍ଥ ନିମନ୍ତେ ହାତରେ ଯେତେବେଳେ ପଇସା ରହୁଥିଲା ।

 

ପନ୍ଦର–ଘଣ୍ଟିଆ ଶ୍ରମର ଦିବସଟି ବଡ଼ି ଭୋର୍‍ ସମୟରୁ ଆରମ୍ଭ ହେଉଥିଲା ଏବଂ ବିଳାସିନୀ ତଥା ଅନ୍ୟ ସ୍ତ୍ରୀଲୋକମାନଙ୍କୁ ପ୍ରତ୍ୟୁଷ ତିନିଟାବେଳେ ଉଠିବାକୁ ପଡ଼ିଥିଲା । ଆଗ ପରିବାର ନିମନ୍ତେ ରନ୍ଧାବଢ଼ା ସାରିଲେ ତ ଯାଇ କାମକୁ ବାହାରିହେବ । ହଜାରେ ଇଟା ତିଆରି କଲେ ମଜୁରି ଷାଠିଏ ଟଙ୍କା । ଏତିକି କାମକୁ ପୂରା କରିବାଲାଗି ଗୋଟିଏ ପଥୁରିଆକୁ ହାରାହାରି ପନ୍ଦର ଘଣ୍ଟା ଅର୍ଥାତ୍ ଦିନଟାଏ ଲାଗି ଯାଉଥିଲା । ଅର୍ଥାତ୍, ପ୍ରତ୍ୟେକ ଶ୍ରମିକ ଦିନକୁ କୋଡ଼ିଏ ଟଙ୍କା ଅର୍ଜନ କରୁଥିଲା । ଆଇନ୍ ଅନୁସାରେ ସେଥିପାଇଁ ତାକୁ ଦୁଇଦିନର ଶ୍ରମ ସମୟ ଖଟାଇବାକୁ ହିଁ ପଡ଼ୁଥିଲା । ଆଇନ୍ ଅନୁସାରେ ନିର୍ଦ୍ଧାରିତ ସର୍ବନିମ୍ନ ଦୈନନ୍ଦିନ ମଜୁରିଠାରୁ ମଧ୍ୟ ତାହା କମ୍ ଥିଲା । ସ୍ଥାନୀୟ ଆନ୍ଧ୍ର ରାଜ୍ୟବାସୀ ଶ୍ରମିକମାନେ ଦାବି କରୁଥିବା ଦୈନିକ ମଜୁରିର ପ୍ରାୟ ଅର୍ଦ୍ଧାଂଶ ହିଁ ଥିଲା-। ଏବଂ, ସେହି କାରଣରୁ ହିଁ ଠିକାଦାରମାନେ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡ଼ିଶାର କୌଣସି ସ୍ଥାନକୁ ଉଜାଡ଼ି ଦେଇ ଏକ ଅଧିକ ଦରିଦ୍ର ଏବଂ ଅଧିକ ବାଧ୍ୟ ଶ୍ରମିକ-ବାହିନୀଟିଏ ଯୋଗାଡ଼ କରି ଆଣିବାକୁ ସର୍ବଦା ଅଧିକ ପସନ୍ଦ କରୁଥିଲେ ! ବିଳାସିନୀ, କ୍ଷୀରସିନ୍ଧୁ ଓ ସୁଜନ ବିରାମହୀନ ଭାବରେ ଯଥାସମ୍ଭବ ଅଧିକରୁ ଅଧିକ ଇଟା ତିଆରିରେ ବ୍ୟସ୍ତ ଥିବା ସମୟରେ ସାନଗୁଡ଼ିକ ସେହି ମାଟିଉପରେ ହିଁ ଖେଳିବାରେ ଲାଗିଥାଆନ୍ତି ଓ ବେଳେବେଳେ ଭେଁ ଭେଁ ହୋଇ କାନ୍ଦୁ ବି ଥାଆନ୍ତି-। କାରଣ, କରଜଟାକୁ ଶୁଝିବାକୁ ହେବ, ଏବଂ ଆଏବ ବରଷଟାକୁ ପେଟପାଇଁ କିଛି ଦାନା ମଧ୍ୟ ଯୋଗାଡ଼ କରିବାକୁ ହେବ ।

 

ଏହିପରି ଖଟିଖଟି ପ୍ରଥମ ଦୁଇମାସ ଚାଲିଗଲା ଓ ତା’ପରେ ୧୯୯୯ ମସିହା ଫେବ୍ରୁଆରୀ ମାସରେ ଦିନେ କ୍ଷୀରସିନ୍ଧୁର ପେଟରେ ଏପରି ଯନ୍ତ୍ରଣା ହେଲା ଯେ ସିଏ ଆଉ କାମକୁ ଯାଇପାରିଲା ନାହିଁ । ତହିଁ ଇଟାଭାଟି ମାଲିକ ଆନନ୍ଦରାଓ, ଶ୍ରମିକ ଠିକାଦାର ବିଶ୍ୱନାଥ ଓ ଭାଟିର ମୂନ୍‍ସୀ ଅର୍ଥାତ୍ ହିସାବରକ୍ଷୀ ସୁରେଶ ତାକୁ ଏକ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ବିଳାସିନୀ ଖୁବ୍ ନେହୁରା ହୋଇ କହିବାରୁ ସେମାନଙ୍କର ପୁଅ ସୁଜନ ମଧ୍ୟ ବାପ ସାଙ୍ଗରେ ଯାଇଥିଲା ।

 

ଏଇଟି ହିଁ ସ୍ୱାମୀର ଜୀବଦ୍ଦଶାରେ ତା’ ସହିତ ବିଳାସିନୀର ଶେଷ ସାକ୍ଷାତ ହୋଇ ରହିଲା । ଦୁଇଦିନ ପରେ ସ୍ୱାମୀ ଚାଲିଗଲେ ବୋଲି ଶ୍ରମିକ ଠିକାଦାର ବିଳାସିନୀକୁ ନିତାନ୍ତ ଅସଂପୃକ୍ତ ଭାବରେ ଜଣାଇ ଦେଇଥିଲେ । ଗୋଟାଏ କ’ଣ ଅପରେଶନ୍ ହେଲା ଓ ତା’ପରେ ରୋଗୀ ମରିଗଲା । ସେମାନେ ବିଳାସିନୀକୁ ଡାକ୍ତରଖାନାକୁ ନେଇ ନଥିଲେ । ଓଲଟି, ତା’ ସ୍ୱାମୀର ଶବକୁ ଆଣି ଭାଟି ପାଖରେ ଥିବା ଏକ ଅନାବାଦୀ ପଡ଼ିଆରେ ଫିଙ୍ଗି ଦିଆ ଯାଇଥିଲା । ଶବର ପାକସ୍ଥଳୀ ପାଖରେ ଦୁଇଟି ଜାଗାରେ ବେଶ୍ ବଡ଼ ବଡ଼ ଆକାରରେ କଟା ହୋଇଥିଲା ଏବଂ ତା’ ଦେହର ଅଣ୍ଟା ଉପରେ ଥିବା ଅବୟବଗୁଡ଼ିକ ବେଶ ଫୁଲି ଯାଇଥିଲେ । ଏବଂ, ପୁଅକୁ ମଧ୍ୟ କେଉଁଠି ହେଲେ ଦେଖିବାକୁ ମିଳିଲାନାହିଁ । ସେ କିଛି ନକହି କୁଆଡ଼େ କାହିଁକି ଅନ୍ତର୍ଦ୍ଧାନ ହୋଇଗଲା ବୋଲି ଠିକାଦାର ଆସି ବିଳାସିନୀକୁ କହିଥିଲେ । ଏବଂ, ହାଇଦରାବାଦ ପରି ଏଡ଼େ ବଡ଼ ଲୋକଗହଳି ସହର ଭିତରେ ସିଏ ନିଶ୍ଚୟ କୁଆଡ଼େ ହଜି ଯାଇଥିବ ।

 

ଏପରି ହଠାତ୍‍ ଓ ନାଟକୀୟ ଭାବରେ ଯେ ସବୁଟା ଏଭଳି ବଦଳିଗଲା, ସେଥିରେ ବିଳାସିନୀ ନିଜକୁ ଅତ୍ୟନ୍ତ ଅସ୍ତବ୍ୟସ୍ତ ହୋଇଗଲା ପରି ଅନୁଭବ କଲା । ପୁଅର ତଲାଶ ନମିଳିବା ଯାଏ ସ୍ୱାମୀର ଶବକୁ କଦାପି ସତ୍କାର କରାଯାଇ ପାରିବନାହିଁ ବୋଲି ସିଏ ଜିଦ୍ ଧରି ବସିଥାଏ; କ୍ରମେ ବାସି ହୋଇ ଆସୁଥିବା ମୁର୍ଦ୍ଦାରଟା ପାଖରେ ବସି କଇଁ କଇଁ ହୋଇ କାନ୍ଦିବାରେ ଲାଗିଥାଏ । ଦିନକ ପରେ ଭାଟିର ମାଲିକ ଓ ଠିକାଦାର ଆସି କହିଲେ ଯେ ଯେତେ ଖୋଜିଲେ ମଧ୍ୟ ପୁଅର କୌଣସି ପତ୍ତା ମିଳିନଥିଲା । ସେମାନେ ତା’ପରେ ପ୍ରାୟ ବଳପ୍ରୟୋଗ କରି ଶବଟିକୁ ସତ୍କାର ଉଦ୍ଦେଶ୍ୟରେ ସେଠାରୁ ନେଇ ଯାଇଥିଲେ । ବିଳାସିନୀର ପ୍ରତିବାଦଟାକୁ ପ୍ରତ୍ୟାଖ୍ୟାନ କରିବାକୁ ସେମାନଙ୍କୁ ଆଦୌ କୌଣସି ଆୟାସ କରିବାକୁ ପଡ଼ିନଥିଲା । ତା’ପରେ କିଛିଦିନ ନିମନ୍ତେ ଭାଟିର ବହୁସଂଖ୍ୟକ ଶ୍ରମିକ କାମ କରିବାକୁ ମୋଟେ ରାଜି ହୋଇ ନଥିଲେ ଏବଂ ସୁଜନକୁ ଖୋଜି ଆଣିବା ନିମନ୍ତେ ବାହାରି ପଡ଼ିଥିଲେ । ମାତ୍ର ପେଟର ଭୋକ ଓ ମାଲିକମାନଙ୍କର ଭୟ ପ୍ରଦର୍ଶନ ଅଚିରେ ସେହି ବିଦ୍ରୋହଟିକୁ ଶାନ୍ତ କରି ଆଣିଥିଲା ଏବଂ ସେମାନେ ପୁନର୍ବାର ଭାଟିକୁ ଫେରିଆସିଲେ, ଆଗ ପରି କାମରେ ଲାଗି ଯାଇଥିଲେ ।

 

ପ୍ରକୃତରେ କ’ଣ ଘଟିଛି ବା ନଘଟିଛି, ବିଳାସିନୀ ତାହାର କୌଣସି ଧାରଣା ହିଁ କରି ପାରୁନଥିଲା । ସହରରେ ମନୁଷ୍ୟ ଦେହର ବିଭିନ୍ନ ଅଂଶଗୁଡ଼ିକୁ ନେଇ ଯେଉଁ ଚୋରା ବେପାର ଚାଲିଥିଲା, ଲୋକେ ଆସି ତା’ କାନ ପାଖରେ ସେବିଷୟରେ ମଧ୍ୟ କେତେ କଥା କହିଥିଲେ । ସମ୍ଭବତଃ ତା’ସ୍ୱାମୀର ବୃକ୍କକୁ ତା’ ଦେହରୁ ବାହାର କରି ନିଆ ଯାଇଥିବ । ହୁଏତ ସୁଜନ ସେଥିରେ ପ୍ରତିବାଦ କରିଥିବାରୁ ତାକୁ ମଧ୍ୟ ହରଣ କରିନିଆ ଯାଇଥିବ । ସିଏ ବର୍ତ୍ତମାନ କେଉଁଠାରେ ଅଛି, କି ଅବସ୍ଥାରେ ଅଛି, କେବଳ ତାହା ସେଇ ଭଗବାନ ହିଁ ଜାଣନ୍ତି !

 

ଦିନେ, ଭାଟିର ମାଲିକ ଓ ଠିକାଦାର ଅନୁପସ୍ଥିତ ଥିବାର ସୁଯୋଗ ନେଇ ବିଳାସିନୀ ସେଠାରୁ ବାହାରି ଏକ ଥାନାରେ ଯାଇ ପହଞ୍ଚିଥିଲା । ସେଠାରେ ଖାକି ପିନ୍ଧା ବ୍ୟକ୍ତିମାନଙ୍କ ଆଗରେ ସିଏ ନିଜର ଏହି ନିଦାରୁଣ ଅବସ୍ଥାଟାକୁ ବର୍ଣ୍ଣନା କରି କହିଥିଲା; ସେମାନେ ତା’ ପୁଅଟିକୁ ଖୋଜି ପାଇବାରେ କିଛି ସାହାଯ୍ୟ କରନ୍ତୁ ବୋଲି ବହୁତ ଅନୁନୟ କଲା । ଖାକି ବାବୁମାନେ ନିଜ ଭିତରେ କ’ଣ ସବୁ ମନ୍ତ୍ରଣା କଲେ, ସେ ବିଷୟରେ ବିଳାସିନୀ ଆଦୌ କିଛି ବୁଝି ପାରିଲାନାହିଁ, କିନ୍ତୁ ଖାତାରେ କୌଣସି ଅଭିଯୋଗ ଦରଜ କରାଯାଇ ନଥିଲା ।

 

ଭାଟିକୁ ଫେରି ଆସିବାପରେ ବିଳାସିନୀ ଧରା ପଡ଼ିଲା ଏବଂ ଭାଟିର ମାଲିକ କ୍ରୋଧରେ ପାଚି ଲାଲ ହୋଇ ଯାଇଥିଲେ । ବିଳାସିନୀ ସେହି ଭାଟିରେ ଆଉ କେତେଟା ଦିନ କାମ କଲା ସିନା, କିନ୍ତୁ ତା’ ଭିତରଟା ଏପରି ଉତ୍ସାହହୀନ ହୋଇ ଯାଇଥିଲା ଯେ, ଭାଟିର ମାଲିକ ତାକୁ ଆଖର ମଜୁରି ହିସାବରେ ଏକଶହ ଟଙ୍କା ଦେଇ ବିଦା କରିଦେଲେ ଓ ଠିକାଦାର ମଧ୍ୟ ତା’ପାଇଁ ଘରକୁ ଫେରିଯିବା ନିମନ୍ତେ ଗୋଟିଏ ରେଳ ଟିକେଟ କିଣି ଆଣିଦେଲେ । ନିଜର ବାକି ଦୁଇଟି ପିଲାଙ୍କୁ ବିଳାସିନୀ ଦୁଇ କାଖରେ ଧରିଲା ଏବଂ ସେଥିପାଇଁ ନିଜର ସାମାନ୍ୟ ସାମାନପତ୍ର ଗୁଡ଼ିକୁ ସେଇଠି ଛାଡ଼ିଦେଇ ଚାଲି ଯାଇଥିଲା ।

 

ପ୍ରାୟ ତିନିମାସ ପୂର୍ବେ ବିଳାସିନୀ ଠିକ୍ ଏହିଭଳି ଯାତ୍ରାଟିଏ କରି ଘରୁ ହାଇଦରାବାଦ ଆସିଥିଲା । ହଁ, ଏଥର ତା’ ସ୍ୱାମୀ ଓ ତା’ ଭେଣ୍ଡା ହୋଇ ଆସୁଥିବା ପୁଅ ଅବଶ୍ୟ ସାଙ୍ଗରେ ନଥିଲେ ଏବଂ ରେଲଡ଼ବାରେ ମଧ୍ୟ ସେଥର ପରି ଏତେ ଭିଡ଼ ନଥିଲା । କଣ୍ଟାବାଂଜି ଷ୍ଟେସନରେ ଓହ୍ଲାଇ ନିଜ ଗ୍ରାମର କେତେଜଣ ଲୋକଙ୍କୁ ବେଶ୍ ଚିହ୍ନି ପାରିଲା । ସେହି ଲୋକମାନେ ତା’ର ଛୁଆମାନଙ୍କୁ କାଖ କରି ଧରିଲେ ଓ ବିଳାସିନୀ ଗୋଟିଏ ଗୋଟିଏ ଖୋଜ ଆଗକୁ ପକାଇ ଗ୍ରାମ ଅଭିମୁଖରେ ଯାତ୍ରା କରିଥିଲା ।

 

ଗାଆଁର ପ୍ରମୁଖମାନେ ବିଳାସିନୀଠାରୁ ତା’ ଆତଙ୍କପୂର୍ଣ୍ଣ କାହାଣୀଟିକୁ ଶୁଣିଲେ ଓ ତାକୁ ତୁରେଇକେଲା ଥାନାକୁ ନେଇଗଲେ । ତା’ର ସ୍ଵାମୀ କିପରି ମରିଗଲା ଓ ପୁଅଟି ଅନ୍ତର୍ଦ୍ଧାନ ହୋଇଗଲା, ବିଳାସିନୀ ଏମାନଙ୍କୁ ପୁନର୍ବାର ଗୋଟି ଗୋଟି କରି କହିଥିଲା,–ମାତ୍ର ସେମାନେ ଏ ବିଷୟରେ କିଛି କରିନଥିଲେ । ସେମାନେ ଓଲଟି ତାକୁ ଶ୍ରମବିଭାଗର କର୍ମକର୍ତ୍ତାମାନଙ୍କ ପାଖରେ ଏକ ଅଭିଯୋଗପତ୍ର ଦାଖଲ କରିବା ନିମନ୍ତେ ପରାମର୍ଶ ଦେଲେ । ସେହି ମୁତାବକ ଗ୍ରାମର ବୟୋଜ୍ୟେଷ୍ଠମାନଙ୍କର ମଦଦରେ ଟିଟିଲାଗଡ଼ରେ ଥିବା ଶ୍ରମବିଭାଗୀୟ ଉପକଚେରୀରେ ଗୋଟିଏ ଅଭିଯୋଗ ଦାଖଲ ହେଲା । ଏବେ ମଧ୍ୟ ମକଦ୍ଦମାଟିର ବିଚାର ଶେଷ ହୋଇନାହିଁ । ହଁ, ବିଳାସିନୀ ଜିଲ୍ଲା କଲେକ୍ଟରଙ୍କ ପାଖରେ ମଧ୍ୟ ଏକ ଦରଖାସ୍ତ ପକାଇଛି, ମାତ୍ର ସେଇଟିରୁ ମଧ୍ୟ କୌଣସି ଫଳ ଫଳିନାହିଁ ।

 

‘ବିକଳ୍ପ’ ନାମକ ଗୋଟିଏ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର କେତେଜଣ କ୍ଷେତ୍ରକର୍ମୀ,–ଏହି ସଂଗଠନଟି ସେତେବେଳେ ତୁରେଇକେଲା ଓ ବଙ୍ଗମୁଣ୍ଡାରେ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିଲା,–ବିଳାସିନୀର ଘଟଣାଟିକୁ ଜାଣିଥିଲେ,–ସିଏ ସହ୍ୟ କରିଥିବା ଅନ୍ୟାୟ ବିଷୟରେ ଅବଗତ ହେଲେ । ଘଟଣାଟି ଗୋଟିଏ ସ୍ଥାନୀୟ ଖବରକାଗଜରେ ଛପା ହୋଇ ବାହାରିଥିଲା,–ଏହାଦ୍ୱାରା ଟିଟିଲାଗଡ଼ରେ ଥିବା ଶ୍ରମିକ-ସମ୍ବନ୍ଧୀ ଉପ–ନ୍ୟାୟାଳୟରେ କିଛିଦିନ ଉଦବେଳନ ବି ସୃଷ୍ଟି କରିଥିଲା,–ମାତ୍ର ଦୁଇ ତିନିଥର ଶୁଣାଣି ହେବାପରେ ବ୍ୟାପାରଟି ପୁନର୍ବାର ଶାନ୍ତ ପଡ଼ିଗଲା ଓ ସବୁକଥା ପୁଣି ପୂର୍ବବତ୍ ଚାଲିବାକୁ ଆରମ୍ଭ କଲା ।

 

କ୍ଷେତ୍ରକର୍ମୀମାନେ ବିଳାସିନୀକୁ ଜିଲ୍ଲା କଲେକ୍ଟରଙ୍କ ପାଖକୁ ନେଲେ । କଲେକ୍ଟର କହିଥିଲେ ଯେ ସେ ଖୁବବେଶୀ ହେଲେ ବିଳାସିନୀକୁ କିଛି ମୃତ୍ୟୁଜନିତ କ୍ଷତିପୂରଣ ଦିଆଇ ଦେଇ ପାରିବେ । ମାତ୍ର, ସେଥିରେ ମଧ୍ୟ ପ୍ରତିବନ୍ଧକ ରହିଛି, କାରଣ ମୃତ୍ୟୁ ବିଷୟରେ ବିଳାସିନୀ ପାଖରେ କୌଣସି ପ୍ରମାଣପତ୍ର ନଥିଲା । ଏପରିକି, ହାଇଦରାବାଦ ଥାନାରେ ଦିଆ ଯାଇଥିବା ସେହି ଏତଲାର ଗୋଟିଏ ନକଲ ଥିଲେ ବି ସେଥିରୁ କିଛି ପ୍ରମାଣ ଅଛି ବୋଲି ସାବ୍ୟସ୍ତ ହୋଇଥାଆନ୍ତା । ମାତ୍ର, ଉପସ୍ଥିତ କ୍ଷେତ୍ରଟିରେ, ତା’ ସ୍ୱାମୀ ଯେ ପ୍ରକୃତରେ ମୃତ, ସେହି କଥାଟିର ଆଉ କି ପ୍ରମାଣ ଦେଇହେବ ?

 

ଏହି କଲେକ୍ଟର ବଦଳି ହୋଇ ଚାଲିଗଲେ, ତାଙ୍କ ଜାଗାରେ ଆଉଜଣେ ଆସିଲେ । ସିଏ ବି ବିଳାସିନୀକୁ ସାହାଯ୍ୟ କରି ପାରିବାର କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରିଥିଲେ ମାତ୍ର ମୃତ୍ୟୁ ବିଷୟରେ ଅବଶ୍ୟ କୌଣସି ପ୍ରମାଣପତ୍ର ମାଗିନଥିଲେ । ତଥାପି, ବିଚାରୀ ପାଇଁ ବହୁ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ନିଜ ପାଖରେ ରହିଥିବା ରେଡ୍‍କ୍ରସ ପାଣ୍ଠିରୁ ବିଳାସିନୀ ପାଇଁ ୫୦ କିଲୋ ଧାନ ଓ ଖଣ୍ଡେ ଶାଢ଼ି ଦିଆଇଦେଲେ । ଏତକ ସରିଗଲେ ତା’ପରେ ସିଏ କଣ ଖାଇବ ବା କ’ଣ ପିନ୍ଧିବ, ସିଏ ସେ ବିଷୟରେ ଆଦୌ କିଛି ପଚାରିଲେ ନାହିଁ ।

 

ସ୍ଵାମୀ ମରିଯିବା ଓ ପୁଅ ଅନ୍ତର୍ଦ୍ଧାନ ହୋଇଯିବାର ଦେଢ଼ବର୍ଷ ପରେ ଆମେ ବିଳାସିନୀ ସହିତ ଯାଇ କଥାବାର୍ତ୍ତା କଲୁ । ଜଣେ ପ୍ରତିବେଶୀର ମାଟି ପଲସ୍ତରା ଦିଆ କୁଟୀର ବାହାରେ ସିଏ ମୌନ ଏବଂ ଅତ୍ୟନ୍ତ ବିମୂଢ଼ ଭାବରେ ବସି ରହିଥିଲା । ବୟସ ତୁଳନାରେ ଅଧିକ ବୟସର ହୋଇ ଯାଇଥିବା ପରି ଦେଖା ଯାଉଥିଲା,–ଗୋଟାଏ ପାରମ୍ପରିକ ଶାଗୁଆ ରଙ୍ଗର ଶାଢ଼ି ତା’ର ପାତଳା କ୍ଷିନ୍ନ ଦେହଟିକୁ ଆଚ୍ଛାଦିତ କରି ରଖିଥାଏ । ମୁଣ୍ଡର ବାଳ ସଂପୂର୍ଣ୍ଣ ଭାବରେ ଅବିନ୍ୟସ୍ତ,–ପିଲାଦିନେ ଫୋଡ଼ା ହୋଇଥିବା କାନ ଓ ନାକରେ ଗହଣା ବୋଲି କିଛି ନଥାଏ,–ଚିତା କୁଟା ହୋଇଥିବା ହାତ ଦୁଇଟା ମଧ୍ୟ ନଙ୍ଗଳା ରହିଥିଲା । ମୁଣ୍ଡରେ ବଡ଼ା ଘାଆ ହୋଇଥିବା ତା’ର ତିନି ବର୍ଷ ବୟସର ନଙ୍ଗଳା ପୁଅଟି ତାକୁ ଯାବୁଡ଼ି ଧରିଥାଏ । ପୁଅଟି ଠାରୁ ଅଳପ ବଡ଼ ଝିଅଟି ମଧ୍ୟ ମଉଳନ ପଡ଼ି ଆସୁଥିବା ଚିରା ଫ୍ରକ୍‍ଟିଏ ପିନ୍ଧି ନୀରବରେ ମାଆ ପାଖରେ ଠିଆ ହୋଇଥାଏ । ବିଳାସିନୀର ଦିଅରମାନେ ତା’ର କୌଣସି ଦେଖାଶୁଣା କରୁନଥିଲେ, ପୈତୃକ ଜମିରୁ ମଧ୍ୟ ତାକୁ ଭାଗ ଦେଇ ନଥିଲେ । ତା’ ବାପାଙ୍କର ଏକ ପଚିଶି ଡିସିମିଲ ଜମି ଉପରେ । ତା’ର କକା ଓ ବଡ଼ବାପା ପୁଅ ଭାଇମାନଙ୍କର ପୂରା ସ୍ୱତ୍ୱ ରହିଥିଲା । ସେମାନେ ସେହି ଜମିକୁ ବିଳାସିନୀକୁ ଫେରାଇ ଦେବାପାଇଁ ଆଦୌ ରାଜି ହେଉନଥାନ୍ତି, ସିଏ ତା’ ବାପର ଏକମାତ୍ର ୱ୍ୱାରିସ୍ ଥିଲେ ମଧ୍ୟ ତଥାପି ଫେରାଉ ନଥାନ୍ତି । ଜାଳେଣି କାଠ କାଟି ଆଣି ବିକ୍ରୀ କରିବା ହିଁ ବିଳାସିନୀର ଗୋଟିଏ ମାତ୍ର ଜୀବିକା ନିର୍ବାହଗତ ଉପାୟ ହୋଇ ରହିଥିଲା ଓ ସେଥିରେ କ୍ୱଚିତ୍ ପେଟ ପୂରୁଥିଲା । ଦିନେ ଛାଡ଼ି ଦିନେ ଆଠ କିଲୋମିଟର୍ ବାଟ ଚାଲି ଚାଲି ସେ କଣ୍ଟାବାଂଜି ବଜାରକୁ ଯାଇ ପୁଣି ସେତିକି ବାଟ ଫେରୁଥିଲା,–କାଠ ବିକି ଯୋଉଦିନ ଯେତିକି ମିଳୁଥିଲା, ସେତିକି ଧରି ଫେରୁଥିଲା ।

 

ବଲାଙ୍ଗିର ଜିଲ୍ଲା ବିଷୟରେ ରହିଥିବା ସରକାରୀ ରେକର୍ଡ୍‍ରୁ ଜଣାଯାଏ ଯେ, ଗତ ବର୍ଷ କେବଳ ୮୩୦, ଜଣ ଲୋକ ସେହି ଜିଲ୍ଲାରୁ ବାହାରକୁ ଚାଲି ଯାଇଛନ୍ତି । କିନ୍ତୁ ମାତ୍ର ଅଢ଼େଇ ଘଣ୍ଟାର ବାଟ ଗାଡ଼ିରେ ବସି କଲେକ୍ଟରଙ୍କ ଅଫିସରୁ କଣ୍ଟାବାଂଜି ରେଳଷ୍ଟେସନ ଯାଏ; ଚାଲିଗଲେ ସଂପୂର୍ଣ୍ଣ ପ୍ରମାଣ ମିଳିଯାଆନ୍ତା ଯେ, ବାହାରକୁ ଯାଉଥିବା ଲୋକଙ୍କର ଯେକୌଣସି ଗୋଟିଏ ଦିନର ସଂଖ୍ୟା ପ୍ରକୃତରେ କଲେକ୍ଟରଙ୍କ ଅଫିସରେ ରେକର୍ଡ୍ ହୋଇ ରହିଥିବା ବାର୍ଷିକ ସଂଖ୍ୟାଠାରୁ ମଧ୍ୟ କେତେଗୁଣ ଅଧିକ । କେତେ ଶ୍ରମିକ ବସ୍ ଓ ଟ୍ରକରେ ମଧ୍ୟ ଚାଲି ଯାଉଥିବେ । କିନ୍ତୁ, ପ୍ରକୃତ ସଂଖ୍ୟାଟିକୁ ସରକାର ସ୍ୱୀକାର କରିନେଲେ ତଦ୍ଦ୍ୱାରା ଏହି କିସମର ଶ୍ରମିକମାନଙ୍କର ସୁରକ୍ଷା ନିମନ୍ତେ ମଧ୍ୟ ସରକାରଙ୍କୁ ଦାୟିତ୍ୱ ବହନ କରିବାକୁ ପଡ଼ିବ । ତେଣୁ, ସରକାର ସେଇଟିକୁ ଦେଖିବେ ନାହିଁ ବୋଲି ଅଧିକ ବିହିତ ବୋଲି, ଭାବୁଛନ୍ତି । ସରକାର ସେଥିପାଇଁ କହିଥାନ୍ତି ଯେ, ଏହି ଶ୍ରମିକମାନେ ନିଜ ଇଚ୍ଛାରେ ହିଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି,–ସେଥିରେ କେହି ମଧ୍ୟସ୍ଥି କରୁନାହାନ୍ତି କିମ୍ବା ଆଗତୁରା ଅର୍ଥକରଜ ମଧ୍ୟ ଦେଉନାହାନ୍ତି ।

 

ଗୋଟିଏ ଜିଲ୍ଲାରୁ ଆଉଗୋଟିଏ ଜିଲ୍ଲାକୁ

 

ଶ୍ରମିକମାନେ ଚାଲି ଯାଉଥିବାର ଘଟଣାଟିକୁ ରୋକିପାରିବା ନିମନ୍ତେ ଆଇନମାନ ରହିଛି, ଯେପରିକି ସେମାନେ ବାଧ୍ୟତାମୂଳକ ଭାବରେ ସରକାରୀ ହିସାବଖାତାରେ ଉଲ୍ଲିଖିତ ହୋଇ ରହିବେ ଓ ସେମାନଙ୍କର ପ୍ରାପ୍ୟ ଅଧିକାରଗୁଡ଼ିକର ମଧ୍ୟ ସୁରକ୍ଷା ହେବ । ଗୋତି ପ୍ରଥା ଓ ଶିଶୁ ଶ୍ରମିକ ନିଯୁକ୍ତ କରାଇବାର ରୀତିଟିକୁ ନିଷିଦ୍ଧ କରି ଆହୁରି କେତେ ଆଇନ୍ ମଧ୍ୟ ରହିଛି । ହଁ, ସର୍ବନିମ୍ନ ମଜୁରି ବିଷୟରେ ମଧ୍ୟ ଆଇନ୍ କରାଯାଇଛି । ମହିଳାମାନଙ୍କର ମଧ୍ୟ ଜମି ଉପରେ ରହିଥିବା ଅଧିକାର ଗୁଡ଼ିକୁ ସୁରକ୍ଷିତ କରି ରଖିବାର ପ୍ରତ୍ୟାଶାରେ ଜମିଜମା ବିଷୟରେ ବିଶେଷ ନ୍ୟାୟାଳୟଗୁଡ଼ିକୁ, କରାଯାଇଛି । ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ତରଫରୁ ଡାକ୍ତରଖାନାମାନ ଅଛି, ଏବଂ ସେଗୁଡ଼ିକରେ ଦେଶର ସର୍ବୋତ୍ତମ ରୂପେ ଖ୍ୟାତି ଅର୍ଜିଥିବା କେତେ ଡାକ୍ତର ନିଯୁକ୍ତ ହୋଇ ରହିଛନ୍ତି । ମନୁଷ୍ୟଠାରୁ ତା’ର ଅଙ୍ଗପ୍ରତ୍ୟଙ୍ଗ କାଢ଼ି ନେଇଯିବା ଓ କାହାକୁ ଅପହରଣ କରିନେବା,–ଏଗୁଡ଼ିକୁ ଗୋଟିଏ ଗୋଟିଏ ବଡ଼ ଅପରାଧ ବୋଲି ଘୋଷଣା କରାଯାଇଛି । ସଂପୃକ୍ତ ସମସ୍ତେ, ବିଶେଷତଃ ଦରିଦ୍ରମାନେ ଯେପରି ନ୍ୟାୟ ପାଇବେ, ସେଥିଲାଗି ଥାନାମାନ ଅଛି, ଜିଲ୍ଲା କଲେକ୍ଟରମାନେ ରହିଛନ୍ତି,–ନ୍ୟାୟାଳୟଗୁଡ଼ିକର ସ୍ଥାପନା କରାଯାଇଛି ।

 

ଏବଂ ତଥାପି, କୌଣସି କାରଣରୁ, କୌଣସି ଛିଦ୍ର କେଉଁଠାରେ ରହିଥିବା ହେତୁ ଏଗୁଡ଼ିକ ସବୁକିଛି ବିଳାସିନୀକୁ କେବଳ ଏଡ଼ିଦେଇ ଚାଲି ଯାଇଥିବା ପରି ବୋଧ ହେଉଛି ।

☆☆☆

 

ସରପଞ୍ଚଙ୍କର ମୋହର

 

ମାତ୍ର ଗୋଟାଏ ଦିନରେ ପ୍ୟାରଚାନ୍ଦର୍ ଜଗତଟି ଏପରି ଭାବରେ ବଦଳିଗଲା ଯେ ସେହି ଆଗର ଅବସ୍ଥାଟି ଆଦୌ ଲେଉଟି ପାରିଲାନାହିଁ ।

 

ବହୁ ବର୍ଷ ପୂର୍ବେ, ପ୍ୟାର୍‍ଚାନ୍ଦକୁ ଦାରୁଣ ଦାରିଦ୍ର୍ୟ ଓ ବର୍ଷ ବର୍ଷ ଲାଗି ରହିଥିବା ମରୁଡ଼ିର ତାଡ଼ନାରେ ମଧ୍ୟ-ରାଜସ୍ଥାନର ରାଜସମୁନ୍ଦ ଜିଲ୍ଲାରେ ଅବସ୍ଥିତ ନିଜ ଗାଆଁ ଉପର୍‍ଓ୍ୱାସ୍‍ରୁ ଅନ୍ୟତ୍ର ଚାଲିଯିବାକୁ ପଡ଼ିଥିଲା । ନିଜର ବୋଲି ବକଟେମାତ୍ର ଢିପ ଶୁଖିଲା ଜମିକୁ ସିଏ ସରକାରଙ୍କ ଠାରୁ ପାଇଥିଲା; ମାତ୍ର ଆଉଜଣେ ବ୍ୟକ୍ତି ଆସି ସେଥିରୁ ଅରାଟାଏ କବରଦଖଲ କରିନେଲା ଏବଂ ତା’ପରେ ଆଉ ଯେତିକି ବାକି ରହି ଯାଇଥିଲା, ସେଥିରୁ କୌଣସି ଫସଲ ମିଳୁ ନଥିଲା । ତା’ପରେ ସିଏ କେତେ କ’ଣ ଧନ୍ଦାକୁ ନେଇ ନିଜର ଭାଗ୍ୟପରୀକ୍ଷା କଲା,–ରିଲିଫ କାର୍ଯ୍ୟକ୍ରମରେ ମୂଲ ଖଟିଲା, ଗଧମାନଙ୍କ ଉପରେ ଲୋକମାନଙ୍କର ମୋଟ ବୋହିଲା, ଗାଆଁରେ ହେଉଥିବା ମେଳାମାନଙ୍କରେ କପଡ଼ା ବିକ୍ରୀ କଲା, ମେଣ୍ଢା ପାଳିଥିଲା,–କିନ୍ତୁ ପରିବାରର ପେଟକୁ ମୁଠାଏ ଅନ୍ନ ଏବଂ ଦେହକୁ ଲୁଗା ଯୋଗାଇ ପାରିବା ନିମନ୍ତେ ତାହା ଆଦୌ ଯଥେଷ୍ଟ ହେଲାନାହିଁ । ଏଣେ ସଂସାରଟି ବଢ଼ିବାରେ ଲାଗିଥାଏ; ତା’ର ଚାରୋଟି ପୁଅ ଏବଂ ତିନୋଟି ଝିଅ ସତେ ଅବା ସର୍ବଦା ହିଁ ଭୋକର ଗାରପାଖରେ ଯାଇ ରହିଛନ୍ତି ପରି ବୋଧ ହେଉଥିଲା ।

 

ସବୁମନ୍ତେ ଶ୍ରମ ଖଟି ନିରାଶ ହେବା ପରେ ଶେଷକୁ ଯେତେବେଳେ ତା’ ଶଳାମାନେ ସୁରତ ଯାଇ ସେମାନଙ୍କ ସହିତ କାମ କରିବାକୁ ତାକୁ ଡକାଇ ପଠାଇଲେ, ସେତେବେଳେ ଏଥର ତା’ର ସକଳ ଦୁଃଖର ଅନ୍ତ ହେଲା ବୋଲି ସିଏ ପ୍ରକୃତରେ ବିଶ୍ୱାସ କରିଥିଲା । ସୁରତ ହେଉଛି ପଡ଼ିଶା ରାଜ୍ୟ ଗୁଜରାଟରେ ଗୋଟିଏ ଖୁବ୍ ସମୃଦ୍ଧିଶାଳୀ ସହର,–ସେଠାରେ କେତେ କେତେ ଶିଳ୍ପକାରଖାନା ଭର୍ତ୍ତି ହୋଇ ରହିଥିଲା । ସୁରତରେ ମଧ୍ୟ ପ୍ୟାର୍‍ଚାନ୍ଦ ବିଭିନ୍ନ କାମର ମାଧ୍ୟମରେ ଆପଣାର ସଂଘର୍ଷକୁ ଜାରି ରଖିଲା, ଶେଷକୁ କିରାସିନୀ ବିକ୍ରୀ କରିବାର ଠେଲାଗାଡ଼ିଟିଏ ଧରି ସହରର ଗଳିମାନଙ୍କରେ ବୁଲିବାରେ ଆସି ପହଞ୍ଚିଥିଲା । ଏଥର ଫୀ’ ମାସ ପରିବାର ସକାଶେ ଘରକୁ ଟଙ୍କା ପଠାଇ ପାରିଲା,–କିଛି ସଂଚୟ ବି କରିଥିଲା । ଖୁବ୍ ଗୁଡ଼ାଏ ଯେ କମାଇ ପାରିଲା,–ସେକଥା ଆଦୌ ନୁହେଁ,–ତଥାପି ବେଶ୍ ସନ୍ତୁଷ୍ଟ ରହି ପାରୁଥିଲା । ଏମିତି ବହୁବର୍ଷ ଚାଲିଗଲା ଓ ତା’ର ଜୀବନଟି ଏହି ସାନ ଗୁଳାଟିରେ ସୁରୁଖୁରୁ ହୋଇ ଚାଲି ବି ଯାଉଥିଲା ।

 

ପ୍ୟାର୍‍ଚାନ୍ଦକୁ ତା’ ସାଙ୍ଗମାନେ ପ୍ୟାର୍‍ଜୀ ବୋଲି ଡାକୁଥିଲେ;–ଏହାପରେ ଯେ ତା’ପାଇଁ କ’ଣ ଅପେକ୍ଷା କରି ରହିଛି, ସେକଥା ସେ ସ୍ୱପ୍ନରେ ମଧ୍ୟ କେବେ ଭାବୁନଥିଲା । ଦିନକର ଦୀର୍ଘ ଦିନମାନର ଖଟଣି ପରେ ସେ ଭାରି କ୍ଳାନ୍ତ ହୋଇ ସୁରତର ଏକ ବସ୍ତିରେ ଥିବା ନିଜ ଘରକୁ ଫେରି ଆସିଲା ଏବଂ ଏକାବେଳକେ ତାଟକା ହୋଇ ଦେଖିବାକୁ ପାଇଲା ଯେ, ରାଜସ୍ଥାନରେ ଥିବା ତା’ ଗାଆଁର ଦି’ଜଣ ଖୁବ କ୍ଷମତାଶାଳୀ ବ୍ୟକ୍ତି-ନାଥୁଲାଲ ଗୁଜ୍ଜଡ୍ ଓ ହରିସିଂହ ସୋଲାଙ୍କି,–ତା’ପାଇଁ ଅପେକ୍ଷା କରି ବସିଛନ୍ତି । ପ୍ୟାର୍‍ଚାନ୍ଦ ଭାରି ଆତଙ୍କିତ ହୋଇ ପଡ଼ିଥିଲା ।

 

ପ୍ୟାର୍‍ଜୀ କେତେଥର ତା’ ଗାଆଁକୁ ଯାଇଥିଲା ସିନା, କିନ୍ତୁ ଆଗରୁ ଏହି ବ୍ୟକ୍ତିମାନଙ୍କ ସହିତ କଥା ହେବାପାଇଁ କେବେ ସାହସ ହିଁ କରିନଥିଲା । ବିଚରା ଦଳିତ ବର୍ଗର ମାମୁଲି ମଣିଷଟିଏ,–ସିଏ ନିଜର ସ୍ଥାନ ଓ ସ୍ଥିତିଟି ବିଷୟରେ ସଚେତନ ଥିଲା ଓ ସେହି ସତ୍ୟଟିକୁ ଗ୍ରହଣ କରି ନେଇଥିଲା । ତେଣୁ, ଆଜି ତା’ ଘର ଦୁଆରମୁହଁରେ ଏହି ବଡ଼ ବଡ଼ ବ୍ୟକ୍ତିମାନେ କ’ଣ ପାଇଁ ଆସି ଅପେକ୍ଷା କରିଛନ୍ତି ?

 

ସେହି ବ୍ୟକ୍ତିମନେ କେମିତି ଗୋଟାଏ ଅଡ଼ୁଆ ଲାଗୁଥିବା ଡଙ୍ଗରେ ତାକୁ ରାମ୍ ରାମ୍ କଲେ ଓ ସିଧା ଅସଲ କଥାଟିକୁ କହିବା ଆରମ୍ଭ କରିଦେଲେ । ସେମାନେ କହିଲେ, ଆମେ ସମସ୍ତେ ନିଷ୍ପତ୍ତି କରିଛୁ ଯେ, ଏଥର ତୁ ଆମ ଗାଆଁର ସରପଞ୍ଚ ହୋଇ ଭୋଟରେ ଛିଡ଼ା ହେବୁ । ପ୍ୟାର୍‍ଜୀ ନିଜର କାନକୁ ବିଶ୍ୱାସ କରିପାରିଲା ନାହିଁ । ସିଏ ଗୋଟିଏ ଅତି ନ୍ୟୁନ ଦଳିତ ଜାତିର ଲୋକ, ସେଠି ପେଟ ପୋଷିବାକୁ ଠେଲା ଗାଡ଼ିରେ କିରାସିନି ତେଲ ବିକ୍ରୀ କରୁଥିଲା,–ସିଏ ପୁଣି କିପରି ଗ୍ରାମର ସରପଞ୍ଚ ହେବାକୁ ଆଶା କରିପାରିବ ?

 

ଆଗନ୍ତୁକ ଦୁହେଁ କହିଥିଲେ, ପ୍ରକୃତ ସମସ୍ୟାଟି ହେଉଛି ଯେ, ସରକାର ତଫସିଲଭୁକ୍ତ ଜାତିମାନଙ୍କ ସକାଶେ ସେମାନଙ୍କ ପଞ୍ଚାୟତରେ ସରପଞ୍ଚ ପଦଟିକୁ ରିଜର୍ଭ କରି ରଖିଛନ୍ତି । ତେଣୁ, ଆଗାମୀ ନିର୍ବାଚନରେ, ସେମାନେ କେହି ଠିଆ ହୋଇ ପାରିବେନାହିଁ । ତେଣୁ, ଏଥିପାଇଁ ସେମାନେ ଏହି ପଦଟି ସକାଶେ ଏହି ପ୍ୟାର୍‍ଜୀକୁ ବାଛିଛନ୍ତି । କିନ୍ତୁ, ସେମାନେ ତାକୁ କାହିଁକି ଯେ ବାଛିଛନ୍ତି, ସେ ବିଷୟରେ ଖୋଲି କରି କିଛି କହିନଥିଲେ ।

 

ଗାଆଁର ଠାକୁର ନଇନ୍‍ସିଂହ ସୋଲାଙ୍କି ଏହି ଦେଶରେ ଚାଳିଶି ବର୍ଷ ହେବ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ଅପ୍ରତିଦ୍ୱନ୍ଦୀ ଭାବରେ ସାମନ୍ତବାଦୀ ସର୍ବେସର୍ବା ହୋଇ ରହି ଆସିଛି, ସିଏ ସାଂବିଧାନିକ ସଂଶୋଧନଟିର ଏହି ୭୩ତମ ଦଫାଟିର କିପରି ସର୍ବୋତ୍ତମ ଭାବରେ ସମ୍ମୁଖୀନ ହେବାକୁ ପଡ଼ିବ, ସେହି ବିଷୟରେ ନିଜର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ସହିତ ବିଶଦ ଭାବରେ ପରାମର୍ଶ କରିଛନ୍ତି । ୧୯୯୫ ମସିହାର ସେହି ସଂଶୋଧନଟି ଅନୁସାରେ ସରପଞ୍ଚର ସ୍ଥାନଟି ତଫସିଲଭୁକ୍ତ ଜାତିମାନଙ୍କ ପାଇଁ ରିଜର୍ଭ ହୋଇ ରହିଛି, ଏବଂ ତେଣୁ ତାଙ୍କ ନିଜଲୋକମାନଙ୍କ ଭିତରୁ ଆଉ କେହିହେଲେ ନିର୍ବାଚନରେ ଠିଆ ହୋଇ ପାରିବେ ନାହିଁ । ମାତ୍ର, କ୍ଷମତାଟା ଏପରି ଭାବରେ ହାତରୁ ଖସି ଚାଲିଯିବ, ପୂର୍ବତନ ସେହି ନେତାମାନେ ତାହା କେବେହେଲେ ସହି ପାରିବେନାହିଁ ଏବଂ, ପଞ୍ଚାୟତରେ ଗୋଟାଏ ଅଛୁଆଁ ଜାତିର ମଣିଷ ସେହି ପଦରେ ଯାଇ ବସିବ ସେମାନେ ସେହି ଅପମାନଟାକୁ ମାନି ନେବାଲାଗି ତ ଆହୁରି କମ୍ ରାଜି ହେବେ । ଗାଆଁରେ ତଫସିଲଭୁକ୍ତ ଯେଉଁ ମେଘ୍‍ଓ୍ୱାଲମାନଙ୍କର ଜାତିଟା ସମସ୍ତଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇ ରହିଛି ସେମାନେ ନିଜ ସଂଖ୍ୟାଧିକ୍ୟର ବଳରେ ଅପେକ୍ଷାକୃତ ଅଧିକ ସବଳ ହୋଇଉଠିଛନ୍ତି ଓ ପଦଟା; ସେମାନଙ୍କୁ ହିଁ ଅବଶ୍ୟ ମିଳିବ ବୋଲି ପୂରା ବିଶ୍ୱାସ ବି କରୁଛନ୍ତି । ଏବଂ, ଅନ୍ୟପକ୍ଷରେ, ଖାଟିକ୍ ଜାତିର ମାତ୍ର ଅଳ୍ପ କେତେ ଘର ହିଁ ରହିଛନ୍ତି । ନଇନସିଂହ ଓ ତାଙ୍କର ନିଜ ଲୋକମାନେ ଅନୁସନ୍ଧାନ କରି ବୁଝିଲେ ଯେ, ସେହି ଖଟିକ୍‌ମାନଙ୍କ ମଧ୍ୟରେ ପ୍ୟାର୍‍ଜୀ ହେଉଛି ସବୁଠାରୁ ଅଧିକ ଅନୁଗତ ସ୍ୱଭାବର ଲୋକଟିଏ, ଖୁବ୍ ସହଜରେ ହିଁ କଥା ମାନିଯିବାର ମଣିଷ । ପ୍ୟାର୍‍ଜୀ , ବେଶ୍ କେତେ ବର୍ଷ ହେଲା ଦୂର ସୁରତ ସହରକୁ ଚାଲିଯାଇଛି ଓ ଠେଲାଗାଡ଼ିରେ କିରାସିନି ବିକ୍ରୀ କରି ଚଳୁଚି ବୋଲି ସେମାନେ ଖବର ପାଇଗଲେ । ଏହି ପ୍ୟାର୍‍ଜୀ ହିଁ ସରପଞ୍ଚ ହିସାବରେ ସେମାନଙ୍କ ପାଇଁ ସର୍ବୋତ୍ତମ ହେବ ବୋଲି ସେମାନେ ସ୍ଥିର କଲେ । ତା’ପରେ ସେମାନେ ତାହାକୁ ମାଧ୍ୟମ କରି ଗାଆଁରୁ ଆପଣାର ପାରମ୍ପରିକ ଆଧିପତ୍ୟକୁ ନିଶ୍ଚୟ ବଜାୟ ରଖି ପାରିବେ । ତେଣୁ, ସ୍ଥିର ହେଲା ଯେ ଦୁଇଜଣ ଲୋକ ତୁରନ୍ତ ସୁରତ ଯାଆନ୍ତୁ ଓ ପ୍ୟାର୍‍ଜୀକୁ ନିର୍ବାଚନରେ ଛିଡ଼ା ହେବା ନିମନ୍ତେ ରାଜି କରାଇ ଆଣନ୍ତୁ । ମନୋନୟନ କାଗଜପତ୍ର ଦାଖଲ କରିବା ସକାଶେ, ତୁ ଆଉ ଅଳ୍ପ କେତେଟା ଦିନ ରହିଥିଲା ଏବଂ ତେଣୁ ଢିଲା ହେବାର କୌଣସି ପ୍ରଶ୍ନ ହିଁ ନଥିଲା ।

 

ପ୍ୟାର୍‍ଜୀର ମୁଣ୍ଡ ଘୁରିଗଲା I ଗାଆଁର ସରପଞ୍ଚ ହେବ ବୋଲି ସିଏ ଆଗରୁ କେବେ କଳ୍ପନା ହିଁ କରିଥିଲା । ସିଏ ମନା କରିବାରେ ଲାଗିଥାଏ; ମୁଁ ତ ମୋଟେ ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଛି; ଗୋଟିଏ ପଞ୍ଚାୟତ କାର୍ଯ୍ୟ କରିବା ବିଷୟରେ ମୁଁ ରାମ ବିଷ୍ଣୁ କିଛି ହେଲେ କାଣେନାହିଁ । ଏଠାରେ-ସୁରତରେ ଛୋଟ ଖାଟ କିରାସିନି ବ୍ୟବସାୟଟିଏ କରେ, କିନ୍ତୁ ତଥାପି ନିଶ୍ଚିତ ଭାବରେ କିଛି ଉପାର୍ଜନ ସମ୍ଭବ ହୋଇଯାଉଛି ଏବଂ, ଏତିକି ପାଖରେ ଆସି ପହଞ୍ଚିବାକୁ ମୋତେ ତେର କେତେ ନା କେତେ ବର୍ଷ ବଡ଼ ସଂଗ୍ରାମ କରିବାକୁ ପଡ଼ିଛି । ଭୋଟରେ ଠିଆ ହେବାକୁ ତ ବହୁତ ପଇସା ଲୋଡ଼ୁ,–ମୁଁ କୋଉଠୁ ଏତେ ପଇସା ଖରଚ କରି ପାରିଛି, ?

 

କିନ୍ତୁ, ଠାକୁର ନଇନ୍ ସିଂହଙ୍କ ଦ୍ୱାରା ପ୍ରେରିତ ଏହି ବ୍ୟକ୍ତିମାନେ ତା’ର ଆପତ୍ତିଗୁଡ଼ିକୁ ଶୁଣିବା ପାଇଁ ଆଦୌ ଇଚ୍ଛା କରୁନଥିଲେ । ସବୁ ଆପତ୍ତିଗୁଡ଼ିକୁ କାଟିଦିଆ ଯାଇଥିଲା । ଆମେ ସମସ୍ତେ ତୋତେ ସାହାଯ୍ୟ କରିବୁ, ସବୁଥିରେ ତୋତେ ବାଟ ଦେଖାଉଥିବୁ,–ସେମାନେ ପ୍ୟାର୍‍ଜୀକୁ ପୂରା ଆଶ୍ୱାସନା ଦେଇଥିଲେ । ଭୋଟରେ ତୋ’ ହାତରୁ ପଇସାଟିଏ ବି ଖର୍ଚ୍ଚ ହେବନାହିଁ, ଯାହା ଦରକାର ହେବ, ଆମେ ଦେବୁ ।

 

ଗୋଟିଏ ନିରୀହ, ଭୀତ ଓ ପଛଧାଡ଼ୀର ମଣିଷ ଆଉ କେତେ ସମୟ ପାଇଁ ନିଜ ଗାଆଁର ଏହି ନଛୋଡ଼ବନ୍ଧା ଏବଂ ତୋଖଡ଼ ବ୍ୟକ୍ତିମାନଙ୍କୁ ପ୍ରତିରୋଧ କରିପାରନ୍ତା ? ଦିନ ଗୋଟାକ ମଧ୍ୟରେ ହିଁ ତାକୁ ନିଜ ଜୀବନଯାକର ସଞ୍ଚୟ ସହିତ ହାତରେ, ସାନ ବୋକଚାଟିଏ ଧରି ଜିପରେ ଯାଇ ବସିବାକୁ ହେଲା । ଖୁବ୍ ଡର ହିଁ ମାଡ଼ୁଥାଏ । ତଥାପି, ଗୋପନରେ, ନିଜର ଭବିଷ୍ୟ ବିଷୟରେ ସେ, କିଞ୍ଚିତ୍ ହରଷିତ ବି ଅନୁଭବ କରୁଥାଏ ।

 

ବଡ଼ ଝାପ୍‍ସା ଭାବରେ ପ୍ୟାର୍‍ଜୀ ନିଜର ସେହି ନିର୍ବାଚନ ଲଢ଼ିବାର ଅଭିଯାନଟିକୁ ସ୍ମରଣ କରି ପାରୁଛି । ସବୁବେଳେ ତା’ ଚାରିପାଖରେ ପ୍ରବଳ ବଳର ଅଧିକାରୀ ନଇନ୍ ସିଂହ ଓ ତା’ ଦଳର ଅନ୍ୟମାନେ ତାକୁ ବେଢ଼ି ରହିଥିଲେ, ତେଣୁ ତାକୁ କେବେହେଲେ କୌଣସି ଭାଷଣ ଦେବାକୁ ହୋଇନଥିଲା । ସିଏ ଏତିକି ହେତୁ କରି କହିପାରୁଛି ଯେ, ଜିପରେ ବସି ପ୍ରାୟ ଅସୁମାରି ଭାବରେ ତାକୁ କେତେ କୁଆଡ଼େ ଯିବାକୁ ପଡ଼ୁଥିଲା,–ରାସ୍ତାର ସେଇ ଧୂଳି ଭିତରେ ପିଲାମାନେ କେଡ଼େ ଉତ୍ତେଜିତ ହୋଇ ଜିପ୍ ପଛେ ପଛେ ଦଉଡ଼ୁଥିଲେ,–ଗୋଟାଏ ଲାଓଡ୍‍ ସ୍ପିକର୍‍ ତା’ ନାଆଁଟାକୁ ଏଡ଼େବଡ଼ ପାଟିରେ କହି ତାକୁ ସମସ୍ତେ ଅବଶ୍ୟ ଭୋଟ ଦେବେ ବୋଲି ନିବେଦନ କରୁଥିଲେ, ଗାଆଁରେ ଥିବା ଘରମାନଙ୍କର କାନ୍ଥରେ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ତା’ ନାଆଁ ଲେଖା ହୋଇ ରହିଥିଲା,–ଗାଆଁ ଚଉପାଢ଼ୀମାନଙ୍କରେ ସଭା ହେଉଥିଲା ଓ ଜାତିଆଣ ବୈଠକମାନଙ୍କରେ ସେହି ବିଷୟରେ ସମସ୍ତେ ବସି ଗପସପ ବି ହେଉଥିଲେ । ଏବଂ, ଶେଷ ରାତିକୁ, ପଞ୍ଚାୟତର ସବୁ ଘରେ ଦେଶୀ ମଦ ବିତରଣ କରାଗଲା । ସମସ୍ତେ ନିଶା ଜୋରରେ ଟଳଟଳ ହେବାରେ ଲାଗିଥିଲେ,–ସତେ ଯେପରି କ’ଣ ଗୋଟାଏ ପର୍ବ ଲାଗିଛି କିମ୍ବା ବାହାଘର ପାଇଁ ଉତ୍ସବ କରାହେଉଛି ! ଏବଂ, ଶେଷରେ ଯେତେବେଳେ ସମସ୍ତେ ଭୋଟ ଦେବାପରେ ସେଗୁଡ଼ିକର ଗଣତି ହେଲା,–ପ୍ୟାର୍‍ଜୀ  ବହୁତ ଅଧିକ ଭୋଟରେ ହିଁ ଜୟଲାଭ କଲା । ତା’ ସପକ୍ଷରେ ୯୬୬ ଖଣ୍ଡ ଭୋଟ୍ ପଡ଼ିଥିଲା ଓ ତା’ର ନିକଟତମ ପ୍ରତିଦ୍ୱନ୍ଦୀ ମୋଟେ ୬୭୨ ଖଣ୍ଡ ପାଇଥିଲା ।

 

ଭୋଟ୍‍ର ପରବର୍ତ୍ତୀ ସେହି ମହା-ଉତ୍ସାହପୂର୍ଣ୍ଣ ପର୍ଯ୍ୟାୟରେ ଦିନେ ଲକ୍ଷ୍ମଣ ଦାସଠାରୁ ପ୍ୟାର୍‍ଜୀ ଗୋଟିଏ ଖରଚର ହିସାବଚିଠା ପାଇଲା । ତା’ ଭୋଟରେ ଯାହା ଖର୍ଚ୍ଚ ହୋଇଥିଲା, ବର୍ତ୍ତମାନ ପ୍ୟାର୍‍ଜୀକୁ ହିଁ ତାହା ଶୁଝିବାକୁ ପଡ଼ିବ । ସେକଥା ଶୁଣିବା ମାତ୍ରରେ ପ୍ୟାର୍‍ଜୀ ବସିଥିବା ଆସନ ଉପରୁ ଭୂଇଁ ଉପରକୁ ହିଁ ଗଡ଼ି ପଡ଼ିବାପରି ଅନୁଭବ କରିଥିଲା । ବିଚରା ନିଜର କ୍ଷୀଣ ପ୍ରତିବାଦଟିକୁ ଜଣାଇ କହିଥିଲା ଯେ, ତା’ହାତରୁ କୌଣସି ଭୋଟ୍‍ ବାବତ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ ବୋଲି ତାକୁ ପ୍ରଥମରୁ ହିଁ ଜବାବ, ଦିଆ ଯାଇଥିଲା । ମାତ୍ର, ଏବେ ସେହି କଥାଟି ସତେଅବା କାହାର ହିଁ ମନେ ନଥିଲା । ହଁ, ତାକୁ କୁହାଯାଇଥିଲା ଯେ, ଜିପ୍‍ ଭଡ଼ାରେ ଆଣିବା ଖରଚ ବତିଶି ହଜାର ଟଙ୍କା, ତା’ରି ଭିତରେ ଡିସେଲ ଓ ମଦଖରକୁ ମଧ୍ୟ ଏକାଠି ମିଶାଇ ଦିଆଯାଇଛି । ପୁନଶ୍ଚ, ମେଣ୍ଢା କିଣିବାରେ ପ୍ୟାର୍‍ଜୀ  ପୂର୍ବରୁ କରିଥିବା ଗୋଟିଏ ୨୪୦୦ ଟଙ୍କାର କରଜ ମଧ୍ୟ ଶୁଝି ଦିଆଯାଇଛି,–କାରଣ, ଆଇନ୍ ଅନୁସାରେ ଜଣେ ପ୍ରାର୍ଥୀ ସମ୍ପୂର୍ଣ୍ଣ ଭାବରେ ଋଣମୁକ୍ତ ହୋଇଥିବା ମଧ୍ୟ ଦରକାର, ବ୍ୟାଙ୍କ୍‍ର କୌଣସି କରଜ ମଧ୍ୟ ବାକି ରହିଥିବା ଅନୁଚିତ । ସୁରତରେ ମେହେନତ ଖଟି ବିଚରା ପ୍ୟାର୍‍ଜୀ ସର୍ବମୋଟେ ୧୮,୦୦୦ ଟଙ୍କା ସଞ୍ଚୟ କରି ପାରିଥିଲା,–ବର୍ତ୍ତମାନ ସେହି ଟଙ୍କାକୁ ଲକ୍ଷ୍ମଣ ଦାସକୁ ହିଁ ଦେବାକୁ ହେଲା । ତା’ର ହୃଦୟ ସତେଅବା ଫାଟିଯିବା ପରି ହେଉଥାଏ; କିନ୍ତୁ ତଥାପି ଆହୁରି ୧୭,୦୦୦ ଟଙ୍କା ବାକି ରହିଥିଲା । ସେତିକ ସକାଶେ ଲକ୍ଷ୍ମଣ ଦାସ ତାକୁ କରଜ ସୂତ୍ରରେ ଟଙ୍କା ଦେବାପାଇଁ ରାଜି ହେଲା । ପ୍ୟାର୍‍ଜୀ କହୁଥାଏ, ସେହି କରଜ ଶୁଝିବାକୁ ମୁଁ କେବେହେଲେ ବି ସମର୍ଥ ହେବି ? ମାତ୍ର ଲକ୍ଷ୍ମଣ ଦାସ ଖୁବ୍ ଭରସା ଦେଇ କହିଥିଲା ଯେ, ପଞ୍ଚାୟତରେ ରହି ବହୁ ଉପାୟରେ ଅବଶ୍ୟ ପଇସା କମାଇହେବ ଏବଂ ତେଣୁ ସେହିପରି ଭାବରେ ପ୍ୟାର୍‍ଜୀ ଅଚିରେ ଋଣଟିକୁ ପରିଶୋଧ କରିଦେଇ ପାରିବ । ନିଜପାଇଁ କିଛି ଅଧିକା ମଧ୍ୟ ସାଇତି ରଖାଯାଇ ପାରିବ । ପ୍ୟାର୍‍ଜୀ  ତ ବର୍ତ୍ତମାନ ସରପଞ୍ଚ ହେଲାଣି, ତେଣୁ ଚିନ୍ତା କରିବାର କ’ଣ ଅଛି ?

 

ପଞ୍ଚାୟତ ଅଫିସରେ ସେକ୍ରେଟରୀ ଗୋପୀଲାଲ ରେଗାର୍ ପ୍ୟାର୍‍ଜୀକୁ କେବଳ ସରପଞ୍ଚର ମୋହରଟିକୁ ଆଣି ଦେଇଥିଲା । ସବୁଯାକ ଚାବି ଓ କାଗଜପତ୍ରକୁ ନିଜ ହାତରେ ରଖିଲା ଏବଂ ଗୋଟାସୁଦ୍ଧା ସିଧା କହି ଦେଇଥିଲା ଯେ ସେସବୁଥିରେ ତା’ର ଆଦୌ କୌଣସି ପ୍ରୟୋଜନ ହିଁ ନଥିଲା । ଯେତେବେଳେ ସରପଞ୍ଚ ହିସାବରେ ସ୍ଵାକ୍ଷର କରିବାକୁ ପଡ଼ିବ, ସେତେବେଳେ ଗୋପୀଲାଲ ତାକୁ ଉଚିତ ଜାଗାଟିକୁ ନିଶ୍ଚୟ ଦେଖାଇ ଦେଉଥିବ । ପ୍ୟାର୍‍ଜୀ ଯାହାକିଛି ଉପରେ ଦସ୍ତଖତ କରିବ, ମୋହରଟାରୁ ହିଁ ତାହାର ପ୍ରାମାଣିକତା ସାବ୍ୟସ୍ତ ହୋଇଯିବ ।

 

ଏହିପରି ଭାବରେ ହିଁ ଉମର୍‍ୱାସ୍ ପଞ୍ଚାୟତରେ ପ୍ୟାର୍‍ଚାନ୍ଦ୍ ଖଟିକ୍‍ର କାରିନ୍ଦାପଣ ଆରମ୍ଭ ହୋଇ ଯାଇଥିଲା । ସିଏ ଯେତେଦିନ ଯାଏ ସରପଞ୍ଚ ପଦରେ ରହିଲା, ଜଣେ ଦଳିତ ହିସାବରେ ତାକୁ ବଡ଼ ଏକୁଟିଆ ଲାଗୁଥିଲା,–ବଡ଼ ନିରୀହ, ନିର୍ବୋଧ ଅଜ୍ଞାନ ଲୋକଟିଏ ପରି ଲାଗୁଥାଏ, ଯାହାକୁ କି ତା’ପାଇଁ ଆଦୌ କୌଣସି ଅର୍ଥ ନଥିବା ଏକ କ୍ଷମତାସ୍ଥାନରେ ଆଣି ବସାଇ ଦିଆଯାଇଛି । ଏପରି ଗୋଟିଏ ସ୍ଥାନ, ଯାହାକି ତା’ପାଇଁ ସଂପୂର୍ଣ୍ଣ ଭାବରେ ବିନାଶର ହିଁ ଏକ କାରଣ ହେବାର ଆଶଙ୍କା ମଧ୍ୟ ରହିଥିଲା । ପଞ୍ଚାୟତର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସ୍ୱୟଂ ନଇନ୍ ସିଂହ ଥିଲେ, ଏବଂ ଉଚ୍ଚବର୍ଣ୍ଣର ତାଙ୍କରି ହିଁ କିଛି ଆପଣା ଲୋକ ରହିଥିଲେ । ମହିଳାଙ୍କ ନିମନ୍ତେ ନିର୍ଦ୍ଧାରିତ ସ୍ଥାନଟିରେ ଲକ୍ଷ୍ମଣ ଦାସର ପତ୍ନୀ ରହିଥିଲେ,–ସିଏ ପଞ୍ଚାୟତର କୌଣସି ବୈଠକକୁ ଆସୁନଥିଲେ । କୌଣସି ସମୟରେ ତାଙ୍କ ଦସ୍ତଖତ ଦରକାର ହେଲେ ସ୍ୱାମୀ ଲକ୍ଷ୍ମଣ ଦାସହିଁ କାଗଜ ଉପରେ ନିଜର ଟିପଚିହ୍ନଟିଏ ଲଗାଇ ଦେଉଥିଲେ ।

 

ପ୍ୟାର୍‍ଜୀ  ତ ଚତୁର୍ଥଯାଏ ପାଠ ପଢ଼ିଥିଲେ ଏବଂ ତେଣୁ ନିଜର ନାଆଁଟିକୁ ଅବଶ୍ୟ ନିଜେ ଲେଖି ପାରୁଥିଲେ । ହଁ, ପ୍ରଥମେ ପ୍ରଥମେ ନିଜ ନାଆଁଟା ଦସ୍ତଖତ କରିଦେବାକୁ ସେ ଯଥେଷ୍ଟ ବୋଲି ଭାବୁଥିଲେ ଏବଂ, ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ତାଙ୍କୁ ଯେଉଁଠାରେ ନିଜର ମୋହରଟି ଲଗାଇବା ନିମନ୍ତେ କୁହା ଯାଉଥିଲା, ସେଠାରେ ମୋହର ବସାଇ ଲଗାଇ ଦେଉଥିଲେ । ଜଣେ ସରପଞ୍ଚ ହିସାବରେ ତାଙ୍କୁ ଯେତିକି ଭତ୍ତା ମିଳିବା କଥା, ତାହାକୁ ସେ ନିଜେ କେବେହେଲେ ପାଉ ନଥିଲେ, ତାଙ୍କର ଏଭଳି ଗୋଟିଏ ଭତ୍ତା ପାଇବାର ବିଧାନ ରହିଛି ବୋଲି ମଧ୍ୟ ତାଙ୍କୁ ଜଣା ନଥିଲା । କିନ୍ତୁ, ନଇନ୍ ସିଂହ ଅଥବା ଲକ୍ଷ୍ମଣ ଦାସ ତାଙ୍କୁ ତାଙ୍କର ‘ନିଜ ଖରଚ’ ପାଇଁ ମଝିରେ ମଝିରେ ଏକ ହଜାର ଟଙ୍କା ଲେଖାଏଁ ଆସି ଦେଇ ଯାଉଥିଲେ । ନାନା ବେଆଇନ ରୀତିରେ ଯେ ଟଙ୍କା ଉପାର୍ଜନ କରା ଯାଉଛି, ଏହି କଥାଟି ତାଙ୍କୁ ସମୟକ୍ରମେ ମୋଟେ ଅଛପା ରହିଲାନାହିଁ । ମାତ୍ର, ଯେତେବେଳେ ସିଏ କିଛି ସାହସ କରି ଏସବୁ ବିଷୟରେ ସନ୍ଧାନ ନେବାକୁ ଇଚ୍ଛା କରିଥିଲେ, ସେତେବେଳେ ତାଙ୍କ ନିର୍ବାଚନ ସମୟରେ କରା ଯାଇଥିବା ‘କରଜ’ଟାର ପରିଶୋଧ କରିବା ସକାଶେ ତାଙ୍କୁ ସ୍ମରଣ କରାଇ ଦିଆ ଯାଉଥିଲା । କ୍ରମେ, ଏବିଷୟରେ ସେ ଅଧିକ ଉଦବେଗ ପ୍ରକାଶ କରନ୍ତେ, ତାଙ୍କୁ ଗୋଟିଏ ଟ୍ରାକ୍ଟର୍ ପାଇଁ ମଧ୍ୟ ଋଣ ଦିଆଗଲା,–ଆନୁଷଙ୍ଗିକ ଏକ ସହାୟତାରୂପେ ଏଇଟି ଦିଆଗଲା, ଏବଂ ସେଥିପାଇଁ ପ୍ୟାର୍‍ଜୀଙ୍କୁ ସୁରତଠାରେ ଥିବା ଅବଶିଷ୍ଟ ସମ୍ପତ୍ତିଗୁଡ଼ିକୁ ବିକ୍ରୀ କରିଦେବାକୁ ମଧ୍ୟ ପଡ଼ିଲା । ତାଙ୍କୁ ଜବାବ ଦିଆ ଯାଇଥିଲା ଯେ, ନିର୍ବାଚନ-ସମ୍ପର୍କୀୟ ଉଧାରଟଙ୍କା ପରି ଏହି କରଜଟିକୁ ମଧ୍ୟ ଏକ ଅନୁରୂପ ପ୍ରକାରେ ଶୁଝି ଦିଆଯିବ । ପରେ ପୁନର୍ବାର କୁହା ବି ଗଲା ଯେ, ଟ୍ରାକ୍ଟରଟା ବାବଦ ତାଙ୍କ ନାମରେ ହୋଇଥିବା ଋଣଟିକୁ ସିଏ ଏପର୍ଯ୍ୟନ୍ତ ପଇଠ କରି ପାରୁନାହାନ୍ତି । ଏବଂ, ‘ତେଣୁ, ଟ୍ରାକ୍ଟରଟା ନେଇ ନିଆ ଯାଇଥିଲା,–ଏବ’ ତାଙ୍କର ଆନୁଷଙ୍ଗିକଟି ମଧ୍ୟ କ୍ରମେ କୃଶ ହୋଇ ଆସୁଥାଏ ।

 

ଏହିପରି ଭାବରେ କେତେ ମାସ ଗତ ହୋଇଯିବା ପରେ,–ଏବଂ, ତୁହାକୁ ତୁହା ତାଙ୍କ ଆଗରେ ଆଣି ରଖା ଯାଉଥିବା କାଗଜାତ୍‍ ଉପରେ ସେ ନିଜ ମୋହର ଲଗାଇ ସ୍ୱାକ୍ଷର ବି କରି ଦେଉଥିଲେ,–ପ୍ୟାର୍‍ଜୀ କ୍ରମଶଃ ବୁଝିବାକୁ ଆରମ୍ଭ କଲେ ଯେ, ଅନ୍ୟମାନେ ତାଙ୍କ ବେକରେ ଆଣି ଗୋଟାଏ ପଘା ଲଗାଇଦେଇ ସାରିଲେଣି ଓ ସେଇଟିକୁ ସେମାନେ କ୍ରମେ ଅଧିକ ଟାଇଟ୍ କରି ଆଣିବାକୁ ମଧ୍ୟ ମନସ୍ଥ କଲେଣି । ବିଳମ୍ଭ ହୋଇ ଯାଇଥିଲେ ମଧ୍ୟ ସେ ପ୍ରତିରୋଧ କରିବାକୁ ବି ଆରମ୍ଭ କଲେ,–ତଥାପି ବଡ଼ ଭୀତତ୍ରସ୍ତ ହୋଇ ରହିବାକୁ ପଡ଼ୁଥାଏ । ସେହି ଖଳ ଦଳଟି ତାଙ୍କୁ ଖୁବ୍ ଭୟ ଦେଖାଉଥାନ୍ତି ଓ ଧମକ ମଧ୍ୟ ଦେଉଥାଆନ୍ତି । ପ୍ୟାର୍‍ଜୀ ବଡ଼ ଏକୁଟିଆ ହୋଇ ଯାଉଥିଲେ, ଖୁବ୍ ଡରିଗଲେ ଏବଂ ସେମାନେ ଯେପରି କହୁଥିଲେ, ସେହିପରି ହିଁ କରିବାରେ ଲାଗିଲେ ।

 

ତା’ପରେ ପ୍ୟାର୍‍ଜୀ ଏଭଳି ଗୋଟିଏ ସଂଗଠନ ବିଷୟରେ ଶୁଣିବାକୁ ପାଇଲେ, ଯାହାକି ସେହି ଅଞ୍ଚଳରେ ହେଉଥିବା ଦୁର୍ନୀତିଗୁଡ଼ିକର ପ୍ରତିରୋଧ କରୁଥିଲା । ମଜଦୁର କିସାନ ଶକ୍ତି ସଂଗଠନ ନାମକ ଏହି ସଂସ୍ଥାଟିର କର୍ମୀମାନେ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ ଏବଂ ସେମାନେ କରୁଥିବା ସଂଗ୍ରାମ ଗୁଡ଼ିକରେ ଅମିତ ସାହସର ପରିଚୟ ଦେଉଥିଲେ । ଦେବଡ଼ୁଙ୍ଗରି ନାମକ ଏକ ପାଖଗାଆଁର ଦୁଇଟି ଚାଳ ଘରେ ରହି ସେମାନେ ଆପଣାର କାର୍ଯ୍ୟ କରୁଥାଆନ୍ତି । ରିଲିଫ୍‌କାର୍ଯ୍ୟ ତଥା ଗ୍ରାମଗୁଡ଼ିକରେ କରା ହେଉଥିବା ନାନାବିଧ ବିକାଶମୂଳକ କାର୍ଯ୍ୟକ୍ରମମାନଙ୍କରେ କରା ଯାଉଥିବା ଦୁର୍ନୀତିର ପ୍ରତିରୋଧ କରିବା ଲାଗି ସଂସ୍ଥା ତରଫରୁ ଏକାଧିକ ‘ଜନ-ଶୁଣାଣି’ର ଆୟୋଜନ କରା ଯାଉଥିଲା । ଏହି ଜନ-ଶୁଣାଣିକୁ ସମସ୍ତଙ୍କର ଭାରି ଭୟ ରହିଥିଲା : ସ୍ଥାନୀୟ ଗ୍ରାମବାସୀମାନେ ସମବେତ ହୋଇଥିବା ସେହି ଅବସରମାନଙ୍କରେ ସଂଗଠନଟି ତରଫରୁ ଗ୍ରାମମାନଙ୍କରେ କରା ଯାଇଥିବା ସାଧାରଣ କାର୍ଯ୍ୟ ବାବତ ଖର୍ଚ୍ଚଗୁଡ଼ିକର ହିସାବ ଏବଂ ଅନ୍ୟାନ୍ୟ କାଗଜଗୁଡ଼ିକର ଯାଞ୍ଚ ହେଉଥିଲା, ଏବଂ ସେଇଥିରୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ନାନା ଦୃଷ୍ଟାନ୍ତ ଖୋଜି ବାହାର କରା ଯାଉଥିଲା । ପଞ୍ଚାୟତର ଯାବତୀୟ କାର୍ଯ୍ୟ ଓ କାରବାରରେ କ’ଣ ସବୁ ହେଉଛି ବା ନହେଉଛି, ତାଙ୍କ ଗ୍ରାମର ଲୋକମାନେ ସେସବୁ ଜାଣନ୍ତୁ ବୋଲି ପ୍ୟାର୍‍ଜୀ ଇଚ୍ଛା କଲେ । ତେଣୁ, ଦିନେ ରାତିରେ ସିଏ କାହାକୁ କିଛି ନକହି ଗୋପନରେ ଯାଇ ଉକ୍ତ ସଂସ୍ଥାଟି ସହିତ ସମ୍ପର୍କ ସ୍ଥାପନ କରିଥିଲେ ।

 

ସଂସ୍ଥାର କର୍ମୀମାନେ ପ୍ରଥମେ ଭାରି ସଂଶୟ ପ୍ରକାଶ କଲେ । ସେମାନେ ଅନୁମାନ କରିଥିଲେ ଯେ, ଏଭଳି ଉପାୟଟିଏ ବାହାର କରି ପ୍ୟାର୍‍ଜୀ ଆପେ କରିଥିବା ବହୁ ବହୁ ଦୁର୍ନୀତିର ପରିଣାମଗୁଡ଼ିକରୁ ରକ୍ଷା ପାଇଯିବାକୁ ଫିକର କରୁଛନ୍ତି, ତଥାପି, ସେମାନେ ପ୍ରକୃତ ବ୍ୟାପାରଟିକୁ ବୁଝିବା ଲାଗି ପଞ୍ଚାୟତରେ ଥିବା ଗ୍ରାମଗୁଡ଼ିକୁ ଯିବା ଆରମ୍ଭ କଲେ, ସେତେବେଳେ ପ୍ରକୃତ କଥାଟି କ୍ରମଶଃ ସେମାନଙ୍କର ଗୋଚର ମଧ୍ୟକୁ ଆସିବା ଆରମ୍ଭ କଲା । ପ୍ୟାର୍‍ଜୀଙ୍କୁ କେବେ ଭେଟି ନଥିବା ଏକ କର୍ମୀଦଳ ଯେତେବେଳେ ତାଙ୍କ ଗ୍ରାମକୁ ଆସିଲେ, ସେତେବେଳେ ସେମାନେ ସରପଞ୍ଚଙ୍କ ଘରକୁ ଯିବାର ବାଟ କେତେକ ଲୋକଙ୍କୁ ପଚାରି ବୁଝିଥିଲେ । ତାଙ୍କ ଘରେ ପହଞ୍ଚି ସେମାନେ ରାଜସ୍ଥାନର ଗାଆଁଗୁଡ଼ିକରେ ଦେଖିବାକୁ ମିଳୁଥିବା ଅତ୍ୟନ୍ତ ପରିଚିତ ଦୃଶ୍ୟଟିଏ ଦେଖିବାକୁ ପାଇଲେ । ଜଣେ ବ୍ୟକ୍ତି ଗୋଟିଏ ଦଉଡ଼ି ଖଟ ଉପରେ ରାଜା ପରି ଆସୀନ ଥିଲା ଏବଂ ଆଉଜଣେ ବ୍ୟକ୍ତି ଅତ୍ୟନ୍ତ ବିନୟର ସହିତ ତଳେ ଚଟାଣ ଉପରେ ହାତ ଯୋଡ଼ି ବସି ରହିଥିଲା । ସେମାନେ ନ୍ୟାୟତଃ ଅନୁମାନ କରି ନେଇଥିଲେ ଯେ, ଖଟିଆ ଉପରେ ସ୍ୱୟଂ ସରପଞ୍ଚ ହିଁ ବସିଥିବେ,–ମାତ୍ର ପ୍ରକୃତରେ ସେଠାରେ ନଇନ୍ ସିଂହ ବସିଥିଲେ ଏବଂ ତଳେ ସରପଞ୍ଚ ପ୍ୟାର୍‍ଜୀ ଯୁକ୍ତକର ହୋଇ ବସିଥିଲେ ।

 

ଅଧିକ ଅନୁସନ୍ଧାନ କରି କର୍ମୀମାନେ ବହୁ ଆଶ୍ଚର୍ଯ୍ୟଜନକ ଦୁର୍ନୀତି ତଥା ପଦର ଅପବ୍ୟବହାରର ଘଟଣାମାନଙ୍କ ବିଷୟରେ ଅବଗତ ହୋଇଥିଲେ,–ନିର୍ଲଜ୍ଜତା ତଥା ମାତ୍ରାରେ ସେହି ଘଟଣାମାନ ପ୍ରକୃତରେ ଅସାଧାରଣ ହିଁ ଥିଲା । ଏଣେ, ପ୍ୟାର୍‍ଜୀ ଏକ ‘ଜନ ଶୁଣାଣି’ ଡାକିବା ବିଷୟରେ ଆପଣାର ଦାବିଟିକୁ କରିବାରେ ଲାଗିଥାନ୍ତି । ସଂସ୍ଥାର କର୍ମୀଗଣ ପ୍ରକୃତରେ ଏକ ଧର୍ମସଂକଟରେ ହିଁ ପଡ଼ି ଯାଇଥିଲେ,–କାରଣ, ସେମାନେ ସୁନିଶ୍ଚିତ ଭାବରେ ଏହି କଥାଟି ମଧ୍ୟ ଜାଣି ପାରୁଥାନ୍ତି ଯେ ଆଚରିତ ଅପରାଧ ଗୁଡ଼ିକର ଜାଲ ଭିତରେ ସ୍ଵୟଂ ପ୍ୟାର୍‍ଜୀ ମଧ୍ୟ ଅବଶ୍ୟ ପଡ଼ିବେ । ସେମାନେ ପ୍ୟାର୍‍ଜୀଙ୍କୁ ସମସ୍ତ କଥା ବୁଝାଇ କହିଥିଲେ, କିନ୍ତୁ ତେବେ ସୁଦ୍ଧା ପ୍ୟାର୍‍ଜୀ ଏକ ଜନ ଶୁଣାଣି ହେଉ ବୋଲି ଜିଦ୍ ଧରି ଥାଆନ୍ତି । ମୁଁ ଜାଣିଛି ଯେ ଆଇନ୍ ମୋତେ ମଧ୍ୟ ଅବଶ୍ୟ ଦୋଷୀ କରିବ,–ପ୍ୟାର୍‍ଜୀ କହିଥିଲେ,–ତଥାପି ପ୍ରକୃତ ଚୋରମାନେ ଯେ କିଏ, ଗ୍ରାମବାସୀ ସେକଥା ଜାଣନ୍ତୁ, ମୁଁ ସେହିକଥା ହିଁ ଇଚ୍ଛା କରୁଛି । ନିଜ ମନ ଭିତରେ ସେ ଯେତେ ଭୀତତ୍ରସ୍ତ ହୋଇ ରହିଥିଲେ ମଧ୍ୟ,–ଏବଂ ଜଣେ ସାଧାରଣ ଦଳିତ ହିସାବରେ ସିଏ ସତକୁ ସତ ଖୁବ୍ ଭୀତ ହୋଇ ରହିଥିଲେ, ପ୍ୟାର୍‍ଜୀ ସର୍ବୋପରି ପୂର୍ଣ୍ଣ ନିଃସନ୍ଦେହ ଭାବରେ ଗ୍ରାମର ଅଧିବାସୀମାନଙ୍କର ଆଖିରେ ଆପଣାର ସମ୍ମାନ ଫେରି ପାଇବାଲାଗି ହିଁ ଇଚ୍ଛା କରୁଥିଲେ ।

 

ଏବଂ ତେଣୁ, ମଜଦୁର କିସାନ ଶକ୍ତି ସଂଗଠନ ସହିତ ପ୍ରଥମ ପରିଚୟରେ ଆସିବାର ଦୁଇବର୍ଷ ପରେ ୧୯୯୯ ମସିହା ଡିସେମ୍ବର ୧୮ ତାରିଖ ଦିନ ବୋରି ନାମକ ଏକ ଗ୍ରାମରେ ସତକୁ ସତ ‘ଗୋଟିଏ ଜନଶୁଣାଣିର ବନ୍ଦୋବସ୍ତ କରା ଯାଇଥିଲା । ଅବଶ୍ୟ, ଇତ୍ୟବସରେ ପ୍ୟାର୍‍ଜୀଙ୍କୁ ନିଜର ଦୃଢ଼ ହୋଇ ରହିବାର ମୂଲ୍ୟଟିକୁ ମଧ୍ୟ ଦେବାକୁ ପଡ଼ି ସାରିଥିଲା । ପ୍ରଥମତଃ, ୧୯୯୭ ମସିହା ମଇମାସରେ ଅନ୍ୟ ପଞ୍ଚମାନେ ତାଙ୍କ ବିରୋଧରେ ବିଧିବଦ୍ଧ ଭାବରେ ଏକ ଅବିଶ୍ୱାସ ପ୍ରସ୍ତାବ ଗୃହୀତ କରାଇ ନେଇଥିଲେ । କିନ୍ତୁ, ଏହି ପ୍ରସ୍ତାବଟିକୁ ଆଇନତଃ କାର୍ଯ୍ୟକାରୀ ହେବାର ନିଷ୍ପତ୍ତି ନେବାପାଇଁ ପଞ୍ଚାୟତର ଆବଶ୍ୟକ ବୈଠକଟି ବସିବା ପୂର୍ବରୁ, ନଇନ୍ ସିଂହ ପ୍ୟାର୍‍ଜୀକୁ ନିଜେ ଜାମିନ୍ ପଡ଼ି ମୁକୁଳାଇ ଆଣିବେ ବୋଲି ତାଙ୍କୁ ଜବାବ ଦେଇଥିଲେ । ଏସବୁ ଘଟଣାରେ ପ୍ରାୟ ବିମୂଢ଼ ହୋଇ ପଡ଼ିଥିବା ପ୍ୟାର୍‍ଜୀ ସେଥିରେ ରାଜି ବି ହୋଇଥିଲେ । ନଇନ୍ ସିଂହ ପୂରା ଗାଆଁ ସକାଶେ ଏକ ଭୋଜୀର ଆୟୋଜନ କଲେ, ଯେଉଁଥିରେ କି ସିଏ ଦଶହଜାର ଟଙ୍କା ଖରଚ କରିଥିଲେ । ଏହି ପରିଣାମଟି ମଧ୍ୟ ପ୍ୟାର୍‍ଜୀଙ୍କର ଅସରନ୍ତି ଋଣତାଲିକାରେ ଆସି ଯୋଡ଼ା ହୋଇଥିଲା । ଏବଂ, ପଞ୍ଚାୟତର ବୈଠକ ଯେଉଁଦିନ ବସିଲା ସେଦିନ ସେଇଟି ପାସ୍ ହୋଇ ପାରିନଥିଲା, କାରଣ କୌଣସି ସଭ୍ୟ ଯୋଗ ଦେବାକୁ ଆସିନଥିଲେ ।

 

କିନ୍ତୁ, ୧୯୯୮ ମସିହା ମାର୍ଚ୍ଚ ମାସରେ ହିଁ ପ୍ରାୟ ବର୍ଷକ ପରେ ପ୍ରକୃତ ଚଡ଼କଟି ଆସି ପଡ଼ିଲା । ଜିଲ୍ଲାର କର୍ତ୍ତାମାନେ ଏକ ବିଶେଷ ଅଡ଼ିଟ୍ ଦ୍ୱାରା ସରପଞ୍ଚଙ୍କୁ ଅଶୀ ହଜାର ଟଙ୍କା ଆଗତୁରା ଦିଆଯାଇ ଥିବାର ଘଟଣାଟିଏ ବାହାର କଲେ ଏବଂ ସେହି ବାବତରେ ଆଦୌ କୌଣସି ଭାଉଚର ନଥିଲା । ପ୍ୟାର୍‍ଜୀ  ନିଲମ୍ବିତ ହେଲେ ଓ ତା’ପରେ ୧୯୯୯ ମସିହା ଜୁଲାଇ ମାସରେ ତାଙ୍କୁ ଅପମାନଜନକ ଭାବରେ ସରପଞ୍ଚ ପଦରୁ ବରଖାସ୍ତ କରା ଯାଇଥିଲା । ଗାଆଁରେ ଏଥିପାଇଁ କାହାରି ଆଖିରୁ ଟୋପାଏ ମଧ୍ୟ ଲୁହ ଗଡ଼ିଲା ନାହିଁ ଏବଂ ସବର୍ଣ୍ଣ ପାଟକର ଉପ-ସରପଞ୍ଚ,–ସିଏ ମଧ୍ୟ ନଇନ୍ ସିଂହଙ୍କ ଦଳର ଲୋକ ଥିଲେ,–ସରପଞ୍ଚର ଦାୟିତ୍ୱରେ ରହିଲେ । ଏହିପରି ଭାବରେ ପ୍ୟାର୍‍ଜୀଙ୍କ ନିମନ୍ତେ ଜନଶୁଣାଣିଟିଏ ଡକାହେବା ଆହୁରି ଅଧିକ ଜରୁରୀ ହୋଇ ପଡ଼ିଲା,–ନହେଲେ ଲୋକମାନେ ଅସଲ ସତ୍ୟଟିକୁ କିପରି ବା ଜାଣିବେ ?

 

ଡିସେମ୍ବର ମାସର ଏକ ସକାଳ ସମୟରେ ଜନଶୁଣାଣି ପାଇଁ ନିର୍ଦ୍ଧାରିତ ହୋଇଥିବା ଥାନଟିକୁ ବେଶ୍ ସଜାଇ ଦିଆ ଯାଇଥିଲା । ପରିବେଶଟି ବେଶ୍ ଉତ୍ତେଜନାପୂର୍ଣ୍ଣ ହୋଇ ରହିଥାଏ । ଲେଖିକା ଶ୍ରୀମତୀ ଅରୁନ୍ଧତୀ ରାୟ ଏବଂ ଲୋକଙ୍କର ଅଧିକାର ନିମନ୍ତେ ମୁଖ୍ୟ ଧାଡ଼ୀରେ ରହି ଲଢ଼ୁଥିବା ପ୍ରଶାନ୍ତ ଭୂଷଣ ଆଦି ପ୍ରସିଦ୍ଧ ବ୍ୟକ୍ତିମାନେ ସେଦିନ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ, ପ୍ୟାର୍‍ଜୀ ତଥା ଗ୍ରାମବାସୀଙ୍କ ଲାଗି ଏସବୁ ନାମର କୌଣସି ମହତ୍ତ୍ୱ ନଥିଲା । ଲୋକେ ବହୁସଂଖ୍ୟାରେ ଆସି ସେଠାରେ ଜମା ହେଉଥିଲେ କାରଣ, ସେମାନେ ମଧ୍ୟ ସତ୍ୟଟି ଉଦ୍‍ଘାଟିତ ହେବାରେ ଭାଗ ନେବାକୁ ଇଚ୍ଛା କରୁଥିଲେ ।

 

ଲୋକମାନେ ବହୁତ ସାହସ ସଂଗ୍ରହ କରି ସାକ୍ଷ୍ୟପ୍ରମାଣ ଦେବାପାଇଁ ଆଗେଇ ଆସିବାକୁ ଆରମ୍ଭ କରନ୍ତେ ଗ୍ରାମବାସୀମାନଙ୍କର ଏହି ବୈଠକଟି ପ୍ରଥମେ ବେଶ୍ ବିସ୍ମିତ ଓ ତା’ପରେ କୋପାନ୍ୱିତ ବି ହୋଇଥିଲା,–ସେମାନଙ୍କର ପଞ୍ଚାୟତଟିକୁ ଚଳାଇବାରେ କେତେ କଅଣ ଅପରାଧକୁ ଯେ ପ୍ରଶୟ ଦିଆ ଯାଇଥିଲା, ସେଥିରେ ଅତ୍ୟନ୍ତ ସ୍ତମ୍ଭୀଭୂତ ହୋଇଗଲା । ନଇନ୍ ସିଂହର ଗୋଟାଏ ଅଟ୍ଟାଳିକାକୁ ଲାଗି କୌଣସି ଏକ ଗ୍ରାମରେ ଏକ ‘ସାମାଜିକ ଗୃହ’ ତିଆରି କରା ଯାଇଥିଲା । ଆଉ ଗୋଟିଏ ଗ୍ରାମରେ ମଧ୍ୟ ସେହିପରି ଏକ କେନ୍ଦ୍ର ଓ୍ୱାର୍ଡ୍-ପଞ୍ଚ କମଳାନାଥର ଏଡ଼େବଡ଼ ଘରକୁ ଲଗାଇ କରି ନିର୍ମିତ ହୋଇଥିଲା ।

 

ଆହୁରି ଆତଙ୍କଦାୟକ ଘଟଣାଟିଏ ଏପରି ଘଟିଥିଲା ଯେ, ଆଦୌ କୌଣସି ଭୂମି ଓ ବାସଗୃହ ନଥିବା ଲୋକମାନଙ୍କ ପାଇଁ ଆସିଥିବା ଏକ କଲ୍ୟାଣ-ଯୋଜନାର ଅର୍ଥକୁ ଧନୀମାନେ ହିଁ ନେଇ ଯାଇଥିଲେ । ଗାଆଁରେ ଯେଉଁ ଦରିଦ୍ରତମ ଲୋକମାନଙ୍କର ମୁଣ୍ଡ ଉପରେ ନିଜର ଛପର ବୋଲି କିଛି ନାହିଁ, ସେମାନଙ୍କ ନିମନ୍ତେ ଘର ତିଆରି କରିଦେବାର ସମସ୍ତ ଖର୍ଚ୍ଚକୁ ଭରଣା କରିଦେଇ ସରକାର ଯେଉଁ ଇନ୍ଦିରା ଆବାସ ଯୋଜନା ରଖିଥିଲେ, ତାହାର ଅର୍ଥକୁ ସଂପୂର୍ଣ୍ଣ ଭାବରେ ବାଟମାରଣା କରିଦିଆ ଯାଇଥିଲା । ପଞ୍ଚାୟତ ସେହି ଯୋଜନାରେ ଗୃହହୀନମାନଙ୍କ ନିମନ୍ତେ ୩୦ଟି ଗୃହ ନିର୍ମାଣ କରିବାକୁ ମଂଜୁରି ଦେଇଥିଲା,–ଏବଂ, ସେହି ଗୃହରୁ ଗୋଟିଏ ହେଲେ ବି ଦରିଦ୍ର ବୋଲି ଗଣ୍ୟ ହେଉଥିବା ବ୍ୟକ୍ତିର ଭାଗରେ ପଡ଼ିନଥିଲା; ଏବଂ, ଭୂମିହୀନଙ୍କ ବିଷୟରେ ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ ! ନଇନ୍ ସିଂହ ନିଜେ ଜଣେ ଗୃହ ନଥିବା ବ୍ୟକ୍ତି ହିସାବରେ ଏହି ଯୋଜନାରେ ଦରଖାସ୍ତ ପକାଇଥିଲେ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଗୋଟିଏ ଗୃହ ମଂଜୁର ମଧ୍ୟ ହୋଇଥିଲା ବୋଲି ଜାଣିବାକୁ ପାଇ ଜନଶୁଣାଣି ଲାଗି ରୁଣ୍ଡ ହୋଇଥିବା ଲୋକମାନେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉଠିଥିଲେ । ହଁ, ନଇନ୍ ସିଂହଙ୍କର ଦୁଇ ଭାଇ ଓ ତିନିଜଣ ଅନ୍ୟ ଆତ୍ମୀୟଙ୍କୁ ମଧ୍ୟ ଘର ମିଳିଥିଲା । ପୁନଶ୍ଚ, ନିଜର ଦୁଇଜଣ ସ୍ତ୍ରୀ ଅଛନ୍ତି ବୋଲି ଦର୍ଶାଇ ନଇନ୍‍ ସିଂହଙ୍କର ଜଣେ ଭାଇ ଦୁଇଥର ବି ଟଙ୍କା ନେଇଥିଲେ । ଗୋଟିଏ ସ୍ତ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା ଏବଂ ଦ୍ୱିତୀୟ ସ୍ତ୍ରୀ’ ବୋଲି କେହି ଅସ୍ତିତ୍ୱରେ ହିଁ ନଥିଲେ । ପଞ୍ଚାୟତର ଆଉ ତିନିଜଣ ସଦସ୍ୟ,–ମୋତି ବାଈ ତାଙ୍କ ପୁଅଙ୍କ ନାମରେ, ପ୍ରଭୁ ଦାସ ନିଜ ଭାର୍ଯ୍ୟା ନାମରେ ଏବଂ ମିଠୁ ବାଈ ନିଜ ନାମରେ ଜଣେ ଜଣେ ମିଛ ହିତାଧିକାରୀ ଭାବରେ ଏହି ଯୋଜନାରୁ ଫାଇଦା ମଧ୍ୟ ଉଠାଇଥିଲେ । ଏବଂ, ସେହି ପଞ୍ଚାୟତ ଅଧୀନରେ ଅତ୍ୟନ୍ତ ଦରିଦ୍ର ଏବଂ ଭୂମି ନଥିବା ଭିଲ୍ ଆଦିବାସୀମାନେ ବାସ କରୁଥିଲେ, ଯେଉଁମାନେ କି ସବାଆଗ ହକ୍‌ଦାର୍ ହୋଇଥିଲେ ମଧ୍ୟ ଇନ୍ଦିରା ଆବାସ ଯୋଜନାରୁ କୌଣସି ଗୃହ ପାଇନଥିଲେ । ପଞ୍ଚାୟତ ନିଜେ ତିଆରି କରିଥିବା ତାଲିକାରେ ସେମାନଙ୍କର ନାଆଁ ହିଁ ନଥିଲା । ସରକାରୀ ହିସାବ ଅନୁସାରେ ସେମାନେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥିଲେ । ସେହି ଅଧିକାର ବଳରେ ସେମାନଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ମଧ୍ୟ ମିଳି ପାରିଥାନ୍ତା ।

 

ଲଜ୍ଜାହୀନ ଦୁର୍ନୀତିର ମାଳାଟି ଏତିକିରେ ମୋଟେ ଶେଷ ହୋଇ ନଥିଲା । ପଞ୍ଚାୟତ ଦ୍ୱାରା ଏକ ପୁଷ୍କରିଣୀରୁ ଜଳନାଳୀଟିଏ ଅଢ଼େଇ ଲକ୍ଷ ଟଙ୍କା ଖରଚରେ ଖୋଳା ହୋଇଥିଲା ବୋଲି କେବଳ କାଗଜ ଉପରେ ଦେଖାଇ ଦିଆ ଯାଇଥିଲା । ସେହି ନାଳୀଟି ଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ପଡ଼ାରେ ଚାଷୀମାନଙ୍କ ଜମି ସେଚିତ ହୋଇ ପାରିଥାଆନ୍ତା; ତା’ ପରିବର୍ତ୍ତେ ସେଇଟି ନଇନ ସିଂହ ଓ ତା’ ନିଜ ଜ୍ଞାତିମାନଙ୍କର ଜମିଗୁଡ଼ିକୁ ହିଁ ପାଣି ଯୋଗାଇଥିଲା । ଗ୍ରାମରେ ହେଉଥିବା ବୈଠକମାନଙ୍କ ସକାଶେ ମଧ୍ୟ ରାଜସ୍ଥାନର ଗ୍ରାମବାସୀମାନେ ପାରମ୍ପରିକ ଚଉପାଢ଼ୀମାନ ତିଆରି କରିଥାନ୍ତି,–ସେଥିରେ ସେମାନେ ସମସ୍ତେ ଶ୍ରମ ଏବଂ ସାମଗ୍ରୀ ଆଣି ଯୋଗାଇ ଦିଅନ୍ତି । କିନ୍ତୁ, ଏହି ଚଉପାଢ଼ୀ ଗୁଡ଼ିକୁ ତିଆରି କରିବା ନାମରେ ଏଠି ପଞ୍ଚାୟତରେ ହଜାର ହଜାର ଟଙ୍କା ତୋଷରପାତ ହୋଇଥିଲା । ମିଛ ମୂଲିଆଙ୍କ ନାମରେ ଶହ ଶହ ରସିଦ ତିଆରି କରାଯାଇ ମିଛ ମଜୁରିମାନ ଦିଆ ଯାଇଥିଲା ବୋଲି ଖାତାରେ ଦେଖିବାକୁ ମିଳିଲା ।

 

ଏହିସବୁ ଅପରାଧଗୁଡ଼ିକୁ ପ୍ରତିପାଦିତ କରି ଲିଖିତ କାଗଜ ମାଧ୍ୟମରେ ତଥା ମୌଖିକ ଭାବରେ ଅକାଟ୍ୟ ପ୍ରମାଣମାନ ପେଶ୍ କରାଯିବାରୁ ଗ୍ରାମବାସୀ ଏବଂ ଅନ୍ୟ ଦେଖଣାହାରୀମାନେ ଅତ୍ୟନ୍ତ କୋପାନ୍ୱିତ ହୋଇ ଉଠିଥିଲେ । ଗୋଟି ଗୋଟି କରି ବହୁତ କିଛିର ସବୁତ୍‍ମାନ ମିଳି ଯାଉଥିଲା । ନିଜ ପକ୍ଷରୁ ଜବାବ ଦେବାପାଇଁ ନଇନ୍ ସିଂହକୁ ଡାକରା ହେଲା; ସରପଞ୍ଚ ପ୍ୟାର୍‍ଚାନ୍ଦ ତାକୁ ଧୋକା ଦେଇଛି ବୋଲି ନଇନ୍ ସିଂହ ତରଫରୁ ସଫେଇ ଦିଆଗଲା ସିନା, କିନ୍ତୁ ଗ୍ରାମବାସୀମାନେ ଏଡ଼େବଡ଼ ପାଟିକରି ସେହି ହାସ୍ୟାସ୍ପଦ କଥାଗୁଡ଼ିକୁ ଅଗ୍ରାହ୍ୟ କରିଦେଲେ । ତଥାପି, ନଇନ୍ ସିଂହ ତରଫରୁ ମାମଲତକାରମାନେ ବରଖାସ୍ତ ହୋଇଥିବା ସରପଞ୍ଚ ପ୍ୟାର୍‍ଚାନ୍ଦ ଉପରେ ସବୁଯାକ ଦୋଷ ନେଇ ଢାଳିଦେବାକୁ ଉଦ୍ୟମ କରୁଥାନ୍ତି, କାରଣ ସେଇ ସବୁଯାକ କାଗଜ ଉପରେ ନିଜର ଦସ୍ତଖତ ଦେଇଥିଲା । ମାତ୍ର, ତାକୁ ଧୋକା ଦିଆଯାଇଛି ଓ ଜବରଦସ୍ତି ରାଜି କରାଇ ନିଆଯାଇଛି ପ୍ୟାର୍‍ଚାନ୍ଦ ତରଫରୁ ହୋଇଥିବା ନିବେଦନଟି ଉପରେ ସମସ୍ତଙ୍କର ଅବଶ୍ୟ ପ୍ରତ୍ୟୟ ହେଉଥାଏ,–କାରଣ ଏହି ଯାବତୀୟ ଆତ୍ମସାତ୍‍ ହୋଇଥିବାର ଘଟଣାରେ ସିଏ କୌଣସି ଗୋଟିକ ଦ୍ୱାରା ମଧ୍ୟ ଉପକୃତ ହୋଇନଥିଲା । ସରକାରଙ୍କ ତରଫରୁ ଉଚ୍ଚ କର୍ମକର୍ତ୍ତାମାନେ,–ତହସିଲ୍‍ଦାର ଓ ଜିଲ୍ଲାର କଲେକ୍ଟର, ସେମାନେ ମଧ୍ୟ ସେହି ଜନଶୁଣାଣିରେ ଉପସ୍ଥିତ ରହିଥିଲେ,–ସେମାନେ ପ୍ରକାଶ୍ୟ ଭାବରେ ସ୍ୱୀକାର କଲେ ଯେ, ଏଡ଼େ ବୃହତ୍ ଫିସାଦ କାର୍ଯ୍ୟମାନ ସରକାର ତଥା ବ୍ୟାଙ୍କ୍‍ କର୍ମକର୍ତ୍ତାମାନଙ୍କର ପରୋକ୍ଷ ସମର୍ଥନ ବ୍ୟତୀତ କଦାପି ଘଟି ପାରିନଥାନ୍ତା । ଉଦାହରଣ ସ୍ୱରୂପ, କନିଷ୍ଠ ଇଞ୍ଜିନିଅର୍ ଜଣକ, ଯିଏକି ନିର୍ମିତ ହେଉଥିବା ଏକ ଇନ୍ଦିରା ଆବାସ ଗୃହର ପଦେ ପଦେ ତଦାରଖ କରନ୍ତି, ତଥା ଯେଉଁ ବି.ଡ଼ି.ଓ. ହିତାଧିକାରୀମାନଙ୍କର ନାମ ତାଲିକାଟିକୁ ପ୍ରଥମେ ଯାଞ୍ଚ କରନ୍ତି ଏବଂ ଯେଉଁ ବ୍ୟାଙ୍କ ମ୍ୟାନେଜର୍‍ ବ୍ୟାଙ୍କରେ ବହି ରହିଥିବା ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ ମଧ୍ୟ କରନ୍ତି,–ଇନ୍ଦିରା ଆବାସ ମଂଜୁର ହୋଇଥିବା ଯେକୌଣସି ବ୍ୟକ୍ତି ସତ ନା ମିଛ ବୋଲି ଜାଣିବାକୁ ସକଳ ପ୍ରୟାସ କରନ୍ତି, ସେମାନେ ଯେ ସମସ୍ତେ ଅପରାଧଗୁଡ଼ିକରେ ଲିପ୍ତ ରହିଛନ୍ତି, ସେଥିରେ କୌଣସି ସନ୍ଦେହ ନଥିଲା ।

 

ଏବଂ ତଥାପି, ଜନଶୁଣାଣି ଏତେ ଏତେ କଥା ପଦାକୁ ଆସିବା ସତ୍ତ୍ୱେ, ୨୦୦୦ ମସିହା ଜୁନ୍ ୭ ତାରିଖ ଦିନ ଦଳିତ ସରପଞ୍ଚ ପ୍ୟାର୍‍ଚାନ୍ଦ ଖଟିକକୁ ମୁଖ୍ୟ ଅଭିଯୁକ୍ତ ରୂପେ ସଂପୃକ୍ତ କରି ଜିଲ୍ଲା ପ୍ରଶାସନ ତରଫରୁ ଥାନାରେ ଗୋଟିଏ ମକଦ୍ଦମା ଦାଏର୍ କରା ଯାଇଥିଲା । ମାମଲତକାର ଯୂଥଟା ସିଧା ଲିପ୍ତ ଥିବା ଏକାଧିକ ଅପରାଧଗୁଡ଼ିକ ବିଷୟରେ କୌଣସି ଉଲ୍ଲେଖ ହିଁ କରା ଗଲାନାହିଁ । ନଇନ୍ ସିଂହ ଓ କମଳା ନାଥ ଉଭୟଙ୍କୁ ପ୍ୟାର୍‍ଜୀ ସହିତ ସହଅପରାଧୀ ରୂପେ ଘୋଷଣା କରା ଯାଇଥିଲା, ସେମାନଙ୍କର ଘରକୁ ଲଗାଇ ଯେଉଁ ସମାଜ ଗୃହଗୁଡ଼ିକର ନିର୍ମାଣ ହୋଇଥିଲା, କେବଳ ସେହିଗୁଡ଼ିକ ପାଇଁ ପୋଲିସ୍‌ ଅଭିଯୋଗ-ପତ୍ରରେ କୌଣସି ସରକାରୀ କର୍ମଚାରୀଙ୍କର ନାଆଁ ମଧ୍ୟ ନଥିଲା ।

 

ପୋଲିସ୍ ପକ୍ଷରୁ ଅଭିଯୋଗ ଦାଏର୍‍ ହୋଇଯିବା ପରେ ପ୍ୟାର୍‍ଜୀକୁ ପ୍ରତ୍ୟହ ଅତ୍ୟନ୍ତ ଭୟଭୀତ ହୋଇ ସମୟ କାଟିବାକୁ ପଡ଼ୁଥିଲା,–ଏଥର ଏହି ଅଳ୍ପଦିନ ମଧ୍ୟରେ ତାକୁ ଯେ ନିଶ୍ଚୟ ଗିରଫ କରି ନିଆଯିବ, ସେଥିରେ କୌଣସି ସନ୍ଦେହ ନଥିଲା । ଭାରତୀୟ ପିଙ୍ଗଳ କୋଡ୍‍ର ୪୨୦, ୪୦୯ ଓ ୧୨୦୮ ଦଫାମାନଙ୍କରେ ତାକୁ ଅଭିଯୁକ୍ତ କରା ଯାଇଥିଲା–ଖୁବ୍‍ ସାଂଘାତିକ ଅପରାଧଗୁଡ଼ିକର କ୍ଷେତ୍ରରେ ଏହି ଦଫାଗୁଡ଼ିକୁ ଲାଗୁ କରା ଯାଇଥାଏ,–ପ୍ୟାର୍‍ଜୀ  ନାମରେ ଜାମିନ୍‍ବିହୀନ ଏକ ପରୱାନା ଜାରି ହୋଇଗଲା । ଏବଂ, ନଇନ୍ ସିଂହ ତଥା ତା’ ସହଚରମାନଙ୍କଠାରୁ ଏଣିକି ନାନା ବିପଦମାନ ପଡ଼ିବ ବୋଲି ସିଏ ବସ୍ତୁତଃ ଅଧିକ ଭୟତ୍ରସ୍ତ ହୋଇ ରହିଥାଏ ।

 

ଇତ୍ୟବସରେ, ଜନଶୁଣାଣିର ମାତ୍ର କେତୋଟି ସପ୍ତାହ ପରେ, ରାଜସ୍ଥାନ ରାଜ୍ୟରେ ପୁନର୍ବାର ପଞ୍ଚାୟତ ନିର୍ବାଚନ ହୋଇଥିଲା । ରିଜର୍ଭ ଦଳିତ ପ୍ରାର୍ଥୀ ହିଁ ଉମର୍‍ଓ୍ୱାସ୍‍ର ପଞ୍ଚାୟତ ନିର୍ବାଚନରେ ଠିଆ ହୋଇ ପାରିବେ ବୋଲି ରହିଥିବା ସର୍ତ୍ତଟି ଏଥର ବଦଳି ଯାଇଥାଏ । ନଇନ୍ ସିଂହର ଘନିଷ୍ଠ ମିତ ଇକ୍ଷ୍ମଣ ଦାସ ସରପଞ୍ଚ ପଦ ନିମନ୍ତେ ପ୍ରାର୍ଥୀ ହୋଇଥିଲା । ତା’ ବିରୁଦ୍ଧରେ ମଜଦୁର କିସାନ ସଂଘର୍ଷ ପ୍ରତିଷ୍ଠାନର କ୍ଷେତ୍ରକର୍ମୀମାନେ ମଧ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଛିଡ଼ା ହେଲେ । କାରଣ, ଲକ୍ଷ୍ମଣ ଦାସ ଦୁର୍ନୀତିର ଅପରାଧରେ ଅପରାଧୀ ବୋଲି ସାଧାରଣରେ ସର୍ବବିଦିତ ହୋଇ ସାରିଥିଲା ।

 

ଦୁଇ ପ୍ରାର୍ଥୀଙ୍କ ଭିତରେ ବହୁତ କମ୍ ସଂଖ୍ୟାର ଭୋଟ-ପାର୍ଥକ୍ୟ ରହିଲା । ତଥାପି ଇକ୍ଷ୍ମଣ ଦାସ ହିଁ ନିର୍ବାଚିତ ବୋଲି ଘୋଷିତ ହେଲା । ପଞ୍ଚାୟତରେ ବର୍ତ୍ତମାନ ସେଇ ସରପଞ୍ଚ ହୋଇ ରହିଛି ।

☆☆☆

 

ଏକ ଅଳ୍ପ କାଳସ୍ଥାୟୀ ବିଦ୍ରୋହ

 

ପିଲାମାନଙ୍କର ହୋ’ ହୋ’ ଶବ୍ଦରୁ ପ୍ରାୟ ଏକ ଘୋଷଣା ହୋଇଗଲା ପରି ସୂଚନା ମିଳିଲା ଯେ ଗୋଟାଏ ଏଡ଼େ ଭାରି କ’ଣ ମେସିନ୍‍ଟାଏ ଗାଆଁରେ ଆସି ପହଞ୍ଚିଛି । ପିଲାମାନେ ଖୁବ୍‍ ଉତ୍ତେଜିତ ଭାବରେ ସେହି କଥାଟିକୁ କହିବାରେ ଲାଗିଥାନ୍ତି । ଗାଆଁର ବଡ଼ମାନେ ବି ଅଚିରେ ସେମାନଙ୍କ ସହିତ ଯୋଗ ଦେଲେ । ତା’ପରେ ସରପଞ୍ଚ ଆସିଲେ । ନୂଆ ନଳକୂଅଟି ଠିକ୍ କେଉଁଠାରେ ବସିବ, ସେହି କଥାଟିକୁ ସେ କାରିଗରମାନଙ୍କୁ ନିର୍ଭୂଲ ଭାବରେ ବୁଝାଇ କହି ଦେଇଥିଲେ । ରୁଣ୍ଡ ହୋଇଥିବା ଭିଡ଼ଟିର ଗୋଟିଏ ପାଖରୁ ଯୁବାମାନଙ୍କର ସାନ ଗୋଷ୍ଠୀଟିଏ କ୍ରମେ ଆପତ୍ତି କରୁଥିବା ପରି କ’ଣ ସବୁ କହିବାକୁ ଆରମ୍ଭ କଲେ । ସେମାନେ କହୁଥିଲେ, ମୂଳ ଗାଆଁଟାରେ ଆଗରୁ ହିଁ ଦୁଇଟି ନଳକୂପ ରହିଛି, କିନ୍ତୁ ଚମାର ସାହୀରେ ଗୋଟିଏ ହେଲେ ନାହିଁ । ତେବେ ଏହି ତୃତୀୟଟି ସେଠି ଆମ ସାହୀରେ କାହିଁକି ନବସିବ ?

 

ଉଦ୍ଧତ ଚମାରମାନଙ୍କର ସେହି ଆପତ୍ତିଟାକୁ ଶୁଣି ସରପଞ୍ଚ ଗରମ ହୋଇ ଯାଇଥିଲେ-। ତାଙ୍କୁ ସେଠାରେ ଘେରି ଛିଡ଼ା ହୋଇଥିବା ପୁଳାଏ ସବର୍ଣ୍ଣ ଟୋକା ମଧ୍ୟ ଅନୁରୂପ କ୍ରୋଧ ପ୍ରକାଶ କରୁଥାଆନ୍ତି । ଫଳରେ କିଛି କଥାକଟାକଟି ଆରମ୍ଭ ହୋଇଗଲା, ଆପତ୍ତି କରୁଥିବା ପକ୍ଷଟି ବେଶ୍ ଉତ୍ତମ ଓ ମଧ୍ୟମ ବି ମିଳିଲା; ଅବଶ୍ୟ କେହି ଗମ୍ଭୀର ଭାବରେ ଆଦୌ ଆହତ ହୋଇ ନଥିଲେ-। ନଳକୂଅ ବସାଇବାକୁ ଆସିଥିବା କାରିଗରମାନେ ସରପଞ୍ଚଙ୍କର ନିର୍ଦ୍ଦେଶ ଅନୁସାରେ ହିଁ କାମ ଆରମ୍ଭ କରି ଦେଇଥିଲେ ଏବଂ ସଫଳତାର ସହିତ ଗାଆଁର ସେହି ବଡ଼ ସାହୀଟାରେ ହିଁ ତୃତୀୟ ନଳକୂପଟିକୁ ବନାଇ ଦେଇ ପାରିଲେ ।

 

ଏଇଟି ହେଉଛି ୧୯୯୧ ମସିହା ଖରାମାସର କଥା । ଗାଆଁଟି ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଅବସ୍ଥିତ ଥିଲା,–ସେହି ଅଞ୍ଚଳଟି ପ୍ରାୟ ଯୁଗ ଯୁଗ ଧରି ଜାତିଗତ ଅସମାନତା ଏବଂ ଉତ୍ପୀଡ଼ନର କାହାଣୀଟିଏ ଲିପିବଦ୍ଧ କରି ରଖିଥିଲା । ଜିଲ୍ଲା ମହକୁମାରୁ ଗାଡ଼ିରେ ବସି ୩୦ କିଲୋମିଟର ଧୂଳି ରାସ୍ତା ପାର ହେଲେ ଯାଇ ଗାଆଁରେ ପହଞ୍ଚି ହୁଏ । ତଥାପି କୃଷିରେ ଖୁବ୍‍ ଉନ୍ନତ ଅଞ୍ଚଳଟିଏ । ଗାଆଁରେ ଥିବା ୧୩୬ଟି ଘର ଭିତରୁ ଚାଳିଶିଟି ଘର ହେଉଛନ୍ତି ଦଳିତ ଶ୍ରେଣୀର । ଅଧିକାଂଶଙ୍କର ଅତି ଅଳପ ଅଳପ ଜମି । ଗାଆଁ ଭିତରେ ଅଙ୍କା ବଙ୍କା ହୋଇ ଚାଲି ଯାଇଥିବା କେତୋଟି ଜୋରରୁ ଡିଜେଲ୍ ପମ୍ପ୍‍ ଦ୍ୱାରା ପାଣି ଉଠାଇ ସାନ ସାନ ବିଲଗୁଡ଼ିକରେ ଜଳସେଚନ କରିବାକୁ ହେଉଥିଲା । ତଥାପି ଜୋରଗୁଡ଼ିକରେ ଆଦୌ ବର୍ଷ ତମାମ ପାଣି ରହୁନଥିଲା । ଅବଶ୍ୟ କୃଷିର ଅନୁପୂରକ ଭାବରେ ଆଉମାନଙ୍କ ଜମିରେ ମୂଲ ଲାଗି ଅଥବା ବିଡ଼ି ବଳି କିଛି ଅଧିକା ଉପାର୍ଜନ ସମ୍ଭବ ହୋଇ ପାରୁଥିଲା । ଅବଶିଷ୍ଟ ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଲୋଧି ଜାତିର । ସ୍ଵୟଂ ସରପଞ୍ଚ ମଧ୍ୟ ସେହି ଜାତିର । ଅନ୍ୟମାନେ ପ୍ରଧାନତଃ ଠାକୁର ଅଥବା ବ୍ରାହ୍ମଣ !

 

ହାତପମ୍ପଟି କେଉଁଠାରେ ବସିବ, ସେହି କଥାଟିକୁ ନେଇ ଘଟିଥିବା ବିବାଦଟି ଫଳରେ କ୍ରମେ ଦଳିତମାନଙ୍କର ପଡ଼ା ଏବଂ ଅବଶିଷ୍ଟ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ତିକ୍ତ ହେବାକୁ ଆରମ୍ଭ କଲା । ସେହି ପ୍ରଥମ ଘଟଣାଟିର ଅଳ୍ପଦିନ ପରେ ଗାଆଁର ଉଚ୍ଚବର୍ଣ୍ଣମାନଙ୍କୁ ନେଇ ଗାଆଁ ସରପଞ୍ଚ ଗୋଟିଏ ବୈଠକ ଡାକିଥିଲେ । ସେହି ହାତକୂଅଟି ବସା ହେବା ଦିନତ ଦଳିତପଡ଼ାର ଯୁବକମାନେ ପ୍ରଥମ କରି ପ୍ରକାଶ୍ୟ ଭାବରେ ସରପଞ୍ଚଙ୍କ କଥାରେ ଆପତ୍ତି ଉଠାଇଥିଲେ,–ସେମାନେ ଗ୍ରାମର ପ୍ରତିଷ୍ଠିତ କର୍ତ୍ତୃତ୍ୱ ବ୍ୟବସ୍ଥାଟିକୁ ହିଁ ତ ଚ୍ୟାଲେଞ୍ଜ୍‍ କରିଥିଲେ । ସମସ୍ତେ ଅନୁଭବ କଲେ ଯେ, ଏହି ପର୍ଯ୍ୟାୟରେ ଯଦି ଫଳପ୍ରଦ ଭାବରେ କିଛି କାର୍ଯ୍ୟପନ୍ଥା ଗ୍ରହଣ କରାନଯାଏ, ତେବେ ସେମାନେ ବାରମ୍ବାର ଏହିପରି ପ୍ରତିବାଦ କରିବାକୁ ଆସିବେ, ଏବଂ ତାପରେ ଗାଆଁର ଶାନ୍ତିଶୃଙ୍ଖଳା ଚିରଦିନ ଲାଗି ନଷ୍ଟ ହୋଇଯିବ ।

 

ବହୁତ ଚର୍ଚ୍ଚା ଏବଂ ଆଲୋଚନା ପରେ ଏଭଳି ଗୋଟିଏ ନିଷ୍ପତ୍ତି ନିଆ ଯାଇଥିଲା ଯେ, ସେମାନଙ୍କୁ ଉଚିତ ଶିକ୍ଷାଟିଏ ଦେବାକୁ ହେଲେ, ଆଗାମୀ ବିହନବୁଣା ସମୟରେ ଦଳିତ ବର୍ଗର କୌଣସି ଚାଷୀକୁ ତା’ ଚାଷଜମିକୁ ଯିବା ନିମନ୍ତେ ଉଚ୍ଚତର ଜାତିର ଜମି ମାଲିକଙ୍କର ଜମି ବାଟ ଦେଇ ଯିବାକୁ ମୋଟେ ଅନୁମତି ଦିଆ ଯିବନାହିଁ ଏବଂ, ସେମାନଙ୍କୁ କେହି ନିଜ ଜମିରେ ମୂଲିଆ କରି ମଧ୍ୟ ଖଟାଇବେ ନାହିଁ ।

 

ବାସନ୍ଦର ଏହି ବ୍ୟବସ୍ଥାଟି ସଂପୂର୍ଣ୍ଣ ସର୍ବସମ୍ମତ ଓ ଶକ୍ତିଶାଳୀ ଭାବରେ ଲାଗୁ ହୋଇଗଲା । ଦଳିତମାନଙ୍କର ଖୁବ୍ କମ୍ ଜମି ହିଁ ରାସ୍ତାକଡ଼ରେ ଥିଲା,–ରାସ୍ତାକଡ଼ରେ ଥିଲେ ସିନା ସେମାନେ ସୁବିଧାରେ ନିଜ ନିଜ ଜମିକୁ ଯାଇ ପାରିଥାନ୍ତେ ! ମାତ୍ର, ଏହି କ୍ଷେତ୍ରରେ, ଆଗରୁ କୌଣସି ସମସ୍ୟା ସୃଷ୍ଟି ହୋଇ ନଥିଲା, କାରଣ, ପୁରୁଷ ପୁରୁଷ ଧରି ସେମାନେ ସଂପୂର୍ଣ୍ଣ ଅବାଧ ଭାବରେ ଉଚ୍ଚବର୍ଣ୍ଣର ଭୂମାଲିକମାନଙ୍କର ଜମି ଦେଇ ନିଜ ଜମିକୁ ଯାଇ ପାରୁଥିଲେ । ମାତ୍ର, ଏପରି ବାଛନ୍ଦ ବ୍ୟବସ୍ଥାଟିଏ ଲାଗୁ ହୋଇଯିବା ଫଳରେ ଦଳିତ ପଡ଼ାର ବାସିନ୍ଦାମାନେ ଏଥର ସେମାନଙ୍କର କପାଳରେ ରହିଥିବା ପ୍ରମାଦଗୁଡ଼ିକୁ ପରିଷ୍କାର ଭାବରେ ଦେଖି ପାରିଥିଲେ । ସାହୀର ବଡ଼ମାନେ ଯାଇ ସରପଞ୍ଚଙ୍କୁ କେତେ କ’ଣ, କହି କହିଲେ, ସବର୍ଣ୍ଣ ଜାତିର ଅନ୍ୟ ମୁଖ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିଲେ, ଆମକୁ ପିଠିରେ ମାରନ୍ତୁ ପଛେ, ପେଟରେ କଦାପି ମାରନ୍ତୁ ନାହିଁ ବୋଲି କେତେ ନେହୁରା କଲେ,–କିନ୍ତୁ କିଛି ଫଳ ହେଲାନାହିଁ । ଦଳିତ ବସ୍ତିର ଜଣେ ଉତ୍ତେଜିତ ଯୁବକ ବିଦ୍ରୋହ କଲାପରି ଗୋଟିଏ ଶଗଡ଼ ଗାଡ଼ି ରେ ଭଡ଼ାରେ ଆଣିଥିବା ଡିଜେଲ ପମ୍ପଟିଏ ଲଦି ସବର୍ଣ୍ଣମାନଙ୍କର ଭୂମି ଦେଇ ଯିବାକୁ ଚେଷ୍ଟା ମଧ୍ୟ କରିଥିଲା । ତା’ର ବାଟ ଓଗାଳି ଜମିଟିର ମାଲିକ ତାକୁ କହିଥିଲେ ଯେ, ଯଦି ତାଙ୍କ ଜମି ଭିତରେ ପଶି ଶଗଡ଼ଟି ଯିବାପାଇଁ ଅଗ୍ରସର ହେବ, ତେବେ ଶଗଡ଼ ଉପରେ ତା’ର ମଲା ଦେହଟା ହିଁ ଫେରିଆସିବ । ଯୁବକଟି ପରାଭବ ସ୍ୱୀକାର କରି ଫେରି ଆସିଥିଲା । ମାତ୍ର, ତେଣେ କ୍ରୋଧରେ ଗରଗର ହିଁ ହେବାରେ ଲାଗିଥିଲା ।

 

ତା’ପରେ ସେହି ଯୁବକମାନେ ଜିଲ୍ଲାର କଲେକ୍ଟର ଓ ପୋଲିସ୍ ହାକିମଙ୍କର ସହାୟତା ଗ୍ରହଣ କରିବାଲାଗି ସ୍ଥିର କଲେ । ଏହି ଦୁଇଜଣଯାକ ତରୁଣ ଥିଲେ, ସିଧା ନିଯୁକ୍ତି ପାଇ ଆସିଥିଲେ ଓ ଜିଲ୍ଲା ମହକୁମାରେ ରହିଥିଲେ । ମାତ୍ର, ଉଭୟେ ହିଁ କୌଣସି ପ୍ରତିକାର କରାଇ ନଥିଲେ,–କେବଳ ବାରମ୍ବାର ଦଉଡ଼ି ଦରଖାସ୍ତ ପରେ ଦରଖାସ୍ତ ଦେବା ହିଁ ସାର ହେଲା । ତା’ପରେ ଅନେକେ ଦଳିତମାନଙ୍କୁ ଡିଭିଜନାଲ୍ କମିସନଙ୍କର ଦ୍ୱାରସ୍ଥ ହେବାପାଇଁ ପରାମର୍ଶ ଦେଲେ । ସିଏ ହୁଏତ ତ କିଛି ଅଧିକ ସହାନୁଭୂତି ଦେଖାଇବେ । ତେଣୁ ସେମାନେ ଯାଇ ତାଙ୍କୁ ଅଫିସ୍‌ରେ ସାକ୍ଷାତ କରିଥିଲେ । କମିଶନର ସଙ୍ଗେ ସଙ୍ଗେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହି କଥାଟିର ତଦ୍‍ବିର୍ କରିବା ନିମନ୍ତେ ଆଦେଶ ଦେଇଥିଲେ । ମାତ୍ର, ଏତେ ଏତେ କଥା କରାଯିବା ପରେ ଏତିକିମାତ୍ର ବିସ୍ତୁତଃ ହୋଇପାରିଥିଲା ଯେ ପିଙ୍ଗଳ କୋଡ୍‌ର ୧୦୭ ଏବଂ ୧୧୬ ଦଫାରେ ଉଭୟ ପକ୍ଷର ବିରୋଧରେ ମକଦ୍ଦମାମାନ ଋଜୁ କରା ଯାଇଥିଲା । ସବଡେପୁଟୀ ମାଜିଷ୍ଟ୍ରେଟ୍ ପକ୍ଷମାନଙ୍କୁ ତାଙ୍କ କଚେରୀରେ ଆସି ହାଜର ହେବାକୁ ସମନ ପଠାଇଲେ, ମାତ୍ର କୌଣସି ଆଦେଶ ଦେଇ ନଥିଲେ । ବାସନ୍ଦରେ ହସ୍ତକ୍ଷେପ କରିବା ନିମନ୍ତେ ପୋଲିସ୍ କିମ୍ବା ଜିଲ୍ଲା ପ୍ରଶାସନ ଆଦୌ କିଛି କଲେନାହିଁ ଏବଂ ଏଣୁ ଦଳିତ ଚାଷୀମାନଙ୍କୁ ପୂର୍ବ ପରି ସେମାନଙ୍କର ଜମିକୁ ଯାଇ ପାରିବାଲାଗି ଅନୁମତି ମିଳି ନଥିଲା । ବିହନବୁଣାର ସମୟ ଗଡ଼ିଗଲା ଓ ଏହି ଜମିଗୁଡ଼ିକ ପଡ଼ିଆ ପଡ଼ି ରହିଲା ।

 

ଫଳରେ ଦୁଇ ଗୋଷ୍ଠୀ ଭିତରେ ରହିଥିବା ଏହି ଅଶ୍ଵସ୍ତିକର ସ୍ଥିତିଟି ଭିତରେ ଭିତରେ କ୍ରମେ ଅଧିକ କୁହୁଳିବାରେ ଲାଗିଥାଏ । ଅଳ୍ପ କେତେମାସ ପରେ ଅତ୍ୟନ୍ତ ସାନ ଘଟଣାଟିଏ ଘଟି ପୁନର୍ବାର ଅବସ୍ଥା ସଂଘାତପୂର୍ଣ୍ଣ ହୋଇ ଉଠିଲା । ହାତ ପମ୍ପ୍‍ରୁ ପାଣି ନେବାକୁ କେନ୍ଦ୍ର କରି ସରପଞ୍ଚଙ୍କର ମାଆ ଓ ଜଣେ ଦଳିତ ସ୍ତ୍ରୀଲୋକ ମଧ୍ୟରେ ବିବାଦ ଲାଗି ଯାଇଥିଲା । ତାହାର ପରିଣତି ସ୍ୱରୂପ ସରପଞ୍ଚଙ୍କର ମାଆ ରାଗରେ ଦଳିତ ସ୍ତ୍ରୀଲୋକଟିର ମାଟି ମାଠିଆଟିକୁ ଭାଙ୍ଗି ଚୂନା କରି ଦେଇଥିଲେ ଏବଂ ଗୋଟାଏ ବାଡ଼ି ନେଇ ତାକୁ ସେଥିରେ ପିଟି ପକାଇଥିଲେ ।

 

ଉଭୟ ପକ୍ଷର ମନୋଭାବ ସେତେବେଳକୁ ଆଦୌ ନମନୀୟ ନଥିବାରୁ ଦଳିତ ଗୋଷ୍ଠୀ ନିକଟତମ ଥାନାରେ ଏହି ସଂକ୍ରାନ୍ତରେ ଗୋଟିଏ ମକଦ୍ଦମା ଋଜୁ କରିବାକୁ ହିଁ ନିଷ୍ପତ୍ତି କଲା; ମାତ୍ର କୌଣସି ପ୍ରତିକାର ହେଲା ନାହିଁ । ଦୁଇଦିନ ପରେ, ଦୁଇଜଣ ଦଳିତ ବସରେ ଯାଉଥିବା ସମୟରେ ପୋଲିସ୍ ଦ୍ୱାରା ଗିରଫ ହେଲେ । ଏହା ପଛରେ ଯେ ନିଶ୍ଚୟ ସରପଞ୍ଚଙ୍କର ହାତ ଅଛି, ଦଳିତମାନେ ସଙ୍ଗେ ସଙ୍ଗେ ସନ୍ଦେହ ବି କରିଥିଲେ । ଆଉ କୌଣସି ବିଳମ୍ବ ନକରି ଦଳିତ ଗୋଷ୍ଠୀର ସବୁଯାକ ପୁରୁଷଲୋକ ଗିରଫ ହୋଇଥିବା ସେହି ଦୁଇଜଣଙ୍କୁ ଖଲାସ କରାଇ ଆଣିବା ପାଇଁ ଜିଲ୍ଲା ମହକୁମାକୁ ଯିବା ନିମନ୍ତେ ସ୍ଥିର କରିଥିଲେ । ମାତ୍ର, ସେମାନେ ଏଥିରେ ମଧ୍ୟ ସଫଳ ହୋଇ ପାରିଲେନାହିଁ; ମାତ୍ର ଏହି ସଂକ୍ରାନ୍ତରେ ସେମାନଙ୍କୁ ତିନିଦିନ ଓ ତିନିରାତି ଲାଗି ଗାଆଁ ବାହାରେ ରହିବାକୁ ହୋଇଥିଲା ।

 

ଏହି ଅବସରରେ ଉଚ୍ଚବର୍ଣ୍ଣର ଗ୍ରାମବାସୀମାନେ ଦଳିତ ବସ୍ତିରେ ରହିଥିବା ଅବଶିଷ୍ଟଙ୍କ ବିରୋଧରେ ଏକ ସଂପୂର୍ଣ୍ଣ ବାସନ୍ଦ–ଅଭିଯାନ ଲାଗୁ କରିବାକୁ ଓ ସେମାନଙ୍କୁ ଆକ୍ରମଣ କରିବାକୁ ମଧ୍ୟ ନିଷ୍ପତ୍ତି କରି ପକାଇଥିଲେ । ଅଟାକଳବାଲା ସେମାନଙ୍କର ଅଟା ପେଷିଦେବାକୁ ମନା କଲା, ଗଉଡ଼ମାନେ ଗୋରସ ଦେବାକୁ ନାହିଁ କଲେ, ଚାହାଦୋକାନରୁ ଚାହା ଦେବା ବି ନିଷିଦ୍ଧ ହୋଇ ଯାଇଥିଲା । ଗାଆଁର ଦୋକାନୀ ସେମାନଙ୍କୁ କୌଣସି ଜିନିଷ ଦେଲେନାହିଁ, ଛେଳି-ଜଗୁଆଳମାନେ ସେମାନଙ୍କର ଛେଳିଗୁଡ଼ିକୁ ଚରାଇ ନେଇନଥିଲେ । ଲୋକେ ଦଳିତମାନଙ୍କର ବସ୍ତିରେ ଲାଠି ଧରି ପ୍ରବେଶ କଲେ, ଦଳିତମାନଙ୍କର ଘରେ ଥିବା ହାଣ୍ଡିମାଠିଆ ଭାଙ୍ଗିବାକୁ ଲାଗିଲେ, ଛାତର ଟାଇଲ୍‌ଗୁଡ଼ିକୁ ବି ପିଟି ଖଣ୍ଡ ଖଣ୍ଡ କରି ଦେଇଥିଲେ । ସାହୀର ମରଦମାନେ ତେଣେ ଯାଇ ଜିଲ୍ଲା ମହକୁମାରେ ଥିଲେ, ଏଠାରେ କେବଳ ପିଲା ଓ ମହିଳାମାନେ ହିଁ ଥାଆନ୍ତି । ସେମାନେ ସମସ୍ତେ ନିଜ ନିଜ ଘର ଭିତରେ ଅତ୍ୟନ୍ତ ଭୟଭୀତ ହୋଇ ଲୁଚି ରହିଲେ । ତେଣେ ଟୋପାଏ କ୍ଷୀର, ପିଇବା ପାଣି ମଧ୍ୟ ପାଇଲେ ନାହିଁ; ଘରେ ଖାଦ୍ୟଦ୍ରବ୍ୟ ବି କିଛି ନଥାଏ ।

 

ତିନିଦିନ ପରେ ପୁରୁଷମାନେ ବସ୍ତିକୁ ଫେରି ଆସି ଯେତେବେଳେ ଏପରି ଘଟଣାମାନ ଦେଖିଲେ, ସେତେବେଳେ ସେମାନଙ୍କ କ୍ରୋଧର ଆଉ ସୀମା ହିଁ ରହିଲାନାହିଁ । ବସ୍ତିଟାଯାକ ସତେଅବା ଆତଙ୍କିତ ହୋଇ ରହିଥିଲା । ଯେପରି ହେଉ ପଛକେ, ସେମାନେ ଜିଲ୍ଲା ପ୍ରଶାସନକୁ କିଛି ନା କିଛି କରିବା ନିମନ୍ତେ ବାଧ୍ୟ କରିବେ ବୋଲି ଶପଥ ଗ୍ରହଣ କଲେ ।

 

ସେମାନେ ସର୍ବପ୍ରଥମେ ପୋଲିସ୍ ଥାନାରେ ଯାଇ ପହଞ୍ଚିଲେ । ସେଠାରେ ଡିଉଟିରେ ଥିବା କର୍ମକର୍ତ୍ତା ସେମାନଙ୍କର ଅଭିଯୋଗଟିକୁ ଖାତାରେ ଲେଖିବାକୁ ମନା କରି ଦେଇଥିଲେ । ସେମାନେ ତା’ ପରେ ପୁଣି ଜିଲ୍ଲା-ଶାସନର ମହକୁମାକୁ ଗଲେ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ହାକିମଙ୍କୁ ଭେଟିଲେ; ତଥାପି କୌଣସି ସକ୍ରିୟ ପଦକ୍ଷେପ ନିଆ ଯାଇନଥିଲା । ଇତିମଧ୍ୟରେ ସହାନୁଭୂତି ଥିବା ସେହି କମିଶନର୍‍ଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇ ଯାଇଥିଲା । ସର୍ବଶେଷ ପନ୍ଥାରୂପେ ଯୁବକମାନେ ଏକ ‘ରାସ୍ତା ରୋକୋ’ ଆନ୍ଦୋଳନ କରିବା ନିମନ୍ତେ ସ୍ଥିର କଲେ, ଏବଂ ଏକାବେଳକେ ସହରର ଠିକ୍ କେନ୍ଦ୍ର ଜାଗାରେ । ଏଥର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ସର୍ବୋଚ୍ଚ ପୋଲିସ୍ ହାକିମ ବାଧ୍ୟ ହୋଇ ସେମାନଙ୍କୁ ଯାଇ ଭେଟିଲେ,–ଏକାବେଳକେ ବୀଚ୍ ରାସ୍ତାଉପରେ । ତୁମୁଳ ତୁଣ୍ଡଗୋଳ ପରେ ଦୁଇ ବଡ଼ ହାକିମ ସମସ୍ତଙ୍କର ଉପସ୍ଥିତିରେ ଘୋଷଣା କରିବାକୁ ବାଧ୍ୟ ହେଲେ ଯେ, ଆଉ ଆଦୌ କୌଣସି କାଳବିଳମ୍ବ ନକରି ଏହି ଦଳିତମାନଙ୍କର ଅଭିଯୋଗଟିକୁ ଗ୍ରହଣ କରାଯିବ । ତା’ପରେ ଯାଇ ସେହି ଉତ୍ତେଜନା ପ୍ରତ୍ୟାହୃତ ହୋଇ ପାରିଥିଲା । ସରପଞ୍ଚ ଓ ଅନ୍ୟ ଗ୍ରାମବାସୀଙ୍କର ବିରୁଦ୍ଧରେ ଅଭିଯୋଗମାନ ଭାରତୀୟ ପିଙ୍ଗଳ କୋଡ଼ର ଚାରିଗୋଟି ଭିନ୍ନ ଭିନ୍ନ ଦଫାରେ ଲେଖା ହୋଇ ରହିଲା ।

 

ମାତ୍ର, ତହିଁ ଆରଦିନ ପୋଲିସ୍‍ବାଲା ଗାଆଁରେ ଦଳିତମାନଙ୍କର ବିରୋଧରେ ବିଭିନ୍ନ ଧାରାରେ ବହୁସଂଖ୍ୟକ ମକଦ୍ଦମା ରୁଜୁ କରି ଦେଇଥିଲେ । ତା’ପରେ ପୋଲିସ୍ ବିଭାଗର ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ୍‍ ସେହି ଗାଆଁକୁ ନିଜେ ଆସି ଉଭୟ ଜାତିର ପ୍ରତିନିଧିମାନଙ୍କୁ ଡାକି ଗୋଟିଏ ବୈଠକ ମଧ୍ୟ କରାଇଥିଲେ । ସାବଧାନ କରିଦେଇ କହିଥିଲେ ଯେ, ବର୍ତ୍ତମାନ ଉଭୟ ଗୋଷ୍ଠୀର ବହୁ ବ୍ୟକ୍ତିଙ୍କ ନାମରେ ନାନା ସାଂଘାତିକ ଅପରାଧର ଅଭିଯୋଗମାନ ଥାନାରେ ଦାଏର୍ ହୋଇଯିବା ପରେ ସମସ୍ତେ ମିଶି ଏକ ଆପୋଷ ବୁଝାମଣା କରିନେବା ହିଁ ସବୁଠାରୁ ଉତ୍ତମ ପନ୍ଥା ହେବ । ସେ ପୁନର୍ବାର କହିଥିଲେ ଯେ, ଅଭିଯୋଗମାନ ଖାତାରେ ଲେଖା ହୋଇସାରିବା ପରେ ସେଗୁଡ଼ିକୁ ଖାଲି ଇଚ୍ଛା କଲେ ହିଁ ସେଗୁଡ଼ିକୁ ପ୍ରତ୍ୟାହାର କରାଯାଇ ପାରିବନାହିଁ, କିନ୍ତୁ, ଯଦି ଉଭୟ ପକ୍ଷ ରାଜି ହୁଅନ୍ତି, ତେବେ ଉଭୟ ପଟୁ ସାକ୍ଷୀ ଦେବାପାଇଁ କେହି ଆସିବେନାହିଁ ଏବଂ ତେଣୁ ମକଦ୍ଦମାଗୁଡ଼ିକ ତାହାରି ଫଳରେ ଉଠିଯିବାକୁ ବାଧ୍ୟ ହେବ ।

 

ସେମାନେ ଯେ ପରାଜିତ ହୋଇଛନ୍ତି, ଦଳିତ ପକ୍ଷର ପ୍ରମୁଖମାନ ସେକଥାଟିକୁ ଖୁବ୍ ପରିଷ୍କାର ଭାବରେ ବୁଝି ପାରିଥିଲେ ଏବଂ ଅତ୍ୟନ୍ତ କୁଣ୍ଠାର ସହିତ ସମ୍ମତ ହୋଇଗଲେ । ତା’ପରେ, ସେମାନେ ନିଜ ପଟର ଯୁବାମାନଙ୍କୁ ମଧ୍ୟ ଏଣିକି ସଂଯମ ଅବଲମ୍ବନ କରିବାଲାଗି ସତର୍କ କରି ଦେଇଥିଲେ । ବିଲକୁ ତ ଏଥର ଯାଇନଥିଲା, ତେଣୁ ମରେଇସବୁ ପୂରା ଖାଲି ପଡ଼ିଥାଏ । ପୁନଶ୍ଚ କୌଣସି କାମ ମଧ୍ୟ ନଥାଏ ଏବଂ ମୂଲିଆ ହୋଇ କାମ କରି ସେମାନେ କିଛି ରୋଜଗାର କରି ପାରିବା ଭଳି କୌଣସି ସାଧାରଣ କାମ ଆରମ୍ଭ କରିବାକୁ ଯେତେ ଗୁହାରି କରା ହୋଇଥିଲେ ମଧ୍ୟ ମାଜିଷ୍ଟ୍ରେଟ୍ ବାହାଦୁର ସେଥିରେ କର୍ଣ୍ଣପାତ ବି କରିନଥିଲେ । ଗ୍ରାମର ଅବଶିଷ୍ଟ ଗୋଷ୍ଠୀମାନେ ଆରମ୍ଭ କରିଥିବା ବାସନ୍ଦଟି ମଧ୍ୟ ଚାଲୁ ରହିଥିଲା । ଉତ୍ପୀଡ଼କମାନଙ୍କ ବିରୁଦ୍ଧରେ ପୋଲିସ୍ ଅବଶ୍ୟ କିଛି କରିବ ବୋଲି ଆଶା କରି ସେମାନଙ୍କ ତରଫରୁ କରା ଯାଇଥିବା ଅଳ୍ପକାଳ ସ୍ଥାୟୀ ବିଦ୍ରୋହଟି ମଧ୍ୟ ବିଫଳ ହୋଇ ଯାଇଥିଲା । ଏବଂ, ପୁଣି ବିହନ ବୁଣାଯିବା ସମୟଟିଏ ପାଖ ହୋଇ ଆସୁଥିବାରୁ, କେବଳ ଗୋଟିଏ ମାତ୍ର ପ୍ରଶ୍ନ ହିଁ ସେମାନଙ୍କ ମନ ଭିତରେ ରହିଥିଲା: ଏବର୍ଷ ସେମାନେ ନିଜ ବିଲକୁ ଯାଇ ବିହନବୁଣା କାମଟି କରିବାଲାଗି ସେମାନଙ୍କୁ ବାଟ ଛଡ଼ା ହେବ ତ ? ନା ପୁନର୍ବାର ଗତବର୍ଷ ଭଳି ବାଟ ବନ୍ଦ କରାଯିବ ଓ ସେମାନଙ୍କୁ ବାଟ ଛାଡ଼ିଦିଆ ଯିବନାହିଁ ?

☆☆☆

 

୧୯୮୪ : ନ୍ୟାୟ ପାଇବାକୁ ତଥାପି ଅପେକ୍ଷା

 

ପଶ୍ଚିମ ଦିଲ୍ଲୀର ଉପକଣ୍ଠ ଅଞ୍ଚଳରେ ଦୁଇଟି ବଖରା ରହିଥିବା ଗୋଟିଏ ସାଧାରଣ ଚାଳ ଘରଟିଏ,–ସେଥିରେ ଦୁଇଜଣ ବିଧବା ଏକତ୍ର ବାସ କରୁଥିଲେ । ବଡ଼ଟି, ତାଙ୍କର ନାମ ହରନାମ୍ କାଉର୍–ବେଶ୍ ମଜବୁତ ଅଛନ୍ତ–ବୟସ ଆସି ସତୁରିକୁ ଛୁଇଁଲାଣି । ଏବଂ, ସାଙ୍ଗରେ ଥିବା ତାଙ୍କର ବୋହୂ ଦଳଜୀତ୍ କାଉଲ୍ ତାଙ୍କଠାରୁ ପ୍ରାୟ ତିରିଶି ବର୍ଷ ସାନ । ସେହି ଗୋଟିଏ ସକାଳେ ହିଁ ଶାଶୁ ଓ ବୋହୂ ଉଭୟେ ବିଧବା ହୋଇ ଯାଇଥିଲେ । ୧୯୮୪ ମସିହା ନଭେମ୍ବର ଏକ ତାରିଖରେ ।

 

ଭାରତ-ବିଭାଜନର ସ୍ମୃତିଗୁଡ଼ିକ ହରନାମ କାଉର୍‍ଙ୍କର ସ୍ମୃତିରୁ ଏବେ ମଧ୍ୟ ସଂପୂର୍ଣ୍ଣ ଭାବେ ନିଭିଯାଇ ନଥିଲା । ବର୍ତ୍ତମାନ ପାକିସ୍ତାନର ବନ୍ନୁ ଗୁହାର୍ ନାମକ ଗୋଟିଏ କ୍ଷୁଦ୍ର ସହରରେ ତାଙ୍କର ଜନ୍ମ ହୋଇଥିଲା । ଛଅଜଣ ଭାଇ ଓ ଭଉଣୀଙ୍କ ଭିତରେ ସିଏ ସବାବଡ଼ ଏବଂ, ୧୯୪୦ ମସିହାରେ ତାଙ୍କୁ ମାତ୍ର ୧୫ ବର୍ଷ ହେବାକୁ ଯାଉଥିବା ସମୟରେ ତାଙ୍କୁ ଏପରି ଜଣେ ଯୁବକଙ୍କ ସହିତ ବିବାହ କରି ଦିଆ ଯାଇଥିଲା, ଯିଏକି ବିଦ୍ୟୁତ୍ ତାର ଓ ଅନ୍ୟ ସରଞ୍ଜାମଗୁଡ଼ିକର ମରାମତି କରି ଜୀବିକା ନିର୍ବାହ କରୁଥିଲେ । ବିବାହର ଏକ ବର୍ଷ ପରେ କୋଳରେ ମାତ୍ର ଚାରିମାସର ଛୁଆଟିଏ ଧରି ସିଏ ଓ ତାଙ୍କର ସ୍ୱାମୀ ବିଭାଜନ-ରେଖାଟିକୁ ପାର ହୋଇ ଯେକୌଣସି ମତେ ଭାରତ ପଟେ ଆସି ପହଞ୍ଚି ପାରିଥିଲେ । ସାଙ୍ଗରେ ପିନ୍ଧିଥିବା ଲୁଗାପଟା ଛଡ଼ା ଆଉ କିଛି ହେଲେ ନଥିଲା ।

 

ଭୟଙ୍କର ଦଙ୍ଗାରେ ଥରହର ସେହି ବିଭାଜନ-ସମୟର କେତେ କେତେ କଥା ହରନାମ କାଉର୍‍ ଏବେ ମଧ୍ୟ ମନେ ରଖିଛନ୍ତି । ଚାରିଆଡ଼େ ବାସଗୃହ ଏବଂ ଦୋକାନମାନଙ୍କରେ ନିଆଁ ଲଗାଇ ଦିଆ ଯାଉଥାଏ,–ରାସ୍ତାରେ ଯିଏ ଆଗରେ ପଡ଼ିଲା, ତା’ ଦେହରେ ଛୁରୀ ବି ଭୁଷି ଦିଆ ଯାଉଥାଏ । ନାରୀମାନେ ଧର୍ଷିତା ହେଉଥିବା ସମୟରେ ଆର୍ତ୍ତନାଦ କରୁଥାନ୍ତି । ଚତୁର୍ଦ୍ଦିଗରେ ଲୁଟତରାଜ ଲାଗି ରହିଥାଏ ଏବଂ ବନ୍ଧୁକର ଗୁଳିମାନ ଢୋ’ ଢୋ’ ହୋଇ ଫୁଟିବାରେ ଲାଗିଥାନ୍ତି । ଏହିପରି ଲଗାତାର ରାତି ରାତି ବିତାଇବାକୁ ମଧ୍ୟ ପଡ଼ିଛି । ଆଖିକୁ ନିଦ ମଧ୍ୟ ଆସିନାହିଁ । ଶେଷକୁ ସୈନ୍ୟବାହିନୀ ହିଁ ସେମାନଙ୍କୁ ଉଦ୍ଧାର କରି ପାରିଥିଲା ଏବଂ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ଆଣି ପହଞ୍ଚାଇ ଦେଇଥିଲା । କୁରୁକ୍ଷେତ୍ର ସେତେବେଳେ ଭାରତପଟ ପଞ୍ଜାବରେ ଅବସ୍ଥିତ ଥିଲା । ହରିନାମ୍ କାଉରୁ ସେତେବେଳେ ଆଶା କରିଥିଲେ ଯେ, ଜୀବନରେ ଆଉ କେବେହେଲେ ତାଙ୍କୁ ଏଭଳି ଭୟ ଓ ବିଭୀଷିକା ମଧ୍ୟରେ ବାସ କରିବାକୁ ଆଦୌ ପଡ଼ିବନାହିଁ । ମାତ୍ର, ସେକଥା ପ୍ରକୃତରେ ହେବାର ହିଁ ନଥିଲା ।

 

ହରନାମ୍ କାଉର୍‍ ପରିବାର ସହିତ ସେହି ଶରଣାର୍ଥୀ ଶିବିରରେ ପ୍ରାୟ ଚାରିବର୍ଷ ରହିଥିଲେ । ଜଣେ ଇଲେକଟ୍ରୀ ମିସ୍ତ୍ରୀ ହିସାବରେ ତାଙ୍କ ସ୍ୱାମୀଙ୍କର ଚମତ୍କାର କୁଶଳତା ପ୍ରକୃତରେ ବହୁତ କାମ ଦେଇଥିଲା ଏବଂ ତାହାରି ଫଳରେ ସେମାନେ ପୁନର୍ବାର ଜୀବନପରି ଜୀବନଟିଏ ବଞ୍ଚିବା ନିମନ୍ତେ ସମର୍ଥ ହୋଇଥିଲେ । ଶରଣାର୍ଥୀ ଶିବିରରୁ ସେମାନେ ଅମ୍ବାଲା ସହରକୁ ଆସି ଗୋଟିଏ ସାନ ଘରେ ଭଡ଼ାରେ ରହିଥିଲେ । ଅମ୍ବାଲାରେ ତାଙ୍କର ସ୍ୱାମୀ ଘରମାନଙ୍କରେ ଓ କେତେ ବିଦ୍ୟାଳୟରେ ମଧ୍ୟ ବୁଲି କାର୍ଯ୍ୟ କରୁଥିଲେ, ବେଳେବେଳେ ଠିକାଦାରମାନଙ୍କ ଠାରୁ ବି କାମ ପାଇ ଯାଉଥିଲେ । କୁଟୁମ୍ଭ ବଢ଼ି ବଢ଼ି ଯାଉଥିଲେ ମଧ୍ୟ ତଥାପି ତାଙ୍କ ଆୟରେ ସବୁ ଚଳି ଯାଉଥିଲା । କେତେ ବର୍ଷ ପରେ ଦିଲ୍ଲୀ ଆନନ୍ଦ ପର୍ବତକୁ ଆସି ରହିବା ବେଳକୁ ହରିନାମ୍ କାଉର୍‍ଙ୍କର ଚାରୋଟି ପିଲା ହୋଇ ସାରିଥିଲେ । ଆହୁରି ଚାରୋଟି ସନ୍ତାନ ଜନ୍ମ ହେବା ତଥାପି ବାକି ଥାଏ । ଆଠଟି ସନ୍ତାନଙ୍କ ଭିତରେ ଚାରିଜଣ ପୁଅ ।

 

ଗୋଟିଏ ପୁଅ ଏକ କାରଖାନାରେ କାମ କରୁଥିଲା, ଏବଂ ତାକୁ ଛାଡ଼ିଦେଲେ ବାକି ସମସ୍ତେ ବାପାଙ୍କ ବ୍ୟବସାୟଟିକୁ ହିଁ ଶିକ୍ଷା କରିଥିଲେ । ସେମାନେ ଜଣକ ପରେ ଜଣେ ବିବାହ କଲେ ଏବଂ ହରନାମ୍ କାଉର୍‍ଙ୍କ ମନରେ ପୂର୍ଣ୍ଣ ସନ୍ତୋଷ ମଧ୍ୟ ରହିଥିଲା ଯେ, ସେ ସମସ୍ତଙ୍କର ପ୍ରତ୍ୟାଶା ଅନୁସାରେ ଆପଣାର ସକଳ କର୍ତ୍ତବ୍ୟ କରି ଆସିଥିଲେ,–ନିଜର ବିବେକ ଅନୁସାରେ ସିଏ ଯେପରି ଏକ ଜୀବନକୁ ଯଥାର୍ଥ ବୋଲି ବିଶ୍ୱାସ କରୁଥିଲେ, ସେହି ଜୀବନର ଗୁଳାରେ ସର୍ବଦା ବିଶ୍ୱସ୍ତ ହୋଇ ରହିଥିଲେ ।

 

ତାଙ୍କ ସ୍ୱାମୀଙ୍କୁ ଏକଦା ଏକ ହୃଦ୍‌ଘାତର ସମ୍ମୁଖୀନ ହେବାକୁ ପଡ଼ିଲା ଯାହାଫଳରେ କି ତାଙ୍କ ଦେହର ଗୋଟିଏ ପଟ ଆଂଶିକ ଭାବରେ ଅଚଳ ହୋଇଗଲା । ନିଜର ଦୁଇ ବିଦ୍ୟୁତ୍‍ମିସ୍ତ୍ରୀ ପୁଅଙ୍କ ସହିତ ସିଏ ଗୋଟିଏ ସ୍ଥାନରେ ରହୁଥିଲେ ଏବଂ ଯମୁନାନଦୀ ଆରପଟେ ଶରଣାର୍ଥୀମାନଙ୍କୁ ଥଇଥାନ କରା ଯାଇଥିବା ଗୋଟିଏ ବସତି ତ୍ରିଲୋକପୁରୀଠାରେ ତାଙ୍କର ଗୋଟିଏ ସାଧାରଣ ବ୍ୟବହାର୍ଯ୍ୟ ପଦାର୍ଥର ଦୋକାନ ମଧ୍ୟ ଥିଲା । ହରିନାମ୍ କାଉର୍‍ ଆପଣାର ବଡ଼ପୁଅଙ୍କ ସହିତ ଆନନ୍ଦ ପର୍ବତଠାରେ ଥିବା ସେମାନଙ୍କର ଘରେ ହିଁ ରହୁଥିଲେ ।

 

ଦେଶ-ବିଭାଜନ ସମୟରେ ଶିଖ ସଂପ୍ରଦାୟ ଲୋକଙ୍କର ସଂଖ୍ୟା ସମୁଦାୟ ଦିଲ୍ଲୀର ମୋଟ ଲୋକସଂଖ୍ୟାର ମୋଟେ ୧.୨% ହିଁ ଥିଲା । ୧୯୮୪ ମସିହା ବେଳକୁ ସେହି ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୭.୫% ହୋଇ ଯାଇଥିଲା (ମୋଟାମୋଟି ପାଞ୍ଚ ଲକ୍ଷ ଲୋକ) । ଅପର ପକ୍ଷରେ ୮୩% ହିନ୍ଦୁ ରହିଥିଲେ । ଶିଖମାନଙ୍କ ମଧ୍ୟରୁ ଅନେକେ ବହୁତ ବିତ୍ତଶାଳୀ ହୋଇ ନଗରୀଟିର ପ୍ରଧାନ ପ୍ରଧାନ ଅଞ୍ଚଳମାନଙ୍କରେ ବେଶ୍ ବର୍ଣ୍ଣାଢ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଗ୍ରହମାନଙ୍କରେ ବାସ କରୁଥିଲେ । ସେହି ସଂପ୍ରଦାୟର ଶ୍ରମିକ ଶ୍ରେଣୀୟ ଅନ୍ୟମାନେ, ଏଥରେ ହରନାମ୍ କାଉର୍‍ଙ୍କ ପରିବାରକୁ ମଧ୍ୟ ସାମିଲ୍ କରାଯାଇ ପାରିବ,–ସାନ ସାନ ଘରେ ସହର ବାହାର ଅଞ୍ଚଳ ଆନନ୍ଦପର୍ବତ ଓ ତ୍ରିଲୋକପୁରୀ ପ୍ରଭୃତି ସ୍ଥାନରେ ରହିଥିଲେ । ଏସବୁ ଅଞ୍ଚଳରେ ଉଭୟେ ଶିଖ ଥିଲେ, ହିନ୍ଦୁମାନେ ବି ଥିଲେ । କିନ୍ତୁ, ତେଣେ ପଞ୍ଜାବରେ ଅଶାନ୍ତି ଏବଂ ଯୁଦ୍ଧ ମନୋଭାବ ବଢ଼ୁଥିଲେ ମଧ୍ୟ ଏଠାରେ ଶିଖମାନଙ୍କର ବିରୁଦ୍ଧରେ ଏତେ ବହୁତ ସଂଖ୍ୟାରେ ହିନ୍ଦୁମାନେ କେବେ ହିଂସାଚରଣ କରିଥିବାର କୌଣସି ଇତିହାସ ନଥିଲା । ଶିଖମାନେ କଠିନ ପରିଶ୍ରମ କରନ୍ତି, ଉଦ୍ୟମରତ ରହିଥାଆନ୍ତି ଏବଂ ନିଜର ଦେଶପ୍ରୀତିରେ ଅଟଳ ଥାଆନ୍ତି,–ଏବଂ ଏହିସବୁ ଗୁଣ ସକାଶେ ସେମାନଙ୍କୁ ପ୍ରଶଂସା ମଧ୍ୟ କରା ଯାଉଥିଲା । ଅଧିକାଂଶ ହିନ୍ଦୁ ସଂପ୍ରଦାୟର ଏକ ପ୍ରସାରିତ ଅଙ୍ଗରୂପେ ହିଁ ଦେଖୁଥିଲେ ।

 

୧୯୮୦ ଦଶକର ମଧ୍ୟଭାଗରେ ଏହି ସବୁକିଛି ପ୍ରାୟ ନାଟକୀୟ ଭାବରେ ବଦଳି ଯାଇଥିଲା । ଦୁଇ ସଂପ୍ରଦାୟର ରାଜନୀତିକ ଉପାଦାନମାନେ ଅବିଶ୍ୱାସ ଏବଂ ବ୍ୟବଧାନଗୁଡ଼ିକୁ ବୃଦ୍ଧି କରିବାରେ ଲାଗିଗଲେ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅମୃତସରର ପବିତ୍ର ସ୍ୱର୍ଣ୍ଣମନ୍ଦିର ମଧ୍ୟରେ ଏକ ବୃହତ ସୈନିକ ଆକ୍ରମଣ ନିମନ୍ତେ ସୈନ୍ୟବାହିନୀକୁ ବ୍ୟବହାର କରିବାପରେ ୧୯୮୪ ମସିହାରେ ଏହି ଅବସ୍ଥାରେ ପ୍ରାୟ ଏକ ପରାକାଷ୍ଠା ଆସି ପହଞ୍ଚି ଯାଇଥିଲା । ସେତେବେଳେ ମନ୍ଦିର ଭିତରେ ଶିଖ ହିଂସାବାଦୀମାନେ ଲୁଚି କରି ରହିଥିଲେ । ଏହା ଫଳରେ ଶିଖମାନେ ସର୍ବତ୍ର ନିଜକୁ ଅତ୍ୟନ୍ତ ଆହତ ଅନୁଭବ କଲେ ଓ ସେମାନଙ୍କର ନିଜ ସରକାର ସେମାନଙ୍କ ପ୍ରତି ଘୋର ଅନ୍ୟାୟ କରୁଛି ବୋଲି ଅନୁଭବ କରି ଅତ୍ୟନ୍ତ ଉତ୍ତେଜିତ ହୋଇ ପଡ଼ିଲେ-। ଏବଂ, ଉନ୍ମାଦବତ୍ ତାହାର ପ୍ରତିଶୋଧ ନେବାଭଳି ଶ୍ରୀମତୀ ଗାନ୍ଧୀଙ୍କର ଶିଖ ଶରୀର ରକ୍ଷୀମାନେ ୧୯୮୪ ଅକ୍ଟୋବର ୩୧ ତାରିଖରେ ସକାଳବେଳା ତାଙ୍କୁ ହତ୍ୟା କଲେ ।

 

ସେଦିନ ସନ୍ଧ୍ୟା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କର ପୁଅ ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇ ନିଆ ଯାଇଥିଲା । ପ୍ରାୟ ସେପର୍ଯ୍ୟନ୍ତ ରାଜୀବ ବିମାନ ଯାତାୟତ ପଥରେ ଜଣେ ପାଇଲଟ୍ ରୂପେ କାର୍ଯ୍ୟ କରୁଥିଲେ । ସେଦିନ ସନ୍ଧ୍ୟା ହେଲାବେଳକୁ ଦେଶତମାମ ହିଂସାକାଣ୍ଡମାନ ଘଟିବାର ସମ୍ବାଦ ଆସି ପହଞ୍ଚିବାକୁ ଲାଗିଲା । ଦିଲ୍ଲୀ ସହରରେ ଶିଖ-ଗୋଷ୍ଠୀ ବିରୁଦ୍ଧରେ ଯେଉଁସବୁ ବସତିରେ ପ୍ରଥମେ ହିଂସାଚରଣ ଘଟିଲା, ସେଥିରୁ ତ୍ରିଲୋକପୁରୀ ହେଉଛି ଗୋଟିଏ । ସେହି ବସତିରେ ଦଳଜିତ୍ ନିଜ ସ୍ୱାମୀ ଏବଂ ଶ୍ୱଶୁରଙ୍କ ସହିତ ବାସ କରୁଥିଲେ । ରାତି ପାହି ସକାଳ ହେବା ପୂର୍ବରୁ ହିଁ ଦେଶର ବହୁ ବହୁ ଅଞ୍ଚଳ ଏକାବେଳକେ ନାନା ହିଂସାକାଣ୍ଡ ଦ୍ଵାରା ଆକ୍ରାନ୍ତ ହୋଇ ପଡ଼ିଥିଲା । ପ୍ରାୟ ଚାଳିଶିବର୍ଷ ପୂର୍ବେ ଦେଶବିଭାଜନ ସମୟରେ ହୋଇଥିବା ସାଂପ୍ରଦାୟିକ ହିଂସାରାଜ୍ ପରେ ସମ୍ଭବତଃ ଏହିଟିକୁ ହିଁ ସବୁଠାରୁ ଅଧିକ ଅଞ୍ଚଳକୁ ବ୍ୟାପି ଯାଇଥିବା ହିଂସାର ଆଚରଣ ବୋଲି କୁହାଯାଇ ପାରିବ ।

 

ତ୍ରିଲୋକପୁରୀଠାରେ କିପରି ଯେ ହିଂସାଚରଣର ପ୍ରଥମାରମ୍ଭ ହେଲା, ସେକଥା କେହି ଜାଣିନାହାନ୍ତି । ସେହି ବର୍ଷର ଶେଷ ଆଡ଼କୁ ଦେଶର ଦୁଇଟି ମୁଖ୍ୟ ମାନବାଧିକାର ସଂସ୍ଥାଦ୍ୱାରା କରା ଯାଇଥିବା ତଦନ୍ତରୁ ଯାହା ଜଣାପଡ଼ୁଛି, ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିବା ଦିନ ରାତିଠାରୁ ହିଁ ହିଂସାକାଣ୍ଡ ଆରମ୍ଭ ହୋଇ ଯାଇଥିଲା । ତ୍ରିଲୋକପୁରୀଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ କଲ୍ୟାଣପୁରୀରେ ନିଜର ଗୋଟିଏ କ୍ଲିନିକ୍ ଚଳାଉଥିବା କଂଗ୍ରେସ (ଇ) ପୌରସଭା ସଦସ୍ୟ ଡାକ୍ତର ଅଶୋକ କୁମାର ଏକ ସଭା ଡକାଇଥିଲେ । ସେହି ସଭାରେ ସିଏ ଅଭିଯୋଗ କରିଥିଲେ ଯେ, ଇନ୍ଦିରା ଗାନ୍ଧୀଙ୍କର ମୃତ୍ୟୁକୁ ଉତ୍ସବରୂପେ ପାଳନ କରିବାକୁ ଶିଖମାନେ ମିଷ୍ଟାନ ବାଣ୍ଟୁଛନ୍ତି ଏବଂ ଦୀପାବଳୀ ପାଳନ ମଧ୍ୟ କରୁଛନ୍ତି । ଦେଶଯାକ ଏହିପରି ଜନରବମାନ ବ୍ୟାପିଯିବାରେ ଲାଗିଛି । ଏହାପରେ ସିଏ ଏକ କ୍ରୋଧୋନ୍ମତ୍ତ ଲୋକସମୂହକୁ ସ୍ଥାନୀୟ ସାନ ଗୁରୁଦ୍ୱାରାକୁ ବହକାଇ ନେଇଥିଲେ ଏବଂ ସେଥିରେ ନିଆଁ ଲଗାଇ ଦିଆ ଯାଇଥିଲା ।

 

ରାତି ସାରା ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ଯୁବକମାନେ ଟେମ୍ପୋ, ସ୍କୁଟର, ମୋଟର ସାଇକେଲ ଏବଂ ଟ୍ରକରେ ବସି ସେଠାରେ ଆସି ପହଞ୍ଚୁ ଥାଆନ୍ତି । ସକାଳବେଳକୁ ରାସ୍ତାଗୁଡ଼ିକ ସର୍ବତ୍ର ସେହିମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ଯାଇଥିଲା, ସେମାନେ ଉଚ୍ଚ ସ୍ଵରରେ ନାରା ଲଗାଇବାରେ ଲାଗିଥାନ୍ତି, ଲାଠିଗୁଡ଼ିକୁ ପ୍ରଦର୍ଶନ କରୁଥାନ୍ତି,–ତ୍ରିଶୂଳ, ଲୁହାଛଡ଼, ଖଣ୍ଡା ଓ ଛୁରା ମଧ୍ୟ ଧରିଥାଆନ୍ତି । କେତେକ ପଡ଼ିଶାଙ୍କୁ ଏହି ବସତିର ବାସିନ୍ଦାମାନେ ବେଶ୍ ଚିହ୍ନି ବି ପାରୁଥିଲେ; କିନ୍ତୁ ଉପକଣ୍ଠମାନଙ୍କରେ ଅବସ୍ଥିତ ସହରର ଅଞ୍ଚଳମାନଙ୍କରୁ ହିଁ ଅଧିକାଂଶ ବ୍ୟକ୍ତି ସେଥିରେ ସାମିଲ୍ ହୋଇ ଆସି ପହଞ୍ଚିଥିଲେ ।

 

ଦଳଜିତ୍ କାଉର୍‍ଙ୍କର ଶ୍ୱଶୁର, ତାଙ୍କର ସ୍ୱାମୀ ତଥା ଅବିବାହିତ ଦିଅର ପ୍ରାଣ ଭୟରେ ଗୋଟିଏ କୋଠରୀରେ ଏକ ଶେଯତଳେ ଲୁଚି ରହିଥାଆନ୍ତି । ବାହାରୁ ଜନତା ମାଡ଼ି ଆସୁଥାନ୍ତି, କବାଟମାନ ଧଡ଼ଧଡ଼ କରୁଥାନ୍ତି ଓ ପୁରୁଷମାନଙ୍କୁ ଟାଣି ବାହାର କରି ନେଉଥାନ୍ତି । ଏହିସବୁ ଦୃଶ୍ୟ ପିଲା ଏବଂ ସ୍ତ୍ରୀ ଲୋକମାନେ ଅତ୍ୟନ୍ତ ବିକଳ ହୋଇ ଚିତ୍କାର ମଧ୍ୟ କରୁଥାନ୍ତି । ଏସବୁ ଦୃଶ୍ୟ ଦେଖି ଦଳଜିତ୍ କାଉର୍ ସେମାନଙ୍କୁ ପଛପଟ କବାଟ ଦେଇ ଗୁପ୍ତ ଭାବରେ ନିଜ ଘରଠାରୁ ଖଣ୍ଡେ ଦୂରରେ ଅବସ୍ଥିତ କୌଣସି ପାଖ ଗଳିରେ ଥିବା ଗୋଟିଏ ଖୋଲା ଅଥଚ ଆବୃତ ସ୍ଥାନକୁ ନେଇ ଯାଇଥିଲେ-। ସେଠାରେ ସେମାନେ ନିରାପଦରେ ରହିବେ ବୋଲି ନିଶ୍ଚୟ ଭାବିଥିବେ । ସେଠାରେ ନିଜେ ମଧ୍ୟ କିଛି ସମୟ ଲାଗି ଅପେକ୍ଷା କରିଥିଲେ ଏବଂ ତା’ପରେ ଠିକ ସେହିପରି ଲୁଚି ଲୁଚି ଘରଯାଏ ଫେରି ଆସିଥିଲେ । ସେମାନଙ୍କ ନିମନ୍ତେ କିଛି ଖାଇବା ଓ ପାଣି ଆଣି ପହଞ୍ଚାଇ ଦେବା ତାଙ୍କର ଅଭିପ୍ରାୟ ଥିଲା । ସାଙ୍ଗରେ କିଛି ଦ୍ରବ୍ୟ ସହିତ ପୁନର୍ବାର ଯେତେବେଳେ ସେଠାକୁ ଫେରିଗଲେ, ସେତେବେଳେ ପରିବାରର ଏହି ତିନିଜଣଙ୍କୁ ହତ୍ୟା କରାଯାଇ ସାରିଥିଲା । ପ୍ରଥମେ ଲୁହାଛଡ଼ ଓ ବାଡ଼ିଦ୍ଵାରା ପିଟା ଯାଇଥିଲା ଓ ତା’ପରେ ଜୀଅନ୍ତା ନେଇ ନିଆଁରେ ପକାଇ ଦିଆଗଲା ।

 

ଆଖିରୁ ଲୁହମାନ ବି ଶୁଖି ଯାଇଥାନ୍ତି;–ଦଳଜିତ୍ କାଉଲ୍ ତିନିଜଣ ଯାକଙ୍କର ଦରପୋଡ଼ା ଦେହଗୁଡ଼ିକ ପାଖରେ ଥକା ହୋଇ ବସି ପଡ଼ିଥିଲେ । ଚାରିଆଡ଼ ଯାକ ନିଆଁ ଜଳୁଥାଏ, ଧୂଆଁ ଘୋଟି ରହିଥାଏ,–ବାସଗୃହ, ଦୋକାନ, ଯାନବାହନ ଏବଂ ଜୀଅନ୍ତା ମଣିଷ,–ସବୁକିଛିରେ ନିଆଁ ଲଗାଇ ଦିଆ ଯାଉଥାଏ । ଗୋଟିଏ ମଟରଗାଡ଼ି  ହୁତୁହୁତୁ ହୋଇ ଜଳୁଥାଏ ଓ ତା’ଭିତରେ ଥିବା ଜୀବନ୍ତ ମଣିଷଟିଏ ବାହାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଦୁଆରେ ତାଲା ପଡ଼ିଥିବାରୁ ବାହାରି ପାରୁନଥାଏ । ଗୃହମାନଙ୍କ ଉପରେ କିରୋସିନ ତେଲ ନେଇ ଢାଳି ଦିଆ ଯାଉଥିଲା,–ବା ଡିଜେଲ କିମ୍ବା ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦିଆ ଯାଉଥିଲା । ସେଗୁଡ଼ିକ ଭିତରୁ ଯେପରି କେହି ବାହାରକୁ ବାହାରି ନପାରିବେ, ସେଥିଲାଗି ବାହାରୁ ତାଲା ପକାଇ ଦିଆ ଯାଉଥିଲା । କେତେକ ଦୋକାନୀ ମଧ୍ୟ ଧ୍ୱଂସକାରୀ ଜନତାଙ୍କୁ କିରୋସିନି ଆଣି ଯୋଗାଇ ଦେଉଥିଲେ । ଏହିସବୁ ଦୋକାନ ଲୁଟି ଓ ଘର ଜୁର କରିବାର କାର୍ଯ୍ୟରେ କେତେକ ମହିଳା ମଧ୍ୟ ଆସି ସାମିଲ ହୋଇଥାନ୍ତି-। ପଇଁତରା ଦେଉଥିବା କେତେଟା ପୋଲିସ ବିଭାଗୀୟ ଜୀପ୍ ଖଣ୍ଡ ଦୂରରେ ଥାଏ ବେଶ୍ ସହିଷ୍ଣୁ ଭାବରେ ସବୁକିଛି ଦେଖିବାରେ ଲାଗିଥାଆନ୍ତି । ବେଳେବେଳେ ଖାକି ପିନ୍ଧିଥିବା ବ୍ୟକ୍ତିମାନେ ମଧ୍ୟ ସ୍ୱୟଂ ସେହି ଉନ୍ମତ୍ତମାନଙ୍କୁ ସାହାଯ୍ୟ କରୁଥାନ୍ତି; ନିକ ନିଜ ବିଭାଗୀୟ ଜିପରେ ଡିଜେଲ୍ ଏବଂ ପେଟ୍ରୋଲ୍ ବାହାର କରି ଦାନ ବି କରୁଥାନ୍ତି ।

 

ବଡ଼ ଅସହାୟ ଭାବରେ ଦଳଜିତ୍‍ ଏହି ସବୁକିଛିକୁ ଦେଖିବାରେ ଲାଗିଥାନ୍ତି, ଏଣେ ତାଙ୍କର ନିଜ ବାସଗୃହଟି ମଧ୍ୟ କେଡ଼େ ବାଗରେ ଲୁଟି ହୋଇଯିବାରେ ଲାଗିଥାଏ । ତା’ପରେ ସେଥିରେ ବି ନିଆଁ ଲଗାଇଦିଆ ଯାଇଥିଲା । ତାଙ୍କ ଦୋକାନଟି ମଧ୍ୟ ଭସ୍ମୀଭୂତ ହୋଇ ଯାଇଥିଲା ବୋଲି ସେ ପରେ ଜାଣିବାକୁ ପାଇଥିଲେ ।

 

ନିଜ ପରିବାରର ତିନି ବ୍ୟକ୍ତିଙ୍କର ମୃତ ଶରୀର ତାଙ୍କ ନିକଟରେ ପଡ଼ି ରହିଥାଏ ଓ ସିଏ ସେହିମାନଙ୍କ ବିଷୟରେ ଭାବିବାରେ ଲାଗିଥାନ୍ତି । ଏବଂ ଚତୁର୍ଦ୍ଦିଗରେ ଏକ ମୂଢ଼ ଜନତା ସବୁ ନିଆଁ ଲଗାଇ ଧ୍ୱଂସ କରି ଦେଉଥାଏ । ଅନ୍ତତଃ ସେମାନଙ୍କର ସମୁଚିତ ଭାବରେ ଏକ ଅନ୍ତିମ ସତ୍କାର ତ କରିବାକୁ ପଡ଼ିବ । ଦଳଜିତ୍ ସେଠାରେ ଚାରିପାଖରୁ ବୁଦା, ଗଛ ଡାଳ ଓ ଶୁଖିଲା ପତ୍ର ସଂଗ୍ରହ କରି ଆଣିଲେ ଏବଂ ସେଗୁଡ଼ିକୁ ମୃତଦେହଗୁଡ଼ିକ ଉପରେ ଜମା କରି ଦେଇଥିଲେ । ପଡ଼ିଶାମାନଙ୍କୁ ବହୁ ଅନୁନୟ କରି ସେମାନେ ରାନ୍ଧିବାପାଇଁ ବ୍ୟବହାର କରୁଥିବା ଘଷି ମାଗି ଆଣିଥିଲେ । ଶେଷରେ ତିନୋଟିଯାକ ଜୁଇରେ ଅଗ୍ନିସଂଯୋଗ ବି କଲେ ଏବଂ ଅତ୍ୟନ୍ତ ବିଷର୍ଣ୍ଣ ଚିତ୍ତରେ ଏକ ପ୍ରାର୍ଥନା ମଧ୍ୟ ଉଚ୍ଚାରଣ କରିଥିଲେ ।

 

ସେତେବେଳକୁ ମୁଖ୍ୟ ରାସ୍ତାମାନଙ୍କରେ ଶତ ଶତ ଶିଖ ମହିଳା ତଥା ଶିଶୁମାନେ ଆସି ଜମା ହୋଇଥାନ୍ତି,–ସମସ୍ତେ ବିଳାପ କରିବାରେ ଲାଗିଥାନ୍ତି,–ପରସ୍ପରକୁ ସାନ୍ତ୍ୱନା ଏବଂ ସୁରକ୍ଷା ବି ପ୍ରଦାନ କରୁଥାନ୍ତି । ଦଳକିତ କାଉର୍ ସେମାନଙ୍କ ସହିତ ସାମିଲ ନହୋଇ ବରଂ ଏକାକୀ ନିଜର ଏହି ପରଲୋକଗତ ପ୍ରିୟ ବ୍ୟକ୍ତିମାନଙ୍କର ଯୂଇ ପାଖରେ ବିତାଇ ଦେବାକୁ ହିଁ ଅଧିକ ଉଚିତ ମନେ କରିଥିଲେ । ଏହିପରି ଭାବରେ ଦୁଇ ଦିନ ଓ ଦୁଇ ରାତି କଟି ଯାଇଥିଲା,–ଚାରିପାଖର ହିଂସାଲୀଳା ଗୁଡ଼ିକ ସେହିପରି ଅବାରିତ ଭାବରେ ଲାଗି ରହିଥାଏ ।

 

ଉନ୍ମତ୍ତମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଥାଏ, ଉନ୍ମାଦ ମଧ୍ୟ ବଢ଼ିଥାଏ । ସେଦିନ ରାତ୍ର ଏକ ଜନରବ ହେଲା ଯେ ଶିଖମାନେ ସହରର ପାନୀୟ ଜଳର ଉତ୍ସ ଗୁଡ଼ିକରେ ବିଷ ପକାଇ ଦେଇଛନ୍ତି, ଏବଂ ସେମାନେ ହତ୍ୟା କରିଥିବା ହଜାର ହଜାର ହିନ୍ଦୁଙ୍କର ମୃତ ଦେହ ତେଣେ ଦିଲ୍ଲୀ ରେଳଷ୍ଟେସନରେ ଆସି ଜମା ହେବାରେ ଲାଗିଛି । ଏବଂ, ବଡ଼ ବିଚିତ୍ର କଥା ଯେ, ଠିକ୍ ଏହିଭଳି ଜନରବମାନ ସମଗ୍ର ଦେଶରେ ମଧ୍ୟ ବଡ଼ ସାନ ନଗର ତଥା ସହରମାନଙ୍କରେ ପ୍ରତିଗୁଞ୍ଜରିତ ହୋଇ ଉଠିବାରେ ଲାଗିଥାଏ ।

 

ସେହି ଅଞ୍ଚଳରେ ଗୋଟିଏ ପୋଲିସ୍ ଜୀପ୍ ପଇଁତରା ବି ମାରୁଥାଏ; ଡାକବାଜି ଯନ୍ତ୍ର ସାହାଯ୍ୟରେ ଶିଖମାନଙ୍କୁ ସତର୍କ କରି ଦେଉଥାଏ ଯେ, ସେମାନଙ୍କର ନିରାପତ୍ତା ନିମନ୍ତେ ପୋଲିସ୍ ଆଦୌ ଦାୟୀ ରହି ପାରିବ ନାହିଁ ଏବଂ ତେଣୁ ସେମାନେ ନିଜେ ହିଁ ସାବଧାନ ରହିବେ । କେତେକ ହିନ୍ଦୁ ପ୍ରତିବେଶୀ ଶିଖ ପରିବାରମାନଙ୍କୁ ଆଶ୍ରୟ ଦେଇଥିଲେ ଏବଂ, ନିଜର ଶିଖ ପ୍ରତିବେଶୀମାନଙ୍କୁ ଆଶ୍ରୟ ପ୍ରଦାନ କରିଥିବା ହେତୁ, ତ୍ରିଲୋକପୁରୀର ଗୋଟିଏ ହିନ୍ଦୁ ପରିବାରର ଘରେ ନିଆଁ ବି ଲଗାଇ ଦିଆଗଲା । ଶିଖ ସଂପ୍ରଦାୟର ଅନେକ ପୁରୁଷ ମୁଣ୍ଡରେ ରଖିଥିବା ଲମ୍ବ ବାଳକୁ କାଟି ପକାଇଥିଲେ, ଦାଢ଼ି ଖିଅର ହୋଇଗଲେ ଏବଂ ଚିହ୍ନା ପଡ଼ିଯିବାର ଭୟରେ ପଗଡ଼ିଗୁଡ଼ିକୁ ଫିଙ୍ଗି ଦେଇଥିଲେ ।

 

ଉନ୍ମାଦଦ୍ୱାରା ପରିପୂର୍ଣ୍ଣ ଏହି ରାତି ଓ ଦିନଗୁଡ଼ିକ ଆସି ଚାଲି ଯାଉଥାଏ ଏବଂ ଦଳଜିତ୍ କାଉରୁ ବର୍ତ୍ତମାନ ଶୀତଳ ପାଉଁଶରେ ପରିଣତ ହୋଇ ଯାଇଥିବା ଜୁଇଗୁଡ଼ିକୁ ପହରା ଦେଇ ବସି ରହିଥାନ୍ତି । ପଚି ଆସୁଥିବା ମଣିଷମାଂସର ଦୁର୍ଗନ୍ଧରେ ବାୟୁମଣ୍ଡଳ ଭଣ ଭଣ ହେଉଥାଏ,–ପୋଡ଼ା ଓ ଦରପୋଡ଼ା ଆସବାବପତ୍ର ଓ ଗୃହମାନେ ଆଁ’ କରି ଅନାଇ ରହିଥାନ୍ତି । ଦରପୋଡ଼ା ମଣିଷ-ଦେହମାନଙ୍କରେ କୁକୁର ଓ ମୂଷାମାନେ ଆସି ଲାଗିବା ଆରମ୍ଭ କରି ଦେଇଥାଆନ୍ତି । ଉନ୍ମତ୍ତ ଜନସମୂହ ମଧ୍ୟ ସେଇ ବାଟେ କେତେଥର ଆସି ତାଙ୍କୁ ଅତିକ୍ରମ କରି ଚାଲି ଯାଉଥାନ୍ତି ସିନା, ମାତ୍ର କେହି ତାଙ୍କୁ ସ୍ପର୍ଶ କରୁନଥାନ୍ତି ।

 

ସେହି ବସତିରୁ କେତେଜଣ ହିନ୍ଦୁ ପୁରୁଷବ୍ୟକ୍ତି ଯାଇ କଲ୍ୟାଣପୁରୀ ଷ୍ଟେସନର ଅଫିସରଙ୍କ ପାଖରେ ପହଞ୍ଚିଲେ,–ତ୍ରିଲୋକପୁରୀ ମଧ୍ୟ ତାଙ୍କରି ଅଞ୍ଚଳର ଅନ୍ତର୍ଗତ ଥିଲା,–ଓ ତ୍ରିଲୋକପୁରୀର ଜୀବିତ ରହିଥିବା ଶିଖମାନଙ୍କ ନିମନ୍ତେ ସୁରକ୍ଷା ଦାବି କରିଥିଲେ । ଅଫିସର ବାହାରକୁ ବାହାରିବାକୁ ହିଁ ମନା କଲେ, ସେହି ଅଞ୍ଚଳରେ ‘ସଂପୂର୍ଣ୍ଣ ଶାନ୍ତି’ ରହିଛି ବୋଲି ଦୃଢ଼ ଭାବରେ ମଧ୍ୟ କହିଥିଲେ ।

 

ତିନି ଦିନ ମଧ୍ୟରେ ତ୍ରିଲୋକପୁରୀରେ ଅନ୍ତତଃ ୪୦୦ ଶିଖଙ୍କୁ ହତ୍ୟା କରା ଯାଇଥିଲା ଏବଂ, ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ପରବର୍ତ୍ତୀ ଘଟଣା ରୂପେ ସେହି ଅଞ୍ଚଳଟି ହିଁ ବୀଭତ୍ସତମ ଗଣହତ୍ୟାର ଏକ ଦୃଷ୍ଟାନ୍ତରେ ପରିଣତ ହୋଇଥିଲା ବୋଲି ପରେ ତ୍ରିଲୋକପୁରୀ ଏକ କୁଖ୍ୟାତି ଅର୍ଜନ କରିଥିଲା । ଏବଂ, ପରେ ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସପିଟାଲ ତରଫରୁ ତ୍ରିଲୋକପୁରୀରେ ହୋଇଥିବା ସାତଗୋଟି ଧର୍ଷଣର ଖବର ମଧ୍ୟ ପ୍ରାପ୍ତ ହୋଇଥିଲା ।

 

ଦିଲ୍ଲୀ ଏହିପରି କଳୁଥିବା ସମୟରେ ସ୍ୱରାଷ୍ଟ-ମନ୍ତ୍ରୀ ପି.ଭି. ନରସିଂହ ରାଓ, ଦିଲ୍ଲୀର ଉପ-ରାଜ୍ୟପାଳ ଓ୍ୱାଲି ଏବଂ ମାଜିଷ୍ଟ୍ରେଟ୍‍ ତଥା ପୋଲିସ୍ ବିଭାଗୀୟ କର୍ତ୍ତାମାନଙ୍କର ସମଗ୍ର ପଲଟଣଟି ଦଙ୍ଗାଗୁଡ଼ିକୁ ଦମନ କରାଇବା ନିମନ୍ତେ ସେନାବାହିନୀର ସାହାଯ୍ୟ ଗ୍ରହଣ କରିବାଲାଗି ମୋଟେ ରାଜି ହୋଇନଥିଲେ । ଅଥଚ, ଅନ୍ୟ ପକ୍ଷରେ, ୩୦୦୦ ସୈନ୍ୟ-ସଂବଳିତ ଭାରତୀୟ ସେନାବାହିନୀର ଗୋଟିଏ ସଂପୂର୍ଣ୍ଣ ବିଗ୍ରେଡ୍ ଏବଂ ତା’ ସହିତ ନୌବାହିନୀ ତଥା ବାୟୁସେନା ବିଭାଗର ଆହୁରି ୧୦୦୦ ବ୍ୟକ୍ତିଙ୍କର ଏକ ପରେଡ୍‍ ବାହାର କରିବାରେ ଇନ୍ଦିରା ଗାନ୍ଧୀଙ୍କର ଶବସଂସ୍କାର ସହିତ ବାହାର କରାଇବାରେ ଆଦୌ କୌଣସି ଅସୁବିଧା ହୋଇନଥିଲା ।

 

ନଭେମ୍ବର ଦୁଇତାରିଖ ରାତିରେ କେନ୍ଦ୍ରୀୟ ରିଜର୍ଭ୍ ପୋଲିସ ଆଖର ତ୍ରିଲୋକପୁରୀରେ ଜୀବିତ ରହି ଯାଇଥିବା ବ୍ୟକ୍ତିଙ୍କର ଉଦ୍ଧାର ନିମନ୍ତେ ସେଠାକୁ ଯାଇଥିଲେ । ତହିଁ ଆରଦିନ ସକାଳେ ଯାଇ ଦଳଜିତ୍ କାଉରଙ୍କର ପାଳି ପଡ଼ିଥିଲା ଏବଂ ସେ ତାଙ୍କୁ ଆନନ୍ଦପର୍ବତକୁ ନିଆଯାଉ ବୋଲି କର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ । ଶାଶୁ ତଥା ନିଜର ଅନ୍ୟ ଦିଅରମାନେ ତଥାପି ଜୀବିତ ଅଛନ୍ତି କି ନାହିଁ, ତାଙ୍କୁ ସେହି ବିଷୟରେ କିଛି ଜଣା ନଥିଲା । ତେଣୁ, ଏକଥା ଦେଖି ଖୁବ୍ ଆଶ୍ୱସ୍ତ ହୋଇପାରିଲେ ଯେ, ପଥରମାଡ଼ ସହ୍ୟ କରିଥିଲେ ମଧ୍ୟ ଏବଂ ସେମାନଙ୍କର ବାସଗୃହ ଓ ଦୋକାନ ନିଆଁରେ କଳି ଭସ୍ମ ହୋଇ ଯାଇଥିଲେ ମଧ୍ୟ, ସେମାନେ ତଥାପି ପ୍ରାଣ ଧରି ରହି ଯାଇଥିଲେ । ଏବଂ, ସେମାନଙ୍କ ଆଗରେ ଏପାଖର ଭୟଙ୍କର ସଂବାଦଟିକୁ ପ୍ରକାଶ କରିବା ତଥାପି ବାକୀ ରହିଥିଲା ।

 

ଦଳଜିତଙ୍କର ଶାଶୁ ହରନାମ୍ କାଉଲ୍ ପୁନର୍ବାର ଏକ ଆଶ୍ରୟ–ଶିବିରରେ ଆସି ରହିଲେ-। ନିଜେ ପିନ୍ଧିଥିବା ଲୁଗାଗୁଡ଼ିକ ବ୍ୟତୀତ ସର୍ବସ୍ୱ ହରାଇବାର ଦୁର୍ଭାଗ୍ୟଟିକୁ ତାଙ୍କୁ ପୁନର୍ବାର ହିଁ ଭୋଗ କରିବାକୁ ହେଲା । ଅବଶ୍ୟ ଏତିକି ଫରକ ରହିଥିଲା ଯେ, ଏଥର ସିଏ ନିଜର ସ୍ୱାମୀ ଏବଂ ଦୁଇଜଣ ଭେଣ୍ଡା ପୁଅଙ୍କୁ ହରାଇ ବସିଥିଲେ । ବୋହୂ ମଧ୍ୟ ବିଧବା ହୋଇ ଯାଇଥିଲେ ଏବଂ ଜୀବିତ ରହିଥିବା ପୁଅମାନଙ୍କୁ ସାଙ୍ଗରେ ନେଇ ତାଙ୍କୁ ପୁନର୍ବାର ସେହି ତ୍ରାଣଶିବିରରୁ ଗୋଟିଏ ଗୁରୁଦ୍ୱାରାକୁ ଯାତ୍ରା କରିବାକୁ ପଡ଼ିଥିଲା । ଗୁରୁଦ୍ୱାରାରୁ ଏକ ଭଡ଼ାଘରକୁ ଗଲେ ଏବଂ ଶେଷରେ ତିଳକ–ବିହାରରେ ଥିବା ଏକ ବିଧବା ବସତିରେ ସାନ ଚାଳଘରେ ଯାଇ ରହିଲେ । ଏବେ ମଧ୍ୟ ବୋହୂ ଦଳଜିତ୍ କାଉରଙ୍କ ସହିତ ସିଏ ସେହିଠାରେ ରହୁଛନ୍ତି । ଆଖର ରିଲିଫ ଟଙ୍କା ମଧ୍ୟ ସରକାରଙ୍କ ଠାରୁ ମିଳୁଛି,–ପ୍ରତ୍ୟେକ ମୃତ ବ୍ୟକ୍ତି ବାବତରେ ଏକ ଲକ୍ଷ ଦଶହଜାର ଟଙ୍କା । ଏହି ଅର୍ଥରାଶିକୁ କ୍ଷତିପୂରଣ’ ବୋଲି ବର୍ଣ୍ଣନା କରା ହୋଇଥିଲା । ଏଥିରୁ ଅଧିକାଂଶ ପରିମାଣଟି ବ୍ୟାଙ୍କରେ ଦୀର୍ଘମିଆଦୀ ସ୍ଥାୟୀ ଡିପୋଜିଟ୍ ରୂପେ ରହିଲା ଏବଂ ତାହାର ସୁଧଟି ପରିବାରଟିକୁ ଏକାଠି ରହିବାରେ ସହାୟତା ପ୍ରଦାନ କଲା ।

 

ଏବେ ଷୋହଳବର୍ଷ ପରେ ମଧ୍ୟ, ୧୯୮୪ ମସିହାର ସେହି ଘଟଣାବଳୀକୁ ମନେ ପକାଇଦେବା ମାତ୍ରକେ ଉଭୟ ବିଧବାଙ୍କର ଚକ୍ଷୁ ଅଶ୍ରୁଭରା ହୋଇ ଆସେ । ମାତ୍ର ସେମାନେ ଉଭୟେ ତଥାପି ମଜବୁତ ଅଛନ୍ତି ଏବଂ ମନକୁ ଦୃଢ଼ ରଖି ପାରିଛନ୍ତି ଏବଂ ନିଜର ସେହି ଦାରୁଣ ଦୁଃଖକୁ ଦମ୍ଭର ସହିତ ପଛରେ ପକାଇ ଦେଇ ଚାଲି ଆସିଛନ୍ତି । ନିଜର ପରିବାରଗୁଡ଼ିକୁ ଜୀବନର ପଥରେ ଅଗ୍ରସର ହୋଇ ପାରିବାରେ ସାହାଯ୍ୟ କରିବାପାଇଁ ସେମାନେ ତାହା କରିଛନ୍ତି ।

 

କିନ୍ତୁ, ଉପରର ଏହି ଥିରତା ତଳେ ଗୋଟିଏ କଥା ପ୍ରାୟ ସମସ୍ତଙ୍କୁ କାମୁଡ଼ି ଧରି ରହିଛି,–ଏହି ଦୀର୍ଘ ଷୋହଳବର୍ଷ ପରେ ମଧ୍ୟ ଦିଲ୍ଲୀରେ ସେହି ବୀଭତ୍ସ ଲୀଳା ଘଟାଇଥିବା କ୍ୱଚିତ୍ର ଜଣେ ମନୁଷ୍ୟକୁ ମଧ୍ୟ କୌଣସି ଶାସ୍ତି ଦିଆଯାଇ ପାରିଛି : ସେଥିରେ ୩୦୦୦ ବ୍ୟକ୍ତିଙ୍କୁ ହତ୍ୟା କରା ଯାଇଥିଲା ଏବଂ ହଜାର ହଜାର ମଣିଷ ନିରାଶ୍ରୟ ହୋଇ ଯାଇଥିଲେ । ଏତେ ଏତେ କଥା ପ୍ରକୃତରେ ଘଟିଥିଲେ ମଧ୍ୟ ତାହାର ଆଦୌ କୌଣସି ନ୍ୟାୟ ମିଳିନାହିଁ । ଆଦୌ ନ୍ୟାୟ ମିଳିନାହିଁ । ଏବଂ, ନ୍ୟାୟ ଯେ କେବେ ମିଳିବନାହିଁ, ସେକଥା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ଗଲାଣି ।

☆☆☆

 

Unknown

ଚାହାର ପଇସା ନିଶ୍ଚୟ ଦେବା

 

ପ୍ରତ୍ୟେକ ଦିନ ରାତିରେ ନୂଆଦିଲ୍ଲୀର ନିଜାମୁଦ୍ଦିନ୍ ରେଳଷ୍ଟେସନ ଅଞ୍ଚଳରେ ଯେଉଁ କେତେଶହ ମନୁଷ୍ୟ ଶୋଇବାକୁ ବାଧ୍ୟ ହୁଅନ୍ତି, ସିଏ ହେଉଛି ସେହିମାନଙ୍କ ମଧ୍ୟରୁ ଜଣେ । କେତେ ଭଳି ମନୁଷ୍ୟଙ୍କର ଯିବା ଆସିବା ଲାଗି ରହିଥାଏ, ଯିଏ ଯେଉଁଠି ପାରେ, ନିଜର ବିଛଣାଟିକୁ ମେଲାଇ ଦେଇ ସେହିଠାରେ ହିଁ ଶୋଇପଡ଼େ । କିଏ ମୁଶାଫିରଖାନାରେ ଏବଂ କିଏ ପ୍ଲାଟ୍‌ଫର୍ମ ଉପରେ,–ଏମାନେ ହେଉଛନ୍ତି ପ୍ରତିଦିନବାଲା, ଅଧିକ ସଂଖ୍ୟାରେ ପୁରୁଷମାନେ ଓ ଶିଶୁମାନେ,–ତଥାପି କିଛି ସ୍ତ୍ରୀଲୋକ ମଧ୍ୟ ଅବଶ୍ୟ ଥାଆନ୍ତି : ଏମାନେ ସମସ୍ତେ ରେଳଷ୍ଟେସନକୁ ହିଁ ଆପଣାର ଗୃହପରି ବ୍ୟବହାର କରନ୍ତି । ଦିନଯାକ ରେଳଗାଡ଼ିମାନଙ୍କର ଯେଉଁ ଭିଡ଼ ଲାଗି ରହିଥାଏ, ସେତେବେଳେ ସେମାନଙ୍କର କୌଣସି ସୂଚନା ହିଁ ନଥାଏ । କିନ୍ତୁ ଅନ୍ଧାର ହୋଇଆସିବା ମାତ୍ରକେ, ସେତେବେଳେ ମଧ୍ୟ ରେଲଗାଡ଼ିମାନଙ୍କର ଯିବା ଓ ଆସିବା ଲାଗି ରହିଥାଏ, ପ୍ଲାଟଫର୍ମ ତଥା ଆଖପାଖରେ ରହିଥିବା ଯାବତ ଖୋଲାଜାଗାଗୁଡ଼ିକ ଧୀରେ ଧୀରେ ଏପରିମାନଙ୍କ ଦ୍ୱାରା ଭର୍ତ୍ତି ହୋଇ ଆସିବାକୁ ଆରମ୍ଭ କରେ, ଯେଉଁମାନଙ୍କର କି ରାତିରେ ଯାଇ ରହିବାପାଇଁ ଅନ୍ୟ କୌଣସି ସ୍ଥାନ ନଥାଏ । ଏମାନଙ୍କ ଭିତରେ ରାସ୍ତାରେ ବୁଲୁଥିବା ପିଲାମାନେ ରହିଥାନ୍ତି, ଭିକାରି ଥାଆନ୍ତି, ବେଶ୍ୟାଳୟର ଘଟକ ଓ ଯୋଟକମାନେ ରହିଥାନ୍ତି, କୁଷ୍ଠରୋଗୀ ଏବଂ ମୁଣ୍ଡପାଗଳାମାନେ ମଧ୍ୟ ଥାଆନ୍ତି । ନିଶାସେବନର ଶିକାର ହୋଇଥିବା କେତେ ଲୋକ ରହିଥାନ୍ତି,–ନିହାତି ବୁଢ଼ାମଣିଷମାନେ ବି ଥାଆନ୍ତି । ଏମାନେ ସମସ୍ତେ ମିଶି ଏପରି ଗୋଟିଏ ସମଗ୍ର ଓ ସ୍ୱତନ୍ତ୍ର ପୃଥିବୀଟିଏ ତିଆରି କରିଥାଆନ୍ତି, ଯେଉଁମାନଙ୍କର ମୁଣ୍ଡ ଉପରେ କୌଣସି ଚାଳ ନଥାଏ, ଯେଉଁମାନଙ୍କର ଯତ୍ନ ନେବାପାଇଁ କେହି ନଥାନ୍ତି । ସେମାନେ ସହରର ଅଦୃଶ୍ୟ ଉଦରଟି ମଧ୍ୟରେ ଏକ କ୍ଷୁଦ୍ରାଂଶ ହୋଇ ରହିଥାନ୍ତି । ପୋଲିସବାଲାଙ୍କ ସହିତ ସେମାନଙ୍କର ଏକ ସଦାଶଙ୍କାପୂର୍ଣ୍ଣ ସମ୍ବନ୍ଧ ରହିଥାଏ, ରେଲବାଇ କର୍ମଚାରୀମାନଙ୍କ ସହିତ ମଧ୍ୟ ସେହିଭଳି ସମ୍ପର୍କଟିଏ ଥାଏ । ସେମାନେ ଏମାନଙ୍କୁ ବେଳେବେଳେ ଏହିସବୁ ଆଶ୍ରୟସ୍ଥାନ ମାନଙ୍କରୁ ନିକାଲି ବାହାର କରି ଦିଅନ୍ତି, ବେଳେବେଳେ ବେଶ୍ ନିର୍ମମ ଭାବରେ ସେହି କାର୍ଯ୍ୟଟିକୁ କରିଥାନ୍ତି, ସେତେବେଳେ ଏମାନେ କୌଣସି ପ୍ରତିରୋଧ କରନ୍ତି ନାହିଁ, ଅତ୍ୟନ୍ତ ଧୈର୍ଯ୍ୟର ସହିତ କିଛି ଦିନ ଅପେକ୍ଷା କରନ୍ତି ଏବଂ ତା’ପରେ, କ୍ରମେ ପ୍ରାୟ କେହି ନଜାଣି ପାରିଲା ଭଳି ପୁନର୍ବାର ଫେରି ଆସନ୍ତି । କାରଣ, ମୂଳ କଥାଟି ହେଉଛି ଯେ, ସେମାନଙ୍କର ଅନ୍ୟ କୌଣସି ଘର ହିଁ ନଥାଏ ।

 

ନିଜାମୁଦ୍ଦିନ ରେଳଷ୍ଟେସନରେ ନିୟମିତ ଭାବରେ ଅଧିକ ଦିନ ରାତ୍ରିରେ ଯେଉଁମାନଙ୍କୁ ଦେଖିବାକୁ ମିଳିଥାଏ, ସେମାନଙ୍କ ଭିତରୁ ଜଣେ ହେଉଛି ସବିର ସିଂହ । ସବିର ସିଂହ ଭିକ ମାଗି ଜୀବିକାନିର୍ବାହ କରୁଥିଲା । ଗୋଡ଼ ଭଲ ଭାବରେ ଚଳି ପାରେନାହିଁ,–ତେଣୁ ସେ ସ୍ଵଛନ୍ଦରେ ବେଶୀ ଆଡ଼େ ଯାଇ ଆସି ପାରେନାହିଁ । ଅଥଚ, ବଳିଷ୍ଠ ବାହୁଗୁଡ଼ିକ ତା’ ଶରୀରର ସମସ୍ତ ଓଜନକୁ ବହନ କରି ରହିଥାଏ ଏବଂ ସିଏ ସେହିଗୁଡ଼ିକର ସାହାଯ୍ୟରେ ପ୍ରତ୍ୟହ ଅତ୍ୟନ୍ତ କୁଶଳତା ସହିତ ସେହି ଅଞ୍ଚଳରେ ଏପାଖ ସେପାଖ ହେବାରେ ଲାଗିଥାଏ ।

 

ଷ୍ଟେସନ ବାହାରେ ବଡ଼ ଗଛଟିଏ ଏବଂ ସେହି ଗଛତଳେ ସବିର ସିଂହ ଆପଣାର ସ୍ଥାୟୀ ଆଶ୍ରୟ ସ୍ଥଳଟିଏ ଯୋଗାଡ଼ କରି ନେଇଥାଏ, ଆମେ ସେହି ସ୍ଥାନକୁ ଯାଇ ତା’ ସହିତ ସାକ୍ଷାତ କରିଥିଲୁ । ସିଏ ଅତ୍ୟନ୍ତ ସମ୍ଭ୍ରମ ସହିତ ଆମର ସ୍ଵାଗତ କଲା । ଗାରିଗାରିକିଆ ନୀଳରଙ୍ଗର ପତଳା ଅଧପ୍ୟାଣ୍ଟଟିଏ ପିନ୍ଧିଥାଏ, ତା’ର ଅଚଳ ଗୋଡ଼ଦୁଇଟି ତଳେ ପଡ଼ି ରହିଥାନ୍ତି,–ମୁଣ୍ଡର ଘଞ୍ଚ ବାଳମାନେ ଏବେ ପାଚି ପାଚି ଆସିଲେଣି । ତା ବୟସ ପ୍ରକୃତରେ କେତେ ବୋଲି କେହି କହି ପାରିବେନାହିଁ । ତା’ ନିଜର ବୋଲି କୁହାଯାଇ ପାରିବାର ସବୁଯାକ ଜିନିଷପତ୍ର ଗୋଟିଏ ସାନ ମଳିନ ପଡ଼ି ଯାଇଥିବା ବେଗ୍ ଭିତରେ ମଡ଼ାମଡ଼ି ହୋଇ ରହିଛି ।

 

ସବିର ସିଂହ ବେଶ୍ ଗମ୍ଭୀର ଭାବରେ ବସିଥିବା ଜାଗାରୁ କେତେଖଣ୍ଡ ସାନ କାଗଜପଟା ବାହାର କରି ଆମ ବସିବା ଲାଗି ବିଛାଇ ଦେଇଥିଲା । ଆମେ କଥାବାର୍ତ୍ତା ହେଉଥିବା ସମୟରେ ପାଖରେ ଥିବା ଗୋଟିଏ ଦୋକାନରୁ ଆମ ପାଇଁ କେତେ କପ୍ ଚାହା ଆଣିଦେବା ନିମନ୍ତେ ପାଟିକରି କହି ଦେଇଥିଲା । ସତେ ଯେମିତି ନିଜ ଘର ବୈଠକଖାନାରେ ବସି ଆମର ଚର୍ଚ୍ଚା କରୁଥିବା ପରି ମନେ ହେଉଥାଏ । ହଁ, ତା’ର ଘର ବୋଲି କିଛି ନଥିଲା, ପେଟ ପାଇଁ ଭିକ ମାଗୁଥିଲା, ଆଶ୍ରା ନଥାଇ ଖୋଜେ ଆଗକୁ ଯାଇ ପାରୁନଥିଲା ଏବଂ ଦେହରେ ପରିଧାନ ବୋଲି ସେମିତି କିଛି ନଥିଲା; ତଥାପି ନିଜପ୍ରତି ତା’ର ରହିଥିବା ସମ୍ମାନବୋଧ ହିଁ ଆମର ସବାଆଗ ମନେ ପଡ଼ିଯାଉଛି ।

 

ତା’ର ପିଲା ସମୟରେ ତା’ ଭାଗ୍ୟରେ ପ୍ରକୃତରେ କ’ଣ ଲେଖାହୋଇ ରହିଥିଲା ବୋଲି ସିଏ କିମ୍ବା ତା’ ବାପାମାଆ ମୋଟେ କିଛି ଜାଣିନଥିଲେ । ଚାରି ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରେ ସିଏ ହେଉଛି ସବା ସାନ,–ସବିରର ବାଲ୍ୟ ସମୟ ଭାରି ଖୁସୀ ଏବଂ ଚିନ୍ତାଶୂନ୍ୟ ଭାବରେ ହିଁ କଟି ଯାଇଥିଲା । ସେମାନଙ୍କର ବାର ବିଘା ଉର୍ବର ଜଳସେଚିତ ଚାଷଜମି; ଉତ୍ତର ପ୍ରଦେଶର ମୈନ୍‍ପୁରୀ ଜିଲ୍ଲାରେ ଥିବା ତାଙ୍କ ଗାଆଁରେ ସେହି ଜମି ହିଁ ଏହି ବୃହତ୍ ଯୌଥ ପରିବାରକୁ ଖାଦ୍ୟ ଯୋଗାଇବା ନିମନ୍ତେ ଖୁବ୍ ପର୍ଯ୍ୟାପ୍ତ ଥିଲା । ବଡ଼ ଦୁଇଭାଇ ସୈନ୍ୟବିଭାଗରେ ନିଯୁକ୍ତି ପାଇଗଲେ-। ସୈନ୍ୟବାହିନୀର ହାକିମମାନେ ହିଁ ସ୍ୱାସ୍ଥ୍ୟବାନ ଯୁବକମାନଙ୍କୁ ସେନାବାହିନୀ ପାଇଁ ବାଛିବାଲାଗି ଏହି ଗାଆଁକୁ ଆସିଥିଲେ । ହଁ, ସମସ୍ତେ ଏକଥା ମଧ୍ୟ ଭାବୁଥିଲେ ଯେ ସବିର ବଡ଼ ହୋଇ ତା’ ଭାଇମାନଙ୍କ ପରି ସେହି ସେନାବାହିନୀରେ ଅବଶ୍ୟ ଯୋଗ ଦେବ ।

 

ତାକୁ ସେତେବେଳେ ପନ୍ଦର ବର୍ଷ ହୋଇଥାଏ; ଏବଂ ତା’ର ଜୀବନର ନିୟତିକୁ ଗୋଟାସୁଦ୍ଧା ବଦଳାଇ ଦେବାକୁ ଗୋଟାଏ ମୁହୂର୍ତ୍ତ ବି ଲାଗିଲାନାହିଁ । ତା’ର ଭାଇ ଗାଆଁର ପୁରୁଣା ଜମିଦାରଙ୍କ ଠାରୁ ଫଳଗଛ ଥିବା ତୋଟାଟିଏ ଖରିଦ କରିଥାନ୍ତି । ସବିର ମଜା ଦେଖିବ ବୋଲି ଗୋଟିଏ ଗଛରେ ଯାଇ କାଳ ପାଇଁ କାଠ ହାଣିବାକୁ ଚଢ଼ି ଯାଇଥିଲା । ଚଢ଼ୁ ଚଢ଼ୁ ଗୋଡ଼ଟା ଠିକଣା ଜାଗାରେ ନପଡ଼ିବାରୁ ହଠାତ୍ ଖସି ଯାଇଥିଲା ଓ ସିଏ ସିଧା ଆସି ଭୂଇଁ ଉପରେ ପଡ଼ିଗଲା । ତା’ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସିଏ ସାରା ଜୀବନଟା ନିମନ୍ତେ ଖଞ୍ଜ ହୋଇଗଲା । ଆଉ କେବେହେଲେ ସିଧା ହୋଇ ଚାଲି ପାରିଲା ନାହିଁ ।

 

ସେତେବେଳକୁ ପ୍ରାୟ ବର୍ଷେ ହେଲା ବାପା ମରି ସାରିଥିଲେ; କିନ୍ତୁ ତା’ର ମାଆ ଗାଆଁଲୋକଙ୍କ ସାହାଯ୍ୟରେ ନିଶ୍ଚିତ ଭାବରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଯଥାସାଧ୍ୟ ଯାହାକିଛି କରିବାର ଅବଶ୍ୟ କରିଥିଲେ । ସେମାନେ ତାକୁ ଦିଲ୍ଲୀର ସଫଦରଜଙ୍ଗ୍‍ ସରକାରୀ ହସପିଟାଲ୍‍କୁ ମଧ୍ୟ ନେଇଯିବାର ବ୍ୟବସ୍ଥା କରି ଦେଇଥିଲେ । ସେଠାରେ ଥିବା ଡାକ୍ତର ତା’ ପିଠିର ଏକ୍‍ସ୍‍-ରେ କଲେ, ତଥାପି କୌଣସି ଭରସା ଦେଇ ପାରିଲେନାହିଁ । ମାଆ ତଥାପି ତା’ର ଶୁଶ୍ରୂଷା କରୁଥାନ୍ତି, କିନ୍ତୁ ଦଶବର୍ଷ ପରେ ତାଙ୍କର ମଧ୍ୟ କାଳ ହୋଇ ଯାଇଥିଲା;–ତାଙ୍କର ପୁଅ ତା’ ଜୀବନରେ ଆଉ କେବେ ମଧ୍ୟ ସିଧା ଠିଆ ହୋଇ ଚାଲି ପାରିବନାହିଁ, ସେହି ଦୁଃଖପୂର୍ଣ୍ଣ ସତ୍ୟଟି ତାଙ୍କୁ ସଂପୂର୍ଣ୍ଣ ଭାବରେ ପରାହତ ବି କରି ଦେଇଥିଲା ।

 

ସବିର ତା’ପରେ ସଂପୂର୍ଣ୍ଣ ଭାବରେ ତା’ ଭାଇମାନଙ୍କର ହେପାଜତରେ ରହିଲା । ସେତେବେଳକୁ ତା’ର ସବାବଡ଼ ଭାଇ ଅବସର ନେଇ ସୈନ୍ୟବାହିନୀରୁ ଗାଆଁକୁ ଫେରି ଆସି ଥାଆନ୍ତି । ପୈତୃକ ଚାଷଜମିରୁ ତା’ ଭାଗଟିକୁ ସିଏ ଛାଡ଼ିଦେଉ ବୋଲି ସିଏ ସବିରକୁ ବାରବାର ଫୁସୁଲେଇବାରେ ଲାଗିଲେ; କହିଥିଲେ, ଏହି ଜମି ତୋ’ର କୌଣସି କାମରେ ଲାଗିବ ନାହିଁ । ତୁ ସେହି ଜମିକୁ ଚାଷ କରି ପାରିବୁନାହିଁ ଏବଂ, ତୋ ନିଜର କୌଣସି ପରିବାର ମଧ୍ୟ ନଥିବେ, ତୋତେ ଯେଉଁମାନଙ୍କର ଭରଣପୋଷଣ କରିବାକୁ ବି ପଡ଼ିବ । ହଁ, ତୋ’ ନିଜପାଇଁ ପେଟକୁ କିଛି ଆହାର ଏବଂ ଦେହକୁ କିଛି କପଡ଼ା ଦରକାର ହେବ,–ଏବଂ ରହିବା ନିମନ୍ତେ ଘରଟିଏ । ସେତିକ ମୁଁ ତୋତେ ସବୁବେଳେ ଯୋଗାଇ ଦେଉଥିବି । ତେଣୁ, ତୁ କାହିଁକି ତୋ’ର ପୈତୃକ ଭାଗଟିକୁ ମୋ’ ନାମରେ ଲେଖି ନଦେବୁ ?

 

ଗ୍ରାମବାସୀ ମଧ୍ୟ ଭାଇପଟେ ମତ ଦେଉଥିଲେ । ଶେଷକୁ ସବିର ରାଜି ବି ହୋଇଗଲା-। ରାଜି ହୋଇ ଭାରି ଭୁଲ ନିଷ୍ପତ୍ତିଟିଏ କରିଦେଲା ବୋଲି ସିଏ ଏବେ ମଧ୍ୟ ପଶ୍ଚାତାପ କରୁଥିଲା-। ଭାଇ ତା’ପରେ ଉଭୟଙ୍କର ଭାଗରେ ପଡ଼ୁଥିବା ପୈତୃକ ଜମିକୁ ବିକ୍ରୀକରି ସହରରେ ଗୋଟିଏ ଘର କିଣିଲେ ଓ ସେଇଠି ଯାଇ ରହିଲେ । ଆଉ ଗାଆଁକୁ କେବେ ଫେରିଲେ ନାହିଁ, ଅସମର୍ଥ ସବିରର ମଧ୍ୟ ସିଏ କୌଣସି ତତ୍ତ୍ୱ ନେଲେନାହିଁ । ଜମିଗୁଡ଼ିକୁ ଚଷିବାପାଇଁ ଯେଉଁ ଭାଇ ଗାଆଁରେ ରହିଲେ, ସିଏ ସର୍ବଦା ଅତ୍ୟନ୍ତ କୁଣ୍ଠିତ ଭାବରେ ହିଁ ସବିର କଥା ବୁଝିଲେ ମାତ୍ର, ଏପରି ଗୋଟିଏ ବାତାବରଣ ସୃଷ୍ଟି କଲେ ଯେ, ସବିର୍ ନିଜକୁ କ୍ରମେ ଜଣେ ଅନାବଶ୍ୟକ ବୋଝପ୍ରାୟ ଅନୁଭବ କରିଥିଲା । ଶେଷକୁ ସିଏ ମଧ୍ୟ ଗାଆଁ ଛାଡ଼ିବ ବୋଲି ଠିକ୍ କଲା,–ଭବିଷ୍ୟତରେ ତା’ ନିଜ ପାଇଁ କାହା ଉପରେ ଆଉ ନିର୍ଭର ନକରିବା ନିମନ୍ତେ ସ୍ଥିର କରିଥିଲା ।

 

ତା’ ଗାଆଁର ବହୁତ ମନୁଷ୍ୟ ଏପରି ଥିଲେ ଯେଉଁମାନେ କି ବିଦ୍ୟୁତ୍‍ମିସ୍ତ୍ରୀ ଓ ଫିଟର୍ ହେବାର ଟ୍ରେନିଂ ନେଇଥିଲେ ଓ ଦିଲ୍ଲୀରେ ଯାଇ ସରକାରୀ ବିଭାଗମାନଙ୍କରେ କାମ କରୁଥିଲେ । ସେମାନେ ବିଚରା ସବିରର ଅବସ୍ଥାଟିକୁ ଲକ୍ଷ୍ୟ କରି ବି ଦେଖୁଥିଲେ ଏବଂ ସେମାନଙ୍କ ସାହାଯ୍ୟରେ ସବିର୍‍କୁ ଦିଲ୍ଲୀ ଯିବାପାଇଁ ପ୍ରବର୍ତ୍ତାଇବାକୁ ଲାଗିଲେ । ସିଏ । ସେଠାକୁ ଯାଇ ଏକ ନୂତନ ଜୀବନ ଆରମ୍ଭ କରି ପାରିବ । ସେମାନେ ନିଜ ଭିତରେ କିଛି ପଇସା ଉଠାଇଲେ, ସେଥିରୁ ଅଗରବତୀ କିଣାଗଲା । ସବିର୍‍କୁ ଗୋଟିଏ ସାନ ବାକସ୍ ମଧ୍ୟ କିଣି ଦିଆଗଲା, ଯେଉଁଥିରେ କି ସିଏ ଆପଣାର ପଇସା ଓ ଲୁଗାପଟା ଆଦି ରଖିପାରିବ । ସେମାନେ ତାକୁ ଦିଲ୍ଲୀର ପ୍ରଧାନ ମାର୍କେଟକୁ ନେଇ ଯାଇଥିଲେ,–ବ୍ରିଟିଶ୍ ସମୟରେ ସେହି କନଟ୍ ପ୍ଲେସକୁ,–ସେଠାରେ ଗୋଲ ବୁଲିଥିବା ବିପଣିମାର୍ଗରେ ଏକ ଖମ୍ବକୁ ଲାଗି ତା’ପାଇଁ ଜାଗାଟିଏ ଆବିଷ୍କାର କରାଗଲା । ଗୋଟିଏ ଅତ୍ୟନ୍ତ ସୁଦୃଶ୍ୟ ଦୋକାନର ଠିକ୍ ସାମନାକୁ ରହିଥିବା ଜାଗାଟିଏ ।

 

ସେହିଠାରେ ହିଁ ସେ ପରବର୍ତ୍ତୀ ଦଶବର୍ଷ ପାଇଁ ନିଜର ବିପଣି ଏବଂ ବାସଗୃହଟିକୁ ତିଆରି କରି ନେଇଥିଲା । ଧୂପବତୀ ଗୁଡ଼ିକୁ ବିକ୍ରୀ କରି ନିଜର ଉଦରପୋଷଣ ନିମନ୍ତେ ଯଥେଷ୍ଟ ରୋଜଗାର କରି ପାରିଲା ଏବଂ ରାତିକୁ ମଧ୍ୟ ସିଏ ସେହି ଜାଗାରେ ହିଁ ଶୋଉଥିଲା । ଗୋଟିଏ ଚେନ୍ ଦ୍ୱାରା ଲୁହା ଟ୍ରଙ୍କଟିକୁ ଆଉ ଏକ ଦୋକାନର ଶଟର୍ ସହିତ ନିରାପଦ ଭାବରେ ବାନ୍ଧି ରଖୁଥିଲା ।

 

ମାତ୍ର, ସେହି ଦଶବର୍ଷର ଅବଧି ମଧ୍ୟରେ ଦିଲ୍ଲୀ ମଧ୍ୟ ବଦଳିବାକୁ ଆରମ୍ଭ କରିଥିଲା । ମଦୁଆମାନେ ଓ ସାନ ସାନ ଅପରାଧୀ ଦଳର ସଦସ୍ୟମାନେ କ୍ରମେ ତାକୁ ଆସି ଭୟ ଦେଖାଇଲେ ଏବଂ ପଇସା ମଧ୍ୟ ଦାବି କଲେ । ଶେଷରେ ସେ ବିପଣିଟିକୁ ବନ୍ଦ କରିଦେବାକୁ ହିଁ ସ୍ଥିର କଲା । ହଁ, ଏଥର ସେ ନିଜ ଗାଆଁକୁ ଫେରିଯିବ ବୋଲି ଭାବିଲା । ହୁଏତ ତା’ ଭାଇଙ୍କର ହୃଦୟ କିଛି ବଦଳି ବି ଯାଇଥିବ । ହୁଏତ ସିଏ ବର୍ତ୍ତମାନ ତା’ ପ୍ରତି ଅଧିକ ଉଦାର ହେବ ଓ ଘରେ ରହିବାକୁ ବି କହିବେ ।

 

ଗାଆଁରେ ପହଞ୍ଚି ନିଜର ଭାଇଙ୍କୁ ଆଗରୁ ଦେଖିଥିବା ତୁଳନାରେ ଅଧିକ ବୁଢ଼ା ହୋଇ ଯାଇଥିବା ପରି ଅନୁଭବ କରିଥିଲା । କିନ୍ତୁ ସିଏ ମଧ୍ୟ ବଦଭ୍ୟାସରେ ପଡ଼ି ମଦ ପିଇବା ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କର ତୁଣ୍ଡଟା ମଧ୍ୟ ଆଗ ଅପେକ୍ଷା ଅଧିକ ଖର ହୋଇ ଯାଇଥିଲା । ତା’ ପୁତୁରାମାନେ କିନ୍ତୁ ତାକୁ ଆଦରି ନେଲେ ଏବଂ ଗାଆଁରେ ରହିବାଲାଗି କହିଲେ । ମାତ୍ର, ତାକୁ ଗୋଟାଏ ବୋଝ ପରି ଯେ ମନେ କରାଯାଉଥିବ ଓ ସେହି ଅନୁସାରେ ତା ସହିତ ବ୍ୟବହାର କରାଯାଉଥିବ, ସବିର ସେହି କଥାଟିକୁ ଏକ ଅପମାନ ବୋଲି ଭାବୁଥାଏ । ସିଏ ସେଇଟାକୁ ଆଦୌ ସହ୍ୟ କରି ପାରିବ ନାହିଁ । ସବିର ପୁଣି ଦିଲ୍ଲୀକୁ ଫେରିଯିବା ସକାଶେ ନିଷ୍ପତ୍ତି ଗ୍ରହଣ କଲା-

 

ଏଥର ତା’ପାଇଁ ଆଦୌ କୌଣସି ସହାୟତା ନଥିଲା । ସେ କନଟ ପ୍ଲେସରେ ପୁନର୍ବାର ନିଜର ବିପଣିଟିକୁ ଦେବାକୁ ଚେଷ୍ଟା କଲା ମାତ୍ର, ରାତିରେ ମାତୁଥିବା ମଣିଷମାନଙ୍କର ଅତିରିକ୍ତ ଦୌରାତ୍ମ୍ୟ ହେତୁ ଆଦୌ ସଫଳ ହୋଇ ପାରିଲା ନାହିଁ । ଠିକ୍ କଲା, ଏଥର ସିଏ ଭିକ ମାଗି ନିଜର ଗୁଜରାଣ ମେଣ୍ଟାଇବ । ବିଗତ କେତେବର୍ଷ ଭିତରେ ସେହି ଅନୁସାରେ ସେ ନିଜର ସମୟ–ନିର୍ଘଣ୍ଟଟିଏ ମଧ୍ୟ କରିନେଇଛି । ତୋଗଲକାବାଦ ରେଲଷ୍ଟେସନ୍ ବାହାରେ ପୀର ବାବା ମଜାର ରହିଛି । ଏଇଟି ହେଉଛି ସୁଫୀମାନଙ୍କର ଗୋଟିଏ ସାନ ପୀଠ । ନିଜର ଭିକ୍ଷାପାତ୍ରଟିଏ ଧରି ସବିର ସେଇଠି ବାହାରେ ବସିରହେ ଯିବାଆସିବା ଲୋକମାନଙ୍କର ଭାରି ସହଜରେ ଦୃଷ୍ଟିରେ ପଡ଼େ । ସେମାନେ ସମସ୍ତେ ତାକୁ ବାବା ବୋଲି ବି ସମ୍ବୋଧନ କରନ୍ତି । ପାଖରେ ଥିବା ଗୋଟିଏ ସାନ ଢାବାର ଶିଖ ମାଲିକ ଦିନେ ତା’ ସହିତ କଥାବାର୍ତ୍ତା ହେଉ ହେଉ ତା’ର ଜୀବନ-କାହାଣୀଟିକୁ ଜାଣିବାକୁ ପାଇଲେ । ସବୁକଥା ଶୁଣିବା ପରେ ପ୍ରତିଦିନ ରାତିରେ ତାକୁ ତାଙ୍କ ଢାବାରେ ଖାଇବା ଯୋଗାଇଦେବେ ବୋଲି ଭରସା ଦେଇଥିଲେ ଏବଂ ବର୍ତ୍ତମାନ ଯାଏ ସେହି ବ୍ୟବସ୍ଥାଟି ହିଁ ଚାଲି ଆସୁଛି ।

 

ସବିର ରାତି ଏଗାରଟାର ଲୋକାଲ୍ ଗାଡ଼ିଟି ଧରି ପ୍ରତ୍ୟହ ନିଜାମୁଦ୍ଦିନ୍‍ ରେଳଷ୍ଟେସନକୁ ଫେରିଆସେ, ଷ୍ଟେସନ ବାହାରେ ଥିବା ଗୋଟିଏ ଗଛ ତଳେ ରାସ୍ତା ଉପରେ ନିଜର ଏକ ସାନ ଥାନରେ ହିଁ ରାତିକ ନିମନ୍ତେ ବିଶ୍ରାମ ନିଏ । ସକାଳ ହେଲେ ଘୁଷୁରି ଘୁଷୁରି ଉକ୍ତ ଗୁରୁଦ୍ୱାରାକୁ ଯାଏ,–ସେଠାରେ ଚାହା ପିଏ ଓ ଜଳଖିଆ କରେ । ପ୍ରତ୍ୟହ ଉପରବେଳା ଅଢ଼େଇଟା ବେଳର ଗାଡ଼ି ଧରି ତୋଗଲକାବାଦରେ ଥିବା ନିଜର ‘କର୍ମସ୍ଥାନ’ଟିରେ ଯାଇ ପହଞ୍ଚିଯାଏ ।

 

ନିଜାମୁଦ୍ଦିନରେ ଜଣେ ଚାହାଦୋକାନୀ ସହିତ ତା’ର ବେଶ୍ ଦୋସ୍ତି ହୋଇଯାଇଛି,–ବୟସ ଦୃଷ୍ଟିରୁ ସେ ସବିରର ନାତି ଭଳି ହିଁ ହେବ । ରେଲବାଇର ପୋଲିସ୍‌ମାନେ ମଝିରେ ମଝିରେ ଆସି ସବିରକୁ ହଇରାଣ କରୁଥିବାର ଦେଖି ପିଲାଟି ପରାମର୍ଶ ଦେଇଥିଲା ଯେ, ପୋଲିସ୍ ଆସି ଜୁଲମ କରିବା ମାତ୍ରକେ ସବିର ଯଥାସମ୍ଭବ ଶୀଘ୍ର ତା’ ଚାହା ଦୋକାନଯାଏ ଚାଲି ଆସିବ । ସବିର୍‍ ତା’ର ଜଣେ ଗର୍‍ହାକ ବୋଲି ସିଏ ପୋଲିସ୍‌ମାନଙ୍କୁ କହି ଦେଉଥିବ । ଆମେ ସବିର୍‍ ସହିତ କଥାବାର୍ତ୍ତା ହେଉଥିବା ସମୟରେ ବାଳକଟି ମଧ୍ୟ ସେଠାରେ ଆସି ପହଞ୍ଚି ଯାଇଥିଲା । ଆମକୁ କହିଲା ଯେ, ସେହି ସ୍ଥାନରେ ବାହାଦୋକାନଟି ଚଲାଇବା ନିମନ୍ତେ ତାକୁ ପୋଲିସ୍‍ବାଲାଙ୍କୁ ମାସିକ ୮୦୦ଟଙ୍କା ଲାଞ୍ଚ ଦେବାକୁ ପଡ଼େ । ସିଏ ଖୁବ୍ ଗର୍ବ କରି କହିଲା ଯେ, ପୋଲିସ୍ ବାବାର ଦେହରେ କେବେ ହାତ ମଧ୍ୟ ଦେବନାହିଁ, କାରଣ ସେମାନଙ୍କୁ ସିଏ ପଇସା ଦେଉଛି ଏବଂ ବାବା ତା’ର ଜଣେ ବନ୍ଧୁ ବୋଲି ପୋଲିସକୁ ଜଣା ବି ଅଛି ।

 

ସବିର ଜଣେ ବିକଳାଙ୍ଗ ବ୍ୟକ୍ତି ହୋଇ ଭିକ୍ଷା ମାଗୁଥିଲେ ମଧ୍ୟ ସିଏ ଯେ ନିଜ ଆଡ଼ୁ ଜିଦ କରି ତା’ଠାରୁ ନେଉଥିବା ଚାହା ବାବତ ପଇସା ତାକୁ ସର୍ବଦା ଧରାଇ ଦେଉଛି, ବାଳକ ଚାହାଦୋକାନୀଟି ପ୍ରଥମେ ସେହି କଥାଟି ହିଁ ସବୁଠାରୁ ପ୍ରଶଂସାର ଯୋଗ୍ୟ ବୋଲି ମନେ ହୋଇଥିଲା । ସବିର ଯେଉଁଠାରେ ଘର କରି ରହିଛି, ସେହି ଅଞ୍ଚଳରେ ଯେ କଦାପି ଭିକ ମାଗିବନାହିଁ, ସବିର୍‍ ଏହି କଥାଟିକୁ ମଧ୍ୟ ନିଜର ଏକ ନିୟମରୂପେ ପାଳନ କରୁଛି ।

 

ସବିର୍‍ର ମଧ୍ୟ ବୟସ ବଢ଼ିବାରେ ଲାଗିଛି । ନିଜର ଭାଇମାନଙ୍କ ବ୍ୟତୀତ ଆଉ କାହାରି ବିରୁଦ୍ଧରେ ତା’ର କୌଣସି ଅଭିଯୋଗ ନାହିଁ । ତଥାପି, ତା’ଭିତରେ ଅପ୍ରକାଶିତ ହୋଇ ଗୋଟିଏ ଭୟ ମଧ୍ୟ ରହିଛି ଯେ, ମରିବା ଦିନଟି ପର୍ଯ୍ୟନ୍ତ ମଧ୍ୟ ତାକୁ ଏହିପରି ଭିକ୍ଷା ବୃଦ୍ଧି କରିବାକୁ ହିଁ ପଡ଼ିବ । ମୋ’ ଭାଇର ପୁଅ, ମୋ’ ପୁତୁରା ମୋତେ ପ୍ରକୃତରେ ଭଲ ପାଏ,–ସବିର୍ ଆମକୁ ବାରମ୍ବାର ସେହିକଥା କହୁଥିଲା । ହଁ, ଭାଇ ମରିଯିବା ପରେ ସେହି ପୁତୁରା ହୁଏତ ମୋ’ କଥା ବୁଝିବ,–ସବିର୍ କେତେ ଆଶାର ସହିତ କହୁଥାଏ । କେଜାଣି ?

☆☆☆

 

ଠାକୁରଙ୍କର ଅର୍ଚ୍ଚନା

 

୧୯୮୭ ମସିହା ଗ୍ରୀଷ୍ମକାଳର ଏକ ସକାଳ ସମୟରେ ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁର (ଭିଲାଇ ନିକଟବର୍ତ୍ତୀ) ଜିଲ୍ଲା ମାଜିଷ୍ଟ୍ରେଟ୍‍ ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‍ ଉଭୟଙ୍କ ପାଖରେ ଜରୁରୀ ବେତାର ବାର୍ତ୍ତାଟିଏ ଆସି ପହଞ୍ଚିଥିଲା ଯେ ସତନାମୀ ସଂପ୍ରଦାୟର ଜଣେ ଦଳିତ ବଳପୂର୍ବକ ଏକ ହିନ୍ଦୁ ମନ୍ଦିରରେ ଯାଇ ପ୍ରବେଶ କରିଛି ଏବଂ ତା’ଫଳରେ ଏପରି ଏକ ଜାତିଆଣ ଉତ୍ତେଜନାପୂର୍ଣ୍ଣ ପରିବେଶଟିଏ ସୃଷ୍ଟି କରିଛି, ଯାହାକି ବୃଦ୍ଧି ପାଇ ବିସ୍ଫୋରଣ ଘଟାଇବାର ଏକ ସ୍ଥିତିରେ ଯାଇ ପହଞ୍ଚିଲାଣି ।

 

ଛତିଶଗଡ଼ର ସତନାମୀ ଦଳିତମାନଙ୍କୁ ଏକ ଧାର୍ମିକ ସଂପ୍ରଦାୟ ବୋଲି କୁହାଯିବ ଏବଂ ଏକ ଜାତି ବୋଲି ମଧ୍ୟ କୁହାଯାଇ ପାରିବ । ଗୁରୁ ଘାସିଦାସଙ୍କର ପ୍ରଭାବ ଦ୍ୱାରା ପରିଚାଳିତ ହୋଇ ସେମାନେ ଭକ୍ତିମାର୍ଗର ଅନୁସରଣରେ ଏକ ଧର୍ମ-ସମ୍ପ୍ରଦାୟ ଗଠନ କରିଥିଲେ; ନିଜର ସ୍ଵତନ୍ତ୍ର ଧର୍ମପ୍ରତୀକମାନ ରଖିଲେ, ଅଲଗା ପୁରୋହିତଙ୍କୁ ନିଯୁକ୍ତ ମଧ୍ୟ କରିଥିଲେ । ଅବଶ୍ୟ, ବାସ୍ତବ କ୍ଷେତ୍ରରେ, ସେହି ଅଞ୍ଚଳରେ ବାସ କରୁଥିବା ଅନ୍ୟ ହିନ୍ଦୁମାନଙ୍କର ଉପାସନା–ପ୍ରକାରଠାରୁ ସେମାନଙ୍କ ଉପାସନା ପ୍ରକାରର ସେପରି କୌଣସି ପାର୍ଥକ୍ୟ ନଥିଲା । ସତନାମୀମାନେ ଆପଣାକୁ ଏକ ଉଚ୍ଚ ସାମାଜିକ ସ୍ତରର ବୋଲି ଦାବି କରନ୍ତି; ମାତ୍ର ଅନ୍ୟ ସମସ୍ତେ ସେମାନଙ୍କୁ ଜାତି ବ୍ୟବସ୍ଥାର ଉଚ୍ଚନୀଚ କ୍ରମରେ ସବାତଳେ ଯାଇ ସ୍ଥାନ ଦେଇଥାନ୍ତି । ଫଳରେ ସେମାନଙ୍କୁ କଠୋର ହୋଇ ରହିଥିବା ନାନା ବାଛବିଚାରକୁ ଅଙ୍ଗେ ନିଭାଇବାକୁ ପଡ଼ିଥାଏ । ଏପରିକି ସବର୍ଣ୍ଣ ହିନ୍ଦୁମାନଙ୍କର ଗ୍ରାମରେ ସେମାନଙ୍କୁ ଅସ୍ପୃଶ୍ୟ ବୋଲି କୁହା ଯାଇଥାଏ ।

 

ମୋଟେ ଦୁଇମାସ ପୂର୍ବେ ଥରେ ରାଜନନ୍ଦଗାଓଁର ବିଳାସପୁରଠାରେ ଗୋଟିଏ ସୀମାବସ୍ଥିତ ଗ୍ରାମରେ ସତନାମୀମାନଙ୍କର ଗୋଟିଏ ଶୋଭାଯାତ୍ରା କୌଣସି ହିନ୍ଦୁମନ୍ଦିର ଭିତରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ତେଣୁ, ବର୍ତ୍ତମାନ ମଧ୍ୟ ଜଣେ ସତନାମୀ ସେହିପରି ଜବରଦସ୍ତି କରି ସେମାନଙ୍କ ଜିଲ୍ଲାର ଆଉ ଗୋଟିଏ ସୀମାନ୍ତବର୍ତ୍ତୀ ଗ୍ରାମରେ ମନ୍ଦିର ଭିତରକୁ ଯିବାଲାଗି ଉଦ୍ୟମ କରୁଛି ବୋଲି ସଂବାଦ ପାଇ ମାଜିଷ୍ଟ୍ରେଟ୍‍ ଓ ପୋଲିସ୍ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ୍‍ ଯେ ସେଠାରେ ସତ୍ୱର ଯାଇ ପହଞ୍ଚି ଯାଇଥିଲେ, ସେଥିରେ ବିସ୍ମିତ ହେବାର କୌଣସି କାରଣ ନାହିଁ । ଜିଲ୍ଲାର ଧୂଳିପୂର୍ଣ୍ଣ ଅଣଓସାରିଆ ଦୀର୍ଘ ରାସ୍ତାରେ କ୍ଷିପ୍ର ବେଗରେ ଜୀପ୍ ଚଳାଇ ସେମାନେ ସେଠାରେ ଯାଇ ପହଞ୍ଚିଗଲେ ।

 

ସେମାନେ ଗାଆଁରେ ଥିବା ଫାଣ୍ଡିରେ ଗୋଟାଏ କୁଖ୍ୟାତ ଅପରାଧୀ ସହିତ ସେମାନଙ୍କର ନିଶ୍ଚୟ ଭେଟ ହେବ ବୋଲି ସେମାନେ ଭାବିଥିଲେ । ମାତ୍ର, ଯେଉଁଭଳି ବ୍ୟକ୍ତିଟିଏ ସହିତ ସେମାନଙ୍କର ପ୍ରକୃତରେ ଭେଟ ହେଲା, ଏମାନେ ତା’ଠାରେ ଏକ ସଂପୂର୍ଣ୍ଣ ବିପରୀତ ଆଚରଣର ପରିଚିତ ପାଇଲେ । ଲୋକଟି ଯୁବକ ବୟସର,–ଦେଖିବା ମାତ୍ରକେ ବଡ଼ ଦରିଦ୍ର ବୋଲି ଜଣା ପଡ଼ି ଯାଉଛି ଏବଂ ଗୋଟାସୁଦ୍ଧା ଭୟଭୀତ ହୋଇ ରହିଛି । ଲୋକଟି କାନ୍ଦି କାନ୍ଦି ସେମାନଙ୍କର ଗୋଡ଼ତଳେ ପଡ଼ି ଯାଇଥିଲା । ମୋ’ର ଭାରି ଭୁଲ୍ ହୋଇଯାଇଛି ଆଜ୍ଞା, କିନ୍ତୁ ମୁଁ କାହାର କୌଣସି କ୍ଷତି କରିବି ବୋଲି ଆଦୌ ଭାବିନଥିଲି । ମୋତେ ଆପଣମାନେ କ୍ଷମା କରନ୍ତୁ । ମୋ’ର ସାଂଘାତିକ ଭୁଲ ହୋଇଗଲା ଆଜ୍ଞା, ମାତ୍ର ଯାହା କରିଛି, ମୁଁ ଅଜାଣତରେ କରି ପକାଇଛି । ଲୋକଟି ଏପରି ନିଜଆଡ଼ୁ ଦୋଷ ପାଇଁ କ୍ଷମାପ୍ରାର୍ଥନା କରୁଛି ଦେଖି ଅଫିସମାନେ ବିସ୍ମିତ ହୋଇ ଯାଇଥିଲେ ଏବଂ ତା’ର କଥାରେ ପ୍ରତ୍ୟୟ ଯିବେ କି ନାହିଁ, ସେ ବିଷୟରେ ଖୁବ୍ ଧୋକାରେ ପଡ଼ିଗଲେ । ଲୋକଟିଠାରୁ ଆଉକିଛି କଥା ବାହାର କରିବାପାଇଁ ତାକୁ କଅଁଳ ଭାବେ କେତେ କ'ଣ କହିବାକୁ ହେଲା । କିନ୍ତୁ, ଶନୈଃ ଶନୈଃ, ତା’ର ସକଳ ବୃତ୍ତାନ୍ତ ପ୍ରକଟ ହୋଇ ଆସିଥିଲା ।

 

ମୋହନ ଭୂମିହୀନ ଥିଲା, ଗରିବ ଥିଲା, ଅନ୍ୟମାନଙ୍କର ଜମିରେ ମୂଲ ଲାଗୁଥିଲା । ନିଜର ସ୍ତ୍ରୀ ବ୍ୟତୀତ ତା’ର ଆଉ କେହି ନଥିଲେ ଯାହାକୁ କି ସିଏ ନିଜର ବୋଲି କହିପାରିବ । ସ୍ତ୍ରୀ’କୁ ମୋହନ ଅତ୍ୟନ୍ତ ଭଲ ପାଉଥିଲା । ଥରେ ଭାରିଯା ଏପରି ବେମାର ପଡ଼ିଲା ଯେ, ସିଏ ଆଉ ଆଦୌ ଭଲ ହେବନାହିଁ ବୋଲି ମୋହନର ମନରେ ଖୁବ୍ ଭୟ ହେଲା । ତା’ପରେ ଗୋଟିଏ ଶପଥ କରିଥିଲା ଯେ, ଯଦି ସ୍ତ୍ରୀ’ର ଦେହ ଭଲ ହୋଇଯିବ, ତେବେ ହନୁମାନ ଠାକୁରଙ୍କ ଉପରେ ସିଏ ଅଙ୍ଗବସ୍ତ୍ରଟିଏ ନିଶ୍ଚୟ ଚଢ଼ାଇବ । ସେହି ସ୍ଥାନଟିର ପ୍ରଚଳିତ ବିଧାନଟି ଅନୁସାରେ ହନୁମାନଙ୍କ ମୂର୍ତ୍ତି ଉପରେ ଖାଣ୍ଟି ଘିଅରେ ଗୋଳା ହୋଇଥିବା ସିନ୍ଦୂର ବି ଲିପା ହେବ ।

 

ପରିଶେଷରେ ମୋହନର ସ୍ତ୍ରୀ ପ୍ରକୃତରେ ଭଲ ହୋଇ ଆସିଥିଲା ଏବଂ ତା’ପରେ ମୋହନ ନିଜେ କରିଥିବା ଶପଥଟି ଅନୁସାରେ ବିହିତ କାର୍ଯ୍ୟଟିକୁ କରିବା ବିଷୟରେ ତତ୍ପର ହେବାକୁ ଆରମ୍ଭ କଲା । ବଡ଼ କଷ୍ଟରେ ଆବଶ୍ୟକ ଅର୍ଥ ସଞ୍ଚୟ କରି ସିଏ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବଶ୍ୟକ ଦ୍ରବ୍ୟଗୁଡ଼ିକୁ କିଣି ନେଇଆସିଲା । ତା’ପରେ ହନୁମାନଙ୍କ ମନ୍ଦିର ଆଡ଼େ ଗଲା । ବିଶେଷ କିଛି ନୁହେଁ, ଗୋଟିଏ ଅଶ୍ୱତ୍‌ଥ ଗଛ ତଳେ ହନୁମାନଙ୍କର ମୂର୍ତ୍ତିଟିଏ ରଖା ହୋଇଥିଲା; ଦେବତାଙ୍କର ସମ୍ମାନାର୍ଥେ ନିର୍ମିତ କୌଣସି–ଭବ୍ୟ ମନ୍ଦିର ତିଆରି ହୋଇ ନଥିଲା । ଗଭୀର ଭକ୍ତିଭରେ ମୋହନ ସେହି ମୂର୍ତ୍ତିଟିର ଦେହ ଉପରେ ଘିଅଗୋଳା ସିନ୍ଦୂରକୁ ଲିପିଦେବ ବୋଲି ଯାଉଛି, ସେତିକିବେଳେ ଗୋଟିଏ ସବର୍ଣ୍ଣ ହିନ୍ଦୁ ବାଳକର ଦୃଷ୍ଟିରେ ପଡ଼ି ଯାଇଥିଲା । ସେହିଠାରୁ ହିଁ ସବୁ କାଲେଙ୍କାରି ଆରମ୍ଭ ହେଲା ।

 

ପିଲାଟି ଏହି ଘଟଣାଟିକୁ ତା’ ସାଙ୍ଗମାନଙ୍କ ଆଗରେ ଯାଇ କହିଦେଲା । ସମସ୍ତେ ତା’ ସହିତ ଏକମତ ହେଲେ ଯେ ଗୋଟିଏ ଅସ୍ପୃଶ୍ୟ ମନୁଷ୍ୟ ସେମାନଙ୍କର ଗ୍ରାମଦେବତାଙ୍କୁ ସ୍ପର୍ଶ କରିବା ଦ୍ୱାରା ତାଙ୍କୁ ଦୂଷିତ କରି ପକାଇଛି ଓ ତେଣୁ ଏକ ଘୋର ଅପରାଧ ହୋଇଯାଇଛି । ସେମାନେ ଏକାଠି ମିଶି ମୋହନକୁ ଖୁବ୍ ପିଟିଥିଲେ । ଭାଗ୍ୟକୁ ସେହି ଗ୍ରାମରେ ଗୋଟିଏ ଫାଣ୍ଡି ରହିଥିଲା ଏବଂ ପୋଲିସ୍ ମୋହନକୁ ରକ୍ଷା କରିବା ନିମନ୍ତେ ଠିକ୍ ସମୟରେ ଆସି ପହଞ୍ଚିଗଲା ।

 

ଇତିମଧ୍ୟରେ ଏହି ଘଟଣାଜନିତ ତନାଓଟି ବେଶ୍ ପ୍ରକାଶ୍ୟ ହୋଇ ଆସିଥିଲା । ଏବଂ ଗ୍ରାମର ସବର୍ଣ୍ଣ ଫାଳଟିର ମନୋଭାବ ଅତ୍ୟନ୍ତ ଖେଦପୂର୍ଣ୍ଣ ଓ କ୍ରୁଦ୍ଧ ହୋଇ ଉଠିଥିଲା । ଗାଆଁରେ ଅଧିକସଂଖ୍ୟକ ପୋଲିସ୍ ଆସି ପହଞ୍ଚିଲେ ଏବଂ ଖାକିର ସେହି ପରିଚ୍ଛଦଗୁଡ଼ାକୁ ଦେଖି ଗାଆଁ ପିଲାଏ ମଧ୍ୟ ବେଶ୍ ତ୍ରସ୍ତ ହୋଇ ପଡ଼ିଥିଲେ । ବିଶେଷ ବିଶେଷ ଜାଗାମାନଙ୍କରେ ପୋଲିସ୍-ପହରା ଆରମ୍ଭ ହୋଇଗଲା । ଗାଆଁର ସତନାମୀମାନେ ମଧ୍ୟ ଖେଦ ତଥା କ୍ରୋଧର ଶିକାର ହୋଇଥିଲେ କିନ୍ତୁ ମୋହନର ପକ୍ଷ ସମର୍ଥନ କରି ପ୍ରକାଶ୍ୟରେ କିଛି କହିବାକୁ ବା କରିବାକୁ ତଥାପି ଭୟ କରୁଥିଲେ । ସେମାନଙ୍କ ମଧ୍ୟରେ ସେପରି କୌଣସି ସଂଗଠନ ମଧ୍ୟ ନଥିଲା । ଠାକୁରଙ୍କୁ ଅପବିତ୍ର କରି ମୋହନ ଯେଉଁ ଅକ୍ଷମଣୀୟ ଅପରାଧଟି କଲା, ତାହାର ଅବଶ୍ୟ ପ୍ରତିଶୋଧ ନିଆଯିବା ଉଚିତ ବୋଲି ଉଚ୍ଚବର୍ଣ୍ଣର ହିନ୍ଦୁମାନେ ନିଜ ଭିତରେ ଦୃଢ଼ ମନ୍ତବ୍ୟମାନ ବ୍ୟକ୍ତ କରୁଥିଲେ । ସତନାମୀମାନେ ନିଜର ପ୍ରକୃତ ସୀମାଗୁଡ଼ିକୁ ଭୁଲିଯାଉଛନ୍ତି; ଏହାର ଏକ ଉଚିତ ଜବାବ ନଦିଆଯିବା ପର୍ଯ୍ୟନ୍ତ ମୋଟେ ଚୁପ୍ ରହି ହେବନାହିଁ ବୋଲି ସେମାନଙ୍କ ଭିତରୁ ଅଳ୍ପବୟସ୍କମାନେ ଘୋଷଣା କରିଥିଲେ । ଖାଲି ମୋହନର ମୁଣ୍ଡ ଉପରେ ନୁହେଁ, ସତନାମୀମାନଙ୍କର ଅତିପବିତ୍ର ଠାକୁରମୂର୍ତ୍ତିମାନଙ୍କ ଉପରେ ପେସାବ୍ କରି ଏହି ଘଟଣାଟିର ପ୍ରତିଶୋଧ ନିଆଯାଉ ବୋଲି ସ୍ଥିର କରା ଯାଇଥିଲା । ଠାକୁର କହିଲେ ଏକ କାଠଗଡ଼, ଯାହାକୁ କି ସତନାମୀମାନଙ୍କ ବସତିରେ ସିଧା ମାଟିରେ ପୋତି ରଖା ଯାଇଥିଲା । ସ୍ଥାନୀୟ ସକଳ ପୂଜା ଓ ଉପାସନା ତାହାରି ଆଗରେ ହେଉଥିଲା । ତେଣୁ, ସେମାନଙ୍କର ସେହି ପ୍ରତୀକଟିକୁ ଅଶୁଦ୍ଧ କରିଦେଇ ଏବଂ ମୋହନ ନିମନ୍ତେ ମଧ୍ୟ କିଛି ଦଣ୍ଡର ବ୍ୟବସ୍ଥା କରି ହିଁ ମୋହନ କରିଥିବା ଅପରାଧଟିର ପ୍ରତିଶୋଧ ନିଆଯାଇ ପାରିବ ବୋଲି ସବର୍ଣ୍ଣ ଜାତିର ବାଳକମାନେ ଅନୁଭବ କରିଥିଲେ ।

 

ଗାଆଁରେ ମାଜିଷ୍ଟ୍ରେଟ୍‍  ଏକ ସଭା ଡାକିଲେ ଏବଂ ସବର୍ଣ୍ଣ ଜାତିର ବାଳକ ଓ ସେମାନଙ୍କର ମୁରବୀମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ । ସେ କହିଥିଲେ: ଆପଣମାନଙ୍କର ଠାକୁରଙ୍କ ପାଖରେ ମୋହନ ନିଜର ସର୍ବୋଚ୍ଚ ଭକ୍ତି ନିବେଦନ କରିବାକୁ ଆସିଥିଲା,–ଏବଂ, ଆପଣଙ୍କ ପିଲାମାନେ ସତନାମୀମାନଙ୍କର ଠାକୁରଙ୍କୁ ଅପବିତ୍ର କରିଦେବେ ବୋଲି ଯେଉଁ ଯୋଜନା କରୁଛନ୍ତି,–ଏହି ଦୁଇ କାର୍ଯ୍ୟକୁ ଆପଣମାନେ କିପରି ସମାନ ବୋଲି ଭାବୁଛନ୍ତି ? ମାତ୍ର, ତାଙ୍କର କଥାକୁ ଶୁଣିବାପାଇଁ କାହାରି ମନ ନଥିଲା । ଫଳରେ ମାଜିଷ୍ଟ୍ରେଟ୍‍  ଓ ପୋଲିସ୍ ଅଫିସର ଏହି କ୍ଷେତ୍ରରେ କୌଣସି କଠୋର ପଦକ୍ଷେପ ନେବାପାଇଁ ସ୍ଥିର କରିଥିଲେ,–ସେମାନେ ଉଚ୍ଚବର୍ଣ୍ଣର ବହୁସଂଖ୍ୟକ ଟୋକାଙ୍କୁ ଗିରଫ କଲେ । ଏଣିକି ତଥାପି ସେହି ଗାଆଁରେ ରହିବା ସକାଶେ ମୋହନର ଆଉ ସାହସ ହେଲାନାହିଁ । ପୋଲିସ୍‌ ସୁରକ୍ଷା ମଧ୍ୟରେ ନିଜର ସ୍ତ୍ରୀ ସହିତ ସିଏ ଗାଆଁ ଛାଡ଼ି ଚାଲିଗଲା; ନିଜର ଜଣେ ଦୂରସମ୍ପର୍କୀୟ ଆତ୍ମୀୟଙ୍କ ସହିତ ରହିବ ବୋଲି ଆଉଗୋଟିଏ ଜିଲ୍ଲାକୁ ଚାଲି ଯାଇଥିଲା ।

 

ସେହି ସାନ ଦୂର ଗ୍ରାମଟିରେ ପୋଲିସ୍ ଚାଳିଶିଦିନ ପର୍ଯ୍ୟନ୍ତ ପହରା ଦେଲେ । ତା’ପରେ ସେମାନଙ୍କୁ ପ୍ରତ୍ୟାହୃତ କରି ନିଆ ଯାଇଥିଲା । ମାତ୍ର, ତାହାର ଆହୁରି ବହୁ ମାସ ପରେ ଯାଇ ମୋହନ ପୁନର୍ବାର ସିଏ ଜନ୍ମ ହୋଇଥିବା ନିଜ ଗାଆଁଟିକୁ ଫେରିଆସି ପାରିବ ବୋଲି ଅନୁଭବ କରି ପାରିଥିଲା । ଗାଆଁକୁ ଫେରି ହିଁ ତ ସିଏ ନିଜର ସେହି ସାଧାରଣ ଜୀବନଟିର ଖିଅଗୁଡ଼ିକୁ ପୁନର୍ବାର ସାଉଁଟି ଏକାଠି କରିନେଇ ପାରିବ ବୋଲି ବିଚାର କରୁଥିଲା ।

☆☆☆

 

ଚକଚକ ନମ୍ବର-କାଗଜ

 

ଏକଦା ସାନ ପିଲାଟିଏ ସତ୍ୟକାମ ଗୌତମ ଋଷିଙ୍କ ପାଖରେ ଯାଇ ପହଞ୍ଚିଥିଲା, କାରଣ ସିଏ ଋଷିଙ୍କ ପାଖରୁ ବେଦ ଶିକ୍ଷା କରିବାକୁ ଇଚ୍ଛା କରୁଥିଲା । ସତ୍ୟକାମକୁ ଛାତ୍ରରୂପେ ଗ୍ରହଣ କରିବା ପୂର୍ବରୁ ଋଷି ପିଲାଟିକୁ ସିଏ କେଉଁ ଜାତିର ବୋଲି ପଚାରିଥିଲେ ।

 

କୁଣ୍ଠାଶୂନ୍ୟ ଭାବରେ ସତ୍ୟକାମ ଉତ୍ତର ଦେଇଥିଲା, “ମୋ’ ମାଆ ଏପରି ଏକ ଲଳନା ଥିଲା, ଯିଏକି ଏହି ଆଶ୍ରମରେ ବାସ କରୁଥିଲା, ଏବଂ ଆଗନ୍ତୁକମାନଙ୍କର ପରିତୃପ୍ତି ନିମନ୍ତେ ପରିଚର୍ଯ୍ୟାରେ ବ୍ୟବହୃତ ହେଉଥିଲା । ତେଣୁ, ମୁଁ ନିଜର ଜାତି କ’ଣ ବୋଲି କିପରି ଜାଣିବି ?”

 

ବାଳକଟିର ନିଷ୍ଠା ଏବଂ ସାଧୁତା ଦ୍ୱାରା ଅତୀବ ପ୍ରୀତ ହୋଇ ଋଷି ଗୌତମ ଘୋଷଣା କରିଥିଲେ ଯେ, ପିଲାଟି ପ୍ରକୃତରେ ସର୍ବୋଚ୍ଚ ଜାତିର ବୋଲି ହିଁ ଅବଶ୍ୟ କୁହାଯିବ; ସିଏ କେଉଁ କୁଳରେ ଜନ୍ମ ହୋଇଛି ସେହି ଅନୁସାରେ ନୁହେଁ, କିନ୍ତୁ ତା’ର ଆଚରଣଗୁଡ଼ିକ ଦ୍ୱାରା ହିଁ ତାକୁ ସର୍ବୋଚ୍ଚ ବୋଲି କୁହାଯିବ । ଏବଂ ସିଏ ସତ୍ୟକାମକୁ ଖୁବ୍ ଖୁସୀ ହୋଇ ନିଜର ଆଶ୍ରମରେ ସ୍ୱୀକାର କରି ନେଇଥିଲେ ।

 

(ଛାନ୍ଦୋଗ୍ୟ ଉପନିଷଦର ଏକ କାହାଣୀ । ୪୪)

 

ଶିବପୁରୀ ନାମକ ସେହି ସାନ ଗାଉଁଲି ସହରରେ ଆମେ ଗୀତାର ସେହି ଏକାନ୍ତ ଆଡ଼ମ୍ବରହୀନ ଅଥଚ ସଫାସୁତୁରା ଦିଶୁଥିବା ଘର ଭିତରକୁ ଯାଇ ଚଉକୀଗୁଡ଼ିକ ଉପରେ ବସିଛୁ, ଗୀତା ସଙ୍ଗେ ସଙ୍ଗେ ଆମକୁ ଚକଚକ ହୋଇ ତିଆରି ହୋଇଥିବା କିଛି କାଗଜ ଆଣି ଦେଖାଇଥିଲା-। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେହି କାଗଜଗୁଡ଼ିକ ହିଁ ତା’ପାଖରେ ରହିଥିବା ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପତ୍ତି ଥିଲା । କାଗଜଗୁଡ଼ିକ ଉପରେ ଦୃଷ୍ଟିପାତ କରି ଆମେ ଜାଣିବାକୁ ପାଇଲୁ ଯେ ସେଗୁଡ଼ିକ ଉପରେ ଗୀତାର ବଡ଼ ପୁଅଟି ୧୨ଶ ଶ୍ରେଣୀ ପରୀକ୍ଷାରେ ବିଭିନ୍ନ ବିଷୟରେ ରଖିଥିବା ନମ୍ବରସବୁ ଲେଖା ହୋଇଥିଲା । ପୁଅ ସର୍ବମୋଟ ୮୩ ପ୍ରତିଶତ ନମ୍ବର ରଖିଥିଲା,–ଓ ଗୀତା ଅତ୍ୟନ୍ତ ଗର୍ବର ସହିତ ଆମକୁ ସେହି କଥାଟିକୁ ଜଣାଇ ଦେବାଲାଗି ଇଚ୍ଛା କରୁଥିଲା-

 

ଏକ ରୂପଜୀବୀ ଭାବେ ଜୀବିକାନିର୍ବାହ କରିବାର ତା’ ଜୀବନର ଦୀର୍ଘ ବହୁ ବର୍ଷଦ୍ୱାରା ନିଜକୁ ନାରଖାର କରି ଦେଇଥିବା ଏବଂ ବର୍ତ୍ତମାନ ତା’ ଭିତରୁ ମୁକୁଳି ଆସିବାପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭାବରେ ସଂଗ୍ରାମ କରୁଥିବା ଗୀତାର ବୟସ ୩୩ ହୋଇଥିଲେ ମଧ୍ୟ ସେ ଯଥେଷ୍ଟ ଅଧିକ ବୟସର ହୋଇ ଯାଇଥିବା ପରି ଦେଖାଯାଉଛି । ତା’ର ସ୍ୱାମୀ ରାଜେନ୍ଦ୍ରର ବୟସ ମଧ୍ୟ ତା’ ବଡ଼ ପୁଅଟିର ବୟସଠାରୁ ଆଦୌ ଖୁବ୍ ବେଶୀ ଅଧିକ ହେବନାହିଁ । ଉଭୟେ ଏକାଠି ହୋଇ ସେମାନେ ନୀରବରେ ଅଥଚ ସାହସର ସହିତ ନିଜ ଗୋଷ୍ଠୀର ଏପରି ନାନା ବିଶ୍ୱାସ ତଥା ଆଚରଣ ବିରୁଦ୍ଧରେ ଲଢ଼ି ଆସିଛନ୍ତି, ଯାହାକୁ ସେମାନେ ଏକାନ୍ତ ଅସହନୀୟ ମାତ୍ରାରେ ଅମାନୁଷିକ ଏବଂ ଅନ୍ୟାୟପୂର୍ଣ୍ଣ ବୋଲି ବିଚାର କରୁଛନ୍ତି । କିନ୍ତୁ ଏପରି ସେମାନଙ୍କୁ ନିଜ ମୁଖ୍ୟ ସମାଜସ୍ରୋତଟିର କେତେକ ନିଷେଧକୁ ଅବଜ୍ଞା କରିବାକୁ ମଧ୍ୟ ପଡ଼ିଛି । ବର୍ତ୍ତମାନ ସେମାନେ ସଂପୂର୍ଣ୍ଣ ଭାବରେ ଅଲଗା ହୋଇ ଯାଇଛନ୍ତି ଏବଂ ବେଳେବେଳେ ସେଥିଲାଗି ଅତ୍ୟନ୍ତ ହତାଶ ବି ଅନୁଭବ କରିଛନ୍ତି । ଏହିସବୁ ନୈରାଶ୍ୟପୂର୍ଣ୍ଣ ମୁହୂର୍ତ୍ତରେ ସେହି ମୂଲ୍ୟବାନ ନମ୍ବରକାଗଜଟି ଓ ସେମାନଙ୍କ ପୁଅର ସେମାନଙ୍କ ପ୍ରତି ସୁଯତ୍ନସଂବଳିତ ସମର୍ଥନ ହିଁ ସେମାନଙ୍କର ମନରେ ପୁଣି ପୂର୍ଣ୍ଣ ଉତ୍ସାହ ସଞ୍ଚାରିତ କରି ଆଣିପାରିଛି ।

 

ଗୀତା ଏବଂ ରାଜେନ୍ଦ୍ର ଦୁହେଁ ବେଡ଼ିଆ ସଂପ୍ରଦାୟର, ଯେଉଁଥିରେ କି ଏବେ ମଧ୍ୟ କିଛି ମାତ୍ରାରେ ଜାତିଭିତ୍ତକ ଦେହବ୍ୟବସାୟ ପ୍ରଚଳିତ ରହିଛି ଏବଂ ଯେଉଁ ବିରଳ ଚଳଣିଟିକୁ ସମୂହ ଏକ ବିହିତ ସ୍ୱୀକୃତି ମଧ୍ୟ ପ୍ରଦାନ କରି ଆସିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନର ସାମନ୍ତବାଦୀ ଗ୍ରାମ୍ୟ ସମାଜର ଛାୟାରେ ବେଡ଼ିଆ ଘରର ତରୁଣୀ ଝିଅମାନେ ବହୁସଂଖ୍ୟାରେ ରୂପଜୀବୀ ହେବାର ଏହି ଧନ୍ଦାଟି ଭିତରେ ଆସି ପହଞ୍ଚି ଯାଉଛନ୍ତି,–ସେହି ସଂପ୍ରଦାୟଟିରେ ସେମାନେ ଜନ୍ମଗ୍ରହଣ କରିଥିବା ହିଁ ତାହାର ଏକମାତ୍ର କାରଣ ହୋଇ ରହିଛି । ସାମାଜିକ ଚଳଣିଚୟର ଏକ ଜଟିଳ ବିକଳ୍ପ କଳ୍ପନା ଉପରେ ପ୍ରତିଷ୍ଠିତ ଓ ତାହାରିଦ୍ୱାରା ସମର୍ଥିତ ଏକ ବ୍ୟବସ୍ଥା ଅନୁସାରେ ଏକ ପରିବାରର ଝିଅଟିଏ ତା’ର ନିଜ ମାଆଦ୍ୱାରା ପ୍ରବର୍ତ୍ତିତ ହୋଇ ହିଁ ରୂପଜୀବିକା ମଧ୍ୟକୁ ପ୍ରବେଶ କରିଥାଏ ଏବଂ ଘରର ପୁରୁଷଲୋକମାନେ ମଧ୍ୟ ସେଥିରେ ସାହାଯ୍ୟ କରନ୍ତି । ଏହି ଧନ୍ଦାରେ ରହିଥିବା ମହିଳାମାନେ ହିଁ ପରିବାରର ଗ୍ରାସାଚ୍ଛଦନ ନିମନ୍ତେ ଗୋଟିଏ ଗୋଟିଏ ଅବଲମ୍ବନ ହୋଇ ରହିବାଲାଗି ପ୍ରଶିକ୍ଷଣ ଲାଭ କରିଥାନ୍ତି । ପୁରୁଷମାନେ ସେମାନଙ୍କର ଭଉଣୀ, ମାଆ ବା ଝିଅମାନଙ୍କ ପାଇଁ ଗ୍ରାହକ ସଂଗ୍ରହ କରି ଆଣିବା ବ୍ୟତୀତ ପ୍ରାୟ ଅନ୍ୟ କୌଣସି ବିଶେଷ କାର୍ଯ୍ୟ କରନ୍ତି ନାହିଁ । ଅଥବା, ସାନ ସାନ ଅପରାଧରେ ଲିପ୍ତ ହୋଇ ରହିଥାନ୍ତି କିମ୍ବା ଆଦୌ କୌଣସି କାର୍ଯ୍ୟ କରୁନଥାନ୍ତି ।

 

ମଧ୍ୟପ୍ରଦେଶର ବଞ୍ଛରା ଓ ବେଡ଼ିଆ,–ଏହି ଦୁଇ ମୁଖ୍ୟ ଜାତି ଭିତରେ ହିଁ ରୂପଜୀବିକାର ଏହି ଜାତି ଓ ସମାଜଦ୍ୱାରା ଅନୁମୋଦିତ ବିଧିବଦ୍ଧ ଧନ୍ଦାଟି ବହୁ ପରିମାଣରେ ଦେଖିବାକୁ ମିଳିଥାଏ-। ପୁନଶ୍ଚ, ନାଟ୍, ସାନ୍ସି ଓ କଞ୍ଜ ର୍ ଭଳି ତାଲିକା–ବହିର୍ଭୁକ୍ତ ଅନ୍ୟ ଜାତିମାନେ ମଧ୍ୟ ଅଛନ୍ତି, ଯେଉଁସବୁରେ କି ପରମ୍ପରା ତଥା ଜାତିଗତ ଆଚରଣମାନ ସାନ ସାନ ଅପରାଧ କରିବା ନିମନ୍ତେ ମଧ୍ୟ ଅନୁମତି ପ୍ରଦାନ ବି କରିଥାଏ । ଏହିସବୁ ଜାତିରେ ନିଜେ ଆହାର କରୁଥିବା ଖାଦ୍ୟକୁ କ୍ରୟ କରିବା ଅଥବା ଉତ୍ପାଦନ କରିବା ନୁହେଁ, ମାତ୍ର ସେଗୁଡ଼ିକୁ ଚୋରି କରିବା ଏବଂ ଛଡ଼ାଇ ଆଣିବାକୁ ହିଁ ଜଣେ ମରଦଲୋକ ପାଇଁ ଗର୍ବର କଥା ବୋଲି କୁହାଯାଏ । କିନ୍ତୁ, ବଞ୍ଛରା ଓ ବେଡ଼ିଆ ଦୁଇଜାତିଙ୍କ ପରି ଏହି ଜାତିମାନଙ୍କରେ ରୂପଜୀବିକା କରିବାର ଧନ୍ଦାଟିକୁ ଜାତିର ପରମ୍ପରା ଏବଂ ଚଳଣିରେ ଆଦୌ ସ୍ୱୀକାର କରା ଯାଏନାହିଁ ।

 

ବଞ୍ଛରା ଏବଂ ବେଡ଼ିଆ ଜାତିରେ ରୂପଜୀବିକାର ଯେଉଁ ଚଳଣି ରହି ଆସିଛି, ତାହାର କ୍ରମବିବର୍ତ୍ତନ ବିଷୟରେ ଆଦୌ କୌଣସି ପ୍ରାମାଣିକ ଲିଖିତ ଇତିହାସ ଉପଲବ୍ଧ ହୁଏନାହିଁ । ତଥାପି, ଏପରି ମଧ୍ୟ ସୂଚିତ ହୋଇଯାଉଛି ଯେ ଚଳଣିଟି ମାତ୍ର ଏବେ ଆରମ୍ଭ ହୋଇଛି ଏବଂ ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ପ୍ରାଚୀନ ତଥା ଏପରିକି ମଧ୍ୟଯୁଗରେ ମଧ୍ୟ ଏହି ରୂପଜୀବିକାର ଧନ୍ଦାଟି ଆଦୌ ଚଳୁନଥିଲା । ଏପରି କେତୋଟି ଘଟଣା ପରସ୍ପର ସହିତ ଛନ୍ଦାଛନ୍ଦି ହୋଇ ଘଟିଥିଲା, ଯାହାଫଳରେ କି ଦୁଇଟିଯାକ ଜାତି ସେହି ଜୀବିକାଟିକୁ ଗ୍ରହଣ କରି ନେଇଥିଲେ ।

 

ଭାରତବର୍ଷରେ ବ୍ରିଟିଶ ରାଜତ୍ୱ ଦୃଢ଼ ଭାବରେ ପ୍ରତିଷ୍ଠିତ ହେବା ପୂର୍ବରୁ କରଦ ରାଜ୍ୟମାନେ ପରସ୍ପର ସହିତ ଅଧିକାଂଶ ସମୟରେ ଯୁଦ୍ଧରେ ଲିପ୍ତ ରହୁଥିଲେ । ସେଥିପାଇଁ ମୁତୟନ ହୋଇ ରହିଥିବା ବୃହତ୍ ଏବଂ ସଦାଗତିଶୀଳ ସେନାବାହିନୀଗୁଡ଼ିକୁ ସର୍ବେକ୍ଷଣ, ଗୁପ୍ତଚର କାର୍ଯ୍ୟ ତଥା ଚିତ୍ତବିନୋଦନ ନିମନ୍ତେ ବୃହତ ସହାୟକ ନାନା ସେବା ଉପରେ ମଧ୍ୟ ନିର୍ଭର କରିବାକୁ ହେଉଥିଲା । ଏବେ, ସେହି ପ୍ରୟୋଜନଟି ପାଇଁ ବଞ୍ଛରା ଓ ବେଡ଼ିଆଙ୍କ ଭଳି ଯାଯାବର ଗୋଷ୍ଠୀମାନେ ହିଁ ସର୍ବୋତ୍ତମ ପ୍ରମାଣିତ ହେଉଥିଲେ । ସେମାନେ ପାରମ୍ପରିକ ଭାବରେ ଲୋକଗୀତ ଏବଂ ନିତ୍ୟରେ ବହୁ କୁଶଳତା ଅର୍ଜନ କରିଥିଲେ, ରଜ୍ଜୁ ଉପରେ ଖେଳ ଦେଖାଇ ପାରୁଥିଲେ, ନାନାବିଧ ବ୍ୟାୟାମ କ୍ରୀଡ଼ା, ଜାଦୁକରୀ କାର୍ଯ୍ୟ, ହସ୍ତରେଖା ଦେଖିବା ଆଦି କେତେ କ’ଣ ବିଦ୍ୟାରେ ଅଭିଜ୍ଞ ଥିଲେ । ସେହିସବୁ କୁଶଳତା ଜାଣିଥିବା ହେତୁ ସେମାନେ ରାସ୍ତାରେ ସର୍ବଦା ସ୍ଥାନକରୁ ଆଉ ଏକ ସ୍ଥାନକୁ ଯାଉଥିବା ସେନାବାହିନୀମାନଙ୍କ ପାଇଁ ଅତି ଚମତ୍କାର ସହାୟକ ବନି ପାରୁଥିଲେ । ସେମାନେ କିଛିମାତ୍ରାରେ ରୂପଜୀବିକା ମଧ୍ୟ କରୁଥିଲେ; ମାତ୍ର ଏଇଟି ପଛରେ ସମାଜର କୌଣସି ବିହିତ ସମର୍ଥନ ନଥିଲା ଏବଂ ତେଣୁ ଅଧିକାଂଶତଃ ଗୋପନରେ ଚାଲିଥିଲା ।

 

ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ୍ ଶାସନ ଯେତେବେଳେ ଭାରତକୁ ଆସିଥିଲା, ସେତେବେଳେ ଏହି କରଦ ରାଜ୍ୟଗୁଡ଼ିକର ଶକ୍ତିଟି ଭୁଷୁଡ଼ିବାକୁ ଆରମ୍ଭ କଲା । ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମଟିକୁ ଦମନ କରିଦେବା ପରେ ବ୍ରିଟିଶ୍ ଶାସନର ନିରଙ୍କୁଶ ରାଜତ୍ୱ ଆରମ୍ଭ ହୋଇ ଯାଇଥିଲା । ସ୍ଥାନୀୟ ରାଜାମାନଙ୍କ ମଧ୍ୟରେ ଲାଗି ଆସିଥିବା ଯୁଦ୍ଧଗୁଡ଼ିକ ଇତିହାସ ହୋଇ ରହିଗଲା । ତେଣୁ, ସେମାନଙ୍କ ରାଜ୍ୟଗୁଡ଼ିକରେ ରହିଥିବା ସାମରିକ ବ୍ୟବସ୍ଥାମାନ ଆଉ ଆକ୍ରମଣ କରିବା ନିମନ୍ତେ ନୁହେଁ, ମାତ୍ର ଆତ୍ମରକ୍ଷା ଏବଂ ଆଡ଼ମ୍ବର–ପ୍ରଦର୍ଶନର ତତ୍ତ୍ୱଗୁଡ଼ିକ ଉପରେ ଆଧାରିତ ହୋଇ ରହିଲା ଏବଂ ସେଗୁଡ଼ିକୁ ନିୟନ୍ତ୍ରିତ କରି ରଖିବାର ଦାୟିତ୍ୱଟି ମଧ୍ୟ ବ୍ରିଟିଶ୍ ହାତକୁ ଚାଲି ଯାଇଥିଲା । ଏହାପରେ ସୈନ୍ୟମାନେ ଆଉ ଯାଯାବର ଜାତିଗୁଡ଼ିକର କୌଣସି ସେବା ଆବଶ୍ୟକ କଲେନାହିଁ ଏବଂ କରଦ ରାଜ୍ୟଗୁଡ଼ିକ ତରଫରୁ ମିଳି ଆସୁଥିବା ପୃଷ୍ଠପୋଷକତା ତଥା ସୁରକ୍ଷା ମଧ୍ୟ ରହି ପାରିଲାନାହିଁ ।

 

ଏହିପରି ଭାବରେ ପରିସ୍ଥିତିଟି ବଦଳି ଯିବାରୁ ବଞ୍ଛରା ଏବଂ ବେଡ଼ିଆଙ୍କ ସମେତ ଯାଯାବର ଜାତିମାନେ ଜୀବିକାର୍ଜନର ପ୍ରଧାନ ଉପାୟରୂପେ ଚୋରି ଡକାୟତି ଆଦି ଧନ୍ଦାର ଆଶ୍ରୟ ଗ୍ରହଣ କରିଥିଲେ । ସମସ୍ତେ ସେମାନଙ୍କୁ ଅତ୍ୟନ୍ତ ଭୟ କରିବାକୁ ଆରମ୍ଭ କଲେ ଏବଂ ବହୁଦିନରୁ ଓଟ, ବଳଦଗାଡ଼ି  ଓ ଖଚରମାନଙ୍କର ସାହାଯ୍ୟରେ ଯେଉଁ ବାଣିଜ୍ୟ ବ୍ୟବସାୟ ଚାଲି ଆସିଥିଲା, ଏହି ଜାତିଗୁଡ଼ିକର ଭୟରେ ସେଗୁଡ଼ିକ ସାଂଘାତିକ ଭାବରେ ବାଧାପ୍ରାପ୍ତ ହୋଇଥିଲା ।

 

ବ୍ରିଟିଶ୍ ଶାସନ ତରଫରୁ ସେମାନେ ଅପରାଧୀ ଜାତି ବୋଲି ଚିହ୍ନଟ ହୋଇ ରହିଲେ ଏବଂ ପୋଲିସ ତରଫରୁ ସେମାନଙ୍କର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଗଲା । ଆପଣାର ସୁରକ୍ଷା ନିମନ୍ତେ ଏହି ଜାତିଗୁଡ଼ିକ ଏଣିକି କୌଣସି ଗୋଟିଏ ସ୍ଥାନର ବାସିନ୍ଦା ହୋଇ ରହିବାକୁ ଆଉ ସୁବିଧାଜନକ ମନେ କଲେନାହିଁ, ସର୍ବଦା ଏଠୁ ସେଠାକୁ ହେଲେ ଓ ସାନ ସାନ ଅପରାଧ ଦ୍ଵାରା ଯେକୌଣସି ପ୍ରକାରେ ପେଟକୁ କିଛି ଅନ୍ନ ଯୋଗାଡ଼ କରିବାକୁ ଚେଷ୍ଟା କଲେ । ତା’ସହିତ ବାସନକୁଶନ ତିଆରି କଲେ, ଜଡିବୁଟୀ ବିକ୍ରୀ କରିଥିଲେ, ଗାଆଁରେ ହେଉଥିବା ମେଳାରେ ଖେଳ ଦେଖାଇବା ପାଇଁ ଜନ୍ତୁ ପୋଷିଲେ,–ରଜ୍ଜୁ ଉପରେ ଖେଳ କସରତ ଦେଖାଇଥିଲେ, ଜାଦୁକର ମଧ୍ୟ ହେଲେ ।

 

ଯେଉଁସବୁ ଗୋଷ୍ଠୀ କିଛି ନା କିଛି ନିର୍ମାଣ-କୌଶଳ ଜାଣିଥିଲେ, ସେମାନେ କ୍ରମେ ଗ୍ରାମାଞ୍ଚଳର ସମାଜ ଭିତରେ କାରିଗର ହୋଇ ମିଶି ଯାଇଥିଲେ । ଏବଂ, ଯେଉଁମାନେ ଆମୋଦପ୍ରମୋଦ ଦେଖାଇବାର ଧନ୍ଦାମାନ କରୁଥିଲେ, ସେମାନଙ୍କ ହାତରେ ଆଉ ସ୍ଥାୟୀ ହୋଇ କୌଣସି ଧନ୍ଦା ରହି ପାରିଲାନାହିଁ । ପୁଣି, ଠଗମାନଙ୍କ ବିରୁଦ୍ଧରେ କରା ଯାଇଥିବା ଅଭିଯାନଟିରେ ସେମାନଙ୍କୁ ଅପରାଧୀ ଗୋଷ୍ଠୀ ବୋଲି ଚିହ୍ନଟ ବି କରାଗଲା । ଅର୍ଥାତ୍, କାରଣ ଥାଇ ଅଥବା ନଥାଇ ପୋଲିସ ଯାଇ ସେମାନଙ୍କର ବାସସ୍ଥାନକୁ ଅବରୋଧ କଲେ,–ଯେକୌଣସି ଅପରାଧ ଯେଉଁଠି ଘଟିଲେ ମଧ୍ୟ ସେମାନଙ୍କୁ ସନ୍ଦେହ କରାଗଲା । ଏହାଦ୍ୱାରା ଯାଯାବର ଜୀବନଯାପନ କରିବାଲାଗି ସେମାନଙ୍କୁ ଆହୁରି ଏକ କାରଣ ମିଳିଗଲା । ଏବଂ, ପୁରୁଷମାନଙ୍କୁ ମଧ୍ୟ ଜେଲ୍ ଭିତରେ ବାରବାର ଦୀର୍ଘ ସମୟ ରହିବାକୁ ପଡ଼ୁଥିଲା କିମ୍ବା ଘରଦ୍ୱାର, ପରିବାର ଛାଡ଼ି ଫେରାର ହୋଇ ବୁଲିବାକୁ ବି ହେଉଥିଲା ।

 

ଅର୍ଥାତ୍, ପରିବାରର ରକ୍ଷା ଏବଂ ଭରଣପୋଷଣର ବୋଝ ସିଧା ଆସି ଘରର ସ୍ତ୍ରୀଲୋକମାନଙ୍କ ଉପରେ ଆସି ପଡ଼ିଲା । ସେହି ପୁରୁଣା ଅମଳର ଗାଉଁଲି ଆମୋଦନବିନୋଦ ବ୍ୟତୀତ ସେମାନଙ୍କ ପାଖରେ ପ୍ରାୟ ଅନ୍ୟ କୌଣସି କୌଶଳ ନଥିବାରୁ ପରିବାର ନିମନ୍ତେ କିଛି ଉପାର୍ଜନ ସମ୍ଭବ କରିପାରିବା ନିମନ୍ତେ ସେମାନେ ଆପଣାର ଦେହକୁ ନେଇ ବେପାର କରିବା ନିମନ୍ତେ ହିଁ ବାଧ୍ୟ ହୋଇଥିଲେ । ନିଜ ଘରର ଜନାନାମାନେ ଏଭଳି ଏକ ଧନ୍ଦାଭିତରେ ଯାଇ ପଶନ୍ତୁ ବୋଲି ମରଦମାନେ ପ୍ରଥମେ ପ୍ରଥମେ ରାଜି ହେଉନଥିଲେ । ମାତ୍ର, ପରିସ୍ଥିତିଗୁଡ଼ିକ ସେମାନଙ୍କୁ କ୍ରମେ ରାଜି କରାଇ ଆଣିଲା ଓ ନିଜକୁ ଆହତପ୍ରାୟ ଅନୁଭବ କରୁଥିବା ସେମାନଙ୍କର ପୁରୁଷଗର୍ବ ସତ୍ତ୍ୱେ ସେମାନେ ଏକ ସାଲିଶ କରିନେବାକୁ ବାଧ୍ୟ ହେଲେ । ଏବଂ କାଳକ୍ରମେ, ବିଧିବିଧାନ ତଥା ପରମ୍ପରାର ସାମାଜିକ ତନ୍ତ୍ରଗୁଡ଼ିକ ମଧ୍ୟ ତାହାକୁ ଗ୍ରହଣ କରିନେଲେ ଏବଂ ରୂପଜୀବିକା ଆଖର ପାରିବାରିକ ତଥା ଗୋଷ୍ଠୀଗତ ଜୀବନଭରଣ କରିବାର ଏକ ଗ୍ରହଣୀୟ ପନ୍ଥାରୂପେ ରୂପାନ୍ତରିତ ହୋଇ ଯାଇଥିଲା ।

 

ବେଡ଼ିଆ ଜାତିର ସ୍ତ୍ରୀଲୋକମାନେ ପାରମ୍ପରିକ ଭାବରେ ଯୌନ–ଉଦ୍ଦୀପକ ନାନା ପ୍ରଦର୍ଶନ ସହିତ ଲୋକନୃତ୍ୟାଦି କରିବାରେ ଖୁବ୍ କୁଶଳତା ଲାଭ କରିଥାନ୍ତି । ଗ୍ରାମର ଧନୀ ବ୍ୟକ୍ତିମାନେ ଏମାନଙ୍କୁ ବହୁତ କ୍ଷେତ୍ରରେ ରକ୍ଷିତା କରି ଘରକୁ ନେଇଥାନ୍ତି, ଏସବୁ ଭୂମିକାରେ ସେମାନେ ଅତ୍ୟନ୍ତ ବିଶ୍ୱସ୍ତା ହୋଇ ରହନ୍ତି ଏବଂ ସାଆନ୍ତବର୍ଗଙ୍କ ପାଖରେ ପୂର୍ଣ୍ଣ ଆନୁଗତ୍ୟ ରଖିଥାନ୍ତି । ଅନ୍ୟ ବହୁ ସ୍ତ୍ରୀଲୋକ ବହୁସଂଖ୍ୟକ ପୁରୁଷଙ୍କ ସହିତ କାରବାରରେ ଲିପ୍ତ ହୋଇଥାନ୍ତି । ଘରର ଝିଅଟିଏ ଯେତେବେଳେ ପ୍ରଥମ କରି ଏହି ଧନ୍ଦାକୁ ପ୍ରବେଶ କରେ, ସେତେବେଳେ ପରିବାରରେ ଏକ ଉତ୍ସବ ପରି ପାଳିତ ହୁଏ, ପ୍ରାୟ ଗୋଟିଏ ବିଭାଘର ସ୍ତରର ଉତ୍ସବ–ଅବସର ପରି ।

 

ଭାରତୀୟ ସଂବିଧାନରେ ବେଡ଼ିଆମାନଙ୍କୁ ତଫସିଲଭୁକ୍ତ ଜାତିମାନଙ୍କର ତାଲିକାରେ ରଖାଯାଇଛି । ୧୯୮୧ ମସିହାର ଜନଗଣନା-ସମ୍ପର୍କିତ ତଥ୍ୟାଦିକୁ ଭିତ୍ତ କରି ଏପରି ଅନୁମାନ କରାଯାଏ ଯେ, ମଧ୍ୟପ୍ରଦେଶରେ ମୋଟ ୧୬,୬୮୨ ଜଣ ବେଡ଼ିଆ ବାସ କରୁଛନ୍ତି, ଏମାନେ ପ୍ରାୟ ୩,୧୨୪ ପରିବାରରେ ବାସ କରୁଛନ୍ତି । ୮୮.୫୭% ବେଡ଼ିଆ ଗ୍ରାମାଞ୍ଚଳରେ ବାସ କରନ୍ତି-। ଦେହଜୀବିକାକୁ ଏହି ସମାଜରେ ଯେପରି ସାମାଜିକ ତଥା ବିଧି–ଅନ୍ତର୍ଗତ ଅନୁମୋଦନ ଦିଆଯାଇଛି ଓ ତା’ଫଳରେ ବୃହତ୍ତର ସମାଜର ଆଖିରେ ବେଡ଼ିଆମାନେ ଯେପରି ବାଛନ୍ଦ ହେଲାପରି ବ୍ୟବହାର ପାଇ ରହିଛନ୍ତି,–ଏବଂ, ତା’ସହିତ ସେମାନଙ୍କୁ ଉପାର୍ଜନ ଯୋଗାଇଦେବା ଭଳି କୌଣସି ବିକଳ୍ପ ସମ୍ଭାବନା ମଧ୍ୟ ନାହିଁ–ଏହି ସବୁଯାକର ପରିଣାମ ସ୍ୱରୂପ ହିଁ ସେମାନେ ସେହି ଜୀବିକାକୁ ଧରି ପଡ଼ି ରହିଛନ୍ତି । ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେଜଣ ତାହାର କବଳରୁ ମୁକ୍ତ ହେବା ନିମନ୍ତେ ସଂଗ୍ରାମ ମଧ୍ୟ କରୁଛନ୍ତି ।

 

ବେଡ଼ିଆମାନଙ୍କର ଅର୍ଥନୈତିକ ସ୍ତର ବିଷୟରେ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେଲାଭଳି କିଛି କହିବା ଆଦୌ ସମ୍ଭବ ନୁହେଁ । ଆର୍ଥିକ ଗୁଜରାଣର ନାନା କ୍ଷେତ୍ରରେ ଆମେ ସେମାନଙ୍କୁ ଅବଶ୍ୟ ଦେଖିବାକୁ ପାଇପାରିବା : ଏକ ପକ୍ଷରେ ସହରାଞ୍ଚଳରେ କେତେ ରୂପଜୀବିକାରେ ରହିଛନ୍ତି, ଢେର ପରିମାଣରେ ପଇସା ରୋଜଗାର କରୁଛନ୍ତି ଏବଂ ଦୃଶ୍ୟମାନ ଭାବରେ ଏକ ଉଚ୍ଚ ମଧ୍ୟବିତ୍ତ ଉପଭୋକ୍ତାର ଜୀବନଶୈଳୀରେ ରହିଛନ୍ତି । ଅପର ପକ୍ଷରେ ନିତାନ୍ତ ଦରିଦ୍ରମାନେ ରହିଛନ୍ତି, ଏମାନଙ୍କ ପାଖରେ ଜମି ନାହିଁ ଏବଂ ଗ୍ରାମାଞ୍ଚଳ ଦେଇ ଯାଇଥିବା ବଡ଼ ମାର୍ଗମାନଙ୍କରେ ସେମାନେ ରୂପଜୀବୀର ବ୍ୟବସାୟ କରୁଛନ୍ତି । ଏପରି କେତେ ମହିଳାଙ୍କର ଦୃଷ୍ଟାନ୍ତ ମଧ୍ୟ ରହିଛି, ଯେଉଁମାନଙ୍କୁ କି ବଡ଼ ବଡ଼ ସହରମାନଙ୍କରେ ଥିବା ନାଲିବତୀ ଅଞ୍ଚଳଗୁଡ଼ିକ ନିମନ୍ତେ ଖରିଦ କରି ନିଆଯାଉଛି,–କାହାର ରକ୍ଷିତା ହୋଇ ରହିବେ ବୋଲି ମଧ୍ୟ ନିଆଯାଉଛି । ମୋରେନାର ବେଡ଼ିଆ ଝିଅ କମଳାର ସେହି କୁଖ୍ୟାତ କାହାଣୀଟି,–ସେଇଟିରୁ ପ୍ରଥମେ କେତେ ତୁମ୍ବିତୋଫାନର ସୃଷ୍ଟି ହୋଇଥିଲା । ଇଂରାଜୀ କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ ଜଣେ ସାଂବାଦିକ କମଳାକୁ କିଣି ନେଲେ, ପ୍ରଥମେ କିଛି ହଇଚଇ ହେଲେ ମଧ୍ୟ ପରେ ସବୁକିଛି ପାସୋର ହୋଇ ରହିଲା । ସଂପ୍ରତି ବେଡ଼ିଆ ସ୍ତ୍ରୀଲୋକମାନଙ୍କର କେତେକ ଦଳ ରୂପଜୀବୀ ହେବା ନିମନ୍ତେ ଦେଶ ବାହାରକୁ ମଧ୍ୟ ଗଲେଣି, ସେମାନେ ତଥାକଥିତ ସାଂସ୍କୃତିକ ମଣ୍ଡଳୀଗୁଡ଼ିକର ଅନ୍ତର୍ଭୁକ୍ତ ହୋଇ ବିଶେଷତଃ ଉପସାଗରୀୟ ଦେଶମାନଙ୍କୁ ଯାଇଛନ୍ତି ଏବଂ ହାତରେ ଅଜସ୍ର ଅର୍ଥ ଧରି ଲେଉଟି ବି ଆସିଛନ୍ତି । ଉଦାହରଣ ସ୍ଵରୂପ, ଆମେ ମୋରେନାରେ ଏପରି ଏକାଧିକ ବେଡ଼ିଆ ପରିବାରକୁ ଯାଇ ଭେଟିଛୁ, ଯେଉଁମାନେ କି ବହୁମୂଲ୍ୟ ସର୍ବୋତ୍ତମ ଭାରତ ତିଆରି ମୋଟରଗାଡ଼ି, ଭି.ସି.ଆର, ଫ୍ରୀଜ୍ ଏବଂ ସେହିପରି ବହୁ ଦ୍ରବ୍ୟ ବ୍ୟବହାର କରୁଥିଲେ । ଗାଆଁର ଧନୀମାନେ ଯେଉଁ ସ୍ତ୍ରୀ ଲୋକମାନଙ୍କୁ ରକ୍ଷିତାରୂପେ ଗ୍ରହଣ କରନ୍ତି, ଆର୍ଥିକ ନିରାପତ୍ତା ଦୃଷ୍ଟିରୁ ସେମାନେ ଅଧିକ ଭଲ ସ୍ଥିତିରେ ରହିଥାନ୍ତି ସତ, କିନ୍ତୁ ସେହି ରୀତିଟି ଏବେ କ୍ରମେ ଅଧିକ ବିରଳ ହୋଇ ଆସିଲାଣି ଏବଂ କ୍ରମଶଃ ଅଧିକରୁ ଅଧିକ ସ୍ଥଳରେ ନୈମିତ୍ତିକ ରୂପଜୀବୀ-ଜୀବନ ହିଁ ତାହାର ସ୍ଥାନ ଅଧିକାର କରି ନେଉଛି । ଏବଂ ଅନ୍ୟ ବିପରୀତ ପ୍ରାନ୍ତଟିରେ ଗ୍ରାମାଞ୍ଚଳରେ ଜାତିଭିତ୍ତିକ ପାରମ୍ପରିକ ରୂପଜୀବୀମାନଙ୍କର ବସତିମାନ ମଧ୍ୟ ଅଛି, ଯେଉଁଠାରେ କି ସେମାନେ ଅତ୍ୟନ୍ତ ବିକୀର୍ଣ୍ଣ ହୋଇ ରହିଥିବା ଗୃହମାନଙ୍କରେ ବାସ କରୁଛନ୍ତି,–ସେସବୁ ଘରେ ଆସବାବ ଦ୍ରବ୍ୟ ଆଦୌ ବେଶୀ କିଛି ନାହିଁ,–ଆର୍ଥିକ ନିରାପତ୍ତା ମଧ୍ୟ ନାହିଁ ଏବଂ ସଂପୃକ୍ତ ପରିବାରଗୁଡ଼ିକୁ ଚଳାଇ ପାରିବା ନିମନ୍ତେ କ୍ୱଚିତ୍ ପର୍ଯ୍ୟନ୍ତ ରୋଜଗାର ମଧ୍ୟ ରହିଛି ।

 

ପରିବାର ଭିତରେ ଏହି ଭଳି ମହିଳାମାନଙ୍କର କି ପ୍ରକାରର ସାମାଜିକ ସ୍ୱୀକୃତି ରହିଛି, ସେହି କଥାଟିକୁ ବୁଝିବା ମଧ୍ୟ ଆଦୌ ସରଳ ନୁହେଁ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ରୂପଜୀବୀ ନାରୀଟି ପରିବାର ପାଇଁ ଅନ୍ନ ଆଣି ଦେଉଥିବାରୁ ନିଜର କୁଟୁମ୍ବ ତଥା ସାମାଜିକ ଗଢ଼ଣ ମଧ୍ୟରେ ତାହାର କିଛି ମାତ୍ରାରେ ଏକ ସ୍ୱାଧୀନତା ଓ ନିୟନ୍ତ୍ରଣ ଶକ୍ତି ଅବଶ୍ୟ ରହିଛି, ଯାହାକି ଅନ୍ୟାନ୍ୟ ଜାତିଗୁଡ଼ିକରେ ସାଧାରଣତଃ ପରିଦୃଷ୍ଟ ହୁଏନାହିଁ । ରୂପଜୀବିକା ଉପରେ କୌଣସି ନିଷେଧ ଲାଗୁ ହେଉ ନଥିବାରୁ ଏଥିରେ କ୍ରିୟାଶୀଳ ନାରୀମାନଙ୍କୁ ଅନେକ ସମୟରେ ଅନ୍ୟ ବିବାହିତା ନାରୀମାନଙ୍କର ତୁଳନାରେ ଏକ ଉଚ୍ଚତର ସାମାଜିକ ସ୍ୱୀକୃତି ମଧ୍ୟ ଦିଆଯାଉଛି ।

 

ମହିଳାମାନଙ୍କୁ ଏପରି ଉଚ୍ଚତର ସାମାଜିକ ତଥା ଆର୍ଥିକ ମାନ୍ୟତା ପ୍ରାପ୍ତ ହେଉଥିବାରୁ ତାହା ଲିଙ୍ଗଗତ ସଂଖ୍ୟାନୁପାତ ଉପରେ ମଧ୍ୟ ପ୍ରତିଫଳିତ ହୋଇ ପାରିଛି : ଏହି ସମାଜରେ ନାରୀମାନେ ହିଁ ଅଧିକତର ସଂଖ୍ୟାରେ ବାସ କରୁଛନ୍ତି (ବେଡ଼ିଆ ସମାଜରେ ଶତକଡ଼ା ୫୪); ଭାରତର ଉପମହାଦେଶ ସଂଖ୍ୟାଗତ ଏହି ଅନୁପାତର ଏଠା ଅନୁପାତଟି ସହିତ କୌଣସି ମେଳ ଦୃଷ୍ଟିଗୋଚର ହେଉନାହିଁ । ଗୋଆଲିଅର୍‍ର ସାମନ୍ତବାଦୀ ବିଶେଷ ଅଞ୍ଚଳଟିରେ ସେହି ପାର୍ଥକ୍ୟଟି ଆହୁରି ବାରି ହୋଇ ପଡ଼ୁଛି । ସମ୍ଭବତଃ ଏହାର ଅର୍ଥ ହେଉଛି ଯେ, ନାରୀମାନେ ଏଠାରେ ଅଧିକ ଉତ୍ତମ ପୁଷ୍ଟିକାରକ ଏବଂ ସ୍ୱାସ୍ଥ୍ୟଯୁକ୍ତ ଜୀବନସ୍ଥିତିରେ ବାସ କରୁଛନ୍ତି, ସେମାନଙ୍କର ଅଧିକ ଉତ୍ତମ ଯତ୍ନ ମଧ୍ୟ ନିଆଯାଉଛି । ଅନ୍ୟ ଜନଗୋଷ୍ଠୀମାନଙ୍କରେ ସେଗୁଡ଼ିକ ପ୍ରତି ଅବହେଳା ହିଁ କରାଯାଉଛି-

 

କିନ୍ତୁ, ସାକ୍ଷରତାର କ୍ଷେତ୍ରରେ ସେମାନେ କେଉଁ ତଳେ ଯାଇ ରହିଛନ୍ତି । ମହିଳାମାନେ ପୁରୁଷଙ୍କର ତୁଳନାରେ ଆହୁରି ଅଧିକ ତଳେ । ବେଡ଼ିଆ ସ୍ତ୍ରୀଲୋକମାନେ କେବଳ ଶତକଡ଼ା ୭.୮ ହେଉଛନ୍ତି ସାକ୍ଷର,–ବେଡ଼ିଆ ପୁରୁଷମାନେ ଏହି କ୍ଷେତ୍ରରେ ୨୭.୨୫%ରେ ଯାଇ ରହିଛନ୍ତି । ବେଡ଼ିଆ ପୁରୁଷମାନେ ମୁଖ୍ୟତଃ ସାନ ସାନ ଅପରାଧରେ ଲିପ୍ତ ହୋଇ ରହିଛନ୍ତି; ପ୍ରଧାନତଃ ଫସଲ ଚୋରି କରୁଛନ୍ତି ଓ ଗୋରୁଗାଈ ଉଠାଇ ନେଉଛନ୍ତି । ହଁ, ଘରର ତିର୍ଲାମାନଙ୍କ ନିମନ୍ତେ ଗରହାକ ବି ଠିକ୍ କରୁଛନ୍ତି । ଅବଶ୍ୟ, ଅନ୍ୟ ସମୂହଗୁଡ଼ିକର ମରଦଙ୍କ ତୁଳନାରେ, ପରିବାର ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବାରେ ତଥା ଧନସମ୍ପତ୍ତି–ସଂକ୍ରାନ୍ତୀୟ କ୍ଷେତ୍ରରେ ସେମାନଙ୍କର କମ୍ ନିୟନ୍ତ୍ରଣ ରହିଛି । ଯେପରି ପୂର୍ବରୁ କୁହାଯାଇଛି ବେଡ଼ିଆମାନଙ୍କର ଏହି ଜାତିଭିତ୍ତିକ ରୂପଜୀବିକାର ପ୍ରଥାଟି ମୋଟାମୋଟି ଗ୍ରାମାଞ୍ଚଳରେ ହିଁ ରହିଛି ସତ, କିନ୍ତୁ ଶିବପୁରୀ ପରି ଗ୍ରାମାଞ୍ଚଳର ଅଳ୍ପ କେତୋଟି ବିଶେଷ ଇଲାକାମାନଙ୍କରେ ମଧ୍ୟ ତାହା ପ୍ରଚଳିତ ରହିଛି । ଗୀତା ଓ ରାଜେନ୍ଦ୍ର ସେହିପରି ଗୋଟିଏ ଅଞ୍ଚଳରେ ବାସ କରୁଛନ୍ତି । ସହରାଞ୍ଚଳର ଏହିସବୁ ନାଲିବତୀ ବସତି ପ୍ରଧାନାଞ୍ଚଳ ଗ୍ରାମୀଣ ସେହି ସ୍ଥାନଗୁଡ଼ିକ ଠାରୁ ଆଦୌ ସେତେ ଅଲଗା ପ୍ରକାରର ନୁହେଁ । ବଡ଼ ବଡ଼ ସହରରେ ବେଶ୍ୟାଳୟ ପାଇଁ ବିକା ହୋଇଥିବା କେତେକ ବେଡ଼ିଆ ଝିଅ ଆରବ ଦେଶମାନଙ୍କୁ ମଧ୍ୟ ସରବରାହ ହୋଇଥିବାର ଜଣାଯାଉଛି ।

 

ଗୋଆଲିଅର୍ ସହରର ଏହିଭଳି ଗୋଟିଏ ପରିବାରର ପଚିଶି ବର୍ଷ ତଳେ ଜଣେ ବେଡ଼ିଆ ମାଆର ଗର୍ଭରୁ ରାଜେନ୍ଦ୍ରର ଜନ୍ମ ହୋଇଥିଲା । ତା’ର ବାଲ୍ୟାବସ୍ଥା ସମୟରେ ତା’ର ମାଆ ଅଧିକାଂଶତଃ ନିଜର ଘରେ ଅବସ୍ଥାନ କରି ହିଁ ଆପଣାର ଧନ୍ଦାଟି ଚଲାଉଥିଲେ ଏବଂ ତିନିଜଣ ବଡ଼ ଭଉଣୀ, ଜଣେ ସାନଭାଇ ଓ ତାକୁ ନିଜକୁ ପୋଷିବା ନିମନ୍ତେ ସିଏ କେଉଁ ପ୍ରକାରର କାର୍ଯ୍ୟ କରୁଥିଲେ, ରାଜେନ୍ଦ୍ର ତାହା ମୋଟେ ବୁଝି ପାରୁନଥିଲା । ବୟସ ଟିକିଏ ଅଧିକ ହୋଇଆସିବା ପରେ ସେମାନେ ସମସ୍ତେ ଶିବପୁରୀ ନାମକ ସେହି ଗାଉଁଲି ସହରର ଗୋଟିଏ ସାନ ବେଡ଼ିଆ ବସତି ମଧ୍ୟରେ ଆସି ରହିଥିଲେ । ଜୀବିକାଟି ଅଧିକ ଭଲ ଭାବରେ ଚାଲିବ ବୋଲି ବିଗତ ଦଶବର୍ଷ ମଧ୍ୟରେ ସେହି ଅଞ୍ଚଳର ଗାଆଁମାନଙ୍କରୁ ବେଡ଼ିଆ ପରିବାରମାନେ ମଧ୍ୟ ସେଠାରେ ଆସି ବାସ କରୁଥିଲେ । ଏହିପରି ଭାବରେ ସହର କାନିରେ ଥିବା ଏହି ବସତିଟି ପ୍ରାୟ ସତୁରି ବେଡ଼ିଆ ପରିବାରଙ୍କର ବାସସ୍ଥାନରେ ପରିଣତ ହୋଇ ଯାଇଥିଲା ।

 

ରାଜେନ୍ଦ୍ରର ଭଉଣୀମାନେ ମଧ୍ୟ କ୍ରମେ ଜଣଜଣ କରି ସେହି ଜୀବିକାରେ ପ୍ରବେଶ କଲେ ଏବଂ ପୂରା ଅପରିଚିତ ବ୍ୟକ୍ତିମାନେ ବହୁତ ସଂଖ୍ୟାରେ ଆସି ତା’ ମାଆ ଓ ଭଉଣୀମାନଙ୍କ ସହିତ ତାଙ୍କ ଘରେ ଆସି ରହିଲେ । ଜଣେ ବେଡ଼ିଆ ହୋଇ ଜନ୍ମ ହେଲେ ଯେ ପ୍ରକୃତରେ କ’ଣ ସବୁକୁ ବୁଝାଏ, ପ୍ରଥମ କରି ସେହି କଥାଟିକୁ ସଂପୂର୍ଣ୍ଣ ଭାବରେ ବୁଝିପାରିବାକୁ ସାନ ପିଲାଟିକୁ ଆଦୌ ବେଶୀ ସମୟ ଲାଗିଲା ନାହିଁ ।

 

ଯେତେବେଳେ ତା’ର ମାଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତା’ର ନାଆଁ ଲେଖାଇଦେଲେ ସେତେବେଳେ ଯାଇ ସେ ସବୁଠାରୁ ବଡ଼ ଆଘାତଟିକୁ ପାଇ ପାରିଲା । ବିଦ୍ୟାଳୟର ପ୍ରବେଶିକା ଫର୍ମଟିକୁ ପୂରଣ କଲାବେଳେ ବାପା ନାମ ଲେଖିବା ଜାଗାରେ ମାଆ ଯେତେବେଳେ ଛକି ଚିହ୍ନଟିଏ ପକାଇ ଦେଇ ନିଜର ନାଆଁଟିକୁ ଲେଖିଦେଲେ, ସେତେବେଳେ ରାଜେନ୍ଦ୍ର ଅଚିରେ ଜାଣିଗଲା ଯେ ସେଥିରୁ ତା’ ମାଆ ପ୍ରକୃତରେ କେଉଁ କାର୍ଯ୍ୟ କରି ଅର୍ଥ କମାଉଛନ୍ତି, ସେଇଟି ସର୍ବବିଦିତ ହୋଇ ଯାଇଥିଲା । ତା’ ଶ୍ରେଣୀର ପିଲାମାନେ ତା’ର ସାଙ୍ଗ ହେଲେନାହିଁ ଏବଂ ବହୁତ ସମୟରେ ତାକୁ ପ୍ରକାଶ୍ୟ ଭାବରେ ଚିଡ଼ାଇବାକୁ ଲାଗିଲେ । ଶିକ୍ଷକମାନେ ମଧ୍ୟ ସେମାନଙ୍କର ଅସ୍ୱୀକୃତି ତଥା ଘୃଣାକୁ ଗୋପନ କରି ରଖିବାକୁ କୌଣସି ଚେଷ୍ଟା କରିନଥିଲେ । ଅତ୍ୟନ୍ତ ଶ୍ରଦ୍ଧାନୁଭର ଭାବରେ ରାଜେନ୍ଦ୍ର କେବଳ ଜଣେ ଶିକ୍ଷକ ଗୋପାଳ ଗର୍ଗଙ୍କର ନାମଟିକୁ ଏବେ ମନେ ପକାଉଛି, ଯିଏକି ବେଡ଼ିଆ ଘରର ପିଲାମାନଙ୍କୁ ସର୍ବଦା ଉତ୍ସାହିତ କରୁଥିଲେ ଏବଂ ସେମାନେ ଅନ୍ୟ ମନୁଷ୍ୟମାନଙ୍କଠାରୁ ଅବର ବୋଲି ସେମାନଙ୍କୁ କେବେହେଲେ ଅନୁଭବ କରିବାକୁ ଦେଉନଥିଲେ । ରାଜେନ୍ଦ୍ର ହାଇସ୍କୁଲକୁ ଆସିବାବେଳେ ତା’ର ମାଆ ସତର୍କତା ଅବଲମ୍ବନ କରି ବାପାଙ୍କର ନାମ ଉଲ୍ଲେଖ କରିବାକୁ ରହିଥିବା ଖନ୍ଦାଟିରେ ମୋଟେ ଛକି ପକାଇ ଦେଇନଥିଲେ;–ସେ ସେଠାରେ ଗୋଟିଏ କାଳ୍ପନିକ ନାମ ଲେଖି ଦେଇଥିଲେ ଏବଂ ତା ପୂର୍ବରୁ ‘ସ୍ୱର୍ଗତ’ ବୋଲି ଉଲ୍ଲେଖ କରିଥିଲେ ।

 

ତଥାପି, ଶିବପୁରୀ ପରି ଗୋଟିଏ ସାନ ସହରରେ ନିଜର ପରିଚୟଟିକୁ ଲୁଚାଇ ରଖିବା ରାଜେନ୍ଦ୍ର ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା । ତାକୁ ଅନେକ ସମୟରେ ଭାରି ଅପମାନିତ ଲାଗୁଥିଲା, ଖୁବ୍ ଦୁଃଖ ମଧ୍ୟ ହେଉଥିଲା ଏବଂ ସେ ନିଜର ମାଆ ସହିତ ଝଗଡ଼ାରେ ବି ପଶି ଯାଉଥିଲା । ସେସବୁ ସମୟରେ ମାଆ ତାକୁ କେତେ ଗେଲ କରୁଥିଲେ, ବହୁତ ସାନ୍ତ୍ୱନା ମଧ୍ୟ ଦେଉଥିଲେ । ଅତ୍ୟନ୍ତ କୋମଳ ଭାବରେ କହୁଥିଲେ: ତୁମମାନଙ୍କୁ ପାଳି ବଡ଼ କରିବା ସକାଶେ ମୋ’ ପାଖରେ ଆଉ କେଉଁ ଉପାୟ ରହିଛି ତୁ କହିଲୁ ? ତୋ ବାପା କିଏ, ସେକଥା ମୋତେ ଖୁବ୍ ଜଣା ଅଛି; ସିଏ ହେଉଛନ୍ତି ଗୋଆଲିଅର୍ ସହରର ଜଣେ ଧନୀ ସୁନା-ଅଳଙ୍କାର ଦୋକାନୀ । ମାତ୍ର ସିଏ କଣ ତୋତେ ସ୍ୱୀକାର କରିବେ ? ମୁଁ ତ ଯେକୌଣସି ବେଡ଼ିଆ ଘରର ସ୍ତ୍ରୀଲୋକ ପରି ସାନରୁ ବଡ଼ ହୋଇଛି,–ମୋ ଭାଇ ଏବଂ ପୁଅମାନଙ୍କର ଯତ୍ନ ମୋତେ ହିଁ ନେବାକୁ ହେବ ବୋଲି ନିଜ ଦାୟିତ୍ୱ ବିଷୟରେ ମୁଁ ସଂପୂର୍ଣ୍ଣ ସଚେତନ ହିଁ ରହି ଆସିଛି । ଯଦି ଆମେ ଏହି ବ୍ୟବସାୟଟିକୁ ଛାଡ଼ିଦେବୁ, ତେବେ ଆମ ଘରର ମଣିଷମାନଙ୍କର ଅବସ୍ଥା ପୁଣି କ’ଣ ହେବ କହିଲୁ ? କିଏ ଆଉ ସେମାନଙ୍କର କଥା ବୁଝିବ ? ମୋ ବ୍ୟବସାୟଟା ପାଇଁ ତୋତେ ଯେ ଭାରି ଲାଜ ଲାଗୁଥିବ, ସେକଥା ସଂପୂର୍ଣ୍ଣ ସତ । କିନ୍ତୁ, ତୋତେ ବଡ଼ କରାଇ ମଣିଷ କରିବାକୁ ହେଲେ ମୋ ପାଖରେ ଆଉ କି ଉପାୟ ରହିଛି ?

 

ତା’ ନିଜର ସମୂହଟି ଏବଂ ତା’ ବାହାରେ ରହିଥିବା ପୃଥିବୀଟିର ନୈତିକ ଗାରଗୁଡ଼ିକ ମଧ୍ୟରେ ଯେ ଗୋଟିଏ ବୃହତ୍‍ ବ୍ୟବଧାନ ରହିଥିଲା, ରାଜେନ୍ଦ୍ର କ୍ରମେ ସେହି କଥାଟିକୁ ବୁଝିବାକୁ ଆରମ୍ଭ କଲା । ପାରମ୍ପରିକ ଭାବରେ ବେଡ଼ିଆ ଘରର ସବୁ ଝିଅ ବିବାହରୁ ବଞ୍ଚିତ ହୋଇ ରହୁଥିଲେ ଏବଂ ସେମାନେ ରୂପବ୍ୟବସାୟର କାର୍ଯ୍ୟଟିକୁ ଗ୍ରହଣ କରନ୍ତୁ ବୋଲି ପ୍ରକୃତରେ ବାଧ୍ୟତାମୂଳକ ହୋଇ ହିଁ ରହିଥିଲା । ଏହି କ୍ଷେତ୍ରରେ କୌଣସି ପ୍ରକାରର ନିୟମଭଙ୍ଗ ହେଲେ ହିଁ ସଂପୃକ୍ତ ପରିବାରଟିକୁ ଜାତିରୁ ବହିଷ୍କାର କରିଦିଆ ଯାଉଥିଲା । ଯେଉଁ ପୁରୁଷମାନେ ବିବାହ କରିବାକୁ ଇଚ୍ଛା କରୁଥିଲେ, ସେମାନଙ୍କୁ ଅନ୍ୟ ସମୂହରୁ ହିଁ ଝିଅ ଠିକ୍ କରିବାକୁ ପଡ଼ୁଥିଲା । ନାଟ୍ ଓ କଞ୍ଜର୍‍ଙ୍କ ଭଳି ଏହି ଅନ୍ୟ ସମୂହଗୁଡ଼ିକର ବେଡ଼ିଆମାନଙ୍କ ସହିତ କିଛି ସାଦୃଶ୍ୟ ରହିଥିଲା । ଅଥବା, ସେମାନେ ବିବାହ ସକାଶେ ବାପମାଆ ନଥିବା କିମ୍ବା ପରିତ୍ୟକ୍ତ ହୋଇଥିବା ଝିଅମାନଙ୍କୁ ଯାଇ ଠାବ କରୁଥିଲେ ।

 

ଏବେ, ବେଡ଼ିଆ ଜାତିର ଝିଅଟିଏ ଇଚ୍ଛା କଲେ ରୂପଜୀବିକା କରିପାରିବ, ଇଚ୍ଛା କଲେ ବିବାହ ମଧ୍ୟ କରିବ । ମାତ୍ର, ଏଇଟିକୁ କେବଳ ନାମକୁ ମାତ୍ର ଏକ ସ୍ୱାଧୀନତା ବୋଲି ହିଁ କୁହାଯିବ-। ବାସ୍ତବ କ୍ଷେତ୍ରରେ, ସିଏ ତା’ର ସମାଜରେ ବଢ଼ି ଆସିଥିବା ପ୍ରଣାଳୀଟି ଦ୍ୱାରା ଅବଶ୍ୟ ପ୍ରଭାବିତ ହେବ; ଏବଂ, ରୂପଜୀବିକା କରି ନିଜ ପରିବାରଟିର ପାଳନ ପୋଷଣ କରିବା ଯେ ପ୍ରଥମ ଏବଂ ପ୍ରାୟ ଅନିବାର୍ଯ୍ୟ ଭାବରେ ତାହାରି ଦାୟିତ୍ୱ ତା’ ଭିତରେ ଗଢ଼ି ହୋଇ ଆସିଥିବା ପ୍ରତ୍ୟୟଟି ମଧ୍ୟ ତାକୁ ପ୍ରଭାବିତ କରୁଥିବ ! ଯଦି କୌଣସି ବେଡ଼ିଆ ଝିଅ ବିବାହ କରିବ, ତେବେ ରୂପଜୀବିର ଧନ୍ଦାଟିଏ ଆଚରିବାରେ ତାପାଇଁ ଅବଶ୍ୟ କଠୋର ନିଷେଧମାନ ରହିବ । ମାତ୍ର, ବିବାହ କରିବାକୁ ନିଷ୍ପତ୍ତି କରୁଥିବା ଗୋଟିଏ ନାରୀକୁ ସମସ୍ତେ ଅତ୍ୟନ୍ତ ସ୍ୱାର୍ଥପର ବୋଲି କହିବେ,–ହୃଦୟହୀନ ଏବଂ ଦାୟିତ୍ୱଶୂନ୍ୟ ବୋଲି କହି ଅପବାଦ ବି ଦେବେ । ତେଣୁ, ଏଥିରେ ବିସ୍ମିତ ହେବାର ଆଦୌ କିଛି ନାହିଁ ଯେ, ବର୍ତ୍ତମାନ ମଧ୍ୟ, ଅଧାରୁ ଅଳ୍ପ ବେଡ଼ିଆ ଘରର ଝିଅମାନେ ବିବାହ କରୁଛନ୍ତି (୧୯୮୧ର ଜନଗଣନା ଅନୁସାରେ ୪୪ ପ୍ରତିଶତ) ଏବଂ ବାକି ଅନ୍ୟମାନେ ପ୍ରଚଳିତ ରୀତିଟିକୁ ମାନି କୋଡ଼ିଏ ବର୍ଷ ବୟସ ହେବା ଆଗରୁ ହିଁ ଘରକୁ ଚଳାଇବା ପାଇଁ ରୂପଜୀବିକାର ମାର୍ଗଟିକୁ ଗ୍ରହଣ କରନ୍ତି-। ଗୋଟିଏ ଝିଅ ରୂପଜୀବିକାରେ ପ୍ରବେଶ କରିବାର ଅବସରଟିକୁ ବେଡ଼ିଆ ସମାଜରେ ଠିକ୍ ଏକ ବିବାହ-ଉତ୍ସବ ପରି ପାଳନ କରାଯାଏ । ଏବଂ, ମହିଳାମାନେ ବୟସରେ ବଡ଼ ହେବା ସଙ୍ଗେ ସଙ୍ଗେ ଯେତେବେଳେ ସେମାନଙ୍କ ପ୍ରତି ଗର୍‍ହାକମାନଙ୍କର ଆକର୍ଷଣ ଉଣା ହୋଇ ଆସେ, ସେତେବେଳେ ସେମାନଙ୍କର ଅଳ୍ପବୟସ୍କା ଝିଅମାନେ ସେହି ବ୍ୟବସାୟରେ ପ୍ରବେଶ କରନ୍ତୁ ବୋଲି ବେଶ୍ ବ୍ୟାକୁଳତା ପ୍ରକାଶ କରନ୍ତି । ରାଜେନ୍ଦ୍ରର ମାଆ ମଧ୍ୟ ଅନ୍ୟମାନଙ୍କଠାରୁ ମୋଟେ ଭିନ୍ନ ନଥିଲେ ଏବଂ ସିଏ ନିଜର ଏହି କାରବାରଟିରେ ନିଜର ତିନୋଟିଯାକ ଭଉଣୀଙ୍କୁ ପ୍ରବିଷ୍ଟ କରାଇ ନେଇଥିଲେ ।

 

ଏହା ଫଳରେ, ବେଡ଼ିଆ ଯୁବକମାନଙ୍କ ପାଇଁ କନିଆଁ ମିଳିବା ଅତ୍ୟନ୍ତ କଠିନ ହୋଇପଡ଼େ ଏବଂ ୧୯୮୧ ମସିହାର ଜନଗଣନାରୁ ଜଣାଯାଉଛି ଯେ, ୫୩ ରୁ ଅଧିକ ପ୍ରତିଶତ ବେଡ଼ିଆ ପୁରୁଷଲୋକ ଅବିବାହିତ ଜୀବନ ଯାପନ କରୁଥିଲେ । କନିଆଁଟିଏ ପାଇବାକୁ ହେଲେ ଅତି ଅଧିକ କନିଆଁ ପଇସା ଦେବାକୁ ପଡ଼ୁଛି ଏବଂ ଜଣେ ରୋଜଗାର କରୁଥିବା ମଣିଷକୁ ହରାଇବାକୁ ପଡ଼ୁଥିବାରୁ କନ୍ୟାର ପରିବାରକୁ ମଧ୍ୟ କ୍ଷତିପୂରଣର ଭରଣା କରିବାକୁ ହେଉଛି । ଆପଣାର ପୁଅ ଏବଂ ଭାଇମାନଙ୍କ ନିମନ୍ତେ କନିଆବାବତ ଦେୟ ସଂଗ୍ରହ କରିବାପାଇଁ ମହିଳାମାନଙ୍କୁ ରୂପଜୀବୀ ରୂପେ ଆଖି ବୁଜି ଖଟିବାକୁ ମଧ୍ୟ ହେଉଛି । ରାଜେନ୍ଦ୍ରର ମାଆ ଏବଂ ଭଉଣୀମାନଙ୍କୁ ମଧ୍ୟ ସେହି ଏକ ସ୍ଵପ୍ନଟି ହେତୁ ହିଁ ଉଚିତ ଭାବରେ ତତ୍ପର ହେବାକୁ ପଡ଼ିଥିଲା ।

 

କନିଆଁ ମିଳିଯିବା ଏତେ ଦୁଷ୍କର ହୋଇଥିଲେ ମଧ୍ୟ ରୂପକୀବିକା କରୁଥିବା କୌଣସି ଝିଅକୁ ବିବାହ କରିବା ବିଷୟରେ ବେଡ଼ିଆ ପୁରୁଷମାନଙ୍କ ମଧ୍ୟରେ ଏକ ତୀବ୍ରତମ ବିରୋଧଭାବ ରହିଛି । ସେହିହେତୁ ଯେତେବେଳେ ରାଜେନ୍ଦ୍ର ନିଜଠାରୁ ବୟସରେ ଏତେ ବଡ଼ ଜଣେ ରୂପଜୀବୀ ଗୀତା ସହିତ ଦୀର୍ଘ ସମୟ ପାଇଁ ମିଶିବାକୁ ଆରମ୍ଭ କଲା,–ଗୀତା ସହିତ ତା’ର ଏକ ଦୂର ପାରିବାରିକ ସମ୍ବନ୍ଧସୂତ୍ର ମଧ୍ୟ ରହିଥିଲା,–ସେତେବେଳେ ସମସ୍ତେ ଖୋଲାଭାବରେ ତାହାର ବିରୋଧ କରିଥିଲେ । ସେମାନଙ୍କର ଏହି ସମ୍ପର୍କରେ କୌଣସି ଯୌନ କାମନା ନଥିଲା ବୋଲି ସେମାନେ ଯେତେ କୋର୍ କରି କହିଲେ ମଧ୍ୟ ଅଧିକାଂଶ ବ୍ୟକ୍ତି ସେଥିରେ ଆଦୌ ବିଶ୍ୱାସ କଲେନାହିଁ ।

 

ରାଜେନ୍ଦ୍ର ଯେ ସେହି ସର୍ବପ୍ରଥମ କାଳରେ ଗୀତା ପ୍ରତି ଏକ ଆକର୍ଷଣ ଅନୁଭବ କରିଥିଲା, ତା’ର ସର୍ବପ୍ରଥମ କାରଣଟି ହେଉଛି ଯେ, ଯୌନଜୀବିକାର ତମାମ୍‍ ଜଗତଟି ଭିତରେ ପୂରା ଛନ୍ଦି ହୋଇ ପଡ଼ିଥିଲେ ମଧ୍ୟ ଗୀତା ତଥାପି ଅତ୍ୟନ୍ତ ଅଲକ୍ଷିତ ଏବଂ ଉତ୍ସାହପୂର୍ଣ୍ଣ ଭାବରେ ନିଜର ଦୁଇ ପୁଅଙ୍କ ନିମନ୍ତେ ଏକ ଅଧିକ ଭଲ ଜୀବନର ସ୍ଵପ୍ନ ମଧ୍ୟ ଦେଖୁଥିଲା । ସେମାନଙ୍କ ଅଦୃଷ୍ଟ ମଧ୍ୟରେ ଲେଖା ହୋଇ ରହିଥିବା ଏହି ବିଷବଳୟଟି ମଧ୍ୟରୁ ରକ୍ଷା ପାଇବାକୁ ହେଲେ ଶିକ୍ଷାଲାଭ ବ୍ୟତୀତ ଅନ୍ୟ କୌଣସି ମାର୍ଗ ନାହିଁ ବୋଲି ସେ ନିରନ୍ତର ଏବଂ ବାରବାର ପିଲା ଦୁଇଟିଙ୍କୁ କହିବାରେ ଲାଗିଥିଲା । ତା’ ବଡ଼ ପୁଅଟି,–ତାକୁ ତେରବର୍ଷ ହୋଇଥିବା ବେଳେ ତା’ର ଜନ୍ମ ହୋଇଥିଲା, ବୟସରେ ରାଜେନ୍ଦ୍ରଠାରୁ ଆଦୌ ଖୁବ୍ ବେଶୀ ସାନ ନଥିଲା । ଶାରୀରିକ କ୍ଷେତ୍ରରେ କିଞ୍ଚିତ୍ ଅସମର୍ଥ ଥିବାରୁ ସିଏ ତା’ର ମାଆ ଭଳି ବହିସବୁ ପଢ଼ିବାରେ ଖୁବ୍ ବେଶୀ ଶ୍ରଦ୍ଧାଶୀଳ ହୋଇ ପଡ଼ିଥିଲା; ପିଲାଦୁହେଁ ରାଜେନ୍ଦ୍ରକୁ ଦାଦା’ ବୋଲି ଡାକୁଥିଲେ ଏବଂ ସେଇ ରାଜେନ୍ଦ୍ର ହିଁ କେତେ ମିନିଟ୍ ଖେଳପାଇଁ ଦେବାଲାଗି ବଡ଼ଟିକୁ ବହିମାନଙ୍କ ଭିତରୁ ଅନ୍ୟମନସ୍କ କରି ବାହାର କରିନେଇ ପାରୁଥିଲା ।

 

ରାଜେନ୍ଦ୍ର କଲେଜରେ ପଢ଼ୁଥାଏ, ତାକୁ ସେତେବେଳେ ଅଠର ବର୍ଷ ହୋଇଥାଏ; ସେତେବେଳେ ପ୍ରାୟ ଅଧଡଜନ ବେଡ଼ିଆ ସାଙ୍ଗପିଲାଙ୍କ ସହିତ ଥରେ ସିଏ ପାଖ ସହର ମୋରେନାରେ ହେଉଥିବା ଏକ ଜାତିଆଣ ସଭାରେ ଯୋଗଦେବାକୁ ଯାଇଥାଏ । ବେଡ଼ିଆମାନଙ୍କର ଇତିହାସରେ ଏଇଟି ହେଉଛି ସର୍ବପ୍ରଥମ ଜାତିଆଣ ସଭା ଏବଂ ହରିଜନ ଓ ଆଦିବାସୀ ରାଜ୍ୟ ସରକାରୀ ବିଭାଗର କେତେକ ପ୍ରଶାସକ ଓ କର୍ମକର୍ତ୍ତାଙ୍କ ଦ୍ୱାରା ସେହି ସଭାଟି ଡକା ହୋଇଥାଏ । ବେଡ଼ିଆମାନଙ୍କର ସମାଜରେ ପରିବର୍ତ୍ତନ ଲାଗି କିଛି ପ୍ରକ୍ରିୟା ଆରମ୍ଭ ହେଉ, ସେଥିପାଇଁ କିଞ୍ଚିତ୍ ଅନୁକୂଳତା ସୃଷ୍ଟି କରିବାପାଇଁ ସଭାଟି ଆହୂତ ହୋଇଥିଲା । ରାମସନେହୀ ନାମକ ବେଡ଼ିଆ ସଂପ୍ରଦାୟର ଜଣେ ବୟୋଜ୍ୟେଷ୍ଠ ସଂସ୍କାରକଙ୍କୁ ମଧ୍ୟ ସେହି ପ୍ରଚେଷ୍ଟାରେ ସାମିଲ୍ କରା ଯାଇଥିଲା । ବେଡ଼ିଆମାନଙ୍କର ବହୁ ପୁରାତନ ଚଳଣି ବିରୁଦ୍ଧରେ ରାମସନେହୀ ଏକୁଟିଆ ଏକାଧିକ ସମର ଲଢ଼ି ସାରିଥିଲେ; ଜାତିର ଯୁବତୀ ଝିଅମାନେ ଯେଉଁସବୁ ଚଳଣିର ଶିକାର ହୋଇ ଆସୁଥିଲେ, ସେହିଗୁଡ଼ିକର ବିରୁଦ୍ଧରେ । ସଂପ୍ରଦାୟର ମୁଖ୍ୟସ୍ରୋତଟି ତାଙ୍କ ପ୍ରତି କେତେଭଳି ଶାସ୍ତିବିଧାନ କରିଥିଲା ଓ ତାଙ୍କୁ ସମାଜରୁ ବାସନ୍ଦ ମଧ୍ୟ କରିଥିଲା, ତଥାପି ରାମସିନେହୀ ପରାହତ ବା ନିରସ୍ତ ହୋଇ ଯାଇନଥିଲେ ।

 

ରାଜେନ୍ଦ୍ର ସେହି ସଭାରେ ଯାହାସବୁ ଶୁଣିଲା, ସେଗୁଡ଼ିକ ତାକୁ ଅତୀବ ପରିମାଣରେ ଉଦ୍ଦୀପିତ କରି ଦେଇଥିଲା । ନିଜର ବାଲ୍ୟକାଳରୁ ହିଁ ସେ ଏକ ଅଂଶ ହୋଇ ରହିଥିବା ପ୍ରଥାଟି ମଧ୍ୟରେ ପ୍ରକୃତରେ କେତେ ଯେ ଅମାନୁଷିକତା ଓ ଅନ୍ୟାୟ ଭରି ରହିଛି, ସିଏ ତାହାକୁ ଅନୁଭବ କରି ପାରିଲା । ମାତ୍ର ତେର ଚଉଦ ବର୍ଷର ଜଣେ ବେଡ଼ିଆ ଝିଅ ଛିଡ଼ା ହୋଇ ସାହସର ସହିତ ଘୋଷଣା କଲା ଯେ, ଜଣେ ମନୁଷ୍ୟର ଜାତି ନୁହେଁ, ମାତ୍ର ତା’ର କାର୍ଯ୍ୟମାନ ତଥା ଚରିତ୍ର ହିଁ ତା’ର ଭବିଷ୍ୟଟିକୁ ନିର୍ମାଣ କରେ । ଏବଂ, ଆପଣାର କହିବା ଅନୁସାରେ ଝିଅଟି ସାରା ପୃଥିବୀ ଆଗରେ ଏହି କଥାଟିକୁ ପ୍ରମାଣ କରି ଦେବାଲାଗି ଉଦ୍ୟତ ହେଉଛି ବୋଲି ଘୋଷଣା କରିଥିଲା ।

 

ତା’ ଜାତିର ଯୁବାମାନେ କାଳକାଳର ଜଞ୍ଜିରଟାକୁ ଛିଡ଼ାଇ ଦେବାକୁ ବାହାରିଛନ୍ତି ବୋଲି ରାଜେନ୍ଦ୍ର ପ୍ରଥମଥର ପାଇଁ ସେମାନଙ୍କର କଥାରୁ ହିଁ ସଙ୍କେତ ପାଇଥିଲା ।

 

କେତେଜଣ ସାଙ୍ଗଙ୍କ ସହିତ ଏକାଠି ହୋଇ ରାଜେନ୍ଦ୍ର ଶିବପୁରୀ ଠାରେ ବେଡ଼ିଆ ପରିବାରଗୁଡ଼ିକର ସର୍ବପ୍ରଥମ ବୈଠକଟିଏ ଆୟୋଜନ କରିଥିଲା । ଉଦ୍ଦେଶ୍ୟ ଥିଲା ଯେ, ସମସ୍ତେ ଏକତ୍ର ହୋଇ ସେମାନଙ୍କର ସ୍ଥିତିଟି ବିଷୟରେ କିଛି ଆତ୍ମନିରୀକ୍ଷଣ କରିପାରିବେ । ସହରର ଅନ୍ୟ ସଂପ୍ରଦାୟଗୁଡ଼ିକର କିଛି ଲୋକ ଯୋଗ ଦେଇଥିବା ସେହି ସଭାରେ ରାଜେନ୍ଦ୍ର ଠିଆ ହୋଇ ବହୁ ଶତାବ୍ଦୀ ପୂର୍ବର ସତ୍ୟକାମ ପରି ପ୍ରକାଶ୍ୟରେ ଘୋଷଣା କରିଥିଲା ଯେ, ସିଏ ପ୍ରକୃତରେ ଜଣେ ଧନୀ ଶେଠର ଅବୈଧ ସନ୍ତାନରୂପେ ଏହି ପୃଥିବୀରେ ଭୂମିଷ୍ଠ ହୋଇଛି; ଏବଂ ସେହି ଶେଠ କେବେ ହେଲେ ତାକୁ ନିଜର ସନ୍ତାନ ବୋଲି ସ୍ୱୀକାର କରିବ ନାହିଁ । ସିଏ କହିଲା, “ମୋ’ର ମାଆ ଓ ମୋ’ ଭଉଣୀମାନେ ଯୌନବେପାର କରି ମୋ’ର ଲାଳନପାଳନ କରି ଆସିଛନ୍ତି । ଏହି ଧାରାଟି ଅବଶ୍ୟ ବଦଳୁ । ଆମେ ସମସ୍ତେ ଏକତ୍ର ହେବା ଓ ତାହାକୁ ବଦଳାଇବା ।”

 

ସଭା ଶେଷ ହେବା ପରେ ରାଜେନ୍ଦ୍ର କେବେହେଲେ ବିବାହ କରିବ ନାହିଁ ବୋଲି ଶପଥ ନେଲା ଏବଂ, ବେଡ଼ିଆ ଜାତିର ଲୋକମାନେ ସମ୍ମୁଖୀନ ହେଉଥିବା ଏହି ବିଷବଳୟଟିରୁ ଅବଶ୍ୟ ମୁକ୍ତି ଲାଭ କରିବ ବୋଲି ସ୍ଥିର କରି ନେଇଥିଲା । କାରଣ, କନିଆଁଟିଏ ଠାବ କରିବାକୁ ହେଲେ ସେମାନଙ୍କର ମାଆ ଓ ଭଉଣୀମାନଙ୍କୁ ହିଁ ତ କନ୍ୟାମୂଲ ଦେବାର ପଇସା ଅର୍ଜନ କରିବାକୁ ପଡ଼ିବ-। ଏବଂ, ରୂପଜୀବିକା ଦ୍ୱାରା ହିଁ ସେମାନେ ସେକଥା କରି ପାରିବେ । ମାତ୍ର, ଏଣେ ଗୀତା ଓ ତା’ର ପୁଅ ଦୁହିଁଙ୍କ ସହିତ ରାଜେନ୍ଦ୍ରର ସମ୍ପର୍କ ଅଧିକ ନିକଟ ହୋଇ ଆସୁଥାଏ ଏବଂ ସ୍ଥାନୀୟ କେତେଜଣ ସ୍ୱେଚ୍ଛାସେବୀ ମଧ୍ୟ ତାକୁ ଉତ୍ସାହ ଦେବା ଫଳରେ ସିଏ ଏକ ଅନ୍ୟ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ କ୍ରମେ ନିଜକୁ ସମ୍ମତ କରି ଆଣିଥିଲା । ଏହା ଫଳରେ ସିଏ ହୁଏତ ଅଧିକ ଶକ୍ତିଶାଳୀ ଭାବରେ ଉକ୍ତ ବେଡ଼ିଆ ପ୍ରଥାଟି ପ୍ରତି ନିଜର ପ୍ରତ୍ୟାଖ୍ୟାନ ଜଣାଇ ପାରିବ । ସେ ଗୀତାକୁ ବିବାହ କରିବ ବୋଲି ଘୋଷଣା କଲା ।

 

ଏହାଦ୍ୱାରା ସଂପୃକ୍ତ ଦୁଇଟିଯାକ ପରିବାର ସର୍ବନାଶ ହୋଇଗଲେ । ଜଣେ ବେଡ଼ିଆ ପୁରୁଷଲୋକ ନିଜ ସଂପ୍ରଦାୟର ଜଣେ ରୂପଜୀବୀ ଝିଅକୁ ବିବାହ କରିବା ବିଷୟରେ ରହିଥିବା ନିଷେଧଟା ଏତେ ଅଧିକ ପରିମାଣରେ ଶକ୍ତିଶାଳୀ ହୋଇ ରହି ଆସିଥିଲା ଯେ, ଏହି ଦମ୍ପତିଟି ବେଡ଼ିଆ ଜାତିଦ୍ୱାରା ସବୁଦିନ ନିମନ୍ତେ ଯେ ବହିଷ୍କୃତ ହୋଇ ରହିବେ, ସେଥିରେ କୌଣସି ସନ୍ଦେହ ନଥିଲା । ସ୍ଥିତିଟିକୁ ସତେଅବା ଆହୁରି ବିଗିଡ଼ାଇ ଦେଲାପରି, ଗୀତା ବୟସରେ ତା’ଠାରୁ ବହୁତ ବଡ଼ ବି ଥିଲା ଏବଂ ତା’ର ଦୁଇ ପୁଅ ମଧ୍ୟ ରାଜେନ୍ଦ୍ରର ପ୍ରାୟ ସମବୟସୀ ହୋଇ ଆସୁଥିଲେ । ତଥାପି, ସର୍ବବୃହତ୍ ଦୁର୍ଗତିଟି ଆସି ପହଞ୍ଚିଲା, ଯେତେବେଳେ ଗୀତା ମଧ୍ୟ ସେମାନଙ୍କ ଆଗରେ ଏକଥାଟିକୁ ମଧ୍ୟ କହିଦେଲା ଯେ, ଦୁଇଟି ପୁଅ ଜନ୍ମ ହୋଇଯିବା ପରେ ସେ ବନ୍ଧ୍ୟାକରଣର ଉପଚାରଟିକୁ ମଧ୍ୟ ଆଗରୁ କରାଇ ନେଇଥିଲା । ସେତେବେଳେ ସିଏ ସଂକଳ୍ପ କରି ନେଇଥିଲା ଯେ ତା’ର ଝିଅ ଜନ୍ମ ହୁଅନ୍ତୁ ବୋଲି ସେ ଆଦୌ ଇଚ୍ଛା କରୁନଥିଲା । ବେଡ଼ିଆ ଜାତିରେ ଏହି ଘଟଣାଟି ମଧ୍ୟ ଅତି କ୍ୱଚିତ ଘଟୁଥିଲା, କାରଣ ଏହି କ୍ଷେତ୍ରରେ ଝିଅମାନେ ହିଁ ତ ଅଧିକ ଲାଭ ଓ ଉପାର୍ଜନର ଅଧିକ କାରଣ ହେଉଥିଲେ । ମାତ୍ର ଗୀତା କୌଣସି କୋଳାହଳ ନକରି ଆଗରୁ ଦୃଢ଼ ସ୍ଥିର ହୋଇ ଯାଇଥିଲା ଯେ, କାରଣ ଝିଅଟିଏ ହେଲେ ସେ ରୂପଜୀବିକା ଆଡ଼କୁ ନିଶ୍ଚୟ ଆକର୍ଷିତ ହୋଇ ଚାଲିହିଁ ଯିବ । ଘୋର ଲଜ୍ଜା ଏବଂ ଦୁଃଖର ଏହି ବଳୟଟି ପୁରୁଷାନୁକ୍ରମେ ହିଁ ନାରୀମାନଙ୍କ ଦ୍ୱାରା ବୈଧତା ସହିତ ଆଚରିତ ହୋଇ ଚାଲିଥିଲା ଏବଂ ଗୀତା ତା’ ନିଜଠାରୁ ହିଁ ତା’ ପରିବାରରୁ ଲୁପ୍ତ ହୋଇଯିବା ଉଚିତ ବୋଲି ଗୀତା ଇଚ୍ଛା କରୁଥିଲା ।

 

ବର୍ତ୍ତମାନ ତାହାର ଅର୍ଥ ହେଉଥିଲା ଯେ, ରାଜେନ୍ଦ୍ରର ନିଜର ବୋଲି କୁହାଯାଇ ପାରୁଥିବା ଆଉ କୌଣସି ସନ୍ତାନସନ୍ତତି କେବେ ହେବେନାହିଁ । ତା’ ମାଆ ଓ ଭଉଣୀମାନେ ତାକୁ କେତେ ବୁଝାଇଲେ: ସେ ନିଜ ଜାତି ଓ ପଂକ୍ତିରୁ ବହିଷ୍କୃତ ହୋଇ ରହିବ,–ଏଇଟି ଅତ୍ୟନ୍ତ ଅସୁନ୍ଦର କଥା ହେବ; ପୁନଶ୍ଚ, ତାଠାରୁ ହିଁ ତା’ ମୌରସୀ ପରିବାରଟି ମଧ୍ୟ ଲୁପ୍ତ ହୋଇଯାଉ ବୋଲି ମଧ୍ୟ ସିଏ କିପରି ବାଟ ଛାଡ଼ିଦେବ ? ରାଜେନ୍ଦ୍ର ଉତ୍ତର ଦେଇ କହୁଥାଏ ଯେ, ସେ ଗୀତାର ପୁଅମାନଙ୍କୁ ନିଜର ସନ୍ତାନ ବୋଲି ଗ୍ରହଣ କରିନେବ । ମାତ୍ର, ସେମାନେ ପ୍ରତିଯୁକ୍ତି କରି କହିଲେ, ଗୀତାର ପିଲାମାନେ ତ ତା’ର ପ୍ରାୟ ସମବୟସୀ ହିଁ ହେବେ ଏବଂ ସେମାନେ ରାଜେନ୍ଦ୍ରକୁ କଦାପି ବାପଭଳି ଦେଖି ପାରିବେ ନାହିଁ । ଏହି ସବୁଯାକ ଆପତ୍ତି ସତ୍ତ୍ୱେ ରାଜେନ୍ଦ୍ର ନିଜର ନିଷ୍ପତ୍ତିରେ ଅଟଳ ହିଁ ରହିଲା ।

 

ଗୀତାର ମାଆ ନିଜ ମନଭିତରେ ସବୁଠାରୁ ଅଧିକ ପରିମାଣରେ ଏହି କଥାଟିକୁ ନେଇ ଭୟ କରୁଥିଲେ ଯେ ଏହି ବିବାହଟି ପରେ ଗୀତାର ଉପାର୍ଜନରୁ ଭବିଷ୍ୟତରେ ତାଙ୍କୁ ଆଦୌ କିଛି ହିଁ ମିଳିବ ନାହିଁ ।

 

ନିଜ ନିଜ ସମାଜଦ୍ୱାରା ଏପରି ସଂପୂର୍ଣ୍ଣ ଭାବରେ ପରିତ୍ୟକ୍ତ ହୋଇ ଗୀତା ଏବଂ ରାଜେନ୍ଦ୍ର ବିବାହ ପରେ ଗୋଟିଏ ସାନ ସାଧାରଣ ଘରେ ଯାଇ ରହିଲେ ଏବଂ ଏକତ୍ର ନିଜର ନୂତନ ଜୀବନଟିକୁ ଆରମ୍ଭ କଲେ । ଏକ ଅଟୋରିକ୍ସା ଚଳାଇବା ନିମନ୍ତେ ରାଜେନ୍ଦ୍ର ଟଙ୍କା କରଜ ଆଣିଲା । ଅଟୋରିକ୍ସାଟିକୁ ସିଏ ଏଯାବତ ମଧ୍ୟ ଚଳାଉଛି । ଏବେ ମଧ୍ୟ ସେମାନେ ସେଇଥିରୁ ହିଁ ନିଜର ଗ୍ରାସାଚ୍ଛାଦନ ସମ୍ଭବ କରି ପାରୁଛନ୍ତି । ଏହି ଆୟରେ ସେପରି ନିଶ୍ଚୟତା ନାହିଁ ଏବଂ ତାହା ଯଥେଷ୍ଟ ମଧ୍ୟ ହେଉନାହିଁ । କାରଣ, ଏହି ସାନ ସହରଟିରେ ବାସ୍ତବତଃ ଯେତୋଟିର ଆବଶ୍ୟକତା ରହିଛି, ତା’ଠାରୁ ଅଧିକ ସଂଖ୍ୟାର ଅଟୋରିକ୍ସା ଯାତାୟତ କରୁଛି । ସ୍ଥାନୀୟ ସରକାରୀ କର୍ମକର୍ତ୍ତାମାନେ ଜମି ଏବଂ କିଛି କାମ ଯୋଗାଇ ଦେଇ ଦୁହିଁଙ୍କୁ ସହାୟତା କରିବାର ପ୍ରତିଶ୍ରୁତି ଦେଇଛନ୍ତି ସିନା, କିନ୍ତୁ ଏପର୍ଯ୍ୟନ୍ତ ଏମାନଙ୍କ ହାତକୁ ତେଣୁ କିଛି ଆସି ପହଞ୍ଚି ନାହିଁ । ଘରଟିଏ ଚଳାଇବାର ଏହି ନୂତନ ଭୂମିକାଟିରେ ଗୀତା ନିଜକୁ ଖୁବ୍ ଶୀଘ୍ର ଅନୁକୂଳିତ କରି ନେଇଛି ଏବଂ ବହୁଗୁଣ ଉତ୍ସାହ ସହିତ ନିଜ ପୁଅମାନଙ୍କର ଶିକ୍ଷା ବିଷୟରେ ଦୃଷ୍ଟି ମଧ୍ୟ ରଖିଛି । ଏବଂ, ରକ୍ଷା ହୋଇଛି ଯେ, ବିଦ୍ୟାଳୟର ନାଆଁଲେଖା ଫର୍ମରେ ତାକୁ ଆଉ କଳ୍ପନାରୁ ବାହାର କରି ବାପାର ନାମଟିଏ ଭରିବାକୁ ଆଦୌ ପଡ଼ିନାହିଁ । ତା’ ପିଲାମାନଙ୍କର ଇହାଦେ ଜଣେ ଆଇନଦ୍ୱାରା ଅନୁମୋଦିତ ବାପା ସମ୍ଭବ ହୋଇ ପାରିଛନ୍ତି ।

 

ବିବାହ ପରେ ଏହି ପାଞ୍ଚ ବର୍ଷ କାଳ ସେମାନେ ସମାଜରୁ ବାଛନ୍ଦ ହୋଇ ହିଁ ରହିଛନ୍ତି । ବେଡ଼ିଆ ସମୁଦାୟର ମୁଖ୍ୟସ୍ରୋତଟି କେବେହେଲେ ନମନୀୟ ହେବାକୁ ଇଚ୍ଛା କରିନାହିଁ ଏବଂ ଏହି ଦମ୍ପତିଟିକୁ ସର୍ବଦା ବିପଜ୍ଜନକ ଅନିଷ୍ଟ ସୃଷ୍ଟିକାରୀ ବୋଲି ବିଚାର କରିଆସିଛି । ସର୍ବଦା ଏକ ଭୟ ରଖିଛି ଯେ, ଏମାନେ ଆପଣାର ରୂପଜୀବିକା କରି ପରିବାରର ପୋଷଣ କରୁଥିବା କର୍ତ୍ତବ୍ୟ–ଅନୁଗତ ଅନ୍ୟ ସ୍ତ୍ରୀଲୋକମାନଙ୍କୁ ବର୍ତ୍ତମାନ ପଥରୁ ହୁଡ଼ାଇ ନେବାକୁ ହୁଏତ ଚେଷ୍ଟା ମଧ୍ୟ କରିବେ । ଉଭୟଙ୍କର ନିଜ ପରିବାର ଦ୍ୱୟ ଅବଶ୍ୟ ହାଉଲେ ହାଉଲେ ସେମାନଙ୍କୁ ସ୍ୱୀକାର କରି ନେଇଛନ୍ତି, ସେହି ଦୁହିଁଙ୍କର ଦୃଢ଼ ସାହସ ଏବଂ ସ୍ଥିର ମାନସିକତା ଯେତେ ଅନିଚ୍ଛା ସତ୍ତ୍ୱେ ସେମାନଙ୍କୁ ପ୍ରଭାବିତ କରିପାରିଛି । ଏପରିକି, ଗୀତାର ମାଆ ସେମାନଙ୍କୁ ତାଙ୍କ ନିଜ ଘରେ ମଧ୍ୟ ରହିବାକୁ ଅନୁମତି ପ୍ରଦାନ କରିଛନ୍ତି ।

 

କିନ୍ତୁ, ସାନ ସହରଟି ସେମାନଙ୍କ ଅତୀତଟାକୁ ଭୁଲିଯିବା ପାଇଁ ମୋଟେ ରାଜି ହେଉନାହିଁ । ଏବେ ମଧ୍ୟ ଦୁହିଁଙ୍କ ମଧ୍ୟରୁ ଜଣେ କେହି ଗାଆଁର ରାସ୍ତା ଦେଇ ଚାଲି ଯାଉଥିବା ସମୟରେ ତାକୁ ପଛରୁ ନାନା ଅପମାନ ଓ ଉପହାସ ଶୁଣିବାକୁ ହେଉଛି । ପୁରୁଣା ଗର୍‍ହାକମାନେ ମଧ୍ୟ ଦିନେ ଦିନେ ରାତିରେ ଆସି ସେମାନଙ୍କ ଘରେ ପହଞ୍ଚି ଯାଉଛନ୍ତି; କେତେ ମାସ ପୂର୍ବେ ଦଳେ ମଦୁଆ ଆସି ସେମାନଙ୍କ ଘରର ଦୁଆରକୁ ମଧ୍ୟ ଭାଙ୍ଗି ତଳେ ପକାଇ ଦେଇଛନ୍ତି । ସେଇଟିର ମରାମତି କରିବା ଏବେ ମଧ୍ୟ ଅର୍ଥାଭାବରୁ ସମ୍ଭବ ହୋଇ ପାରୁନାହିଁ ।

 

ଅର୍ଥର ସର୍ବଦା ନିଅଣ୍ଟ ଲାଗିରହିଛି; ନିଜ ସକାଶେ କିଛି ନୂଆ ଲୁଗାପଟା କିଣିବା,–ଦୀର୍ଘ ଅନେକ ବର୍ଷ ପୂର୍ବେ ସେପରି ଘଟଣାଟିଏ ଘଟିଥିଲା ବୋଲି ସେମାନେ ମନେ କରି ପାରୁଛନ୍ତି । ସୁଖ ଓ ଆରାମରେ ରହିବା ମଧ୍ୟ ବହୁବର୍ଷ ତଳର କଥା ହୋଇଗଲାଣି । ସେମାନଙ୍କର ଘର ବାହାରେ, ପଡ଼ିଶା ଭିତରେ କେତେ ବେଡ଼ିଆ ପରିବାର ନିଜନିଜ ସ୍ତ୍ରୀଲୋକମାନଙ୍କର ଉପାର୍ଜନରୁ କେଡ଼େ ଆରାମରେ ବେଶ୍ ଚଳି ପାରୁଛନ୍ତି ଏବଂ ଗୀତା ଓ ରାଜେନ୍ଦ୍ରଙ୍କର ପରିବାରଟି ହିଁ ଆପଣାର ଅନମନୀୟ ଦୁଃସାହସ ହେତୁ ହିଁ ଅଲଗା ପ୍ରକାରେ ବାସ କରୁଛନ୍ତି ।

 

କିନ୍ତୁ, ଘର ଭିତରେ ଆଦୌ କୌଣସି ଅନୁଶୋଚନା ନାହିଁ । ଘର ଭିତରର ଆପଣା ସଂସାରଟିରେ ଉଭୟ ବାଳକଙ୍କ ନିମନ୍ତେ ରାଜେନ୍ଦ୍ର ସେହି ‘ବଡ଼ ଭାଇ’ ହୋଇ ରହିଛି; ଅବଶ୍ୟ ସର୍ବସାଧାରଣ ବୁଝିବା ନିମନ୍ତେ ସେମାନେ ତାକୁ ବାପା ବୋଲି ଡାକୁଛନ୍ତି । ପିଲାଦୁହେଁ ଉଭୟ ବାପା ଏବଂ ମାଆକୁ ଅତ୍ୟନ୍ତ ସମ୍ମାନ ହିଁ କରୁଛନ୍ତି-ସେମାନଙ୍କର ନିଷ୍ପତ୍ତି ଲାଗି ସେମାନେ ଯେଉଁ ସାହସ ଓ ଉତ୍ସର୍ଗଭାବର ପରିଚୟ ଦେଇଛନ୍ତି, ସେଇଥିଲାଗି ଦୁହେଁ ଅତ୍ୟନ୍ତ ନିଷ୍ଠାର ସହିତ ପାଠ ପଢ଼ିଛନ୍ତି,–ପାୟ ସଂପୂର୍ଣ୍ଣ ଅକ୍ଳାନ୍ତ ଚିତ୍ତରେ ସେଥିରେ ଲାଗିରହିଛନ୍ତି । କେବଳ ଏହି କାରଣରୁ ହିଁ ତୁମେ ଅବଶ୍ୟ ସମ୍ମାନ ପାଇବ,–ସେମାନଙ୍କର ମାଆ ସେମାନଙ୍କୁ ପ୍ରାୟ ପ୍ରତ୍ୟେକ ଦିନ ସେହି କଥାଟିକୁ କହୁଛନ୍ତି । ଅଧ୍ୟୟନ କର, ନିଷ୍ଠାର ସହିତ ଅଧ୍ୟୟନ କର ଓ ସେଥିରେ ଆଦୌ କୌଣସି ହେଳା ଦେଖାଅନାହିଁ,–ଏବଂ ତେବେଯାଇ ତୁମକୁ ଅବିବାଦିତ ଭାବରେ ସକଳ ସମ୍ମାନ ଅବଶ୍ୟ ହିଁ ପ୍ରାପ୍ତ ହେବ ।

 

ସମାଜରୁ ବାସନ୍ଦ ହୋଇ ରହିବାର ଏହି ଜର୍ଜରତାପୂର୍ଣ୍ଣ ଏକାକୀ ଜୀବନରେ ସ୍ୱାମୀ ସ୍ତ୍ରୀ ଉଭୟ ସ୍ୱୀକାର କରିନେବା ଓ ସମ୍ମାନ ପ୍ରଦର୍ଶନ କରିବାର ଗୋଟିଏ ଗୋଟିଏ ବିରଳ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଗୀତା ହେଉଛି ତାଙ୍କର ନିଜର ଝିଅ ପରି ଏବଂ ତେଣୁ ଔଷଧ ବାବଦରେ ସବୁ ବିଲ୍‍ ତାଙ୍କ ପାଖକୁ ସିଏ ପଠାଇଦେବେ ବୋଲି ସ୍ଥାନୀୟ ଔଷଧ ଦୋକାନୀକୁ ଯେଉଁ ଡାକ୍ତର କହି ଯାଇଛନ୍ତି ତାଙ୍କୁ ଏମାନେ ଅତ୍ୟନ୍ତ କୃତଜ୍ଞତା ସହିତ ହିଁ ସ୍ମରଣ କରନ୍ତି । ଅଥବା, ସହରରେ ଅତୀବ ମାନ୍ୟତା ଲାଭ କରିଥିବା ବୟୋଜ୍ୟେଷ୍ଠ ସେହି ଓକିଲବାବୁ, ଯିଏକି ସେଦିନ ଏମାନଙ୍କର ଘରକୁ ଆସିଥିଲେ ଏବଂ ତାଙ୍କ ଝିଅର ବିବାହୋତ୍ସବରେ ଯୋଗଦେବା ସକାଶେ ସେମାନଙ୍କୁ ନିମନ୍ତ୍ରଣ କରିଗଲେ । ଥରେ କଳ୍ପନା କରନ୍ତୁ ତ,–ସେମାନେ କେଡ଼େ ଗର୍ବର ସହିତ ମୋ’ ଆଗରେ କହୁଥିଲେ, ବିବାହର ନିମନ୍ତ୍ରଣ କାର୍ଡ଼ଟିର ମୂଲ୍ୟ ହୁଏତ ୨୫ଟଙ୍କା ନିଶ୍ଚୟ ହେବ ! ଏବଂ, ଓକିଲବାବୁ ଉଭୟଙ୍କୁ କହି ଯାଇଥିଲେ: ତୁମମାନଙ୍କ ଭଳି ସାହସୀ ସ୍ଵାମୀ ସ୍ତ୍ରୀ ଦୁଇଜଣ ବିବାହ ଉପଲକ୍ଷେ ଆସି ମୋ ଝିଅକୁ କଲ୍ୟାଣ କରି ଯିବେ, ଏହାଠାରୁ ମୋ’ପାଇଁ ଅଧିକ ଗୌରବର କଥା ଆଉ କ’ଣ ହୋଇପାରେ ?

 

ସବାଶେଷରେ ଆମେ ପୁଣି ସେମାନଙ୍କ ବଡ଼ ପୁଅଟିର ପରୀକ୍ଷା ନମ୍ବର ଲେଖା ଯାଇଥିବା ସେହି ଚିକ୍‌ଚିକ୍ କାଗଜଟି ପାଖକୁ ଫେରିଆସିବା,–ସିଏ ବାହାଦୁର ପରି ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ହାସଲ କରିପାରିଛି । ଏକ ସାନ ସହରରେ ଏପରି ଘଟଣା: ଖୁବ କ୍ୱଚିତ୍ ଦେଖିବାକୁ ମିଳିଥାଏ । ଏବଂ, ସେହି ପିଲାଦୁହିଁଙ୍କର ପ୍ରୀତିଭରା ହାବଭାବ ଓ ଆଚରଣ, ତାହାହିଁ ସବୁକିଛିକୁ ସବାଶେଷରେ ସାର୍ଥକ ବୋଲି ପ୍ରମାଣିତ କରିଦେଇଛି ! ବିଗତ ଆଠମାସ ଯାକ ସେମାନେ କେତେ ସଂଘର୍ଷ କରି ପଇସା ସଂଚୟ କରି ରଖିବାକୁ ଉଦ୍ୟମ କରିଛନ୍ତି, ଯେପରିକି ବଡ଼ ପୁଅଟି ଗୋଆଲିଅର୍ ଯାଇ ଗୋଟିଏ ଅଧ୍ୟୟନ-ସହାୟକ କେନ୍ଦ୍ରରେ ଯୋଗ ଦେଇ ପାରିବ ଏବଂ ମେଡ଼ିକାଲ୍ କଲେଜରେ ଭର୍ତ୍ତି ହେବାର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବ । ସେମାନେ ସେହି ଦିନଟିର ସ୍ୱପ୍ନ ଦେଖୁଛନ୍ତି, ଯେତେବେଳେ ବି ପୁଅଟି ଜଣେ ଡାକ୍ତର ହେବ ଏବଂ ମଥା ଉଚ୍ଚ କରି ବାଟ ଚାଲି ପାରିବ । ଏବଂ, ସେହିଦିନ ହିଁ ସେମାନଙ୍କ ଜୀବନଟି ମଧ୍ୟ ପରିପୂର୍ଣ୍ଣତା ଲାଭ କରିବ ।

 

ପୁନଶ୍ଚ: ଏହି କାହାଣୀଟି ଲେଖିବା ସଂପୂର୍ଣ୍ଣ ହେବା ପରେ ବଡ଼ିଭୋରୁ ମୋ’ ପାଖକୁ ଗୋଟିଏ ଟେଲିଫୋନ୍ ଆସିଲା,–ସେତିକିବେଳେ ହିଁ ରିହାତି ମୂଲ୍ୟରେ ଦୂର ଜାଗାକୁ ଟେଲିଫୋନ୍ କରାଯାଏ । ରାଜେନ୍ଦ୍ର ଓ ଗୀତା ଟେଲିଫୋନ୍ କରିଥିଲେ । ଟେଲିଫୋନର କଥାବାର୍ତ୍ତା ସେପାଖରୁ ବେଶ୍ କ୍ଷୀଣ ହୋଇ ଶୁଣା ଯାଉଥିଲା,–ତଥାପି ସେମାନଙ୍କର ସଗର୍ବ କଥାଗୁଡ଼ିକୁ ମୁଁ ବେଶ୍ ଶୁଣି ପାରିଥିଲି ।

 

ମେଡ଼ିକାଲ କଲେଜରେ ସେମାନଙ୍କର ପୁଅର ନାମଲେଖା ହୋଇ ଯାଇଥିଲା ।

☆☆☆

 

Unknown

ଏକ ଜାତିରୂପେ ଐକ୍ୟବଦ୍ଧ

 

ଏକ ଝଡ଼ର ପୂର୍ବାଭାସ ଦେଇ ଯାଉଥିବା ମେଘମାନେ ଦେଶର ଆକାଶଟାକୁ ଅତ୍ୟନ୍ତ କ୍ଷିପ୍ତ ବେଗରେ ଚାହୁଁ ଚାହୁଁ ଢାଙ୍କିଦେବାରେ ଲାଗିଥାନ୍ତି । ୧୯୮୯ ମସିହା ଶରତକାଳର ଘଟଣା । ନିତାନ୍ତ ଉତ୍ତେଜନାପିଷ୍ଟ ଅଳ୍ପ କେତୋଟି ସପ୍ତାହ ମଧ୍ୟରେ ଦେଶର ଗତିଧାରାଟି ଏଡ଼େ ମୌଳିକ ଭାବରେ ଅନ୍ୟପ୍ରକାର ହୋଇ ଯାଉଥିଲା ଯେ, ଆମକୁ ଗୋଟିଏ ବୃହତ୍ ସମୂହରୂପେ ଏକତ୍ର ଧରି ରଖିଥିବା ମୂଲ୍ୟ ଏବଂ ପ୍ରତ୍ୟୟଗୁଡ଼ିକ ସତେଅବା ଅତ୍ୟନ୍ତ କଠୋର ତଥା ନୃଶଂସ ଭାବରେ ପରିତ୍ୟକ୍ତ ହେବାରେ ଲାଗିଥାଆନ୍ତି । ଭାରତୀୟ ଜନତା ପାର୍ଟି ଏବଂ ଏକ ଉଗ୍ର ହିନ୍ଦୁତ୍ୱର ଆଭିମୁଖ୍ୟକୁ ପୃଷ୍ଠପୋଷକତା କରୁଥିବା ତା’ର ଅନ୍ୟ ସକାତୀୟ ସଂଗଠନଗୁଡ଼ିକର ଗୋଷ୍ଠୀଟି ଅଯୋଧ୍ୟାରେ ଥିବା ବାବ୍‍ରି ମସଜିଦ୍‍ର ବିବାଦୀୟ ସ୍ଥାନଟିରେ ଗୋଟିଏ ରାମମନ୍ଦିର ତିଆରି କରିବ ବୋଲି ପ୍ରତ୍ୟକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଦେଲେ । ଏହି କାର୍ଯ୍ୟକ୍ରମଟିକୁ ପୂରଣ କରିବାର ଆଇନଗତ ଓ ରାଜନୀତିକ ପ୍ରକ୍ରିୟାଗୁଡ଼ିକୁ ଆପାତତଃ ପୁଡ଼ା ବାନ୍ଧି ପଛକୁ ରଖି ଦିଆଗଲା; ବର୍ତ୍ତମାନ ଏକ ପୂରା ସିଧା ଏବଂ ଆବଶ୍ୟକ ହେଲେ ରକ୍ତପାତ ସମେତ ଯୁଦ୍ଧ ମୁକାବିଲା କରାଯିବାର ନିଷ୍ପତ୍ତି ନିଆଗଲା ।

 

୧୯୮୯ ମସିହା ସେପ୍ଟେମ୍ବର ୧୫ ତାରିଖରୁ ଦେଶସାରା ଆରମ୍ଭ କରା ଯାଇଥିବା ରାମ-ଶିଳା-ପୂଜନ କାର୍ଯ୍ୟକ୍ରମର ଏକ ଅଭିଯାନରୁ ଲଢ଼େଇ ଆରମ୍ଭ କରିବାର ଏହି ନୂଆ ଅଭିପ୍ରାୟଟିକୁ ବ୍ୟକ୍ତ ରୂପଟିଏ ପ୍ରଦାନ କରାଗଲା । ତାହାର ମାତ୍ର ଅଳ୍ପଦିନ ମଧ୍ୟରେ ଦେଶଟାଯାକ ଏପରି ଏକ ଉତ୍ତପ୍ତତାର ସୃଷ୍ଟି ହୋଇଗଲା, ଦେଶବିଭାଜନ ପରେ ଯାହାର କି ପ୍ରକୃତରେ ଏକ ଦ୍ୱିତୀୟ ସମାନ୍ତର ହିଁ ନଥିଲା । ଅତ୍ୟନ୍ତ ଉତ୍ତୋଳିତ ଯୁବାଲୋକମାନଙ୍କର ଗୋଷ୍ଠୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ପରେ ଦିନ ପ୍ରତ୍ୟେକ ସହରରେ ପରେଡ୍ କରିବାକୁ ଆରମ୍ଭ କରି ଦେଇଥିଲେ; ମନ୍ଦକପାଳ ବାବ୍‍ରି ମସଜିଦ୍‌ର ସ୍ଥାନରେ ଗୋଟିଏ ରାମମନ୍ଦିର ନିର୍ମାଣ କରିବାପାଇଁ ସେମାନେ ରାମଙ୍କର ନାମାଙ୍କିତ ଇଟାଗୁଡ଼ିକୁ ଧରି ଉଗ୍ର ଭାବରେ ଯାତ୍ରା କରିବାରେ ଲାଗିଥାନ୍ତି । ଶୋଭାଯାତ୍ରା କରି ବାହାରି ଥାଆନ୍ତି ଏବଂ ଏପରି ନାରାମାନ ଦେଉଥାନ୍ତି, ଯାହାକି ମୁସଲମାନମାନଙ୍କ ପ୍ରତି ଘୋର ଭର୍ତ୍ସନାପୂର୍ଣ୍ଣ ହୋଇ ରହିଥାଏ,–ନିତାନ୍ତ ଭବ୍ୟତାଶୂନ୍ୟ ଏବଂ ଉଲଗ୍ନ ଭାବରେ ଆକ୍ରମଣାତ୍ମକ ହୋଇ ରହିଥାଏ । ନିଜନିଜର ଅଲଗା ବସତିଗୁଡ଼ିକରେ ବାସ କରୁଥିବା ମୁସଲମାନମାନେ ଆଚମ୍ବିତ ହୋଇ ସେସବୁ ଦେଖୁଥାନ୍ତି, ଭୟ ଭରି ରହିଥିଲେ ମଧ୍ୟ ବିଶ୍ୱାସ କରି ପାରୁନଥାନ୍ତି । ସେହି ଭୟ ଏବଂ ସନ୍ଦେହ ଅଚିରେ ତୁଚ୍ଛା ଆତଙ୍କ ଓ ଉଦାସୀନତାପୂର୍ଣ୍ଣ କ୍ରୋଧକୁ ହିଁ ରୂପାନ୍ତରିତ ହୋଇ ଯାଇଥିଲା । ବିଗତ ଚାରି ଦଶନ୍ଧି ଧରି ବେଶ୍ ଦୃଢ଼ ଭାବରେ ତିଆରି ହୋଇ ରହିଥିବା ବିଶ୍ୱାସ ଏବଂ ଭରସା ଅନେକଙ୍କ ପାଇଁ ତିକ୍ତ ହୋଇ ଉଠିଥିଲା । କେବଳ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ, ନିଜକୁ ଧର୍ମନିରପେକ୍ଷ ବୋଲାଇ ଆସିଥିବା ସବୁଯାକ ରାଜ୍ୟର ସରକାରମାନେ ରାମ-ଶିଳା-ପୂଜନର ଏକ ବିସ୍ଫୋରଣର ସମ୍ଭାବନାକୁ ବହନ କରୁଥିବା କାର୍ଯ୍ୟକ୍ରମ ଉପରେ ନିଷେଧାଜ୍ଞା ଜାରି କରିବାକୁ ନାହିଁ କଲେ; ସାରା ଦେଶକୁ ଘାରି ରଖିଥିବା ଏହି ସାଂପ୍ରଦାୟିକ ଉନ୍ମାଦଗ୍ରସ୍ତତାରେ ସଞ୍ଚାରମାଧ୍ୟମ ତଥା ବୁଦ୍ଧିଜୀବୀମାନେ ମଧ୍ୟ ଘାରି ହୋଇ ରହିଗଲେ । ଏବଂ, ଏପରିକି ଧର୍ମୀୟତାରୁ ନିଜକୁ ଦୂରରେ ରଖିଥିବା ମତମାନେ ମଧ୍ୟ ପଥର ପରି ତୁଣ୍ଡ ବନ୍ଦ କରି ରଖିଲେ,–ସେମାନେ ମଧ୍ୟ ସମ୍ଭବତଃ ଏହି ସବୁକିଛିକୁ ନିଜର ସମର୍ଥନ ଜ୍ଞାପନ କରୁଥିଲେ ।

 

ମାତ୍ର ଦଶଟା ଦିନ ଭିତରେ ଗୋଟିଏ ପରେ ଗୋଟିଏ ସହର ଏକ ଦୁଃଖଦ କ୍ରମାନ୍ୱୟତାରେ ରକ୍ତପାତମୟ ଦଙ୍ଗାର ଶିକାର ହେବାକୁ ଲାଗିଲା, ଗୋଟିକପରେ ଗୋଟିଏ ସହରରେ ସାନ୍ଧ୍ୟାଆଇନ୍ ମଧ୍ୟ ଜାରି ହେଲା । ଏବଂ, ତା’ପରେ ଯାହାସବୁ ହେଲା, ସେଇଟି ମଧ୍ୟ ସେହି ସମାନଭାବରେ ଦୁଃଖଦାୟକ କ୍ରମରେ ପୁଣିଥରେ ଘଟିବାକୁ ଲାଗିଲା: ରାମ ଛାପା ମରା ହୋଇଥିବା ଇଟାଗୁଡ଼ାକର ପ୍ରଦର୍ଶନ ସହିତ ସାମରିକ ଉଗ୍ରତାରେ ଶୋଭାଯାତ୍ରାସବୁ ବାହାରିଲା ଏବଂ, ସେମାନେ ଘୃଣାପୂର୍ଣ୍ଣ ନାରା ଦେବାରେ ବି ଲାଗିଥିଲେ । ସାନ ସାନ ମୁସଲମାନ ଗୋଷ୍ଠୀ ମଧ୍ୟ ହିଂସାତ୍ମକ ପ୍ରତିଶୋଧ ନେବାକୁ ବାହାରି ପଡ଼ିଲେ । ତା’ପରେ ହତ୍ୟା କାଣ୍ଡମାନ ଘଟିଲା, ଲୋକମାନେ ମଲେ, ଘରମାନଙ୍କରେ ନିଆଁ ଲଗାଇ ଦିଆଯାଇଥିଲା ଓ ଶେଷରେ ସାନ୍ଧ୍ୟଆଇନ୍ ଜାରି ହେଲା । ଗୋଟିଏ ସମୟରେ ଏହି ଅଭିଯାନଟି ଆରମ୍ଭ ହେବାର ପ୍ରାୟ ତିନିସପ୍ତାହ ପରେ ଏକାବେଳେକେ ୧୦୮ଟି ଯାଏ ସହରରେ ସାନ୍ଧ୍ୟାଆଇନ୍ ଜାରି ହୋଇ ଯାଇଥିଲା ।

 

ସମଗ୍ର ଦେଶକୁ ମାଡ଼ି ବସିଥିବା ଏହି ସାମ୍ପ୍ରଦାୟିକ ଉତ୍ତପ୍ତ ଅବସ୍ଥାଟି ଭିତରୁ ପଶ୍ଚିମ ମଧ୍ୟପ୍ରଦେଶର ସାନ ଗାଉଁଲି ସହର ଖରଗୋନ୍‍ ଯେ ତଥାପି ମୁକ୍ତ ରହିଯିବ, ସେକଥା ଆଶା କରିବା ନିଶ୍ଚୟ ବୃଥା ହୋଇଥାନ୍ତା । ଲୋକସଂଖ୍ୟା ମୋଟେ ଏକ ଲକ୍ଷ, ଲୋକସଂଖ୍ୟା ଅନୁପାତରେ ଜାଗା କମ୍ ଓ ସହରଟି ଅତ୍ୟନ୍ତ ଅବିନ୍ୟସ୍ତ ଭାବରେ ହିଁ ଗଢ଼ି ଉଠିଥିଲା । ଖରଗୋନ୍‍ ସହରରେ ଏକ ଅଶ୍ଵସ୍ତିକର ଭାରସାମ୍ୟ ରକ୍ଷା କରି ସେଠି ହିନ୍ଦୁ ଏବଂ ମୁସଲମାନ ପ୍ରାୟ ସମାନ ସଂଖ୍ୟାରେ ହିଁ ବାସ କରୁଥିଲେ । ସରକାରୀ କାଗଜମାନଙ୍କରେ ସହରଟିକୁ ସାମ୍ପ୍ରଦାୟିକତା ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ବୋଲି ସୂଚିତ କରା ଯାଇଥିଲା । ଲିପିବଦ୍ଧ ବିବରଣୀମାନଙ୍କରୁ ଜାଣିବାକୁ ମିଳୁଛି ଯେ ସେହି ସୁଦୂର ୧୯୨୧ ମସିହାରେ ସେଠାରେ ଏକ ସର୍ବପ୍ରଥମ ସାଂପ୍ରଦାୟିକ ସଂଘର୍ଷ ଘଟିଥିଲା । ସେତେବେଳେ ଖରଗୋନ୍‍ ଏକ କ୍ଷୁଦ୍ର ଓ ଅତିସାଧାରଣ ରାଜାଶାସିତ ରାଜ୍ୟର ସଦର ମହକୁମା ଥିଲା । ତା’ପରେ ପରବର୍ତ୍ତୀ ଦଶନ୍ଧିମାନଙ୍କରେ ପ୍ରାୟ ଏକ ଭୟପ୍ରଦ ନିୟମିତତା ସହିତ ସଂଘର୍ଷଗୁଡ଼ିକର ପୁନରାବୃତ୍ତି ମଧ୍ୟ ହୋଇଥିଲା । କାରଣଗୁଡ଼ିକ ସର୍ବଦା ନିତାନ୍ତ ସ୍ଥାନୀୟ ଥିଲେ;–ଉଦାହରଣ ସ୍ଵରୂପ, କୌଣସି ପର୍ବ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାମାନଙ୍କ ଉପରେ ଆକ୍ରମଣ, ଉପାସନାସ୍ଥାନମାନଙ୍କର ଦୂଷିତୀକରଣ, ବିଭିନ୍ନ ସଂପ୍ରଦାୟର ପୁରୁଷ ଏବଂ ସ୍ତ୍ରୀମାନଙ୍କ ଭିତରେ ରହିଥିବା ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ସମ୍ଭବତଃ କୌଣସି ବ୍ୟତିକ୍ରମ, ଇତ୍ୟାଦି, ଇତ୍ୟାଦି । ବାସଗୃହଗୁଡ଼ିକରେ ମଣିଷ ଖୁନ୍ଦାଖୁନ୍ଦି,–ଭଲକରି ଖରା ମଧ୍ୟ ପଡ଼େନାହିଁ,–ଏବଂ ତାହାରି ଭିତରେ ହିଁ ଦୁଇ ସଂପ୍ରଦାୟର ଲୋକେ ପ୍ରାୟ ଦିହ ଘଷାଘଷି ହୋଇ ରହିବାପରି ବାସ କରୁଥିଲେ । ଏବଂ, ଏତେ ଟିକିଏ ରଞ୍ଜକ ମଧ୍ୟ ଏକ ରକ୍ତାକ୍ତ ମୁକାବିଲା ଲଗାଇ ଦେବାକୁ ଯଥେଷ୍ଟ ହୋଇ ପାରୁଥିଲା । ପ୍ରତ୍ୟେକଟି ସଂଘର୍ଷ ଘଟିଯିବା ପରେ ନିଜ ପଛରେ ଶତ୍ରୁତା ତଥା ସନ୍ଦେହର ନୂଆ ନୂଆ କାରଣ ମଧ୍ୟ ଅବଶ୍ୟ ରଖି ଯାଉଥିଲା ।

 

ଦୁଇ ସଂପ୍ରଦାୟ ଭିତରେ ଜମା ହୋଇ ରହିଥିବା ଘୃଣା ଏବଂ ଭ୍ରମବିଶ୍ୱାସର ଇତିହାସଟିଏ ରହିଥିବା ହେତୁ ଦେଶର ବହୁସଂଖ୍ୟକ ଜାଗାରେ ଲାଗିଥିବା ହିଂସାନିଆଁଟି ଖରଗୋନ୍‍ ସହରଟିକୁ ମଧ୍ୟ ଯେ ଆକ୍ରାନ୍ତ କରି ପକାଇବି, ସେଥିରେ କେବଳ ସମୟର ହିଁ ଏକ ଆଗପଛ ମାତ୍ର ରହିବ । ଏକ ପ୍ରତିକାରମୂଳକ ପଦକ୍ଷେପ ହିସାବରେ ସହରର ତରୁଣ ଜିଲ୍ଲା ମାଜିଷ୍ଟ୍ରେଟ୍‍ ଏବଂ ଉଚ୍ଚତମ ପୋଲିସ୍ ହାକିମ ଦୂଇ ସଂପ୍ରଦାୟର ସଭାମାନ ଡାକିଥିଲେ ଏବଂ ସଂଯମ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ । ଶୋଭାଯାତ୍ରାକାରୀମାନଙ୍କ ବିରୁଦ୍ଧରେ ଗୁରୁତର ଅପରାଧମୂଳକ ଅଭିଯୋଗମାନ ଦାଏର ହୋଇଗଲା, ଶାନ୍ତିକମିଟି ଗୁଡ଼ିକୁ ପୁନଃସକ୍ରିୟ କରା ଯାଇଥିଲା ତଥା ପ୍ରତିଶୋଧମୂଳକ ଭାବରେ କେତେ ଲୋକଙ୍କୁ ଗିରଫ ମଧ୍ୟ କରାଗଲା । ତଥାପି, ସାଧାରଣ ସମୟରେ ଏହି ପଦକ୍ଷେପଗୁଡ଼ିକ ଯେତେ ଯଥେଷ୍ଟ ହୋଇ ପାରୁଥିଲେ ମଧ୍ୟ ତାହା ଏହି ବର୍ତ୍ତମାନର ସାଂପ୍ରଦାୟିକ ଘୃଣାର ପ୍ରଚଣ୍ଡ ବନ୍ୟାଟିକୁ ଆଦୌ ରୋକି ପାରିଲାନାହିଁ ।

 

ନିଆଁଟି ଜଳି ଉଠିବା ନିମନ୍ତେ ମାତ୍ର ପନ୍ଦର ଦିନରୁ ମଧ୍ୟ କମ୍ ସମୟ ଲାଗିଥିଲା, ଯେତେବେଳେ କି ଜିଲ୍ଲାସାରା କାର୍ଯ୍ୟକାରୀ କରା ଯାଉଥିବା ରାମ-ଶିଳା-ପୂଜା ୧୯୮୯ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଏକ ଶୀର୍ଷ ସୀମାରେ ଯାଇ ପହଞ୍ଚିଥିଲା ପରି ଗୋଟିଏ ବିଶାଳ ଶୋଭାଯାତ୍ରାରେ ଖରଗୋନ୍ ସହରରେ ଆସି ପହଞ୍ଚିଗଲା । ସେଦିନ ବିଳମ୍ବିତ ରାତିରେ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର ସେଚ୍ଛାସେବକମାନେ ସହରଟିକୁ ଏକ କେଶରୀ ରଙ୍ଗର ଦୁର୍ଗରେ ପରିଣତ କରିଦେବା ନିମନ୍ତେ ଅତ୍ୟନ୍ତ ବ୍ୟସ୍ତ ହୋଇ ରହିଥିଲେ: ପତାକା, ପୋଷ୍ଟର୍, ସ୍ଲୋଗାନ୍ ଏବଂ ରଙ୍ଗକାଗଜର ସାଜସଜ୍ଜାମାନ ମାଳ ମାଳ ହୋଇ ପୂରି ରହିଥିଲେ । ହଠାତ୍, ଅନ୍ଧାର ଭିତରୁ ଦୁଇଜଣ ମୁସଲମାନ ଯୁବକ, ସେମାନଙ୍କର ମୁହଁକୁ ସେମାନେ ବୁର୍ଖାଦ୍ୱାରା ଘୋଡ଼ାଇ ରଖିଥିଲେ,–ଗୋଟିଏ ମୋଟର ସାଇକେଲ୍‌ରେ ଆସି ପହଞ୍ଚିଗଲେ ଓ ଛୁରା ବାହାର କରି ତୁଳୀ ଧରି ସ୍ଲୋଗାନ୍ ଲେଖୁଥିବା ଦୁଇଜଣ ଯୁବକଙ୍କ ଶରୀରକୁ ଭୁଷି ଦେଇଥିଲେ । ସ୍ଥାନୀୟ ସରକାରୀ ହସପିଟାଲରେ ରାତିଯାକ କରା ଯାଇଥିବା ଜରୁରୀ ଅପରେଶନ୍ ଦ୍ୱାରା ଏହି ଦୁଇ ଆହତ ବ୍ୟକ୍ତିଙ୍କର ଜୀବନରକ୍ଷା ହୋଇପାରିଲା,–କିନ୍ତୁ ସହରରେ ଉତ୍ତେଜନାଟି ଆହୁରି ଅଧିକ ଉତ୍କଟ ଭାବରେ ସୁସ୍ପଷ୍ଟ ହୋଇ ଯାଇଥିଲା ।

 

ସେହି ରାତିରେ ହିଁ ଏକାଧିକ ଲୋକଙ୍କୁ ଗିରଫ କରା ଯାଇଥିଲା ଏବଂ ରାତି ପାହୁଥିବା ସମୟରେ ବିଭିନ୍ନ ହିନ୍ଦୁତ୍ୱ ସଂଗଠନଗୁଡ଼ିକର ନେତାମାନଙ୍କୁ ଥାନାକୁ ଡାକି ଏକ ଜରୁରୀ ବୈଠକରେ ବସିବାଲାଗି ହାକିମମାନେ ଆୟୋଜନ ବି କରିଥିଲେ । ଜିଲ୍ଲାର ଏହି ଅଫିସରମାନେ ରାମ-ଶିଳା-ପୂଜନର କାର୍ଯ୍ୟକ୍ରମକୁ ନକରିବା ଲାଗି କିମ୍ବା ଅନ୍ତତଃ ଗଡ଼ାଇ ଦେବାଲାଗି ଯେତେ ନିବେଦନ କଲେ, ତାହାକୁ ମୋଟେ ଗ୍ରହଣ କରା ଯାଇନଥିଲା । ଏବଂ, ପ୍ରସ୍ତାବିତ ଶୋଭାଯାତ୍ରାର ମାର୍ଗ ବଦଳାଇବା ନିମନ୍ତେ-ଯେପରିକି ମୁସଲମାନମାନଙ୍କର ବାସସ୍ଥାନ ଓ ମସଜିଦ୍‍ଗୁଡ଼ିକୁ ଏଡ଼ି ଦିଆଯାଇ ପାରିବ,–ସେଇଟି ମଧ୍ୟ ସ୍ଵୀକୃତ ହୋଇ ପାରିଲାନାହିଁ । ସେତେବେଳକୁ ପ୍ରାୟ ପଚିଶିରୁ ତିରିଶି ହଜାର ପର୍ଯ୍ୟନ୍ତ ହିନ୍ଦୁତ୍ୱ ସ୍ୱେଚ୍ଛାସେବକ ଆସି ରୁଣ୍ଡ ହୋଇ ଯାଇଥିଲେ,–ସେମାନେ ପୂର୍ଣ୍ଣମାତ୍ରାରେ ବଦ୍ଧପରିକର ଏବଂ ଉତ୍ସାହୋନ୍ମତ୍ତ ହୋଇ ରହିଥାନ୍ତି । ମାଜିଷ୍ଟ୍ରେଟ୍‍  ଓ ପୋଲିସ୍ ଉଚ୍ଚତମ ହାକିମ ବେଶ୍ ଉପଲବ୍ଧି କରି ପାରୁଥିଲେ ଯେ, ଏହି ଅବସ୍ଥାରେ ବଳର ପ୍ରୟୋଗ ଦ୍ୱାରା ଶୋଭାଯାତ୍ରାଟିକୁ ଅଟକାଇବାକୁ ବସିଲେ ତାହା କେବଳ ବିଫଳ ହିଁ ହେବ ଏବଂ ପରିଣାମରେ ଆହୁରି ବ୍ୟସ୍ତତର ହିଂସାମାନ ଘଟିବ, ଅଧିକ ହାଣକାଟ ହେବ । ତେଣୁ, ଶୋଭାଯାତ୍ରାଟିକୁ ଯିବାଲାଗି ଅନୁମତି ଦେବାକୁ ହିଁ ହେବ ମାତ୍ର ଅତ୍ୟନ୍ତ କଡ଼ା ଭାବରେ ତାହାକୁ ନିୟନ୍ତ୍ରଣ ଏବଂ ନିୟମର ଶୃଙ୍ଖଳା ମଧ୍ୟରେ ରଖିବାକୁ ହେବ,–ଏହାଛଡ଼ା ପ୍ରକୃତରେ କୌଣସି ଉପାୟାନ୍ତର ନଥିଲା ।

 

ଆକାର, ଦୁରାଗ୍ରହପୂର୍ଣ୍ଣ ଉତ୍ତାପ ଏବଂ ଯୁଦ୍ଧଂ ଦେହିର ଏକ ମନୋବୃତ୍ତି,–ଏହିସବୁ ଦୃଷ୍ଟିରୁ ଶୋଭାଯାତ୍ରାଟି ପ୍ରକୃତରେ ଅଭୂତପୂର୍ବ ହିଁ ଥିଲା । ସ୍ଲୋଗାନ୍ ଦେବାରେ ସଂଯମ ଅବଲମ୍ବନ କରିବା ବିଷୟରେ ଆଗରୁ ଦିଆ ଯାଇଥିବା ସଂଗଠକମାନଙ୍କର ସକଳ ଲିଖିତ ପ୍ରତିଶ୍ରୁତିଗୁଡ଼ିକୁ କୁଆଡ଼େ ହାୱାରେ ହିଁ ଉଡ଼ାଇ ଦିଆଗଲା ଏବଂ ଅତ୍ୟନ୍ତ ଅଶିଷ୍ଟ ତଥା ଦ୍ୱେଷପୂର୍ଣ୍ଣ ନାନା ସ୍ଲୋଗାନ୍‌ଦ୍ୱାରା ବାୟୁମଣ୍ଡଳ ପ୍ରକମ୍ପିତ ହୋଇ ଉଠିଥିଲା । ତ୍ରିଶୂଳ ଓ ଖୋଲା ଛୁରାମାନେ କେଡ଼େ ଦର୍ପର ସହିତ ପ୍ରଦର୍ଶିତ ହେବାରେ ଲାଗିଗଲେ । ହଠାତ୍ ନେତାମାନେ ଶୋଭାଯାତ୍ରାଟିକୁ ସଘନ ମୁସଲମାନ ବସ୍ତିଗୁଡ଼ିକର ସିଧା ମଧ୍ୟଦେଇ ଭାଙ୍ଗି ନେବା ନିମନ୍ତେ ଚେଷ୍ଟା କରିଥିଲେ, ଏହାଦ୍ୱାରା ଆଗରୁ ହୋଇଥିବା ରାଜିନାମାଟିର ପୂରା ଖିଲାପ ହିଁ କରା ଯାଉଥିଲା; କିନ୍ତୁ ବଳପ୍ରୟୋଗ କରି ସେମାନଙ୍କୁ ପୁନର୍ବାର ଚୁକ୍ତି ମୁତାବକ ରାସ୍ତାଟିକୁ ହଟାଇ ନେଇ ନିଆଗଲା ।

 

ପ୍ରାୟ କୌଣସି ଶେଷ ନଥିବା ଏହି ଶୋଭାଯାତ୍ରାଟା ଅଣଓସାରିଆ ଗଳିଗୁଡ଼ିକୁ ଦେଇ ଧୀର ଗତିରେ ସତେଅବା ଖୁବ୍ ସନ୍ତପ୍ତ ଭାବରେ ବୁଲି ବାଙ୍କି ଆଗକୁ ଯାଉଥାଏ ଏବଂ ଏଣେ ଏକାନ୍ତ ଅସହନୀୟ ମାତ୍ରାରେ ଉତ୍ତେଜନା ମଧ୍ୟ ବଢ଼ୁଥାଏ । ବିଶେଷତଃ, ମସଜିଦ୍‌ମାନଙ୍କୁ ଅତିକ୍ରମ କରୁଥିବା ସମୟରେ ନାରା ଲଗାଇବାର କଟୁତା ତଥା ପ୍ରବଳ ଉତ୍ସାହପୂର୍ଣ୍ଣତା ଗୁଡ଼ିକ ଏକ ନୂତନ ଶିଖରସ୍ଥାନରେ ଯାଇ ପହଞ୍ଚିଗଲେ ଏବଂ ତେଣୁ ସତର୍କତା ଅବଲମ୍ବନ କରି ମାଜିଷ୍ଟ୍ରେଟ୍‍  ଏବଂ ପୋଲିସ୍ ଉନ୍ମତ୍ତପ୍ରାୟ ସେହି ଯୁବା ଶୋଭାଯାତ୍ରାକାରୀମାନଙ୍କୁ କିଞ୍ଚିତ୍ ଦୈହିକ ବଳ ଲଗାଇ ଆଗକୁ ଆଗକୁ ଠେଲିନେବାକୁ ଆରମ୍ଭ କଲେ । ଯେକୌଣସି ମତେ ଶୋଭାଯାତ୍ରାଟି ଆଗକୁ ଅତିକ୍ରମ କରିଗଲେ ରକ୍ଷା, ସେମାନେ ସେହିପରି ବିଚାର କରୁଥାଆନ୍ତି, ସେତେବେଳେ ଜଣେ ହେଲେ ମୁସଲମାନ ବ୍ୟକ୍ତିକୁ ବାହାରେ ଦେଖିବାକୁ ମିଳୁନଥିଲା ।

 

ଅପରାହ୍ନ ସୁଦ୍ଧା ଶୋଭାଯାତ୍ରାର ପ୍ରାୟ ଦୁଇ-ତୃତୀୟାଂଶ ସେହି ରାସ୍ତାଟିରେ ଅତିକ୍ରମ କରି ସାରିଥିଲା ଏବଂ ପ୍ରଶାସକ ଓ ପୋଲିସ୍ ହାକିମ ପ୍ରକୃତରେ କିଞ୍ଚିତ୍ ପରିମାଣରେ ଆଶ୍ୱସ୍ତ ବି ହେବାକୁ ଆରମ୍ଭ କରୁଥିଲେ ଏବଂ ବିଚାରୁଥିଲେ ଯେ, ଅନ୍ତତଃ ସେଦିନଟି ନିମନ୍ତେ ବିସ୍ଫୋରଣ ଘଟାଇବା ଭଳି ଆଉ କୌଣସି ସ୍ଥିତିର ସମ୍ମୁଖୀନ ହେବାକୁ ଆଦୌ ପଡ଼ିବନାହିଁ । ଗୋଟିଏ ମସଜିଦ୍‍ ଆଗରେ ସେମାନେ ଗୋଟିଏ ଛକ ପାଖରେ ଠିଆ ହୋଇଥାନ୍ତି,–ଯେଉଁଠାରେ ଅତୀତରେ କେତେ କେତେ ସାମ୍ପ୍ରଦାୟିକ ସଂଘର୍ଷମାନ ଘଟିଥିଲା ଏବଂ ପ୍ରାୟ ପାରମ୍ପରିକ ଭାବରେ ଯେକୌଣସି ହିନ୍ଦୁ ଶୋଭାଯାତ୍ରା ଯେଉଁଠାରେ ଉତ୍ସାହୋନ୍ମତ୍ତ ହେବାର ସତେ ଅବା ଆପଣାର ଏକ ପରାକାଷ୍ଠାରେ ଆସି ପହଞ୍ଚି ଯାଉଥିଲା । ଦୁଇ ସରକାରୀ ହାକିମ ଭିଡ଼ଟାକୁ ପ୍ରାୟ ଠେଲାଇ ଠେଲାଇ ଆଗକୁ ନେଇ ଯାଉଥାନ୍ତି ଏବଂ, କାଳେ କୌଣସି କାରଣରୁ ଏକ ସଂଘର୍ଷ ଲାଗିଯିବ, ସେଥିଲାଗି ସଂପୂର୍ଣ୍ଣ ଭାବରେ ସତର୍କ ହୋଇ ରହିଥାନ୍ତି ।

 

ହଠାତ୍, ଶୋଭାଯାତ୍ରାଟିର ସମ୍ମୁଖୀନ ହେବାପାଇଁ ଦଳେ ଆତଙ୍କିତ ଯୁବକ ବିପରୀତ ଦିଗରୁ ଦଉଡ଼ି ଆସି ସେଠାରେ ପହଞ୍ଚି ଯାଇଥିଲେ । ସେମାନେ ଉଚ୍ଚ ସ୍ୱରରେ କହୁଥିଲେ ଯେ ମୁସଲମାନମାନେ ଶୋଭାଯାତ୍ରାର ଭିଡ଼ ଆଡ଼କୁ ଲକ୍ଷ୍ୟ କରି ଏକ ବୋମା ନିକ୍ଷେପ କରିଛନ୍ତି ଓ ଜଣେ ଶୋଭାଯାତ୍ରାକାରୀ ତାହା ଫଳରେ ମୃତ୍ୟୁବରଣ କରିଛି । ପ୍ରାୟ ଶହେ ମିଟର ଦୂରରେ ଥିବା ସେହି ଜାଗାଟିକୁ ମାଜିଷ୍ଟ୍ରେଟ୍‍  ଓ ପୋଲିସ୍ ହାକିମ ଚାଲି ଯାଇଥିଲେ । ସେଠାରେ ସେମାନେ ଜଣେ ଯୁବକକୁ ଦେଖିବାକୁ ପାଇଥିଲେ, ଗୋଟିଏ ଦେଶୀ ବୋମାଦ୍ୱାରା ଯାହାର ଛାତିରେ ବଡ଼ ଗାଡ଼ଟାଏ ହୋଇଥିଲା ଏବଂ ସିଏ ମରଣାସନ୍ନ ଅବସ୍ଥାରେ ହିଁ ସେଠାରେ ପଡ଼ିଥାଏ । ଯୁବକଟିକୁ ମାଜିଷ୍ଟ୍ରେଟ୍ ସଙ୍ଗେ ସଙ୍ଗେ ନିଜର ଗାଡ଼ିକୁ ଉଠାଇନେଲେ, ଗାଡ଼ିଟି ସେଇଠି ପାଖରେ ରଖା ହୋଇଥିଲା,–ଏବଂ ଶୀଘ୍ର ଡାକ୍ତରଖାନା ଯିବା ଲାଗି ଚାଳକକୁ ନିର୍ଦ୍ଦେଶ ଦେଲେ । ଗାଡ଼ି ଡାକ୍ତରଖାନାରେ ଯାଇ ପହଞ୍ଚିବା ପୂର୍ବରୁ ଯୁବକଟିର ପ୍ରାଣବାୟୁ ଉଡ଼ି ଯାଇଥିଲା ।

 

ପରେ କରା ଯାଇଥିବା ଅନୁସନ୍ଧାନରୁ ବୋମା ପକାଇ ଆକ୍ରମଣ କରାଯାଇଥିବା ଘଟଣାର ସେହି କାହାଣୀଟି ସମସ୍ତଙ୍କର ଗୋଚର ମଧ୍ୟକୁ ଆସିଥିଲା । ଦଳ ଦଳ ହୋଇ ଯୁବକମାନେ ଉତ୍ତେଜନାପୂର୍ଣ୍ଣ ଧ୍ୱନିମାନ ଦେଇ ପ୍ରତ୍ୟହ ଥରକୁ ଥର ମୁସଲମାନମାନେ ରହୁଥିବା ବସ୍ତୁଗୁଡ଼ିକ ଭିତରେ ପ୍ରବେଶ କରିବା ଫଳରେ ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ । ଆଠଜଣ ଯୁବକଙ୍କର ସାନ ଗୋଷ୍ଠୀଟିଏ,–ତାଙ୍କ ଭିତରୁ ଦୁଇଜଣ ସାନ ସାନ ସରକାର ଚାକିରି ବି କରୁଥିଲେ, ଜଣେ ଜଙ୍ଗଲରେ ଗାର୍ଡ଼ ଓ ଆଉ ଜଣେ ପଟଓ୍ୱାରି–ତା’ପରେ ଏସବୁର ପ୍ରତିଶୋଧ ନେବା ପାଇଁ ଚିନ୍ତା କଲେ । ଏବଂ ସେମାନେ ଉଭୟ ପୋଲିସ୍ ବିଭାଗ ଏବଂ ସେମାନଙ୍କର ନିଜ ମୁସଲମାନ ଗୋଷ୍ଠୀ ଉପରୁ ନିଜର ଆସ୍ଥାକୁ ହରାଇ ବସିଥିଲେ,–ନିଜ ଗୋଷ୍ଠୀଲୋକେ ଅତ୍ୟନ୍ତ ନିଷ୍କ୍ରିୟ ହୋଇ ରହିଛନ୍ତି । ସେମାନେ ଅନୁଭବ କରୁଥିଲେ,–ସେମାନେ ସେହି ହେତୁ କୌଣସି ଏକ ଗୁପ୍ତ ଆତଙ୍କବାଦୀ ଆକ୍ରମଣ ଧରଣର କିଛି କରିବା ନିମନ୍ତେ ସ୍ଥିର କଲେ ।

 

ସେମାନେ ନିଜ ଭିତରୁ କେତେଶହ ଟଙ୍କା ଚାନ୍ଦା ଉଠାଇଲେ ଏବଂ ପଡ଼ିଶା ଜିଲ୍ଲାର ଘରେ ବାଣ ତିଆରି କରୁଥିବା କେତେଜଣ କାରିଗରଙ୍କଠାରୁ ଗୋପନରେ କିଛି ବାରୁଦ ଖରିଦ କରି ଆଣିଲେ । ପ୍ରଧାନ ରାମଶିଳା ଶୋଭାଯାତ୍ରାଟି ବାହାରିବାର ପୂର୍ବ ରାତ୍ରିରେ ସେମାନେ ନଦୀକୂଳରେ ଥିବା ଗୋଟିଏ ନିର୍ଜନ ଭଙ୍ଗାରୁଜା ଗୃହାଞ୍ଚଳରେ ଯାଇ ରହିଥିଲେ । କିଣି ଆଣିଥିବା ବାରୁଦ ସହିତ ସେମାନେ ଭଙ୍ଗା କାଚ ଓ କଳଙ୍କିଲଗା ପୁରୁଣା ଲୁହାକଣ୍ଟା ଗୁଡ଼ିକୁ ଏକାଠି ମିଶାଇଲେ,–ତାହାକୁ ସୂତୁଲି ଦେଇ ଖବରକାଗଜରେ ନେଇ ବାନ୍ଧିଲେ ଏବଂ ଏହି ଉପାୟରେ ସାଧାରଣ ଭାଷାରେ ‘ସୂତୁଲି ବୋମା’ ବୋଲି କୁହା ଯାଉଥିବା ସତରଟି ଗୋଳା ପ୍ରସ୍ତୁତ କରି ପାରିଥିଲେ ।

 

ପ୍ରଥମ ବୋମାଟି ନିକ୍ଷେପିତ ହେବା ପରେ ଯେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୋଲିସ୍ ଉଚ୍ଚତମ କର୍ତ୍ତା ଘଟଣାସ୍ଥାନଟିରେ ଆସି ପହଞ୍ଚିଲେ, ସେତେବେଳେ ଉକ୍ତ ଯବକମାନଙ୍କର ବୋମାଖେଳର ଯୋଜନାଟି ସେମାନଙ୍କ ପାଇଁ ସ୍ପଷ୍ଟ ହୋଇ ଯାଇଥିଲା । ଗୋଟିଏ ଅତି ସଂକୀର୍ଣ୍ଣ ଗଳି ଭିତରେ ଅବସ୍ଥିତ ସାନ ଦୁଇତାଲା ଘର ଉପରୁ ହିଁ ବୋମାଟିକୁ ଶୋଭାଯାତ୍ରାକାରୀଙ୍କ ଉପରକୁ ପକାଯାଇଥିଲା,–ଶୋଭାଯାତ୍ରା ଯାଉଥିବା ପ୍ରଧାନ ରାସ୍ତାରୁ ହିଁ ଏହି ସାନ ଗଳିରାସ୍ତାଟି ଗୋଟିଏ ଶାଖାରୂପେ ଆଉଆଡ଼େ ଚାଲି ଯାଇଥିଲା । ଏପରି ଅତ୍ୟନ୍ତ ପରିଷ୍କାର ପ୍ରକାରେ ହିସାବ କରା ଯାଇଥିଲା ଯେ, ବୋମାଟି ପଡ଼ିବା ସଙ୍ଗେ ସଙ୍ଗେ କ୍ରୋଧୀ ଜନତା ପ୍ରତି ଆକ୍ରମଣର ଅଭିପ୍ରାୟରେ ସେହି ସାନ କୋଠାଟିର ତଳେ ଆସି ଜମା ହେବେ ଏବଂ ଆକ୍ରମଣ ଆରମ୍ଭ କରିଦେବେ । ସେମାନେ ଘରଟିରେ ନିଆଁ ଲଗାଇଦେବେ ଏବଂ ସେହି ଚାଞ୍ଚଲ୍ୟ ଓ ଗୋଳମାଳ ଭିତରେ ହିଁ ଆହୁରି ଅଧିକ ବୋମା ଉପରୁ ତଳକୁ ଲୋକମାନଙ୍କୁ ଉଦ୍ଦେଶ୍ୟ କରି ଫିଙ୍ଗାଯାଇ ପାରିବ । ତଦ୍ଦ୍ୱାରା ବହୁସଂଖ୍ୟକ ଲୋକ ମୃତ୍ୟୁମୁଖରେ ପଡ଼ିବେ ।

 

ଅଫିସର ଦ୍ୱୟ ଖୁବ୍‌ଶୀଘ୍ର ଅବସ୍ଥାଟିକୁ ଠଉରାଇ ନେଇଥିଲେ ଏବଂ ଏହି କଥାଟିକୁ ହୃଦୟଙ୍ଗମ ବି କରିପାରିଲେ ଯେ, ଯଦି ସେମାନେ ସ୍ୱୟଂ ସେହି କୋଠାଘରର ତଳଯାଏ ଯାଇ ଅବସ୍ଥାଟିକୁ ସମ୍ଭାଳି ନେବେ, ତେବେ ସେହି ଏକମାତ୍ର ଉପାୟରେ ହିଁ ଲୋକମାନଙ୍କୁ ସେହି ଘରତଳେ ଯାଇ ରୁଣ୍ଡ ହେବାରୁ ନିବୃତ୍ତ କରାଯାଇ ପାରିବ । ବୋମାଦ୍ୱାରା ସେମାନେ ନିଜେ ଆହତ ହେବାର ବହୁତ ଆଶଙ୍କା ରହିଥିଲା; କିନ୍ତୁ, ଯଦି ଏକ ବୃହତ୍ତର ଭୟଙ୍କର ଫଳକୁ ତଦ୍ୱାରା ପ୍ରକୃତରେ ଏଡ଼ି ଦିଆଯାଇ ପାରିବ, ତେବେ ତାହାକୁ ଗ୍ରହଣୀୟ ବୋଲି ନିଷ୍ପତ୍ତି କରିବାକୁ ହେବ ।

 

ଦୁଇ ଉଚ୍ଚ ଅଫିସର ଖୁବ ବଡ଼ ପାଟିରେ ଜନତା ଉଦ୍ଦେଶ୍ୟରେ କହୁଥାନ୍ତି ଯେ, ସେମାନେ ସେହି ସାନ କୋଠାଟି ତଳକୁ ମୋଟେ ଆସିବେନାହିଁ ଏବଂ ସେମାନେ ଉଭୟେ ହିଁ ବର୍ତ୍ତମାନ ପରିସ୍ଥିତିଟିର ଦାୟିତ୍ୱ ନେବାଲାଗି ସ୍ଥିର କରିଛନ୍ତି । ସଂପୃକ୍ତ ଅଧିକସଂଖ୍ୟକ ହିଁ ତାହାକୁ ଶୁଣିଲେ ଓ ସେହି ସ୍ଥାନଟିଠାରୁ ଦୂରରେ ରହିଲେ । ଆଲୋଚିତ ଘରଟିର ପାଦଦେଶରେ ଆସି ପହଞ୍ଚିଗଲା ପରେ ପ୍ରଥମ ବୋମାଟି ନିକ୍ଷିପ୍ତ ହୋଇଥିବା ତାହାକୁ ହିଁ ଲକ୍ଷ୍ୟ କରି ଗୁଳିଚାଳନା କରିବା ହିଁ ସର୍ବୋତ୍ତମ ପଦକ୍ଷେପ ବୋଲି ବୋଧ ହୋଇଥିଲା । ସ୍ଵୟଂ ପୋଲିସ୍ ଉଚ୍ଚକର୍ତ୍ତା ଓ ସାଙ୍ଗରେ ଥିବା ତାଙ୍କର ଜଣେ ଅଧସ୍ତନ କୋଠାଘରଟିକୁ ଲକ୍ଷ୍ୟ କରି କେତେଥର ଗୁଳି ମାରିଲେ । ଏହାଦ୍ୱାରା ଏକାଧିକ ଉଦ୍ଦେଶ୍ୟ ସାଧିତ ହେଲା । ପୋଲିସ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଜନତାର ସନ୍ତୋଷବିଧାନ ହୋଇଥିଲା ଏବଂ ତେଣୁ ସେମାନେ ଆଉ ଆଇନକୁ ନିଜ ହାତକୁ ନେବାପାଇଁ ଇଚ୍ଛା କରିନଥିଲେ । କୋଠାଟି ଆଡ଼କୁ ବାରମ୍ବାର ଗୁଳିବର୍ଷଣ ହେଉଥିବାରୁ ଜନତାପଲ ମଧ୍ୟ ସେହି ଘରର ତଳ ଅଞ୍ଚଳରେ ଥିବା ରାସ୍ତାଆଡ଼େ ଆଗେଇବାକୁ ସାହସ କଲେନାହିଁ । ଏହାଫଳରେ ବୋମା-ନିକ୍ଷେପଣ ଦ୍ୱାରା ଅଧିକ ଲୋକ ଆହତ ବି ହେଲେନାହିଁ । ହଁ, ଗୁଳି ଚାଲିବାରୁ ସେହି ଷଡ଼ଯନ୍ତ୍ରକାରୀମାନେ ମଧ୍ୟ ବେଶ୍‍ ଡରିଗଲେ ଏବଂ ସେମାନେ ଆଉ ଅଧିକ ବୋମା ପକାଇବାକୁ ସାହସ କରିନଥିଲେ । ଘରର ପଛପଟ ଦେଇ ପଳାଇ ଯାଉଥିବା ସମୟରେ ସେମାନଙ୍କ ଭିତରୁ ଜଣେ ପୋଲିସ୍ ହାତରେ ଧରା ପଡ଼ିଲା ଏବଂ ତାହାରିଠାରୁ ପ୍ରାପ୍ତ ସମ୍ବାଦଗୁଡ଼ିକ ଦ୍ୱାରା ହିଁ ପରେ ପୋଲିସ୍ ତରଫରୁ ମକଦ୍ଦମା ଲାଗି ସମାଧାନ ମିଳି ଯାଇଥିଲା ।

 

ବର୍ତ୍ତମାନ ଲୋକଭିଡ଼ର ଲୋକମାନେ ଯେଉଁଆଡ଼େ ପାରିଲେ ତେଣେ ଅଗ୍ରସର ହୋଇ ପଳାଇ ଯିବାକୁ ଆରମ୍ଭ କରିଦେଲେ ଏବଂ, ସେମାନଙ୍କ ମଧ୍ୟରୁ ବହୁତ ମଣିଷ ସିଧା ମୁସଲମାନମାନଙ୍କର ବସ୍ତି ଭିତରେ ଯାଇ ପଶି ଯାଇଥିଲେ । ମାଜିଷ୍ଟ୍ରେଟ୍‍ଙ୍କ ତରଫରୁ ସଙ୍ଗେ ସଙ୍ଗେ କର୍ଫ୍ୟୁ ଜାରି କରାଗଲା ଏବଂ ଯଥାଶୀଘ୍ର କର୍ଫ୍ୟୁ ଲାଗୁ କରିଦେବା ନିମନ୍ତେ ସହରର ସବୁଯାକ ସ୍ପର୍ଶକାତର ଥାନାରେ ଜଗି ରହିଥିବା ପୋଲିସ୍‍ ଓ ନିଜ ଅଧସ୍ତନମାନଙ୍କୁ ବେତାର ବାର୍ତ୍ତାଦ୍ଵାରା ଅବଗତ କରାଇ ଦେଇଥିଲେ । ସେମାନେ ଯଥାସମ୍ଭବ କଠୋର ହେବେ ଓ ପ୍ରୟୋଜନ ହେଲେ ଗୁଳି ମଧ୍ୟ ଚଳାଇ ପାରିବେ ବୋଲି ନିର୍ଦ୍ଦେଶ ଦିଆ ଯାଇଥିଲା । ସର୍ବୋଚ୍ଚ ହାକିମଦ୍ୱୟ ତା’ପରେ ଜୀପରେ ବସି ସ୍ପର୍ଶକାତର ସହରାଂଶ ଗୁଡ଼ିକର ଦୌରା ମଧ୍ୟ କରିଥିଲେ । ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‍ ନିଜେ ବି କେତେ ରାଉଣ୍ଡ୍ ଗୁଳି ଚଳାଇଥିଲେ । ଆଉ ତିନି ଜାଗାରେ ମଧ୍ୟ ଗୁଳି ଚଳାଇବାକୁ ପଡ଼ିଥିଲା । ମାତ୍ର କୋଡ଼ିଏ ମିନିଟ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ନିଷେଧ-ଆଇନ୍ ଜାରି ହୋଇ ଯାଇଥିଲା ।

 

ଅବଶ୍ୟ, ଏହି କୋଡ଼ିଏ ମିନିଟ ମଧ୍ୟରେ ବି ଚାରିଜଣ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ଶହେଯାଏ ମୁସଲମାନମାନେ ରହୁଥିବା ଘର ତଥା ଦୋକାନରେ ନିଆଁ ଲଗାଇ ଦିଆ ଯାଇଥିଲା । ତିନିତିନିଟି ମସଜିଦ୍ ଧୂଳିସାତ୍‍ ହୋଇଗଲା । ମୃତ୍ୟୁଗୁଡ଼ିକ ଦେଶୀ ରାଇଫଲ୍ ଏବଂ ଛୁରାଦ୍ୱାରା ଘଟିଥିଲା,–ମୁସଲମାନ ବସ୍ତିଗୁଡ଼ିକ ଉପରେ ହମଲା କରୁଥିବା ଜନତା ସେଗୁଡ଼ିକୁ ବ୍ୟବହାର କରିଥିଲେ । ଦଉଡ଼ି ପଳାଇ ଯାଉଥିବା ଦଳେ ଲୋକ ମଧ୍ୟ ବୋମାଟିଏ ଫିଙ୍ଗି ମଣିଷ ମାରିଥିଲେ ।

 

ସେତିକିବେଳେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଜଣେ ଉନ୍ମୁତ୍ତପ୍ରାୟ ଯୁବକ ହାତରେ ଗୋଟିଏ .୧୨ ରାଇଫଲ୍ ରହିଥିବାର ଦେଖିବାକୁ ପାଇଥିଲେ । ନିଜ ଜୀପ୍‍ରୁ ତକ୍ଷଣେ ଓହ୍ଲାଇପଡ଼ି ସିଏ ଯୁବକଟି ଆଡ଼େ ଯିବାକୁ ଲାଗିଲେ । ଯୁବକଟି ତାଙ୍କ ଆଡ଼କୁ ଗୁଳି ଚଳାଇବ ବୋଲି ଭୟ ଦେଖାଇଥିଲା । ତଥାପି ଡରି ନଯାଇ ଏସ୍.ପି. ଧୀରେ ଧୀରେ ତା’ ଆଡ଼କୁ ଅଗ୍ରସର ହୋଇ ଯାଉଥାନ୍ତି । ଶେଷରେ ସେ ତାକୁ କାବୁ କରି ନେଇଥିଲେ । ତା’ ହାତରୁ ରାଇଫଲ୍ ଛଡ଼ାଇ ନେଲେ ଏବଂ ପାଖରେ ଥିବା ଗୋଟିଏ ଘରେ ତାକୁ ବଳପୂର୍ବକ ଭର୍ତ୍ତି କରିଦେଇ ବାହାରୁ ତାଲା ପକାଇ ଦେଲେ ।

 

ଅଳ୍ପ ସମୟ ମଧ୍ୟରେ ସହରରେ ଏକ ଅତ୍ୟନ୍ତ ଅଶ୍ଵସ୍ତିକର ନିସ୍ତବ୍ଧତା ରାଜତ୍ୱ କରିଥିଲା । ପଡ଼ିଶା ଜିଲ୍ଲାମାନଙ୍କରୁ ସଂବାଦ ଦେଇ ଅଧିକ ସୈନ୍ୟବାହିନୀମାନଙ୍କୁ ଅଣା ଯାଇଥିଲା ଏବଂ ସ୍ପର୍ଶକାତର ହୋଇ ରହିଥିବା ସବୁଯାକ ସ୍ଥାନରେ ପହରାମାନ ରଖି ଦିଆଗଲା । ସବୁଯାକ ମାଜିଷ୍ଟ୍ରେଟ୍‍ଙ୍କୁ ବରଗି ଅଣାଗଲା ଏବଂ ସହରଯାକ ରାତିଦିନ ପୋଲିସ୍‌ର କଡ଼ା ପହରା ଭିତରେ ରହିଲା । ପ୍ରତିଷେଧମୂଳକ ଭାବରେ ବହୁ ବହୁ ବ୍ୟକ୍ତିଙ୍କୁ ଗିରଫ କରି ରଖାଗଲା, ଘରସବୁ ଖାନତଲାସ କରିବା ନିମନ୍ତେ ଆଦେଶ ଦିଆ ଯାଇଥିଲା । କେବଳ ପ୍ରଥମ ରାତ୍ରିରେ ହିଁ ୧୨୬ ଜଣ ଗିରଫ ହେଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିଲେ । ଚାଳିଶିଟି ଘର ଖାନତଲାସ ହୋଇଥିଲା । ମୃତ ବ୍ୟକ୍ତିମାନଙ୍କର ପରିବାରଗୁଡ଼ିକୁ ଯାଇ ଠାବ କରାଗଲା ଏବଂ ଅତ୍ୟନ୍ତ ନିକଟସମ୍ପର୍କୀୟ ଆତ୍ମୀୟସ୍ୱଜନଙ୍କର ଉପସ୍ଥିତିରେ ହିଁ ନୀରବରେ ଅନ୍ତ୍ୟେଷ୍ଟିକ୍ରିୟା ଗୁଡ଼ିକର ସମାପନ ହୋଇଥିଲା । ମାଜିଷ୍ଟ୍ରେଟ୍‍ ଓ ପୋଲିସମାନେ ମଧ୍ୟ ଉପସ୍ଥିତ ଥିଲେ । ଆହତ ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର ହସପିଟାଲ ମାନଙ୍କରେ ପହଞ୍ଚାଇ ଦିଆ ଯାଇଥିଲା ।

 

ପରବର୍ତ୍ତୀ ବାସ୍ତରି ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ ଆଦୌ କୋହଳ କରା ଗଲାନାହିଁ । କର୍ଫ୍ୟୁ ଅମାନ୍ୟ କରିବାକୁ ମଧ୍ୟ ମୋଟେ ସହ୍ୟ କରା ଗଲାନାହିଁ । ଅବଶ୍ୟ ଦ୍ୱିତୀୟ ଦିନ ରାତିରେ ଆହୁରି ଚାରୋଟି ମସଜିଦ୍‌ରେ ନିଆଁ ଲଗାଇ ଲୋକେ ପ୍ରାୟ ପାଉଁଶ କରି ଦେଇଥିଲେ । ଏହିପରି ଭାବରେ ଉତ୍ପୀଡ଼ିତ ହେଉଥିବା ମୁସଲମାନ ସଂପ୍ରଦାୟ ବାରମ୍ବାର କହିବାରେ ଲାଗିଥାଆନ୍ତି ଯେ, ପୋଲିସ ଲୋକେ ସଂପୃକ୍ତ ହୋଇନଥିଲେ ଏହି କାଣ୍ଡଟି ମୋଟେ ସମ୍ଭବ ହୋଇନଥାନ୍ତା ।

 

ମାଜିଷ୍ଟ୍ରେଟ୍ ତଥା ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‍ଙ୍କୁ ଦ୍ୱିତୀୟ ରାତିଟିରେ ଯେ କୌଣସି ପ୍ରକାରେ ସେହି ଥାନାରେ ହିଁ ଦୁଇଘଣ୍ଟା ଶୋଇବାପାଇଁ ସମୟ ମିଳିଥିଲା । ପରବର୍ତ୍ତୀ ଉଣେଇଶି ରାତି ମଧ୍ୟ ସେମାନଙ୍କୁ ଏହିଠାରେ ହିଁ ବିତାଇବାକୁ ହେଲା,–ପ୍ରଥମେ ସେମାନେ ଗୋଟିଏ ଗଛତଳେ ବେଞ୍ଚ ପକାଇ ଶୋଇଥିଲେ ଏବଂ ତାପରେ ଗୋଟିଏ ତମ୍ବୁରେ ବ୍ୟବହୃତ ହେଉଥିବା ବିଶେଷ ଖଟଗୁଡ଼ିକ ଉପରେ । ସେମାନେ ସର୍ବଦା ପରିଚ୍ଛଦରେ ହିଁ ରହିଥିଲେ ଏବଂ ପୁଣି କେଉଁଠାରେ ସଂଘର୍ଷ ଲାଗିଲା ବୋଲି ସମାଚାର ଆସିବା ମାତ୍ରକେ ତତ୍‍କ୍ଷଣାତ୍ ବାହାରି ଯିବାକୁ ପ୍ରସ୍ତୁତ ରହିଥିଲେ । ଅବଶିଷ୍ଟ ସବୁ ସମୟତକ ପହରା ହିଁ ଦେଉଥିଲେ । ସେମାନଙ୍କର ଧଳା ଜିପ୍ସି ଗାଡ଼ି ଓ ସେଥିରେ ଚକ୍‍ଚକ୍‍ ହେଉଥିବା ନାଲି ଆଲୁଅ ସହିତ ଖରଗୋନ୍ ସହରର ଲୋକେ ଅତ୍ୟନ୍ତ ପରିଚିତ ହୋଇ ପଡ଼ିଥିଲେ । ଗାଡ଼ିଗୁଡ଼ିକ ଅନବରତ ଛାୟାନ୍ଧକାର ଭିତରେ ରହିଥିବା ଜନଶୂନ୍ୟ ସାନବଡ଼ ଗଳିମାନଙ୍କରେ ପଇଁତରା ମାରୁଥାଆନ୍ତି । ନିୟନ୍ତ୍ରଣ ପ୍ରକୋଷ୍ଠଟିରେ ଲୋକେ ଆକ୍ରମଣ କରୁଥିବାର ଅଭିଯୋଗମାନ ବାରମ୍ବାର ଆସିବାରେ ଲାଗିଥାଏ, ସବୁଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରିବାକୁ ପଡ଼ୁଥାଏ ଏବଂ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ତୁଚ୍ଛା ଗୁଜ୍ଜବ ବୋଲି ପ୍ରତିପାଦିତ ହୋଇ ଯାଉଥାଏ । ଖବରକାଗଜବାଲାଙ୍କୁ ଡକାଗଲା ଓ ସକଳ ବିବରଣୀ ଜଣାଇ ଦିଆ ଯାଇଥିଲା ଏବଂ ଦ୍ୱିତୀୟ ଦିବସଟିରୁ ସମ୍ବାଦପତ୍ରମାନ ବିତରଣ କରିବାର ବନ୍ଦୋବସ୍ତ ବି କରାଗଲା, ଯେପରିକି ଗୁଜବଗୁଡ଼ିକ ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ । ଶାନ୍ତି ସମିତି ତଥା ଉଭୟ ସମ୍ପ୍ରଦାୟର ଦାୟିତ୍ୱସମ୍ପନ୍ନ ନେତୃବୃନ୍ଦଙ୍କୁ ସାଧାରଣ ଅବସ୍ଥା ଲେଉଟାଇ ଆଣିବା ନିମନ୍ତେ ଆଣି ନିୟୋଜିତ କରା ଯାଇଥିଲା ।

 

ଘଟଣାଟି ଘଟିବା ପରର ପ୍ରଥମ ସକାଳଟି ଠାରୁ ବରିଷ୍ଠ ସରକାରୀ କର୍ମକର୍ତ୍ତା ଓ ମନ୍ତ୍ରୀମାନେ ଆସି ସହରରେ ଆସି ପହଞ୍ଚି ଯାଇଥିଲେ ଏବଂ ଶେଷକୁ ଦ୍ୱିତୀୟ ଦିନ ବିକାଳକୁ ସ୍ୱୟଂ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲିକପ୍ଟରରେ ଆସିଲେ । ସେମାନେ ପହଞ୍ଚି ବୟୋଜ୍ୟେଷ୍ଠ ଅଧିବାସୀ ତଥା ଦଙ୍ଗାପୀଡ଼ିତମାନଙ୍କୁ ସାକ୍ଷାତ କଲେ, ଜୀବନହାନି ଗୁଡ଼ିକ ପାଇଁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ମୋଟାମୋଟି ଭାବରେ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିବା କାର୍ଯ୍ୟପନ୍ଥାଟିର ସମର୍ଥନ କରିଥିଲେ । ମୁଖ୍ୟମନ୍ତ୍ରୀ ଆସି ସବୁ ଦେଖି ପ୍ରକୃତରେ ଗଲେ ବୋଲି ଲୋକେ ଏତେ ପରିମାଣରେ ଆଶ୍ୱସ୍ତ ଅନୁଭବ କରିଥିଲେ ଯେ, ସିଏ ଫେରିଯିବା ବେଳେ ତାଙ୍କୁ ହେଲିପାଡ୍ ପର୍ଯ୍ୟନ୍ତ ପହଞ୍ଚାଇ ଦେବାଲାଗି ମାଜିଷ୍ଟ୍ରେଟ୍ ଓ ପୋଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍ ଆଗ ସିଟ୍‌ରେ ଯାଇ ବସୁଥିବା ସମୟରେ ମାଜିଷ୍ଟ୍ରେଟ୍ ନିଜ ହାତକୁ ଆର ହାକିମଙ୍କ ହାତଯାଏ ବଢ଼ାଇ ଥିରିକରି ଟିପି ଦେଇଥିଲେ ଏବଂ ତାଙ୍କ ସତୀର୍ଥ ସେହି ଆରଜଣକ ମଧ୍ୟ ବିନିମୟରେ ସେହିପରି କରିଥିଲେ ।

 

ଏହାପରେ ଭି.ଆଇ.ପି. ମାନଙ୍କର ତୁହାକୁ ତୁହା ଆଗମନ କ୍ରମେ ଊଣା ହୋଇ ଆସିଥିଲା କାରଣ ରାଜ୍ୟର ବହୁ ଅଞ୍ଚଳରେ ମଧ୍ୟ ସେହି ଏକ ସମୟରେ ସାଂପ୍ରଦାୟିକ ହିଂସାମାନ ପ୍ରଜ୍ଜ୍ୱଳିତ ହୋଇ ଉଠିଥିଲା ଓ ସ୍ଥାନେ ସ୍ଥାନେ ଅଧିକ ତୀବ୍ର ଭାବରେ ମଧ୍ୟ ଘଟିଥିଲା । ତେଣୁ, କେବଳ ସେହି ଜିଲ୍ଲାଟିର ମନ୍ତ୍ରୀ ମହୋଦୟ ହିଁ ସେଠାରେ ରହିଥିଲେ । ସିଏ (ସିଏ ଜଣେ ମହିଳା ମନ୍ତ୍ରୀ ଥିଲେ) ମାଜିଷ୍ଟ୍ରେଟ୍‍ଙ୍କୁ ପରିଷ୍କାର ଭାବରେ କହି ଦେଇଥିଲେ ଯେ କେବଳ ଆପଣାର ସମର୍ଥନଟିକୁ ଜଣାଇବା ଉଦ୍ଦେଶ୍ୟରେ ହିଁ ସିଏ ସେଠାରେ ରହିଥିଲେ । ଏବଂ, ତେଣୁ ମାଜିଷ୍ଟ୍ରେଟ୍ ଯେପରି ଚାହିବେ, ସିଏ କେବଳ ସେହି ଅନୁସାରେ ହିଁ କାର୍ଯ୍ୟ କରିବେ । ତହିଁ ଆରଦିନ ସକାଳେ ସ୍ଥାନୀୟ ଶାନ୍ତି କମିଟି ଆଗରେ କିଛି କହିବା ସକାଶେ ମାଜିଷ୍ଟ୍ରେଟ୍ ତାଙ୍କୁ ଅନୁରୋଧ କରିଥିଲେ । ହଁ, ତାପରେ ସେ ଶୋକାଭିଭୂତ ପରିବାରଗୁଡ଼ିକର ପରିଦର୍ଶନ କରିବେ, ଯେଉଁଗୁଡ଼ିକରୁ କେହି ଏହି ଦଙ୍ଗାରେ ନିହତ ହୋଇଥିଲେ । ତା’ପରେ ହସପିଟାଲ୍‌କୁ ଯିବେ ଏବଂ ଆହତମାନଙ୍କୁ ଦେଖିବେ । ଅପବିତ୍ର କରିଦିଆ ଯାଇଥିବା ମସଜିଦ୍‍ଗୁଡ଼ିକୁ ମଧ୍ୟ ଯିବେ । ମନ୍ତ୍ରୀ ମହୋଦୟା ଏହି ସବୁକିଛି କରିଥିଲେ, କିନ୍ତୁ ଯେତେ ଆନ୍ତରିକ ଭାବରେ ଆପଣାର ବେଦନା ଓ ସହାନୁଭୂତି ପ୍ରକଟ କରିଥିଲେ ମଧ୍ୟ ତାହା ପ୍ରପୀଡ଼ିତ ଏବଂ କ୍ଷତିଗ୍ରସ୍ତମାନଙ୍କର ଆଁ କରି ରହିଥିବା କ୍ଷତଗୁଡ଼ିକର ଜ୍ୱାଳାରେ ସମ୍ଭବତଃ ମାତ୍ର କିଞ୍ଚିତ୍ ପରିମାଣରେ କୌଣସି ଉପଶମ ସମ୍ଭବ କରି ପାରିଲେ ।

 

ଭାଙ୍ଗିରୁଜି ଯାଇଥିବା ମସଜିଦ୍‍ଗୁଡ଼ିକୁ ରାତାରାତି ମରାମତି କରିଦେବା ନିମନ୍ତେ ମାଜିଷ୍ଟ୍ରେଟ୍ ସରକାରୀ ଗୃହନିର୍ମାଣ ବିଭାଗର କର୍ମୀମାନଙ୍କୁ ସେଥିରେ ଆଣି ନିୟୋଜିତ କରିଥିଲେ ଏବଂ ସେଥିରେ ଉଦାର ମନୋଭାବ ରଖିଥିବା ମୁସଲିମ୍ ବ୍ୟକ୍ତିମାନଙ୍କର ସମର୍ଥନ ବି ପାଇଲେ । ତା’ପରେ ଯାଇ ପ୍ରଥମ ଥର ପାଇଁ ଲାଗୁ ହୋଇଥିବା କର୍ଫ୍ୟୁକୁ ଦୁଇଘଣ୍ଟା ନିମନ୍ତେ କୋହଳ କରାଗଲା । ଏହାପରେ ମୁସଲମାନମାନେ ଘରୁ ବାହାରି ନମାଜପାଠ ନିମନ୍ତେ ସିଧା ମସଜିଦ୍‍ମାନଙ୍କରେ ଯାଇ ପହଞ୍ଚିଲେ; କିନ୍ତୁ ସେଗୁଡ଼ିକରେ ସଂପ୍ରତି ଲଗା ଯାଇଥିବା କଞ୍ଚା ରଙ୍ଗ ଏବଂ ପଲସ୍ତରାରୁ ହିଁ ସେଗୁଡ଼ିକର ସତ କାହାଣୀଟିକୁ ପ୍ରକଟ ହୋଇ ଯାଉଥିଲା । ଏମାନେ ମଧ୍ୟ କ୍ଷୀଣ ସ୍ଵରରେ ପାଂଶୁଳ ମୁହଁରେ ସେଗୁଡ଼ିକର ଜବାବ ଦେଇଥିଲେ । ଯେଉଁସବୁ ବସତି ଅଞ୍ଚଳରେ ନିଆଁ ଲାଗି ଯାଇଥିଲା, ସେଗୁଡ଼ିକ ସତେ ଅବା ବୋମା ପଡ଼ି ଛାରଖାର ହୋଇଯାଇଥିବା ପରି ଦେଖା ଯାଉଥିଲା । ମାତ୍ର, କର୍ଫ୍ୟୁ କୋହଳ କରା ଯାଇଥିଲେ ମଧ୍ୟ ଅବସ୍ଥାକୁ ଅଧିକ ଖରାପ କରି ଦେବାଭଳି କୌଣସି ଘଟଣା ଆଉ ଘଟି ନଥିଲା ।

 

କର୍ଫ୍ୟୁ ଲାଗୁ ହୋଇ ରହିଥିବା ଗୋଟିଏ ସହରର ସେହି ଘୋର ଅଶ୍ଵସ୍ତିକର ତଥା ବହୁ ସଂଘାତମୟ ନୀରବତା ମଧ୍ୟରେ ଆସିଥିବା ପରବର୍ତ୍ତୀ ଦିବସ ଏବଂ ରାତ୍ରିମାନଙ୍କରେ ସର୍ବୋଚ୍ଚ ସେହି ହାକିମ ଦୁହିଁଙ୍କର ଜୀପ୍‍ଟି ପ୍ରାୟ ଅବିରାମ ଉଦ୍‍ବିଗ୍ନତାରେ ଅଣଓସାରିଆ ସାନ ଓ ବଡ଼ ଗଳିରାସ୍ତା ଗୁଡ଼ିକରେ ଯାଆସ କରୁଥାଏ,–ଏକ ଅତ୍ୟନ୍ତ ଅନିଶ୍ଚିତ ଶାନ୍ତ ଅବସ୍ଥାର ରକ୍ଷା କରିବାକୁ,–ଯେପରି ପ୍ରକାରେ ହେଉ ପଛକେ ଲଦି ରଖିବାକୁ ଚେଷ୍ଟା କରୁଥାଏ । ସେହି ସମୟରେ ମନଃପଟରେ ଭିଡ଼ କରି ରହିଥିବା ସ୍ମୃତିଚିତ୍ରଗୁଡ଼ିକ ମଧ୍ୟରୁ ଅବଶ୍ୟ କେତୋଟି ଚିତ୍ର ସେମାନଙ୍କର ହୃଦୟ ତଥା ମନ ମଧ୍ୟରେ ସାରା ଜୀବନ ଅବଶ୍ୟ ସ୍ଥାୟୀ ହୋଇ ରହି ଯାଇଥିବେ ।

 

କର୍ଫ୍ୟୁ ଲାଗୁ ହେବାର ଦ୍ୱିତୀୟ ଦିନ ସକାଳେ ବେତାର ଯୋଗେ ସଂବାଦଟିଏ ଆସି ପହଞ୍ଚିଗଲା ଯେ କୌଣସି ମୁସଲମାନମାନେ ବାସ କରୁଥିବା ସାହୀରେ ପ୍ରାୟ ଦୁଇଶହରୁ ଅଧିକ ମହିଳା ଓ ଶିଶୁ ଅତ୍ୟନ୍ତ ଅନମନୀୟ ଭାବରେ ଆଇନକୁ ଅମାନ୍ୟ କରି ରାସ୍ତାମାନଙ୍କ ଉପରକୁ ବାହାରି ଆସିଛନ୍ତି । ଉଭୟ ହାକିମ ତୁରନ୍ତ ସେହି ଅଞ୍ଚଳଟିକୁ ଧାଇଁ ଯାଇଥିଲେ ଏବଂ ପିଲାମାନଙ୍କର ଅତି ବିକଳ କ୍ରନ୍ଦନରୋଳ ମଧ୍ୟରେ ଅଭିଯୋଗମାନ କରିବାକୁ ଆରମ୍ଭ କରି ଦେଇଥିଲେ । କହୁଥିଲେ, ବାବୁ, ବର୍ତ୍ତମାନ ଆମ ଘରମାନଙ୍କରେ ଖାଇବାକୁ ପୋଷେ ବି ଦାନା ନାହିଁ ଓ ଟୋପାଏ କ୍ଷୀର ମଧ୍ୟ ନାହିଁ । ଘରର ମରଦମାନଙ୍କୁ ହୁଏତ ପୋଲିସ୍‌ବାଲା ନେଇ ଅଟକ କରି ରଖିଛନ୍ତି ଅଥବା ସେମାନେ ଘରୁ ପଳାଇଯାଇ କେଉଁଠାରେ ଲୁଚି ରହିଛନ୍ତି । ଆମେ ତ ପ୍ରତ୍ୟହ ଉପାର୍ଜନ କରି ପ୍ରତ୍ୟହ ଖାଇ ଆସିଛୁ । ତେବେ, ଆମର ପିଲାମାନେ ଆଉ କେତେଦିନ ଉପାସ ପେଟରେ ରହିବେ ?

 

ମାଜିଷ୍ଟ୍ରେଟ୍ ସାହେବ ତୁରନ୍ତ ସମସ୍ତ ବରିଷ୍ଠ ଜିଲ୍ଲାସ୍ତରୀୟ ଅଫିସରମାନଙ୍କୁ ସେଠାକୁ ଡକାଇ ପଠାଇଲେ ଏବଂ ସହରର କେତୋଟି ନିର୍ଦ୍ଦିଷ୍ଟ ବାସାଞ୍ଚଳକୁ ଖାଉଟିଦ୍ରବ୍ୟମାନ ଯୋଗାଇ ଦେବାର ଦାୟିତ୍ୱ ପ୍ରଦାନ କରିଥିଲେ । ଥୋକ୍ ବେପାରୀମାନେ ସେମାନଙ୍କର ଗୋଦାମ ଖୋଲିଦେବେ ବୋଲି ଆଦେଶ ହେଲା ଏବଂ ଅଫିସରମାନେ ଗାଡ଼ି ଦ୍ଵାରା ପ୍ରତ୍ୟେକ ମହଲ୍ଲାକୁ ଅତ୍ୟାବଶ୍ୟକ ଦ୍ରବ୍ୟପଦାର୍ଥମାନ ପଠାଯିବାର ବନ୍ଦୋବସ୍ତ କରି ଦେଇଥିଲେ । ଏହି ଗାଡ଼ିଗୁଡ଼ିକ ଯେତେବେଳେ ଯେଉଁ ମହଲାକୁ ଯାଉଥିଲା, ସେତେବେଳେ ସେହି ଅଞ୍ଚଳରେ କେବଳ ମହିଳାମାନଙ୍କ ନିମନ୍ତେ ନିଷେଧ ଆଇନକୁ ଉଠାଇ ଦିଆ ଯାଉଥିଲା । ସେହି ସମୟଟିରେ ସେମାନେ ବାହାରକୁ ଆସି ସବୁ କିଣିନେଇ ପାରୁଥିଲେ । ଏବଂ, ଅତ୍ୟନ୍ତ ଅଭାବୀ ଦଳିତବସ୍ତିଗୁଡ଼ିକ ପାଇଁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ ଯେ, ପ୍ରତ୍ୟେକ ପରିବାରକୁ ଦଶ କିଲୋଗ୍ରାମ ଦାନା ବିନା ପଇସାରେ ହିଁ ମିଳିବ; କାରଣ, ସେମାନେ ତ ନିତାନ୍ତ ଦରିଦ୍ର, ତେଣୁ ଖାଦ୍ୟଶସ୍ୟ କ୍ରୟ କରିବା ସକାଶେ ସେମାନଙ୍କ ପାଖରେ ଗଚ୍ଛିତ ହୋଇ କୌଣସି ପଇସା ନଥିବ । ହାକିମ ବେପାରୀମାନଙ୍କୁ ଜବାବ ମଧ୍ୟ ଦେଇଥିଲେ ଯେ, ପରେ ଜିଲ୍ଲା ପ୍ରଶାସନ ତରଫରୁ ପରେ ସେମାନେ ଯୋଗାଇ ଦେଉଥିବା ଖାଦ୍ୟଦ୍ରବ୍ୟର ମୂଲ୍ୟକୁ ଅବଶ୍ୟ ଭରଣା କରି ଦିଆଯିବ ।

 

ସେତେବେଳେ ପୋଲିସ୍-ବଳଟିକୁ ମଧ୍ୟ ପ୍ରାୟ ଅସହନୀୟ ଭାବରେ ଚାରିଆଡ଼େ ତୟନାତ୍ କରି ରଖା ଯାଇଥିଲା । ପନ୍ଦରଦିନ ପୂର୍ବେ ରାମ-ଶିଳା-ପୂଜନର କାର୍ଯ୍ୟକ୍ରମଟିକୁ ଆରମ୍ଭ କରା ଯାଇଥିବା ସମୟରୁ ହିଁ ପ୍ରତିବେଶୀ ଜିଲ୍ଲା ଗୁଡ଼ିକରେ ମଧ୍ୟ ସଶସ୍ତ୍ର ସିପାହୀଦଳ ଅବିରାମ ସତର୍କ ପହରା ଦେବାରେ ହିଁ ଲାଗିଥିଲେ । ଖରଗୋନରେ ଦଙ୍ଗା ଲାଗିଯିବା ଉତ୍ତାରୁ ସେମାନଙ୍କୁ କୌଣସି କାଳବିଳମ୍ବ ନକରି ବସ୍ ଏବଂ ଟ୍ରକମାନଙ୍କ ଦ୍ୱାରା ରାତାରାତ ସେଠାରେ ଆଣି ପହଞ୍ଚାଇ ଦିଆ ଯାଇଥିଲା । ଏବଂ ସେଠାରେ ପହଞ୍ଚି ସେମାନେ ତୁରନ୍ତ ସ୍ପର୍ଶକାତର ପ୍ରତ୍ୟେକ ସ୍ଥାନରେ ହିଁ ନିଯୁକ୍ତ ହୋଇ ଯାଇଥିଲେ ।

 

ରାତିସାରା ସ୍ୱୟଂ ତନଖି ଦେଖି ବୁଲୁଥିବା ସମୟରେ ସର୍ବୋଚ୍ଚ ଉଭୟ କର୍ତ୍ତା ଗୋଟି ଗୋଟି କରି ପ୍ରତ୍ୟେକ ପହରା ପାଖରେ ଅଟକୁଥିଲେ, ପହରା ଦେଉଥିବା ବ୍ୟକ୍ତିଟି ସହିତ କଥା ହେଉଥିଲେ ଏବଂ, ସେମାନେ କରୁଥିବା କାର୍ଯ୍ୟଟି ଯେ ପ୍ରକୃତରେ କେତେ କଷ୍ଟକର ଅଥଚ କେଡ଼େ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କୁ ସେହି କଥାଟିକୁ ବୁଝାଇ ଦେଉଥିଲେ, ବେଳେବେଳେ ସେମାନଙ୍କ ସହିତ କପେ କପେ ଗରମ ଚାହା ବି ପିଉଥିଲେ । ଏତିକି କଥୋପକଥନ ଏବଂ ସାନ୍ନିଧ୍ୟ ଦ୍ୱାରା ସେହି କ୍ଳାନ୍ତ ମୁହଁଗୁଡ଼ିକ କିପରି ତତ୍‍କ୍ଷଣାତ୍ ଉଜ୍ଜ୍ୱଳ ହୋଇ ଉଠୁଥିଲା, ଉଭୟ କେତେ ଉତ୍ସାହର ସହିତ ପରେ ସେହି କଥାଟିକୁ ସ୍ମରଣ ବି କରିଛନ୍ତି । ଦଙ୍ଗା-ପୀଡ଼ିତ କୌଣସି ପରବର୍ତ୍ତୀ ସହରକୁ ଏକ ସପ୍ତାହ ପରେ ଚାଲିଯିବା ପୂର୍ବରୁ ହିଁ ସହରର ପ୍ରମୁଖ ବ୍ୟକ୍ତିମାନଙ୍କୁ ରାଜି କରାଇ ଏ ଦୁହେଁ ସେମାନଙ୍କ ସମ୍ମାନରେ ଏକ ବୃହତ୍ ଭୋଜୀର ଆୟୋଜନ କରାଇଥିଲେ,–ସେଥିରେ ସେମାନେ ବସି ଭୋଜୀ ଖାଇଲେ ଏବଂ ସହରର ପ୍ରମୁଖମାନେ ପରିବେଷଣ କରୁଥିଲେ ।

 

ବୋମା ଫିଙ୍ଗାହେବାର ଚାରିଦିନ ପରେ ନିକଟସ୍ଥ ଇନ୍ଦୋର ଜିଲ୍ଲାର ମାଜିଷ୍ଟ୍ରେଟ୍ ଟେଲିଫୋନ କରି କହିଥିଲେ ଯେ, ଖରଗୋନ୍‍ର ଦଙ୍ଗାରେ ସାଂଘାତିକ ଭାବରେ ଆହତ ହୋଇଥିବା ଜଣେ ବ୍ୟକ୍ତିର ଗୁଲାମ୍ ନାମକ ଜଣେ ଯୁବକର ସେଠାରେ ମେଡ଼ିକାଲ କଲେଜ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ଏବଂ ତେଣୁ ଖରଗୋନ୍‍ର ଜିଲ୍ଲା ଅଫିସରମାନଙ୍କୁ ମୃତ ଦେହଟିର ସଂସ୍କାର ନିମନ୍ତେ ଆବଶ୍ୟକ ବ୍ୟବସ୍ଥାମାନ କରିବାକୁ ପଡ଼ିବ । ଇନ୍ଦୋରରେ ମଧ୍ୟ ସେତେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ରହିଥିଲା, ଏବଂ ତେଣୁ ସେମାନେ ସେଠାରେ ଶବର ସତ୍କାର କରାଇବା ଆଦୌ ନିରାପଦ ହେବନାହିଁ ।

 

ସର୍ବୋଚ୍ଚ ଦୁଇ କର୍ତ୍ତା ମୃତ ଯୁବକଟିର ବାପାଙ୍କୁ ଡକାଇ ପଠାଇଥିଲେ, ମୁସଲମାନ ସମ୍ପ୍ରଦାୟର ମୁଖ୍ୟ ବ୍ୟକ୍ତିଙ୍କୁ ମଧ୍ୟ । ଏହି ବ୍ୟକ୍ତି ହେଉଛନ୍ତି ରୌଫ୍ ଭାଇ, ଜଣେ ଅତ୍ୟନ୍ତ ହୃଦୟବାନ୍ ଏବଂ ବିଚାରଶୀଳ ବ୍ୟକ୍ତି । ସେମାନେ ଉଭୟେ ରାଜି ହୋଇଥିଲେ ଯେ ଅର୍ଦ୍ଧରାତ୍ରି ପରେ ପୂର୍ଣ୍ଣ କୋଳାହଳଶୂନ୍ୟ ଭାବରେ ଶବଟିର ସତ୍କାର ହେବ, ଯେପରିକି ତା’ଫଳରେ ପୁନର୍ବାର କୌଣସି ହିଂସାକାଣ୍ଡ କୁହୁଳି ଉଠିବାର ଆଉ ଆଶଙ୍କା ନଥିବ । ସେହି ଅନୁସାରେ ଇନ୍ଦୋରରୁ ଶବଟି ଆସୁଥିବା ଗାଡ଼ିକୁ ସହର ବାହାରେ ଗ୍ରାମାଞ୍ଚଳର ଏକ ଥାନାରେ ଅଟକାଇ ରଖା ଯାଇଥିଲା ଏବଂ ମଧ୍ୟରାତ୍ର ଯାଏ ଅପେକ୍ଷା ବି କରାଗଲା ।

 

ତା’ପରେ ଅଫିସର ଦୁହେଁ ଶୋକସନ୍ତପ୍ତ ପରିବାରଟିକୁ କିଞ୍ଚିତ୍, ସାନ୍ତ୍ୱନା ଦେବାକୁ ଯିବା ପାଇଁ ନିଷ୍ପତ୍ତି କଲେ । ପୁଅର ଶବ ପାଖରେ ବସି ଯୁବକଟିର ମାଆ ଅତ୍ୟନ୍ତ ବିକଳ ହୋଇ କାନ୍ଦୁଥାଆନ୍ତି ଏବଂ ବାପା ଓ ପ୍ରମୁଖଜଣକ ନିକଟରେ ଶୋକମଗ୍ନ ହୋଇ ବସିଥାନ୍ତି । ମାଜିଷ୍ଟ୍ରେଟ୍ ତହୁଁ ଧୀରେ ଧୀରେ କହିବାକୁ ଆରମ୍ଭ କଲେ: ମାଆ, ଆପଣଙ୍କର ପୁଅକୁ ଆମେ କଦାପି ଫେରାଇ ଆଣି ପାରିବୁ ନାହିଁ । କିନ୍ତୁ ଏହି ମୃତ୍ୟୁଟି ସକାଶେ କିଏ ଦାୟୀ ଆପଣ ଆମକୁ କହନ୍ତୁ ଏବଂ ଆମେ ନ୍ୟାୟ ଅବଶ୍ୟ ମିଳିବ ବୋଲି ଆପଣଙ୍କୁ ଜବାବ ଦେଉଛୁ ।

 

ମାଆ ଅତ୍ୟନ୍ତ କ୍ରୋଧର ସହିତ ଉତ୍ତର ଦେଲେ, ଖୁଣିମାନଙ୍କର ନାଆଁଗୁଡ଼ିକୁ ଆପଣଙ୍କୁ କହିଦେଲେ ମୋଟେ କୌଣସି ଲାଭ ହେବନାହିଁ । ପ୍ରତ୍ୟେକ ଥର ଖରଗୋନ୍ ସହରରେ ଦଙ୍ଗା ଲାଗିବା ମାତ୍ରକେ, ସେହି ଏକା ମଣିଷମାନେ ହିଁ ଅନ୍ୟମାନଙ୍କୁ ନେତୃତ୍ୱ ଦିଅନ୍ତି, ଲୁଟି କରନ୍ତି, ଘରେ ନିଆଁ ଲଗାଇ ଦିଅନ୍ତି ଏବଂ ହତ୍ୟା କରନ୍ତି । କିନ୍ତୁ ସେମାନଙ୍କର କେବେ ବି କିଛି ହୁଏନାହିଁ । ଗତ ଥର ଦଙ୍ଗାବେଳେ ଆମେ ତଥାପି କିଛି ଆଶା କରୁଥିଲୁ, କାରଣ ପୋଲିସ୍ ଆମର ବୟାନଗୁଡ଼ିକୁ ଲେଖି ନେଇଥିଲେ । ଆମେ ଚାରିଦିନ ଅପେକ୍ଷା କଲୁ, ମାତ୍ର ମୋଟେ କିଛି ଘଟିଲା ନାହିଁ । ଶେଷକୁ ପୋଲିସ ଆସିଲା ସତ, ମାତ୍ର ଆମ ତରଫରୁ ହିଁ କେତେକଙ୍କୁ ଗିରଫ କରି ନେଇଗଲା । ତେଣୁ, ଏଥର ବି କ’ଣ ହେବ ? ଆମର ଆଦୌ କିଛି ହେଲେ କହିବାକୁ ନାହିଁ ।

 

କିନ୍ତୁ, ଏଥର ନ୍ୟାୟ ଅବଶ୍ୟ ମିଳିବ ବୋଲି ମାଜିଷ୍ଟ୍ରେଟ୍ ଦୃଢ଼ ପ୍ରତିଶ୍ରୁତି ଦେଲେ ଓ ହତ୍ୟାକାରୀ ମାନଙ୍କର ନାଆଁଗୁଡ଼ିକୁ କହିଦେବା ଲାଗି ଚାପ ପକାଇଥିଲେ । ଶେଷକୁ ନାଆଁଗୁଡ଼ିକ ମଧ୍ୟ ମିଳିଗଲା: ସେହି ବ୍ୟକ୍ତିମାନଙ୍କ ଭିତରେ ଜିଲ୍ଲାର କେତେଜଣ ଅତ୍ୟନ୍ତ କ୍ଷମତାଶାଳୀ ଏବଂ ସମ୍ମାନସ୍ଥାନୀୟ ଲୋକଙ୍କର ନାମ ମଧ୍ୟ ରହିଥିଲା । ମାଜିଷ୍ଟ୍ରେଟ୍ ତା’ପରେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‍ଙ୍କୁ କହିଥିଲେ, ଶବଟିକୁ କବର ଦିଆଯିବା ପୂର୍ବରୁ ଆମେ ଚାଲନ୍ତୁ ଏହି ଅଭିଯୁକ୍ତମାନଙ୍କୁ ଯାଇ ଗିରଫ କରି ଆଣିବା ।

 

ମଧ୍ୟରାତ୍ରି ପରେ ଯାଇ ଶବଟି କବରିସ୍ଥାନକୁ ଆସିଲା,–ସେହି ସ୍ଥାନଟି ସହର ବାହାରେ ଏକ ବୁଦାଳିଆ ଅଞ୍ଚଳରେ ହିଁ ଅବସ୍ଥିତ ଥିଲା । ଥଣ୍ଡା ପଡ଼ିଥାଏ, ଆକାଶରେ ଜହ୍ନ ବି ନଥାଏ,–ଶବଟି ଯାଇ ଯଥାସ୍ଥାନରେ ପହଞ୍ଚିଥିଲା । ଗର୍ତ୍ତ ଖୋଳାଯାଇ ଶବଟିକୁ ତା’ ମଧ୍ୟକୁ ନିଆଯିବା ପୂର୍ବରୁ ହିଁ ପୋଲିସ୍ ଉଚ୍ଚତମ ହାକିମଙ୍କର ଜୀପ୍ ମଧ୍ୟ ଆସି ପହଞ୍ଚିଗଲା ଏବଂ ସିଏ ଟର୍ଚ୍ଚଲାଇଟ୍ ଧରି ଶୋକମଗ୍ନ ପରିବାର ପାଖରେ ଥିବା ମାଜିଷ୍ଟ୍ରେଟ୍‍ଙ୍କ ପାଖକୁ ଧାଇଁ ଯାଇଥିଲେ । ସଂବାଦ ଦେଇଥିଲେ ଯେ ସଂପୃକ୍ତ ସେମାନଙ୍କୁ ସମସ୍ତଙ୍କୁ ଇତିମଧ୍ୟରେ ଗିରଫ କରି ଅଣାଯାଇଛି ।

 

ଥାନାରେ ଥିବା ତମ୍ବୁକୁ ଦୁଇ ହାକିମ ଫେରିଗଲାବେଳକୁ ଭୋର ତିନିଟା ହୋଇ ଯାଇଥାଏ । ଦେହରୁ ପୋଷାକପତ୍ର ନ ଓହ୍ଲାଇ ହିଁ ସେମାନେ ସେହିଠାରେ ଲମ୍ବି ଯାଇଥିଲେ,–ଅନ୍ତତଃ କିଛି ସମୟ କିଞ୍ଚିତ୍ ଶୋଇ ପାରିବେ ବୋଲି । ମାତ୍ର ଦୁଇଘଣ୍ଟା ପରେ ସକାଳ ହୋଇ ଆସୁଥିବା ସମୟରେ ଥାନାର ଫାଟକ ପାଖରେ ଗୋଟାଏ ବଡ଼ ତୋଡ଼ଗୋଳ ଶୁଣି ସେମାନଙ୍କୁ ପୁନର୍ବାର ଉଠି ପଡ଼ିବାକୁ ହୋଇଥିଲା । ଆଖି ମଳି ମଳି ସେମାନେ ବାହାରକୁ ଅନାଇ ଶାସକ ଦଳର ସ୍ଥାନୀୟ ଏମ୍.ଏଲ୍.ଏ.ଙ୍କୁ ଦେଖିବାକୁ ପାଇଲେ; ଭଦ୍ରମହିଳା ଆପଣାର ଏକ ସମର୍ଥକଗୋଷ୍ଠୀକୁ ସାଙ୍ଗରେ ଧରି ସେଠାରେ ଆସି ପହଞ୍ଚି ଯାଇଥିଲେ । ସେମାନେ ସମସ୍ତେ କର୍ଫ୍ୟୁବେଳେ ଘରୁ ବାହାରିବା ଲାଗି ଅନୁମତିପତ୍ର ହାସଲ କରିଥାଆନ୍ତି ।

 

ଅନ୍ୟାୟ, ଘୋର ଅନ୍ୟାୟ, ଘୋର ଅନ୍ୟାୟ,–ବିଧାୟିକା ତାଙ୍କର ସମର୍ଥନକାରୀମାନଙ୍କ ସମେତ ବୋବାଳି ଦେବାରେ ଲାଗିଥାନ୍ତି । ଏହି ଅନ୍ୟାୟଟାକୁ କଦାପି ସହ୍ୟକରି ହେବନାହିଁ । ନିରୀହ ଲୋକମାନଙ୍କୁ ଗିରଫ କରି ନିଆଯିବ, ଆମେ ସେଥିଲାଗି ଆଦୌ ଅନୁମତି ଦେବୁନାହିଁ ।

 

ମାଜିଷ୍ଟ୍ରେଟ୍ ସାହେବ ତତ୍‍କ୍ଷଣାତ୍ ଘଟଣାଟିକୁ ପୂରା ବୁଝି ନେଇଥିଲେ । ସିଏ ମଧ୍ୟ ନିଜର କ୍ରୋଧ ସମ୍ବରଣ କରି ପାରିନଥିଲେ । ସେ ବିଧାୟିକାଙ୍କୁ ପ୍ରଶ୍ନ କଲେ, ଆପଣ ମୋତେ କହନ୍ତୁ ତ, ଆପଣ କେବଳ ଗୋଟିଏ ସମ୍ପ୍ରଦାୟର ପ୍ରତିନିଧି ନା ଏହି ସମୁଦାୟ ସହରଟିର ପ୍ରତିନିଧି-? ବିଗତ ମାତ୍ର କେଇଦିନ ସମୟରେ, ଯେତେବେଳେ ଶତ ଶତ ମୁସଲମାନଙ୍କୁ ଗିରଫ କରା ଯାଉଥିଲା, ମାଡ଼ ଦିଆ ଯାଉଥିଲା, ଦାଢ଼ି ଧରି ଟାଣି ନିଆ ଯାଉଥିଲା, ଏବଂ ଅପରାଧ କରିଥିବାର କୌଣସି ରେକର୍ଡ୍ ନଥିଲେ ମଧ୍ୟ ଜେଲ୍ ଭିତରେ ନେଇ ପୂରାଇ ଦିଆ ଯାଉଥିଲା, ସେତେବେଳେ ତ କୌଣସି ଅଭିଯୋଗ ହେଉନଥିଲା, ଆପଣଙ୍କଠାରୁ ମୁଁ ସେତେବେଳେ କ୍ଷୀଣତମ କୌଣସି ପ୍ରତିବାଦଟିଏ କେବେ ଶୁଣିବାକୁ ପାଇନଥିଲି । କିନ୍ତୁ, କାଲି ରାତିରେ, ଦଶଜଣ ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ଗିରଫ କରାଯାଇଛି ବୋଲି ଆପଣ ଦୁଇଘଣ୍ଟା ନଯାଉଣୁ ଏଠାକୁ ଦଳବଳ ନେଇ ଆସିଛନ୍ତି ଏବଂ ଅନ୍ୟାୟ ହୋଇଗଲା ବୋଲି କହି ପାଟି କରୁଛନ୍ତି ! ସେମାନେ ନରହତ୍ୟା କରିଛନ୍ତି ବୋଲି ଅଭିଯୋଗ ମିଳିଛି ।

 

ସିଏ ବିଧାୟିକାଙ୍କୁ ସାଙ୍ଗେ ସାଙ୍ଗେ ଥାନା ହତାରୁ ବାହାରକୁ ଚାଲି ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ବିଷୟରେ ଅଧିକ ଆଲୋଚନା କରିବାକୁ ମନା କରିଦେଲେ ।

 

ବିଧାୟିକାଙ୍କର ଏହି ଆଗମନକୁ ତ କେବଳ ଆରମ୍ଭ ବୋଲି ହିଁ କୁହାଯିବ । ଦିନଯାକ ଏତେ ଏତେ ରୂପର ସମ୍ମୁଖୀନ ହେବାକୁ ପଡ଼ିଲା,–ନିଜର ନାନା ବିକ୍ଷୋଭରେ ପୂରି ରହିଥିବା ଚାକିରି ସମୟଟି ମଧ୍ୟରେ ହୁଏତ ଆଉ କୌଣସି ଅବସରରେ ତାଙ୍କୁ କୌଣସି କାରଣରୁ ଦିନକ ମଧ୍ୟରେ, ସେତେ ଚାପର ସାମନା କରିବାକୁ ପଡ଼ିନଥିଲା । କ’ଣ ଗୋଟିଏ ଅବିହିତ କଥା କାହିଁକି ଘଟିଲା ବୋଲି ଜାଣିବାକୁ ମୁଖ୍ୟମନ୍ତ୍ରୀ ଟେଲିଫୋନ୍‍ କଲେ । ମାଜିଷ୍ଟ୍ରେଟ୍‍ ଜବାବ ଦେଇ କହିଥିଲେ ଯେ, ଯାହା ହୋଇଛି, ମୌଳିକ ନ୍ୟାୟ ସହିତ ସଂପୂର୍ଣ୍ଣ ସଙ୍ଗତି ରଖି ହିଁ ହୋଇଛି ଏବଂ ତେଣୁ ସେ ନିଜର ନିଷ୍ପତ୍ତିରେ ଆଉ କୌଣସି ପରିବର୍ତ୍ତନ କରିବାକୁ ଇଚ୍ଛା କରୁନାହାନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ଯେ ଆଉ କିଛି କହିନଥିଲେ, ସେଥିରେ ମାଜିଷ୍ଟ୍ରେଟ୍ ଖୁବ୍ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ, ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ସକାଳେ ପର୍ଯ୍ୟନ୍ତ, କ୍ରମେ ଅଧିକରୁ ଅଧିକ ଚାପ ପଡ଼ିବାକୁ ଲାଗିଥାଏ । ଜିଲ୍ଲାର ମନ୍ତ୍ରୀଙ୍କୁ ମଧ୍ୟ ମାଜିଷ୍ଟ୍ରେଟ୍ ଅଧିକ ଗୋଳ ନକରି ଚାଲି ଯିବାପାଇଁ ପରାମର୍ଶ ଦେଇଥିଲେ, କାରଣ ମହୋଦୟା ସୃଷ୍ଟି ହୋଇଥିବା ବିବାଦଟିକୁ ମୋଟେ ସହ୍ୟ କରି ପାରୁନଥିଲେ ।

 

ସେଦିନ ରାତି ବହୁତ ହୋଇଯିବା ପରେ,–ଏହି ବିକ୍ଷୁବ୍ଧ, ଅବସ୍ଥାଟି ସୃଷ୍ଟି ହେବାର ଆରମ୍ଭରୁ ହିଁ ସେମାନଙ୍କର ଦୈନନ୍ଦିତ ରୁଟିନ୍‍ଟି ଅନୁସାରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୋଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‍ ଏକତ୍ର ବସି ସେଦିନ କରାଯାଇଥିବା ଗିରଫ ଏବଂ ରିହାଇ ଗୁଡ଼ିକର ପର୍ଯ୍ୟାଲୋଚନା କରୁଥିଲେ । ଅତ୍ୟନ୍ତ କୁଣ୍ଠାର ସହିତ ଓ ବହୁତ ଗମ୍ଭୀର ଭାବରେ ବିଚାର କରି ଥାନାର ଭାରପ୍ରାପ୍ତ ଅଫିସର ମାଜିଷ୍ଟ୍ରେଟ୍‍ଙ୍କ ପାଖରେ ପ୍ରକାଶ କରି ଦେଇଥିଲେ ଯେ, ସେହି ପୂର୍ବଦିନ ରାତିରେ ଗିରଫ ହୋଇ ଆସିଥିବା (ଯେଉଁଥିରୁ କି ମସ୍ତ ମସ୍ତ ଏତେ ପ୍ରତିବାଦର ଉକୁ ହୋଇଥିଲା) ଦଶଜଣ ଲୋକ ସେଦିନ ସକାଳେ କୋର୍ଟରୁ ଆସିଥିବା ଏକ ଅର୍ଡର୍‍ ବଳରେ ଖଲାସ କରି ଦିଆଯାଇଛି । ଆଉ କେତେକ ପ୍ରଶ୍ନ ପଚରାଯିବାରୁ ଜଣା ମଧ୍ୟ ପଡ଼ିଥିଲା ଯେ, ପୋଲିସ୍ ତରଫରୁ ସେମାନଙ୍କୁ ହତ୍ୟା, ଘରପୋଡ଼ି ଓ ଦଙ୍ଗା କରିଥିବାର ଅଭିଯୋଗରେ ଅଭିଯୁକ୍ତ କରା ଯାଇନାହିଁ,–ନିତାନ୍ତ ସାମାନ୍ୟ ଅର୍ଥାତ୍ ସବୁଠାରୁ କମ୍ ଗମ୍ଭୀର ଅପରାଧ,–କର୍ଫ୍ୟୁର କଟକଣାକୁ ଅମାନ୍ୟ କରିଥିବା ଅପରାଧରେ ଅଭିଯୁକ୍ତ କରାଯାଇଛି । ଏବଂ, ସେମାନଙ୍କ ଉପରେ ପଚାଶଟଙ୍କା ଲେଖାଏଁ ଜୋରିମାନାର ଆଦେଶ ଦେଇ କୋର୍ଟ ସେମାନଙ୍କୁ ଖଲାସ କରି ଦେଇଛି ।

 

ମାଜିଷ୍ଟ୍ରେଟ୍ ବିଚରା ନିଜ ଜୀବନରେ ଆଉ କେବେହେଲେ ଏତେ କ୍ରୋଧାନ୍ୱିତ ହୋଇନଥିଲେ । ସାଧାରଣତଃ ପୂର୍ଣ୍ଣ ସଂଯମ ଅବଲମ୍ବନ କରି ଆସିଥିବା ଏହି ଅଫିସର୍‌ଙ୍କୁ ଗର୍ଜନ କରି ଉଠିବାର ଦେଖି ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ; ପୋଲିସ କିପରି ବିଶ୍ୱାସଘାତକତା କରିଛି ଏବଂ ଖୋଲାଖୋଲି ଏକ ଅନ୍ୟାୟକାର୍ଯ୍ୟରେ ଭାଗୀ ହୋଇଛି, ଏବଂ ତେଣୁ ସେମାନଙ୍କର ପୋଲିସ୍‌ର ପରିଚ୍ଛଦ ପିନ୍ଧିବା ନିମନ୍ତେ ମଧ୍ୟ କୌଣସି ଯୋଗ୍ୟତା ନାହିଁ, ମାଜିଷ୍ଟ୍ରେଟ୍ ମହୋଦୟ ବଡ଼ ପାଟି କରି ସେହିସବୁ କଥା କହୁଥାଆନ୍ତି । ସିଏ ଚେତାଇ ଦେଇ କହିଥିଲେ ଯେ, ଯଦି ଘଣ୍ଟାକ ମଧ୍ୟରେ ସେହି ଦଶଜଣ ବ୍ୟକ୍ତିଙ୍କୁ ପୁନର୍ବାର ଗିରଫ କରି ଅଣା ନଯିବ, ତେବେ ସିଏ କଦାପି ସେମାନଙ୍କ ପିଛା ଛାଡ଼ିବେ ନାହିଁ । ତହୁଁ ପୋଲିସ ଅମଲାମାନେ ତତ୍‍କ୍ଷଣାତ୍ ସହରକୁ ଧାଇଁ ଯାଇଥିଲେ ଏବଂ ଅଭିଯୁକ୍ତ ସେହି ଦଶ ମୂର୍ତ୍ତିଙ୍କୁ ପୁନର୍ବାର ଗିରଫ କରି ଅଣା ଯାଇଥିଲା । ଏଥର ମାଜିଷ୍ଟ୍ରେଟ୍‍ ଓ ପୋଲିସ୍ ଉଚ୍ଚକର୍ତ୍ତା ସ୍ଵୟଂ କୋର୍ଟରେ ଉପସ୍ଥାପିତ ହେବାକୁ ଥିବାର ଯାବତୀୟ କାଗଜପତ୍ରକୁ ପ୍ରସ୍ତୁତ କରିଥିଲେ ।

 

ତଥାପି, ଏଥର ଉପର ନ୍ୟାୟାଳୟ ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କୁ ଜାମିନରେ ଖଲାସ କରି ଦେଇଥିଲା । ଅଥଚ, ବୋମା ଫିଙ୍ଗିଥିବାର ଅଭିଯୋଗରେ ଗିରଫ ହୋଇଥିବା ମୁସଲମାନମାନଙ୍କୁ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଜାମିନ୍ ମିଳି ପାରୁନଥିଲା । ମାଜିଷ୍ଟ୍ରେଟ୍ ଜିଲ୍ଲା ଜଜ୍‍ଙ୍କୁ ସାକ୍ଷାତ କରିଥିଲେ ଏବଂ କହିଥିଲେ, ବିଚାରାଳୟର ନିଷ୍ପତ୍ତି ଗୁଡ଼ିକରେ ମୁଁ କେବେହେଲେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରି ନାହିଁ । କିନ୍ତୁ ଏହି କ୍ଷେତ୍ରରେ,–ଏକା ଦଙ୍ଗ, ଏକା ଅପରାଧମାନ ଏବଂ ଅଭିଯୋଗ ଗୁଡ଼ିକର ମଧ୍ୟ ସେହି ଏକା ଦଫା,–ତେବେ ଦୁଇଟି ସଂପ୍ରଦାୟର ବ୍ୟକ୍ତିମାନଙ୍କ ପାଇଁ ଖୋଲାଖୋଲି ଭାବରେ ଏପରି ଅଲଗା ଅଲଗା ଦୁଇଟା ମାନଦଣ୍ଡ କିପରି ରହିପାରିବ ? ଏହା ଆଦୌ ଏକ ମାମୁଲି କଥା ନୁହେଁ-ଆମ ଦେଶର ନ୍ୟାୟବ୍ୟବସ୍ଥା ଉପରେ ଏକ ସମୁଦାୟ ସମ୍ପ୍ରଦାୟର ଆସ୍ଥାର ପ୍ରଶ୍ନଟି ହିଁ ଏଥିରେ ଜଡ଼ିତ ହୋଇ ରହିଛି ।

 

କିନ୍ତୁ ଜିଲ୍ଲା ଜଜ୍ ମହାଶୟ ମାଜିଷ୍ଟ୍ରେଟ୍‍ଙ୍କ ସହିତ ପ୍ରସଙ୍ଗଟି ବିଷୟରେ ଆଲୋଚନା କରିବାକୁ ହିଁ ସମ୍ମତ ହୋଇନଥିଲେ ।

 

ଘର ଘର ଅନୁସନ୍ଧାନ କରୁଥିବା ସମୟରେ ମୁସଲିମ୍ ବସ୍ତିମାନଙ୍କରେ କରା ଯାଇଥିବା ଅତିରିକ୍ତ ଆଚରଣଗୁଡ଼ିକ ବିଷୟରେ ମଧ୍ୟ ଅଭିଯୋଗମାନ ଆସୁଥାଏ । ମାଜିଷ୍ଟ୍ରେଟ୍ ସ୍ଵୟଂ ସେହି ପରିବାରମାନଙ୍କୁ ଯାଇ ଦେଖି ପାରିଥିଲେ ଯେ, ସତେ ଯେପରି ସେହିସବୁ ଘର ଉପରେ ପ୍ରକୃତରେ ଏକ ପ୍ରବଳ ଝଡ଼ତୋଫାନ ହିଁ ବୋହି ଯାଇଥିଲା । ଘରମାନଙ୍କରେ ଥିବା ଆସବାବଗୁଡ଼ିକୁ ଭାଙ୍ଗିରୁଜି ଦିଆ ଯାଇଥିଲା, ଅନୁସନ୍ଧାନକାରୀ ଦଳମାନେ ସବୁକିଛିକୁ ନଷ୍ଟ କରି ଦେଇଥିଲେ ଅଥବା ନିଆଁ ଲଗାଇ ଦେଇଥିଲେ । ଦୂରଦର୍ଶନ, ରେଡ଼ିଓ, ଶେଯ ଓ ବିଛଣାପତ୍ର, ଆସବାବ ଓ ଅନ୍ୟାନ୍ୟ ଯାବତୀୟ ଦ୍ରବ୍ୟ, ଆଦୌ କିଛି ହେଲେ ବାକି ରଖିନଥିଲେ । ପ୍ରାୟ ସତୁରି ବର୍ଷରୁ ଉର୍ଦ୍ଧ୍ୱ ବୟସର ଜଣେ ବୃଦ୍ଧା ନିଜର କମିଜ ଏବଂ ସାଲ୍‍ଓ୍ୱାରକୁ ଟେକିଦେଇ ତାଙ୍କ ଶରୀର ଉପରେ କାନ୍ଧରୁ ଆଣ୍ଠୁ ପର୍ଯ୍ୟନ୍ତ ଲାଠି ପ୍ରହାର ହୋଇଥିବା ହେତୁ ଗଭୀର ଦାଗମାନ ହୋଇ ଯାଇଥିବା ଥାନଗୁଡ଼ିକୁ ମଧ୍ୟ ଦେଖାଇଥିଲେ । ଏଥିରେ ସଂପୃକ୍ତ ଦୋଷୀ ପୋଲିସ୍ ସିପାହୀଟିର ବିରୁଦ୍ଧରେ କଠୋର ଶାସ୍ତିବ୍ୟବସ୍ଥା ହେବାଲାଗି ମାଜିଷ୍ଟ୍ରେଟ୍ ଆଦେଶ ଦେଲେ ଏବଂ, ତା’ପରେ ଏଭଳି ଅଭିଯୋଗମାନ ଆଉ ଶୁଣିବାକୁ ମିଳି ନଥିଲା ।

 

ଏହିପରି ଏକାଧିକ ରାତ୍ରି ବିତିଯିବା ପରେ, ଯେତେବେଳେ ସମସ୍ତ ସହରଟିକୁ ପୁନର୍ବାର ଶାନ୍ତି ଫେରି ଆସିଲା, ସେତେବେଳେ ମଧ୍ୟ ଗୋଟିଏ ମହଲ୍ଲାରୁ ସେହି ଗୋଟିଏ ପ୍ରକାରର ସମ୍ବାଦ ଆସି ପହଞ୍ଚିବାରେ ଲାଗିଥାଏ-ଖବର ଆସୁଥାଏ ଯେ ପାଖରେ ଥିବା ଏକ ମସଜିଦ୍‍ରୁ ତଥାପି ଟେକାପଥର ବୃଷ୍ଟି ହେଉଛି । ସଂପୃକ୍ତ ବାସିନ୍ଦାମାନଙ୍କର ମନରେ ଅତ୍ୟନ୍ତ ରୋଷ ଜାତ ହୋଇଥିଲା । ଦେଖ, ଏହି ଲୋକଗୁଡ଼ାକ ପ୍ରକୃତରେ କେଡ଼େ ସାଂଘାତିକ,–ସେମାନେ କହିବାକୁ ଲାଗିଲେ । ଏତେ ଏତେ କଥା ଘଟିଯିବା ପରେ ମଧ୍ୟ ସେମାନେ କାହିଁକି ଶାନ୍ତିକୁ ଫେରି ଆସିବାକୁ ଦେଉନାହାନ୍ତି ?

 

ଅବଶ୍ୟ ମସଜିଦ୍‍ଟି ସେମାନଙ୍କର ବାସଗୃହ ଗୁଡ଼ିକଠାରୁ ଯେତେ ଦୂରରେ ଅବସ୍ଥିତ ଥିଲା, ସେଥିରେ ତେଣୁ ଫିଙ୍ଗା ହେଉଥିବା ଟେକାପଥର କଦାପି ଏତେବାଟ ଅତିକ୍ରମ କରି ଏଯାଏ ଆସିବନାହିଁ, ତଥାପି ଏହି ମହଲ୍ଲାର ବାସିନ୍ଦାମାନେ ମୋଟେ କୌଣସି କଥା ଶୁଣି ନଥିଲେ, କାରଣ ଏକ ଅବିବେକ ହିଁ ସେମାନଙ୍କୁ ଅନ୍ଧ କରି ରଖିଥିଲା । ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି କ୍ଷେତ୍ରରେ ଏକ ସମାଧାନ ସମ୍ଭବ କରିବାକୁ ଚେଷ୍ଟା କଲେ ଏବଂ ବେଶ୍ ହାଲୁକା ଭାବରେ ପ୍ରସ୍ତାବ କରିଥିଲେ ଯେ, ଯଦି ଏପାଖରେ ମସଜିଦ୍‍ ଉପରେ ଛିଡ଼ା ହୋଇ ଯଦି ଲୋକମାନେ ଅଧ କିଲୋମିଟର ଦୂରରେ ଥିବା କୌଣସି ବସ୍ତୁ ଉପରେ ଟେକା ଫୋପାଡ଼ି ବଜାଇ ଦେଇ ପାରନ୍ତି,–ବଙ୍କା ଢଙ୍କା ହୋଇ ରହିଥିବା ଗଳିବାଟରେ ମଧ୍ୟ ଅଧ କିଲୋମିଟର,–ତେବେ ସେମାନଙ୍କର ନାମକୁ ନିଶ୍ଚୟ ଓଲିମ୍ପିକ୍ ସଂଗଠନକୁ ପଠାଇ ଦିଆଯିବ । ମାତ୍ର ମହଲ୍ଲାର ଲୋକେ ନା ସେହି ବ୍ୟଙ୍ଗଟିକୁ ମଧ୍ୟ ବୁଝିପାରିଲେ ଅଥବା ନିଜର ଭ୍ରମଟିକୁ ହୃଦୟଙ୍ଗମ କଲେ । ଏହାଫଳରେ ପୁନର୍ବାର ଉତ୍ତେଜନା ବୃଦ୍ଧି ପାଇଲା ଏବଂ ଏକ ବିସ୍ପୋଟନର ଆଶଙ୍କା ମଧ୍ୟ ଆସି ପହଞ୍ଚି ଯାଇଥିଲା ।

 

ଗୋଟିଏ ହିନ୍ଦୁ ସାମ୍ପ୍ରଦାୟିକ ସଂସ୍ଥାର ଜଣେ ସଦସ୍ୟ,–ସେହି ମହଲ୍ଲାର ଜଣେ ବୟୋଜ୍ୟେଷ୍ଠ ଅଧିବାସୀଙ୍କ ଉପରେ ପୋଲିସ୍ ଉଚ୍ଚତମ କର୍ତ୍ତାଙ୍କର ସନ୍ଦେହ କ୍ରମେ ଘନୀଭୂତ ହୋଇ ଆସୁଥିଲା । ଇଏ ଆପଣାର ଯୁବାକାଳରୁ ହିଁ ଉକ୍ତ ସଂସ୍ଥାଟିର ସଦସ୍ୟ ଥିଲେ । ମାତ୍ର, ତାଙ୍କ ପାଖରେ ଏବିଷୟରେ କୌଣସି ପ୍ରମାଣ ନଥିଲା । ହଠାତ୍ ଦିନେ ରାତିରେ ଦୁଇ ହାକିମ ସବୁଦିନ ପରି ପ୍ରାୟ ଭୋର ତିନିଟା ସମୟରେ ସେହି ମହଲ୍ଲାରେ ଆସି ପହଞ୍ଚି ପଥରଟେକା ଭିତରେ ଗୋଟିଏ ଭଙ୍ଗା କପ୍ ଦେଖିବାକୁ ପାଇଥିଲେ । ତା’ପରେ, କୌଣସି ପୂର୍ବସୂଚନା ନଦେଇ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‍ ସିଧା ସେହି ପ୍ରୌଢ଼ ବ୍ୟକ୍ତିଙ୍କର ଘର ଭିତରେ ଯାଇ ପଶି ଯାଇଥିଲେ ଏବଂ ଉକ୍ତ ଭଙ୍ଗା କପ୍‍ଟିର ଅନୁରୂପ ଆହୁରି ପାଞ୍ଚଟି କପ୍ ଆବିଷ୍କାର କରିଥିଲେ । ସେହି ଘରର ଉପର ମାହାଲାରେ ହାକିମ ଯାହା ଦେଖିବାକୁ ପାଇଲେ, ସେଥିରେ ସିଏ ନିଜର ଆଖିକୁ ମଧ୍ୟ ବିଶ୍ଵାସ କରି ପାରିନଥିଲେ । ସେଠାରେ ଶୋଇବାଘରର ଖିଡ଼ିକି ପାଖରେ ଗୋଟାଏ ବଡ଼ ଟ୍ରଙ୍କ୍ ରଖା ହୋଇଥିଲା ଓ ସେଥିରେ ପଥରଟେକା ଭର୍ତ୍ତି ହୋଇ ରହିଥିଲା । ପାଖପଡ଼ିଶାରେ ସମସ୍ତେ ଶୋଇପଡ଼ିବା ପରେ ଏହି ପ୍ରୌଢ଼ବ୍ୟକ୍ତି ଜଣକ ପ୍ରତିଦିନ ରାତିରେ ସେହି ଉପର ମାହାଲାକୁ ଯାଉଥିଲେ ଏବଂ ସେହିଠାରେ ଥାଇ ପଡ଼ୋଶୀ ଘରଗୁଡ଼ିକର ଝରକାମାନଙ୍କୁ ଲକ୍ଷ୍ୟ କରି ପଥର ଫିଙ୍ଗୁଥିଲେ । ପଥରମାଡ଼ ହେବାପରେ ଯହୁଁ ପଡ଼ୋଶୀମାନେ କ୍ରୋଧାନ୍ୱିତ ଭାବରେ ବାହାରକୁ ଆସି ଜମା ହୋଇ ଯାଉଥିଲେ, ସେତେବେଳେ ସିଏ ଚିତ୍କାର କରି କହୁଥିଲେ,–ଏହି ମ୍ଳେଚ୍ଛମାନଙ୍କୁ ଦେଖୁଛଟି, ଏତେ ଏତେ ଘଟଣା ଘଟିଯିବା ପରେ ମଧ୍ୟ ସେମାନେ ତଥାପି ଆମ ମହଲ୍ଲାକୁ ପଥର ପକାଇବାରେ ଲାଗିଛନ୍ତି !

 

ମାତ୍ର, ସମ୍ଭବତଃ ଜିଲ୍ଲା ମାଜିଷ୍ଟ୍ରେଟ୍ ମଧ୍ୟ ସବାଆଗ ଜଣେ ଯୁବକର କଥା ହିଁ ଭାବୁଥିଲେ, ଯାହାର ସାଧାରଣ ଚାଳଘରଟି ଦଙ୍ଗା ସମୟରେ ନିଆଁ ଲାଗି ଜଳି ଯାଇଥିଲା । ସେହି ଘଟଣାର କେଇଦିନ ପରେ, ଯେତେବେଳେ କେତେକ ପରିମାଣରେ ସହରକୁ ଏକ ସାଧାରଣ ଅବସ୍ଥା ଫେରି ଆସିଥିଲା, ଦିନେ ସ୍ଵୟଂ ମାଜିଷ୍ଟ୍ରେଟ୍ ପୋଡ଼ି ଯାଇଥିବା ଘର ତଥା ଆସବାବପତ୍ର ଗୁଡ଼ିକର ଧ୍ୱଂସାବଶେଷ ଭିତରେ ବସି ତା’ ସହିତ ଓ କ୍ଷତିଗ୍ରସ୍ତ ଅନ୍ୟମାନଙ୍କ ସହିତ ଏକତ୍ର କଥାବାର୍ତ୍ତା ହେଉଥିଲେ । ଆପଣାର ସମ୍ଭାବ୍ୟ ସକଳ ପ୍ରତ୍ୟୟ ଦେଇ ମାଜିଷ୍ଟ୍ରେଟ୍ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଏହିସବୁ କ୍ଷତି ନିମନ୍ତେ ସେମାନେ ଆଉ ମୋଟେ ଚିନ୍ତା କରିବେ ନାହିଁ, କାରଣ ଆମେ ତୁମମାନଙ୍କର ଘରଗୁଡ଼ିକୁ ପୁଣି ତିଆରି କରିଦେବୁ ଏବଂ ସବୁକିଛି ପୁନର୍ବାର ନିଶ୍ଚୟ ସଜାଡ଼ି ହୋଇଯିବ ।

 

ତାଙ୍କର କଥାଗୁଡ଼ିକୁ ଶୁଣୁଥିବା ସମୟରେ ଯୁବକଟି ଆଦୌ ଧୈର୍ଯ୍ୟ ଧରି ରହି ପାରିନଥିଲା, ଭାରି କଇଁ କଇଁ ହୋଇ ସାନ ପିଲାଟିଏ ପରି କାନ୍ଦିବାକୁ ଲାଗିଲା, ମୋଟେ ତୁନି ହୋଇ ପାରିଲାନାହିଁ । ତାହାର ବ୍ୟାକୁଳ କ୍ରନ୍ଦନରେ ପ୍ରତିବିଦ୍ଧ ହୋଇ ମାଜିଷ୍ଟ୍ରେଟ୍‍ଙ୍କର ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇ ଉଠିଥିଲା । ଲୋକଟି ପରିଶେଷରେ କହୁଥାଏ, ଆମର ଏହି ସହରରେ ଯେତେଥର ଦଙ୍ଗା ଲାଗୁଛି, ସବୁଥର ହିଁ ମୋ’ର ଏହି ଘରଟିରେ ନିଆଁ ଲାଗୁଛି । କେଡ଼େ କଷ୍ଟରେ ମୁଁ ପୁନର୍ବାର ଘରଟିକୁ ତିଆରି କରୁଛି ଏବଂ ତାହା ପୁନର୍ବାର ନିଆଁ ଲାଗି ଭସ୍ମ ହୋଇ ଯାଉଛି । ଆଜ୍ଞା, ଆପଣ କହନ୍ତୁ ତ, ଆପଣ ଏମିତି କେତେଥର ମୋର ଏହି ଘରଟିକୁ ତିଆରି କରୁଥିବେ ?

 

ଦଙ୍ଗା ପ୍ରପୀଡ଼ିତ ଲୋକଙ୍କର ଜୀବନକୁ ପୁନର୍ବାର ଟାଣ ଭରସାଟିଏ ଆଣି ଦେବାରେ ତାଙ୍କର କ୍ଷମତା ଭିତରେ ଯାହାକିଛି ସମ୍ଭବ, ତାହା ସିଏ ଅବଶ୍ୟ କରିବେ ବୋଲି ମାଜିଷ୍ଟ୍ରେଟ୍ ପୁଣି ଥରେ ଦୃଢ଼ ଜବାବ ମଧ୍ୟ ଦେଇଥିଲେ । ସେ ସାମ୍ପ୍ରଦାୟିକ ଦଳଗୁଡ଼ିକର ସ୍ଥାନୀୟ ନେତାମାନଙ୍କୁ ଏକତ୍ର କରାଇ କହିଥିଲେ,–ଦଙ୍ଗାସବୁ ଲାଗିଥିବା ସମୟରେ ଅନ୍ୟ ସମ୍ପ୍ରଦାୟସ୍ଥ ଲୋକମାନଙ୍କର ଜୀବନ ତଥା ସମ୍ପତ୍ତିକୁ ନଷ୍ଟ କରିଦେବାର ଚେଷ୍ଟା କରିବା ଯେ ଆପଣମାନଙ୍କର ଏକମାତ୍ର ଲକ୍ଷ୍ୟ ନୁହେଁ, ସେକଥା ମୋତେ ସର୍ବଦା ଜଣାଅଛି । ଏହିସବୁ ନିଦାରୁଣ କ୍ଷତି ହେତୁ ଅସହାୟ ଭାବରେ ଯାତନା ଭୋଗ କରୁଥିବା ସମୟରେ ଆପଣମାନେ ସେମାନଙ୍କର ଘାଆଗୁଡ଼ିକ ପାଚି ତଥାପି ପୂଜ ବାହାରୁଥାଉ ବୋଲି ମଧ୍ୟ ଆପଣମାନେ ତଥାପି ଇଚ୍ଛା କରୁଥାନ୍ତି । ଏହି କ୍ଷେତ୍ରରେ ମୁଁ ଆପଣମାନଙ୍କୁ ଏକ ଚୁନୌତି ଦେବାପାଇଁ ଇଚ୍ଛା କରୁଛି । ଆପଣମାନେ ଯେଉଁମାନଙ୍କର ପ୍ରାଣହାନି ଘଟାଇଛନ୍ତି, ସେମାନଙ୍କୁ ମୁଁ କଦାପି ଫେରାଇ ଆଣି ପାରିବି ନାହିଁ । ମାତ୍ର ମୁଁ ତଥାପି ଜବାବ ଦେଉଛି ଯେ, ଯେଉଁମାନେ ଏବେ ପ୍ରାଣ ଧରି ରହିଛନ୍ତି, ସେମାନେ ପୂର୍ବାପେକ୍ଷା ଏହାପରେ ସେ ଅନେକ ଅଧିକ ଉତ୍ତମ ଅବସ୍ଥାରେ ରହିବେ, ଜିଲ୍ଲା ପ୍ରଶାସନ ସେଥିଲାଗି ଏକ ଦୃଢ଼ ପ୍ରତିଶ୍ରୁତି ଅବଶ୍ୟ ପ୍ରଦାନ କରିବ ।

 

ଏବଂ ସେହି କାରଣରୁ, ଯେଉଁ ଯୁବକଟି ସେଦିନ ଅଧୀର ଭାବରେ ଏତେ କାନ୍ଦିଥିଲା, ଏବଂ ସେହି ପୁରାତନ ବସ୍ତିମାନଙ୍କରେ ବାସ କରୁଥିବା ଦରିଦ୍ର ବାସିନ୍ଦାଗଣ, ଯେଉଁମାନେ କି ସେମାନଙ୍କର ସାମାନ୍ୟ ସଂସାରଟିକୁ ନିଆଁ ଲଗାଇ ଭସ୍ମ କରିଦେବା ନିମନ୍ତେ ପରବର୍ତ୍ତୀ ଦାରୁଣ ଅବସରଟିଏ ପୁଣି କେବେ ପ୍ରଜ୍ଜ୍ୱଳିତ ହୋଇ ଉଠିବ ବୋଲି ନିରନ୍ତର ଆତଙ୍କିତ ଚିତ୍ତରେ କାଳାତିପାତ କରୁଥାଆନ୍ତି, ଜିଲ୍ଲା ମାଜିଷ୍ଟ୍ରେଟ୍ ସେମାନଙ୍କ ଆଗରେ ସହରର ନୂଆ ଅଞ୍ଚଳଟିରେ ଯାଇ ବାସ କରିବା ନିମନ୍ତେ ଗୋଟିଏ ପ୍ରସ୍ତାବ ଦେଇଥିଲେ । ଏଠାରେ ନୂଆ କରି ଭିନ୍ନ ଭିନ୍ନ ସମ୍ପ୍ରଦାୟ ଏକାଠି ହୋଇ ବାସ କରିବାର ବସତିଗୁଡ଼ିକର ଯୋଜନା କରା ହୋଇଥିଲା, ଯେଉଁଠାରେ କି ସେମାନେ ନିରାପଦ ରହି ପାରିବେ । ଏଥିରେ ବହୁସଂଖ୍ୟକ ଲୋକେ ରାଜି ହୋଇଗଲେ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ସେହି ଉଦ୍ଦେଶ୍ୟରେ ଆବଶ୍ୟକ ଭୂମିର ଅଧିଗ୍ରହଣ କରି ପ୍ଲଟ୍‍ଗୁଡ଼ିକ ଲୋକମାନଙ୍କ ଭିତରେ ବାଣ୍ଟି ଦେଇଥିଲା । ସେମାନେ ନିଜ ନିଜର ନୂଆ ଘରଟିକୁ ତିଆରି କରି ରହିବେ ବୋଲି ସେମାନଙ୍କ ପାଇଁ ଅର୍ଥ ତଥା କରଜ ମଧ୍ୟ ମଞ୍ଜୁର କରି ଆଣିଥିଲା । ଯେଉଁସବୁ ପରିବାରରୁ ରୋଜଗାର କରୁଥିବା ବ୍ୟକ୍ତିଟିର ପ୍ରାଣହାନି ଘଟିଥିଲା, ଅଥବା ଯେଉଁମାନେ ନିଜେ ଅବଲମ୍ବନ କରି ଆସିଥିବା ଅନ୍ୟ ଧନ୍ଦା ବା ଉପାୟଗୁଡ଼ିକୁ ହରାଇଥିଲେ, ତାହା ହୁଏତ ସହରର ଉପକଣ୍ଠରେ ଭଡ଼ାରେ ଖୋଲା ହୋଇଥିବା ଏକ ଭଙ୍ଗା ଫୁଟା ଅସ୍ଥାୟୀ ଢାବା ବ୍ୟତୀତ ଆଦୌ ଅଧିକ କିଛି ନଥିଲା-ସେମାନଙ୍କୁ ସହରର କେନ୍ଦ୍ରସ୍ଥଳରେ ଅତ୍ୟନ୍ତ ଲାଭଜନକ ବ୍ୟବସାୟ-ସ୍ଥାନମାନ ଯୋଗାଇ ଦିଆଗଲା, ସେଠାରେ ପକ୍କା ଘର ତିଆରି କରି ଦିଆଗଲା ଏବଂ ସେହି ଲୋକମାନେ ହିଁ ସେଗୁଡ଼ିକର ସ୍ୱତ୍ୱାଧିକାରୀ ଭାବରେ ସ୍ଵୀକୃତ ହେଲେ ।

 

ଏହି ସମୟରେ ସରକାର ବଦଳି ଯାଇଥିଲା ଏବଂ, ଆଗରୁ ଯେପରି ଅନୁମାନ କରା ଯାଉଥିଲା, ଜିଲ୍ଲା ମାଜିଷ୍ଟ୍ରେଟ୍ ମଧ୍ୟ ଆଉଗୋଟିଏ ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ । ପୁଣି କେତେବର୍ଷ ପରେ, ରାଜ୍ୟର ସଦର ମହକୁମାରେ ଆଉ ଏକ ପଦରେ ଅଧିଷ୍ଠିତ ହୋଇ ସେ ପୁନର୍ବାର ଖରଗୋନ୍ ସହରକୁ ପରିଦର୍ଶନରେ ଆସିବାର ଏକ ସୁଯୋଗ ଲାଭ କରିଥିଲେ । ସନ୍ଧ୍ୟା ସମୟରେ ହୃଦୟ ମଧ୍ୟରେ କେତେ ନା କେତେ ଭାବନା ନେଇ ସେ ସହରର ସେହି ନୂତନ ଅଞ୍ଚଳଟିକୁ ଯାତ୍ରା କରିଥିଲେ ଏବଂ ଏକଦା ବିଗତ ପ୍ରତ୍ୟେକ ଦଙ୍ଗାରେ ତା’ର ଘରଟି ବାରମ୍ବାର ପୋଡ଼ି ଭସ୍ମ ହୋଇ ଯାଇଥିବାରୁ କେଡ଼େ ବିକଳ ହୋଇ କାନ୍ଦିଥିବା ସେହି ଯୁବକଟିକୁ ମଧ୍ୟ ଭେଟିଥିଲେ । ୧୯୯୨ ମସିହା ଡିସେମ୍ବର ମାସରେ ବାବ୍ରୀ ମସଜିଦ୍‌କୁ ଭାଙ୍ଗି ଦିଆଯିବା ସମୟରେ ଯେତେବେଳେ ଖରଗୋନରେ ମଧ୍ୟ ଦଙ୍ଗାର ଉତ୍ପାତ ଘଟିଲା, ସେତେବେଳେ ତା’ର ମଧ୍ୟ କ’ଣସବୁ ହେଲା ବୋଲି ମାଜିଷ୍ଟ୍ରେଟ୍ ତାକୁ ପଚାରିଲେ । ଧୀର ଓ ଶାନ୍ତ ମୁଦ୍ରାରେ ଲୋକଟି ଉତ୍ତର ଦେଇଥିଲା, ଜୀବନରେ ସର୍ବପ୍ରଥମ ଥର ନିମନ୍ତେ ଏପରି ହେଲା ଯେ, ଏହି ସହରର ଦଙ୍ଗା ହେଲା, ଅଥଚ ମୁଁ ନିରାପଦ ରହିପାରିଲି ।

 

ସେହି ବିଗତ ଦିବସର ସନ୍ଧ୍ୟା ସମୟରେ ଯେଉଁ ଯୁବକଟିର ଗାଲଦୁଇଟି ଅଶ୍ରୁଧାରରେ ଭିଜି ଯାଇଥିଲା, ଏହି ନୂଆ ବାସଗୃହଟିର ଯୁବା ଅଧିବାସୀଟି ତା’ଠାରୁ ପ୍ରକୃତରେ ଜଣେ ଭିନ୍ନ ମଣିଷ ହିଁ ଥିଲା ।

☆☆☆

 

ବିପନ୍ନ ବସତି

 

ସମୁଦ୍ର ଉପକୂଳରେ ଅବସ୍ଥିତ ଅତ୍ୟୁନ୍ନତି ସହରଟିଏ ହେଉଛି ଟେନାଲି, ଆନ୍ଧ୍ର ପ୍ରଦେଶର ଗୁଣ୍ଡୁର ଜିଲ୍ଲାରେ । ଏବଂ, ସେହି ସହରର ଗୋଟିଏ ଧାରକୁ ଆମେ ମାଟି କାନ୍ଥ ଓ ଚାଳ ଛପର ଥିବା କେତୋଟି ବାସଗୃହର ଏକ ସମଷ୍ଟି ଦେଖିବାକୁ ପାଇଥାଉଁ । ଘରଗୁଡ଼ିକ ଗୋଟିଏ ବହୁ କୁଦ ଥିବା ଜାଗାରେ ତିଆରି କରାହୋଇଛି ଏବଂ କୁଦଗୁଡ଼ିକର ଚାରିପାଖ ଘେରି ସହରଯାକର ଆବର୍ଜନା ଯାଇ କୁଢ଼ କୁଢ଼ ହୋଇ ଜମା ହୋଇଛି, ଭାରି କଳା କିଟିକିଟି ଦିଶୁଛି ।

 

ସେହି ବସତିଟିରେ ହଠାତ୍ ଯାଇ ପହଞ୍ଚି ଯାଇଥିବା ଜଣେ ବ୍ୟକ୍ତିକୁ ସହରର ଅନ୍ୟ ବସ୍ତିଗୁଡ଼ିକଠାରୁ ତାହା ଭିନ୍ନ ବୋଲି ଆଦୌ ଅନୁଭବ ହେବନାହିଁ । ସହରଟିର ଚଉଠକରୁ ଅଧିକ ମନୁଷ୍ୟ ଏହି ବସ୍ତିଗୁଡ଼ିକରେ ହିଁ ବାସ କରୁଛନ୍ତି । କିନ୍ତୁ, ଆବର୍ଜନା ଗଦା ହୋଇଥିବା ଅଞ୍ଚଳଗୁଡ଼ିକୁ ପାରି ହୋଇ ଯଦି ସତକୁ ସତ ସେହି ବାସଗୃହ ଗୁଡ଼ିକରେ ଜଣେ ବ୍ୟକ୍ତି ଯାଇ ପହଞ୍ଚିଥିବ, ତେବେ ସେଠା ବାସିନ୍ଦାମାନଙ୍କର ଚାଲିଚଳଣ ତଥା ହାବଭାବରୁ ଖୁବ୍ ସ୍ପଷ୍ଟ ହୋଇଯିବ ଯେ, ଅନ୍ତତଃ ଗୋଟିଏ ଦୃଷ୍ଟିରୁ ଏହି ବସ୍ତିଟିକୁ ଅନ୍ୟ ଅନେକଙ୍କ ଠାରୁ ଭିନ୍ନ ବୋଲି କୁହାଯାଇ ପାରିବ । ଏହି ବସ୍ତିର ପ୍ରାୟ ସବୁ ବାସିନ୍ଦା ହେଉଛନ୍ତି ଅନ୍ଧ ।

 

ଏହି ବସ୍ତିଟିର କିପରି କଳ୍ପନା କରାଗଲା ଓ କିପରି ସେଇଟି ବିକଶିତ ହୋଇ ଆସିଲା,–ସେହି କଥାଟି ହିଁ ଆମକୁ ଖୁବ୍ ସ୍ଵତନ୍ତ୍ର ପରି ଲାଗିଲା, ଆଚମ୍ଭିତ ବି । ଏକଦା ଆମେ ସଂଯୋଗବଶତଃ ସେଠାରେ ଯାଇ ପହଁଞ୍ଚି ଯାଇଥିଲୁ ।

 

ମୋଟେ ପନ୍ଦର ବର୍ଷ ବୟସ ହୋଇଥିବା ସମୟରେ ସତ୍ୟନାରାୟଣର ଦୁଇଟିଯାକ ଆଖି ଦୃଷ୍ଟିଶକ୍ତି ହରାଇ ବସିଲେ । ତାକୁ ଟାଇଫଏଡ୍ ଜ୍ୱର ହୋଇଥିବା ସମୟରେ ସିଏ ଡାକ୍ତରଙ୍କର ପରାମର୍ଶରେ ଯେଉଁସବୁ ଔଷଧ ଖାଇଥିଲା, ତାହାରି ପ୍ରତିକ୍ରିୟା ଫଳରେ ଏଣେ ଆଖିଦିଓଟି ଅନ୍ଧ ହୋଇ ଯାଇଥିଲେ । ସିଏ ବେଶ୍ ମନେପକାଇ କହି ପାରୁଛି ଯେ ତା’ପୂର୍ବରୁ ତା’ର ପିଲାଦିନ ତା’ ବୟସର ଅନ୍ୟ ସମସ୍ତଙ୍କ ପରି ଭାରି ସୁଖରେ କଟିଥିଲା, କୌଣସି ପ୍ରକାରର କିଛି ହେଲେ ଶୋଚନା ନଥିଲା, କେଡ଼େ ଖୁସୀରେ ସିଏ ସାଇକେଲ ଚଢ଼ି ବୁଲୁଥିଲା ଓ ନିଜ ଗାଆଁ କୁପ୍ରାଭୁରରେ ପାଠ ପଢ଼ିବାକୁ ଇସ୍କୁଲକୁ ଯାଉଥିଲା । ଗାଆଁର ଆଉ ପିଲାମାନେ ଯେପରି କରନ୍ତି, ହାତରେ ଖଣ୍ଡେ ବାଡ଼ି ଧରି ପୁରୁଣା ସାଇକେଲ୍ ଟାୟାର୍‍ମାନ ଗାଆଁର ଧୂଳିରାସ୍ତା ଉପରେ ଗଡ଼ାଇ ସିଏ କେତେ ଖେଳୁଥିଲା । ଏବଂ, ଅନ୍ଧ ହେବାର ସେହି ଦୁର୍ଯ୍ୟୋଗଟି ଆସି ତା’ ସଂସାରଟିକୁ ଅନ୍ଧାର ଦ୍ୱାରା ଢାଙ୍କିଦେବା ପରେ ସେହି ସବୁକିଛିରେ ସଙ୍ଗେ ସଙ୍ଗେ ହିଁ ଏକ ଯବନିକା ହିଁ ପଡ଼ି ଯାଇଥିଲା ।

 

ସିଏ ହେଉଛି ୪୫ ବର୍ଷ ପୂର୍ବେ ଘଟିଥିବା ଗୋଟିଏ ଘଟଣା । ନିଜର ଅନ୍ଧ ହୋଇଯିବା ଘଟଣାଟିକୁ ମନେପକାଇ ସତ୍ୟନାରାୟଣ ଆମକୁ ସବୁକଥା କହି ଯାଉଥିଲା । ତା’ କଥାରେ ଆଦୌ କୌଣସି କ୍ରୋଧ ହିଁ ନଥିଲା । ତାକୁ ଟାଇଫଏଡ୍ ହୋଇଥିବା ସମୟରେ ଯେଉଁ ଡାକ୍ତର ତା’ର ଚିକିତ୍ସା କରୁଥିଲେ, ତା’ ଆଖିକୁ ଆଉ ଦିଶୁନାହିଁ ବୋଲି ତାଙ୍କୁ ଆଦୌ କୌଣସି ଦୋଷ ଦେଉନଥିଲା । ସିଏ ପ୍ରକୃତରେ ଜଣେ ଭଲ ଡାକ୍ତର ଥିଲେ ବୋଲି ସେ ଆମକୁ ବାରମ୍ବାର କହୁଥାଏ । ତାଙ୍କର କୌଣସି ଦୋଷରୁ ଯେ ମୁଁ ଅନ୍ଧ ହେଲି, ସେକଥା ଆଦୌ ନୁହେଁ । ସମ୍ଭବତଃ, ଅନ୍ଧ ହୋଇଯିବି ବୋଲି ମୋ’ ଭାଗ୍ୟରେ ଥିଲା ଓ ତେଣୁ ମୁଁ ଅନ୍ଧ ହୋଇଗଲି ।

 

ସତ୍ୟନାରାୟଣର ଦୁଃଖୀ ବାପା ଜଣେ ସାନ ଚାଷୀ,–କାଠ କାଟି ମଧ୍ୟ କିଛି ଅର୍ଥ ଉପାର୍ଜନ କରୁଥିଲେ । ପୁଅର ଚିକିତ୍ସା ନିମନ୍ତେ ତାଙ୍କୁ ନିଜର ସେହି ସ୍ୱଳ୍ପ ଚାଷଜମିର କିଛି ଅଂଶ ବିକ୍ରୀ କରିବାକୁ ପଡ଼ିଥିଲା । ବମ୍ବେ ଏବଂ ଦିଲ୍ଲୀ ପରି ମହାନଗରୀମାନଙ୍କରେ ଥିବା ବଡ଼ ଡାକ୍ତରଖାନାମାନଙ୍କର ଡାକ୍ତରମାନଙ୍କ ପାଖକୁ ପୁଅକୁ ନେଇଗଲେ, ମାତ୍ର ସେମାନଙ୍କର ଭିତରେ ଜଣେ କେହିହେଲେ ସେମାନଙ୍କୁ କୌଣସି ଆଶାର ବାଣୀ ଶୁଣାଇ ନଥିଲେ । ସାରା ଜୀବନଟା ଲାଗି ହିଁ ପୁଅକୁ ଅନ୍ଧ ହୋଇ ରହିବାକୁ ପଡ଼ିବ ।

 

ପୁଅଟିର ସେହି ଅନ୍ଧକାରମୟ ଭବିଷ୍ୟତଟିର ସକଳ ସମ୍ଭାବ୍ୟ ଦୁର୍ଦ୍ଦଶାଟିର ସମ୍ମୁଖୀନ ହେବାପାଇଁ ଚେଷ୍ଟା କରୁଥିବା ସମୟରେ ସୂର୍ଯ୍ୟନାରାୟଣର ବାପା ଶୁଣିବାକୁ ପାଇଥିଲେ ଯେ, ପାଖରେ ଥିବା ରେଣ୍ଟାଚିନ୍ତଳା ସହରରେ ଅନ୍ଧମାନଙ୍କ ସକାଶେ ଗୋଟିଏ ବିଦ୍ୟାଳୟ ମଧ୍ୟ ଅଛି । ସିଏ ପୁଅକୁ ନେଇ ସେହି ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ । ସୂର୍ଯ୍ୟନାରାୟଣ ସେଠାରେ ଗୋଟିଏ ବର୍ଷ ରହିଲା ଏବଂ ସେଠାରେ ଥିବା ସମୟରେ ସେ ସର୍ବୋପରି ତା’ ନିଜର ଏହି ନୂଆ ସ୍ଥିତିର ସଂସାରଟିକୁ କିପରି ଅନୁରୂପ ଭାବରେ ତିଆରି କରିନେଇ ପାରିବ, ସେହି କଥା ହିଁ ଭାବୁଥିଲା । ପିଲାଟି କ୍ରମେ ନିଜର ଏହି ବୃହତ୍ କ୍ଷତିଟି ସହିତ ନିଜକୁ ଅନୁକୂଳିତ କରି ନେଇଥିଲା ।

 

ସତ୍ୟନାରାୟଣ ଆରମ୍ଭରୁ ହିଁ ସଂପୂର୍ଣ୍ଣ ସ୍ପଷ୍ଟ ହୋଇ ଯାଇଥିଲା ଯେ, ସର୍ବପ୍ରଥମେ ସିଏ ଏହି କଥାଟି ଉପରେ ଅଧିକ ଜୋର୍ ଦେବ ଯେ ତାକୁ ଆଉ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ, ନିଜର ଗ୍ରାସାଚ୍ଛାଦନ ତଥା ଅନ୍ୟାନ୍ୟ ଯତ୍ନ ପାଇଁ ଏପରିକି ଆପଣାର ବାପା ଏବଂ ଭାଇମାନଙ୍କ ଉପରେ ନୁହେଁ । ସିଏ ବେଶ୍ ଦେଖି ପାରିଥିଲା ଯେ, ସେହି ଅନ୍ଧ ବିଦ୍ୟାଳୟରେ ତାକୁ ଯେତିକି ଶିକ୍ଷା ଦିଆଯାଉଛି, ସେତିକିରେ ସେ ଆଦୌ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ସିଏ ସଂଗୀତବିଦ୍ୟାକୁ ଭଲ ପାଉଥିଲା ଏବଂ ମନେ ମନେ ଚିନ୍ତା କଲା ଯେ, ଯଦି ସିଏ ହାର୍ମୋନିଅମ୍ ବଜାଇ ପାରନ୍ତା, ତେବେ ତଦ୍ଦ୍ୱାରା ନିଜର ଜୀବିକା ଅର୍ଜନ କରିପାରନ୍ତା ଓ ତା’ହେଲେ ଆଉ କାହାରି ଉପରେ ନିର୍ଭର ମଧ୍ୟ କରନ୍ତା ନାହିଁ ।

 

ସେହି ବିଦ୍ୟାଳୟରୁ ସିଏ ଗୋଟିଏ ବର୍ଷ ପରେ ଅନ୍ୟତ୍ର ଚାଲିଗଲା,–ସେଠାରେ ଆଉ ଅଧିକ ସମୟ ନଷ୍ଟ କରିବାକୁ ଆଦୌ ଇଚ୍ଛା କରିନଥିଲା । ସେଠାରୁ ସିଏ ଜଣେ ଗୁରୁଙ୍କର ସନ୍ଧାନରେ ଯାଇଥିଲା, ଯିଏକି ତାକୁ ସଂଗୀତ ଶିକ୍ଷା ଦେଇପାରିବେ । ଏବଂ, ସେହି ସମୟରେ ଅର୍ଥାତ୍ ସେହି ଚଉଦ ପନ୍ଦର ବର୍ଷ ବୟସରେ ସତ୍ୟନାରାୟଣ ରେଲଗାଡ଼ି ମାନଙ୍କରେ ବୁଲି ବହି ବିକ୍ରୀ କରି ମଧ୍ୟ କିଛି କମାଇ ପାରୁଥିଲା । ଦିନେ ସେ ବିଖ୍ୟାତ ହାରମୋନିଅମ୍ ବାଦକ ଏବଂ ଗାୟକ ଗୁରୁ ବିଦ୍ୟାନଗରମଙ୍କ ବିଷୟରେ ଶୁଣିବାକୁ ପାଇଲା ଏବଂ ସିଏ କେଉଁଠାରେ ରହୁଥିଲେ ତା’ର ଖବର ନେଇ ସାହସ ଅବଲମ୍ବନ କରି ରାଜମହେନ୍ଦ୍ରୀରେ ଥିବା ତାଙ୍କର ଘରେ ଯାଇ ପହଞ୍ଚି ଯାଇଥିଲା । ଗୁରୁଙ୍କର ଗୋଡ଼ତଳେ ପଡ଼ିଯାଇ ସିଏ ତାକୁ ଶିଷ୍ୟରୂପେ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଥିଲା । ତାଙ୍କୁ ଦେବା ପାଇଁ ସତ୍ୟନାରାୟଣ ପାଖରେ କୌଣସି ଅର୍ଥ ନଥିଲେ ମଧ୍ୟ କ୍ରମେ ବୃଦ୍ଧ ହୋଇ ଆସୁଥିବା ସଂଗୀତଗୁରୁ ଏହି କିଶୋର ବାଳକଟିକୁ ନିଜର ଛାତ୍ରରୂପେ ସ୍ୱୀକାର କରି ନେଇଥିଲେ । କାରଣ, ତା’ଠାରେ ସଂଗୀତଶିକ୍ଷା ନିମନ୍ତେ ପ୍ରବଳ ଆଗ୍ରହ ରହିଥିଲା ଏବଂ ତାଙ୍କର ପତ୍ନୀ ମଧ୍ୟ ତାକୁ ପୁତ୍ରବତ୍ ଗ୍ରହଣ କରିନେଲେ ।

 

ମାତ୍ର ଛଅମାସ ଭିତରେ ସତ୍ୟନାରାୟଣ ହାରମୋନିଅମ୍ ବଜାଇବାରେ ଏତେ ନିପୁଣତା ଅର୍ଜନ କରି ପାରିଥିଲା ଯେ, ତା’ପରେ ଗୁରୁ ତାକୁ ଗ୍ରାମରେ ଅଭିନୀତ ହେଉଥିବା ନାଟକମାନଙ୍କରେ ସେହି ଯନ୍ତ୍ରଟିକୁ ବଜାଇବା ନିମନ୍ତେ ପଠାଇବାକୁ ସ୍ଥିର ମଧ୍ୟ କରିଥିଲେ । ଏହାଦ୍ୱାରା ସତ୍ୟନାରାୟଣ କିଛି ଅର୍ଥ ଉପାର୍ଜନ କରି ପାରିଲା ଏବଂ ନିଜେ ଶିକ୍ଷା କରିଥିବା କଳାଟିରେ ମଧ୍ୟ ଅଧିକ ସିଦ୍ଧ ହୋଇ ପାରିଲା । ଏହିପରି ଭାବରେ ତା’ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ନୂତନ ପୃଥିବୀ ଉନ୍ମୋଚିତ ହୋଇ ଯାଇଥିଲା ଏବଂ ସାରା ଜୀବନ ତା’ ସହିତ ରହି ପାରିଥିଲା । ଗ୍ରାମର ଦେଖଣାହାରିମାନେ ମନ୍ତ୍ରମୁଗ୍ଧ ହେଲାପରି ରଙ୍ଗମଞ୍ଚ ପାଖରେ ଆସି ଉପବେଶନ କରୁଥିଲେ ଏବଂ ରାଜା ହରିଶ୍ଚନ୍ଦ୍ର ପରି ଐତିହାସିକ ତଥା ପୌରାଣିକ ନାଟକମାନ ଓ ରାମାୟଣ ଏବଂ କୁରୁକ୍ଷେତ୍ର ଆଦି କାହାଣୀରୁ ସମ୍ବାଦମାନ ଅଭିନୀତ ହେବା ଆରମ୍ଭ ହୋଇଯିବା ସହିତ ସମସ୍ତେ ସତ୍ୟନାରାୟଣର ମୃଦୁମନ୍ଦ ଯନ୍ତ୍ରବାଦନ ଶ୍ରବଣ କରି ସତେଅବା ସଜୀବ ହୋଇ ଉଠୁଥିଲେ । ତା’ଠାରେ ପ୍ରକୃତରେ ଏକ ବୃହତ୍ ପ୍ରତିଭା ରହିଥିଲା ।

 

ସମୟକ୍ରମେ ସତ୍ୟନାରାୟଣର ଗୁରୁଙ୍କର ଦେହାନ୍ତ ହୋଇ ଯାଇଥିଲା ଏବଂ ଏହାପରେ ବିଧବା ଗୁରୁପତ୍ନୀଙ୍କ ଉପରେ ଗୋଟିଏ ବୋଝପରି ହୋଇ ନରହିବା ଲାଗି ଇଚ୍ଛା କରି ସତ୍ୟନାରାୟଣ ସେମାନଙ୍କର ଗୃହରୁ ଅନ୍ୟତ୍ର ଚାଲିଗଲା । ପୁନର୍ବାର ରେଲଗାଡ଼ି ମାନଙ୍କରେ ବହି ବିକ୍ରୀ କରି ନିଜର ଜୀବିକା ଅର୍ଜନ କଲା । ମଝିରେ ମଝିରେ ଗ୍ରାମର ସଙ୍ଗୀତ–କମାଏତ୍‍ ଓ ନାଟକାଦିରେ ଯୋଗ ଦେବା ସକାଶେ ନିମନ୍ତ୍ରଣମାନ ମଧ୍ୟ ଆସୁଥାଏ । ସିଏ ସେହିସବୁ ନିମନ୍ତ୍ରଣକୁ ଆଗ୍ରହର ସହିତ ଅପେକ୍ଷା କରି ରହୁଥିଲା,–ସେଗୁଡ଼ିକ ତା’ ଜୀବନକୁ ପ୍ରକୃତରେ ଆଲୋକିତ ହିଁ କରି ଦେଉଥିଲେ ।

 

ଏହାପରେ ସତ୍ୟନାରାୟଣ ଏକ ଗ୍ରାମୀଣ ନାଟକଦଳରେ ଯାଇ ଯୋଗ ଦେଲା ଏବଂ ସେଠାରେ ସଂଗୀତ ପରିବେଷଣ କରୁଥିବା ସମୟରେ ଅନେକ ସମୟରେ ଆଖି ଥିବା ଆଉଜଣେ ସଂଗୀତ ଗାୟକ ମଧ୍ୟ ତା’ ସହିତ ଏକତ୍ର ସଂଗୀତ ଗାନ କରୁଥିଲା । ଦଳର ବୟୋଜ୍ୟେଷ୍ଠମାନେ ମଧ୍ୟ ତରୁଣ ସତ୍ୟନାରାୟଣକୁ ଖୁବ ଆପଣାର କରିନେଲେ ଏବଂ ସେହି ଅନ୍ୟଜଣକ ସହିତ ତାହାର ବିବାହ ହୋଇଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ସେହି ଝିଅଟିର ବାପାମାଆ ଉଭୟେ ଦିନମୂଲିଆ ରୂପେ କାମ କରୁଥିଲେ ଏବଂ ଅତ୍ୟନ୍ତ ଦରିଦ୍ର ଥିଲେ । ଏହି ବିବାହରେ ସେମାନଙ୍କ ତରଫରୁ କୌଣସି ଆପତ୍ତି ହୋଇନଥିଲା,–ଏହାର ପ୍ରଧାନତମ କାରଣ ହେଉଛି ଯେ, ଏପରି ହେଲେ ସେମାନଙ୍କୁ କୌଣସି ଯୌତୁକ ମଧ୍ୟ ଦେବାକୁ ପଡ଼ିବନାହିଁ । ବିବାହର ଅବ୍ୟବହିତ ପରେ ଝିଅଟିର ବାପାମାଆ ରେଙ୍ଗୁନ୍ ଚାଲି ଯାଇଥିଲେ, ତେଣୁ ଆଉ ଫେରି ବି ଆସିନଥିଲେ ।

 

ସତ୍ୟନାରାୟଣ ପାଇଁ ପ୍ରକୃତରେ ଜଣେ ଉତ୍ତମ ପ୍ରତ୍ନୀ ମିଳି ଯାଇଥିଲା । ସିଏ ସତ୍ୟନାରାୟଣର ସକଳ ଯତ୍ନ ନେଉଥିଲା ଏବଂ ଦୁଇଟି ପୁତ୍ରର ଜନନୀ ମଧ୍ୟ ହେଲା । ସତ୍ୟନାରାୟଣ ଆପଣାର ନାଟକଦଳଟି ସହିତ ନାନା ଆଡ଼େ ଯାଉଥାଏ । ମାତ୍ର, ପରିବାରରେ ବୃଦ୍ଧି ଘଟିବାରୁ ତା’ର ପତ୍ନୀ ଆଉ ତା’ ସହିତ ଏଠା ସେଠା ହୋଇ ପାରିଲା ନାହିଁ ଓ ଘରେ ରହି ପିଲାମାନଙ୍କର ଯତ୍ନ ନେଇଥିଲା । ପରିବାରଟି ପ୍ରଥମେ ରାଜମହେନ୍ଦୀଠାରେ ରହୁଥିଲା ଓ ତା’ପରେ ଟେନାଲି ଚାଲିଗଲା । ମାତ୍ର ତା’ପରେ ପତ୍ନୀର କାଳ ହୋଇ ଯାଇଥିଲା; ସେମାନଙ୍କର ତୃତୀୟ ସନ୍ତାନଟିକୁ ଗର୍ଭରେ ଧାରଣ କରୁଥିବା ସମୟରେ ଗର୍ଭପାତ କାରଣରୁ ତା’ର ମୃତ୍ୟୁ ହେଲା-

 

ଦୁଇ ପୁତ୍ରଙ୍କୁ ମଣିଷ କରିବାରେ ସତ୍ୟନାରାୟଣକୁ ବହୁତ ସଂଘର୍ଷ କରିବାକୁ ହେଲା । ଟେନାଲି ସହରରେ ତା’ ପଡ଼ିଶାରେ ବାସ କରୁଥିବା ତା’ର କେତେଜଣ ବନ୍ଧୁ ତାକୁ ଆସି ସେମାନଙ୍କର ଭଉଣୀ ଶାନ୍ତାମ୍ମା ବିଷୟରେ କହିଥିଲେ । ଶାନ୍ତାମ୍ମାକୁ ତିନିବର୍ଷ ହୋଇଥିବା ସମୟରେ ବସନ୍ତରୋଗ ହୋଇ ତା’ର ଦୁଇଟିଯାକ ଆଖି ନଷ୍ଟ ହୋଇ ଯାଇଥିଲେ । ନିଜ ଆଖିରେ ଦେଖି ପାରୁଥିବା ସମୟର ପୃଥିବୀଟି ବିଷୟରେ ତା’ର ଆଉ କିଛି ବି ମନେ ନଥିଲା ।

 

ଶାନ୍ତାମ୍ମା ଅତି ପିଲାକାଳରୁ ନିଜର ବାପାଙ୍କୁ ହରାଇ ସାରିଥିଲା । ମାଆ ଅତ୍ୟନ୍ତ ଦରିଦ୍ର ଥିଲେ, ଅନ୍ୟମାନଙ୍କର ଜିନିଷ ମୁଣ୍ଡାଇ ଦୈନିକ କୁଲିଟିଏ ହୋଇ ଜୀବିକା ନିର୍ବାହ କରୁଥିଲେ । ତା’ର ବଡ଼ ଭାଇମାନେ ମଧ୍ୟ ବୟସ ହେବା ସଙ୍ଗେ ସଙ୍ଗେ ସେହିପରି ମଜୁରି ଖଟିଲେ । ତେଣୁ, ଶାନ୍ତାମ୍ମାକୁ ଘର ଭିତରେ ଛାଡ଼ିଦେଇ ବାହାରୁ ଚାବି ପକାଇ ଯିବାକୁ ପଡ଼ୁଥିଲା–ଦିନଯାକ ସିଏ ଘରେ ଏକୁଟିଆଟି ହୋଇ ରହୁଥିଲା । ସିଏ ରାନ୍ଧି ଶିଖିଲା, ଘରର ସବୁକାମ ବି କରିପାରିଲା । ତା’ର ମାଆ ତଥା ଭାଇମାନେ ତା’ପ୍ରତି ସଦୟ ବ୍ୟବହାର କରୁଥିଲେ ସତ, କିନ୍ତୁ ଅତି ଗେହୁ କରୁଥିବାରୁ ତାକୁ ଘରୁ ବାହାରି କେଉଁଠାକୁ ଯିବାଲାଗି ଛାଡ଼ି ଦେଉନଥିଲେ । ସେମାନେ ତାକୁ ଇସ୍କୁଲକୁ ବି ଛାଡ଼ିଲେ ନାହିଁ । ସିଏ ବଡ଼ ହେବାରୁ ଯାଇ ପଡ଼ୋଶୀମାନେ ସେମାନଙ୍କୁ ରେଞ୍ଚାତିନାଲାରେ ଥିବା ଅନ୍ଧପିଲାଙ୍କର ଇସ୍ତୁଲ କଥା ଆସି କହିଥିଲେ । ଏପରିକି, ସିଏ ସେଠାରେ ନାଆଁ ଲେଖାଇ ପାରିବାପାଇଁ ଦରଖାସ୍ତ କରିବାର କାଗଜ ମଧ୍ୟ ଆଣି ଦେଇଥିଲେ । ଶାନ୍ତାମ୍ମାର ମଧ୍ୟ ସ୍କୁଲ ଯିବାପାଇଁ ଖୁବ ମନ ଥିଲା; କିନ୍ତୁ ମାଆ ଦରଖାସ୍ତ କାଗଜଟିକୁ ନିଜ ହାତରେ ହିଁ ଧରି ଚିରି ଦେଇଥିଲେ ଏବଂ ସେହି ବିଷୟରେ ଆଦୌ କୌଣସି କଥା ଶୁଣିବାକୁ ହିଁ ରାଜି ହେଲେ ନାହିଁ-। ଝିଅ ପିଲା ପାଠ ପଢ଼ିଲେ ପୁଣି କ’ଣ ଲାଭ ହେବ, ପୁଣି, ଆଖିକୁ ତ ଦିଶୁ ବି ନାହିଁ-ତେଣୁ, ପାଠ ପଢ଼ିବା କୋଉ ଦରକାରରେ ବା ଆସିବ ?

 

ଶାନ୍ତାମ୍ମା ସଂଗୀତ ବିଦ୍ୟାରେ କୌଣସି ଟ୍ରେନିଂ : ପାଇନଥିଲା ସତ, ମାତ୍ର ପ୍ରକୃତରେ ଖୁବ ମଧୁର କଣ୍ଠଟିଏ ଅବଶ୍ୟ ପାଇଥିଲା । ନିଜର ଏକୁଟିଆ କୀବନଟିକୁ ଯେପରି ତଥାପି ବଞ୍ଚିହେବ, ସେଥିପାଇଁ ସେ ରେଡ଼ିଓରୁ ଶୁଣୁଥିବା ଗୀତଗୁଡ଼ିକୁ ଆପେ ଆପେ ଶିଖି ଯାଉଥିଲା । ଲାଉଡ୍‍ସ୍ପୀକର୍ ମାନଙ୍କରେ ବାଜୁଥିବା ଗୀତଗୁଡ଼ିକର ସ୍ଵର ମଧ୍ୟ ତା’ର ମନେ ରହି ଯାଉଥିଲା । ଶାନ୍ତାମ୍ମା ଏବଂ ସତ୍ୟନାରାୟଣଙ୍କର ବିବାହ ହୋଇଯିବା ପରେ ନାଟକଦଳମାନଙ୍କରେ ସେମାନେ ଯୁଗଳଗାନ ପ୍ରଦର୍ଶନ କରିବାର କ୍ଷେତ୍ରରେ ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ । ଅନେକ ଗାଆଁରୁ ସେମାନଙ୍କୁ ଭଜନ ଶୁଣାଇବା ସକାଶେ ମଧ୍ୟ ନିମନ୍ତ୍ରଣମାନ ଆସିଲା । ଏହି ସବୁକିଛି କାର୍ଯ୍ୟକ୍ରମରେ ଶାନ୍ତାମ୍ମାର ଭାଇମାନେ ମଧ୍ୟ ସର୍ବଦା ସାହାଯ୍ୟ କରୁଥିଲେ ।

 

ଶାନ୍ତାମ୍ମାର ନିଜଆଡ଼ୁ କୌଣସି ସନ୍ତାନ ନଥିଲେ; କିନ୍ତୁ ସତ୍ୟନାରାୟଣର ଦୁଇ ପୁଅଙ୍କୁ ସିଏ ନିଜର ପୁଅ ପରି ପାଳନ କରି ଆଣିଥିଲା । ସେମାନେ ଉଭୟେ ଉତ୍ତମ ବାଳକ ହିଁ ଥିଲେ । ସେମାନେ ଯେତେବେଳେ ବିବାହ କଲେ, ସେତେବେଳେ ସ୍ୱୟଂ ସତ୍ୟନାରାୟଣ ଓ ଶାନ୍ତାମ୍ମା ସେମାନଙ୍କୁ ତଥା ବୋହୁ ଦୁହିଁଙ୍କୁ ସେଠାରୁ ଯାଇ ଅନ୍ୟତ୍ର ରହିବାଲାଗି ଉତ୍ସାହିତ କରିଥିଲେ । ବର୍ତ୍ତମାନ ବୟସ ହୋଇ ଆସୁଥିବା ଏମାନେ ଦୁହେଁଯାକ ହିଁ ସେମାନଙ୍କର ପୁଅମାନଙ୍କ ସକାଶେ ଆଦୌ ବୋଝ ହୋଇ ରହିବାକୁ ଇଚ୍ଛା କରୁନଥିଲେ ।

 

ବଡ଼ ପୁଅଟି ଏକ ଲୁଗାକଳରେ ଚାକିରିଟିଏ ପାଇଥିଲା; ମାତ୍ର କଳ ବନ୍ଦ ହୋଇଯିବାରୁ ବର୍ତ୍ତମାନ ସିଏ ଟେନାଲି ସହରରେ ବଢ଼େଇକାମ କରି ଜୀବିକା ଅର୍ଜନ କରୁଛି । ସାନ ପୁଅଟି ଲାଗି କାମଟିଏ ପାଇବା ବହୁତ କଷ୍ଟକର ହୋଇଥିଲା । ସିଏ ଗୁଣ୍ଡୁର୍ ଚାଲି ଯାଇଥିଲା ଓ ସେଠାରେ ସିଏ ଏକ ଦରଜିଦୋକାନ ଖୋଲି ପାରିବାପାଇଁ ସତ୍ୟନାରାୟଣ ଓ ଶାନ୍ତାମ୍ମା ନିଜର ପଇସା ସଞ୍ଚୟ କରି ତାକୁ ଏକ ସିଲେଇ ମେସିନ୍ କିଣି ଦେଇଥିଲେ । ସେମାନେ କୌଣସି ବ୍ୟକ୍ତିଠାରୁ ଶୁଣିବାକୁ ପାଇଥିଲେ ଯେ, ସାନପୁଅ ଏଥିରେ ମଧ୍ୟ କୌଣସି ସଫଳତା ପାଉନଥିଲା ଏବଂ ତେଣୁ ସେଇଟିକୁ ଛାଡ଼ିଦେଇ ସେ ଇହାଦେ ଏକ ସାଇକେଲ୍ ରିକ୍ସା ଚଳାଇ ନିଜ ପରିବାରଟିର ଭରଣପୋଷଣ କରୁଛି-। କିନ୍ତୁ ସିଏ ଏହି କଥାଟିକୁ କେବେହେଲେ ନିଜ ବାପାମାଆଙ୍କର କାନକୁ ଆଣିନାହିଁ । ସେମାନେ ମଧ୍ୟ ତାକୁ ଏବିଷୟରେ କିଛି ପଚାରି ନାହାନ୍ତି, କାରଣ ପୁଅର ସ୍ୱାଭିମାନରେ କୌଣସି ଆଞ୍ଚ ଆଣିବାକୁ ସେମାନେ କେବେହେଲେ ଚିନ୍ତା କରିନାହାନ୍ତି । ସେମାନଙ୍କର ଦୁଇଟି ନାତୁଣୀ ମଧ୍ୟ ହେଲେଣି ଓ ଏମାନେ ଅନେକ ସମୟରେ ଏଠାକୁ ଆସି ଅଜାଆଈଙ୍କୁ ଦେଖି ବି ଯାଉଛନ୍ତି-। ସେମାନେ ଏମାନଙ୍କ ନିମନ୍ତେ ବହୁତ ଆନନ୍ଦର କାରଣ ହୋଇ ରହିଛନ୍ତି ।

 

ଏକଦା, ସେମାନଙ୍କର ନିଜ ପୁଅମାନେ ବଡ଼ ହେଉଥିବା ସମୟରେ ଏହି ଅନ୍ଧ ଦମ୍ପତି ଏକ୍ସାଲା ସମ୍ଭାୟା ନାମରେ ଗୋଟିଏ ଅନ୍ଧ ପିଲାକୁ ମଧ୍ୟ ନିଜପାଖରେ ଆଣି ରଖିଛନ୍ତି । ସତ୍ୟନାରାୟଣ ଦିନେ ସେହି ପିଲାଟିକୁ ଏକାକୀ ଏବଂ ଅବହେଳିତ ଭାବରେ ରେଲବାଇ ପ୍ଲାଟଫର୍ମରେ ଶୋଇଥିବାର ଦେଖିବାକୁ ପାଇଥିଲା । ସେଇଟିକୁ ସେ ନିକ ଘରକୁ ନେବ ଓ ସେମାନେ ଦୁହେଁ ତାକୁ ନିଜର ପୁଅ ପରି ପାଳନ କରିବେ ବୋଲି ନିଷ୍ପତ୍ତି କଲା । ସେମାନେ ବହୁବର୍ଷ କାଳ ତାହାର ଯତ୍ନ ନେଇଥିଲେ ଏବଂ ପିଲାଟି କ୍ରମେ ଯୌବନ ଅବସ୍ଥାରେ ଯାଇ ପ୍ରବେଶ କରିଥିଲା । ଏକ୍ସଲା ଜରୁ ହିଁ ଅନ୍ଧ ଥିଲା । ତା’ ଘରଲୋକେ ତା’ର ଆଦୌ କୌଣସି ଯତ୍ନ ହିଁ ନେଉନଥିଲେ ଏବଂ ବିଚରା ସିଏ ନିଜେ ହିଁ ନିଜ ବୁଦ୍ଧିରେ ବଡ଼ ହେବାକୁ ବାଧ୍ୟ ହୋଇଥିଲା । ନିଜ ଘର ଭିତରେ ହିଁ ଅଧିକାଂଶ ସମୟରେ ଆବଦ୍ଧ ହୋଇ ରହୁଥିଲା । ଏହି ଅବହେଳା ଏବଂ ଅପମାନକୁ ଯେ ସହ୍ୟ କରି ହେବନାହିଁ, ନିଜର ପାଞ୍ଚ ବର୍ଷ ବୟସରୁ ହିଁ ସିଏ ଉପଲବ୍ଧି କଲା ଓ ଘରୁ ପଳାଇଗଲା । ସାନ ଅନ୍ଧ ପିଲାଟି, ତଥାପି ନିଜ ଗାଆଁରେ ଥିବା ରେଲଷ୍ଟେସନ ଯାଏ ଯାଇପାରିଲା-। ଦୁଇ ଦିନ ଉପାସ ରହିବାପରେ ଗୋଟିଏ ଗାଡ଼ି ଧରି ଉଠିଗଲା । କେଉଁଠାରେ ଗାଡ଼ିରୁ ଓହ୍ଲାଇଲା, ସେହି ବିଷୟରେ କିଛି ଜାଣି ପାରିଲାନାହିଁ । ସିଏ ପ୍ରକୃତରେ ଟେନାଲିର ବଡ଼ ରେଲ ଜଙ୍କସନରେ ହିଁ ଓହ୍ଲାଇ ଥିଲା । ନିଜ ପେଟ ପୋଷିବା ନିମନ୍ତେ ସେହିଠାରେ ହିଁ ଭିକ ମାଗି ଶିଖିଲା-। ବାର ବର୍ଷ ହେବାଯାଏ ଟେନାଲି ଷ୍ଟେସନର ପ୍ଲାଟଫର୍ମ ହିଁ ତା’ର ଘର ହୋଇ ରହିଥିଲା । ତାପରେ ଯାଇ ସତ୍ୟନାରାୟଣ ତାକୁ ନିଜ ଘରକୁ ନେଇ ଯାଇଥିଲା ।

 

କ୍ରମେ, ସମୟ ଅତିକ୍ରାନ୍ତ ହୋଇ ଯାଉଥିବା ସହିତ ଏକ୍ସଲା ଯୌବନର ଅବସ୍ଥାରେ ଯାଇ ପହଞ୍ଚି ଯାଇଥିଲା ଓ ତା’ପରେ କାହା ହେପାଜତରେ ଏକ ବୋଝ ହୋଇ ରହିବାକୁ ଇଚ୍ଛା ନକରି ସିଏ ପୁନର୍ବାର ନିଜ ଭିକ ମାଗିବା ଜୀବିକାକୁ ହିଁ ଫେରି ଯାଇଥିଲା । ଭିକାରି ହୋଇ ଭିକ ମାଗିବାର ଲଜ୍ଜା ଓ ରେଲଯାତ୍ରୀମାନଙ୍କର କଟୁ ଉପହାସ,–ତା’ ଭିତରେ ଏବେ ମଧ୍ୟ ଗଭୀର ଆଘାତ ଦେବାରେ ଲାଗିଥିଲେ । ବହୁତ ସମୟରେ ସେ ନିଜର ଜୀବନକୁ ହରାଇଦେବା ବିଷୟରେ ମଧ୍ୟ ଚିନ୍ତା କରୁଥିଲା ।

 

ଏକ୍ସଲା ପରି ମନୁଷ୍ୟମାନଙ୍କର ଦୁରବସ୍ଥାକୁ ଦେଖି ହିଁ ସତ୍ୟନାରାୟଣ ଏବଂ ଶାନ୍ତାମ୍ମା ଅନ୍ଧ ଭିକାରିମାନଙ୍କର ଗୋଟିଏ ସଙ୍ଗମ ଅର୍ଥାତ୍ର ସଂଗଠନ ଆରମ୍ଭ କରିବାର ବିଚାର କଲେ । ସତ୍ୟନାରାୟଣ କହେ, ମୋ’ ପାଖରେ ତ କିଛି ଗୁଣ ଥିଲା–ମୁଁ କିଛି ପାଠ ପଢ଼ିଥିଲି ଓ ଗୀତ ଗାଇ ଜାଣିଥିଲି,–ତେଣୁ ଆମକୁ ଗୋଟିଏ ଦିନ ସକାଶେ ମଧ୍ୟ ଭିକ ମାଗିବାକୁ ପଡ଼ିନାହିଁ । କିନ୍ତୁ, ଅଧିକାଂଶ ଅନ୍ଧ ମଣିଷମାନେ, ବିଶେଷତଃ ଏହି ଯେଉଁମାନେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି,–ସେମାନଙ୍କର ଦୁର୍ଗତିକୁ ଦେଖି ଆମେ ଭାବିଲୁ ଯେ, ଆମ ପରି ଅସହାୟମାନଙ୍କ ନିମନ୍ତେ ଅବଶ୍ୟ କିଛି କରିବାକୁ ହେବ,–କିଛି ନା କିଛି ସାହାରା ଯୋଗାଇ ଦେବାର ଚିନ୍ତା କରିବାକୁ ପଡ଼ିବ ।

 

ସେମାନଙ୍କୁ ସମସ୍ତେ ହୀନ ଦୃଷ୍ଟିରେ ଦେଖୁଥିଲେ,–ଏହାହିଁ ସେମାନଙ୍କର ଜୀବନର ମୁଖ୍ୟତମ କପାଳଲିଖନ ହୋଇ ରହିଥିଲା । ରହିବା ନିମନ୍ତେ କେଉଁଠାରେ ସ୍ଥାନଟିଏ ମିଳିବ ବୋଲି ଖୋଜି ବୁଲିବାରୁ ହିଁ ସେହି ଦୁର୍ଦ୍ଦଶା ଆରମ୍ଭ ହୋଇ ଯାଉଥିଲା । ଘରମାଲିକମାନେ ସେମାନଙ୍କୁ ଘର ଭଡ଼ା ଦେବାକୁ ରାଜି ହେଉନଥିଲେ । ଏମାନେ ତ ଆଖିରେ ଦେଖି ପାରୁନାହାନ୍ତି, ତେଣୁ ଆମ କୋଠରୀଗୁଡ଼ିକୁ ଆଦୌ ସଫା ରଖି ପାରିବେନାହିଁ, ସେମାନେ ଏହିଭଳି ମନ୍ତବ୍ୟମାନ କରିଥିଲେ । ଅନ୍ଧ ଭଡ଼ାଟିଆଙ୍କୁ ଘରେ ରଖିଲେ ଆଦୌ ନିରାପଦ ବି ହେବନାହିଁ । ତେଣୁ, ଅଧିକାଂଶ ଅନ୍ଧ ମଣିଷ ରେଲବାଇ ପ୍ଲାଟ୍‍ଫର୍ମ୍ କିମ୍ବା ବୃକ୍ଷତଳ ଗୁଡ଼ିକୁ ଆଦରି ନେବାକୁ ବାଧ୍ୟ ହେଉଥିଲେ । ମହିଳା ଓ ଶିଶୁମାନେ କେତେବେଳେ ହେଲେ ନିରାପଦ ରହି ପାରୁନଥିଲେ । ଭିକ ମାଗିବାର ଜୀବିକାଟି ମଧ୍ୟ ଅତ୍ୟନ୍ତ ଅପମାନପୂର୍ଣ୍ଣ ହୋଇ ରହିଥିଲା, ସେଥିରେ ଉଦର ପୂର୍ଣ୍ଣ ହୋଇ ପାରିବାର ନିଶ୍ଚିତ ଭରସାଟିଏ ବି ନଥିଲା । ରେଲବାଇ କର୍ମଚାରୀ ଏବଂ ପୋଲିସବାଲାଙ୍କର ନାନା ଗଞ୍ଜଣା ଅନୁକ୍ଷଣ ହିଁ ଲାଗି ରହିଥିଲା । ଭିକ ମାଗୁଥିବା ବ୍ୟକ୍ତିମାନେ ଅନେକ ସମୟରେ ସିନ୍ଦୂରା ଫାଟିବା ପୂର୍ବରୁ ହିଁ ବାହାରି ପଡ଼ୁଥିଲେ, ସେମାନେ ସର୍ବପ୍ରଥମ ଗାଡ଼ିଟିକୁ ହିଁ ଧରୁଥିଲେ ଏବଂ ବିଳମ୍ବରାତ୍ରିରେ ଯାଇ ଫେରିବାକୁ ବାଧ୍ୟ ହେଉଥିଲେ । ପ୍ରତ୍ୟହ କେତେ ରୋଜଗାର କରି ଘରକୁ ଯେ ଆଣିପାରିବେ, ସେ ବିଷୟରେ କେବେ ମଧ୍ୟ ନିଶ୍ଚିତ ହୋଇ ପାରୁନଥିଲେ । ବହୁତ ବହୁତ ଦିବସ ଅନାହାରରେ ହିଁ କଟି ଯାଉଥିଲା ।

 

ତେଣୁ, ଏହିପରି ଏକ ସଂଗଠନ ଆରମ୍ଭ କରିବାକୁ ସେମାନେ କେଉଁଦିନୁ ସ୍ଵପ୍ନ ସିନା ଦେଖୁଥିଲେ, କିନ୍ତୁ କେବଳ ୧୯୮୩ ବେଳକୁ ଯାଇ ତାହା ମୂର୍ତ୍ତି ରୂପଟିଏ ଧାରଣ କରିଥିଲା । ହଁ, ସତ୍ୟନାରାୟଣ ଓ ଶାନ୍ତାମ୍ମା ସେମାନେ ପ୍ରଦର୍ଶନ କରିଥିବା ଗୋଟିଏ ସଙ୍ଗୀତ କାର୍ଯ୍ୟକ୍ରମରୁ କିଛି ଅର୍ଥ ବଞ୍ଚାଇ ରଖି ପାରିଥିଲେ ଏବଂ ସେହି ପଇସାରେ ସେମାନେ ଅନ୍ଧ ଭିକାରିମାନଙ୍କ ନିମନ୍ତେ ଏକ ବଡ଼ ଧରଣର ମଧ୍ୟାହ୍ନଭୋଜନର ଆୟୋଜନ କଲେ । ତୁଣ୍ଡକୁ ତୁଣ୍ଡ ହୋଇ ସମ୍ବାଦଟି ଚାରିଆଡ଼କୁ ଖେଦି ଯାଇଥିଲା ଏବଂ ନିର୍ଦ୍ଧାରିତ ଉକ୍ତ ଦିବସଟିରେ ଅଶୀରୁ ଅଧିକ ବ୍ୟକ୍ତି ଆସି ସତ୍ୟନାରାୟଣ ଓ ଶାନ୍ତାମ୍ମାଙ୍କ ଘରେ ଆସି ପହଞ୍ଚି ଯାଇଥିଲେ । ସମସ୍ତେ ଯେ ଦୃଷ୍ଟିଶକ୍ତିହୀନ ଥିଲେ, ସେକଥା ମୋଟେ ନୁହେଁ । କେତେଜଣ ଶାରୀରିକ ଭାବରେ ଅସମର୍ଥ ବି ଥିଲେ । ଅନେକ ସ୍ଵାମୀ ପରିତ୍ୟକ୍ତା ମହିଳା ମଧ୍ୟ ରହିଥିଲେ । ସେମାନେ ସମସ୍ତେ ଭିକ ମାଗି ଜୀବିକା ନିର୍ବାହ କରୁଥିଲେ । ସମସ୍ତଙ୍କର ସ୍ୱାଗତ ହେଲା । ସମାଜ-ବାହାରର ଏହି ମନୁଷ୍ୟମାନେ ଏପର୍ଯ୍ୟନ୍ତ ଜଣେ ଆଉଜଣକ ପାଖରେ ଅପରିଚିତ ହୋଇ ରହିଥିଲେ ମଧ୍ୟ ଏହି ଅବସରରେ ପରସ୍ପର ସହିତ ଏକାଠି ସମ୍ପୃକ୍ତ ହୋଇ ରହିବେ ବୋଲି ସ୍ଥିର କଲେ; ଏଣିକି ସେମାନେ ଏକ ନୂତନ ଜୀବନ ଆରମ୍ଭ କରିବା ନିମନ୍ତେ ପରସ୍ପରକୁ ତଥା ନିଜକୁ ସାହାଯ୍ୟ କରିବାପାଇଁ ନିଷ୍ପତ୍ତି ଗ୍ରହଣ କଲେ । ଗୋଟିଏ ସଙ୍ଗମ ଗଠନ କରିବା ନିମନ୍ତେ ସେମାନଙ୍କୁ କ୍ରିୟାଶୀଳ କରିବାଲାଗି କୌଣସି ବ୍ୟକ୍ତି ବା କୌଣସି ସଂଗଠନ ଆଦୌ ବାହାରୁ ଆସିନଥିଲେ । ବିଚାରଟି ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ନିଜର ଥିଲା, ସେମାନେ ସ୍ୱୟଂ ସେହି ନିଷ୍ପତ୍ତିଟିକୁ କରିଥିଲେ । ସେମାନଙ୍କ ମନଭିତରେ ବହୁତ ସାଧାରଣ ସ୍ଵପ୍ନ ରହିଥିଲା, ସଂଗମଟିଏ ଗଢ଼ାହେଲେ ସେହି ସ୍ୱପ୍ନଗୁଡ଼ିକ ସାକାର ହୋଇ ପାରିବ ବୋଲି ସେମାନେ ଆଶା ପୋଷଣ କରିଥିଲେ । ସେମାନଙ୍କ ପିଲାଏ ପାଠ ପଢ଼ିବେ, ଏହି ଭିକମାଗିବା ଛାଡ଼ି ସେମାନେ ସମ୍ମାନ ରହିଥିବା ଆଉକିଛି କରି ଜୀବିକା ନିର୍ବାହ କରିବେ । କିନ୍ତୁ, ଏଗୁଡ଼ିକ କୌଣସିଟି ସମ୍ଭବ ହେବାକୁ ହେଲେ,–ସର୍ବପ୍ରଥମେ ସେମାନଙ୍କର ନିଜର ଗୋଟିଏ ଗୋଟିଏ ଘର ଅବଶ୍ୟ ରହିବ;–ସେଇଟିରୁ ହିଁ ଆଉଗୁଡ଼ିକ ହାତକୁ ନିଆଯିବ ।

 

ଶ୍ରୀ ଭେଙ୍କଟେଶ୍ୱର ଅନ୍ଧ ବିକଳାଙ୍ଗୁଳ ସେବାସଂଘମ୍–ଏହିପରି ଭାବରେ ସଂଗଠନଟିର ନାମକରଣ ହୋଇଥିଲା । ପ୍ରଥମେ ଏଥିରେ ୩୪ ଜଣ ସଦସ୍ୟ ହେଲେ । ସତ୍ୟନାରାୟଣ ଏଥିପାଇଁ ନିଜର ପରିଚିତ ଶିକ୍ଷିତ ବ୍ୟକ୍ତିମାନଙ୍କର ପରାମର୍ଶ ବି ଲୋଡ଼ିଥିଲା । ସଂଗଠନଟିକୁ ରେଜେଷ୍ଟ୍ରୀ କରାଯାଉ ବୋଲି ସେମାନେ ପ୍ରସ୍ତାବ ଦେଇଥିଲେ । ନିଜର ସଂଗୀତ-କାର୍ଯ୍ୟକ୍ରମଗୁଡ଼ିକରୁ ଦୁହେଁ ଅଧିକରୁ ଅଧିକ ପଇସା ବଞ୍ଚାଇ ରଖୁଥିଲେ ଏବଂ ସତ୍ୟନାରାୟଣର ଅଧ୍ୟବସାୟ ହିଁ ଶେଷକୁ ଜୟଯୁକ୍ତ ହୋଇଥିଲା । ମାତ୍ର ଦୁଇମାସ ମଧ୍ୟରେ ସଂଗଠନର ରେଜେଷ୍ଟ୍ରୀ ହୋଇ ଯାଇଥିଲା ।

 

ତା’ପରେ ସତ୍ୟନାରାୟଣ ଏବଂ ଶାନ୍ତାମ୍ମା ତାହାର ସଦସ୍ୟମାନଙ୍କୁ ଭିକ୍ଷାବୃତ୍ତି ଛାଡ଼ିଦେବା ନିମନ୍ତେ ପ୍ରବର୍ତ୍ତାଇବାକୁ ଲାଗିଲେ ଓ ଅର୍ଥ ଉପାର୍ଜନର ଅନ୍ୟକିଛି ଉପାୟ ଗ୍ରହଣ କରିବାଲାଗି ଉତ୍ସାହିତ କଲେ । ଏହି କେତେବର୍ଷ ମଧ୍ୟରେ ପ୍ରାୟ ୨୦ ଜଣ ବ୍ୟକ୍ତି ଭିକ୍ଷାବୃତ୍ତି ଛାଡ଼ି ଦେଇଛନ୍ତି ଓ ତା’ ବଦଳରେ ରେଲଗାଡ଼ିମାନଙ୍କରେ ଟଫି, ପିପରମେଣ୍ଟ, ପିନ୍‍କଣ୍ଟା ଓ ବିନ୍ଦି ବିକିବା ଆରମ୍ଭ କରି ଦେଇଛନ୍ତି । ସଙ୍ଗମର ଏକ ନିଜସ୍ୱ ସାଂସ୍କୃତିକ ଗୋଷ୍ଠୀ ମଧ୍ୟ ଗଠିତ ହୋଇଛି ଏବଂ ସେହି ଦଳମାନେ ସଂଗୀତର ନାନା କାର୍ଯ୍ୟକ୍ରମ ଓ ଗ୍ରାମ-ନାଟକରେ ଅଭିନୟ ଦ୍ୱାରା ପଇସା କମାଉଛନ୍ତି ।

 

ମାତ୍ର, ପ୍ରତ୍ୟେକଙ୍କର ନିଜର ବୋଲି କହି ପାରିବାକୁ ଗୋଟିଏ ଘର ଥିବ, ଏହି ସବାବଡ଼ ସ୍ଵପ୍ନଟି ଏବେମଧ୍ୟ ସେମାନଙ୍କ ପାଇଁ ସବାଆଗରେ ରହିଛି । ଗତ ଏଗାର ବର୍ଷ ଯାବତ୍ ସେମାନେ କିଛି ଜମି ପାଇବେ ବୋଲି ଜଣକପରେ ଜଣେ କଲେକ୍ଟରଙ୍କୁ ଦରଖାସ୍ତ ଲେଖି ଦେଇଛନ୍ତି, ରାଜନୀତିକ ନେତା, ପୌରପାଳିକାର କର୍ତ୍ତାଗଣ ଏବଂ ଏପରିକି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଆବେଦନ ଜଣାଇଛନ୍ତି । ନଗରପାଳିକାର କର୍ତ୍ତା ତଥା ରାଜନୀତିବାଲା ବେଳେବେଳେ ସେମାନଙ୍କ କଥା ହୁଏତ ଶୁଣିଲେ, କେତେ ନାନାଭଳି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ; ମାତ୍ର, ଇତିମଧ୍ୟରେ ଢେର ବର୍ଷ ବିତିଗଲା ସିନା, ମାତ୍ର ଘଟଣା କିଛି ଘଟିଲାନାହିଁ । ଆପଣାର ମୁଷ୍ଟିମେୟ ସମର୍ଥକମାନଙ୍କ ସହ ସତ୍ୟନାରାୟଣ ଓ ଶାନ୍ତାମ୍ମା ତଥାପି ଆଶା ହରାଇଲେ ନାହିଁ,–ଆପଣାର ଉଦ୍ୟମରୁ ସେମାନେ ତଥାପି ବିରତ ହୋଇ ନଥିଲେ ।

 

୧୯୯୪ ମସିହା ଖରାଦିନେ, ସତ୍ୟନାରାୟଣ ଓ ଶାନ୍ତାମ୍ମା ଦେଇଥିବା ସେହି ମଧ୍ୟାହ୍ନ ଭୋଜିର ଏଗାରବର୍ଷ ପରେ ସେମାନଙ୍କର ଅଧ୍ୟବସାୟରେ ଶେଷରେ କିଛି ଫଳ ଫଳିଲା । ପ୍ରଧାନତଃ ସ୍ଥାନୀୟ ବିଧାୟକ ନାଡ଼େଣ୍ଡଲା ଭାସ୍କର ରାଓଙ୍କର ଚେଷ୍ଟା ତଥା ସମର୍ଥନ ବଳରେ ସରକାର ଚିନ୍ନାରବାର ମନ୍ଦିରର ଦେବୋତ୍ତର କୃଷିଯୋଗ୍ୟ ଜମିରୁ ୨୯ ମାଣ ଖରିଦ କରିଥିଲେ । ସେହି ଭୂମିଟି ଟେନାଲି ସହରର ଅନତିଦୂରରେ ଅବସ୍ଥିତ ଥିଲା । ସଙ୍ଗମ ନିମନ୍ତେ ତିନିମାଣ ମିଳିଗଲା । ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏହି ଭୂମି ଲାଭ କରିଥିବା ୩୨ ଜଣ ବ୍ୟକ୍ତିଙ୍କୁ ହଜାରେ ଟଙ୍କା ଲେଖାଏଁ ନଗଦ ସହାୟତା ମିଳିଲା । ଅତିରିକ୍ତ ସୁଧ ହାରରେ ଅନେକ ବ୍ୟକ୍ତି ସ୍ଥାନୀୟ ମହାଜନମାନଙ୍କ ଠାରୁ ୧୦,୦୦୦ ଟଙ୍କା କରି ଧାର ମଧ୍ୟ ନେଇଥିଲେ । ତଥାପି, ଏତେ କରି ମଧ୍ୟ ଆଦୌ କୁଳାଇ ନଥିଲା । ଅବଶ୍ୟ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ନିଜ ନିଜର ଗୃହ ନିର୍ମାଣ କରିବା ପାଇଁ ସେମାନେ ଶେଷରେ ନିଜ ନିଜର ଜାଗା ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ସମର୍ଥ ହୋଇ ପାରିଥିଲେ ।

 

ଭୂମିକୁ ସମତୁଲ କରିବା ନିମନ୍ତେ ଟ୍ରାକ୍ଟର୍ ଲଗାଇବାକୁ ପଡ଼ିଲା । ତା’ପରେ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଗଲା । ଦୁଇମାସ ପର୍ଯ୍ୟନ୍ତ ସଙ୍ଗମର ସଦସ୍ୟମାନେ ବଡ଼ ଖୁସୀ ଥିଲେ-। ସେମାନେ ଅନୁଭବ କରୁଥିଲେ ଯେ ଦୁଃଖ ଏବଂ ଅପମାନଦ୍ୱାରା ପୂର୍ଣ୍ଣ ସେମାନଙ୍କ ଜୀବନଯାତ୍ରାର ଦିନଗୁଡ଼ିକରେ ଏଥର ଅବଶ୍ୟ ଏକ ଅବସାନ ସମ୍ଭବ ହେବ ।

 

ମାତ୍ର, ଏତିକିବେଳେ ବର୍ଷାଋତୁ ଆସିଲା ।

 

ସେମାନଙ୍କୁ ଭୂମି ମିଳିଥିବା ଜାଗାଟି ଗୋଟିଏ ନିତାନ୍ତ ଖାଲଜମି ଥିଲା ଓ ଚାରିପାଖରେ ରହିଥିବା ନାଳୀ ଗୁଡ଼ିକରୁ ପାଣି ଆସି ସେଇଟିକୁ ସଂପୂର୍ଣ୍ଣ ଜଳମଗ୍ନ କରି ଦେଇଥିଲା । ଜାଗାଟିକୁ ମେଖଳାଟିଏ ପରି ବେଷ୍ଟନ କରି ରହିଥିବା ବଡ଼ କେନାଲଟିରୁ ପାଣି ଆସି ଅବସ୍ଥାଟିକୁ ଅଧିକ ପ୍ରତିକୂଳ କରି ଦେଇଥିଲା । ଆଗରୁ ମନ୍ଦିରଠାରୁ ସେହି ଜମିଗୁଡ଼ିକୁ ପଟ୍ଟାରେ ନେଇ ବର୍ଷ ବର୍ଷ ଧରି ଚାଷ କରି ଆସିଥିବା ତିନିଜଣ ଅତ୍ୟନ୍ତ କ୍ଷମତାଶାଳୀ ଜମି ଛାଡ଼ିଦେବା ପାଇଁ ରାଜି ହେଲେନାହିଁ ଏବଂ ଜବରଦସ୍ତି ଜମି ଚାଷ କରିବାକୁ ଲାଗିଲେ । କେନାଲର ପଟ୍ଟା ଖୋଲିଦେଇ ସେମାନେ ଜାଗାଟିକୁ ଜଳପ୍ଳାବିତ କରି ରଖିଲେ । ସେମାନଙ୍କ ମଧ୍ୟରୁ ନାଗେଶ୍ୱର ରାଓ ନାମକ ଜଣେ ବ୍ୟକ୍ତି ନିଜ ଟ୍ରାକ୍ଟର ପକାଇ ସଂଗମର ସଦସ୍ୟମାନେ ଅଧା ତିଆରି କରିଥିବା ଘରଗୁଡ଼ିକୁ ହଳ ଚଳାଇ ଚଷି ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସତ୍ୟନାରାୟଣ ଓ ଅନ୍ୟ ବାସିନ୍ଦାମାନେ ତାହାର ଦୃଢ଼ ପ୍ରତିରୋଧ କରିଥିଲେ ଏବଂ ପରିଶେଷରେ ତାଙ୍କୁ ନିଜର ସେହି ଉଦ୍ୟମଟିକୁ ତ୍ୟାଗ କରିବାକୁ ପଡ଼ିଥିଲା ।

 

ପୂର୍ବତନ ପଟ୍ଟାଧାରୀମାନେ ମାମଲାଟିକୁ ସ୍ଥାନୀୟ କଚେରୀଯାଏ ମଧ୍ୟ ନେଇଗଲେ ଏବଂ ସେମାନେ ସେଠାରେ ହାରିଯିବା ପରେ ହାଇଦରାବାଦର ହାଇକୋର୍ଟକୁ ତାହା ବିଚାର ପାଇଁ ନିଆଗଲା । ମାତ୍ର, ଅନ୍ଧ ଭିକାରିମାନଙ୍କର ସେହି ସଂଗଠନଟି ମୋଟେ ନିରସ୍ତ୍ର ହୋଇନଥିଲା । ହାଇଦ୍ରାବାଦର ଜଣେ ଓକିଲ ଶ୍ରୀଯୁକ୍ତ ସୁବ୍ରମନିଅମଙ୍କର ସାହାଯ୍ୟରେ ଏବଂ ବହୁସଂଖ୍ୟକ ସଂଗୀତ-କାର୍ଯ୍ୟକ୍ରମରୁ ଅର୍ଥ ବଞ୍ଚାଇ ସେମାନେ ହାଇଦ୍ରାବାଦର କଚେରୀରେ ମକଦ୍ଦମା ଲଢ଼ିଲେ, ଆଦୌ ହଟିଆସି ନଥିଲେ । ଶେଷରେ ୧୯୯୬ ମସିହାରେ ହାଇକୋର୍ଟ ସେମାନଙ୍କ ସପକ୍ଷରେ ହିଁ ନିର୍ଦ୍ଦେଶ ଦେଇଥିଲା,–ସେହି ଭୂମି ରାଜ୍ୟ ସରକାରଙ୍କର ବୋଲି ସାବ୍ୟସ୍ତ ହେଲା ।

 

ତଥାପି, ପାଞ୍ଚ ବର୍ଷ ପରେ ମଧ୍ୟ, ଏଠାରେ ସେହି ଘଟଣାଟିକୁ ଲିପିବଦ୍ଧ କରୁଥିବା ସମୟରେ କଚେରୀର ନିର୍ଦ୍ଦେଶଟି କାର୍ଯ୍ୟକାରୀ ହୋଇ ପାରିନାହିଁ । କେତେ ପ୍ରକାର ସୁପରୀକ୍ଷିତ ପନ୍ଥାମାନ-ରାଜନୀତିର କୌଶଳ, ଅର୍ଥ-ପ୍ରଦାନ ଏବଂ ହିଂସାଚରଣ କରାଯିବାର ଭୟ ପ୍ରଦର୍ଶନ-ଅବଲମ୍ବନ କରି ପୂର୍ବତନ ପଟ୍ଟାଧାରୀମାନେ ବେଆଇନ୍ ଭାବରେ ସେହି ଭୂମିକୁ ଦଖଲ କରି ରହିଛନ୍ତି, ସେହି ଭୂମିକୁ ଏବେ ମଧ୍ୟ ଚାଷ କରୁଛନ୍ତି ଏବଂ ବିବେକର ଆଦୌ କୌଣସି ଦଂଶନ ଅନୁଭବ ନକରି ଜାଗାଟିକୁ ଜଳଦ୍ୱାରା ପ୍ଳାବିତ କରି ଦେଉଛନ୍ତି । ସଙ୍ଗମର ପ୍ରାୟ ୧୨ ଜଣ ଦୃଢ଼ମନା ସଦସ୍ୟ,–ସେମାନଙ୍କ ମଧ୍ୟରେ ସତ୍ୟନାରାୟଣ ଓ ଶାନ୍ତାମ୍ମା ମଧ୍ୟ ଅଛନ୍ତି,–ସେଠାରେ ଥିବା ବନ୍ୟାଜଳ ଓ ନଳାପାଣି ଭିତରେ କେତୋଟି ଡିହ ଉଠାଇ ଦେଇ ସେଗୁଡ଼ିକ ଉପରେ ନିଜର ଘରଗୁଡ଼ିକୁ ତିଆରି କରି ନେଇଛନ୍ତି । ବର୍ଷର ଏକାଧିକ ମାସରେ ଏହି ଡିହଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ଦ୍ୱୀପ ପରି ଦେଖା ଯାଉଥାଏ । ସ୍ଥାନୀୟ ସରକାରୀ କର୍ତ୍ତା ଓ ପୌରପାଳିକାର ସ୍ଥାନସ୍ଥମାନଙ୍କ ପାଖକୁ କେତେ ଦରଖାସ୍ତ ଗଲାଣି, ତଥାପି ପୂର୍ବତନ ପଟ୍ଟାଧାରୀମାନଙ୍କୁ ସେଠାରୁ ବାହାର କରିବା ସମ୍ଭବ ହୋଇନାହିଁ ।

 

ଓଲଟି, ଦୁଇବର୍ଷ ତଳେ, ଯେତେବେଳେ ସ୍ଥାନୀୟ ସରକାରୀ କର୍ତ୍ତାମାନେ ଅନ୍ଧ ଭିକାରିମାନେ ନିଜର ବସତି କରି ରହିବାକୁ ଯାଉଥିବା ଜମିଟିର ମଧ୍ୟଦେଇ ସହରର ମଳମୂତ୍ର ତଥା ଆବର୍ଜନା ଯିବା ସକାଶେ ଯେତେବେଳେ ସେହି ବଡ଼ ଖୋଲା ନଳାଟିକୁ ଗତି ପରିବର୍ତ୍ତନ କରାଇ ମୁହାଁଇ ନେବାର ନିଷ୍ପତ୍ତି ଗ୍ରହଣ କରିଥିଲେ, ସେତେବେଳେ ସଙ୍ଗମର ସଦସ୍ୟମାନଙ୍କର ସମସ୍ୟା ପ୍ରକୃତରେ ଅଧିକ ଜଟିଳ ହୋଇଗଲା । ତାହାରି ଫଳରେ, ସେମାନଙ୍କର ଘର ଚାରିପାଖ ଯେ ବର୍ତ୍ତମାନ ଜଳଦ୍ୱାରା ପ୍ଳାବିତ ହୋଇ ରହିଛି, କେବଳ ସେତିକି ନୁହେଁ, ବର୍ତ୍ତମାନ ସେମାନଙ୍କୁ ଅଣ୍ଟାଏ ଗହୀରର ଆବର୍ଜନା ଭିତରେ ମଧ୍ୟ ରହିବାକୁ ପଡ଼ୁଛି । ଦିନମାନର ଖଟଣି ପରେ ଘରକୁ ଫେରି ଆସିବା ସମୟରେ ବାସିନ୍ଦାମାନଙ୍କୁ ତାହାରି ଭିତର ଦେଇ ଆସିବାକୁ ହେଉଛି । ଡିହଗୁଡ଼ିକ ପାଖକୁ ଆସି ପ୍ରଥମେ ଘରର ଲୋକମାନଙ୍କୁ ବଡ଼ ପାଟି କରି ଡାକିବାକୁ ପଡ଼ୁଛି ଏବଂ ଅପର ପାର୍ଶ୍ଵରେ ଲୋକମାନଙ୍କୁ ତାହାର ଜବାବ ବି ଦେବାକୁ ହେଉଛି । ଆଖିକୁ ଦେଖା ଯାଉ ନଥିବାରୁ ସେମାନେ ସେହି ଜବାବକୁ ଅନ୍ଦାଜ କରି କରି ରାସ୍ତାଟିକୁ ପାରି ହୋଇ ପାରୁଛନ୍ତି । ମାଟିଟା ମଧ୍ୟ ଭାରି କାଦୁଆ, ଗୋଡ଼ମାନେ ଭାରି ଲାଖି ଯାଉଛନ୍ତି,–ତା’ରି ଭିତରେ ହୁଏତ ଭଙ୍ଗା କାଚମାନ ମଧ୍ୟ କେଉଁଠି ଅବଶ୍ୟ ରହିଥିବ ଏବଂ ତାହା ଉପରେ ଗୋଡ଼ ପଡ଼ିଯିବାର ମଧ୍ୟ ସର୍ବଦା ରହିଛି । କେତେବେଳେ ଯେ କ’ଣ ଘଟିପାରେ, ସେହି ସଂଶୟ ଭିତରେ ଆଗକୁ ଖୋଜ ପକାଇ ଆସୁଥିବା ସମୟରେ ନଳାପାଣି ଭିତରେ ବହଳ ହୋଇ ରହିଥିବା ଦଳଗୁଡ଼ାକୁ ଓ ଆବର୍ଜନାକୁ ମଧ୍ୟ ଦୁଇପାଖକୁ ଆଡ଼େଇ ଆଡ଼େଇ ଯିବାକୁ ପଡ଼ୁଛି । ବହୁ ସମୟରେ ଝୁଣ୍ଟି ପଡ଼ିଯିବାର ଆଶଙ୍କା ବି ରହିଛି ଏବଂ ତା’ ଫଳରେ ହୁଏତ ବାଟରୁ କିଣି ହାତରେ ଧରି ଆସୁଥିବା ଖାଦ୍ୟପଦାର୍ଥ ଗୁଡ଼ିକ ମଧ୍ୟ ସେହି ମଇଳା ଭିତରେ ପଡ଼ିଯିବାର ଆଶଙ୍କା ଅଛି ।

 

ବିଗତ ଏହି ବର୍ଷମାନଙ୍କରେ ସେମାନେ ସହରର କର୍ତ୍ତାମାନଙ୍କୁ ଦରଖାସ୍ତ କରି ଜଣାଇଛନ୍ତି ଯେ, କର୍ତ୍ତାମାନେ ସେମାନଙ୍କ ସକାଶେ ଅନ୍ତତଃ ସାନ ପୋଲଟିଏ ବା କଲଭର୍ଟ୍‍ଟିଏ ଯୋଗାଇ ଦିଅନ୍ତୁ, ଯେପରିକି ସେମାନଙ୍କୁ ଆଉ ନଳାପାଣି ଓ ସହରଯାକର ମଇଳା ଭିତରେ ଯିବାକୁ ନପଡ଼ିବ । ଗୋଟିଏ ହେଲେ ଦରଖାସ୍ତ ଅନୁସାରେ କାର୍ଯ୍ୟ କରା ଯାଇନାହିଁ । “ତୁମେମାନେ ତ ଭିକ ମାଗି ଜୀବିକା ନିର୍ବାହ କରୁଛି, ତେବେ ମୋ’ ପାଖକୁ କାହିଁକି ଦରଖାସ୍ତ ଲେଖି ପୋଲଟିଏ କରିଦିଅ ବୋଲି କହୁଛ ? ଏବେ ଜଣେ ତରୁଣ ସବ୍–କଲେକ୍ଟର ସେମାନଙ୍କୁ ଜବାବ ଦେଇ କହିଛନ୍ତି । ‘ତୁମେମାନେ କାହିଁକି ଭିକ ମାଗି ପ୍ରତ୍ୟହ ଜଣପିଛା ଦଶଟଙ୍କା ଅଧିକ କମାଇ ପାରୁନାହଁ ଓ ନିଜେ ପୋଲଟିକୁ ତିଆରି କରୁନାହଁ ?” ଏହିପରି ଭାବରେ ଉକ୍ତ ଗୋଷ୍ଠୀଟିକୁ ବହୁ ଚାପୁଡ଼ା ସହିବାକୁ ହୋଇଛି, ବହୁକାଳ ଧରି ଅପମାନ ପାଇଛି ଏବଂ ଅବହେଳାର ସମ୍ମୁଖୀନ ହୋଇଛି । କିନ୍ତୁ, ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଯେ, ଗୋଷ୍ଠୀର ସଦସ୍ୟବୃନ୍ଦ ସେଥିଲାଗି କେବେହେଲେ ରୋଷ ପ୍ରକାଶ କରିନାହାନ୍ତି । ଅବଶ୍ୟ ତଥାପି, ସେହି ତରୁଣ ସବ୍-କଲେକ୍ଟଙ୍କର ସେହି ବିବେକହୀନ ମନ୍ତବ୍ୟଟି ସେମାନଙ୍କୁ ବହୁତ ବହୁତ ଆଘାତ ଦେଇଛି ।

 

ଟେନାଲିରେ ଦାରିଦ୍ର୍ୟ ବିଷୟରେ ଗୋଟିଏ ସର୍ବେକ୍ଷଣ କରୁଥିବା ସମୟରେ ତରୁଣ ସମାଜସେବୀମାନଙ୍କର ଗୋଟିଏ ଗୋଷ୍ଠୀ ଅନ୍ଧ ଭିକାରିମାନଙ୍କର ଏହି ବସତିଟିରେ ଆସି ପହଞ୍ଚିଥିଲେ । ଭିକାରିମାନେ ଆପଣାର ଘର ବୋଲି କହୁଥିବା ଏହିସବୁ ତୁଚ୍ଛ ଟାପୁଗୁଡ଼ିକରେ ଆସି ପହଞ୍ଚିବାକୁ ବହଳ ପାଣି ଓ ଆବର୍ଜନା ଭିତରେ ପଶି ପାର ହୋଇ ଆସୁଥିବା ସମୟରେ ସେମାନେ ସେଠାରେ କ’ଣ ସବୁ ଦେଖିବାକୁ ଯେ ପାଇବେ, ସେହି ବିଷୟରେ ଆଦୌ କିଛି ଭାବିନଥିଲେ । ଗୋଷ୍ଠୀଟି କିପରି ଏଠାରେ ଆସି ଏକତ୍ର ରହିଲା ଓ ଏକ ଅଧିକ ସହନୀୟ ଉତ୍ତମ ଜୀବନ ଯାପନ କରିବ ବୋଲି କ’ଣ ସବୁ କରି କରି ଆସିଲା, ସେହି କାହାଣୀଗୁଡ଼ିକୁ ଶୁଣି ପ୍ରଥମେ ତାହାର ଆଦୌ ବିଶ୍ୱାସ ହେଲାନାହିଁ ଏବଂ ତା’ପରେ ପ୍ରକୃତରେ ଅତ୍ୟନ୍ତ ବିସ୍ମୟ ହିଁ ପ୍ରକାଶ କଲା ।

 

ବହୁ ଆଶଙ୍କା ମଧ୍ୟଦେଇ ଗତି କରୁଥିବା ଏହି ଅନ୍ଧ ବାସିନ୍ଦାମାନେ, ଯେଉଁମାନେ କି ଅଧିକାଂଶ ଭିକ ମାଗି ସଂସାର ନିର୍ବାହ କରୁଥିଲେ, ଏବଂ ଅନ୍ୟ ପକ୍ଷରେ ସେହି ତାରୁଣ୍ୟଛଳଛଳ ସମାଜସେବୀ ଦଳ,–କ୍ରମେ ଉଭୟଙ୍କ ମଧ୍ୟରେ ମମତାର ଏକ ସମ୍ବନ୍ଧସୂତ୍ର ସ୍ଥାପିତ ହୋଇ ଆସିଥିଲା ।

 

ଏହି ଯୁବାମାନେ ହିଁ ମୋତେ ସତ୍ୟନାରାୟଣ ଓ ଶାନ୍ତାମ୍ମାଙ୍କ ଘରକୁ ଡାକି ନେଇ ଯାଇଥିଲେ;–ସେଦିନର ସେହି ଅସ୍ତମିତ ହୋଇ ଯାଉଥିବା ସନ୍ଧ୍ୟାଲୋକ ଭିତରେ ସବୁଠାରେ ସେହି ଅଧିବାସୀମାନଙ୍କର ସମ୍ପୂର୍ଣ୍ଣ ଗୋଷ୍ଠୀଟି ଆସି ରୁଣ୍ଡ ହୋଇଥାଏ । ଆମ ସହିତ ଏକତ୍ର କଥାବାର୍ତ୍ତା କରିବା ସମୟରେ ସେମାନେ ପ୍ରଥମେ ସେମାନେ କରି ଆସିଥିବା ଦୀର୍ଘ ସଂଘର୍ଷର କାହାଣୀଟିକୁ ବର୍ଣ୍ଣନା କରି କହିଥିଲେ ଏବଂ ତା’ପରେ, ଜଣେ ସମାଜସେବୀ ସେଦିନ ସେଠାରେ କାହିଁକି ଉପସ୍ଥିତ ନଥିଲେ ବୋଲି ଆମକୁ ପ୍ରଶ୍ନ କରିଥିଲେ । ସିଏ ଗୋଟିଏ ମୋଟର–ସାଇକେଲ୍ ଦୁର୍ଘଟଣାରେ ଆହତ ହୋଇଥିଲେ ବୋଲି ଆମେ ଉତ୍ତର ଦେଲୁ । ତହୁଁ ସେମାନେ ନିଜ ଭିତରେ କଥାବାର୍ତ୍ତା ହୋଇ ଆହତ ଯୁବକଟି ଆଶୁ ଆରୋଗ୍ୟ ଲାଭ କରନ୍ତୁ ବୋଲି ଏକ ବିଶେଷ ପ୍ରାର୍ଥନା କରିବା ନିମନ୍ତେ ମନସ୍ଥ କରିଥିଲେ । ସମସ୍ତେ ଛିଡ଼ା ହେଲେ ଏବଂ ଯୁବକଙ୍କ ସକାଶେ ଏକ ଦୀର୍ଘ, ସ୍ୱଚ୍ଛ ତଥା ଆନ୍ତରିକତାପୂର୍ଣ୍ଣ ପ୍ରାର୍ଥନାଟିଏ ନିବେଦନ କରିଥିଲେ; ସେଭଳି ନିଷ୍ଠା ଏବଂ ସଂବେଦନାମୟ ଶୁଭେଚ୍ଛା ମୁଁ ମୋ’ ଜୀବନରେ ହୁଏତ କ୍ଵଚିତ୍ ଦେଖିଥିବି ।

 

ସେମାନେ ପ୍ରାର୍ଥନା କରୁଥିବା ସମୟରେ ସେହି ସାନ୍ଧ୍ୟ ଉତ୍ତରଟି ସଂପୂର୍ଣ୍ଣ ଥିର ହୋଇ ରହିଥାଏ । ପ୍ରାର୍ଥନାଟି ଶେଷ ହେବା ପରେ ଆମେ ସେମାନଙ୍କଠାରୁ ବିଦାୟ ନେଲୁ । ଚାରିଆଡ଼ ଅନ୍ଧାର ହୋଇ ରହିଥାଏ । ଆମର ସେହି ଯୁବା ବନ୍ଧୁମାନଙ୍କ ମଧ୍ୟରୁ କଥାରେ ବ୍ୟକ୍ତ ହୋଇ ପାରୁନଥିବା ଆମ ସମସ୍ତଙ୍କର ଭାବନାଗୁଡ଼ିକୁ ଶବ୍ଦ ଯୋଗାଇଦେଇ କହିଥିଲେ,–ସେ କହିଥିଲେ ଯେ ନିତାନ୍ତ ବିସ୍ତୃତ ହୋଇ ରହିଥିବା ମନୁଷ୍ୟମାନଙ୍କର ଏହି ଅନାମଧେୟ ବସତିଟିରେ ଆମେ ଖୁବବେଶୀ ଯେତିକି ଦେଇ ପାରିଥାଆନ୍ତୁ, ସେମାନଙ୍କ ଠାରୁ ପ୍ରକୃତରେ ତାହାଠାରୁ ଅନେକ ବେଶୀ ପାଇପାରିଛୁ ।

☆☆☆

 

କେତୋଟି ଟିପ୍ପଣୀ

ଭୋପାଳ ଘଟଣା ପରେ

 

ସୁନୀଲ ମୋତେ ତା’ର ସମସ୍ତ କାହାଣୀ କହିବା ନିମନ୍ତେ ରାଜି ହୋଇଥିଲା, ମୁଁ ସେଥିପାଇଁ ତା’ପାଖରେ ବହୁତ କୃତଜ୍ଞ । ଅବଦୁଲ୍ ଜବ୍ଦାର ହିଁ ମୋତେ ସୁନୀଲ ସହିତ ନେଇ ପରିଚିତ କରାଇ ଦେଇଥିଲେ, ମୁଁ ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି । ସେଇତ ଭୋପାଳ ବିପର୍ଯ୍ୟୟଟିରୁ ତଥାପି ବଞ୍ଚି ଯାଇଥିବା ବ୍ୟକ୍ତିମାନଙ୍କ ପାଖରେ ସବୁବେଳେ ଯାଇ ଛିଡ଼ା ହୋଇଛନ୍ତି ଏବଂ ସେମାନେ ଯେ ଦିନେ ଅବଶ୍ୟ ନ୍ୟାୟ ପାଇବେ, ସେହି ବିଷୟରେ ସେମାନଙ୍କର ଆଶାକୁ ଉଜ୍ଜୀବିତ କରି ରଖିଛନ୍ତି । ମୁଁ ସାଥ୍ୟୁ ପାଖରେ ମଧ୍ୟ ବହୁତ ଋଣୀ, କାରଣ ସୁନୀଲ ଅସୁବିଧାରେ ପଡ଼ିଥିବା ସମୟରେ ସିଏ ସୁନୀଲର ବହୁତ ଯତ୍ନ ନେଇଛି । ଏବେ ମଧ୍ୟ ସେହିପରି ଯତ୍ନ ନେଉଛି । ସେହି ଦୁର୍ବିପାକରେ ପଡ଼ିଥିବା ପୀଡ଼ିତ ଲୋକମାନଙ୍କ ସକାଶେ ମଧ୍ୟ ଅନେକ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଛି । ଭୋପାଳରେ ଥିବା ଆକ୍‍ସନ୍ ଏଡ୍ ଅନୁଷ୍ଠାନର ସାଧନା ପାଠକ ଓ ତାଙ୍କର ଅନ୍ୟ ସହକର୍ମୀଙ୍କୁ ଧନ୍ୟବାଦ ଦେଉଛି । ଗ୍ୟାସଜନିତ ଦୁର୍ଗତିର ଶିଳ୍ପଗତ ଓ ଆଇନସମ୍ବନ୍ଧିତ ଦିଗଗୁଡ଼ିକ ବିଷୟରେ ବିଶଦ ଭାବରେ ଜାଣିବାକୁ ନିକଟରେ ପ୍ରକାଶିତ ହୋଇଥିବା ଦୁଇଟି ପୁସ୍ତିକା ଉପରେ ନିର୍ଭର କରିଛି । ପ୍ରଥମଟି ହେଉଛି The Truth of Bhopal (ଭୋପାଳ ବିଷୟରେ ସତକଥା, ୧୯୯୯) । ଶ୍ରୀ କୈଳାଶ ଶ୍ରୀବାସ୍ତବ ‘ଆଦମି’ ଏଇଟିର ସମ୍ପାଦନା କରିଛନ୍ତି ଓ ଭୋପାଳ ଗ୍ୟାସ୍ ପୀଡ଼ିତ ମହିଳାସଂଘର ଆବାହକ ଅବଦୁଲ ଜବ୍ଦାର ତାହା ପ୍ରକାଶ କରିଛନ୍ତି । ଦ୍ୱିତୀୟଟି ପ୍ରକାଶିତ ହୋଇନାହିଁ; ଘଟଣାଟିର ପୃଷ୍ଠଭୂମି ବିଷୟରେ ଏଥିରେ ଚର୍ଚ୍ଚା ହୋଇଛି । ଏଇଟିର ନାଆଁ ହେଉଛି : Surviving Bhopal : 15 years on (ଭୋପାଳ ଦୁର୍ଘଟଣାରୁ ଯେଉଁମାନେ ବଞ୍ଚି ଯାଇଛନ୍ତି : ପନ୍ଦର ବର୍ଷ ହେଲାଣି, ୧୯୯୯) । ଏକ ତଥ୍ୟ-ସଂଗ୍ରହକାରୀ କମିଟି ତାହାକୁ ପ୍ରସ୍ତୁତ କରିଛନ୍ତି,–ଅନୁସନ୍ଧାନ ଓ ତଥ୍ୟ ସଂଗ୍ରହ ଏବେ ମଧ୍ୟ ଲାଗିରହିଛି ।

 

ପଛେ ପଛେ ପୋଲିସ୍

 

ମେହବୁବ୍-କି-ମେହନ୍ଦୀର ମହିଳାମାନେ ମୋ’ ଆଗରେ ନିଜର ଅନୁଭବଗୁଡ଼ିକୁ ଆସି କହିଥିବାରୁ ମୁଁ ସେମାନଙ୍କ ପାଖରେ ମୋ’ର ଧନ୍ୟବାଦ ଜଣାଉଛି । ସେମାନଙ୍କ ପରିଚୟଗୁଡ଼ିକୁ ଗୋପନୀୟ ରଖିବା ନିମନ୍ତେ ମୁଁ ସେମାନଙ୍କର ନାମଗୁଡ଼ିକୁ ବଦଳାଇ ଦେଇଛି । ମୋ’ର ବନ୍ଧୁ, ସଂବେଦନାସମ୍ପନ୍ନ ବିବରଣୀକାର, ଗବେଷକ ତଥା ଲେଖକ ଅନନ୍ତ କୃଷ୍ଣଙ୍କ ପାଖରେ ମୁଁ ପ୍ରକୃତରେ ଋଣୀ,–ଯିଏକି ଏହି ମହିଳାମାନଙ୍କ ପକ୍ଷ ନେଇ ଲଢ଼ିଛନ୍ତି ଏବଂ ସେମାନଙ୍କର କାହାଣୀଟିକ ମୋ’ ପାଖରେ ଆସି କହିଛନ୍ତି । ଲେଖକ ଏବଂ ସମାଜସେବକ ପ୍ରେମ ପାଖରେ ମଧ୍ୟ ମୁଁ କୃତଜ୍ଞ, ଯିଏକି ମୋତେ ସେହି ମହିଳାମାନଙ୍କ ସହିତ ପରିଚିତ କରାଇ ଦେଇଥିଲେ ଏବଂ, ସେମାନେ ଯେ ମୋ’ଠାରେ ଅବଶ୍ୟ ଆସ୍ଥା ରଖିପାରିବେ, ସେହି ବିଷୟରେ ସେମାନଙ୍କୁ ନିର୍ଭର ଜବାବ ମଧ୍ୟ ଦେଇଥିଲେ । ମୁଁ ଯେ ଅବଶ୍ୟ ସେହି ଆସ୍ଥାର ଯୋଗ୍ୟ ପ୍ରମାଣ ଦେଇପାରିବି, ମୁଁ ସର୍ବଦା ସେହି ଆଶା ହିଁ ରଖିଛି ।

 

ରହିବାଟା ରାସ୍ତା ଉପରେ

 

ନିଜର କାହାଣୀଟି ମୋ ପାଖରେ କହିଥିବାରୁ ମୁଁ ଆନନ୍ଦକୁ (ତା’ ଅନୁରୋଧରେ ତା’ର ପ୍ରକୃତ ନାମକୁ ବଦଳାଇ ଦିଆଯାଇଛି) ମୁଁ କୃତଜ୍ଞତା ଜ୍ଞାପନ କରୁଛି । ଫାଦର୍ ଜର୍ଜ କୋଲ୍ଲାଶାନି, ତାଙ୍କର ଉତ୍ସର୍ଗୀକୃତ କର୍ମୀମଣ୍ଡଳୀ, ଦୀକ୍ଷା ଗ୍ରହଣ କରିଥିବା, ଭ୍ରାତାମାନେ ଓ ସାଧାରଣ ଅନ୍ୟ କର୍ମୀମାନେ ମଧ୍ୟ ଧନ୍ୟବାଦାର୍ହ; ସେମାନେ କେତେ ସ୍ନେହ ଓ ସମଦରଦ ପ୍ରଦର୍ଶନ କରିଛନ୍ତି, ରାସ୍ତା ଉପରର ସେହି ‘ସାନ ମନୁଷ୍ୟମାନଙ୍କୁ’ କେତେ ସମ୍ମାନର ସହିତ ଦେଖି ପାରିଛନ୍ତି ।

 

ନାରାୟଣାମ୍ମା ହାଡ଼ିଆଣୀ

 

ନିଜର ଜୀବନକାହାଣୀଟିକୁ ମୋତେ କହିଥିବାରୁ ମୁଁ ନାରାୟଣାମ୍ମା ପାଖରେ ଅତ୍ୟନ୍ତ ଋଣୀ, ନିଜ ଗର୍ବ ତଥା ନିଜ ଲଜ୍ଜାର ସବୁ କିଛି କଥା ସିଏ ମୋତେ କହି ଦେଇଥିଲା । ଉଇଲ୍‍ସନ୍‍ଙ୍କର ସଂଗ୍ରାମ ସହିତ ମୁଁ ଆପଣାକୁ ଗଭୀର ଭାବରେ ଏକାତ୍ମ କରି ରଖୁଛି ଏବଂ ସେହି ସଂଗ୍ରାମକୁ ଅଧିକ ବଳ ଯୋଗାଇ ଦେଇଥିବା ଶ୍ରୀ ଶଙ୍କରନ୍‍ଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି । ସନ୍ଦୀପ, ଅଞ୍ଜାୟା ଏବଂ ହାଇଦରାବାଦ ଆକ୍ସନ୍ ଏଡ଼ରେ କାର୍ଯ୍ୟ କରୁଥିବା ମୋ’ର ଅନ୍ୟ ସହକର୍ମୀମାନଙ୍କୁ ଅନେକ ଧନ୍ୟବାଦ ଯେଉଁମାନେ କି ଏହି ସାମାଜିକ ମନ୍ଦଟା ସହିତ ସଂଘର୍ଷ କରି ଶେଷ କରିଦେବେ ବୋଲି ଏକାଠି ଉଦ୍ୟମ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି ।

 

ଭାଗଲପୁରକୁ ଭୁଲି ନଯିବାପାଇଁ ସଂଗ୍ରାମ

 

ଚନ୍ଦେରି ହତ୍ୟାକାଣ୍ଡ ସମେତ ଦଙ୍ଗା ବିଷୟରେ ଯାବତୀୟ ଘଟଣାର ବର୍ଣ୍ଣନାରେ ରହିଥିବା ସମୁଦାୟ ତଥ୍ୟାବଳୀ ନିମନ୍ତେ ମୁଁ ବିହାର ରାଜ୍ୟ ସରକାରଙ୍କର ବିଚାରବିଭାଗୀୟ ତଦନ୍ତ କମିଶନର ବିବରଣୀଟି ଉପରେ ହିଁ ସଂପୂର୍ଣ୍ଣ ଭାବରେ ନିର୍ଭର କରିଛି । ଏହି ବିବରଣୀ ୧୯୯୫ ମସିହାରେ ଦାଖଲ କରା ହୋଇଥିଲା । ମୋତେ ନିଜର ଦୁଃଖପୂର୍ଣ୍ଣ କାହାଣୀଟିକୁ କହି ପାରିଥିବାରୁ ମୁଁ ମଲିକା ପାଖରେ କୃତଜ୍ଞ । ନ୍ୟାୟ ମିଳିବାର ଆଶାରେ ଶହ ଶହ ଥର ତାକୁ ସେହି ଏକାକଥାକୁ କହିଥିଲେ ମଧ୍ୟ ସିଏ ତଥାପି ମୋ’ ଆଗରେ ସବୁକିଛି କହି ପାରିଥିଲା ।

 

ଭାଗଲପୁରବାସୀ ବନକର୍ମଚାରୀ ବନ୍ଧୁ ଜବ୍ଦାଦ ହାସାନ ହିଁ ମୋତେ ଏହି କାହାଣୀଟିକୁ ଲେଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ତାଙ୍କୁ ମୁଁ ଧନ୍ୟବାଦ ଦେଉଛି । ଏକ ବିଶେଷ ଅର୍ନ୍ତଯନ୍ତ୍ରଣା ସହିତ ମୁଁ ତାହାକୁ ଲିଖିତ ରୂପ ଦେଇପାରିଲି । ଏହି କାହାଣୀଟିରେ ମନୁଷ୍ୟର ବର୍ବରତା ତଥା ଅନ୍ୟାୟକୁ ଦେଖି ମଧ୍ୟ ସରକାରୀ ବ୍ୟକ୍ତିମାନଙ୍କର ଉଦାସୀନତା ଆପଣାର ଏକ ଚରମ ସୀମାକୁ ହିଁ ସ୍ପର୍ଶ କରିଥିଲା । ସେହି ନୃଶଂସତା ବିଷୟରେ ମୁଁ ଯେତିକି ଜାଣିବାକୁ ପାଇଥିଲି, ତାହାର କେବଳ ଏକ କ୍ଷୁଦ୍ର ଅଂଶକୁ ହିଁ ଲେଖି କରି କହି ପାରିଲି । ଆକ୍‍ସନ୍ ଏଡ୍‌ରେ ଥିବା ମୋ’ର ସହକର୍ମୀ ପୁଷ୍ପେନ୍ଦ୍ର, ରିଜଓ୍ୱାନ୍, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭାଗଲପୁରର ମାନବ ନିମନ୍ତେ ଦରଦପୂର୍ଣ୍ଣ ରିଲିଫ୍ କର୍ମୀ-ଏମାନଙ୍କୁ ମୁଁ ନିଜର କୃତଜ୍ଞତା ଜଣାଉଛି । ସେମାନେ ମୋତେ ବହୁତ ସାହାଯ୍ୟ କରିଛନ୍ତି । ଭାଗଲପୁର ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ଫାରୁକ୍ ଅଲ୍ଲିଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି,–ସେଇ ତ ମୋତେ ସେହି ଗଭୀର ଅର୍ଥ ରହିଥିବା ଶବ୍ଦଗୁଡ଼ିକୁ କହିଥିଲେ ଯେ, ଯେଉଁ ଜନସମଷ୍ଟିଟି ଆପଣାର ଇତିହାସକୁ ଭୁଲିଯିବାକୁ ନିଷ୍ପତ୍ତଟିଏ ଗ୍ରହଣ କରେ, କେବଳ ସେଇ ଇତିହାସର ପୁନରାବୃତ୍ତ କରିବାପାଇଁ ବାଧ୍ୟ ହୁଏ ।

 

ନିଜେ ରୋଗୀ ଆରୋଗ୍ୟକାରୀ : HIV ସହିତ କଟାଇଥିବା ଜୀବନ ।

 

କେତେ ସାଧୁତା ସହିତ ଦୀପକ କୁମାର ସିଂହ ଲାଇମାପୋକ୍‍ପମ୍ ମୋ’ ଆଗରେ ତାଙ୍କର ନିଜର କାହାଣୀଟିକୁ ବର୍ଣ୍ଣନା କଲେ, ସେଥିପାଇଁ ମୁଁ ତାଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ । ସିଏ କେତେ ଦୃଢ଼ ଭାବରେ କହୁଥିଲେ ଯେ ଏହିସବୁ କ୍ଷେତ୍ରରେ ସେ ଆଦୌ କିଛି ଗୋପନୀୟ ରଖିବାପାଇଁ ଇଚ୍ଛା କରୁନାହାନ୍ତି । ତାଙ୍କ ସଂଗଠନଟିର ଅନ୍ୟ ତରୁଣ ତଥା ସାହସ ରହିଥିବା ବନ୍ଧୁମାନଙ୍କୁ ମଧ୍ୟ ମୁଁ ବହୁତ ଧନ୍ୟବାଦ ଦେଉଛି, କାରଣ ସେମାନେ ମୋ’ପାଇଁ ଏତେ ସମୟ ଦେଇଛନ୍ତି, ନିଜର ବିଚାରଗୁଡ଼ିକୁ ମଧ୍ୟ ମୋ’ ପାଖରେ ବ୍ୟକ୍ତ କରିଛନ୍ତି । ଗୌହାଟୀରେ ଆକ୍ସନ୍ ଏଡରେ କାର୍ଯ୍ୟ କରୁଥିବା ମୋ’ର ସହକର୍ମୀ ପ୍ରସନ୍ନ ପିଞ୍ଚା ଏବଂ ଗୋପେନ୍ ମୋଜେସ୍‍ଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି, କାରଣ ସେମାନେ ମୋତେ ଦୀପକ ସହିତ ପରିଚିତ କରାଇ ଦେଇଥିଲେ ଓ ତା’ର ସଂଗଠନସ୍ଥ କାର୍ଯ୍ୟକୁ ସହାୟତା ବି ଦେଉଥିଲେ ।

 

ଜଗତୁ ଗଣ୍ଡର ଜମି

 

ଏହି ତରୁଣ ଆଦିବାସୀ ମନୁଷ୍ୟଟିର ପ୍ରଶଂସାରେ ହିଁ ଏହି କାହାଣୀଟି ଲେଖା ହୋଇଥିଲା । ଜଣେ ସବ୍ ଡେପୁଟୀ ମାଜିଷ୍ଟ୍ରେଟ୍ ହିସାବରେ ସେଠାରେ ମୋର ପ୍ରଥମ କାର୍ଯ୍ୟକାଳ ସମୟରେ ମୋ’ର ତା’ସହିତ ଭେଟ ହୋଇଥିଲା । ସେତେବେଳକୁ ସିଏ ଦୀର୍ଘ ପ୍ରାୟ କୋଡ଼ିଏବର୍ଷ କାଳ ନିଜର ଏହି ସଂଗ୍ରାମଟିକୁ ଲଢ଼ି ସାରିଥିଲା । ତା’ର ପରିଚୟଟିକୁ ଗୋପନ ରଖିବାର ଅଭିପ୍ରାୟରେ ମୁଁ ତା’ ନାଆଁକୁ ବଦଳାଇ ଦେଇଛି; କାହାଣୀଟିର ସ୍ଥାନକୁ ମଧ୍ୟ ବଦଳାଇ ଦେଇଛି । ଏହି କାହାଣୀରେ ନ୍ୟାୟାଳୟରେ ହୋଇଥିବା ଯାବତୀୟ ସଂଗ୍ରାମର ଘଟଣାଗୁଡ଼ିକୁ ସଂପୂର୍ଣ୍ଣ ସତ୍ୟତା ସହିତ ଉପସ୍ଥାପିତ କରାଯାଇଛି ସତ, ମାତ୍ର ବ୍ୟକ୍ତିଗତ ସମ୍ବନ୍ଧଗୁଡ଼ିକୁ ଆଂଶିକ ଭାବରେ କାଳ୍ପନିକ କରି ଦିଆଯାଇଛି । କାରଣ, ପ୍ରଥମେ ସୟଦ ମିର୍ଜା ତିଆରି କରୁଥିବା ଗୋଟିଏ ଫିଲ୍ମ କାହାଣୀ ରୂପେ ଏଇଟି ଲେଖା ଯାଇଥିଲା । କିନ୍ତୁ ଫିଲ୍ମଟି ବସ୍ତୁତଃ କେବେ ତିଆରି ହୋଇ ପାରିନଥିଲା ।

 

ଜଗତୁ ଶେଷରେ ତା’ ଜମି ଫେରିପାଇଲା କି ନାହିଁ, ମୋତେ ଅନେକ ପାଠକ ସେହି ପ୍ରଶ୍ନଟିକୁ ପଚାରିଛନ୍ତି । ଏଭଳି ଘଟଣାର ଅଧିକାଂଶ ଦୃଷ୍ଟାନ୍ତରେ, ଭାରତବର୍ଷର ସବୁ ଆଦିବାସୀ ଅଞ୍ଚଳରେ ଜଗତୁ ପରି ମଣିଷମାନେ ଏହି ସଂଗ୍ରାମରେ କଦାପି ସଫଳତା ଲାଭ କରି ପାରିନଥାନ୍ତେ-। ଏହି କ୍ଷେତ୍ରରେ ସେମାନଙ୍କ ଲାଗି କେତେ କେତେ ଶକ୍ତିଶାଳୀ ବାଧା ଠିଆ ହୋଇ ରହିଥାଏ-। ମାତ୍ର, ପ୍ରାୟ ଏକ ଅଲୌକିକ ଘଟଣା ଘଟିଥିବା ଭଳି କଥା ଯେ, ଜଣେ ଆଦିବାସୀ ଯୁବକ ହିସାବରେ ଜଗତୁ ଯେଉଁ ପ୍ରକାର ଧାତୁରେ ଗଢ଼ାହୋଇଛି, ଏକାଧିକ ବର୍ଷ ପରେ ସିଏ ପ୍ରକୃତରେ ନିଜର ଜମି ଫେରି ପାଇଥିଲା । ଏଥିପାଇଁ ଏକାବେଳେକେ ବହୁ କଥାକୁ ଦାୟୀ କରାଯାଇ ପାରିବ,–ମାତ୍ର ସର୍ବୋପରି, ସିଏ ଯେଉଁପରି ବିରଳ ଅଧ୍ୟବସାୟ ଏବଂ ସାହସର ପରିଚୟ ଦେଇଥିଲା, ତାହାକୁ ମହତ୍ତ୍ୱ ଦେବାକୁ ପଡ଼ିବ । ତଥାପି, କେତେ ବର୍ଷ ଚାଲିଯିବା ପରେ ସିଏ ଯେଉଁ ତରୁଣ ହାକିମଙ୍କର ଅସାଧାରଣ ସମର୍ଥନ ଲାଭ କରିପାରିଲା, ତଦ୍ଦ୍ୱାରା ମଧ୍ୟ ଏହି ସଫଳତା ସମ୍ଭବ ହୋଇଥିଲା । ସେହି ଅଫିସର ନିଜର ଯାବତୀୟ ଅନ୍ୟ କାମକୁ ପଛକୁ ରଖି ଜଗତୁର ଗାଆଁରେ ଯାଇ ଉପସ୍ଥିତ ହେଲେ ଏବଂ ତାକୁ ତା’ନିଜ କମିଟି ଉପରେ ଆବଶ୍ୟକ ମାଲିକାନା ପ୍ରଦାନ କରିଥିଲେ । ଭାଗ୍ୟର କଥା ଯେ, ସେଦିନଟି ପାଇଁ ଆକସ୍ମିକ ଭାବରେ କୌଣସି କଚେରୀ ତରଫରୁ ଜମି ଉପରେ କୌଣସି ସ୍ଥଗନ ଆଦେଶ ନଥିଲା । କଚେରୀର ଲଢ଼େଇ ଏବେ ମଧ୍ୟ ଲାଗି ରହିଛି, ମାତ୍ର ତରୁଣ ଆଦିବାସୀଟି ଏକ ସବଳ ଭୂମି ଉପରେ ଛିଡ଼ା ହୋଇ ସେଗୁଡ଼ିକର ସମ୍ମୁଖୀନ ହୋଇ ପାରୁଛି । କାରଣ, ସିଏ ତା’ ଜିଲ୍ଲାରେ ଅବସ୍ଥିତ ସବୁଠାରୁ ଅଧିକ ମୂଲ୍ୟବାନ୍ ଜମିର ଶ୍ରେଣୀରେ ଆସି ପାରୁଥିବା ଗୋଟିଏ ବଡ଼ ଚକର ଅଧିକାରୀ ହୋଇପାରିଛି ।

 

ଯତୀନ୍‍ର ଗୁପ୍ତ କ୍ଷତମାନ

 

ଅତି ଧୀର ପ୍ରକୃତିର ଯତୀନ ପାଖରେ ମୁଁ କୃତଜ୍ଞ, କାରଣ ସିଏ ମୋ’ ଆଗରେ ନିଜର କାହାଣୀଟି କହି ପାରିଲା । ଆଶାଗ୍ରାମ ଅନ୍ତେବାସୀମାନେ ବର୍ତ୍ତମାନ ମୋ’ ଜୀବନର ଏକ ଅଂଶରେ ହିଁ ପରିଣତ ହୋଇ ରହିଛନ୍ତି,–ସେମାନଙ୍କର ଜୀବନ ମୋ’ପାଇଁ ମାନବୀୟ ସାହସ ତଥା ସମ୍ମାନବୋଧର ଏକ ପ୍ରତ୍ୟକ୍ଷ ନମୁନା ହୋଇ ରହିଛି; ସେମାନେ ଯେଉଁ ପ୍ରକାରେ ନିଜର ଜୀବନକୁ ଅତ୍ୟନ୍ତ ନୃଶଂସ କଳଙ୍କ ତଥା ପରିବର୍ଜନର ଧ୍ୱଂସ ମଧ୍ୟରୁ ଉଦ୍ଧାର କରି ପୁନର୍ବାର ଅନ୍ୟପ୍ରକାରେ ନିର୍ମାଣ କରି ପାରିଛନ୍ତି, ତାହା ମୋତେ ଅନନ୍ୟ ବୋଲି ବୋଧ ହୋଇଛି । ହୀରାଲାଲ ଶର୍ମା ଓ ତାଙ୍କର ଉତ୍ସର୍ଗୀକୃତ ସହକର୍ମୀ ଗୋଷ୍ଠୀଟିର ଋଣଟିକୁ ମୁଁ ଜୀବନସାରା ହିଁ ଶୁଝି ପାରିବି ନାହିଁ । ଏମାନେ ଆଶା ଗ୍ରାମର ଅଧିବାସୀମାନଙ୍କର ସ୍ଵପ୍ନଟିକୁ ନିଜ ସ୍ୱପ୍ନରେ ପରିଣତ କରି ନେଇଛନ୍ତି ଏବଂ ସେଥିଲାଗି ଆପଣାର ଜୀବନକୁ ଅର୍ପଣ କରି ଦେଇଛନ୍ତି ।

 

ଏରସମା ମହାବାତ୍ୟାରେ ପ୍ରଶାନ୍ତ

 

ପ୍ରଶାନ୍ତ ଓ ବାସୁଦେବ ସେମାନଙ୍କର କାହାଣୀଗୁଡ଼ିକୁ ମୋ’ ଆଗରେ ବର୍ଣ୍ଣନା କରି କହିଛନ୍ତି, ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ଓଡ଼ିଆ ଭାଷାର ବ୍ୟଞ୍ଜନାତ୍ମକ ଅର୍ଥଗୁଡ଼ିକୁ ବୁଝିବାରେ ମୋତେ ସାହାଯ୍ୟ କରିଥିବାରୁ ଅମ୍ବିକା ନନ୍ଦଙ୍କୁ ମଧ୍ୟ ଅନେକ ଧନ୍ୟବାଦ । ଆକ୍‍ସନ୍ ଏଡ୍ ସଂସ୍ଥାରେ ଥିବା ବିଜୟ କୁମାର, ବସନ୍ତ କର, ଧରିତ୍ରୀ ପଟ୍ଟନାୟକ ତଥା ଆହୁରି ଅନେକ ସହକର୍ମୀ ଯେଉଁ ଚମତ୍କାର କାର୍ଯ୍ୟ କରୁଛନ୍ତି ଏବଂ ମହାବାତ୍ୟାରୁ ରକ୍ଷା ପାଇ ଯାଇଥିବା ବିଧବା ତଥା ଅନାଥ ଶିଶୁମାନଙ୍କ ପାଇଁ ଗୋଷ୍ଠୀଭିତ୍ତକ ଯେଉଁ ସବୁ ଥଇଥାନ-ବ୍ୟବସ୍ଥାରେ ଲାଗିଛନ୍ତି, ମୁଁ ସେଗୁଡ଼ିକର ପ୍ରଶଂସା ମଧ୍ୟ କରୁଛି ।

 

ଜଳର ଗର୍ଭରେ ଘର

 

୧୯୯୭ ମସିହାରେ ବିଳାସପୁର ଡିଭିଜନର କମିଶନର୍ ଥିଲାବେଳେ ମୁଁ ଏହି କାହାଣୀଟିକୁ ଲେଖିଥିଲି । ନହ୍ନେ ଯେ ମୋତେ ନିଜ ଜୀବନର ଘଟଣାଗୁଡ଼ିକୁ ମୋ’ ଆଗରେ ବୟାନ କରି କହିଲେ, ମୁଁ ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି ।

 

ଦ୍ୱିତୀୟ ବଳାତ୍କାର

 

ମହିଳାମାନଙ୍କର ଅଧିକାରଗୁଡ଼ିକୁ ହାସଲ କରିବା ନିମନ୍ତେ ନିର୍ଭୀକ ହୋଇ ସଂଗ୍ରାମ କରୁଥିବା କବିତା ଶ୍ରୀବାସ୍ତବ ନିଜର ସେହି ସଂଗ୍ରାମ ବିଷୟରେ ମୋତେ ସମ୍ୟକୁ ଭାବରେ ଜଣାଇଦେବାର ଅଭିପ୍ରାୟରେ ଯେ ବନଓ୍ୱାରୀ ଦେବୀ ଓ ବନଓ୍ୱାରୀ ସହିତ ଯେ ମୋ’ର ପରିଚୟ କରାଇଦେଲେ, ମୁଁ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉଛି ।

 

ବେଡ଼ୀରୁ ମୁକ୍ତି ନାହିଁ !

 

ବିଳାସିନୀ ବନଛୋଡ଼ଙ୍କୁ ମୁଁ କୃତଜ୍ଞତା ଜଣାଉଛି, କାରଣ ସିଏ ଏତେ ଧୈର୍ଯ୍ୟ, ଶାଳୀନତା ତଥା ସହନଶୀଳତା ସହିତ ନିଜର ଗଭୀର ହତାଶଭାବ ସତ୍ତ୍ୱେ ତାଙ୍କ ଦୁଃଖଦାୟକ କାହାଣୀଟିକୁ ବର୍ଣ୍ଣନା କରି କହିଛନ୍ତି । ଓଡ଼ିଆ ଭାଷାର କଥୋପକଥନ ଗୁଡ଼ିକୁ ବୁଝିବାରେ ଶରଣ୍ୟ ମୋତେ ସହାୟତା କରିଛନ୍ତି (ହଁ, କଥାଗୁଡ଼ିକୁ କହୁଥିବା ସମୟରେ ତାଙ୍କର ନିଜ ଆଖିରୁ ମଧ୍ୟ ଲୋତକ ବହୁଥିଲା), ମୁଁ ତାଙ୍କ ପାଖରେ ବହୁତ କୃତଜ୍ଞ । ବିଜୟ କୁମାର, ଉନି ଦାନିଏଲ୍, ଶରଣ୍ୟ, ଆଲୋକ ଓ କୁଙ୍କୁମ ଆଦି ଆକସନ୍ ଏଡ଼ରେ ଥିବା ମୋ’ର ସହକର୍ମୀ ତଥା ସନ୍ଦୀପ ଚଚରା ପ୍ରଭୃତିଙ୍କ ଠାରେ ମଧ୍ୟ ମୁଁ ଋଣୀ, ସେମାନେ ବଲାଙ୍ଗିର ଜିଲ୍ଲାର ମରୁଡ଼ି ଓ ହାଇଦ୍ରାବାଦ ଇଟାଭାଟିର ନିତ୍ୟ ପ୍ରାତ୍ୟହିକ କ୍ଷୁଧାର କବଳରୁ ତଥାପି ବଞ୍ଚି ରହିଥିବା ମନୁଷ୍ୟମାନଙ୍କ ଭିତରେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରି ଚାଲିଛନ୍ତି । ସେହି ତରୁଣୀ ଗବେଷିକା ଓ ଫିଲ୍ମ ନିର୍ମାତା ରୂପଶ୍ରୀ ସମ୍ପ୍ରତି ବଞ୍ଚି ରହିଥିବା ସେହି ମନୁଷ୍ୟମାନଙ୍କର ଜୀବନଗୁଡ଼ିକୁ ଖୋଜି ବାହାର କରୁଛନ୍ତି, ‘ବିକଳ୍ପ’ ନାମକ ସ୍ୱେଚ୍ଛାସେବୀ-ସଂଗଠନରେ ସେମାନଙ୍କର ସାଥୀମାନେ ମଧ୍ୟ ମୁଁ ବିଳାସିନୀ ସହିତ ଯାଇ ସାକ୍ଷାତ କରେ ବୋଲି ମୋତେ ପ୍ରସ୍ତାବ ଦେଇଥିଲେ, ମୁଁ ସେମାନଙ୍କ ସମସ୍ତଙ୍କ ପାଖରେ ଋଣୀ ।

 

ସରପଞ୍ଚଙ୍କର ମୋହର

 

ମଜଦୁର କିସାନ୍ ଶକ୍ତି-ସଂଗଠନର ସକ୍ରିୟ କର୍ମୀମାନଙ୍କଠାରେ ମୁଁ ଗଭୀର ଭାବରେ ଋଣୀ,–ନ୍ୟାୟ ତଥା ସ୍ୱଚ୍ଛତା, ସରଳ ଏବଂ ସଂଯମସମ୍ପନ ଜୀବନଶୈଳୀ ପ୍ରଭୃତି ମୂଲ୍ୟ ପାଖରେ ସେମାନେ ଦୃଢ଼ ଭାବରେ ପ୍ରତିବଦ୍ଧ ହୋଇ ରହିଛନ୍ତି । ସେମାନେ ମୋତେ ଦୀର୍ଘ କାଳରୁ ହିଁ ପ୍ରେରଣା ଦେଇଛନ୍ତି । ରାଷ୍ଟ୍ର ଲୋକମାନଙ୍କ ପାଖରେ ଦାୟୀ ହୋଇ ରହୁ ବୋଲି ସେମାନେ ଯେଉଁ ସଂଗ୍ରାମ ଚଲାଇଛନ୍ତି, ସ୍ୱାଧୀନ ଭାରତବର୍ଷରେ ଆମେ ତାହାକୁ ଅନ୍ୟାୟ ବିରୁଦ୍ଧରେ ଗୋଟିଏ ପ୍ରମୁଖ ତାତ୍ପର୍ଯ୍ୟପୂର୍ଣ୍ଣ ସଂଗ୍ରାମ ବୋଲି ଅବଶ୍ୟ କହିପାରିବା । ମୁଁ ସେମାନଙ୍କ ପାଖରେ କୃତଜ୍ଞ ଯେ ସେମାନେ ପ୍ୟାର୍‍ଚାନ୍ଦ ସହିତ ମୋତେ ଚିହ୍ନା କରାଇ ଦେଇଥିଲେ ଏବଂ ପ୍ୟାର୍‍ଚାନ୍ଦ ଯେ ତା’ର କାହାଣୀଟିକୁ ମୋ’ ଆଗରେ ବର୍ଣ୍ଣନା କରି କହିଲା, ସେଥିପାଇଁ ମୁଁ ପ୍ୟାର୍‍ଚାନ୍ଦ ପାଖରେ ମଧ୍ୟ କୃତଜ୍ଞ ।

 

୧୯୮୪ : ନ୍ୟାୟ ପାଇବାକୁ ତଥାପି ଅପେକ୍ଷା

 

୧୯୮୪ ଦଙ୍ଗାରେ ସେମାନେ ଲାଭ କରିଥିବା ଅନୁଭୂତିଗୁଡ଼ିକୁ ମୋତେ ବର୍ଣ୍ଣନା କରି କହିଥିବାରୁ ମୁଁ ସର୍ଦ୍ଦାର-ଘରଣୀ ହରନାମ କାଉର୍ ଏବଂ ଦଳଜିତ୍ କାଉର୍‍ଙ୍କୁ ଧନ୍ୟବାଦ ଦେବି । ଏହି ସ୍ମୃତିଗୁଡ଼ିକ ସେମାନଙ୍କୁ କେଡ଼େ ଗଭୀର ଭାବରେ ବ୍ୟଥିତ କରି ପକାଇ ନଥିବେ,–ସେମାନେ ତଥାପି ସେଗୁଡ଼ିକୁ ମୋତେ କହିଥିଲେ । ଶ୍ରମିକ ସଂଗଠନର ଉତ୍ସର୍ଗୀକୃତ ନେତା ଥାନ୍‍ସିଂହ ଯୋଶ୍‍ ମୋତେ ନେଇ ସେମାନଙ୍କ ପାଖରେ ପରିଚିତ କରାଇ ଦେଇଥିବାରୁ ମୁଁ ଏମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ସେହି ଭାଗ୍ୟନିର୍ଣ୍ଣାୟକ ଦିନଗୁଡ଼ିକର ଘଟଣାଚୟକୁ ପୁନଃଗ୍ରଥିତ କରି ଆଣିବାରେ ମୋତେ ସେମାନଙ୍କର ବିବରଣୀ ଅବଶ୍ୟ ବହୁତ ସାହାଯ୍ୟ କରିଛି; ୩୧ ଅକ୍ଟୋବରଠାରୁ ୧୦ ଡିସେମ୍ବର ଯାଏ ଦିଲ୍ଲୀରେ ହୋଇଥିବା ଦଙ୍ଗାଗୁଡ଼ିକର କାରଣ ତଥା ପରିଣାମ ବିଷୟରେ କରା ଯାଇଥିବା ମିଳିତ ତଦନ୍ତର ମହତ୍ତ୍ୱପୂର୍ଣ୍ଣ ରିପୋର୍ଟ ମଧ୍ୟ ମୋତେ ବହୁତ ସାମଗ୍ରୀ ଯୋଗାଇ ଦେଇ ପାରିଛି । କେଉଁମାନେ ଅପରାଧୀ ?” ବୋଲି ୧୯୮୪ ମସିହାର “ଗଣତାନ୍ତ୍ରିକ ଅଧିକାରଗୁଡ଼ିକ ନିମିତ୍ତ ଲୋକମାନଙ୍କର ଇଉନିଅନ୍’ ଓ ‘ନାଗରିକ ସ୍ୱାଧୀନତାଗୁଡ଼ିକୁ ହାସଲ କରିବା ଲାଗି ଲୋକମାନଙ୍କର ଇଉନିଅନ୍’,–ଏହି ସଂସ୍ଥାମାନଙ୍କ ଦ୍ୱାରା ପ୍ରକାଶିତ ବିବରଣୀ ମଧ୍ୟ ମୋତେ ସାହାଯ୍ୟ କରିଛନ୍ତି ।

 

ଚାହାର ପଇସା ନିଶ୍ଚୟ ଦେବ

 

ଦିଲ୍ଲୀ ଆକ୍‍ସନ୍ ଏଡ୍ ଦ୍ୱାରା ପରିଚାଳିତ ଆଶ୍ରୟ ଅଧିକାର ଅଭିଯାନର ଉତ୍ସର୍ଗୀକୃତ ତରୁଣ ଗୋଷ୍ଠୀ ଦିଲ୍ଲୀର ବାସ ହରାଇଥିବା ମନୁଷ୍ୟମାନଙ୍କ ସକାଶେ ଚମତ୍କାର ବହୁ କାର୍ଯ୍ୟ କରିଛନ୍ତି ଏବଂ ସେହିମାନେ ହିଁ ମୋତେ ଶିବିର ସିଂହ ସହିତ ନେଇ ପରିଚିତ କରାଇ ଦେଇଛି । ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି । ସେହି ଗୋଷ୍ଠୀରେ ଇନ୍ଦୁ ପ୍ରକାଶ, ବିଧାନ, ପରମଜିତ୍, କୀତ୍ କାଉର, ଧନଞ୍ଜୟ, ଶାଳିନୀ, ଜଗଦୀଶ, ଜୟଶ୍ରୀ, ଚେରିଆନ୍‍, ଆଦିଲ ଓ ଆଦିତ୍ୟ,–ଏମାନେ ସମସ୍ତେ ଅଛନ୍ତି-। ଶବିରକୁ ମୁଁ ତା’ର ଶାଳୀନତା ଓ ଆତିଥ୍ୟ ନିମନ୍ତେ ଧନ୍ୟବାଦ କହିବି,–ନିଜର କାହାଣୀଟିକୁ ମଧ୍ୟ ସେ ମୋତେ କହିବ ବୋଲି ସଙ୍ଗେ ସଙ୍ଗେ ରାଜି ହୋଇ ଯାଇଥିଲା ।

 

ଚକଚକ ନମ୍ବରକାଗଜ

 

ବେଡ଼ିଆ ସଂପ୍ରଦାୟକୁ ନେଇ ଆମେ ଯେଉଁ ପ୍ରଥମ ବୈଠକଗୁଡ଼ିକର ଆୟୋଜନ କରିଥିଲେ, ସେଥିରେ ଭାଗ ନେଇଥିବାରୁ ମୁଁ ରାଜେନ୍ଦ୍ର ପାଖରେ ଅତୀବ କୃତଜ୍ଞ । ସେହି ସମ୍ପ୍ରଦାୟର ମହିଳାମାନଙ୍କୁ ବନ୍ଧନମୁକ୍ତ କରି ଆଣିବା ନିମନ୍ତେ ଆମେ ଆବଶ୍ୟକ ସାମାଜିକ ସଂସ୍କାରଗୁଡ଼ିକ ବିଷୟରେ ସେଠାରେ ଚିନ୍ତା କରିଥିଲ । ତା’ର ନିଜ ସ୍ଥିତିଟି ବିଷୟରେ ରାଜେନ୍ଦ୍ର ସାହସ ସହିତ ସମସ୍ତଙ୍କ ଆଗରେ ସବୁକଥା ଖୋଲି କହିଦେଇ ପାରିଥିଲା । ମୁଁ ଗୀତାର ମଧ୍ୟ ଅବଶ୍ୟ ପ୍ରଶଂସା କରିବି, କେତେ ଆତ୍ମବିଶ୍ୱାସ ସହିତ ଗୀତା ନିଜ ନିରାପଦ ଜୀବନଜୀବିକାଟିକୁ ମଧ୍ୟ ଛାଡ଼ି ଦେଇ ପାରିଥିଲା । ରାଜେନ୍ଦ୍ର ସହିତ ନିଜ ସଂପ୍ରଦାୟର କେତେ ନିଷେଧକୁ ଭାଙ୍ଗି ଦେଇଥିଲା ଓ ତଦ୍ଦ୍ୱାରା ସମ୍ମାନ ତଥା ସ୍ଵରୁଚିର ଜୀବନଗୁଡ଼ିକୁ ପୁନର୍ବାର ଗଢ଼ି ଆଣିଥିଲା । ମଧ୍ୟପ୍ରଦେଶ ସରକାରଙ୍କର ସେତେବେଳେ ବରିଷ୍ଠତମ ସଚିବଙ୍କ ପାଖରେ ମଧ୍ୟ ମୁଁ ଋଣୀ,–ଯିଏକି ଅତ୍ୟନ୍ତ ସଂବେଦନଶୀଳତା ଏବଂ ସହାନୁଭବ ସହିତ ଏହି କାର୍ଯ୍ୟଟିକୁ ସମର୍ଥନ କରୁଥିଲେ; ଏବଂ ସେହି ସରକାରଙ୍କର ଦଳିତ-କଲ୍ୟାଣ ବିଭାଗର ମୋ’ର ପୂର୍ବତନ ସହକର୍ମୀ ଡକ୍ଟର ଘନଶ୍ୟାମ ଗୁପ୍ତଙ୍କ ପାଖରେ ବି ଅବଶ୍ୟ ଋଣୀ,–ବେଡ଼ିଆ ସଂପ୍ରଦାୟ ବିଷୟରେ ସେ ବିଜ୍ଞୋଚିତ ବହୁତ ଅନ୍ତଃଦୃଷ୍ଟି ଯୋଗାଇ ଦେଇଥିଲେ ଏବଂ ବିସ୍ତୃତ ଭାବରେ ବହୁ ତଥ୍ୟ ମଧ୍ୟ ମୋତେ ପ୍ରଦାନ କରିଥିଲେ ।

 

ବିପନ୍ନ ବସତି

 

ସୂର୍ଯ୍ୟନାରାୟଣ ଏବଂ ଶାନ୍ତାମ୍ମା ସେମାନଙ୍କର ପ୍ରେରଣାଦାୟକ ଜୀବନଗୁଡ଼ିକ ବିଷୟରେ ମୋତେ ସବୁକଥା କହିଛନ୍ତି,–ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ଏହି ଅବସରରେ ଆକ୍‍ସନ୍ ଏଡ୍ ଇଣ୍ଡିଆରେ ରହିଥିବା ମୋ’ର ତରୁଣ, ସହକର୍ମୀଙ୍କର ସନ୍ଦୀପ, ସୁନନ୍ଦା, ଡେଭିଡ୍, ବାହାଦୁର–ସମସ୍ତଙ୍କ ପାଖରେ ଅବଶ୍ୟ ଋଣସ୍ୱୀକାର କରିବି ! ପ୍ରାକ୍ଟିସ୍ ଅନୁଷ୍ଠାନର ଟନ୍ ଓ ରାକେଶ୍ୱରଙ୍କୁ ମଧ୍ୟ ଧନ୍ୟବାଦ ଦେବି । ସେହିମାନେ ହିଁ ଅନ୍ଧ ଭିକ୍ଷୁକମାନଙ୍କର ଏହି ବସତିଟିକୁ ମୋତେ ନେଇ ଯାଇଥିଲେ । ସେହି ଅନ୍ଧମାନଙ୍କ ପ୍ରତି ସେମାନଙ୍କର ପ୍ରଭୂତ ସମ୍ମାନ ତଥା ଏକାତ୍ମତା ରହିଥିଲା । ସେମାନଙ୍କର ସଂଘର୍ଷରେ ମିଳିତ ହୋଇ ରହିବା ନିମନ୍ତେ ଏମାନେ ପଣ କରିଥିଲେ ତଥା ଏକ ଅଧିକ ଭଲ ଜୀବନଲାଗି ସେମାନଙ୍କର ସ୍ଵପ୍ନଗୁଡ଼ିକରେ ସେମାନଙ୍କର ପାଖେ ପାଖେ ରହିଥିଲେ ।

 

ଏହି ସବୁକିଛି ଗୋଟିଏ କ୍ଷୁଦ୍ର ସେତୁକୁ ନିର୍ମାଣ କରି ଆଣିବାରୁ ହିଁ ଅବଶ୍ୟ ଆରମ୍ଭ ହେବ ।

 

‘କେହି ଶୁଣିନାହାନ୍ତି ? ପୁସ୍ତକଟି ବାସ୍ତବ ଜୀବନରେ ଘଟିଥିବା କେତୋଟି କାହାଣୀର ସମାବେଶ । ଏହି ପୁସ୍ତକରେ ପରିବେଷିତ ସମାଜରେ ଉପେକ୍ଷିତ ଓ ବିସ୍ମୃତ ଅଜ୍ଞାତ ମଣିଷମାନଙ୍କର ସଂଘର୍ଷଭରା ଜୀବନଗାଥାଗୁଡ଼ିକ ଦରଦୀ ପାଠକ ମନରେ ଏକାବେଳକେ କୋହ ତଥା ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

 

ପୁସ୍ତକରେ ବର୍ଣ୍ଣିତ ଭୋପାଳର ମର୍ମନ୍ତୁଦ ଗ୍ୟାସ୍ ଦୁର୍ଘଟଣାଠାରୁ ଆରମ୍ଭ କରି ଓଡ଼ିଶାରେ ଘଟି ଯାଇଥିବା ଭୟାନକ ମହାବାତ୍ୟାର ଲୋମହର୍ଷଣକାରୀ କାହାଣୀମାନ ମାନବିକତାର ଆହ୍ୱାନକୁ ସମ୍ମୁଖୀନ ହେବାପାଇଁ ସାହସ ଯୋଗାଇଥାଏ ।

 

ମୂଳ ପୁସ୍ତକଟି ଶ୍ରୀଯୁକ୍ତ ହର୍ଷ ମନ୍ଦରଙ୍କ ଦ୍ୱାରା ଇଂରାଜୀ ଭାଷାରେ ରଚିତ । ପୁସ୍ତକଟିର ନାମ ‘‘Unheard Voices’’ । ନିଷ୍ପେଷିତ ମଣିଷମାନଙ୍କ ପାଇଁ ସ୍ଵର ଉତ୍ତୋଳନ କରି ପାରିଥିବା ଅଳ୍ପ କେଇଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (IAS) ମାନଙ୍କ ମଧ୍ୟରୁ ହର୍ଷ ମନ୍ଦେର୍ ଥିଲେ ଅନ୍ୟତମ ।

 

“ଆକ୍‍ସନ୍‍ ଏଡ୍” ନାମକ ଏକ ଆନ୍ତର୍ଜାତିକ ସେବା ସଂସ୍ଥାର ଭାରତୀୟ ଶାଖାରେ ସେ ସର୍ବୋଚ୍ଚ ପରିଚାଳକ ଭାବରେ କର୍ତ୍ତବ୍ୟରତ ଥିବା ସମୟରେ ପୁସ୍ତକ ମଧ୍ୟରେ ସଂକଳିତ ୨୦ଟି ମର୍ମସ୍ପର୍ଶୀ କାହାଣୀକୁ ବାସ୍ତବ ଅନୁଭୂତିରୁ ରଚନା କରିଛନ୍ତି ।

 

ପୁସ୍ତକଟିକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ ସାହିତ୍ୟିକ, ଶିକ୍ଷାବିତ୍, ମନୀଷୀ ତଥା ଦେଶବିଦେଶର ସୃଜନଶୀଳ ଶିକ୍ଷା-ପ୍ରଶିକ୍ଷଣ ସହ ବାସ୍ତବ ଭାବରେ ଯୋଡ଼ି ହୋଇ ରହିଥିବା ଶ୍ରୀଯୁକ୍ତ ଚିତ୍ତରଂଜନ ଦାସ (ସମସ୍ତଙ୍କର ଅତି ପରିଚିତ ଚିତ୍ତଭାଇ) ।

 

ଦୁଃଖଯନ୍ତ୍ରଣା ତଥା ହତାଶାର ବଳୟ ମଧ୍ୟରେ ବାସ କରୁଥିବା ଏଇ ଭାରତର ମଣିଷମାନଙ୍କ ମଧ୍ୟରେ ସାହସ ଓ ସୃଜନଶୀଳତାର ଅଖଣ୍ଡ ପ୍ରଦୀପ ପ୍ରତି ମୁହୂର୍ତ୍ତରେ ଯେ ତେଜୀୟାନ୍ ହୋଇପାରେ, ଏହି ପୁସ୍ତକର କାହାଣୀଗୁଡ଼ିକରୁ ତାହାର ପ୍ରମାଣ ମିଳେ ।

 

ପୁସ୍ତକଟି ନିଶ୍ଚିତ ଭାବରେ ଓଡ଼ିଆ ପାଠକ ତଥା ଜନମାନସରେ ନୂତନ ଆଶା ଓ ଆହ୍ୱାନ ସୃଷ୍ଟି କରିବ ।

Image